Sonali Garnayak

Others

3  

Sonali Garnayak

Others

ମାଣିକ ହୀରା

ମାଣିକ ହୀରା

5 mins
189


ମାଣିକ ଓ ହୀରା ଏମିତି ଦୁଇ ମୂଲ୍ୟବାନ ପଦାର୍ଥ ଯାହାକୁ ମିଳେ ତା ଭାଗ୍ୟ ଖୋଲିଯାଏ, ସେମିତି ସେ ନୀଳାଚଳର ମାଣିକ ହୀରା ଯାହାକୁ ମିଳେ ସେ ମୁକ୍ତିର ପଥ ଆଡକୁ ଅଗ୍ରସର ହୋଇଯାଏ l ମୋ ସହ ସହ ହୀରା ପୁଞ୍ଜା ପୁଞ୍ଜା ମାଣିକ ଲୋଡ଼ା ନାହିଁ କାହିଁକି ନା ମୋର ଲୋଭ ସେ ମାଣିକ ହୀରା ଠାରେ, ମୋ ରଙ୍କ ରତନ ପାଖରେ ଯେତେ ଦେଖିଲେ ବି ଆଖିରୁ ସେ ଲୋଭ ଛାଡ଼ୁନି l ଏମିତି ଭାବରେ ମାଣିକ ଓ ହୀରା ପରସ୍ପରକୁ ଭଲ ପାଉଥିବା ବ୍ୟକ୍ତି ଦୁଇଜଣ ଅଲଗା ହୋଇଯାଇଛନ୍ତି ଏବଂ ସେ ମାଣିକ ହୀରାକୁ ଦର୍ଶନ କରିବାକୁ ଆସି ପୁରୀ ସମୁଦ୍ର କୂଳରେ ପୁଣି ଏକାଠି ହୋଇଛନ୍ତି l 


    ପୂର୍ଣ୍ଣିମା ତିଥିର ସେ ଜହ୍ନ ଆଲୁଅ ବିଛା ବାଲୁକା ସହରରେ ବସି ସମୁଦ୍ରର ପ୍ରବଳ ବେଗରେ ମାଡି ଆସୁଥିବା ଢେଉର ପ୍ରଳୟକାରି ରୂପ ଏବଂ କିଛି ସମୟ ପରେ ଶାନ୍ତ ହୋଇ ପୁଣି ଥରେ ପାଣିରେ ମିଶି ଯିବାର ଦୃଶ୍ୟ ଉପଭୋଗ କରୁଥିଲା ହୀରା, ତା ଜୀବନରେ ଘଟିଥିବା ସମସ୍ତ ଉତ୍ଥାନପତନକୁ ସମୁଦ୍ରର ଜୁଆର ଓ ଭଟ୍ଟା ସହ ତୁଳନା କରିଚାଲିଛି l ବେସ୍ କିଛି ଦିନ ହେବ ତା ମନ ଭଲ ଲାଗୁନଥିଲା l ସେଥିପାଇଁ ସବୁ କାମ ଛାଡି ଚାଲିଆସିଛି, ସେ ଜଗମୋହନ ଦର୍ଶନ ନିମନ୍ତେ ଏବଂ ସବୁ ସନ୍ଧ୍ୟା ଚାଲିଆସେ ଏ ସମୁଦ୍ର କୂଳକୁ କାରଣ ତା ନିଃସଙ୍ଗତା ଜୀବନର ସାଥି l ଏବେ ଏ ଜହ୍ନ ଆଉ ସମୁଦ୍ର ସାଜିଛନ୍ତି, ତା ଜୀବନର ସମସ୍ତ ଘଟଣ ଓ ଅଘଟଣ କହି ସାରିଛି ଏମାନଙ୍କୁ l ଜୀବନ କଣ ବୁଝିବା ପୂର୍ବରୁ ବହୁତ କିଛି ଶିଖିଛି, ବହୁତ ପରୀକ୍ଷାର ସାମ୍ନା କରିଛି ତନ୍ନ ତନ୍ନ କରି ସର୍ବଜଳାଞ୍ଜଳି ଦେଇଛି ଏ ଜୀବନ ଆହୁତିରେ ସେ l 

    ଆଜି ସକାଳେ ଜଗା ଦର୍ଶନ ପରେ ମନଟା କାହିଁକି କେଜାଣି ବିଚଳିତ ହେଉଥାଏ ହୀରାର l ସେଥିପାଇଁ ସମୟ ଆଗରୁ ଚାଲିଆସିଛି ତା ବନ୍ଧୁ ସମୁଦ୍ର ଏବଂ ଜହ୍ନ ପାଖକୁ l ଯଦି ସମ୍ଭବ ହୁଅନ୍ତା ସେ ସେମାନଙ୍କୁ ଆଲିଙ୍ଗନ କରି ନିଜ ଲୁହର ଆଉ ଏକ କୃତ୍ରିମ ସମୁଦ୍ର ତିଆରି କରିପାରିଥାନ୍ତା l ହଠାତ୍ ଏକ ଚେହେରା ତା ଆଖି ଆଡୁଆଳରେ ଝାପ୍ସା ନଜର ଆସିଲା ଯେମିତି ସେ ଚେହେରାକୁ ସେ ଆଗରୁ ଦେଖିଛି ତା ପ୍ରତିଟି ସ୍ପନ୍ଦନରେ ତାକୁ ଅନୁଭବ କରିଛି, ଯେମିତି ବର୍ଷ ବର୍ଷର ଏକ ହୃଦୟ ସମ୍ପର୍କ l ସଙ୍ଗେ ସଙ୍ଗେ ହୀରା ବସିଥିବା ଜାଗାରୁ ଉଠିଆସିଲା ସେ ସୁନ୍ଦରୀ ରମଣୀ ପାଖକୁ, ଜହ୍ନ ଆଲୁଅ ଛାଇରେ ଅଳ୍ପ ଅଳ୍ପ ଦିଶୁଥିଲା ସିଏ ହାତରେ ଦୁଇ ପଟ ଶଙ୍ଖା, ମଥା ଆଡୁଆଲରେ ଲୁଚିଛି ସିନ୍ଦୂର ଟୋପାକୁ ସ୍ପଷ୍ଟ ଦେଖିପାରୁଥିଲା ହୀରା ଟିକିଏ ପାଖକୁ ଯାଇ ଆଖି ବୁଲାଇ ଦେଖିବା ପରେ ସେ ଯାହା ଦେଖିଲା ବିଶ୍ୱାସ କରିପାରିଲାନି ତା ଆଖିକୁ l ଯେମିତି ଚାତକ ପକ୍ଷୀର ଆତୁର ହୋଇ ଥିଲା ମେଘ ଅପେକ୍ଷାରେ, ଯେମିତି ସତରେ ତା ହୃଦୟର ନିଃସଙ୍ଗତା କେବେଠୁ ସଙ୍ଗିନୀର ଆବଶ୍ୟକତା ଲୋଡ଼ୁଥିଲା, ତା ଆଖି ସାମ୍ନାରେ ଥିଲା ତା ହଜିଯାଇଥିବା ମୁକ୍ତା, ତା ମନର ମାନସୀ 'ମାଣିକ' l ଏକ ଛୋଟ ଝିଅ ସହ ଖେଳୁଥିଲା ମାଣିକ ସେ ସମୁଦ୍ର ବାଲିରେ ଏବଂ ହୀରା ତା ପାଖରେ ପହଞ୍ଚିବା ପୂର୍ବରୁ ଦୁହେଁ ଛିଟା ଛିଟା ଆଲୁଅରେ କେଉଁଆଡେ ଅନ୍ତର୍ଦ୍ଧ୍ୟାନ ହୋଇଯାଇଥିଲେ l 

ସେ ବାଲି ରାସ୍ତାରେ ଚାଲୁ ଚାଲୁ ମନେପଡିଯାଇଥିଲା ହୀରାର ସେ ଅତୀତ କଥା, ଏମିତି ଏକ ପୂର୍ଣ୍ଣିମା ତିଥିରେ ଭେଟ ହୋଇଥିଲା ମାଣିକ ସହ ଏ ପୁରୀ ଉପକୂଳରେ l କାହିଁକି କେଜାଣି ସେଦିନ ପ୍ରଥମ ଦେଖାରେ ହୀରାର ନଜର ଅଟକି ଯାଇଥିଲା ମାଣିକ ପାଖରେ l ଦୁହେଁ ଦୁହିଁଙ୍କ ସହ ପରିଚୟ ସୃଷ୍ଟି କରି ବନ୍ଧୁତା କରିଥିଲେ ଉଭୟ, ସେମାନେ ଆସନ୍ତି ଏକାଠି ବସନ୍ତି ଏବଂ ଗପିଯାଇଛନ୍ତି ବହୁତ କିଛି କଥା ଜହ୍ନ ଆଉ ସମୁଦ୍ରକୁ ଦେଖି, ଏହା ମଧ୍ୟରେ କେବେ ସେମାନଙ୍କ ଭିତରେ ଅନ୍ତରଙ୍ଗତାର ଏକ ସମ୍ପର୍କ ଗଢିଉଠିଥିଲା l ଦୁହେଁ ଅଜଣା ଥିଲେ କେତେବେଳେ ପରସ୍ପର ପରସ୍ପର ପାଖରେ ନିଜ ମନ ସମର୍ପଣ କରିସାରିଥିଲେ l ଦିନେ ହୀରା ପଚାରିଥିଲା ମାଣିକକୁ ତୁ ମୋତେ କେବେ ଛାଡିକି ଯିବୁନି ତ? ତମ ବିନା ମୋର ଅସ୍ତିତ୍ୱ ନାହିଁ ହୀରା ଏମିତି ଜୀବନ ସାରା ତମ ସହ ବାଟ ଚାଲୁଥିବି ବୋଲି ଉତ୍ତର ଦେଇଥିଲା ମାଣିକ l ତେବେ ସେ ଦିନର ପ୍ରତିଜ୍ଞା କଣ ଭୁଲିଯାଇଥିଲା ମାଣିକ l ତା ପରଠୁ ଯାଇଛି ଯେ ତାର କୌଣସି ଖବର ପାଇନଥିଲା ହୀରା ତାର, ଅପେକ୍ଷାରେ ବହୁଦିନ ବିତିଯାଇଥିଲା ମଧ୍ୟ ମାଣିକ ଆଉ ଫେରିନଥିଲା ହୀରା ପାଖକୁ l ହଠାତ୍ ଯାନବାହାନର ଶବ୍ଦ ତା ଅଭୁଲା ସ୍ମୁତିର ବାଧକ ସାଜିଥିଲା ଆଉ ସେ ଫେରିଆସିଥିଲା ତା ଦୁନିଆକୁ l 

   ଆଜି କାହିଁକି ହୀରାର ଇଚ୍ଛା ନଥିଲା ସେ ସମୁଦ୍ରକୂଳକୁ ଯିବାକୁ କେମିତି ଗୋଟେ ଅଭିମାନ ଆସିଥିଲା ତାର ମାଣିକ ଉପରେ କିନ୍ତୁ ବନ୍ଧୁତା କରିଛି ସମୁଦ୍ର ଏବଂ ଜହ୍ନ ସହ ତା ବନ୍ଧୁତାର ମୂଲ୍ୟ ରଖିବାକୁ ପଡିବ l ଧୀରେ ଧୀରେ ଚାଲି ଅଗ୍ରସର ହେଉଥାଏ ହୀରା ସମୁଦ୍ର ନିକଟକୁ ହଠାତ୍ ତା ପାଦ ଅଟକିଗଲା ସେ ଯାହା ଦେଖୁଛି ସତ ନା ସ୍ବପ୍ନ? ମାଣିକ ତାରି ବାଟକୁ ଚାହିଁରହିଛି ସ୍ମିତ ହାସ୍ୟ ଦେଇ !ହୀରା ପଛକୁ ଚାହିଁ ଦେଖିଲା ତା ପଛରେ କେହି ନାହାନ୍ତି ଏବେ ସେ ନିଶ୍ଚିତ ହେଲା ଯେ ମାଣିକ ତା ବାଟକୁ ଚାହିଁ ରହିଛି l ହୀରା ଭାବିଥିଲା ବାଟ ଭାଙ୍ଗି ଚାଲିଯିବ ବୋଲି l କିନ୍ତୁ ପାରିନଥିଲା l ମନଟା ସେଇଠି ଅଟକିବା ପାଇଁ ବାଧ୍ୟ କରିଥିଲା l ଏମିତି ଦିନେ ପୂର୍ଣ୍ଣିମା ତିଥିରେ ପୁଣି ଆମର ଦେଖା ହେବ ବୋଲି ଭାବିନଥିଲି, ମାଣିକ କହିଥିଲା l ତା ମାନେ ତମେ ମୋତେ କାଲି ଦେଖିଥିଲ ତାହେଲେ ଚାଲିଗଲ କାହିଁକି, ହୀରା ପଚାରିଥିଲା l ଏକାଠି ଦୁହେଁ ଅଳ୍ପ ଦୂରରେ ନିରବରେ ବସିଥିଲେ ସେ ସମୁଦ୍ରକୂଳରେ, ଆଜି ଏମାନଙ୍କୁ ଦେଖି ଜହ୍ନ କାହିଁକି ସ୍ମିତ ହାସ୍ୟ ଦେଉଛି ଆଉ ସମୁଦ୍ର ତା ଡେଉ ସହ ନୃତ୍ୟ କରୁଛି l ତମ ସହ ପୁଣି ଦେଖା ହେବ ବୋଲି କେବେ ଭାବିନଥିଲି ମାଣିକ ! ସେ ଦିନ ଜୀବନ ସାରା ରହିବାର କଥା ଦେଇ କୁଆଡେ ଚଳିଯାଇଥିଲ, ତମର ପ୍ରତିଟି ମୁହୂର୍ତ୍ତକୁ ଅପେକ୍ଷା କରି ମୁଁ ଦିଗହରା ହୋଇଯଇଥିଲି l ସେଦିନ ଏଠୁ ଫେରିବା ପରେ ମୁଁ ବାପାଙ୍କୁ ଆମ ସବୁ ସମ୍ପର୍କ ବିଷୟରେ କହି ଏବଂ ରାଜି କରାଇ ତମ ପାଖକୁ ଆଣିବା ବାଟରେ ବାପାଙ୍କୁ ପଛରୁ ଏକ କାର ବାଡେଇ ଚାଲିଯାଇଥିଲା ଓ ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିବା ସମୟରେ ଜଣେ ଯୁବକ ଆସି ଆମକୁ ସାହାଯ୍ୟ କରିଥିଲେ ଏବଂ ହସ୍ପିଟାଲରେ ସମସ୍ତ ଦାୟିତ୍ୱ ସେ ନେଇଥିଲେ l ପରେ ଆମେ ତାଙ୍କ ପରିଚୟ ଜାଣିବାକୁ ପାଇଲୁ ଯେ ସେ ଆର.କେ. ମୋଟର କମ୍ପାନୀରେ କାର୍ଯ୍ୟରତ ଇଞ୍ଜିନିୟର l ତାଙ୍କର ଏ ଉଦାରପଣ ଦେଖି ବାପା ମୋ ବିନା ଅନୁମତିରେ ଛନ୍ଦି ଦେଇଥିଲେ ତାଙ୍କ ହାତକୁ ମୋ ହାତ, ତୁମକୁ ଏ କଥା ଜଣେଇବାର ସୁଯୋଗ ମୁଁ ପାଇନଥିଲି କାରଣ ବିବାହର ଦୁଇଦିନ ପରେ ଆମେ ଚାଲିଯାଇଥିଲୁ ହାଇଦ୍ରାବାଦ l ତଥାପି ବିବାହ ପରେ ମଧ୍ୟ ସନ୍ଦୀପଙ୍କ ସହ ମୋ ମନ ମିଶିନଥିଲା କାହିଁକି ନା ମୋ ମନରେ କେବଳ ତମେ ଥିଲ ଆଉ ତାପରେ ସମୟ ସହ ତାଳ ଦେଇ ଆଗକୁ ଯିବାକୁ ପଡିଥିଲା ଓ ମୋ କୋଳକୁ ଆସିଥିଲା ମୋ ଝିଅ ରିମା l ସେ ପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ ଚାଲିଥିଲା କିନ୍ତୁ ତାପରେ ବଦଳିଯାଇଥିଲା ଜୀବନର ରଙ୍ଗ, ସବୁକିଛି ଓଲଟି ଯାଇଥିଲା ଜୀବନଠାରୁ ଅଧିକ ଭଲପାଉଥିବା ସନ୍ଦୀପ ଅନ୍ୟ ଏକ ଝିଅ ପ୍ରେମରେ ପାଗଳ ହୋଇକି ଆମ ମାଆ, ଝିଅଙ୍କୁ ଘରୁ ବାହାର କରିଦେଲେ, ସେଇଠୁ ଆମେ ଚାଲିଆସିଥିଲୁ କଟକ ବାପାଙ୍କ ପାଖକୁ l ତାପରେ ମୁଁ ଛୋଟ ମୋଟ ଚାକିରୀଟେ ଯୋଗାଡ଼ କରି ମୁଁ ଆଉ ମୋ ଝିଅ କଷ୍ଟେ ମଷ୍ଟେ ଚଳିଯାଉଛୁ ଏବଂ ସେ ମନମୋହନକୁ ଦର୍ଶନ କରିବା ନିମନ୍ତେ ଚାଲିଆସିଥିଲୁ ପୁରୀ ଆଉ ତମ ସହ ଦେଖା l ଏଇ ଛାଡ଼ ମୋ କଥା ଆଉ ତମ କଥା କଣ କୁହ !କେମିତି ଚାଲିଛି ତମ ଜୀବନ ବାହା ସାହା ହେଲାଣି କି ନାହିଁ? ତମ ଦୁନିଆରେ ତ ଜଣେ ଅଛି ଯିଏ କି ତମ ସବୁ ଦୁଃଖ ଓ ସୁଖର ସାଥି, ଦୁନିଆ ତମ ହାତ ଛାଡିଦେଲେ ବି ତମେ ତମ ଝିଅର ହାତ ଧରି ଜୀବନସାରା ବାଟ ଚାଲିପାରିବ l କିନ୍ତୁ ମୋ ଜୀବନ ନିଃସଙ୍ଗତାରେ ପରିପୂର୍ଣ୍ଣ, ଚାରିଦିଗ ଅନ୍ଧାର ଆବରଣ l ପ୍ରଥମେ ଭଗବାନ ମୋ ଠୁ ତୁମକୁ ଛଡାଇନେଲେ ତା ପରେ ମୋ ଜୀବନର ସାଥି ହୋଇଥିଲା ମୋ ପତ୍ନୀ ସୁଇଟି,ବାପା ମାଆଙ୍କ ବାଧ୍ୟ ପରେ ମୁଁ ତା ହାତ ଧରିଥିଲି ଏବଂ ସେ ବି ଦିନେ ଅଧାରାସ୍ତାରେ ବାଟ ଛାଡି ଚାଲିଗଲା l ଧୀରେ ଧୀରେ ସେ ଅସୁସ୍ଥ ହେବାକୁ ଲାଗିଲା, ଡାକ୍ତରଙ୍କ ପରୀକ୍ଷା ପରେ ଜାଣିବାକୁ ପାଇଲୁ ସେ ବ୍ରେନଟ୍ୟୁମରରେ ପୀଡିତ ଏବଂ ବଞ୍ଚିବାର ଆଶା ବହୁତ କମ l ଏ ଖବର ଶୁଣିବା ମାତ୍ରେ ମୋ ପାଦତଳୁ ମାଟି ଖସିଯାଇଥିଲା, ଯିଏ ମୋ ଜୀବନର ଶେଷ ଆଶା ଯାହାକୁ ନେଇ ମୁଁ ବଞ୍ଚିବାର ଅଭିପ୍ରାସ କରିଥିଲି ସେ ଆଜି ପୁଣି ମୋ ହାତ ଛାଡି ଚାଲିଯିବାକୁ ବାହାରିଛି, କିନ୍ତୁ କାଳର ଯାହା ନିର୍ଦ୍ଦେଶ ଥିଲା ତାହା ହିଁ ହେଲା ସୁଇଟି ସବୁଦିନ ପାଇଁ ମୋ ହାତ ଛାଡି ଚାଲିଗଲା l ଆଉ ଏ ପୁରା ପୃଥିବୀ ହୋଇଯାଇଥିଲା ମୋ ପାଇଁ ଅଲୋଡ଼ା ଏବଂ ମୋ ନିଃସଙ୍ଗତାକୁ ନେଇ ବଞ୍ଚିଚାଲିଥିଲି, ମନଟା ଭାରି ଭାରି ଲାଗିବାରୁ ଚାଲିଆସିଥିଲି ପୁରୀ ଆଡେ ସେ ମନମୋହନ ପାଖକୁ l 

   ହୀରାର ଦୁଃଖ ଦେଖି ମାଣିକ ନୟନରୁ ଅଶ୍ରୁ ନିଗାଡ଼ି ଚାଲିଥିଲା, ଯେମିତି ଦୁହେଁ ଦୁହିଁଙ୍କୁ ଖୋଜୁଥିଲେ ହୃଦୟର ଦୁଃଖ ହାଲକା କରିବା ନିମନ୍ତେ, ଏବଂ ଉଭୟ ଉଭୟଙ୍କ ଆଖିରେ ହଜି ଯାଇଥିଲେ କିଛି କହିବାର ଅଭିପ୍ରାସରେ କିନ୍ତୁ କହିପାରିନଥିଲେ !ସମୁଦ୍ର ଏବଂ ଜହ୍ନ କିଛି କହୁଥିଲେ ମାଣିକ ହୀରାର ପୁନଃମିଳନ ନିମନ୍ତେ l 



Rate this content
Log in