ମଣିଷ ବାଘ
ମଣିଷ ବାଘ
ଦାମିନୀ ଓ କୁମାର ପାଖାପାଖି ରୁହନ୍ତି । ସେମାନଙ୍କ ପାଇଁ ଘର ଦୁଇଟି କୃତ୍ରିମତାରେ ଭରା ହେଲେ ବି ପ୍ରାକୃତିକତାଠୁ ବି କମ୍ ନୁହଁ .. ସେଇ ନିଘଞ୍ଚ ମୁଲକର ଅପୂର୍ବ ବଳଶାଳୀ କୁମାର ଥିଲେ ଅଘୋଷିତ ମୁକୁଟବିହୀନ ସମ୍ରାଟ । ତତ୍ତୁଲ୍ୟ ଦିବ୍ୟ ସୁନ୍ଦରୀ କମନୀୟ କାନ୍ତିଯୁକ୍ତ ଦାମିନୀ ମଧ୍ୟ କୋଉ ମହାରାଣୀଠୁ କମ୍ ନଥିଲେ ।
ଦାମିନୀ ପାଖ କୁଟୀରରେ ନୂଆ କରି ବିଦେଶ ମୁଲକରୁ ଆସି ରହିବା ଦିନଠୁ କୁମାର ମନରେ ପାଶବିକତା ଗଜୁରି ଉଠେ ...
-ପ୍ରେମ କମ୍ ଆକର୍ଷଣ ବହୁତ ।
ତା' ଶରୀର ରୋମାଞ୍ଚିତ ହୋଇ ପଡେ ନିଜ ଶକ୍ତ ପନ୍ଝାରେ ଦିନେ କାବୁ କରିନେବ ସେଇ ଲାସ୍ୟମୟୀ ନବାଗତା ଦାମିନୀକୁ ।
ଅକ୍ଲଶରେ ବଳପୂର୍ବକ ତା କାମନା ଲାଳସା ପୁରା କରିଦେବାର ଶକ୍ତି ଓ ସାମର୍ଥ୍ୟ ରହିଥିଲେ ବି କୁମାର ପ୍ରଥମେ ଚାହୁଁଥିଲା ଦାମିନୀର ଚିତ୍ତ ହରଣ କରିବ, ତା'ପରେ ନିଜ ମନୋରଥ ପୂରଣ କରିବ ।
ନ ହେଲେ ଏଇ କୁଟୀର ଦୁଇଟିକୁ ବିଚ୍ଛିନ୍ନ କରୁଥିବା ତାରବାଡର ଶକ୍ତି କାହିଁ ଯେ କୁମାରକୁ ପ୍ରତିରୋଧ କରି ପାରିବ ଦାମିନୀକୁ ଜୋର୍ ଜବରଦସ୍ତି ହାସଲ କରିବାରେ !!
ଦାମିନୀକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ କ'ଣ କ'ଣ ନ କରେ ସେ । ନିଜ ଉଦ୍ଦାମ ପ୍ରବୃତ୍ତିକୁ ଲୁଚାଇ ଭଲପଣିଆର ପଟା ପଟା ଛାଲ ପିନ୍ଧେ ଦାମିନୀ ଆଗରେ । ନିଜକୁ ସର୍ବଶ୍ରେଷ୍ଠ ଦେଖାଇ ହୁଏ ।
ନିୟନ୍ତ୍ରିତ ଓ ସୀମିତ ଏଇ ସାମାନ୍ୟ ବଣ ରାଇଜର ପରିଧିକୁ ଛାଡି ସବୁଦିନ ପାଇଁ ମୁକ୍ତ ହୋଇଯିବାର ସପନ ଦେଖାଏ ଦାମିନୀକୁ । ତା'ର ସମସ୍ତ ପ୍ରଚେଷ୍ଟା ବିଫଳ ହୁଏ । ଦାମିନୀ ସହଜରେ ତାକୁ ବିଶ୍ୱାସ କରେନି । କୁଆଁରୀ ମନକୁ ସଯତ୍ନେ ସାଇତି ରଖିବାକୁ ଚେଷ୍ଟାକରେ । ପ୍ରତିଥର ମୁହଁ ଫେରାଇ ନିଏ କୁମାର ଠାରୁ । କୁମାରକୁ ବାଧେ । ତା' ପୁରୁଷପଣିଆ ପାଣିଚିଆ ହୁଏ ଯେତେବେଳେ ଦାମିନୀ ପ୍ରତିଥର ଇସାରାରେ ତା'ର ଅସହମତିକୁ ଦର୍ଶାଏ ।
--କୁମାର ପାଇଁ ଅପେକ୍ଷାର ବେଳ ସକାଳର ଛାଇ ପରି ଲମ୍ବା ହେଉଥାଏ ...ଧୈର୍ଯ୍ୟ ସରି ସରି ଆସୁଥାଏ .. ବାସନା କିନ୍ତୁ ବଢୁଥାଏ । ଏ ସବୁକୁ ତାଳ ଦେଇ ନଖ ଆଉ ଆଉ ଦାନ୍ତ ସେତେ ମାତ୍ରାରେ ମୁନିଆ ହେଉଥାଏ । ସହମତି ଥିଲେ ପ୍ରୀତି ପ୍ରଣୟ, ଅସହମତିରେ ଧର୍ଷଣ !! କାମୁକପଣରେ ବିବଶ ହୋଇପଡେ କୁମାର ।
କୁମାର ପାଇଁ ପ୍ରଥମଟି ସମ୍ଭବ ହୋଇ ପାରୁନଥାଏ । ହୁଅନ୍ତା ବା କେମିତି ?? ପ୍ରେମ କୋଉ ଗଡ ଯେ ଯୁଦ୍ଧ କରି ଜିଣି ହୁଏ ବଳ ଦେଖାଇ ।
କାମରେ ନ ଲାଗିଲେ ସେ ଶକ୍ତିର କିବା ମୂଲ୍ୟ । କୁମାର ପାପ ନୟନରେ ନିଜ ଆଡକୁ ଦେଖିଲା ...କିଛି ସମୟ ନିଜକୁ ପରଖିବା ପରେ ନିଜ ଭିତରର ପଶୁତ୍ୱ ତେଜି ଉଠିଲା ଖୁବ୍ ହିଂସ୍ର ହୋଇ । ମାପି ନେଲା ନିଜ ସାମର୍ଥ୍ୟପଣିଆକୁ । ତା'ର ଶକ୍ତ ନଖ ତାରବାଡର ପାଚେରୀ ନଷ୍ଟ ବିନଷ୍ଟ କରିବାକୁ ପୁରାପୁରି ସମର୍ଥ । ଗୋଟିଏ ଲମ୍ଫରେ ପହଞ୍ଚିଯାଇ ପାରିବ ଦାମିନୀର କୁଟୀର ପାଖକୁ ....ତେଣିକି ହୃଦୟ ନିକଟକୁ ପହଞ୍ଚୁ କି ନ ପହଞ୍ଚୁ ତା' ମନୋସ୍କାମନା ତ ନିଶ୍ଚୟ ପୁରା ହୋଇଯିବ...ଥରେ ଏଥିରେ ସଫଳ ହେଲେ ପ୍ରତିଦିନ ତା'ପାଇଁ ଚାନ୍ଦେନୀ ରାତି ।
--ସବୁ ପାଶବିକ ଶକ୍ତିକୁ ଏକାଠି କରି ଗୋଟିଏ ଡିଆଁ ରେ ପହଞ୍ଚିଗଲା ଦାମିନୀ ନିକଟରେ ..କୁମାର ଦେହରେ କାମନା ବାସନାର ନିଆଁ ହୁତୁ ହୁତୁ ଜଳିବାକୁ ଲାଗିଲା । ତଥାପି ଦାମିନୀ ଥିଲା ନିର୍ଭୟା ..ଦାନବର ଉଦ୍ଦେଶ୍ୟକୁ ପୂରଣ କରିବାକୁ ଦେଉ ନଥାଏ ..ସେ ଲଢୁଥିଲା ..ତୀକ୍ଷ୍ଣ ପଞ୍ଝାରେ ରକ୍ତାକ୍ତ ହେଉଥିଲା ତଥାପି ଦୀର୍ଘ ସମୟ ଧରି ପ୍ରତିରୋଧ କରୁଥାଏ ସେ .... ଶେଷରେ ରାକ୍ଷସର ନିଷ୍ଠୁର ଆଘାତରେ ଦାମିନୀ ଲୋଟିଗଲା ଭୂଇଁ ଉପରେ ଶାନ୍ତ ହୋଇ ... ତଥାପି ସେ ଜିତି ଯାଇଥାଏ କୁମାର ଠାରୁ ନିଜ ପ୍ରାଣ ବିନିମୟରେ ...
ଏସବୁ ଘଟଣା ଘଟିଯାଉଥିଲା ଗୋଟିଏ ବିରାଟବଡ ଅଭୟାରଣ୍ୟର ବାଘ ସଫାରୀ ଭିତରେ ।
ବାଘ ଓ ବାଘୁଣୀ ଦୁହେଁ ଖୁସିରେ ଲଢୁଛନ୍ତି ଭାବି ଚତୁଃର୍ଦିଗ ଦର୍ଶକ କିଛି ସମୟ ଉପଭୋଗ କରୁଥିଲେ ଏ ଦୃଶ୍ୟକୁ । ଯେତେବେଳେ ଅସଲ କଥା ସେମାନଙ୍କ ମଗଜରେ ପଶିଲା ... ସଭିଏଁ କହିଲେ -
ନିଷ୍ଠୁର ପଶୁ !!! ପଶୁ ଶେଷରେ ତା' ପଶୁତ୍ୱକୁ ଦେଖାଇ ହିଁ ଦେଲା !!!
- ସେତେବେଳକୁ ଅଭୟାରଣ୍ୟର ଅନ୍ଧାରିବୁଦା ଆର ପଟରୁ ବି ଅତି କରୁଣ କଣ୍ଠରେ ଶୁଣା ଯାଉଥାଏ ....
ବଞ୍ଚାଅ....ବଞ୍ଚାଅ.....!!!
--କିଛି ସମୟପରେ ଅଭୟାରଣ୍ୟର ପିଞ୍ଜରାବଦ୍ଧ କୁମାର ପରି ମଣିଷବାଘଟି ଗୋଟିଏ ଡିଆଁ ରେ ବୁଦାମୂଳରୁ ଭିଡ଼ ଭିତରେ ଅଦୃଶ୍ୟ ହୋଇଗଲା ....
ଏଥର କିନ୍ତୁ ଦାମିନୀ ହାରି ଯାଇଥାଏ ।
--ଦର୍ଶକ ପୁଣି ଏ ଵୀଭତ୍ସ ଦୃଶ୍ୟ ଦେଖିବା ପରେ ଚିତ୍କାର କରିବାକୁ ଲାଗିଲେ -
ନିଷ୍ଠୁର ପଶୁ !!!!
