ମୋ ବାପା ।
ମୋ ବାପା ।
ଆଜି ପିତୃ ଦିବସ । ଜୁନ କୋଡିଏ । ତେଣୁ ବାପାଙ୍କ ବିଷୟରେ ପଦେ ଲେଖୁଛି । ଆମେ ଚାରି ଭଉଣୀ, ଆଉ ଦୁଇ ଭାଇ ଓ ବାପାମାଆଙ୍କୁ ନେଇ ଆମ ପରିବାର | ପରିବାରର ଅବସ୍ଥା ସେପରି ସ୍ୱଚ୍ଛଳ ନୁହେଁ | କିଛି ଜମିଥାଏ | ବାପା ଗୋଟିଏ ପରିବା ଦୋକାନ କରି ଘର ଚଳାନ୍ତି |
ମୁଁ ସେତେବେଳେ ପଞ୍ଚମ ଶ୍ରେଣୀରେ ପଢୁଥାଏ | ଆମ ପଡିଶା ଘରର ଝିଅ ଲିଲୁ ପାଇଁ ତା ବାପା ଗୋଟିଏ ସାଇକେଲ ଆଣିଲେ | ତାକୁ ଦେଖି ମୋର ଭାରି ଇଚ୍ଛା ହେଲା ସାଇକେଲ ଚଲାଇବାକୁ | ମୁଁ ଆସି ବୋଉକୁ କହିଲି | ସେ କହିଲା ଆମର ପଇସା ନାହିଁ |
ଲିଲୁ ସାଇକେଲ ଚଲାଇଲା ବେଳେ ମୁଁ ସବୁବେଳେ ତା ପଛେପଛେ ଯାଏ | ଦିନେ ତାକୁ କହିଲି ମୋତେ ଟିକିଏ ତୋ ସାଇକେଲ ଦେ | ସେ ମୋତେ ଦେଲା | ମୁଁ ଗଡେଇ ଗଡେଇ ନେଲାବେଳକୁ ପକେଇ ଦେଲି |
ସେ ରାଗିଯାଇ ମୋ ଗାଲକୁ ଗୋଟେ ଜାବଡା ମାରିଲା | ମୁଁ କାନ୍ଦିକାନ୍ଦି ଆସି ବୋଉକୁ କହିଲି | ସେ ଦିନ ରାତିରେ ବୋଉ ବାପାଙ୍କୁ ଏ କଥା କହିଲା |
ତା ପରଦିନ ବାପା ମୋ ପାଇଁ ଗୋଟେ ନୂଆ ସାଇକେଲ ଆଣିଲେ | ମୁଁ ଖୁସି ହୋଇ ବାହାରକୁ ନେଲାବେଳକୁ ବାପା ହସୁଥାଆନ୍ତି | ବୋଉ ମୁହଁ ଶୁଖିଲା ଦିଶୁଥାଏ | ମୁଁ କହିଲି ତୁ ଏମିତି କାହିଁକି ମୁହଁ କରିଛୁ ?
ସେ ମନ ଦୁଃଖ କରି କହିଲା ବାପା ମୋ କାନଫୁଲ ନେଇ ମହାଜନ ପାଖରେ ବନ୍ଧାପକେଇ ଏ ସାଇକେଲ ଆଣିଛନ୍ତି |ଏତେ ସୁଧ ଦେଇ ସତରେ କଣ ଆଉ କାନଫୁଲ ଆଣି ପାରିବେ ?
ମୁଁ ସେତେବେଳେ ତା କଥା କିଛି ବୁଝିପାରିଲିନି | ଖୁସିରେ ଦାଣ୍ଡକୁ ଚାଲିଗଲି | ମୁଁ ସେତେବେଳେ ସିନା ବୋଉ କଥା ବୁଝିପାରି ନଥିଲି ହେଲେ ଜୀବନର ଅପରାହ୍ନରେ ମୁଁ ଏବେ ଭାବୁଛି ସତେରେ ମୋ ବାପା କେତେ ମହାନ ଥିଲେ | ଏତେ ଅସୁବିଧା ସତ୍ତ୍ୱେ ସେ ମୋର ଇଚ୍ଛା ପୂରଣ କରିଥିଲେ |
ଆଜି ମୋ ପାଖରେ ସବୁ ଅଛି ହେଲେ ସେଦିନ ସାଇକେଲ ପାଇବା ପରର ଖୁସି ମୁଁ ଆଉ କେବେବି ପାଇପାରିନି |
