Panchanan Jena

Others

3  

Panchanan Jena

Others

ମୁକ୍ତିଧାମ

ମୁକ୍ତିଧାମ

5 mins
370


ମହେଶ ପାହାଡସିଂହ ମୋର ଜଣେ ଅନ୍ତରଙ୍ଗ ସାଙ୍ଗ କହିଲେ ଚଳେ | ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗରେ କନିଷ୍ଠ କିରାଣୀ ଭାବରେ ବାଲେଶ୍ଵରରେ କାର୍ଯ୍ୟରତ | ମାତ୍ର ସେ ଜଣେ ଛୋଟକାଟିଆ ପ୍ରବଚନଦାତା ମନସ୍ତତ୍ଵବିତ ଅଥବା ସାଇକ୍ଳୋଜିଷ୍ଟ କହିଲେ ଚଳେ | ସବୁବେଳେ ଗୋଟିଏ କଥା ବାରମ୍ବାର ଦୋହରୁଥାଏ ---“ ଟେନସନ ଲେନେକା ନେହିଁ , ଦେନେକା “ | ଚିନ୍ତା ନେବାର ନୁହଁ , ଦେବାର | କେବେ କେବେ ବି କହୁଥାଏ – “ ଡୋଣ୍ଟ ଉରି, ବି ହ୍ୟାପି “| ବ୍ୟସ୍ତ ହୁଅନା , ଖୁସି ହୁଅ |

ଆମ ସାଙ୍ଗ ସାଥି ଗହଣରେ କାହାର କିଛି ମୁଣ୍ଡବ୍ୟଥା –ସମସ୍ୟା ଆସିଲେ , ଅମୃତାଞ୍ଜନ –ମେନ୍ଥୁପ୍ଳାସ –ଝଣ୍ଡୁବାମ ଭଳି ଉପଦେଶର ଡବା ଧରି ସବୁବେଳେ ହାଜର | ଆମ ଦଶ-ବାର ଜଣ ବାଲ୍ୟ-କୈଶୋର ସାଙ୍ଗ ପାଇଁ ତଥା ଆଖପାଖର ପାଖ-ପଡୋଶୀ ସାଇ-ପଡିଶାଙ୍କ ମୁଣ୍ଡବ୍ୟଥା ଚିନ୍ତା –ସମସ୍ୟା ଭଳି ମନୋବୈଜ୍ଞାନିକ ମାନସିକ ରୋଗର ଆଶୁ ଚିକିତ୍ସକ କହିଲେ ଆଦୌ ଭୁଲ ହେବନି |

ଘାଟ-ବାଟ-ହାଟ ଘର-ସହର-ନଗର ଗାଁ –ଗଳି-ସାହି .... ସବୁଠାରେ ପ୍ରେମରୋଗ ଲଭେରିଆ | ବାପା-ମା’-ଅଭିଭାବକ ମାନଙ୍କ ପାଇଁ ଏକ ମସ୍ତବଡ ମୁଣ୍ଡବ୍ୟଥାର କାରଣ ହୋଇ ଦଣ୍ଡାୟମାନ ହୋଇଛି ନ କହିଲେ ଭଲ | ଏଭଳି ଚିନ୍ତାଗ୍ରସ୍ତ ଓ ନତମସ୍ତକ ପ୍ୟାରେଣ୍ଟ ମାନଙ୍କ ପାଇଁ ମହେଶ ବାବାଙ୍କ ନୀତି –“ ଜୀବନ ଏମିତି | ତୁମେ ତ ଜନ୍ମ ଦେଇଛ, ତେଣୁ ଶିକ୍ଷାଦେବ, ପାଳିବ --- ପୋଷିବ; ମାତ୍ର ଚରିତ୍ର ତ ବନେଇ ପାରିବନି | ତା’କୁ ତାଙ୍କ ଭବିଷ୍ୟତ ଗଢିବାକୁ ଦିଅ .... ସୁନେଲି ହେବ ବା ଅନ୍ଧାର ହେବ ଆମେ କହିବାକୁ କି’ଏ ?” ଜଣେ ପ୍ରବୀଣ ନିପୁଣ ମନତତ୍ତ୍ଵବିତ ପରି କହୁଥିବ ଏବଂ ଲାଗୁଥିବ |

କୌଣସି ସାଙ୍ଗର ଇନକମ ଟେକ୍ସ ଜଡିତ ସମସ୍ୟା କଥା ଜାଣିଲେ --- ସଙ୍ଗେ ସଙ୍ଗେ ତଡିତ ବେଗରେ ସମାଧାନର ପେଡି ବାହାରିପଡିବ | “ ବ୍ୟସ୍ତ ହୁଅନା ସାଙ୍ଗ ... ଯାଅ , କମିଶନର ସାରଙ୍କୁ ଦେଖା କର ..... ଇଣ୍ଟେର୍ ନେଟରୁ ଇନ୍କମଟେକ୍ସଇଣ୍ଡିଆ.ଗଭ .ଇନରୁ ଠିକଣା ଦେଖିନିଅ..... କୌଣସି ନା କୌଣସି ପଥ-ପନ୍ଥା ବାହାରି ଆସିବ | ଡୋଣ୍ଟ ଉରି, ବି ହ୍ୟାପି | ବ୍ୟସ୍ତ ହୁଅନା , ଖୁସି ହୁଅ |”

ବାବାଙ୍କ ମୁଖରୁ ବାହାରୁଥିବା ତେଜୋଦୀପ୍ତ ବଚନାମୃତ ପରି ଲାଗେ | କଥା କହିବାର ବଚନପଟୁତା ତ ମହେଶ ବାବୁଙ୍କ ଠାରୁ ହିଁ କେହି ଶିଖିବା ଦରକାର | ମିଠା ମିଠା ଚିନି ଫେଣ୍ଟା ଶବ୍ଦ ପେନ୍ଥାକୁ ଏମିତି ଗୁଣ୍ଡିକରି ସୁଆଦିଆ ସୁନ୍ଦରିଆ ମନମତାଣିଆଭାବରେ କହିଦେଉଥାଏ | ମୋତେ ବାରଂବାର ଆଚମ୍ବିତ ଚକିତ ହେବାକୁ ବାଧ୍ୟ କରେ | ଛୋଟକାଟିଆ କ୍ଲିନିକ ଟିଏ ଖୋଲିବାକୁ ଅଧମ ଅକିଞ୍ଚନ ମୁଁ ବି କେତେଥର ଅନୁରୋଧ କରିସାରିଲିଣି |

ଜମି-ଜମା କିଣା-ବିକାର କାଗଜ ଦଲିଲ ଇତ୍ୟାଦି ମିଳିପାରୁନଥିଲେ ପୁଣି ଅନ୍ୟ ଏକ ବିଧାନ ----

“ ନ ହୁଅ କାତର , ନ ହୁଅ ଅଧୀର

ଯାଅ ଭାଇ ! ଅଫିସର ଦ୍ଵାର

ଭେଟିଆସ ସବ-ରେଜିଷ୍ଟର ଅବା ତହସିଲଦାର |”

ମାଳିକାର ଢଗ-ଢମାଳି ଭଳି , ଚାଳିଶାର ଚଉପଦୀ ପରି , ଅଚ୍ୟୁତାନନ୍ଦ ବଚନାମୃତର ଯେମିତି ଅନ୍ୟ ଏକ ସଂକରଣ | ଏମିତି ଜଣେ ସାଙ୍ଗ ଅଛି ବୋଲି ଗର୍ବ ଲାଗେ , ଉଜନିଆ ଲାଗେ , ଭାରି ଲାଗେ |ମନକୁ ମତୁଆଲା ଖିଆଲ ବେଳେ ବେଳେ ପଶିଆସେ |

ଫେବୃୟାରୀ-ମାର୍ଚ ମାସରେ ସବୁଠାରୁ ଗହଳି ଲାଗେ ମହେଶର ଘରେ କାରଣ ପରୀକ୍ଷା ମାସ | କ୍ଳାସ ଟେନ ଏବଂ କ୍ଳାସ ଟୁଏଲଭର ବୋର୍ଡ ଏକଜାମ ଋତୁ | ଅଭିଭାବକ ମନରେ ଛନକା, ମା’ –ବାପାଙ୍କ ଆଖିରେ ନିଦ ଉଡିଯାଉଛି | ସମସ୍ୟାର ଲମ୍ବା ଚିଠା ଧରି ହାଜର | ପାଠ ଆଦୌ ମନେ ରହୁନି, ନିଦୁଆ ନିଦୁଆ ଲାଗୁଛି | ଆଜିକା ପାଠ କାଲିକି ନାହିଁ | ଆଜି ପଢିଥିବା ପାଠ କାଲିକି ପୁଣି ନୂଆ ଲାଗୁଛି | ପୋଜିସନ ରଖୁଥିଲା , ଏକରୁ ପାଞ୍ଚ ରେଙ୍କ ଆସୁଥିଲା | ଏବେ କିନ୍ତୁ ଫେଲ ହେବାକୁ ବସିଲାଣି | ନାହିଁ ନ ଥିବା ସମସ୍ୟା ଘେରରେ ଛନ୍ଦି ହୋଇ ବନ୍ଦୀ ହୋଇ ଅଭିଭାବକମାନେ ଧାଇଁ ଆସନ୍ତି, ଛୁଟିଚାଳନ୍ତି ସେହି ବାଲେଶ୍ଵର ସହରର ଆଜିମାବାଦର ଗଳିରେ ଥିବା ମହେଶ ବାବୁଙ୍କ ଘର ଆଡକୁ | ତିନି ଆର ଫରମୂଲା --- ରିଡ-ରିକଲ- ରିରାଇଟ | ଟିଭି ସିରିଏଲ ବନ୍ଦ ଥାଉ | ଭଜନ ଜଣାଣ ସକାଳ ସଞ୍ଜରେ ଆରମ୍ଭ ହେଉ |

ବିନା ପଇସାରେ ମାଗଣାରେ ମୁଠାଏ ହସରେ କଠାଏ କଥାରେ ଧର୍ଯ୍ୟ-ବିନୟ ମୁଦ୍ରାରେ କହୁଥାଏ | ଖୁସି-ଖୁସି ସମସ୍ତେ ଫେରୁଥିବାର କଳରୋଳରୁ ମୋତେ ବେଳେ ବେଳେ ରାଗଲାଗେ .....|

ଫ୍ରି ଉପଦେଶ ନେବାକୁ ଚାଲିଆସିଲେ କୃତ୍ରିମ ହସ ଫୁଟେଇ ଆଉ ଦାନ୍ତ ଦେଖେଇ | ଶୁଣୁଛୁ ମହେଶ ! ୫୦ ଟଙ୍କା ମୁଣ୍ଡ ପିଛା କରିଦେ | ରବିବାର କିମ୍ବା ଛୁଟି ଦିନରେ ୧୦୦ ଟଙ୍କା ଜଣକରି ବୋର୍ଡ ଲଗେଇ ଦେ | ଯେତେ ବେଳେ ଦେଖ, ଦଶ-ବାର ହଳ ଚପଲ ଥୋଆ..... ପଇସା ଲାଗିଲେ ଦଳ-ଦଳ ସବୁ ଛତ୍ର ଭଙ୍ଗ ଦେବେ ବଳେ ବଳେ |

ଦିନେ ରେନବୋ ରେଷ୍ଟରାଣ୍ଟରେ ବସି ଚିକେନ ପକୋଡା ସହିତ କଫିର ମଜା ନେଉଥିବା ବେଳେ ମହେଶର ମୋବାଇଲ ବାଜି ଉଠିଲା ---- “ ମୁଠେ ପଖାଳରେ ନାହିଁ ମୋ ଲୋଭ .... ମାଧବ ହେ ମାଧବ ....”|

ହସ ମୁଖିଆ ମହେଶର ମୁହଁଟା ବିକଳିଆ ପାଊଁଶିଆ ଧୂମାଳିଆ ଲାଗିଲା | ସମସ୍ତେ ଏକ ସାଙ୍ଗରେ ପଚାରି ବସିଲେ ..... ଭାଉଜଙ୍କର କଲ ଥିଲାକି ?

“ ହଁ ଭାଇମାନେ .... ସହଧର୍ମିଣୀଙ୍କ ଆରଜେଣ୍ଟ କଲ , କିଚେନରେ ପାଣି ଆସୁନି..... ଶୀଘ୍ର ଯିବାକୁ ହେବ |

କଥାରେ ସାପକୁ ଗଦ ଶୁଙ୍ଘିଦେଲା ପରି ଡ଼ରାହୁଆ – ସହମାହୁଆ ମହେଶ | କୁଆଡେ ଗଲା ତା’ର ବଚନ ପେଡି ପୁଟୁଳା |

“ ଆମେ ତ ଜଷ୍ଟ ଆସିଲେ | ଦେଲୁ ଦେଲୁ ...ମୁଁ ଭାଉଜଙ୍କ ସହିତ ଟିକେ କଥା ହେଇଯାଏ .....ଦେଲୁ .....ମୁଁ ଭାଉଜଙ୍କୁ କହିଦେଉଛି ॥ଆମେ ଟିକେ ଡେରିରେ ଯିବା “ | ସାହିରୁଲ ରୋକଠୋକ କହି ଉଠିଲା |

“ ପାଗଳ ହେଲୁକି ...ରାତିରେ ନୋ ଏଣ୍ଟ୍ରି .....ବାହାତ ହୋଇନୁ ...ତୁ ବା ଜାଣିବୁ କେମିତି ପରିବାର ର ଭିତରିଆ ଅର୍ଥ |”

ମହେଶର ଏମିତି ଡରୁଆ ତରବରିଆ ହରବରିଆ ଆଖାଡୁଆ ଚେହେରା ମୋ ପାଇଁ ପୁରା ନୂଆ | କୁଆଡେ ଗଲା ସେ ସିଂହ ସୁଠାମ ଠାଣି | କୁଆଡେ ଗଲା ସେ ଆପଣେଇ ନେବାର କଥା ଚାତୁରୀ ଶବ୍ଦ ସଂଭାର | ବୁଝି ପାରୁନଥିଲି ଜମା ....| ଏକ ବିରାଟ ପ୍ରଶ୍ନବାଚି କୁହେଳିକା ପରି ଲାଗୁଥିଲା |

ଅନ୍ୟ ଏକ ଦିନେ ମହେଶକୁ ପୁରା ଚିନ୍ତାଗ୍ରସ୍ତ ଭାବରେ ଦେଖିଲି | ବିଶ୍ଵାସ ହେଲାନି | କଥା କ’ଣ କି ? ମୋବାଇଲ ଟା କେଉଁଠି ଗୁମ ହୋଇଯାଇଛି ବା କି’ଏ ଚୋରାଇ ନେଇଛି | ମନେ ପଡୁନି ସଠିକ | ସବୁଠାରୁ ଦୁଃଖର କଥା ହେଲା .....ହଜାରେରୁ ଅଧିକ କଣ୍ଟାକ୍ଟ ନମ୍ବର ଥିଲା ସବୁ ଚାଲିଗଲା | ନୂଆ ସେଟ ଟେ ମିଳିବ ମାତ୍ର ଯୋଗସୂତ୍ର ପାଇଁ ସେଲ ନମ୍ବର କେଉଁଠୁ ମିଳିବ ?

ଆମେ ସବୁ ମିଳି ମିଶି ତା’ର ନୂଆ ସେଟରେ କିଛି କିଛି ନମ୍ବର ଏଣ୍ଟ୍ରି କଲୁ | ମାତ୍ର ମହେଶକୁ ମୋବାଇଲ ହଜିବାର ଅନୁଛିନ୍ତା ଏତେ ଜୋରରେ ବ୍ୟଥିତ କରୁଥିଲା ଯେ ଝାଳର ଟୋପା ବେଳେ ବେଳେ ଉଙ୍କିମାରୁଥିଲା କପାଳର ସିଂହଦ୍ଵାରରେ.....|

ଗତ କାଲି ମହେଶ ପାଇଁ ଆଉ ଗୋଟେ ଝଟକା | ତା’ର ବାଲେଶ୍ଵରରୁ କୋଣାର୍କ ବଦଳି ହୋଇଯାଇଛି | ଦୀର୍ଘ ୧୨ ବର୍ଷ ବାଲେଶ୍ଵର ଆଜିମାବାଦ ମତ୍ସ୍ୟ ବିଭାଗ ଅଫିସରେ କାମ କରୁ କରୁ ବାଲେଶ୍ଵରର ଅଳିକନ୍ଦି ପୁରା ନିଜର ନିଜର ହୋଇଯାଇଥିଲା | ହଠାତ ୩୦୦ କି.ମି.ଦୂର ଯିବାକୁ ପଡିବ !

“କୋଣାର୍କ ତ ଭଲ ଜାଗା | ସମୁଦ୍ର ପାଖ , ବେଳାଭୂମି ପାଖ , ମାଛ ଶୁଖୁଆ ଶାଗ ଶସ୍ତାରେ ମିଳୁଥିବ | ପୁଣି ବିଶ୍ଵ ପର୍ଯ୍ୟଟନ ସ୍ଥଳ | ନିତି ମାଳ ମାଳ ତନୁପାତଳୀ ଗୋରୀ ନୟନ ସୁଖ ପାଇଁ ତ ମିଳିବେ , ନିତି ସାନ୍ଧ୍ୟ ଭ୍ରମଣ ଆଳରେ ବିଦେଶୀ ବସ୍ତ୍ରା ପରିହିତା ବିଦେଶିନୀ ମାନଙ୍କୁ ଦେଖି ଜୀବନକୁ ରଙ୍ଗୀନ ମତୁଆଲାରେ ଝୁମୀ ହେବ | ଜ୍ୟୋତ୍ସ୍ନା ବିଧଉତ ରଜନୀରେ ଚନ୍ଦ୍ରଭାଗାର ଚିକମିକ ହୀରା ନୀଳାରେ ଝିଲ୍ ମିଲ ଜଳରାଶିକୁ ଦେଖି ଅଫିସର ଘଣ୍ଟା ଘଣ୍ଟା ପରିଶ୍ରମକୁ ତ ଭୁଲି ହେବ | କୋଣାର୍କ ସୂର୍ଯ୍ୟ ମନ୍ଦିର ଗାତ୍ରରେ କାମଶାସ୍ତ୍ରର ନିଖୁଣ ତଥା ନିପୁଣ ଅଭିନୟକୁ ତ ଖୋଜିପାରିବୁ | ପରିବାର ବୃଦ୍ଧି ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ |” ମହେଶକୁ ବୁଝେଇବା ଆଳରେ କହିପକେଇଲି |

ଛୋଟ ଛୁଆ ଭଳି କଇଁ କଇଁ ହୋଇଗଲା ମହେଶ | ନୟନ ଯୁଗଳ ଲୋତକରେ ଭରିଗଲେ ଯେମିତି କୂଳ ଲଙ୍ଘିବାକୁ ସଜବାଜ |

ମୋତେ କେହି ଜଣେ ଧୀରେ ଧୀରେ କହୁଥିଲା, “ ପରକୁ ଉପଦେଶ ଦେବା କେତେ ସହଜ-ସରଳ-ସାବଲୀଳ ;ମାତ୍ର ନିଜକୁ ବୁଝେଇବା , ନିଜ ସମସ୍ୟାର ଚକ୍ରବ୍ୟୁହକୁ ଭେଦ କରିବା ଅତ୍ୟନ୍ତ କଠିନ- କୋଷ୍ଠ-କାଠିନ୍ୟ | ନାପିତ ଅନ୍ୟ ନାପିତ ଠାରୁ କ୍ଷର ହେବା ପରି , ବିମାରିଆ ଡାକ୍ତର ଅନ୍ୟଠୁ ଔଷଧ ଆଣିବାପରି , ପରାମର୍ଶଦାତା ପ୍ରବଚନକାର ମାନସ୍ତ୍ତତ୍ଵବିତ ଜ୍ୟୋତିଷ ଗଣକ ହସ୍ତରେଖାବିଶାରଦ ସବୁ ପର ପାଇଁ କେବଳ , ନିଜ ପାଇଁ ପରାସ୍ତ ସୈନିକ | ନିଜ ସମସ୍ୟା ପାଇଁ ବେଳୁହିଁ ଛତ୍ରଭଙ୍ଗ | ତେଣୁ କଥାରେ କହନ୍ତି , ଗୁରବେ ବଦନ୍ତୀ , ସମସ୍ତେ ଶୁଣନ୍ତି ----

ମନରେ ଆସିଲେ ଚିନ୍ତା , ଧାଆଁ ନାହିଁ

ମୁଣ୍ଡରେ ହେଲେ ବ୍ୟଥା , ଭାଙ୍ଗ ନାହିଁ

ସମସ୍ୟା ଘେରିଲେ ଜାଲ , ଶୋଚନା ନାହିଁ

    କିନ୍ତୁ ପରନୁ ଶୁଣନ୍ତୁ

ମନ କିଆରୀରେ କରିବାକୁ ହେବ ଚାଷ

ରୋପିବା ତାଡିବା

ମଞ୍ଜି ପକେଇବା

ଦୃଢ ଇଚ୍ଛାଶକ୍ତିର ଆସ

ଫସଲ ହେବ ସୁଜଳାମ ସୁଫଳାମ

ମନ ହେବ ମଳୟଜ ଶୀତଳାମ

ଚିନ୍ତା ଜୀବ ସ୍ଵର୍ଗଧାମ ମୁକ୍ତିଧାମ ||       



Rate this content
Log in