Sambit Srikumar

Children Stories Classics Inspirational

4.5  

Sambit Srikumar

Children Stories Classics Inspirational

ମସଲା

ମସଲା

2 mins
163



ଆଦ୍ୟ କୈଶୋରରେ ଯେବେ ମୁଁ ନୂଆ କରି ଲେଖାଲେଖି ଆରମ୍ଭ କଲି ଏକ ଦିବ୍ୟ ଆନନ୍ଦ ଅନୁଭବ କରୁଥିଲି ଲୋଖାଟିଏ ସଂପୂର୍ଣ୍ଣ ହେଲା ପରେ। ବାଟରେ ଘାଟରେ ଯିବା ଆସିବା ବେଳେ ଅନେକ ଅନାବନା କଥାକୁ ଦେଖିବା ମାତ୍ରେ ମନ ମସ୍ତିଷ୍କରେ ଏକ ଅଜବ ଆନ୍ଦୋଳନ ଉଦବେଳନ ସୃଷ୍ଟି ହେଉଥିଲା। କେମିତି ଘରେ ପହଞ୍ଚି ଦୁଇଧାଡ଼ି ଲେଖି ଦେବି ସେଇ ଚିନ୍ତାରେ ଆବିଷ୍ଟ ହେଉଥିଲା ମନ।

ଲେଖିବା ପାଇଁ ମନରେ କିଛି ଆସିଲେ, ରାତି ରାତି ଧରି ନିଦ ହେଉ ନଥିଲା। ଏମିତି କେତେ ରାତି ଯେ ମୁଁ ଅନିଦ୍ରାରେ କଟିଛି ତାର ହିସାବ ହିଁ ନାହିଁ। ଭୋକ ଶୋଷ ସବୁ ଭୁଲି ଯାଉଥିଲି ମୁଁ। ବାହାର ଦୁନିଆରେ କଣ ସବୁ ଘଟୁଛି କିଛି ବି ନିଘା ରହୁ ନଥିଲା। କେବଳ ଲେଖିବାର ସଚ୍ଚୋଟ ନିଶା ଘାରି ରହିଥିଲା। ପ୍ରଥମେ ରଫ୍ କାଗଜରେ ଲେଖାଲେଖି ହେଉଥିଲା, ପରେ ବନାନ ବ୍ଯାକରଣ ସଂଶୋଧିତ ହୋଇ ମୋଟା ବାଇଡିଂ ଖାତା କିମ୍ବା ଡାଏରୀରେ ଗୋଲ ଗୋଲ ଅକ୍ଷରରେ ନିର୍ଭୁଲ୍ ଭାବେ ଟିପା ଯାଉଥିଲା। ଭାବ ବିହ୍ୱଳିତ ହୋଇଯାଏ ଅନ୍ତରାତ୍ମା ପୁନଃ ପୁନଃ ଲେଖାଟିକୁ ପଢିବା ବେଳେ। ନିଆରା ନୈସର୍ଗିକ ଅନୁଭୂତି ସେସବୁ!

ସେତେବେଳେ ଆମ ପଡିଶାରେ ରହୁଥିଲେ ଜଣେ ପ୍ରତିଷ୍ଠାବାନ ଯୁବ କଥାକାର ଶୁଭେନ୍ଦୁ ଦାସ। ମୋର ଅତି ଆଦରର ଶୁଭ ଭାଇ! ବେଶ୍ ନାଁ କମେଇ ଥିଲେ ସେ ବହୁତ୍ କମ୍ ବୟସରେ। ଜୀବନର ନିଛକ ଚିତ୍ର ଆଙ୍କି ପାରୁଥିଲେ ସେ କାଗଜର ଧବଳ ପୃଷ୍ଠାରେ। ରାଶି ରାଶି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଉଥିଲା ତାଙ୍କୁ ପ୍ରତ୍ୟେକଟି ସଭା ସମିତି ମେଳା ମହୋତ୍ସବ ମାନଙ୍କରେ। ବେଶ୍ ମାର୍ମିକ ସାରଗର୍ଭକ ଲେଖାମାନ ଲେଖୁଥିଲେ ସେ। ନିୟମିତ ଭାବେ ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଥିଲା ତାଙ୍କର ଲେଖନୀ। ସ୍ବତନ୍ତ୍ର ଭାବେ କେତେ ଖଣ୍ଡ ବହି ମଧ୍ଯ ତାଙ୍କର ପ୍ରକାଶିତ ହୋଇଥିଲା।

ତାଙ୍କ ପାଖକୁ ଆମେ ସବୁ କଲୋନୀର ପିଲାମାନେ ବରାବର ଯାଉଥିଲୁ। ସେ ବି ଆମମାନଙ୍କୁ ବହୁତ ସ୍ନେହ ଶ୍ରଦ୍ଧା କରୁଥିଲେ। ଛୋଟ ବଡ଼ର ବିଚାର ତାଙ୍କ ମନରେ ଆଦୌ ନଥିଲା। ଆମମାନଙ୍କ ସହ ବହୁତ ଖୁସି ମଜ୍ଜା କରନ୍ତି ସେ। ଲେଖାଲେଖି କରିବା ପାଇଁ ନୂଆ ନୂଆ ବିଷୟ ଦିଅନ୍ତି ଆମ୍ଭମାନଙ୍କୁ। ଆମେ ଯାହା ମନକୁ ଆସିଲା ତାହା ଲେଖି ତାଙ୍କୁ ଦେଖାଉ। ସେ ଖୁବ୍ ଆନନ୍ଦିତ ହୋଇ ସେସବୁକୁ ଆଗ୍ରହର ସହିତ ପଢନ୍ତି ଆଉ ସଂଶୋଧନ କରି ଦିଅନ୍ତି ଆବଶ୍ୟକ ମୁତାବକ। ଆମ୍ଭମାନଙ୍କ ପାଇଁ ସେ ଥିଲେ ଆଗ୍ନେୟ ପ୍ରେରଣାର ଉତ୍ସ କହିଲେ ଅତ୍ୟୁକ୍ତି ହେବନାହିଁ।

ଆମ ସ୍କୁଲ ମାଗାଜିନ୍ ରେ ମୋର ଗୋଟିଏ ଛୋଟିଆ ଗପଟିଏ ପ୍ରକାଶିତ ହୋଇଥିଲା ପ୍ରଥମ ଥର ପାଇଁ। ଶୁଭ ଭାଇଙ୍କୁ ତାହା ଦେଖାଇବାକୁ ଦିନେ ସଂଧ୍ୟାରେ ତାଙ୍କ ପାଖକୁ ଗଲି। ଲେଖାଟିକୁ ବହୁତ ସମୟ ଧରି ସେ ପଢ଼ିଲେ। ବାରମ୍ବାର ପଢୁଥିଲେ ମୋ ଲେଖାଟିକୁ। ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଥିଲା। କିଛି ସମୟ ପରେ ଦୀର୍ଘ ଶ୍ବାସ ତ୍ଯାଗ କରି ଶୁଭ ଭାଇ କହିଲେ, "ଶ୍ରୀମାନ୍! ତୋ ଲେଖା ବାବଦରେ ମୁଁ କିଛି ବି କହିବିନି, ତୋର ଶୈଳୀ ଓ ଚିନ୍ତାଧାରା ସ୍ବତନ୍ତ୍ର ଏବଂ ଭିନ୍ନ ଅନ୍ୟମାନଙ୍କ ଠାରୁ। ଗତାନୁଗତିକତାର ବିପରୀତ ଧାରାରେ ତୋର ଚିନ୍ତା ଓ ଚେତନା। କିନ୍ତୁ ଗୋଟେ ମନ୍ତ୍ର ଦେବାକୁ ଚାହିଁବି। ସାରସ୍ବତ ସଫଳତାର ମନ୍ତ୍ର!"

ମୁଁ କୌତୁହଳୀ ହୋଇ ପଡିଲି ଆଉ ପଚାରିଲି, "ଭାଇ! କଣ ସେ ଗୁରୁ ମନ୍ତ୍ର?"

ICC Rules... Imagination, Creativity and Commercialisation... ସୁବିସ୍ତୃତ ଭାବେ ବର୍ଣ୍ଣନା କଲେ ଶୁଭ ଭାଇ। ମୁଁ ଶେଷ ଶବ୍ଦର ଅର୍ଥ ବୁଝି ପାରିଲି ନାହିଁ। ମୋର ଜିଜ୍ଞାସାର ଉତ୍ତରରେ ସେ କହିଥିଲେ,"କିଛି ମସଲା ମିଶା ଲେଖାରେ।"

ମୁଁ ପଚାରିଲି "କି ମସଲା? କେଉଁଠୁ ଆଣିବି ଏ ମସଲା? କେମିତି ମିଶାଇବି ଲେଖାରେ ଏଇ ମସଲା?"

ମୋ ଅବୋଧ ମନର ଏପରି ଅବାନ୍ତର ପ୍ରଶ୍ନରେ ସେ ବିରକ୍ତ ହୋଇ କହିଲେ, "ଯା' ସମୟ ଆସିଲେ ବଳେ ବୁଝିଯିବୁ..."

ସେ ଆଜି ନାହାନ୍ତି ଇହଧାମରେ। ମୁଁ ମସଲା ଖୋଜୁଛି କେରଳରୁ ହିମାଚଳ ଅବିରତ। ହେଲେ ଏଯାଏଁ ପାଇନି। ଯାହା କିଛି ବି ପାଇଛି ସମ୍ଭ୍ରମବୋଧର ଚାଦର ତଳେ ଢାଙ୍କି ରଖି ସାରସ୍ଵତ ସାଧନା କରୁଛି। ସେଥିପାଇଁ ବୋଧେ ମୁଁ ଆଜି ଅସଫଳ...



Rate this content
Log in