puspanjali das

Others

3  

puspanjali das

Others

ମାତୃତ୍ୱର ସ୍ପର୍ଶ

ମାତୃତ୍ୱର ସ୍ପର୍ଶ

4 mins
182



   ନର୍ସିଂହୋମର ବେଡ଼ ଉପରେ ସଦ୍ୟଜାତ ଯାଆଁଳା ଛୁଆ ଦୁଇଟିକୁ ଏକା ସାଙ୍ଗରେ କୋଳେଇ ନେଇଥିଲା ଫୁଲ । କେମିତି କେଜାଣି କୋଉଠୁ ଅସରନ୍ତି ବଳ ତା' ବାହୁ ଯୁଗଳରେ ଆସିଯାଇଥିଲା ! ଦୁଇଟି ଜୀବନକୁ ଦୁନିଆକୁ ଆଣିବାର ସବୁ କଷ୍ଟ ସତେ ଯେମିତି ଅନେକ ଦୂରକୁ ଚାଲି ଯାଇଥିଲା ! ବୋଉର ବାରଣ ସତ୍ତ୍ୱେ ଏକା ସାଙ୍ଗରେ କୋଳକୁ ଟାଣିନେଇ କୋଉ ଏକ ଅଜଣା, ଅଭୁଲା ସ୍ପନ୍ଦନକୁ ଅନୁଭବ କରି, ଯେମିତି ନିଜ ଭିତରେ ସବୁଦିନ ପାଇଁ ସେ ମୁହୂର୍ତ୍ତଟିକୁ ସାଇତି ରଖିବାର ଚେଷ୍ଟା କରୁଥିଲା ! 

  କୋଳରେ ଝିଅ ଦୁଇଟିଙ୍କୁ ଯାକି ଧରି ଭାବନାର ଜାଲରେ ଯେମିତି ଛନ୍ଦି ହୋଇ ପଡୁଥିଲା । ମନ ଭିତରକୁ ଧସେଇ ହୋଇ ପସିଆସିଥିଲା କିଛି ଘଣ୍ଟା ତଳର ଘଟଣାଟି..   

 ଚେୟାର ଉପରେ ବସି କାନ୍ଥକୁ ଆଉଜି ପଡିଥିଲା । ଆଖି ତାର ଟିକେ ବନ୍ଦ ହୋଇ ଆସୁଥିଲା, ଦେହର କଷ୍ଟ ସାଙ୍ଗକୁ ମନର ଉଦଵେଗ ଯେମିତି ତାକୁ ଦୂର୍ବଳ କରିପକାଉଥିଲା । ବଡ଼ ଭାଇଙ୍କ ନାଆଁଟି ବୋଉର ପାଟିରୁ ଦୂରରୁ ଶୁଣିପାରି ପ୍ରକୃତିସ୍ଥ ହୋଇଥିଲା । ଆଖି ଖୋଲିଲା ବେଳକୁ ବଡ ଭାଇଙ୍କୁ ସାମ୍ନାରେ ସ୍ଥିର ହୋଇ ଠିଆ ହେବାର ଦେଖି ପ୍ରଥମେ ଚମକି ପଡିଥିଲା, ତର ତର ହୋଇ ଉଠିପଡିବାକୁ ଚେଷ୍ଟା କରିଥିଲା, ହେଲେ, ପେଟ ଭିତରେ ବଢୁଥିବା ଛୁଆ ଦୁଇଟି ସତେ ଯେମିତି ବାହାର ଦୁନିଆ ଦେଖିବାକୁ ବିକଳ ହୋଇପଡୁଥିଲେ, ତାକୁ ଗୋଡ଼ରେ ଗୋଇଠା ମାରି ମାରି ମନେ ପକାଇ ଦେଉଥିଲେ ସେମାନଙ୍କର ଉପସ୍ଥିତି ! ! ଗୋଟିଏ ହାତରେ ପେଟକୁ ଟିକେ ଧରି ରଖି , ପୁଣି ଉଠିବାକୁ ଫୁଲ ଚେଷ୍ଟା କରିଥିଲା । ଏଥର କିନ୍ତୁ ଭାଇ ତାକୁ ଉଠିବାକୁ ଦେଇନଥିଲେ, କାନ୍ଧରେ ହାତଟି ତାଙ୍କର ରଖିଦେଇ ସେଇ ଚେୟାରରେ ସେମିତି ବସାଇଦେଇଥିଲେ । ପାଖରେ ବସି ଯାଇ ତା'ମୁଣ୍ଡରେ ହାତ ଟିକିଏ ବୁଲାଇ ଆଣିଥିଲେ । ଫୁଲ ଭାଇଙ୍କର ଏଭଳି ବ୍ୟବହାରରେ ଆଶ୍ଚର୍ଯ୍ୟ ହୋଇ, ତାଙ୍କ ମୁହଁକୁ ଭଲକରି ଅନାଇଥିଲା । ଯୋଉ ଭାଇଙ୍କୁ ସିଏ ଛୁଆଟି ପାଖରୁ ପ୍ରବଳ ଡରୁ ଥିଲା, କେତେବେଳେ ହେଲେ ପାଖରେ ବସି କିଛି ବି ଦୁଃଖ ସୁଖ ହେବାକୁ ସାହସ କରିନଥିଲା, ସେଇ ଭାଇର ଆଖିରେ ଢଳ ଢ଼ଳ ଲୁହ , ଯାହାକୁ ବହୁତ କଷ୍ଟରେ ତା'ଭାଇ ଲୁଚାଇବାକୁ ଚେଷ୍ଟା କରୁଥିଲେ ! ଶୁଖିଲା ମୁହଁରୁ ତା'ର ଅସ୍ପଷ୍ଟ କଥା ପଦୁଟିଏ ବାହାରି ଆସିଥିଲା-ଭାଇ, କ'ଣ ହେଲା ? ବୋଉ ପରା ତୁମକୁ ଡାକୁଛି ! ଭାଇ କିନ୍ତୁ ବୋଉର ଡାକ ନ ଶୁଣିଲା ଭଳି ତାକୁ ପଚାରି ଦେଇଥିଲେ-କେତେବେଳୁ ଏ ଆଇରନଟା ଲଗେଇଛୁ ? ସେତକ ଶୁଣୁ ଶୁଣୁ ଫୁଲର ମନେପଡିଯାଇଥିଲା-ସିଏ ତ ଅମରଙ୍କ ସାର୍ଟ ଆଇରନ କରିବାକୁ ଲଗେଇଥିଲା, କେତେ ସମୟ ହୋଇଗଲାଣି, ଜାଣିପାରିନି ! ! ଡର ଓ ଆଶଙ୍କାରେ ଯେମିତି ସହମି ଯାଇଥିଲା ! ସାମ୍ନାରେ ଟେବୁଲ ଉପରେ ଆଇରନ ନ ହୋଇଥିବା ସାର୍ଟଟିକୁ ପଡିଥିବାର ଦେଖି କଣ କହିବ ଭାବି ପାରୁ ନଥିଲା ! ଏକଥାକୁ ତ ସିଏ ଆଉ ଭାଇଙ୍କ ପାଖରୁ ଲୁଚାଇ ପାରିବନି ! ବାହାଘର ପରେ ପରେ ବାପା ତାର ଆର ପାରିକୁ ଚାଲି ଯାଇଥିଲେ, ବଡ଼ ଭାଇ ତାର ବାପ ଭଳି ସବୁକିଛି ବୁଝି ଆସୁଥିଲେ, କୋଉଥିରେ ଟିକିଏ ବି ଅସୁବିଧା କରିନଥିଲେ । ଏମିତି କି ତା'ରି ସୁବିଧା ପାଇଁ ଯାଆଁଳା ଛୁଆ ଦୁଇଟିଙ୍କୁ ଭଲରେ ଜନ୍ମ କରିବ ବୋଲି, ନିଜ ଘରର ଭଡା ରହୁଥିବା ଲୋକଙ୍କୁ ବିଦା କରିଦେଇ, ସେଇଠି ତା'ର ପୂର୍ଣ୍ଣ ସ୍ୱାଧୀନତାରେ ରହିବାଇ ବ୍ୟବସ୍ଥା ମଧ୍ୟ କରାଇଦେଇଥିଲେ । ଅମରଙ୍କର କୌଣସି ପ୍ରକାର ଅସୁବିଧା ନ ହେବାର ସବୁ ବ୍ୟବସ୍ଥା ମଧ୍ୟ କରାଇ ଦେଇଥିଲେ । 

   ଫୁଲ କିନ୍ତୁ କେବେହେଲେ ନିଜର ସୁବିଧା ଅସୁବିଧା ମୁହଁ ଖୋଲି, ତା' ଭାଇଙ୍କୁ କହିପାରିନଥିଲା ! ମନ ଭିତରେ ତାର ବଡ଼ ଭାଇଙ୍କ ପ୍ରତି ଡର ଓ ସମ୍ମାନ ଯଥେଷ୍ଟ ଥିଲା, ତା' ସାଙ୍ଗକୁ ତା' ଭାଇଙ୍କର ସିଧା ସିଧା ମୁହଁରେ ଶୁଣାଇଦେବା ଗୁଣଟା ମଧ୍ୟ ମନ ଭିତରେ ରହିଥିଲା ! ବାପଘର ଓ ଶାଶୁଘରର ସମ୍ପର୍କ ଭଲ ରଖିବାକୁ ଯାଇ, ସବୁ ସହିଯାଉଥିଲା ! ତା'ର ଭାଗ୍ୟକୁ କେବେ ଦୋଷ ବି ଦେଇପାରୁନଥିଲା ! କାରଣ, ନିଜ ବୋଉର ସଂଘର୍ଷମୟ ଜୀବନଟା ତା'ମନ ଭିତରେ ରହିଥିଲା, ଆଉ ତା'ର ସେଇ ପୁରୁଣା କାଳିଆ କଥା ଦୁଇପଦ ଯେମିତି ତା'ମନ ଭିତରେ ଘର କରିଦେଇଥିଲେ-"ଘର କରିଥିଲେ ପଥର ପଡିଲେ ସହି" ! ! 

     ବଡ ଭାଇ ତାର ଖୁବ ଜୋରରେ ଉଠିଚାଲି ଯାଇଥିଲେ ତା'ପାଖରୁ, ହୁଏତ ନିଜ ମୁହଁର ଭାବକୁ ଫୁଲ ପାଖରେ ଅସ୍ପଷ୍ଟ କରିବାକୁ ! ଦୁଇ ବଡ଼ ଭାଇଙ୍କର ଗେହ୍ଲା ସାନ ଭଉଣୀଥିଲା ଫୁଲ । ସାନଭାଇ ତାର ଅଳ୍ପ କେଇ ମୁହୂର୍ତ୍ତ ପରେ ତା', ପାଖକୁ ଧାଇଁ ଆସିଥିଲେ, ରାଗ ଓ ଆଶଙ୍କାରେ ମୁହଁଟା ଯେମିତି ତାଙ୍କର ରଙ୍ଗ ବଦଳାଇ ଦେଇଥିଲା ! ଫୁଲର ମୁହଁକୁ ଅନାଇ କହି ଉଠିଥିଲେ-ମତେ କହିଲୁନି ? ? ତତେ ଆଇରନ କରିବାକୁ କିଏ କହିଲା ? ? ଡାକ୍ତର ପରା ଠିଆ ହେବାକୁ ତତେ ମନା କରିଛନ୍ତି । ପୁରା ବେଡ଼ ରେଷ୍ଟ । ତୋ ନିଜ କଥା ନ ହେଲା ନାଇଁ, ପିଲା ଦୁଇଟାଙ୍କ କଥା ଥରେ ଭାବୁନୁ ! ! ସେମାନେ ବଞ୍ଚିବେ ତ ? ଡେଲିଭରି ଟାଇମ ପୁରା ହୋଇ ଗଲାଣି, ଏତେ କେୟାରଲେସ କେମିତି ହେଉଛୁ ? ତୁ କଣ ଭାବୁଛୁ , ତୁ କିଛି ନ କହିଲେ, ଆମେ ଏଠି କେହି କିଛି ଜାଣିପାରୁନୁ ! ! 

    ସାନଭାଇ ତା'ର ଅମରଙ୍କର ସବୁ ସାର୍ଟ ପ୍ୟାଣ୍ଟ ଆଇରନ କରି ତା'ପାଖରେ ଥୋଇ ଦେଇଥିଲେ, ଆଉ ଫୁଲ କିଛି କହିବା ପୂର୍ବରୁ ବେଡ଼ ଉପରେ ବଡ଼ ଆଟାଚିଟି ଅଧାଖୋଲା ଅବସ୍ଥାରେ ପଡିଥିବା ଦେଖି, ଧୀରେ ଧୀରେ ସେଇଟିକୁ ମଧ୍ୟ ସଜାଡି ଦେଇଥିଲେ । ଫୁଲ ସେଇଠି ବସି ସବୁ ବଡ଼ ବଡ଼ ଆଖିରେ ଦେଖୁଥିଲା, ହେଲେ ଦେହରେ ତା'ର ଟିକିଏ ବି ବଳ ନଥିଲା ସାନଭାଇକୁ ମନା କରିବାକୁ ! ଜାଣିଥିଲା, ସିଏ ଅନେକ କଥା ନ କହିଲେ ବି ସାନଭାଇ ତାର ଜାଣିପାରନ୍ତି ବୋଲି ! ଅଳ୍ପ ବୟସର ପାର୍ଥକ୍ୟ ଥିବାରୁ, ତାଙ୍କ ସାଙ୍ଗରେ ତାର ଅନ୍ତରଙ୍ଗତା ଅଧିକଥିଲା । ସାନଭାଇ ତା'ର ଅନ୍ୟ ରୁମକୁ ଯିବା ପୂର୍ବରୁ ପୁଣିଥରେ ତାଗିଦ କରିଦେଇଥିଲେ-ତୁ ଆଉ କିଛି କରିବୁନି । ଯା- ଚୁପଚାପ ଶୋଇ ପଡେ । ଯାହା କିଛି ଦରକାର ହବ, ମତେ କି ବୋଉକୁ କହିବୁ । ଫୁଲ ମନ୍ତ୍ରବତ ବେଡ଼ରୁମକୁ ଉଠିଯାଇଥିଲା । ଅଳ୍ପ ସମୟ ପରେ ଅମର ବି ଘରକୁ ଆସିଯାଇଥିଲେ ଆଉ ସବୁକିଛି ତାଙ୍କର ଠିକ ଭାବରେ ସଜଡା ହୋଇଯାଇଛି ବୋଲି ପଚାରିଦେଇ, ଆଟାଚିଟି ଧରି ଟୁର ଯିବାକୁ ବାହାରି ପଡ଼ିଥିଲେ । ଫୁଲ ବହୁ କଷ୍ଟରେ ଖଟରୁ ଉଠି ତାଙ୍କୁ ବାଟୋଇ ଦେବାକୁ ଘରର ଦୁଆର ମୁହଁ ପର୍ଯ୍ୟନ୍ତ ଆସିପାରିଥିଲା । ତାପରେ ଫେରିଯାଇଥିଲା ସେଇ ଖଟ ଉପରକୁ ଯୋଉଠି ଟିକେ ଗଡ଼ପଡ଼ ହେଉ ହେଉ ନିଜର ଅସହାୟତା ଭିତରେ ହଜିଯାଇଥିଲା ! 

   ହଠାତ ରାତି ଅଧରେ ଫୁଲ ଚମକିକି ଉଠିପଡିଥିଲା, ଯେତେ ବେଳେ ତା', ପେଟର ଯନ୍ତ୍ରଣାକୁ ଅନୁଭବ କରିଥିଲା । ଗୋଟିଏ ଡାକରେ ବୋଉ ତା'ର ଉଠିବସିଥିଲା ଓ ପୂର୍ବରୁ ସବୁ ପ୍ରସ୍ତୁତ କରି ରଖିଥିବା ବ୍ୟାଗଟିକୁ ତା'ପାଖରେ ରଖିଦେଇ ଅନ୍ୟରୁମରେ ଶୋଇଥିବା ଭାଇ ଓ ସାନଭାଇଙ୍କୁ ଡାକି ଦେଇଥିଲା । ଅଳ୍ପ ସମୟ ଭିତରେ ସମସ୍ତେ ଫୁଲକୁ ନେଇ ନର୍ସିଂହୋମ ଚାଲି ଯାଇଥିଲେ, ଯୋଉଠି ଖୁବ କମ ସମୟରେ , ସକାଳର ସୂର୍ଯ୍ୟଙ୍କ ଉଦୟ ସାଙ୍ଗରେ ଫୁଲ ତା'ର ମାତୃତ୍ୱର ପ୍ରଥମ ସ୍ପର୍ଶ ପାଇଥିଲା ! ! ଛୁଆ ଦୁଇଟିଙ୍କର ମୁହଁକୁ ଦେଖି ତା'ର ଭାବନାର ଖିଅଟା ଯେମିତି ଅଜାଣତରେ ବି ଅମରଙ୍କ ପାଖକୁ ଲମ୍ବି ଯାଉଥିଲା । ଆଉ କେଇଘଣ୍ଟା ହୁଏତ ଅପେକ୍ଷା କରିଥିଲେ, ନିଜର ସୃଷ୍ଟି ଦୁଇଟିଙ୍କୁ ପ୍ରଥମେ ଦେଖିପାରିଥାନ୍ତେ, ଆଉ ଛୁଆ ଦୁଇଟିଙ୍କର କଅଁଳ ହାତ ପ୍ରଥମେ ତାଙ୍କ ବାପାର ହାତକୁ ଛୁଇଁ ପାରିଥାନ୍ତା ! ! 

    ଫୁଲ...ଫୁଲ..ବୋଉର ଡାକରେ ଫୁଲ ଭାବନା ରାଜ୍ୟରୁ ଫେରି ଆସିଥିଲା, ଆଉ ପିଲାଦୁଇଟିଙ୍କୁ ତା'ହାତକୁ ବଢ଼ାଇ ଦେଇଥିଲା । ସତେ ଯେମିତି ସବୁ ମାନ ଅଭିମାନର ରଙ୍ଗ ମୁହଁରୁ ତା'ର ପୋଛି ହୋଇଯାଇଥିଲା ସେମାନଙ୍କ ସ୍ପର୍ଶରେ..ଫୁଲର ମୁହଁଟି କେବଳ ମାତୃତ୍ୱର ରଙ୍ଗରେ ଚିକ୍ ଚିକ୍ କରୁଥିଲା ! ! 


 



Rate this content
Log in