ମର୍ମାହତ
ମର୍ମାହତ
ସେଦିନ ଝଟାପଟ ଲାଗିଗଲେ ଦୁହେଁ, ଠିକ ଡାଇନିଂ ଟେବୁଲ ପାଖାପାଖି ସ୍ଥାନଥିବା ଜାଗାରେ ଆଉ ଡାଇନିଂ ଲାଗିଥିବା ରୁମ ଗୁଡିକରେ ଯିଏ ଥିଲେ, ଥରେ ଥରେ ଆସି ଚାହିଁ ଦେଲେ ଆଉ ଧସଧାସ କରି ଦୁଆର ଦେଇଦେଲେ, ହେଲେ ସମ୍ଭାଳି ପାରିଲିନି ମୁଁ, ବାଡ଼ି ଟିଏ ଧରି ଗୋଡ଼େଇଗଲି ତ ଜଣେ ଖସିଗଲା, ଯିଏ କି ଥିଲା ଆମ ଘରର ପୋଷା ବିଲେଇ ସ୍ନୋପି, ହେଲେ ଯିଏ ଆଜି ଏତେ ଦିନ ପରେ ଧରାପଡିଛି ତାକୁ ମୁଁ ନଛାଡେ, ତ ଅପର ପକ୍ଷର ବିଲେଇଟି ପଶିଗଲା ଏଣେ ତେଣେ, ଦୌଡିଲା ଆକତାମାକତା, ଆଉ ତା ପଛେ ପଛେ ମୁଁ.
ଏଇ କିଛି ଦିନ ହେଲାଣି ଚଲେଇ ଦଉନି, ଘରୁ ବାହାର କରିଦଉନି ତାକୁ ପଦାକୁ. ସବୁବେଳେ ତାକୁ ଡରି ସ୍ନୋପି ଘରେ ଝାଡା ପରିଶ୍ରା କରୁଛି ତ ଏତେ ଗନ୍ଧ ସାଙ୍ଗକୁ ଧୁଆ ଶୁଖା ର ଯାବତୀୟ ଝାମେଲା, ତା ପରେ ମାଛ ବା ଚୁଙ୍ଗୁଡ଼ି ବା ମାଂସର ଛୋଟ ଛୋଟ ଟୁକୁଡା ଗୁଡିକୁ ଖାଦ୍ୟରୁ ବାଛି ବାଛି ଖାଏ, ଆଉ ଅନବରତ ଜଗିଥାଏ ରୋଷେଇ ଦୁଆରକୁ, ଓଲେଇ କରିବ ବା ଫ୍ରୀଜ଼ ଖୋଲିଲେ ବଳିଥିବା ବାସୀ ମାଛ ଖାଇବ, ତ ବିରକ୍ତ କରିଦିଏ, କିନ୍ତୁ ତା ଥାଳିଆ ସଫା କରେ ବିପକ୍ଷ ବିଲେଇଟି.
ଜବରଦସ୍ତ ବାହାର କୁ ଛାଡିଲେ ଖଣ୍ଡିଆ ଖାବେରା ହୋଇ ଆସେ ତ ମେଡ଼ିସିନ ଲଗେଇବାକୁ ଦେଖାଏନି, ପୁଣି ମରା ନଡ଼ିଆ ତେଲ ବା ହଳଦୀ ବା ଅନ୍ୟକିଛି ଘରୋଇ ଉପଚାର କରିବାକୁ ପଡେ, ପୁଣି
ତା ଅଲକ୍ଷରେ, ଏମିତି ଏମିତି ଅନେକ କଲବଲର ଏକମାତ୍ର କାରଣ ଆଜି ଧରା ପଡିଛି, ତାକୁ ଆଉ ଛାଡ଼ିବି ମୁଁ !ଖୋଜିହେଲି, ଏଘରୁ ସେଘର, ସେ ମୁଣ୍ଡରୁ ଏ ମୁଣ୍ଡ, ଶେଷକୁ ଆଗପଟ ଜାଫ୍ରିର ଛୋଟ ଫାଙ୍କ ବାଟେ ଗଳିବାକୁ ଯାଇ ରହିଗଲା.
ଦୌଡ଼ିଗଲି ବାଡ଼ି ହାତରେ, ଜୀବନ ବିକଳ ରେ ପଳାଇବାକୁ ବସିଥିବା ମୋଟା ସୋଟା ଡଉଲ ଡାଉଲ ବିଲେଇଟାର ବିକଳ ଆଖି, ଆତ୍ମସମର୍ପଣ ଭାବ ଓ ଅସହାୟତା ଚାହାଣୀ ମନକୁ ହଲଚଲ କଲା. ସେ ସବଳ, ସେ ତାର ଋଚି ବା ସ୍ୱାଦ ନ ଖୋଜି ଜୀବନ ବଂଚାଇବାପାଇଁ ସବୁ ଖାଏ ଆମ ସ୍ନୋପି ର ବଳକା ଖାଦ୍ୟ ଥାଳିଆ ରୁ ତ ସେଟା କଣ ତାର ଭୁଲ??? ସ୍ନୋପି ବାଛି ବାଛି ଆମିଷ ଟୁକୁଡା ଖାଇସାରିବା ପରେ ସେ କୋଉ ପଟେ ଆସି ଜୀବନ ବଂଚାଇବାକୁ ଜୀବିକା ଆଦରି ନିଏ, ଅବଶିଷ୍ଟ ଖାଦ୍ୟ ଖାଇ ପାରିବାର ହେଲା ତ, ସେଟା କଣ ତାର ଭୁଲ !
ବାଡ଼ିଟା ଫିଙ୍ଗି ଦେଲି ମୋ ହାତରୁ, ଆଉ ଗଁ ଗଁ ହୋଇ, ବେକ ବାହାର କରି କବାଟ ଖୋଲା ହେବା ଦେଖି ଚାଲିଗଲା ଶତ୍ରୁ ବିଲେଇଟା ଆଉ ସ୍ନୋପି ତଥାପି ଲୁଚିଥିଲା ଡାଇନଙ୍ଗ ଚେୟର ଭିତରେ, ତା ପରଦିନଠୁ କିନ୍ତୁ ନିର୍ଭିକ ଭାବରେ ଖାଉଥିଲା ସ୍ନୋପି ତା ନିଜ ଥାଳିଆରୁ, ଆଖ ପାଖରେ ଅପର ଶତ୍ରୁ ବିଲେଇ ଟା ନ ଥିଲା ତ !
ଏପଟେ ଡାକ ଛାଡୁଥିଲେ ଘର ଲୋକ, ଦେଖିବ ଆସ, ଦେଖିବ ଆସ, ଆମ ବିଦେଶୀ ଫେରନ୍ତା ଭାଇ ମାନେ କରୋଣ୍ଟାଇନ ସେଣ୍ଟର ରେ ଖାଦ୍ୟ ଫୋପାଡିବାର ଅଭାବନୀୟ ଦୃଶ୍ୟ ଭିତରେ ମର୍ମାହତ ଓ ଆହତ ମୁଁ.