Kalyani Nanda

Children Stories Drama

2  

Kalyani Nanda

Children Stories Drama

ମାଁ ତାରା

ମାଁ ତାରା

3 mins
347



ସବୁଦିନ ମାଁ ତାକୁ ପରିବାର ବ୍ଯାଗ ଟା ଧରାଇ ଦେଇ ବଜାରକୁ ପଠାଇ ଦିଏ । ଆଉ ଫେରିଲା ବାଟରେ ସେ ଘର ପାଖ ଦୁର୍ଗା ମନ୍ଦିରରେ ଘଡିଏ ବସି ଘରକୁ ଫେରେ। ଆଠ ବର୍ଷର ବାପୁନୁ । ତା'କୁ ଚାରି ବର୍ଷ ହେଲା ବେଳକୁ ତା' ମାଁ ତା'କୁ ଏକା ଛାଡି ଆରପାରିକୁ ଚାଲି ଯାଇଥିଲା । ଝାପସା ଝାପସା ମନେ ପଡେ ତା' ମାଁ ମୁହଁ। ମାଁ ଦୁର୍ଗାଙ୍କ ପାଖରେ ଘଡିଏ ବସିଗଲେ , ବାପୁନୁକୁ ଲାଗେ ,ତା' ମାଁ ପାଖରେ ବସିଛି । ତା' ଭସା ଭସା ଆଖିରେ କି କରୁଣ ଚାହାଣୀ ! ! ମନକୁ ମନ କେତେ କଥା କହିଯାଏ ମାଁ ଦୁର୍ଗା ଙ୍କ ପାଖରେ । ତା'ପରେ ପୂଜାରୀ ମଉସାଙ୍କ ପାଖରୁ ଭୋଗ ଖାଇ ଘରକୁ ଫେରେ। ତାପରେ ସ୍କୁଲ ଯାଏ । ସ୍କୁଲ ଓ ମନ୍ଦିରରେ ହିଁ ତାକୁ ଭଲ ଲାଗେ। ଘରକୁ ଫେରିଲେ ମାଁ ର ଗାଳି ଓ କାମର ବରାଦ । ତା' ମାଁ ମଲା ପରେ ତା' ବାପା ତାର ପାଇଁ ନୂଆ ମାଁ ଆଣିଲେ । ପ୍ରଥମେ ପ୍ରଥମେ ତା ନୂଆ ମାଁ ତାକୁ ବହୁତ ଆଦର , ଯତ୍ନ କରୁଥିଲା , କିନ୍ତୁ ପରେ .....? ? ନା ସେ ଆଦର, ଯତ୍ନ, ସ୍ନେହ ତା' ଭାଗ୍ୟରେ କାହିଁ ? ଆଠ ବର୍ଷ ର ସରଳ, ନିଷ୍ପାପ ବାପୁନୁ ଖୁବ୍ ଶୀଘ୍ର ବଡ ହେଉଥିଲା । ରାତିରେ ଝରକା ଫାଙ୍କରୁ ବାପୁନୁ ଆକାଶ କୁ ଚାହେଁ । କୋଉଠି ତା ମାଁ ? ? ବାପା ତା'ର କୁହନ୍ତି ମାଁ ତା'ର କୁଆଡେ ଆକାଶର ତାରା ହୋଇ ଯାଇଛି । ଖୋଜିବାକୁ ଲାଗେ ମାଁ କୁ ତା'ର ସେଇ ତାରା ମେଳେ । କିନ୍ତୁ ପାଏନା ଖୋଜି ତା ମାଁ ତାରାକୁ । ଇଚ୍ଛା ହୁଏ ତା'ର ଯାଇ ପାରନ୍ତା କି ମେଘର ଦେଶେ । ଖୋଜି ଆଣନ୍ତା ମାଁ କୁ ତା'ର, ତାରା ଗହଣରୁ । ମାଁ ତା'ର ପୁଣି ତାକୁ କେତେ ଗେଲ କରନ୍ତା । ତା' ମଥା ଆଉଁସି ତାକୁ ତା' କୋଳରେ ଶୁଆଇ ଦିଅନ୍ତା । କିନ୍ତୁ ନା ସେ ସବୁ କିଛି ହୁଏନା। ସକାଳ ନିଦ ଭାଙ୍ଗେ ତା ନୂଆ ମାଁ ର ଚିତ୍କାର, ଗାଳିରେ । ତା'ପରେ ଘର କାମ । ସକାଳ ସମୟରେ ତାର ବେଶି କାମ ନ ଥାଏ । ଯାହା କାମ ତା ବାପା ଘରେ ନ ଥିଲା ବେଳେ । ସକାଳୁ ସକାଳୁ ସେ ତା ସ୍କୁଲ ପାଠ କରେ । ରାତିରେ ତା' ବାପା ଫେରିବା ପରେ ପଢା ପଢି କରି ପାରେ । ପାଠ ପଢିବା ପାଇଁ ତାର ବହୁତ ଇଚ୍ଛା । ଭଲ ପଢେ ବି ସେ । ପାଠ ପଢି ଜଣେ ବୈଜ୍ଞାନିକ ହେବାର ଇଚ୍ଛା ଥାଏ ତା'ର । ତା' ଇଚ୍ଛା କଥା ତା ବାପାଙ୍କୁ କହିଥିଲା ସେ । କାରଣ ବି ଜଣାଇ ଥିଲା ଯେ ସେ ଜଣେ ବଡ ବୈଜ୍ଞାନିକ ହୋଇ ସେ ତାରା ପାଖକୁ ଯିବାର କୌଶଳ ବାହାର କରିବ ଆଉ ତାରା ଗହଣରେ ଥିବା ତା' ମାଁ କୁ ଖୋଜି ବାହାର କରିବ । ତା' କଥା ଶୁଣି ତା' ବାପାଙ୍କ ଆଖିରେ ଛଳ ଛଳ ଲୁହ ଦେଖିଥିଲା । ରାତିରେ ବହୁ ବାର ସ୍ବପ୍ନ ଦେଖେ ସେ, ଆକାଶରେ ବଉଦ କୋଳେ ବସି ସେ ତାରା ରାଇଜକୁ ଯାଉଛି । ମାଁ'କୁ ଖୋଜୁଛି । କିନ୍ତୁ ପୁଣି ବେଳେ ବେଳେ ସେ ଭାବେ ସତରେ କ'ଣ ସେ ତା' ମାଁ କୁ ଖୋଜି ଆଣିପାରିବ । ତା' ମାଁ ତାରା କୁ ଖୋଜି ପାରିବ ? ମାଁ ର ସ୍ନେହ,ଆଦର ସତରେ କ'ଣ ପୁଣି ତା' ମନକୁ ଚଳ ଚଂଚଳ କରି ପାରିବ ? କିନ୍ତୁ ବାପୁନୁର ଶିଶୁ ମନ ଚଂଚଳ ହେଲେ ବି ସେ ନିଜ ଠାରୁ ବଡ ହେଉଥାଏ । ଅବୋଧ ଶିଶୁ ର ମନ ଆକାଶରେ ଦ୍ବନ୍ଦ, ଦ୍ବିଧା ରେ ତାର ରଂଗୀନ ଚିତ୍ର ସବୁ ବେରଙ୍ଗ ହୋଇଯାଏ । ସବୁ କଳ୍ପନା, ଜଳ୍ପନା ତାର ଧୂଆଁ ହୋଇ ଉଡିଯାଏ । ଅବୋଧ, ସରଳ ଶିଶୁ ବାପୁନୁର ମନ ଖାଲି ଖୋଜୁଥାଏ ଅନନ୍ତ ଆକାଶରେ ତା' ମାଁ ତାରାକୁ ।


Rate this content
Log in