Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Sanjeeb Kumar Nag

Others

3.9  

Sanjeeb Kumar Nag

Others

ମିଶ୍ର ସାର

ମିଶ୍ର ସାର

4 mins
582


  ମଧ୍ୟାହ୍ନ ଭୋଜନ ବିରତି ସମୟ। ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଏମ.ଡି.ଏମ ଖାଇ ସାରି ଶ୍ରେଣୀ କକ୍ଷରେ ପାଟିତୁଣ୍ଡ କରୁଥାନ୍ତି। ନବମ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ନିଜ ନିଜ ନିଜ ଘରକୁ ଯାଇଥାନ୍ତି ମଧ୍ୟାହ୍ନ ଭୋଜନ ପାଇଁ। ସାରମାନେ ଅଫିସ ରୁମରେ କୌଣସି ଏକ ଶୀର୍ଷକରେ ତର୍କବିତର୍କରେ ବ୍ୟସ୍ତ ଥାଆନ୍ତି। ମିଶ୍ରସାର କିନ୍ତୁ ସ୍କୁଲ ପରିସରରେ ଥିବା କଦମ୍ବ ବୃକ୍ଷ ତଳେ ଚୌକି ପକେଇ ଶୀତଳ ମୃଦୁ ମଳୟର ହାଲୁକା ହାଲୁକା ସ୍ପର୍ଶରେ ଘୁମାଉଥାନ୍ତି। ମୋବାଇଲ ରିଂ ବାଜି ଉଠିବାରୁ ଚମକି ପଡି କଲ ରିସିଭ କଲେ ସେ। କିନ୍ତୁ କଲଟି ଏକତରଫା ହେବାରୁ କିଛି ଶୁଭାଗଲାନି। ଦଶ ପନ୍ଦର ଥର କଲ ଆସିଛି ଘରୁ ହେଲେ ଜାଣିପାରିନାହାନ୍ତି ସେ। ମିଶ୍ରସାରଙ୍କୁ କିଛି ଶୁଭି ନାହିଁ, ଆଖି ଲାଗିଯାଇଥିଲା ତାଙ୍କର। ଅନେକ ଥର ଘରକୁ କଲ କଲେ ମିଶ୍ରସାର, ହେଲେ ପ୍ରତିଥର କଲ ଏକତରଫା ହିଁ ହେଉଥିଲା, ମିଶ୍ରସାରଙ୍କୁ କିଛି ଶୁଭୁନଥିଲା, ସେ ଖାଲି ହେଲୋ ହେଲୋ କହୁଥିଲେ। ବ୍ୟସ୍ତ ହେଇ ପଡିଲେ ସେ, ଭାବୁଥିଲେ "ପୁଅର କିଛି ହେଇନି ତ! ନାଇଁ ନାଇଁ କିଛି ହେଇନଥିବ, ସକାଳୁ ତ ଠିକ ଥିଲା, ସ୍କୁଲ ବାହାରିଲା ବେଳେ ବାବା ବାବା କହି ଅଳି କରୁଥିଲା"। ଏମିତି ଆଶଙ୍କା ଭିତରେ ଘାଣ୍ଟି ହେଉଥାନ୍ତି ମିଶ୍ରସାର। ପୁଣି ଭାବୁଥାନ୍ତି "ସୋଫାରୁ ପଡିଯାଇନି ତ! ଦେଢବର୍ଷର ଛୁଆ, ଚାଲି ଜାଣିଲାଣି କେତେଥର ପଡିବ, କେତେଥର ଉଠିବ, ଓଠ ଫାଟିବ, ଖଣ୍ଡିଆ ହେବ, ଏଇଟାତ ସାଧାରଣ କଥା, ଏଥିରେ ମୁଣ୍ଡପୁରେଇ ଅଯଥା ବ୍ୟସ୍ତ ହେବି କାହିଁକି"। ପୁଣି ହଠାତ ଅନ୍ୟଏକ ଭାବନା ଆସେ, ପଟ୍ଟନାୟକ ସାର ଲୁହାର ନୂଆ ପାହାଚ ଲଗେଇଛନ୍ତି, ସେଥିରେ ଉପରକୁ ଚଢି ଯାଇଥିଲେ କେମିତି ହେବ, ସେଦିନବି ତ ଚଢିଥିଲା। ଏମିତି ଆଶା ଓ ଆଶଙ୍କା ମଧ୍ୟରେ କେତେବେଳେ ଚାରି ବାଜିଗଲା ଜାଣିପାରିଲେନି ମିଶ୍ରସାର। ସେଦିନ ତାଙ୍କ ବାଇକ ଖରାପ ଥିବାରୁ ତାଙ୍କର ଜଣେ ସହକର୍ମୀ ସାରଙ୍କ ସହିତ ସେ ସ୍କୁଲ ଯାଇଥିଲେ। ନିଜ ବାଇକ ନେଇ ଆସିଥିଲେ ଟିକେ ଶୀଘ୍ର ଛୁଟିନେଇ ପଳେଇଥାନ୍ତେ ଘରକୁ।

ଘରକୁ ପହଞ୍ଚିଗଲେ ମିଶ୍ରସାର। ଛାତି ଧକଧକ ହେଉଥାଏ। ଗେଟ ଖୋଲି ଭିତରକୁ ପଶିଲା ବେଳକୁ ବାବୁ ସବୁଦିନ ଦୌଡ଼ିଆସେ, ହେଲେ ଆଜି ଆସିନି। ତରତରରେ ଭିତରକୁ ପଶିଗଲେ ସେ, ଦେଖିଲେ ବାବୁ ତା ମାଆର ପଣତକୁ ଧରି ଛିଡା ହେଇଛି ଆଉ ମ୍ୟାଡ଼ମ କିଚେନରେ ମ୍ୟାଗି ତିଆରି କରୁଛନ୍ତି। ଟିକିଏ ଆଶ୍ୱସ୍ତି ଲାଭକଲେ ମିଶ୍ରସାର। ସାର୍ଟ ପ୍ୟାଣ୍ଟ ଖୋଲି ଗାମୁଛା ଖଣ୍ଡେ ପିନ୍ଧି ଧୁଆ ଧୋଇ ହେବାପାଇଁ ଚାଲିଗଲେ ବାଥରୁମକୁ। ବାଥରୁମରୁ ବାହାରି ପୋଛା ପୋଛି ହେଇ ପୁଅକୁ ଧରିବା ପାଇଁ ହାତ ବଢ଼େଇଲା ବେଳେ ତାଙ୍କ ହାତକୁ ଛିଞ୍ଚାଡି ଦେଇ ପୁଅକୁ ଟାଣିନେଲେ ମ୍ୟାଡାମ ମ୍ୟାଗି ଖୁଆଇବା ପାଇଁ। ମିଶ୍ରସାର କହିଲେ, "ଆରେ ମୋବାଇଲରେ ସିଗନାଲ ପ୍ରୋବ୍ଲେମ ହେଲେ ମୁଁ କଣ କରିବି? ସେଥିପାଇଁ ବି ମୁଁ ଦାୟୀ ନା କଣ? " ମ୍ୟାଡ଼ମ ମୁହଁ ଫୁଲେଇ ଚୁପଚାପ ଥାଆନ୍ତି। ମିଶ୍ରସାର ତାଙ୍କୁ ବୁଝେଇବାର ବୃଥା ପ୍ରୟାସ କରିଚାଲିଥାନ୍ତି। ବୃଥାପ୍ରୟାସ ଏଇଥିପାଇଁ ଯେ, ମ୍ୟାଡ଼ମ ନିଜେ ନଚାହିଁଲା ପର୍ଯ୍ୟନ୍ତ ତାଙ୍କୁ କେହି ବୁଝେଇ ପାରନ୍ତିନି। ତଥାପି ପ୍ରୟାସ ଜାରିରହିଥାଏ ସାରଙ୍କର। ଠିକ ଏତିକିବେଳେ ପହଞ୍ଚିଗଲେ ଟ୍ୟୁସନ ଛୁଆ। ମିଶ୍ରସାର ବସିପଡିଲେ ଟ୍ୟୁସନରେ। ମ୍ୟାଡ଼ମ ମ୍ୟାଗି ଖୁଆଉଥାନ୍ତି, କିନ୍ତୁ ପୁଅ ଖାଉନଥାଏ, କେବଳ କାନ୍ଦୁଥାଏ। ବାରମ୍ବାର ପାଟିଭିତରେ ଆଙ୍ଗୁଳି ପୁରାଉଥାଏ। ମ୍ୟାଡ଼ମ କଣ ହେଇଛି ଦେଖିବା ପାଇଁ ପୁଅର ପାଟି ଖୋଲି ଦେଖିଲାବେଳକୁ ତାଙ୍କର ହିଆ ଉଡ଼ିଗଲା। ରାଗରୋଷ ଭୁଲି ଦୌଡ଼ିଆସିଲେ ମ୍ୟାଡ଼ମ ମିଶ୍ରସାରଙ୍କ ପାଖକୁ। କହିଲେ, "ହେଇ ଦେଖ ବାବୁର ପାଟିଭିତରେ କଣଟେ ହେଇଛି, ଖାଇପାରୁନି, ଖାଲି କାନ୍ଦୁଛି।" ମିଶ୍ରସାର ମୋବାଇଲ ଟର୍ଚ୍ଚ ମାରି ଦେଖିଲା ବେଳକୁ ବାବୁର ତାଳୁରେ ଗୋଟେ ଫୁଲା ବାହାରିଛି। ପାଟି ଭିତରେ ଆଙ୍ଗୁଳି ପୁରେଇ ଦେଖିଲା ବେଳକୁ ହାତକୁ ଖଦଡ଼ା ଲାଗୁଛି। ମ୍ୟାଡ଼ମଙ୍କ କାନ୍ଦ ଶୁଣି ପାଖରେ ଥିବା ମାଣିକ ମ୍ୟାଡ଼ମ ଦୌଡ଼ିଆସି ଦେଖିଲେ। ଛୁଆ କାନ୍ଦୁଥାଏ, ମିଶ୍ରସାର ଙ୍କର ଟେନସନ ବଢିଚାଲିଥାଏ। ମାଣିକ ମ୍ୟାଡ଼ମଙ୍କ ଠାରୁ ଖବର ପାଇ ପଡୋଶୀ ରାଉତ ସାର, ପଟ୍ଟନାୟକ ସାର, ପାଢ଼ୀ ସାର ସମସ୍ତେ ଠୁଳ ହେଇଗଲେ। ମିଶ୍ରବାବୁ ଡାକ୍ତରଙ୍କ ପାଖକୁ ନେବାକୁ ବାହାରିଲା ବେଳକୁ ଜଣେ ସାର କହିଲେ ତାଳୁ କଣା ହେଇଛି ବୋଧେ, କଣ ଗୋଟେ ଧାରୁଆ ଜିନିଷ ପାଟିରେ ପୁରେଇ ଦେଇଥିବ ଛୁଆଟା। ଘରଠୁ ପ୍ରାୟ ପାଞ୍ଚ ଶହ ମିଟର ଦୂରରେ ଥିବା ଡାକ୍ତରଙ୍କ ବସାକୁ ନେଇଗଲେ ମିଶ୍ରସାର ଛୁଆ ଟିକୁ। ଡାକ୍ତରବି କିଛି ସଠିକ କଥା କହି ପାରିଲେନି। କେମିତିବା କହିଥାନ୍ତେ ଛୁଆଟାତ ଜମାରୁ ପାଟି ଖୋଳୁନଥିଲା, ଖାଲି କାନ୍ଦୁଥିଲା। କେସିଙ୍ଗା ଯାଇ ଶିଶୁରୋଗ ବିଶେଷଜ୍ଞ ଙ୍କୁ ସାକ୍ଷାତ କରିବାକୁ ପରାମର୍ଶ ଦେଇ ଡାକ୍ତରବାବୁ ନିଜ ଦାୟୀତ୍ୱ ସାରିଦେଲେ। ପଡୋଶୀ ଲୋକଙ୍କ ମଧ୍ୟ ସେଇ ଏକା ପରାମର୍ଶ, ଡେରି କରନି, ସକାଳୁ ସକାଳୁ କେସିଙ୍ଗା ନିଅ।

  ମିଶ୍ରସାରଙ୍କ ମୁଣ୍ଡ କାମ ଦଉନଥାଏ। ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଭିକ ମୁଠାଏ ପାଇଲା ଭଳି ଦରମା, ଦିନ ମଜୁରିଆବି ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କଠୁ ଅଧିକ ରୋଜଗାର କରେ, ସେଥିରେ ପୁଣି ତିନି ତିନି ମାସ ହେଲାଣି ଦରମା ମିଳିନି। ନିଜ ହକ ପାଇଁ ଆନ୍ଦୋଳନ କରିଥିବାରୁ ଦଣ୍ଡ ସ୍ୱରୂପ ଶେଷ ଦୁଇମାସର ଦରମାବି ମିଳିବନି। ଛୁଆ କାନ୍ଦି କାନ୍ଦି ଶୋଇ ପଡିଛି, ମା' କ୍ଷୀରବି ପିଇନି। ଛୁଆର ଦୁଇପଟେ ସ୍ୱାମୀ ସ୍ତ୍ରୀ ଦୁହେଁ ନିର୍ଜୀବ ପ୍ରାଣୀଭଳି ଗଡିଛନ୍ତି ସିନା, ହେଲେ ଆଖିରେ ନିଦ ନାଇଁ। ମ୍ୟାଡ଼ମଙ୍କ ଆଖିରୁ ଧାର ଧାର ହେଇ ଲୁହ ଝରିପଡୁଛି। ଛାତିର କୋହକୁ ଛାତି ଭିତରେ ଚାପି ରଖିଛନ୍ତି ମିଶ୍ରସାର।

  କିଛି ସମୟର ନୀରବତା ପରେ ମିଶ୍ରସାର ମୋବାଇଲ ଧରି ଗେଟ ବାହାରକୁ ଚାଲିଗଲେ। ତାଙ୍କର ଜଣେ ଦୁଇଜଣ ଡାକ୍ତର ବନ୍ଧୁଙ୍କୁ ମଧ୍ୟ ପଚାରି ବୁଝିଲେ। ସେମାନେ କ୍ଲେଫ୍ଟ ପେଲେଟ ନା କଣ ଗୋଟେ ଟର୍ମ ବ୍ୟବହାର କଲେ, ସେକଥା ସେମାନେ ହିଁ ବୁଝିବେ। କିଛି ବନ୍ଧୁ ସ୍ମାଇଲ ସଂସ୍ଥାକୁ ନେଇ ବିନା ମୂଲ୍ୟରେ ଚିକିତ୍ସା କରେଇବାର ପରାମର୍ଶ ଦେଲେ। ସହକର୍ମୀ ସଞ୍ଜୀବ ସାରଙ୍କୁ କଲ କରି ସବୁକଥା କହିବାରୁ ସେ ତାଙ୍କୁ ଆଶ୍ୱାସନା ଦେଇ ସକାଳେ ଛୁଆଟିକୁ ସାଥୀରେ ନେଇ ଏଇ ଅଞ୍ଚଳର ପ୍ରସିଦ୍ଧ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ ସାହୁଙ୍କ ପାଖକୁ ଯିବା ବୋଲି କହିଲେ। କର୍ଲାମୁଣ୍ଡା ଠାରୁ ପ୍ରାୟ ତିରିଶି କିଲୋମିଟର ଦୂରରେ ଥିବା ତାଙ୍କ ବଡ ଭାଇଙ୍କୁ ମଧ୍ୟ ଜଣେଇଲେ ମିଶ୍ରସାର ତାଙ୍କ ପୁଅର କଥା।

ଟଙ୍କା ପଇସା ଯୋଗାଡ଼ କରି ସକାଳୁ ସକାଳୁ ପହଞ୍ଚି ଗଲେ ମିଶ୍ରସାରଙ୍କ ବଡଭାଇ କର୍ଲାମୁଣ୍ଡାକୁ। ମିଶ୍ରବାବୁବି ପଡୋଶୀଙ୍କ ଠାରୁ ଧାର କରଜକରି କିଛି ଟଙ୍କା ଯୋଗାଡ କରିଥାନ୍ତି। ଅଭାବେ ସ୍ଵଭାଵ ନଷ୍ଟ ଭଳି କେବେ କାହାପାଖରେ ହାତ ପତାଉ ନଥିବା ମିଶ୍ରସାର ନିଜ ସ୍ୱାଭିମାନର ବଳିଦେଇ, ବହୁ କଷ୍ଟରେ ଟଙ୍କା ଯୋଗାଡ କରିଥାନ୍ତି। ଛୁଆଟା ରାତିରେ କାନ୍ଦିକାନ୍ଦି ଅନିଦ୍ରା ହେଇ ଶୋଇଛି, ତେଣୁ ତାକୁ କେହି ଉଠଉନଥାନ୍ତି। ପଡୋଶୀ ତଥା ସମ୍ପର୍କୀୟଙ୍କ ଭିଡ ବଢ଼ିବାରେ ଲାଗିଥାଏ ମିଶ୍ରବାବୁଙ୍କ ଘରେ। 

  କେସିଙ୍ଗା ଯିବାକୁ ସଜବାଜ ହେଇ ବିଛଣା ପାଖରେ ବସି ପୁଅକୁ ଉଠେଇ କାନ୍ଧରେ ଧରିଲେ ମିଶ୍ରସାର। ଏତିକିବେଳେ ଛୁଆଟାବି ଉଠି ପଡ଼ିଲା। ମିଶ୍ରସାରଙ୍କ ମୁହଁକୁ ଦେଖି ମୁଲ କରି ମୁରୁକି ହସଟେ ହସିଦେଲା ବାବୁ। ସାର କାନ୍ଦିବେ କି ହସିବେ ବୁଝିପାରୁନଥିଲେ। ଛୁଆର ପାଟିରେ ଆଙ୍ଗୁଳି ପୁରେଇ ଦେଖିଲା ବେଳକୁ ତାଳୁରେ ଆଉ କୌଣସି ଫୁଲା ନଥିଲା କି ବାବୁବି ଆଉ କାନ୍ଦୁ ନଥିଲା। ଦୁଇ ତିନିଥର ଭଲକରି ଦେଖିଲେ ମିଶ୍ରସାର, ତାଳୁରେ ତ କିଛି ନଥିଲା ହେଲେ ସାରଙ୍କ ଆଙ୍ଗୁଳିରେ ଲଟକି ଥିଲା ଗୋଟେ "ଆଳୁ ଚୋପା"।


Rate this content
Log in