puspanjali das

Others

3  

puspanjali das

Others

ମଉଳା ଫୁଲ

ମଉଳା ଫୁଲ

5 mins
12.6K


     ଶାନ୍ତ୍ବନା ବେଡ଼ରୁମ କୁ ପସି ଆସୁ ଆସୁ ଫୋନ ଟି ତାର ବାଜିଉଠି ଥିଲା। ତର ତର ହୋଇ ଫୋନଟି ଉଠାଇନେଇ ସାମାନ୍ୟ ବିରକ୍ତ ହୋଇ କହିପକାଇଲା–ଆଲୋ ପାରୋ, ମୁଁ ଟିକେ ବ୍ୟସ୍ତ ଅଛି, ତତେ ପରେ ଫୋନ କରିବି। ଘରେ ଆଜି ପୂଜା ଅଛି,ଏପର୍ଯ୍ୟନ୍ତ ହେଇନି। ସନ୍ଧ୍ୟାରେ ତୋ ସାଙ୍ଗରେ କଥା ହେବି। ମାସଟିଏ କାମ ବନ୍ଦ କରୁ କରୁ କଣ ଭୁଲିଗଲୁ,ଭାଇ ର ଆଜି ଜନ୍ମଦିନ ବୋଲି! ଫୋନଟିକୁ ରଖିଦେବା କୁ ବସିଲାବେଳକୁ,ଆରପଟୁ ପାରୋ ର କଥା ଭାସି ଆସିଥିଲା-ନାଇଁ ମା,ମୋର ମନେ ଅଛି,ତମେ ଫୁଲତକ ପାଇଛ ତ? ଫୁଲ କଥା ଶୁଣି ଶାନ୍ତ୍ବନା ଟିକେ ରହିଯାଇଥିଲା, ଆଉ ପଚାରିଦେଇଥିଲା-ଆଲୋ,କୋଉ ଫୁଲ କଥା କହୁଛୁ? ସେଇ ଫୁଲ ପାଇଁ ପରା ମୋ ମୁଣ୍ଡ ଖରାପ ହେଲାଣି! ଲକଡାଉନ ଯୋଗୁଁ ଫୁଲ ଟିକେ ମିଳୁନି! ନନା କେତେ କଷ୍ଟରେ ରାଜି ହେଇକି ଆସିଛନ୍ତି, ଘର ପୁରୋହିତ ବୋଲି ମନା କରିପାରିଲେ ନି,ହେଲେ,ଫୁଲ ନାହିଁ ବୋଲି ରାଗୁଚ୍ଛନ୍ରି,ଆମେ କାହିଁକି ତାଙ୍କୁ ଆଗରୁ କହିଲୁନି ବୋଲି ଗର ଗର ହେଉଛନ୍ତି। କହିଥିଲେ ସିଏ ଅଳପ ହେଉ ପଛେ ,ନେଇ ଆସିଥାନ୍ତେ!ବାବୁ ଯାଇ ଆଖପାଖରେ ଖୋଜିକି ଆସିଛନ୍ତି, କୋଉଠି ହେଲେ ଫୁଲ ଗୋଟିଏ ମିଳିଲାନି। ବିନା ଫୁଲ ରେ ସତ୍ୟନାରାୟଣ ପୂଜା କେମିତି ହବ ଜାଣିପାରୁନି। ଏତକ ଶୁଣୁ ଶୁଣୁ ପାରୋ ଆରପଟୁ ସାଙ୍ଗେ ସାଙ୍ଗେ କହିପକାଇଲା–ମା,ମୁଁ ପରା ଓ୍ୟଚମ୍ୟାନ ମଉଷା ହାତରେ ସମାଜ କାଗଜ ରେ ଗୁଡେଇ ଫୁଲ ଅଳପ ତୁମ ଘରକୁ ପଠେଇଦେଇଥିଲି। ତା'କୁ କହିଥିଲି,କବାଟ ଯଦି ଖୋଲିବା ଡେରି ହେବ,ତୁମ କବାଟ ପାଖରେ ଯୋଉ ଝରକା ପଛପଟ ଠଣା ଟି ଅଛି,ସେଇଠି ଥୋଇଦେଇ ଆସିବାକୁ। କ୍ଷୀର ନେଲାବେଳକୁ ତ ତୁମ ଆଖି ସେଇ ଠଣା ଟି ପାଖକୁ ଚାଲିଯାଏ,ଯୋଉ ଦିନ ଠୁ ସେ ଜାଗାରୁ ଗଣେଶ ମହାପ୍ରଭୁ ଙ୍କ ମୂର୍ତ୍ତି ଟି ଉଠେଇଦେଇଥିଲେ,ମୁଁ ଦେଖିଛି,ସେଇଠୁ ତ ତୁମେ ନିଶ୍ଚୟ ପାଇଯିବ! ଆଜି କଣ କ୍ଷୀ ର ଦେଇନି କି ସେ ବୁଢା?

       ଶାନ୍ତ୍ୱ ନା କୁ ଯେମିତି ମାଡ ଖାଇଲା ଭଳିଆ ଲାଗିଯାଇଥିଲା। ସକାଳ ର କଥା ମନେପକାଇ ଵ୍ୟସ୍ତ ହୋଇ ଉଠିଥିଲା। କାର୍ଯ୍ୟ ବ୍ୟସ୍ତତା ରେ ସକାଳୁ କ୍ଷୀର ମଉଷା ପାଖରୁ କ୍ଷୀର ଆଣିବାକୁ ସନତ ଙ୍କୁ ବିରକ୍ତ ହୋଇ କହିଥିଲା,ଓ ନିଉଜ ଅଧା ଦେଖି ସେ ମଧ୍ୟ ବିରକ୍ତ ହୋଇ ଉଠିଯାଇଥିଲେ ଦାଣ୍ଡ କବାଟ ଖୋଲି କ୍ଷୀର ଆଣିବାକୁ। ସବୁଦିନ ପରି ସିଏ ଯଦି ଯାଇଥାନ୍ତା, ହୁଏତ ଫୁଲତକ ତା'ଆଖିରେ ପଡ଼ିଥାନ୍ତା! ଏକଥା ଭାବି ଭାବି ଭାରାକ୍ରାନ୍ତ ମନରେ କହିପକାଇଲା-ତୁ ମତେ ଆଗରୁ ଟିକେ କହିଲୁନି,ସେ ଫୁଲ କଅଣ ଏପର୍ଯ୍ୟନ୍ତ ସେଇଠି ଥିବ! ଥିଲେ ବି ଖରା ପଡି ପୁରା ମଉଳି ଯାଇଥିବ!ତୁ ରଖେ ଫୋନ ପାରୋ,ମୁଁ ଯାଇକି ଦେଖେ!ତର ତର ହୋଇ ଦାଣ୍ଡ କବାଟ ଫିଟାଇ ଝରକା ପଛପଟୁ ସମାଜ କାଗଜ ରେ ଗୁଡା ହୋଇଥିବା ଫୁଲ ତକ ପାଇ ଯାଇ ଶାନ୍ତ୍ବନା ଭିତରକୁ ଚାଲିଆସିଥିଲା। ନନା ଙ୍କ ପାଖରେ ଫୁଲତକ ଖୋଲି ରଖିଦେଇଥିଲା। ଅବଶ୍ୟ ସବୁଯାକ ଫୁଲ ମଉଳି ଯାଇଥିଲା, ହେଲେ ସଜ ଫୁଲ ହୋଇଥିବାରୁ ନନାଙ୍କର କାମ ଚଳି ଯିବ ବୋଲି ନନା କହିଦେଇ ପୂଜା ଆରମ୍ଭ କରିଦେଇଥିଲେ। ଆଉ ଶାନ୍ତ୍ବନା ଆସ୍ୱସ୍ତି ରେ ନିଶ୍ୱାସ ମାରି ,ପୂଜା ରେ ମନ ଦେଇଥିଲା।

        ଏକମାତ୍ର ପୁଅର ଜନ୍ମଦିନ ରେ ପ୍ରତିବର୍ଷ ସତ୍ୟନାରାୟଣ ପୂଜା ଟିକକ ,ପରିବାରର ପ୍ରଥା ରକ୍ଷା କରି କରିବାକୁ ପଡେ ସେମାନଙ୍କୁ,ହେଲେ ଏଥର ତ ସେ ପୂଜା ଟି ଯେମିତି ପରିବାର ର ସବୁଠାରୁ ବଡ଼ ଆବଶ୍ୟକତା ଥିଲା! ମାନସିକ ସ୍ତରରେ ସମସ୍ତେ ଦୁର୍ବଳ ହୋଇ ଠାକୁର ଙ୍କ ପାଖରେ ଯେମିତି ଶରଣ ପଶିବାକୁ ଚାହୁଁଥିଲେ!ପୁଅ ର ଡ଼ାକ୍ତରୀ ବୃତ୍ତି ଯେମିତି ସନତ ଓ ଶାନ୍ତ୍ବନା ଙ୍କୁ ଏକପ୍ରକାର ଜଡ କରିଦେଇଥିଲା! ନିଃସ୍ୱାର୍ଥପର ସେବା ମନୋବୃତ୍ତି ଥିବା ବାପ ମା ଙ୍କ ମନ ଭିତରେ ପ୍ରଥମ ଥର ପାଇଁ ହୁଏତ ସାମାନ୍ୟ ସ୍ୱାର୍ଥ କି ବାସ୍ଛଲ୍ୟ ମମତା ର ରଙ୍ଗ ଟା ଯେମିତି ବୋଳି ହୋଇ ଯାଇଥିଲା! ଠାକୁରଙ୍କ ପାଖରେ ସନ୍ତାନ ର ମଙ୍ଗଳ କାମନା କରି ପୂଜା କରିବା ଛଡା ଆଉ କିଛି ସେମାନଙ୍କ ମୁଣ୍ଡରେ ପସୁନ ଥିଲା!' କରୋନା ମହାମାରୀ'ର ଭୟ ସାଙ୍ଗକୁ ଏକମାତ୍ର ସନ୍ତାନ ର ବୃତ୍ତି ଗତ ତ୍ୟାଗ କୁ ଯେମିତି ସହଜ ରେ ଗ୍ରହଣ କରିପାରିନଥିଲେ ଦୁହେଁ!

          ପୂଜା ସରିଲାପରେ ନନା ଙ୍କୁ ଶାନ୍ତି ରେ ବିଦା କରୁ କରୁ ତାଙ୍କର ସେଇ ପଦୁୁଟିଏ କଥା–'ସଜଫୁଲ, ମଉଳି ଗଲେ ବି ପୂଜା ଯୋଗ୍ୟ',ଶାନ୍ତ୍ବନା ର ମନରେ ବାରମ୍ବାର ରେଖାପାତ କରିଚାଲିଥିଲା। ଭାବନା ର ଖିଅ ଟା ତା'ର ଲମ୍ବି ଯାଇଥିଲା ଠିକ ବର୍ଷ କ ତଳକୁ-ସେଦିନ ବି ତା'ପୁଅ ର ଜନ୍ମଦିନ ଥିଲା,ଆଉ ପୂଜା ପାଇଁ ସନତ ସାମାନ୍ୟ ଦେହ ଖରାପ ଲାଗିବାରୁ,ପଇସା ଦେଇ ପାରୋ କୁ ପଠାଇଦେଇଥିଲେ ଫୁଲ ଆଣିବାକୁ। ପାରୋ ବି ସେଦିନ ଖୁସି ଖୁସି ରେ ଫୁଲ ଆଣିବାକୁ ଚାଲିଯାଇଥିଲା,ହେଲେ ଫେରିବାର ସମୟ ଟା ଯେମିତି ତା'କୁ ବାଟବଣା କରିଦେଇଥିଲା!ସକାଳ ଆଠ ଟା ରୁ ଯାଇ ଦିନ ଗୋଟାଏ ବେଳେ ଫେରିଥିଲା, ହାତରେ ଥିଲା ତା'ର ମଉଳା ଫୁଲକେଇଟା ର ପୁଡ଼ିଆ ଟିଏ,ଆଉ ଆଖିରେ ଆଖିଏ ଲୁହ। କିଛି କହିବାକୁ ଯାଉଥିବା ବେଳେ,ସନତ ଏକପ୍ରକାର ଦଉଡି ଯାଇ ଫୁଲତକ ତା'ହାତରୁ ଟାଣି ଆଣି ଫୋପାଡି ଦେଇଥିଲେ, ଆଉ କିଛି ନ ଶୁଣି ବେଡ଼ରୁମ କୁ ରାଗ ତମ ତମ ହୋଇ ଚାଲିଯାଇଥିଲେ। କ୍ଷଣ କୋପି ସନତ ଙ୍କୁ ଶରୀର ର ଅସୁସ୍ଥତା ସାଙ୍ଗରେ ମନର ବି ଅସୁସ୍ଥତା ଯେମିତି ବ୍ୟତିବ୍ୟସ୍ତ କରିପକାଉଥିଲା,ପାରୋ ର ଆଖିର ଲୁହ ତାଙ୍କୁ କିଛି ଜଣାଇ ପାରିନଥିଲା!

       ଯଦିଓ ପରେ ଶାନ୍ତ୍ବନା ପାଖରୁ ସନତ ଶୁଣିବାକୁ ପାଇଥିଲେ ଯେ,ପାରୋ ଫୁଲ ନେଇକି ଫେରିବା ସମୟରେ ତା'ପୁଅ ର ଆକ୍ସିଡେଣ୍ଟ ଖବର ଶୁଣି ତା'ଘରକୁ ଦୌଡ଼ିକି ଚାଲିଯାଇଥିଲା ଓ ଲହୁଲୁହାଣ ପୁଅ କୁ ପାଖ ଡାକ୍ତରଖାନା କୁ ନେଇ ଆଶୁ ଚିକିତ୍ସା କରାଇ ,ପୁଅ କୁ ଘରେ ଛାଡ଼ି ଫୁଲତକ ଧରି ସେଦିନ ଫେରିଥିଲା।ହେଲେ ସେତେବେଳକୁ ସମୟ ଯେ କେତେ ହୋଇଯାଇଥିଲା ନା ତାର ମନରେ ଆସିଥିଲା ନା ଭାବିବାକୁ ସମୟ ଥିଲା।ସନତ ଙ୍କ ଆଣିଥିବା ଫୁଲ ରେ ଯଦିଓ ପୂଜା ସରିଯାଇଥିଲା,ହେଲେ ପାରୋ ର ସେଦିନ ର ମନର ଅବସ୍ଥା ସେସବୁ କିଛି ବୁଝିବାକୁ ଯେମିତି ସକ୍ଷମ ନ ଥିଲା।ମଉଳା ଫୁଲତକ ତଳେ ଗୋଟି ଗୋଟି ହୋଇ ପଡିରହି ଯେମିତି ତାକୁ ଖତେଇ ହେଉଥିଲେ।ଶାନ୍ତ୍ବନା କୁ ସବୁ କହିସାରି ସେଦିନ ପାରୋ ପୁରା କ୍ଲାନ୍ତ ହୋଇ ଫେରିଯାଇଥିଲା,ହେଲେ ସନତ ଙ୍କ ବାକ୍ୟ ଟି ଶାନ୍ତ୍ବନା ର କାନରେ ବାରମ୍ବାର ବାଜି ଯାଉଥିଲା-'ଏ ମଉଳା ଫୁଲ ରେ କଣ ପୂଜା ହୁଏ?'ତା'ପାଖରୁ ସବୁ ଶୁଣି ସାରିଲା ପରେ, ସନତ ଙ୍କ ର ଆତ୍ମଗ୍ଲାନି ଭରା ମୁହଁ ଟି ଯଦିଓ ଶାନ୍ତ୍ବନା କୁ ସେ ବିଷୟରେ ଅଧିକା କିଛି କହିବାକୁ ଦେଇନଥିଲା,ହେଲେ ପାରୋ ର ସେଇ କ୍ଲାନ୍ତ ଶ୍ରାନ୍ତ ମୁହଁ ଟିକୁ ବହୁଦିନ ପର୍ଯ୍ୟନ୍ତ ଭୁଲି ପାରିନଥିଲା!

          ସେ ଘଟଣା ପରେ ପରେ ଯଦିଓ ଶାନ୍ତ୍ବନା ର ପୂର୍ଣ୍ଣ ସହାନୁଭୂତି ପାରୋ ପ୍ରତି ରହିଥିଲା,ଓ ତାର ଦୁଃଖ ମର୍ମେ ମର୍ମେ ଅନୁଭବ କରିପାରିଥିଲା,ହେଲେ ଆଉ କେବେହେଲେ ତାକୁ ଫୁଲ ଆଣିବାକୁ କହିବା କୁ ସାହସ କରିନଥିଲା।ସେଦିନ କିନ୍ତୁ ଲାକଡାଉନ ଯୋଗୁଁ ପାରୋ ର କାମ ମାସେ କାଳ ବନ୍ଦ ହୋଇଥିବାରୁ,ତାର ଭଲ ମନ୍ଦ ପଚାରିବାକୁ ଫୋନ ରେ କଥାବାର୍ତ୍ତା ହେଉ ହେଉ ପୁଅ ର ଜନ୍ମଦିନ କଥା କହିପକାଇଥିଲା,ଓ ତା'ସାଙ୍ଗରେ ଫୁଲ ର ଅଭାବ ଟା ମଧ୍ୟ ତା'ପାଟି ରୁ ବାହାରି ଯାଇଥିଲା।ସେତିକି କଥା କୁ ପାରୋ ଯେ ଏମିତି ମନେରଖିକି,ଫୁଲ ପଠେଇଦେଵ,ଏକଥା ଭାବି ପାରିନଥିଲା!ସତେ କ'ଣ ପାରୋ ବରଷ କ ଯାକ ଅନେଇଥିଲା,ତା' ଋଣ ଶୁଝି ବାକୁ!ମନ ଭିତରେ ତା'ଅସହାୟତା ଟା ପସିଆସୁଥିଲା-ସତରେ ,କେତେ ଅସହାୟ ସେ ଅନୁଭଵ କରୁଥିଲା!ପୁଅ ର ଏଇ ଘଡିସନ୍ଧି ସମୟ ରେ ପୂଜା ଟିକିଏ ଭଲ ରେ କରିବାକୁ କେତେ ମନ କରି ଠାକୁର ଙ୍କୁ ଡାକିଥିଲା।ନନା ତାଙ୍କର ଘର ର ପୁରୋହିତ ହେଲେ ବି ଭାରି ରାଗି ପ୍ରକୃତିର ଥିଲେ,ଯଦିଓ ପୂଜପାଠ କରିବାରେ ଧୁରନ୍ଧର ,ଜ୍ଞାନି ଥିଲେ,ତାଙ୍କ ପୂଜା ରେ ଶାନ୍ତ୍ୱନା ଆତ୍ମତୃପ୍ତି ସବୁବେଳେ ଅନୁଭଵ କରେ,ହେଲେ, ତାଙ୍କ ପୂଜା ଉପକରଣ ରେ ଟିକିଏ ଏପଟ ସେପଟ ହେଲେ ନନା ଙ୍କର ରାଗ କୁ ମଧ୍ୟ ସହ୍ୟ କରିବାକୁ ପଡେ!ସେଥିପାଇଁ ସେଦିନ ଏକପ୍ରକାର ନିରୁପାୟ ହୋଇ ଯାଇଥିଲା ବେଳେ ପାରୋ ର ସେଇ ମଉ ଳା ଫୁଲ କେଇଟା ତା'ସବୁ ସମସ୍ୟା ର ସମାଧାନ କରିଦେଇ ,ଆତ୍ମତୃପ୍ତି ରେ ତାକୁ ଭରି ଦେଇଥିଲା!

        ନନା ଙ୍କୁ ବିଦା କରିଦେଇ ଶାନ୍ତ୍ବନା ଠାକୁର ଘରୁ ଶିରିଣି ଟିକେ ଗିନାରେ କାଢୁ କାଢୁ ପାରୋ କଥା ବାରମ୍ବାର ଭାବି ଚାଲିଥିଲା, ଆଉ ତା'ସାଙ୍ଗରେ ସେ ଭାବନା ଟା ମଧ୍ୟ ପସିଆସିଥିଲା ଯେ-'ସବୁ ସେଇ କଳା କହ୍ନେଇ ର ଲୀଳା!'ଆଖିରୁ ତା'ର ଗଡି ଆସିଥିଲା ଦୁଇଟୋପା ଲୁହ,ଆଉ ସେଇ ଲୁହ ଟୋପା କୁ ପୋଛୁ ପୋଛୁ ସନତ ଙ୍କ ହାତକୁ ଯେତେବେଳେ ବଢ଼ାଇ ଦେଇଥିଲା ଶିରିଣି ପୂର୍ଣ୍ଣ ଗିନା ଟି,ସେତେବେଳେ ତା'ଙ୍କ ମୁହଁରେ ଦେଖିପାରିଥିଲା,କୃତଜ୍ଞତା ଓ ଆତ୍ମତୃପ୍ତି ର ଫେଣ୍ଟାଫେଣ୍ଟି ରଙ୍ଗ ର ସ୍ପର୍ଶ!ସେଇ କଳା କହ୍ନେଇ କୁ ମନେ ମନେ ଧନ୍ୟବାଦ ଜଣାଉ ଜଣାଉ ,ସତେ ଯେମିତି ସେ କୃତଜ୍ଞତା ଓ ଶ୍ରଦ୍ଧା ସବୁ ପାରୋ ପାଖକୁ ଚାଲି ଯାଉଥିଲା!


Rate this content
Log in