ମେନେଞ୍ଜାଇଟିସ
ମେନେଞ୍ଜାଇଟିସ
ପାଞ୍ଚ ମାସ ଯାଏଁ ଚିକିତ୍ସା ହେବା ପରେ କିଛି ମାତ୍ରାରେ ସୁସ୍ଥତା ଅନୁଭବ କରି ଘରକୁ ଫେରିଥାନ୍ତି ପ୍ରତିମା । ଦେହରେ ଆଉ ନଥାଏ ପୂର୍ବର ଚମକ, ମୁହଁ ଠୁ ହାତ ଗୋଡ ଯାଏଁ ସବୁ ପତଳା । ପିଲାଙ୍କୁ ଘଡିଏ କୋଳରେ ବସେଇ ରଖିବାକୁ ମଧ୍ୟ ବଳ ନଥାଏ ତାଙ୍କଠି । ତଥାପି କୁନି କୁନି ଦୁଇ ପିଲାଙ୍କ ପାଖରେ ବସେଇ ଗେଲ କରୁଥାନ୍ତି, ଟିକି ପାଦ ବଢେଇ ଚାଲିବା ଆରମ୍ଭ କରୁଥିବା ପିଲାଙ୍କ ପରି କମ କମ ବାଟ ବଢି ଅଗଣାରେ ଯାଇ ଶାଶୁଙ୍କ ପାଖେ ଯାଇ ବସନ୍ତି ।
ପ୍ରତିମା ଜଣେ ଶିକ୍ଷୟତ୍ରୀ । ଗଣିତରେ ତାଙ୍କ ହାତ ବେଶ ସୁନ୍ଦର । ପିଲାଙ୍କ ମନରେ ଗଣିତ ଭୟ ବେଶୀ ଥାଏ ବୋଲି ସେ ପିଲାଙ୍କ ମନ ମୁତାବକ ଗଣିତ ପଢେଇ ତା ପ୍ରତି ଥିବା ସବୁ ଭୟକୁ ଦୂରେଇ ରଖନ୍ତି । ତାଙ୍କ ଯୋଗୁଁ ପ୍ରାୟ ସବୁବର୍ଷ ମାଟ୍ରିକ ପରୀକ୍ଷାରେ ପିଲାମାନେ ଗଣିତରେ ଭଲ ନମ୍ବର ରଖନ୍ତି । କେବଳ ପିଲାଙ୍କ ସେ ପ୍ରିୟ ଥିଲେ ତା ନୁହେଁ ବିଦ୍ୟାଳୟରେ ସହକର୍ମୀ ଗହଣରେ ମଧ୍ୟ ତାଙ୍କ ଚାହିଦା ଅଧିକ । ସେ କେବେ କାହାରିକୁ ନରାଗି ମିଠା ପଦ ଭିତରେ ଠିକ୍ ଭୁଲ୍ ବୁଝେଇ ପରିବେଶକୁ ସମ୍ଭାଳି ରଖନ୍ତି । କେବଳ ଏତିକି ନୁହେଁ ତାଙ୍କ ପାଇଁ ତାଙ୍କ ବିଦ୍ୟାଳୟର ଭାଟି ବି ହସେ, ଫୁଲର ପେନ୍ଥାରେ ସଜେଇ ହୋଇଥାଏ । ହେଲେ ଏଇ ଦେହ ଖରାପ ହେବା ଦିନରୁ ସବୁକିଛି ଖାଲି କାଲି ହୋଇଯାଇଛି । ପିଲାମାନେ ତାଙ୍କୁ ଝୁରୁଛନ୍ତି, ଝୁରୁଥାନ୍ତି ଗଛଲତା ଫୁଲବଗିଚା । ଶିକ୍ଷକ ଗହଣରେ ମଧ୍ୟ ଥାଏ ଫାଙ୍କା ଓ ଶୂନ୍ୟତା ।
ପ୍ରତିମା ବାଙ୍ଗାଲୋରରୁ ଫେରିବା କଥା ଜାଣିବା ପରଠୁ ତାଙ୍କୁ ଦେଖା କରିବାର ଭିଡ ଜମୁଛି । କେତେବେଳେ ପିଲାମାନେ ଆସୁଛନ୍ତି ତ ଆଉ କେତେବେଳେ ଆସନ୍ତି ପୂର୍ବରୁ ପଢିସାରିଥିବା ପିଲା । ଆଉ କେତେବେଳେ ଶିକ୍ଷକଗଣ ତ ଆଉ କେତେ ଚିହ୍ନା ପରିଚୟ । ଏଇ ମିଳନ କରିବାକୁ ଆସୁଥିବା ଲୋକଙ୍କ ଭିତରେ ଆସନ୍ତି ନରେଶ । ନରେଶକୁ ଦେଖୁ ଦେଖୁ ଚିହ୍ନି ଯାନ୍ତି ପ୍ରତିମା ହେଲେ ନିଜ ଗୁରୁମାଆଙ୍କୁ ଚିହ୍ନି ମଧ୍ୟ ଆଶ୍ଚର୍ଯ୍ୟାନ୍ବିତ ହୋଇ ରହିଥାନ୍ତି ନରେଶ । ନରେଶ ହେଉଛନ୍ତି ପ୍ରତିମାଙ୍କ ଶିକ୍ଷାବର୍ଷ ପ୍ରଥମ ଛାତ୍ର ଯିଏ ଆଜି ନିଜେ ଶିକ୍ଷକ ହେବାର ଯୋଗ୍ୟୋଆ ପାଇସାରିଛି । ତା ସହ ନରେଶ ପ୍ରତିମାଙ୍କୁ ସବୁବେଳେ ବେଶୀ ଆଦର କରେ କାରଣ ତାଙ୍କ ପାଇଁ ସେ ମଣିଷ ହୋଇଛି । ଯେଉଁ ଗଣିତକୁ ଘୃଣା କରି ଦିନେ ବିଦ୍ୟାଳୟ ଛାଡିଥିଲା ସେଇ ଗଣିତକୁ ମୁଖସ୍ଥ କରି ଆଜି ତା ଯୋଗୁଁ ପରିଚୟ ପାଇଛି । ସେ ଗୁରୁମାଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଗଣିତ ଶିକ୍ଷକ ହୋଇଛି ।
ନରେଶ ଆସିବା ପରେ ପ୍ରତିମା ତା ପାଇଁ କିଛି ଜଳଖିଆ ଆଣିବାକୁ ଆଦେଶ ଦିଅନ୍ତି । ନରେଶ ନାହିଁ ନାହିଁ କଲେ ମଧ୍ୟ ପ୍ରତିମା କଥା ଲମ୍ବା ହେବାର ଅଛି କହି ପ୍ଲେଟ ହାତରେ ଧରେଇ ଦିଅନ୍ତି । ନରେଶ ଏଇ ଭିତରେ ଗୁରୁମାଆଙ୍କୁ ଭୟ ଭୟରେ ପଚାରେ ରୋଗର ବିଷୟରେ । ହସ ହସ ବଦନେ ସେ କହନ୍ତି ମେନେଞ୍ଜାଇଟିସ ।
"ମେନେଞ୍ଜାଇଟିସ । କେମିତି ହେଲା ।" ଆଶ୍ଚର୍ଯ୍ୟ ସହ ପଚାରିଲେ ନରେଶ । ପ୍ରତିମା କହିଲେ ସବୁବେଳେ ମୁଣ୍ଡ ଦରଜ ହେଉଥାଏ । ଭାବିଲି ଥଣ୍ଡା କି ଚିନ୍ତା ଯୋଗୁଁ ହେଉଛି । ଡାକ୍ତରଙ୍କ ବିନା ପରାମର୍ଶରେ ଦରଜ କମିବାର ଔଷଧ ଖାଇ ଖାଇ ସବୁବେଳେ ବିତେଇ ଚାଲିଲି । ହଠାତ୍ ରୂପ ହେଲା ଭୟଙ୍କର । ପରୀକ୍ଷା ପରେ ଜଣାପଡିଲା ଦେହ ମୋର ବିଶାଳ ଏକ ଭୟଙ୍କର ରୋଗର ଘର । ଶରୀରରେ କୃମି ହୁଏ ପୁଣି ଛାଡିଯାଏ ହେଲେ କିଛି କୃମି ଏତେ ଶକ୍ତିଶାଳୀ ଥାନ୍ତି ଯେ ସେମାନେ ଶରୀରରେ ବଂଶ ବିସ୍ତାର କରିବସନ୍ତି । ଠିକ୍ ସେମିତି ହିଁ ହେଲା । ଅଜାଣତରେ କୃମି ଶରୀରରେ ବାସ କଲେ । ସଠିକ ସମୟରେ ସଠିକ ଔଷଧ ନପାଇ ସେମାନଙ୍କ ବଂଶ ବଢିଲା, ବିସ୍ତୃତ ହେଲେ । ପେଟରୁ ଆରମ୍ଭ କରି ସଂପୂର୍ଣ୍ଣ ଶରୀରକୁ ନାଶ କଲେ ଏମିତିକି ଶେଷରେ ମସ୍ତିସ୍କକୁ ମଧ୍ୟ କଲେ ତାଙ୍କ ଆହାର ।
"ଗୁରୁମାଆ ! ଏମିତି କଣ କହୁଛନ୍ତି ଆପଣ " ଆହୁରି ଅଧିକ ଭୟାବହ ଆଶ୍ଚର୍ଯ୍ୟ ହୋଇପଡିଥିଲେ ନରେଶ । ତଥାପି ହସି ହସି କହିଲେ ପ୍ରତିମା ସବୁ ତ ସତ କହୁଛି ଯାହା ଘଟିଛି ଆଉ ଘଟିବାର ଅଛି। ସେ ପୁଣି କହିଲେ ଏବେ ମୋ ମସ୍ତିସ୍କର ଯେଉଁ ଖୋଳପା ଦେଖୁଛ ସବୁ ଉପରେ ଟାଣ ହେଲେ ଭିତରୁ ଛୋଟ ଛୋଟ ଅସଂଖ୍ୟ ଛିଦ୍ରରେ ପୂର୍ଣ୍ଣ । ମେନେଞ୍ଜାଇଟିସ ରୋଗ ହିଁ ସେଇଟା । ଯେଉଁଥିରେ ରେଗୀର ଶେଷ ଅବସ୍ଥା ଆସିଯାଏ । ଆପାଦ ମସ୍ତକ ସବୁକିଛି ଫମ୍ପା ହୋଇଯାଏ ।
ନରେଶ ଆଖିରୁ ଗଡିପଡେ ଲୁହ । ସେ ଏତେ ଭୟଙ୍କର ପରିସ୍ଥିତିରେ କେବେ ନିଜ ଗୁରୁମାଆଙ୍କୁ କଳ୍ପନା କଳିନଥିଲେ । ଭାବୁଥିଲେ କିଛି ଦିନ ପରେ ପୁଣି ଠିକ ହୋଇଯିବେ ହେଲେ ତାଙ୍କୁ ଦେଖି ତ ସେମିତି କିଛି ଲାଗୁନଥିଲା। ଏଇ ଭାବନାରେ ଥିବା ବେଳେ ପ୍ରତିମା ପୁଣି କହନ୍ତି ଭଲ ଜଣେ ଶିକ୍ଷକ ହେବ । ପିଲାଙ୍କୁ ଗଣିତ ର ମଧୁରତା ବାଣ୍ଟିବ । ଆଉ ହଁ କଣ ଭାବୁଛ ମୁଁ ଥକି ଯାଇଛି, ହାରିଯାଇଛି । ନାଇଁ । ଏଯାଏଁ ମୁଁ ଥକି ନାହିଁ । ଯଦି ବିଶ୍ଵାସ ନାହିଁ ଚାଲ ବିଦ୍ୟାଳୟର କଳାଚାଦର ଆଗକୁ । ଧର ହାତରେ ଧଳା ଚକ । ଆରମ୍ଭ କର ଗଣିତ କଷା । ଦେଖିବା କିଏ କେତେ ଶୀଘ୍ର ସମାଧାନ କରିପାରିବା । ନାଇଁ ଗୁରୁମାଆ ନାଇଁ । ମୁଁ ଜାଣେ ଆପଣ ସିନା ଥକି ନାହାନ୍ତି ହେଲେ ମୁଁ ତ ଅଳସୁଆ । ମୋତେ ଆପଣଙ୍କ ପରିକା ଚାଲିବା ଆସେନି ।
ପ୍ରତିମା ନରେଶର କଥା ଶୁଣି ନିଜ ଗୁରୁମାଆ ହେବାର ହକରେ ଟିକେ ରାଗି ଯାଇ କହନ୍ତି ଜୀବନରେ ଥକିଗଲି ବୋଲି କେବେ ଭାବିବନି । ଯେବେ ଥକିଗଲି କହି ହାରିଯିବ ସେବେ ଜୀବନ ବଂଚିବା କଷ୍ଟ ହେବ । ହେଲେ ଯେତେ ଦିନ ଯାଏଁ ଜୀବନରେ ନଥକି ଜୀବନକୁ ଥକାଉଥିବ ସେତେଦିନ ପର୍ଯ୍ୟନ୍ତ କଷ୍ଟମୟ ଜୀବନ ମଧ୍ୟ ସୁଖ ଦେଉଥିବ । ଏମିତି କେତେ କଥା ଭିତରେ ଡେରି ରାତି ହୁଏ । ନରେଶ ଗୁରୁମାଆଙ୍କଠୁ ବିଦାୟ ମାଗି ଘରକୁ ଫେରନ୍ତି ।
ପାହାନ୍ତିଆ ସକାଳୁ ସାଙ୍ଗର ଫୋନରେ ନିଦ ଭାଙ୍ଗେ ନରେଶର । ଖବର ଆସେ ପ୍ରତିମା ଗୁରୁମାଆ ଆଉ ନାହାନ୍ତି । ଭୋର ଚାରିଟା ପାଖାପାଖି ସେ ସଭିଙ୍କୁ ଛାଡି ଚାଲିଯାଇଛନ୍ତି । ନିସ୍ତବ୍ଧ, ଶୋକାତୁର ନରେଶ ହଜିଯାଏ ଗୁରୁମାଆଙ୍କ ସ୍ମୃତିରେ ।
