ମଶାଣୀ ଖର୍ଚ୍ଚ
ମଶାଣୀ ଖର୍ଚ୍ଚ


ପ୍ରଚଣ୍ଡ ରୁଦ୍ରତାତି ,ସାଙ୍ଗକୁ ଏ କାଳବୈଶାଖି ପବନ । ଯେତେ ଓଦା କନା ଢାଙ୍କି,ଛତା ନେଇ ଘରୁ ବାହାରିଲେ ବି ଦେହମୁଣ୍ଡ କ'ଣ ହେଇ ଯାଉଛି, ଆଖିକୁ ବି ଅନ୍ଧାରୁଆ ଦିଶୁଛି । ହେଲେ ଏ ବୁଢ଼ାକୁ ଦେଖ ! କେବେ ତଲବଣ୍ଢି ସର୍କଲର ବହିଦୋକାନ ପାଖରେ ତ କେବେ କୋଚିଂ ସେଣ୍ଟର ବାହାରେ .....। ମେଂଚାଏ ଆଡ଼ଭେଟାଏଜ୍ ମେଣ୍ଟ ର କାଗଜ ନେଇ ନିର୍ଜୀବ ଖମ୍ବ ଟିଏ ପରି ଛିଡାହୋଇ ବାଣ୍ଟୁଛି ।
ବୟସ ସତୁରି ଉପରେ । ଆୟୁଷର ଶେଷ ସୀମାରେ..........। ତଥାପି ଥୁଣ୍ଟା ଗଛଟି ଯେମିତି ଡି'ଚାରିଟା ଶୁଖିଲା ପତ୍ର ନେଇ
ରାସ୍ତାକଡରେ ଛିଡା ହୋଇଥାଏ,ଠିକ ସେଭଳି ଦି'ଚାରିଟା କାଗଜ ନେଇ ରାସ୍ତା କଡ଼ରେ । ବୈଶାଖି ପବନରେ ସୁଖ। ପତ୍ର ଉଡିଲା ପରି କାଗଜ ଖଣ୍ଡ ଗୁଡିକୁ ଅନ୍ୟ ହାତକୁ ବଢ଼ାଉ ନ ବଢ଼ାଉଣୁ ଗ୍ରୀଷ୍ମର ଝାଞ୍ଜି ରେ ତା' ହାତରୁ ଖସି ପଡୁଛି । ନା ମୁଣ୍ଡରେ ଓଦା ଗାମୁଛା ନା' ହାତ ରେ ଛତା । ବେଳେବେଳେ ଖୁବ୍ ଦୟା ଲାଗେ ଆଉ ବେଳେ ବେଳେ ଖୁବ୍ ବିରକ୍ତି ଲାଗେ । ସେଦିନର ପ୍ରବଳ ଗରମ । କୋଚିଂ ସେଣ୍ଟର ରୁ ବାହାରି ପାଖରେ ଥିବା ଜୁସ୍ ସେଣ୍ଟର ରେ ପଶିଲି । ଆରେ ଇଏ ତ ସେଇ ବୁଢ଼ା 'ଟି । ଜୁସ୍ ପିଉଛି । ୟେ 'କଣ ଦେଖିଲେ ତ ଲାଗୁନି ୟା'ର କିଛି ଅଭାବ ଥିବ । କଂଜୁସ୍ କଉଠିକାର....। ଲୋଭ ଯାଉନି ମ....। ଦି'ପଇସା ଅଧିକ ରୋଜଗାର ଆଶାରେ ରଡ଼ି ଖରାଟା ରେ ବି ମରୁଛି । ଦିନେ ତ ଏୟାକୁ ବ୍ୟାଙ୍କ ରେ ଦେଖିଥିଲି, ଟଙ୍କା ଡ଼ିପୋଜିଟ୍ କରୁଥିଲା ।
ହଁ' ମଲାବେଳକୁ ନେଇ କି ଯିବ ଟି'........। ତା'ପରେ ଯେବେ ବି ବୁଢ଼ା ଟିକୁ ଦେଖେ ଖୁବ୍ ଚିଡ଼୍ଚଚିଡ଼୍ ଲାଗେ । ତଲବଣ୍ଢିର ଲକି ଜଳଖିଆ ଦୋକାନ । ' ଭେୟା ଏକ ଦୋଷା ପ୍ୟାକ୍ କର୍ଦେନା ', ନେହିଁ ହୋଗା ମେମ୍ କ୍ରିୟା- କର୍ମ ମେ ଜାନା ହେ,
କହି ତରତର ହୋଇ ଦୋକାନ ବନ୍ଦ କରୁଥାଏ । ମୁଁ ପଚାରିଲି କିସକା କ୍ରିୟା କରମ ....? ଏହାଁ ପେ ଜୋ ବୁଢ଼ା ଖଡା ରେହେତା,
ଉସକା -ଜମାପୁଞ୍ଜି କ୍ରିୟା କରମ କେ ଲିଏ ଦେନା ହେ " କହି ଚାଲିଗଲା ।
ଆଛା ! ଏଡ଼େ ବଡ଼ ଖରାଟା'ରେ ବି ତ ସିଝୁଥିଲା । ଘରେ କଂସେ ପଖାଳ ଖାଇ ବିଶ୍ରାମ ନେଲେ ହେଇ ନ ଥାନ୍ତା । ଏ ବୁଢ଼ା ବୟସରେ ବି କି ଲୋଭ ଯେ ...? ପାଖରେ ବସିଥିବା ବୁଢ଼ୀ ଟି ଠୋ' ଠୋ ହୋଇ ହସି ଉଠିଲା । କୋରଡ଼ ଭିତରେ ପଶିଥିବା ଆଖିରୁ ଦି'ଧାର ଲୁହ ବହି କୁଂଚୁକୁଞ୍ଚିଆ ଗାଲ ଦେଇ ଓଠ ରେ ପଶିଲାଣି । କଂସେ ପଖାଳ.....!,କି କଥା କହୁଛୁରେ ମା'......? ବୁଢ଼ା ବଳଦ ସପ୍ତାହେର ଉପବାସ ପରେ ବିଡାଏ ଘାସ ଖାଇଲେ ବି ସଭିଙ୍କ ନଜର । ଛାତ ତଳର ବିଶ୍ରାମ । ହୁଁ.., ବୁଢ଼ା ଦେହର ଖୁଂ.. ଖୁଂ କାଶକୁ ବୁଢ଼ା ଫ୍ୟାନ ଟା'ର ଖଡ଼ ଖଡ଼ ଶବ୍ଦ... ଏୟାରକଣ୍ଡିସନ ରୁମର ଶାନ୍ତି ଭଙ୍ଗ ହେଉଛି ବା' । ସ୍ଵ -ଗୃହେ , କି ଅଶାନ୍ତି ରୋପଣ କରିପାରେ ମୁରବି...? ତା'କଥା କାଟି ମୁଁ କିଛି କହିବାକୁ ଯାଉଥାଏ । ଥରୁଥିବା ଦୁର୍ବଳିଆ ହାତ ଠାରି ମତେ ଚୁପ କରାଇ କହି ଚାଲିଥାଏ ।
କାଇଁ ବାର ଦୁଆରେ ବସିବ, ସୂର୍ଯ୍ୟାସ୍ତ ଯାଏଁ ଦ୍ବି'ପଇସା ରୋଜଗାର ହଉ ବରଂ । ସୁଜ୍ୟଦୟର ଶୁନ୍ୟହସ୍ତ ଯଦି ସୂର୍ଯ୍ୟାସ୍ତ ପରେ ଦାତା ହୋଇ ଖଣ୍ଡିଏ କି ଗଣ୍ଡିଏ ଦିଏ , ତାହା ସଭିଙ୍କୁ ପସନ୍ଦ । ରାସ୍ତା ତ ବଦଳାଇ ହେବନି । ବୃଦ୍ଧାଶ୍ରମର ରାସ୍ତା ତା' ଶାଖା ପ୍ରଶାଖାକୁ ବାଦ ଅପବାଦ ଦେଲେ ସେ କି ସହି ପାରିବ । ବଳଥିବା ଯାଏଁ ଗୋଟିଏ ଡୋରୀରେ ବାନ୍ଧି ରଖିଲା ଆଉ ଏବେ ବଲ ଗଲା ବୋଲି କ'ଣ ଡୋରି ଛିଣ୍ଡିବାର କାରଣ ହେବ ...?
ହଁ, ମ...! ସତ ,ସରକାରଙ୍କ ପରା କେତେ ନିୟମ ଅଛି । ହେଲେ ଥୁଣ୍ଟା ଶୁଖିଲା ଗଛ ବୋଲି କ'ଣ ସ୍ୱାର୍ଥପର ହୋଇ ବସାରେ ଥିବା ଶାବକଙ୍କୁ ଫୋଫାଡି ଦେବ ? ନା' ଶୁଖିଲା ପତ୍ର ଭିତରେ ଥିବା ଦି'ଚାରିଟା ସବୁଜ ପତ୍ରକୁ ତା' ରୋଷେଇ ଘର ହେବାକୁ ଦେବନି । ଶୁଖି ଢଳି ପଡିଲେ ବି ତା' ଜୀବନର, ଜାଳେଣି ହୋଇ ଜଳିଯାଏ ପଛେ ପଂଛ ଘୁଞ୍ଚା ଦିଏନି.....। ଦେଖୁନୁ ମାଆ' ମଶାଣୀ ଖର୍ଚ୍ଚ ନ ପହଂଚିଛି ବୋଲି କ୍ରିୟା କର୍ମ ବି ଆରମ୍ଭ ହୋଇନି । ମଶାଣି ଖର୍ଚ୍ଚ....? ମାନେ ! ବୁଢ଼ା ସବୁ ବୁଝି କାଇଁ ଅବୁଝା ହୋଇଥାନ୍ତା ,ସର୍ବଦା ଦେଇଥିବା ହାତ କି ମଶାଣି ବୋଝକୁ ମୁଣ୍ଡେଇବାକୁ ଦେବ । ଠିକ ଜାଣିଥିଲା ବୋଲି ମଶାଣି ଖର୍ଚ୍ଚଟା ଏଇ ଦୋକାନୀ ପାଖରେ ଜମା କରି ଯାଇଥିଲା ।
ସେବଠୁ, ଯେବେ ବି ବୁଢ଼ା ଛିଡା ହେଉଥିବା ପଥ ଦେଇ ଗତିକରେ, ବାରମ୍ବାର ସେପଟେ ଅନାଏ । ମୋ ଆଖି ବୁଢ଼ାକୁ ଖୋଜେ......। ପ୍ରକୃତରେ ବୁଢ଼ାକୁ ନୁହେଁ ...ବୋଧେ ସେ 'ଶୂନ୍ୟସ୍ଥାନ' କୁ........., ଯେଉଁ ଶୂନ୍ୟସ୍ଥାନକୁ ହୁଏତ କେହି ନା କେହି ମଶାଣି ଖର୍ଚ୍ଚ ପାଇଁ ପୂରଣ କରିବ.....।