ମାନବ ସେବା
ମାନବ ସେବା
ହିମାଚଳ ପ୍ରଦେଶର ସୋଲାନ୍ ଜିଲ୍ଲାରେ ଅବସ୍ଥିତ ବଦ୍ଦି ସହର।ତା'ର ବକ୍ଷ ସ୍ଥଳରେ ଅବସ୍ଥିତ ଭେନସ୍ ମେଡିସିନ୍ ରିସର୍ଚ୍ଚ ସେଣ୍ଟର।ପାହାଡ ଘେରା,ସବୁଜିମାର ଚାଦର ଓଢାଇଥିବା,ଶୀତଳତାର ସ୍ପର୍ଶରେ ଭରା ସ୍ଥାନଟି ହେଲା ବଦ୍ଦି।
ବଦ୍ଦିରେ ଥିବା ପାହାଡ ମାନଙ୍କ ଉପରେ ଅନେକ ବହୁତଳୀୟ ପ୍ରାସାଦ ସବୁ ମୁଣ୍ଡ ଟେକିଛି।ଦୁଇବର୍ଷ ହେଲା ସେଠାରେ ପୋଷ୍ଟିଂ ହୋଇଛି ଅସୀମ ଙ୍କର।ବଦ୍ଦିର ଏନିଗମା କମ୍ପ୍ଲେକ୍ସର ତୃତୀୟ ମହଲାରେ ନିଜ ପତ୍ନୀ,ଦୁଇ ଝିଅ ଓ ପିତାମାତାଙ୍କୁ ନେଇ ରହିଛନ୍ତି ଚିଫ ଭାଇରୋଲଜିଷ୍ଟ ଅସୀମ ସାମନ୍ତ।
ନୂଆ ନୂଆ ଆସିବା ବେଳେ ଅନ୍ୟ ସ୍ଥାନ ମାନଙ୍କ ପରି ଏଠାରେ କିଛି ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇନଥିଲେ ଅସୀମ।ସମସ୍ତଙ୍କ ସହିତ ଖୁବ ସହଜ ଭାବରେ ମିଶିଯିବା ଭଳି ବ୍ୟକ୍ତିତ୍ବ ଥିଲା ତାଙ୍କର।ଖୁବ ସାଧା ସିଧା ଓ ଭଦ୍ର ,କର୍ତ୍ତବ୍ୟପରାୟଣ ମଣିଷଟିଏ ସେ।ପ୍ରକୃତିର ସୌନ୍ଦର୍ଯ୍ୟକୁ ଖୁବ ଉପଭୋଗ କରୁଥିବା ଲୋକଟି ବଦ୍ଦି ପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଜାଗାରେ ପହଞ୍ଚିବା ପରେ ମନଭିତରେ ଥିବା ସନ୍ଦିଗ୍ଧତାକୁ ଖୁବ ଶୀଘ୍ର ଦୂରେଇ ଦେଇଥିଲେ।ମନାଲୀର ନୈସର୍ଗିକ ସୌନ୍ଦର୍ଯ୍ୟବିଷୟରେ ବହିରୁ ପଢିଥିଲେ,ୟୁ ଟ୍ବୁବ ରେ ଭିଡିଓ ସବୁ ଦେଖି ସେସବୁର କାଳ୍ପନିକ ମଜା ନେଉଥିଲେ।ସମୟ ଅଭାବରୁ ମନାଲୀ ବୁଲିବାର ମୌକା ମିଳିନଥିଲା।ଏଥରର ପୋଷ୍ଟିଂ ଟି ତାଙ୍କର ମନକାମନା ଖୁବ ଶୀଘ୍ର ପୂରଣ କରିବାକୁ ସକ୍ଷମ ହୋଇପାରିବ ଏ ଆଶା ଓ ବିଶ୍ବାସ ତାଙ୍କର ଥିଲା।
ବିଭିନ୍ନ ରୋଗର ନିଦାନ ପାଇଁ ବିଭିନ୍ନ ବ୍ରାଣ୍ଡ ର ମେଡିସିନ ଓ ସିରପ ସବୁ ବନାଯାଏ ଡ୍ରଗ ଲାବୋରୋଟୋରୀ ରେ।ଔଷଧ ସବୁର ମିଶ୍ରଣ ,ପ୍ରସ୍ତୁତିକରଣ,ଉତ୍ପାଦନ ର ପରବର୍ତ୍ତୀ ସମୟରେ ବହୁ ପରୀକ୍ଷଣ ଓ ଅନୁମୋଦନ ପରେ ଡାକ୍ତର ମାନଙ୍କ ପାଖରୁ ସାମ୍ପଲ ଔଷଧ ଗୁଡିକ ମେଡିସିନ ରିପ୍ରେଜେନ୍ଟେଟିଭ ମାନଙ୍କ ଦ୍ବାରା ପଠାଯାଇଥାଏ।ଡାକ୍ତର ମାନେ ସେସବୁର କମ୍ପୋଜିସନ ଏବଂ ଉତ୍ପାଦନ କରୁଥିବା କମ୍ପାନୀ ମାନଙ୍କର ଭରସାଯୋଗ୍ୟତା ଦେଖି ସେସବୁକୁ କ୍ଲିନଚିଟ୍ ଦିଅନ୍ତି।ଧୀରେଧୀରେ ମେଡିସିନ ଷ୍ଟୋର ମାନଙ୍କରେ ସେସବୁ ଔଷଧ ଉପଲବଧ ହୁଏ।
ଭେନସ ମେଡିସିନ ରିସର୍ଚ୍ଚ ସେଣ୍ଟର ଟି ବହୁତ ଗୁଡିଏ ନାମକରା ମେଡିସିନର ସୃଜନସ୍ଥଳୀ ହିସାବରେ ଖୁବ ଜଣାଶୁଣା।ସେଠାକୁ ଆସିବା ପରେ ଅସୀମ ନିଜକୁ ଖୁବ ଭାଗ୍ୟବାନ ମନେକରୁଥିଲେ।ପୂର୍ଣ୍ଣ ଦାୟିତ୍ୱବୋଧ ସହିତ ମାନବ ସମାଜର ହିତରେ ସର୍ବଶ୍ରେଷ୍ଠ ଔଷଧ ସବୁର ସର୍ଜନା କରିବା ସବୁବେଳେ ତାଙ୍କର ମୂଳମନ୍ତ୍ର ଥିଲା।ଏଥିପାଇଁ ସେ ପାରୁପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଥିଲେ।
ଏଇ କିଛିଦିନ ହେବ ଅସୀମ ଖୁବ ଅନ୍ୟମନସ୍କ ରହୁଥିଲେ।ବାପା ମା,ପତ୍ନୀ,ଝିଅ ଦୁଇଜଣ ତାଙ୍କର ଏପ୍ରକାର ଆକସ୍ମିକ ପରିବର୍ତ୍ତନକୁ ଲକ୍ଷ୍ୟ କରିପାରୁଥିଲେ।କିଏ କିଛି ପଚାରିଲେ ଅସୀମ ସେସବୁ ପ୍ରଶ୍ନକୁ ଟାଳିଦେଇ କଥାର ଖିଅକୁ ଅନ୍ୟ ଆଡେ ନେଇ ଯାଉଥିଲେ।
କରୋନା ଭୂତାଣୁର ବିଭୀଷିକା ବିଶ୍ବରେ ନିଜର ତାଣ୍ଡବ ରଚାଇ ହଜାର ହଜାର ମୁଣ୍ଡ ନେଇ ଚାଲିଥିଲା।ଭାରତ ପରି ବିକାଶଶୀଳ ଦେଶରେ କରୋନା ଭୂତାଣୁର ପ୍ରତିରୋଧ କରିବାର ଏକମାତ୍ର ଉପାୟ ସାମାଜିକ ଦୂରତ୍ୱ ବଜାୟ ରଖି ସ୍ବଗୃହରେ ନିଜକୁ ବନ୍ଦୀ କରି ରଖିବା ବୋଲି ଦେଶର ପ୍ରଧାନମନ୍ତ୍ରୀ ନିଜର ବିଶ୍ୱାସଯୋଗ୍ୟ ସୂତ୍ର ମାନଙ୍କ ସହିତ ପରାମର୍ଶ କରି ମାର୍ଚ୍ଚ ୨୨ତାରିଖକୁ ଜନତା କର୍ଫ୍ୟୁ ଓ ତା'ର ପରବର୍ତ୍ତୀ ୨୧ ଦିନକୁ ଲକଡାଉନ ଭାବରେ ଘୋଷଣା କଲେ।ରାଜ୍ୟ ସରକାର ମାନେ ଏହାର ସମର୍ଥନ କରିବା ସହିତ ନିୟମ ଗୁଡିକର କଡାକଡି ଲାଗୁ ହେବା ଦିଗରେ ସମ୍ପୂର୍ଣ୍ଣ ଧ୍ୟାନ ଦେଲେ।
ଅସୀମଙ୍କର ମାନସିକ ସ୍ଥିତି ଧୀରେ ଧୀରେ ଦୟନୀୟ ଲାଗୁଥିଲା ପତ୍ନୀ ନୀତାଙ୍କୁ।ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ଦିନର ବହୁଭାଗ ସେ ରିସର୍ଚ୍ଚ ସେଣ୍ଟରରେ ଥିବା ନିଜ ଲାବ ରେ କାଟୁଥିଲେ।ମାର୍ଚ୍ଚ ମାସ ୨୫ ତାରିଖ।ଅସୀମ ଭୋକ ଶୋଷ ଭୂଲି ନିଜ ଲ୍ୟାବ ଭିତରେ ମଗ୍ନ ହୋଇ କାମ କରି ଚାଲିଥାନ୍ତି।ନୀତାଙ୍କୁ ବୁଝାଇ କହିଥାନ୍ତି ତାଙ୍କୁ ଅଯଥାରେ ଫୋନ ନକରିବା ପାଇଁ।ନୀତା ଅସୀମଙ୍କର ଏହି ଅଭ୍ୟାସ ବିଷୟରେ ଆଗରୁ ଅବଗତ।ସେଥିପାଇଁ ଜବରଦସ୍ତି କରି ସାଙ୍ଗରେ କିଛି ଡ୍ରାଇ ଫ୍ରୁଟ,ବିସ୍କୁଟ , ଫଳ ଓ ପାଣିବୋତଲ ଗୋଟିଏ ବ୍ୟାଗରେ ଭରି ଅସୀମ ଯିବାବେଳେ ତାଙ୍କୁ ଧରେଇ ଦେଇଥିଲେ।
ରାତି ପ୍ରାୟ ଦୁଇଟା।ଘନ ଘନ ଫୋନର କର୍କଶ ଶବ୍ଦରେ ନିଦ ଭାଙ୍ଗିଗଲା ଭେନସ ଡ୍ରଗ ରିସର୍ଚ୍ଚ ସେଣ୍ଟରର ଡାଇରେକ୍ଟର ଡକ୍ଟର ସମୀର ତିଓ୍ବାରୀ ଙ୍କର।ତୁରନ୍ତ ତାଙ୍କୁ ଇନଷ୍ଟିଚ୍ୟୁଟ କୁ ଯିବାକୁ ପଡିଲା।ଡ. ତିଓ୍ବାରୀଙ୍କ ସହିତ ଅନେକ ବରିଷ୍ଠ ଡ୍ରଗ ସାଇନ୍ଟିଷ୍ଟ ମାନେ ମଧ୍ୟ ରାତ୍ରୀର ସେଇ ନୀରବତାର ବୁକୁ ଚିରି ନିଦ୍ରା ପରିତ୍ୟାଗ କରି ପ୍ରୟୋଗଶାଳାରେ ଏକାଠି ହୋଇ ସାରିଥାନ୍ତି।
ସମସ୍ତଙ୍କୁ ଡାକିବାର କାରଣ ବୁଝାଇବାକୁ ଯାଇ ଅସୀମ ଘଟଣାଟିକୁ ଖୋଲି କହିଲେ।
ଯେବେଠାରୁ କରୋନା ଭୂତାଣୁର ଭୟାବହତା ବିଷୟରେ ଘନଘନ ପ୍ରଚାର ଏବଂ ପ୍ରସାର ହେଉଥିଲା ସେବେଠାରୁ ଅସୀମ ସେଇ ଜିଦ୍ଦି ଆଉ ଭୟଙ୍କର ଭୂତାଣୁର ଆଣ୍ଟିଡଟ(ବିଷ ନିରୋଧକ ଔଷଧ)ବାହାର କରିବା ପାଇଁ ଦିନ ରାତି ଏକ କରି ଦେଇଥିଲେ।ତାଙ୍କର ଦୃଢ ମନୋବଳ ଓ କଠିନ ପରିଶ୍ରମର ଫଳ ସ୍ବରୂପ ଭାରତବାସୀଙ୍କ ଜୀବନରକ୍ଷା କରିବାର ଔଷଧଟି ଆଜି ସେ ବାହାର କରି ପାରି ନିଜକୁ କୃତାର୍ଥ ମନେକରୁଥିଲେ।
ରାତ୍ରୀର ସେହି ବିଳମ୍ବିତ ପ୍ରହରରେ ଡାଇରେକ୍ଟର ଙ୍କ ସମେତ ସମସ୍ତ ବୈଜ୍ଞାନିକମାନେ ଖୁସିରେ ଅସୀମଙ୍କୁ କୁଣ୍ଢେଇ ପକେଇ ଉପରକୁ ଟେକି ଧରିଥିଲେ ଓ ସାବାସି ଦେବାର ଏକ ଭିନ୍ନ ରକମର ଶୈଳୀରେ ତାଳି ବଜାଇ ତାଙ୍କର କୃତିତ୍ବ ପାଇଁ ବଧାଇ ଜଣାଉଥିଲେ।
ଦୁଇଦିନ ଭିତରେ ଭାରତର ସମସ୍ତ ଡ୍ରଗ ଇନଷ୍ଟିଚ୍ୟୁଟକୁ ଏକଥା ବ୍ୟାପିଗଲା।ମାର୍ଚ୍ଚ ମାସ ଅଠେଇଶ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିଲେ ଡ. ଅସୀମ ସାମନ୍ତ।ଫୁଲତୋଡା ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରୁଥିଲେ ପ୍ରଧାନମନ୍ତ୍ରୀ।ଦୂରଦର୍ଶନ ତଥା ସୋସିଆଲ ମେଡିଆରେ ପ୍ରସାରଣ ହେଉଥିଲା ଏହାର ଦୃଶ୍ୟ।
ଘରେ ବସି ଦୂରଦର୍ଶନ ରେ ସିଧା ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମରେ ପୁଅର ଏ କୃତିତ୍ବ ଦେଖି ନିଜକୁ ଭାଗ୍ୟବାନ ମନେ କରୁଥିଲେ ଅସୀମଙ୍କର ପିତା।ମେଡିକାଲ ଲାଇନରେ ପୁଅ ଯାଇନଥିଲା ବୋଲି ତାଙ୍କ ମନରେ ଯେଉଁ ଅବଶୋଷ ଥିଲା ତାହା ସ୍ବତଃ ଦୂରେଇ ଯାଉଥିଲା।ଖାଲି ଡାକ୍ତରଟିଏ ହେଲେ ଯେ ଜଣେ ମାନବ ସେବା କରି ପାରେ ଏହା ତାଙ୍କର ଭ୍ରାନ୍ତ ଧାରଣା ଥିଲା ବୋଲି ସେ ନିଜକୁ ନିଜେ ସ୍ବୀକାର କରୁଥିଲେ।