Satyabati Swain

Others

3  

Satyabati Swain

Others

ମୋ ଜେଜୀମା

ମୋ ଜେଜୀମା

5 mins
549



ସମସ୍ତେ କୁହନ୍ତି ମୋ ଜେଜିମା କାଳେ ଗଜର ଗଜର ହୁଏ । ସବୁବେଳେ ମୋ ବୋଉ ଉପରେ!କିନ୍ତୁ ଛୁଆଟିଏ ହେଲେ ବି ମୋତେ ଲାଗେ ମୋ ଜେଜୀ ମା ଯାହାକୁ ଆମେ ମା ଡାକୁ ନାଁ ଟି ତାର ଦୁଲା। ସେ ଖୁବ୍ ଭଲ ପାଏ ମୋ ବୋଉକୁ। କେବଳ ଟିକେ ଚଢା ଗଳାରେ କଥା କୁହେ।ହରଦମ ପାଟି ଛେଳି ପରି ବୁଲଉ ଥିବ। ଆଲୋ ହେ ନମି କୁଆଡେ ଗଲୁ...ଆଲୋ ହେ ନମି ଶୋଇ ପଡ଼ିଲୁ କି...ଆଲୋ ହେ ନମି ରୋଷେଇ ସରିଲାଣି ନା ନାହିଁ ବିନ ପରା ବିଲରୁ ଆସିବା ବେଳ ହେଲାଣି। ଆଲୋ ହେ ନମି ଖାଇକି କାମ କରୁଛୁ ନା ଶୁଖିଲା ପଡିଛୁ ଏତେ ବେଳ ଯାଏ। ନମି ଲୋ ମୋ ଛୁଆ ଦିଟାଙ୍କୁ କଣ ଖାଇବାକୁ ଦେଇଛୁ ନା ନାହିଁ।ଯାଉ ଆସୁ ନମି ନମି।ଏଇ ପାଟିଟାକୁ ଶୁଣି ସମସ୍ତେ ଖପ୍ପା ମୋ ମା ଉପରେ।ମୋ ମା ବୋଉ ବା ଓ ମୋ ସାନ ଭାଇ ବାବୁକୁ ନେଇ ଆମ ଘର।ମୁଁ ଏ ବର୍ଷ ସ୍କୁଲରେ ନାଁ ଲେଖେଇଛି।ମୋ ମା କୁହେ ମୁଁ କୁଆଡେ ପଢି କିଲକଟର ହେବି।ମୋ ବା ମୋ ମା ର ଜୀବନ କୁହେ ସେ।ଜୀବନ ଟି ସବୁଠୁ ଗୋଟେ ଦାମୀ ମିଠେଇ କି ଚକଲେଟ ବୋଲି ମୁଁ ବୁଝେ।ମୁଁ ଲଭଲି।ମୋ ମା ପାଟିରେ ପସେନି ଯେ ଲଭଲିରୁ ମୁଁ ଆସି ଏବେ ଲାଭିରେ ପହଞ୍ଚିଛି।


         ସବୁଦିନ ସ୍କୁଲରୁ ଆସି ଲାଭି ଖୋଜି ପକାଇଲା ବହେ ତା ବା ଙ୍କୁ।ବା କଣ ଏଯାଏ ଆସି ନାହାନ୍ତି ବିଲରୁ ପଚାରିଲା ବୋଉକୁ।ସବୁଦିନେ ତ ସେ ସ୍କୁଲରୁ ଆସିଲା ବେଳକୁ ତା ବା ବିଲରୁ ଆସି ଯାଇଥାନ୍ତି!!ବୋଉ ଲୋ ଆଜି କାଇଁ ଏତେ ଡେରି!!ବୋଉ କହିଲା କଣ ଅଧିକ କାମ ଥିବ।ଆସୁଥିବେ ବୋଧେ। ଲାଭି ଭାରି ଗେହ୍ଲଇ।ବା ବିଲରୁ ଆସି ଆଗ ଘଣ୍ଟାଏ ଗେଲ କରିବେ ତାକୁ।ଛକକୁ ସାଙ୍ଗରେ ନେବେ,ବରା କୁରକୁରି ଦେବେ। ଲାଭିର ଏ ଅଭ୍ୟାସ ପ୍ରତିଦିନ କରି କରି ଅଖ ହୋଇ ଯାଇଛି।ବା ତାର ବିଲୁରୁ ଆସି ନାହିଁ ବୋଲି ମନ ଉଣା କଲା।ମା କହିଲା ଦେଖୁନ ଟୋକି କି ବା ବା ପାଣି ପିଉନାହିଁ।ମୁଣ୍ଡେଇଛି ବିନୟାକୁ।ମୋ ପୁଅ ତେଣେ ପାଣି କାଦୁଅରେ ଯୁଝୁ ଥିବ ଟୋକି ଢଙ୍ଗ ଦେଖ।ମୁଁ ଟିକେ ଖତେଇ ହୋଇ କୁହେ ଉଁ..... ଦୁଲା ନା ଫୁଲା..ତୋର କଣ ଗଲା ସେ ମୋ ବା ତୋ ବା କି? ହଇଲୋ କଣ କହିଲୁ ସେ ମୋ ପୁଅ ଆଗ ପଛରେ ତୋ ବା।ତୁ କଣ କହୁଛୁ କେଜାଣି ମୁଁ ବୁଝି ପାରୁନି କହି ଦଉଡେ।ହସି ହସି ଗଡିଯାଏ ମୋ ମା।ମୋତେ କୋଳେଇ ନେଇ କୁହେ ଆଇଲୁ ଲୋ ମୋ ରାଣୀ କଣ୍ଢେଇ ବା ଆଉଥିବ ପା।


      ବୋଉ କହିଲା ଯା ବାବୁ ସଙ୍ଗେ ଖେଳୁଥାଆ।ବା ଆସିଯିବେ।ବାବୁ ତା ସାନ ଭାଇ,ତିନି ବର୍ଷର। ଜେଜ କଥା ତାର ମନେ ନାହିଁ,ମଲେଣି କେବେଠୁ ସେ।ମା ର ପାଞ୍ଚ ଝିଅରେ କୋଡ଼ ପୋଛା ପୁଅ ତା ବା।ବା ବଡ଼ ହେଲେବି ଭାରି ଗେଲ ହୁଅନ୍ତି।ମା ଟିକିଏ କଥା ହେଲେ ଆଗ ଲୁଚାଇ ରଖିବ ବା ଙ୍କ ପାଇଁ।ଆମେ ଏସବୁ ଦେଖି ଘରେ ଭଲ ମନ୍ଦ ଯାହା ହେଲେ ଆଗ ବା ଙ୍କ ପାଇଁ ରଖିଦିଏ ବୋଉ ,ମା କହିବା ଆଗରୁ।


       ଏତେ ଝିଅରେ ଗୋଟିଏ ପୁଅ ହେବାରୁ ଭାରି ଗେହ୍ଲା ହେଲେ ଓ ପାଠଶାଠ ପଢିଲେନି ବା।ଧେତେରେ କେତେରେ ହୋଇ କଲେଜ ମାଟି ମାଡିଲେ ସିନା ପରୀକ୍ଷା ଦେଲେନି ବୋଲି ମା କୁହେ।ଜେଜ ମରିଗଲେ ହଠାତ୍।ଘର ଚାଲିବ କେମିତି!ତେନ୍ତୁଳିଆ ବିଛା କାମୁଡ଼ିଲା ବା ଙ୍କ ମୁଣ୍ଡକୁ।ଛକରେ ଗୋଟେ ତେଜରାତି ଦୋକାନ କଲେ ମା ଗହଣା ଗାଣ୍ଟି ବିକି।ବେଉସା କଣ ସମସ୍ତେ ପାରନ୍ତି!ବାକି ବୁକରରେ ଦେଇ ସବୁ ସାରି ଦେଲେ।ଶେଷରେ ଦୋକାନ ଭାଙ୍ଗି ଗଲା।କଣ କରିବେ ଚିନ୍ତା କରି ଶେଷକୁ ସ୍ଥିର କଲେ ଯେଉଁ କେତେ ଜମି ଅଛି ତାକୁ ଚାଷ କରିବେ।ମଝିରେ ଗଳି ପଡି କାହାର ମୂଲ ପାତି ଲାଗିବେ।ନଲେ ଖାଇବେ କଣ,ପିନ୍ଧିବେ କଣ! ଭଲରେ ନ ହେଲେ ବି ମନ୍ଦରେ ତ ବଞ୍ଚିବେ!


       ବା ଗେଲ ବସରର କିନ୍ତୁ ଖରାପ ପିଲା ନୁହନ୍ତି। ସାନ ଭଉଣୀଟି ବାହା ହେବାକୁ ବି ଅଛି।ରାସ୍ତା କଡ଼ିଆ ପାଞ୍ଚ ଗୁଣ୍ଠ ଜମି ବିକି ଭଉଣୀକୁ ବାହା ଦେଲେ।ନିଜେ ବାହା ହେଲେ ବି।ମା ଏଇ କଥା ନିଇତି ଲାଭି,ବାବୁ ଓ ଲାଭି ବୋଉ ନିମିକୁ ଶୁଣାନ୍ତି।ମୁଁ ଏତେ କଥା କିଛି ନ ବୁଝିଲେ ବି ଏତିକି ବୁଝେ ମୋ ମା ମୋ ବା କୁ ଭାଆରି ଭଲପାଏ।କାନ୍ଦି ପକେଇ କୁହେ କେତେ ଗେହ୍ଲା କରିଥିଲି କି ଖରା ତରା, ବର୍ଷାରେ ମାଟି ସଙ୍ଗେ ମାଟି ହେଉଛି ତା ପୁଅ।ବିଲରୁ ଆସୁ ଆସୁ ମା ମୁହଁ ଦେହ ପୋଛି ଦେବ।ଆରେ ବିନୁ ଆସିଲାଣି ତାକୁ ଖାଇବାକୁ ଦିଅ ହାଲ୍ଲା ପକେଇବ।ବୋଉ ଯେଉଁଠି ଥାଉ ଆଗ ହାଜର ହେଲେ ତ ଭଲ ନଲେ ମା କୁ ସେଦିନ ଦେଖିବ କିଏ! ଘରେ ବଇଚ,ନାହିରେ ତେଲ ପକେଇ।କଂସା କଂସା ଗିଲୁଛ।ପାନିଆଁ ସାଉଁଳୁଛ। ଜଣା ପଡୁଛି କିଛି!ପୁଅଟା ମୋର ଖରା ତରା ରେ ଖଟି ଖଟି ଡାଙ୍ଗ ହେଲାଣି।କି ଗୋରା ତକ ତକ ଦିହ ,ତମ୍ବାଳିଆ ଦେଖା ଗଲାଣି ମୋ ଧନ। କାହା ଆଖିକୁ ଦେଖା ଯାଉଛି।ମୋ କର୍ମ ତ ସେଇଆ।ଏତେ ଦୁଃଖ ଦେଖିବି ବୋଲି ହଟିଆ ଠାକୁର ବସେଇଛି,କାଇଁ ନେଉଛି ପ୍ରାଣ!!।କାନ୍ଦି ପକେଇ ଉଛନ୍ନ ହୋଇଯିବ ନିଜେ ଓ ଉଛନ୍ନ କରିଦେବ ବୋଉକୁ।ତେଣୁ ବା ଆସିଲା ମାନେ ବୋଉ ହାଜର ହେବା ଥୟ।


       ବୋଉ ବି କୋଉ ବସେ।ଗାଈ ଟିଏ ରଖିଛି।ବାରିରେ ସବୁ ଫସଲ ବୁଦାଏ ବୁଦାଏ କରିଛି।ଆଳୁ ଡାଲି ଛଡା ଆଉ କିଛି ପରିବା ଘରକୁ କିଣା ହୁଏନି।ବୋଉ ସବୁ କରିଥାଏ।ମା ବି ବୋଉ ସଂଗେ ଲାଗେ।ମା ବୋଉକୁ ବହୁତ ଭଲ ପାଏ କିନ୍ତୁ ତା ପୁଅ ବିନୁ ଠାରୁ କମ୍ ନିଶ୍ଚୟ।ମୁହଁରେ କୁହେନି ସିନା ବୋଉକୁ କିନ୍ତୁ ଭିତରେ ପ୍ରଶଂସା କରେ ଢେର।ବୋଉ ବି ଖୁସି ସେ ମା ପୁଅଙ୍କ ଭାଵ ଦେଖି।ମା ତେଲ ଫୁଟାଇ ବା ଦେହ ସାରା ରଗଡି ରଗଡି ଘଷିବ,ଯେମିତି ବିଲ ଖଟଣି ଛୁ ଛୁ ମନ୍ତର ପରି କୁଆଡେ ଉଡିଯିବ।ଏମିତି ସବୁ ଦୃଷ୍ଟିରୁ ହସ ଖୁସିଆ ପରିବାର ଟିଏ ବିନୁ ମା ର ବୋଲି ସମସ୍ତେ କୁହନ୍ତି।ଭଲ କାମିକା ନିଶା ପାଣି ଖାଉ ନଥିବା ପୁଅ ବାହାରକୁ ଓ ସୁନା ନାକୀ ବୋହୁ ଘର କାମକୁ ଧନୁର୍ଦ୍ଧର। "ବିନ ମା ଲୋ ତୋର ଦୁଃଖ କଣ"! କୁହନ୍ତି ଲୋକେ ଟିକେ ଖୁସି ବେଶୀ ଈର୍ଷାରେ।


   ମୋ ମା ଦୁଲା ଦେଇ ଅଳ୍ପ ବାହାରେ ବହୁତ ଭିତରେ ହସି କୁହେ ହଁ ହେବନି କେମିତି ବାପ ନଥିବା ବକଟେ ଛୁଆ ମୋର ରକତ ପାଣି କରି ଖଟୁଛି।ଆଖିରୁ ଚୁପୁଡି ପକାଏ ଲୁହ।ଏବେ ତ ଦୁଲା ଦେଇ ନାତୁଣୀ ନାତି ପାଇ କୋଟି ନିଧି।ଠାକୁରେ ଏଇ ଦୁଇଟିକୁ କୋଟି ପରମାୟୁ ଦିଅ।ମୋ ବାଇଆ ବିନଙ୍କୁ ଖୁସିରେ ଘଣ୍ଟ ଘୋଡେଇ ରଖିଥା ମହାପ୍ରଭୁ କହି ନିତି ଚଉରା ମୂଳେ ସଞ୍ଜ ଦିଏ ମୋ ମା।


       ଆଜି ଥିଲା ଥିଲା କୁଆଡୁ ବର୍ଷା ଘୋଟି ଆସିଲା।ମାରିଲା ଘଡ଼ ଘଡି ଖୁ ଜୋର କାନ ଅତଡା ପକେଇ।ବୋହୁଟା ଗାଈ ପାଇଁ ଦଣ୍ଡାକୁ ଯାଇଛି।ପୁଅ ଟା ଫେରିନି ଏ ଯାଏ।ପିଲା ଦି ଟା ଡରରେ ଖେଳ ଛାଡି ଦୁଲା କୁ ଆସି କୁଣ୍ଢେଇ ପକାଇଲେ ମା ମା କହି।କି ଘଡ଼ ଘଡି ମାରୁଛି ଛୁଆ ଦିଟା ଯାକ ବାହାରେ।ଦୁଲା ମନ ସମ୍ଭାଳି ହେଲା ନାହିଁ।ଖରା ପାଗ ଦେଖି ବିନ ଆଜି ଛତା କି ପାଖିଆ ନେଇ ନାହିଁ।ଯେତେ କହିବି ବର୍ଷା ଦିନ କେତେବେଳେ ବର୍ଷା ହେବ କହି ହେବ! ସାଙ୍ଗରେ ନେଇଯା ପାଖିଆ କି ଛତା ନଲେ ଜରିଟା ଯାହାକୁ ସେ ନିଜେ ତା ପୁଅ ମାପର ସିଲେଇ କରିଛି ପଖିଆ ପରି।ଦେହରେ ଗଳେଇ ବାନ୍ଧି ଦେଲେ ତେଣିକି ଯେତେ ବର୍ଷା ହେଉ ପରବାୟ ନାହିଁ।ହେଲେ ଶୁଣିଲା କଣ କଥା!।ଏବେ କଣ କରିବ ଓଦା ହେବ ମନେ ମନେ କହି ହେଉଥାଏ ମା। ଛୁଆ ଦିଟାଙ୍କୁ ଛାଡି ଯାଇ ପାରୁନାହିଁ।ତେଣେ ପୁଅ ବୋହୂ ଚିନ୍ତା ଘାରୁଛି।


   ଓଃ ଜନମ ଦିନରୁ ଏମିତି ଘଡ଼ ଘଡି ମାରିବା ଦୁଲା ଶୁଣି ନଥିଲା। ତାକୁ ଭାରି ଛାନିଆଁ ଲାଗିଲା ତ ପୁଅ ବୋହୂ କଥା ଭାବି।ଲାଭିକୁ କହିଲା ଧନ ଲୋ ଭାଇକି ଧରି ସେଇ ଖଟ ଉପରେ ବଇଥା ମୁଁ ଯାଉଛି ବା ବୋଉକୁ ପଖିଆ ଛତା ଦେବାକୁ।ଜମା ବାହାରକୁ ଆସିବ ନାଇଁ ମୋ ସୁନା।ଘଡ଼ ଘଡି ମାରୁଛି ।ଏଇ ବୋଧେ ବର୍ଷା କାଚିବ ମାଠିଆ ମୁହଁରେ।ବାପା ଓଦା ହୋଇ ଯିବ।ଯିବି ସୁନା...ଦୁଲା ପଚାରିଲା।ନାଇଁ ମା ଆମକୁ ଡର ଲାଗୁଛି କହି ଆମେ ତା ଦିହରେ ମୁହଁ ଗୁଞ୍ଜିଦେଲୁ ଭାଇ ଭଉଣୀ ଦୁଇଟା।


    ମା ଶେଷରେ ପଡିଶା ଘରେ ଆମକୁ ଛାଡି ଗଲା ବୋଉ ଓ ବା ଙ୍କୁ ପଖିଆ ଛତା ଦେବାକୁ। ତେଣେ ଘଡ଼ ଘଡି ଶୁଣି ଗାଈଟା ଘର ଆଡ଼କୁ ନ ଆସି ମାରୁଛି ଡ଼ିଆଁ ଗାଦି ବିଲ ଆଡକୁ।ସିଆଡେ ପାଟରେ ଧାନ ରୁଆଁ।ବା ଲାଗିଛନ୍ତି ଆଜି ଯେମିତି ସରିବ ପାଟ ଖଣ୍ଡକ।ବୋଉ ଦୌଡୁଛି ଗାଈ ପଛେ ପଛେ। ଦୁଲା ପଡି ଉଠି ଦୌଡୁଛି ପଖିଆ ଛତା ଧରି। ଲିଭା ଘରର ତିନି ଜଣ ଯାକ ବଡ଼ ଲୋକ ବାହାରେ ଏ ଘଡ଼ ଘଡି ମାରିବା ବେଳେ।


    ମାଠିଆ ମୁହଁରେ ବର୍ଷିଲା ବର୍ଷା।ଘଡ଼ ଘଡି ଏମିତି ମାଇଲା ଯେ ଲୋକେ କୁହା କୋହି ହେଉଥିଲେ ଏଇଟି ନିଶ୍ଚୟ ଏଇଠି କେଉଁଠି ପଡିଲା।ଆମେ ଭାଇ ଭଉଣୀ ଥାଉ ବୁଲି ଖୁଡି ଘରେ।


     ନିମିଷେକେ ଖବର ଖେଳିଗଲା ଆହା ନିର୍ମାୟା ଲୋକଟା ଚାଲିଗଲା।ଘଡଘଡି ପଡିଲା ଶେଷରେ ତା ଉପରେ!! ଦଉଡା ଦଉଡ଼ି ହୋଇ ଯାଉଥିଲେ ଲୋକେ।ବର୍ଷା ଛାଡି ଯାଇ ଥିଲା।ଆମେ ଭାଇ ଭଉଣୀ ଦି ଟା ବୁଝି ପାରୁ ନଥିଲୁ କିଏ ଗଲା,କୁଆଡେ ଗଲା,କାହିଁକି ଗଲା।


      ବୁଲି ବୋଉ ଆମକୁ ଜାବୁଡି ଧରି ଥିଲେ।ମୋ ଭାଇକୁ କାଖରେ ଓ ମୋତେ ହାତରେ।ଆମେ ଯାଉଥିଲୁ ଆମ ଘରକୁ।ଆମ ଘର ଆଗରେ ଲୋକ ରୁଣ୍ଡ।ବା ବସିଛନ୍ତି ହାତରେ ମୁଣ୍ଡ ଦେଇ ଓ କାନ୍ଦୁଛନ୍ତି ଛୁଆଙ୍କ ପରି ।ବୋଉ କାନ୍ଦୁଛି ମୁଣ୍ଡ ବାଡେଇ।ଆଉ ମୋ ମା ଲମ୍ବ ଜାଲି ହୋଇ ଶୋଇଛି।ତା କାନ ପାଟି ପଟେ ବାହାରି ଆସିଛି ମେଞ୍ଚେ ରକ୍ତ।ଫାଟି ଯାଇଛି କାନ ମୂଳ ଓ ବେକ।

        ଆମକୁ ଦେଖି ବୋଉ ବାହୁନି ଉଠିଲା" ଆଉ କାହାକୁ ମା ଡାକିବରେ ମୋ ଧନ"।



Rate this content
Log in