Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Lopamudra Mishra

Others


4  

Lopamudra Mishra

Others


ମୁଣ୍ଡ

ମୁଣ୍ଡ

6 mins 501 6 mins 501

   


ବିଷ୍ଣୁସାର୍ ଙ୍କ ଛାତ୍ର ଦାଶରଥୀ ଓରଫ୍ ଦାଶିଆ ରିକ୍ସା ଚଲାଏ l ବିଷ୍ଣୁସାର୍ ପାଖ ଗାଁରେ ଶିକ୍ଷକ ଥିଲାବେଳେ ସେ ଏଇ ଦାଶିଆ ପରି ଅନେକ ଛାତ୍ର ଛାତ୍ରୀଙ୍କୁ ବେତରେ ପିଟି ପିଟି ପିଠିରୁ ଛାଲ ବାହାର କରିଦେଇଛନ୍ତି ମାତ୍ର ସେମାନଙ୍କ ଦ୍ୱାରା ନିଜ ନିଜ ନାମଟିମାନ ନିର୍ଭୁଲ ଭାବରେ ଲେଖେଇବାରେ ସଫଳ ହେଇପାରିନାହାନ୍ତି l 


  ଦାଶିଆର ବାପ ଥିଲା ଦିନ ମଜୁରିଆ l ଦାଶିଆ ଦିନେ ଦିନେ ସ୍କୁଲ୍ ବନ୍ଦ କରି ବାପ ସାଙ୍ଗରେ କଚଡ଼ା ବୋହିବାକୁ ନହେଲେ କାହା ବାଡ଼ିଘରେ କାମକରିବାକୁ ଚାଲିଯାଏ l ପୁଣି ଯେବେ ସୁବିଧା ହୁଏ ସ୍କୁଲ୍ ଆସି ମାଡ଼ ଗୁଡ଼ାଏ ଖାଏ l ଥରେ ବିଷ୍ଣୁସାର୍ ସ୍କୁଲ୍ ରେ ପିଲାମାନଙ୍କୁ ସେମାନଙ୍କ ଜୀବନର ଲକ୍ଷ କ'ଣ ପଚାରୁଥିଲେ l କିଏ କହିଲା ଡାକ୍ତର ହେବ, କିଏ କହିଲା ଇଞ୍ଜିନିଅର୍ ତ ପୁଣି କିଏ କହିଲା ଶିକ୍ଷକ, ଏମିତି ଅନେକ ଗୁଡିଏ ବୃତ୍ତି କୁ ନିଜ ନିଜ ଭବିଷ୍ୟତରେ ଆପଣେଇବା କଥା ପିଲାମାନେ ସାର୍ ଙ୍କୁ ଜଣେଇଲେ l ଦାଶିଆର ପାଳି ପଡିବାରୁ ସେ ତା' ପାଖ ପିଲାଠାରୁ ଶୁଣିଥିବା ବୃତ୍ତିଟିକୁ ଫଟାକ୍ କରି କହିଦେଲା, "ସାର୍ ମୁଁ ବଡ଼ ହେଇ ପୁଲିସ୍ ଚାକିରୀ କରିବି " l


  ବିଷ୍ଣୁସାର୍ ହସିଲେ l ହସି ହସି କହିଲେ, " ତୁ ପୁଲିସ୍ ହେବୁ ! ଆବେ ଲେଖିପାରିବୁନା ପୁଲିସ୍ ବନାନଟା କେମିତି ? ଦିନେ ସ୍କୁଲ୍ ଆସିଲେ ପାଞ୍ଚଦିନ ବନ୍ଦ, ଆହୁରି କହୁଛି ପୁଲିସ୍ ହେବ ! ପୁଲିସ୍ ହେବା ମୁଣ୍ଡ ନା ତୁ ? "


 ସମସ୍ତେ ହସିଥିଲେ ସେଦିନ, କେବଳ ଦାଶିଆ ପରି କିଛି ପାଠରେ ପଛୁଆ ପିଲାଙ୍କୁ ଛାଡ଼ି l ସେମାନେ ଡରରେ ମୁଣ୍ଡ ତଳକୁ କରିଦେଇଥିଲେ କାଳେ ସାର୍ ରାଗରେ ସେମାନଙ୍କୁ କିଛି କହିଦେବେ ବା ହସିବା କାରଣରୁ ପାଠ ପଚାରି ବାଡେଇପକେଇବେ l ଦାଶିଆ ମୁଣ୍ଡ ତଳକୁ କରି ଠିଆ ହେଇଥିଲା, ସାର୍ ଙ୍କ ନିର୍ଦେଶ ପାଇ ବସିଲା l 


  ବିଷ୍ଣୁସାର୍ ନିଜ ତଥା ନିଜ ଆଖପାଖ ଅଞ୍ଚଳରେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ହିସାବରେ ବେଶ୍ ପରିଚିତ l ତାଙ୍କ ପୂର୍ବପୁରୁଷଙ୍କର ବିରାଟ ଜମିଦାରୀ ଥିଲା l ଅମାପ ସମ୍ପତ୍ତି ବାଡ଼ିର ସେ ଅଧିକାରୀ l ବାପାଙ୍କୁ ଅମାନ୍ୟ ନକରି ଗାଁରେ ରହିବାକୁ ବାଧ୍ୟ ହେଇଥିବାରୁ ଏଇ ଶିକ୍ଷକତା ବୃତ୍ତିରେ ସେ ନିଜକୁ ସନ୍ତୁଷ୍ଟ କରେଇନେଇଥିଲେ l ଜଣେ ପ୍ରତିପତ୍ତିଶାଳୀ ବ୍ୟକ୍ତି ହିସାବରେ ବିଷ୍ଣୁସାର୍ ମଧ୍ୟ ଖୁବ୍ ଅହଙ୍କାରୀ ସ୍ଵଭାଵର ଲୋକ l ରାସ୍ତାରେ ଗଲାଆସିଲାବେଳେ ସବୁସମୟରେ ତାଙ୍କ ମୁଣ୍ଡଟି ଉପରକୁ ଟେକି ହେଇ ରହିଥାଏ l ତାଙ୍କ ମୁଣ୍ଡ ତୁଳନାରେ ସେ ଆଉ କାହାକୁ ସମକକ୍ଷ ଭାବନ୍ତି ନାହିଁ l


  ଗୋଟେ ବର୍ଷାଋତୁର ପ୍ରାରମ୍ଭରେ ଦାଶିଆର ଘର ପାଖରେ ଗୋଟେ ଛୋଟ ପିଲାକୁ ଜ୍ଵର ହେଲା l ଜର ଛାଡିଲାନାହିଁ l ଗାଁରେ ଔଷଧ ବିକ୍ରି କରୁଥିବା କ୍ଵାକ୍ ଜଣଙ୍କ କହିଲେ," ସହରର ବଡ଼ ଡାକ୍ତରଖାନାକୁ ନେଇଯାଅ l ରକ୍ତ ପରୀକ୍ଷା କଲେ ଜଣାପଡିବ ଏଇଟା କି ଜର" l କିନ୍ତୁ ସେମାନଙ୍କ ପାଖରେ ସହରକୁ ଯିବାପାଇଁ ଆବଶ୍ୟକୀୟ ଟଙ୍କା ନଥିଲା l ଦାଶିଆର ବାପକୁ ସାଙ୍ଗରେ ଧରି ଜରୁଆ ପିଲାର ବାପ ବର୍ଷା ଝଡିରେ ଭିଜି ଭିଜି ଆସି ବିଷ୍ଣୁସାର୍ ଙ୍କ ଦ୍ୱାରସ୍ଥ ହେଲା l ବଡ଼ ଅନୁନୟ ହେଇ କିଛି ଟଙ୍କା ମାଗିଲା l ଦାଶିଆର ବାପ ଉପରେ ପଡି କହିଲା, "ସାର୍ ଟଙ୍କାଟା ଦେଇଥାନ୍ତୁ, ସେ ନ ଶୁଝିପାରିଲେ ତା' ପାଇଁ ମୁଁ ଶୁଝିଦେବି l"


  ସେଦିନ ବି ବିଷ୍ଣୁସାର୍ ତାତ୍ସଲ୍ୟ କରି ଖୁବ୍ ଜୋରରେ ହସିଥିଲେ l ସେଦିନର ତାଙ୍କର ସେ ହସ ସେହି ପରିସ୍ଥିତି ସହ ଆଦୌ ମେଳ ଖାଉନଥିଲା l ସାର୍ ହସି ସାରି କହିଥିଲେ, "ତୁ ଶୁଝିବୁ ? ଶୁଝିବା ମୁଣ୍ଡଟା ଆଉ ? " l ଏମିତି କହିଥିଲେ ସିନା ଟଙ୍କାଟା କିନ୍ତୁ ବଢ଼େଇଦେଇଥିଲେ l ଦାଶିଆ ତା ବାପ ସାଙ୍ଗରେ ପଛରେ ଗୋଡେଇ ଗୋଡେଇ ଆସିଥିଲା l ସେଦିନ ସେ ପୁଣି ଥରେ ସାର୍ ଙ୍କ ପାଖରୁ ସେମାନଙ୍କ ମୁଣ୍ଡର ମୂଲ୍ୟ ବିଷୟରେ ସାମାନ୍ୟ ଅବଗତ ହେଇଥିଲା l


   ଦାଶିଆ ଅଷ୍ଟମରୁ ପାଠ ଛାଡିଲା l ବଡ଼ ହେଲା l ରିକ୍ସା ଚଳେଇଲା l ରିକ୍ସା ର ଚାହିଦା କମିଲା, ଅଟୋରିକ୍ସାଟେ କିଣିବାକୁ ମନ ବଳେଇଲା l ନିକଟସ୍ଥ ବ୍ୟାଙ୍କ୍ ରେ ବୋଉର କିଛି ଗହଣା ବନ୍ଧକ ରଖି ଋଣ ପାଇଁ ଆବେଦନ କରିବାକୁ ଯାଇଥିଲା l ବିଷ୍ଣୁସାର୍ ଦେଖାହେଇଗଲେ l 


--ଦାଶିଆ କୁଆଡେ ଆସିଛୁ କିରେ ? 


--ଲୋନ୍ ଟେ ପାଇଁ ଆସିଥିଲି l ସୁନା ବନ୍ଧାରଖି ଯଦି କିଛି ଟଙ୍କା ମିଳିଯାଏ ଅଟୋଟେ କିଣିବି ଭାବିଛି l


--କାହା ସୁନା କିରେ ? ଚୋରି ଫୋରି କରୁନୁ ତ ? 


--ନାଁ ନାଁ ସାର୍ l ଆପଣ କ'ଣ ମୋତେ ଜାଣିନାହାଁନ୍ତି ? ମୋ ବୋଉର ଗହଣା କିଛି ଥିଲା l


--ଗଲା, ବୋଉର ଗହଣା ସବୁ ଗଲା ଜାଣେ l


--କାହିଁକି ଯିବ ସାର୍ ? ମୁଁ ମୁକୁଳେଇ ନେବି ଯେ l


--ଓହଃ, ମୁକୁଳେଇବା ମୁଣ୍ଡଟା ! ଯାଆ ଯାଆ ଏଠି ବନ୍ଧା ପକେଇବା ଅପେକ୍ଷା ବିକ୍ରି କରି ଦେ ବେଶ୍ କିଛି ଟଙ୍କା ପାଇଯିବୁ l ଆସିଲା ଗୋଲ୍ଡ୍ ଲୋନ୍ କରିବାକୁ, ହୁଁ.. l 

  

    ଦାଶିଆକୁ ବିଷ୍ଣୁ ସାର୍ ସେଦିନ ଏକପ୍ରକାର ବାଧ୍ୟ କରିଥିଲେ ଋଣ ନକରି ଫେରିଆସିବା ପାଇଁ l "ଜାଣିବା ବୁଝିବା ମାନ୍ୟଗଣ୍ୟ ଲୋକ,ତାଙ୍କ କଥାରେ ଦମ୍ ଥିବ", ସାଙ୍ଗରେ ଆସିଥିବା ଦାଶିଆର ମାମୁଁ କହିଲେ l ଦାଶିଆ ଫେରିଆସିଲା l ଆଉ ତା'ର ଅଟୋରିକ୍ସା କିଣା ହେଇପାରିଲାନି l ସମୟକ୍ରମେ ତା ଭଙ୍ଗାରିକ୍ସାଟା ଆଉ ନଚାଲିବାରୁ ଦାଶିଆ ସେଇଟିକୁ ଟ୍ରଲିରେ ରୂପାନ୍ତର କରି ଲୋକଙ୍କ ଜିନିଷ ପତ୍ର ବୋହିବା କାମରେ ଲଗେଇଲା l 


     ଦାଶିଆର ବାପ ମରିଗଲା, ମାଟି ତଳେ ପୋତା ହେଲା l ବୋଉ ବି ମରି ମାଟିରେ ମିଶିଗଲାଣି l ଦାଶିଆର ପୁଅ ସ୍କୁଲ୍ ଯାଉଛି l ଦାଶିଆର ଖୁବ୍ ଇଚ୍ଛା ପୁଅଟା ତା'ର ଖୁବ୍ ପଢୁ l ପାଠ ପଢି ନିଜ ମୁଣ୍ଡକୁ ବିଷ୍ଣୁସାର୍ ଙ୍କ ପରି ଗଢି ତୋଳୁ l ବଡ଼ ଚାକିରୀ ନହେଲେ ବି ଛୋଟ ମୋଟ କିଛି ଗୋଟେ କରୁ l ତା'କୁ ଯେମିତି ଆଉ କେହି ନକହୁ, 'ଏଇଟା କରିବା, ସେଇଟା କରିବାର ମୁଣ୍ଡ ତୁ ନୁହେଁ ' l 


  ଦାଶିଆର ପୁଅ ଦଶମ ପଢ଼ିଲାଣି l ଏଥର ମାଟ୍ରିକ୍ ପରୀକ୍ଷା ଦେବ l ତା' ସାଙ୍ଗମାନେ ସମସ୍ତେ ସ୍କୁଲ୍ ପରେ ଟ୍ୟୁସନ୍ ବା କୋଚିଂ କ୍ଲାସ୍ ଯାଉଛନ୍ତି l ଦାଶିଆ ଇଚ୍ଛା କଲା ପୁଅକୁ କୋଚିଂ କ୍ଲାସ୍ ରେ ଭର୍ତ୍ତି କରେଇବ l ବଜାର୍ ଉପରେ ନୂଆ ଗୋଟେ କୋଚିଙ୍ଗ୍ ସେଣ୍ଟର୍ ଖୋଲିଛି l ଦାଶିଆ ପୁଅକୁ ସାଙ୍ଗରେ ଧରି ବାହାରିଲା ଦରଦାମ୍ ବୁଝିବାକୁ l କୋଚିଂ ସେଣ୍ଟର୍ ତଳେ ଗୋଟେ ଫୁଡ୍ସ୍ କର୍ଣ୍ଣର୍ ଖୋଲିଛି l ବିଭିନ୍ନ ପ୍ରକାର ଖାଦ୍ୟ ଦ୍ରବ୍ୟ ସେଇଠି ଉପଲବ୍ଧ l ଦାଶିଆ ଉପରକୁ ଉଠୁଥିଲା, ତଳେ ଫୁଡ୍ସ୍ କର୍ଣ୍ଣର୍ ରେ ବିଷ୍ଣୁସାର୍ ବସିଥିଲେ l ସାର୍ ଙ୍କ ବୟସ ଢେର ବେଶି ବଢ଼ିଗଲାଣି l ଅନେକ ଦିନ ଆଗରୁ ଅବସର ନେଇସାରିଲେଣି l ତଥାପି ଦୃଷ୍ଟି ଶକ୍ତି ଆଜିବି ସେମିତି ପ୍ରଖର ଅଛି l ଦାଶିଆକୁ ଦେଖି ଚଟକରି ଚିହ୍ନିନେଲେ l 


--ଦାଶରଥୀ, କୁଆଡେ ଯାଉଛୁ ? 


--ସାର୍ ଜୁହାରେ l ପୁଅକୁ ଏଇଠି କୋଚିଂ ଦେବାକୁ ଭାବିଛି l ଆସିଥିଲି ବୁଝିବାକୁ l


--ଇଏ ତୋ ପୁଅ ? କୋଉ ଶ୍ରେଣୀରେ ପଢୁଛି l


-- ହଁ ସାର୍ l ଦଶମ ହେଲା l


--ଆଚ୍ଛା ଆଚ୍ଛା, ଖୁବ୍ ଭଲ l କିନ୍ତୁ ଏ କୋଚିଙ୍ଗ୍ ଫୋଚିଙ୍ଗ୍ ବେପାରରେ ମୁଣ୍ଡ ପୁରାନା l ତୁ ପାରିବୁନି l ବହୁତ ଖର୍ଚ୍ଚ l ସ୍କୁଲ୍ ରେ ଯଦି ପଢାପଢି ଭଲ ହେଉନି, ତାକୁ କୋଉ ଗୋଟେ ସଂକୃତ ଟୋଲ୍ ରେ ନାଁ ଲେଖେଇଦେ l ପାସ୍ କରିଯିବ l ଏମାନେ ସବୁ ଏଠି କୋଚିଂ ସେଣ୍ଟର୍ ଖୋଲି କେବଳ ବେପାର କରୁଛନ୍ତି l ଗରିବ ଗୁରୁବାଙ୍କ ପାଇଁ ଏ ସଂସ୍ଥା କାମକୁ ନୁହେଁ l ବୁଝିଲୁ l


--କିନ୍ତୁ ସାର୍ କେବଳ ପାସ୍ ପାଇଁ ନୁହେଁ, ପିଲାଟା ଭଲ ନମ୍ବର୍ ଆଣିଲେ ଭଲ କିଛି କରିପାରିବ, ସେଇଥିପାଇଁ ସିନା ଚେଷ୍ଟା ଚଲେଇଛି l ଯାହା ଖର୍ଚ୍ଚ ହେବ ହେଉ, ଦେଖିବା ନହେଲେ l


--ଭଲ କ'ଣ କିରେ ? କ'ଣ ପୁଅକୁ କଲେକ୍ଟର୍ କରିବୁ ? 


"ନାଇଁ ସାର୍ ଏତେ ସପନକୁ ରାତି କାହିଁ ? ଯଦି ଡାକ୍ତରଟେ କି ମାଷ୍ଟର୍ ଟେ ହେଇପାରିଲା...",କହୁ କହୁ ଦାଶିଆ ମୁଣ୍ଡରେ ବାକିଥିବା ତା ଅଧାପାଚିଲା ବାଳକୁ ଆଉଁସିଲା ଆଉ ପୁଅର ଇସାରାରେ ବିଷ୍ଣୁସାର୍ ଙ୍କୁ ଆଉଥରେ ଜୁହାର ହେଇ ସିଡ଼ି ପାହାଚ ଚଢ଼ିବାକୁ ଲାଗିଲା l ବାପ,ପୁଅ ଦୁଇ ତିନିଟା ସିଡ଼ି ଅତିକ୍ରମ କରିଛନ୍ତି ତଳୁ ଦୁଇଜଣଙ୍କ ଚାପା ସ୍ୱରର କଥାବାର୍ତ୍ତା ସିଡ଼ି ଉପରଯାଏଁ ଚଢିଆସିଲା l କେହିଜଣେ କହୁଥିଲେ, "ହା ହା, ଡାକ୍ତର ହେବା ମୁଣ୍ଡଟା ଆଉ ! " l ତାପରେ ହୋ ହୋ ହେଇ ହସିବାର ବିରକ୍ତକର ଶବ୍ଦଗୁଡାକ ଦାଶିଆ ଆଉ ତା'ପୁଅର ମୁଣ୍ଡ ଉପରଦେଇ ଉଡ଼ିଗଲା l ସ୍ୱର ଦୁଇଟି ଭିତରୁ ଗୋଟାଏ ଯେ ଦାଶିଆର ଅତି ପରିଚିତ ବିଷ୍ଣୁସାର୍ ଙ୍କର, ଏକଥା ଦାଶିଆ ତଳକୁ ନ ଅନେଇ ମଧ୍ୟ ଠିକ ଠଉରେଇ ନେଇ ପାରିଲା l


   ଦାଶିଆ ପୁଅକୁ ତା'ର କୋଚିଂ କ୍ଲାସ୍ ରେ ଭର୍ତ୍ତି କଲା l ଦିନ ଯାକ ପରିଶ୍ରମ କରି ରାତିରେ ଥକ୍କାହେଇ ଘରକୁ ଫେରିଥିଲେ ମଧ୍ୟ ପୁଅ ପଢୁଛି କି ନାହିଁ ନ ଶୋଇ ଜଗିରହି ଦେଖିଲା l ପୁଅଟା ବି ଏବେ ବାପର କଷ୍ଟ ଦୁଃଖ ଟିକେ ବୁଝିଲାଣି l ପଢାପଢିରେ ମନ ଦେଲାଣି l ଯେତେବେଳେ କିଛି ଗୋଟେ ପାଠ ମୁଣ୍ଡରେ ପଶେନି, ସଙ୍ଗେ ସଙ୍ଗେ ସାଇକେଲ୍ ଟା ଧରି ବଜାର୍ ଆଡକୁ ବାହାରିଯାଏ l ଘରେ କହିଯାଏ, "ଡାଉଟ୍ କ୍ଳିଅର୍ କରିକି ଆସୁଛି l" ଦାଶିଆ ଖୁସି ହୁଏ l 


    ଦିନେ ସକାଳୁ ଉଠୁ ଉଠୁ ଦାଶିଆର ଘର ଆଗରେ ବିଷ୍ଣୁସାର୍ ଙ୍କ ଘରେ କାମ କରୁଥିବା ପିଲାଟା ଆସି ହାଜର l କଥା କ'ଣ ବୁଝିଲାରୁ ଜାଣିଲା ଗତ ରାତିରୁ ବିଷ୍ଣୁସାର୍ ହାର୍ଟ୍ ଆଟାକ୍ ରେ ଚାଲିଯାଇଛନ୍ତି l ଦାଶିଆକୁ ଯିବାକୁ ହେବ ତା ଟ୍ରଲି ନେଇ l କାଠ ସବୁ ଶ୍ମଶାନକୁ ବୁହାହେବ l 


  ବିଷ୍ଣୁସାର୍ ଙ୍କ ମୃତଦେହ କୁ ତାଙ୍କ ପୁଅ ପଛପଟୁ ଧରି ବସିଛି l ସାର୍ ଙ୍କ ମୁଣ୍ଡରେ ପଗଡିଟେ ବନ୍ଧାଯାଇଛି l ନିଶ୍ଚଳ, ନୀରବ ଦେହଟା ମଶାଣି ମଝିରେ କିଛି ଲୋକଙ୍କ ସାହାରାରେ ତଳକୁ ମୁଣ୍ଡ ଝୁଲେଇ ବସିରହିଛି l ଗୁଡ଼ାଏ କାଠ ଆସି ଜମା ହେଇରହିଲାଣି l ଭଲ ଶୁଖିଲା କାଠ l ଆଉ କିଛି ସମୟ ପରେ ସେହିକାଠ ସହ ବିଷ୍ଣୁସାର୍ ଙ୍କ ଦେହଟା ବି ହୁତ୍ ହୁତ୍ ହେଇ ଜଳି ପାଉଁଶ ହେଇଯିବ l ଦାଶିଆ ଦୂରରେ ଠିଆ ହେଇ ସାର୍ ଙ୍କୁ ଚାହିଁରହିଛି ଆଉ ଭାବୁଛି ସାର୍ ଙ୍କ ଦେହ ଆଉ ମୁଣ୍ଡର ଅନ୍ତ କଥା l " ସାର୍ ଙ୍କ ମୁଣ୍ଡଟା ବି କ'ଣ ଜଳି ପୋଡି ନଷ୍ଟ ହେଇଯିବ,ଯେମିତି ଅନ୍ୟମାନଙ୍କର ହୁଏ ? ମୋ ମୁଣ୍ଡ ବି କ'ଣ ଏମିତି ଦିନେ ଜଳିବ ? ନାଁ ନାଁ ମୁଁ ତ ପୋତା ହେବି l ଆମମାନଙ୍କ ଜାତିରେ ତ କେହି ମଲେ ପୋତା ହୁଅନ୍ତି l ତାହେଲେ କ'ଣ ଏତିକି ଫରକ୍ ମୋ ମୁଣ୍ଡ ଆଉ ବିଷ୍ଣୁସାର୍ ଙ୍କ ମୁଣ୍ଡ ଭିତରେ ? ନାଁ ସେମିତି କିଛି ଫରକ୍ ନାହିଁ ? ମଲାପରେ ସମସ୍ତଙ୍କ ମୁଣ୍ଡ ତ ସମାନ l ", ଦାଶିଆ ଏମିତି ମନେ ମନେ ଭାବୁଥିଲା ଭିତରେ ବିଷ୍ଣୁସାର୍ ଙ୍କୁ ଲୋକେ ଜୁଇକୁ ଉଠେଇ ନେଲେ l ଛୋଟ ଛୋଟ ଛୁଆ ଦୁଇଟା ଠିଆ ହେଇ ଶବ ସତ୍କାର ଦେଖୁଥିଲେ, ସେମାନଙ୍କ ବାପା ଆସି ପିଲାଦୁଇଟାଙ୍କୁ ସେଠୁ ଡ଼ାକିନେଲେ l ଶ୍ମଶାନ କଡ ରାସ୍ତାରେ ଦାଶିଆକୁ ପାର କରି ଗଲାବେଳେ ଲୋକଜଣଙ୍କ ତାଙ୍କ ପିଲାମାନଙ୍କୁ କହୁଥିଲେ,"ନାଁ ନାଁ ଆଉ ନୁହେଁ, ଏବେ ଘରକୁ ଚାଲ l ଜୁଇରେ ନିଆଁ ଲାଗିଲାଣି l ଏବେ ମୁଣ୍ଡଟା ନିଆଁରେ ଢ଼ୋ କରି ଫାଟିଯିବ l ତୁମେମାନେ ଛୋଟପିଲା, ଡରିଯିବ l ଚାଲ, ପଳେଇଚାଲ l "


  ମୁଣ୍ଡ ଫାଟିବା କଥା ଦାଶିଆ ଶୁଣିଲା l ଟ୍ରଲିଟା ସାଇଡ୍ କରି ପଛକୁ ଗଡେଇଲା l ସେ ଘର ମୁହାଁ ହେଲା ଆଉ ମନେ ମନେ କହିଲା, "ଏତେ ଓଜନଦାର୍ ମୁଣ୍ଡଟା ସହ ମୋର ସବୁ ସ୍ୱପ୍ନ ଫାଟିଯିବା ଆଗରୁ ମୁଁ ଘରକୁ ପଳେଇବା ହିଁ ଠିକ ହେବ " l


       


Rate this content
Log in