ମୋ ପିଲାବେଳ ଖେଳ (ବୋହୁଚୋରି)
ମୋ ପିଲାବେଳ ଖେଳ (ବୋହୁଚୋରି)
ବୋହୁ ଚୋରି ଖେଳୁ ଖେଳୁ କେତେବେଳେ ବୋହୁ ହୋଇ ଗଲି ନିଜେ ବି ଜାଣି ପାରିଲି ନାହିଁ।ସଢେଇରେ ଭାତ ଡାଲି ତରକାରି କରି ବୋହୁଚୋରି ଖେଳରେ ସୁନାନାକି ବୋହୁଟିଏ ସାଜୁଥିଲି ମିଛିମିଛିକା ।
ଶୈଶବର ଚପଳାମୀ ବୟସରେ ଜାଣି ପାରୁ ନ ଥିଲି ବୟସ କେମିତି କେମିତି, କାହିଁକି ଯେ ବୋହୁ ହୁଅନ୍ତି ।କିଏ ହୁଏ ବର,କିଏ କନିଆଁ।କାହିଁକି ବା ବରକନିଆଁ ହୁଅନ୍ତି ।ମଜାରେ ମଜାରେ ବରକନିଆଁ ହେଉ ହେଉ ସତରେ ବରକନିଆଁ ଅଭିନୟ ଏଯାବତ ଅବ୍ୟାହତ ରହିଛି।ବୋହୁକୁ ବର ଖୋଜି ଖୋଜି ଚୋରି କରି ତା'ର କନିଆଁ କରିନିଏ ।ସେହି ଦିନ ଠାରୁ ସେ କନିଆଁ ବର ହୋଇ ଯାଆନ୍ତି ଆପଣାର ।
ଆଠ ଦଶଜଣ ଛୋଟ ଛୁଆ ମିଳିମିଶି ଖେଳ ଆରମ୍ଭ ହୁଏ ।ନିଜ ନିଜ ବର ନିଜ ନିଜ କନିଆଁ ଠିକ୍ କରି ଆରମ୍ଭ ହୋଇଥାଏ ଖେଳ ।ତା ପରେ ସୁନ୍ଦରୀ ଝିଅକୁ ବୋହୁକରି ନେବା ପାଇଁ ସବୁ ବରମାନେ ଚେଷ୍ଟା କରନ୍ତି ।
ସେ ସୁନ୍ଦରୀ କନିଆଁ ଯାଇ ଅନ୍ୟ ଆଡେ ଲୁଚି ବସେ ।
..............
ଏମିତି ଦିନେ ବୋହୁଚୋରି ଖେଳରେ ମୁଁ ବି ଲୁଚି ଗଲି।ସମସ୍ତେ ସମସ୍ତଙ୍କୁ ଖୋଜିଲେ ।ମୁଁ ଯାଇ ଲୁଚିଗଲି ରାଧିନାନୀ ସଙ୍ଗାରେ ।ସିଡିଟିଏ ପଡିଥିଲା।ସିଡ଼ି ଚଢ଼ି ଯାଇ ଲୁଚି ଗଲି ।ଆମେ ଖେଳୁଥିଲୁ ୪/୫ ବେଳେ ।ସଞ୍ଜ ହୋଇ ଆସୁଥିଲା ।କିଛି ସମୟ ଖେଳିବା ପରେ ସଞ୍ଜ ହୋଇଗଲା ।ମୋ ବର ଭୂମିକାରେ ଥିବା କୁନା ମୋତେ ଅନେକ ଖୋଜିଲା ।ସଞ୍ଜ ହୋଇଯିବାରୁ ସମସ୍ତେ ଘରକୁ ପଳେଇଲେ।ହେଲେ ମୁଁ ତ ସଙ୍ଗାରେ ଲୁଚି ଥାଏ।ମୋତେ ଅନ୍ଧାର, ସଞ୍ଜ କିଛି ଜଣା ପଡୁ ନ ଥାଏ ।ମୁଁ ସେଇଠି ବସି ବସି କେତେବେଳେ ଶୋଇ ଯାଇଛି ନିଜେ ବି ଜାଣି ପାରି ନାହିଁ।
ଏପଟେ ମୋତେ ଆମ ଘରେ କେତେ ଯେ ଖୋଜିଲେଣି ,ମୋ ବୋଉ ତ କାନ୍ଦି କାନ୍ଦି ମୁଣ୍ଡ ବାଡେଇ ଦେଉଥିଲା ।ମୋତେ ନ ପାଇ ମୋ ବୁଢୀମା ସାଇର ଯେତେ ଛୁଆ ଖେଳୁଥିଲୁ ସମସ୍ତଙ୍କ ଘରେ ଗୋଟିଏ ମହାଭାରତ ଗାଇ ଦେଇ ଆସିଲା ।ଏତେ ସବୁ କଥା ସିନା ପରେ ଜାଣିଲି ।
ହେଲେ ମୁଁ ତ ଶୋଇ ଯାଇଥିଲି,ନିଦ ଭାଙ୍ଗିଲା ବେଳକୁ ଚାରିଆଡ଼େ କିଟିମିଟିଆ ଅନ୍ଧାର ପୁଣି ନୀରବ ନିଶବ୍ଦ ।ବୋଧହୁଏ ରାତି ସେତେବେଳକୁ ୩ ଟା କି ଚାରିଟା ହେବ ।ମୁଁ ତ ବହୁତ ଡରି ଯାଇଥିଲି ,ତଥାପି ବୁଦ୍ଧି କରି କାଉ ରାବିଲା ଯାଏ ସେଇମିତି ସେଇଠି ବସିରହିଲି ଚୁପଚାପ ।କିଛି ସମୟ ପରେ କାଉ କୁକୁଡ଼ା ରାବ ରେ ପ୍ରକୃତିସ୍ଥ ହେଲି ।ଜାଣିଲି ଯେ ରାତି ପାହି ସକାଳ ହେଲା ।ଲୋକ ମାନଙ୍କର ପାଟି ବି ଶୁଭିଲା ।ମୁଁ ଖୁବ୍ ଜୋରରେ ସେଇଠି ଥାଇ ପାଟିକଲି ,ରାଧିନାନୀ, ରାଧିନାନୀ ମୁଁ ଏଇଠି ଅଛି, ମୋତେ ଟିକେ ତଳକୁ ଓହ୍ଲାଅ ।ମୁଁ ବୋହୁଚୋରି ଖେଳି ଏଇଠି ଲୁଚିଥିଲି । ରହି ଯାଇଛି ।
ମୋ ପାଟି ଶୁଣି ରାଧିନାନୀ ସବୁ ଲୋକଙ୍କୁ ଡାକ ପକେଇଲା ।ଲୋକ ସବୁ ରୁଣ୍ଡ ହୋଇ ଗଲେ।ସିଡ଼ିରେ ଚଢ଼ି ମୋତେ ତଳକୁ ଓହ୍ଲେଇଲେ।ମୋ ବୋଉ ମୋତେ କୁଣ୍ଢେଇ ଧରି ଢେର ଗେଲ କଲା।ମୋ ବୁଢୀମା ମୋ ଗାଲକୁ ଖୁନ୍ଦା ମାରି କହିଲା ,ହଇଲୋ ଟୋକି ,ଆମ ହାଲକ ଶୁଖେଇ ଦେଲୁଣି ତୁ ଏହି ବୋହୁଚୋରି ଖେଳି ।