ମାେ ପିଲାଦିନ
ମାେ ପିଲାଦିନ
ଛୋଟ ଛୋଟ ସ୍ମୃତିରେ ଭରପୁର ମୋ ପିଲାଦିନ । ତୃତୀୟ ଚତୁର୍ଥରେ ବୋଧେ ପଢୁଥାଏ, କେମିତି କେତେବେଳେ ବଡମାନଙ୍କ ମୁହଁରୁ ସରକାରଙ୍କ କଥା ଶୁଣିଥିବି । ବହୁତ ଭାବେ କିଏ ସେ ସରକାର ଲୋକ? ସମସ୍ତେ ତ କଥା ଶୁଣୁଛନ୍ତି । ପରୀକ୍ଷା ପୂର୍ବରୁ ଭାବୁଥିଲି ସେ ସରକାରଙ୍କ ଘରକୁ ପଳାନ୍ତି ଆଉ ଆସନ୍ତିନି କି ପରୀକ୍ଷା ଦେବାକୁ ଵି ପଡ଼ନ୍ତାନି । ରେଡ଼ିଓରୁ ଶୁଣୁଥିଲି "ଆସ କିଏ ଖାଇବ ଆମ ରାଜା ବାବୁ ଘର ଖାନା" ଭାବୁଥିଲି ସେ ସରକାର ଲୋକଟା ବୋଧେ ରାଜା ବାବୁ.... କି ପିଲାଳିଆମୀ ଭାବିଲେ ଏବେ ଖୁବ ହସେ..... ଥରେ କିଏ ଜଣେ ଏମିତି କହିଲେ ଟିକେ ଡେଙ୍ଗା ହେଉନୁ, ପଚାରିଲି କେମିତି ହେବି, ସେ କହିଲେ କମାର ଶାଳ ଯା କହିବୁ ଡେଙ୍ଗା କରିଦେବେ । ଚାଲିଲି ସିଧା କମାର ଶାଳ, ସୁଧା ବଡବାପା ମୋତେ ଦେଖି କହିଲେ ମାଆ କୁଆଡେ ଆସିଛୁ? କଣ କାମ କିଛି ଥିଲା କି? କହିଲି ହଁ ବଡବାପା ଅମୁକ ଲୋକ କହିଲେ ତୁମେ ମୋତେ ଡେଙ୍ଗା କରିଦିଅ, ଖୁବ ହସିଲେ କହିଲେ ଯା ଯିଏ ତୋତେ କହିଛି ତାକୁ ସାଙ୍ଗରେ ଡାକି ଆଣେ । ଆଉ କି ସେ ଲୋକ ଧରା ଦିଏ । ଆଜିକାଲି ଜୀବନରେ ସେମିତି କିଛି ରୋଚକ ଘଟଣା ଘଟୁନି । ଏଇ ଯେମିତି ହସିଲା ବେଳେ ବଡ ପାଟିରେ ଏକଦମ ବିନ୍ଦାସ ହସ ହସୁଥିଲି, ଆଉ ଆଜିକାଲି ସ୍ଥାନ କାଳ ପାତ୍ର ଦେଖି, ମାପି ଚୁପି, ଭାବି ଚିନ୍ତି ହସୁଛି । ଛୋଟ ବେଳେ ସାନଭାଇ ସହ ବାଇଶି ଇଞ୍ଚ ସାଇକେଲରେ ଗୋଡଗଳା ସାଇକେଲ ଚଢା ମଜା ଵି ନିଆରା । ଗୋଟେ ଉଚ୍ଚ ଜାଗା ଦେଖି ସାଇକେଲ ଉପରେ ବସେ ଆଉ ଦୁଇ ତିନି ପେଡାଲରେ ଧଡାମ କରି ତଳେ ପଡ଼ିବା. । ଆଜିଯାଏ ଵି ସାଇକେଲ ଚଢିବା ନୋହିଲା ଯାହା । ପରୀକ୍ଷା ଫିସ ଘରୁ ନେଇ ଅତି ସହଜରେ ସାଙ୍ଗମାନଙ୍କ ସହ ଚକଲେଟ କିଣି ଖାଇ ଦେଉଥିଲି, କିଛି ଜିନିଷର ଗୁରୁତ୍ୱ ବୁଝି ପାରୁ ନଥିଲି । ଏବେ ସବୁ ବୁଝିବି ସେଇ ବଦମାସୀକୁ ଝୁରୁଛି । ସାଙ୍ଗର ଗୋଡ଼କୁ ବ୍ଲେଡରେ କାଟି କୋଡିଏ ପଇସା ଦେଇ କାନ୍ଦି କାନ୍ଦି ତା ଗୋଡ଼ରୁ ରକ୍ତ ପୋଛି କାହାକୁ ନକହିବା ପାଇଁ ନେହୁରା ହେଉଥିଲି ପୁଣି ଦିପହରେ ଘରୁ ଔଷଧ ଆଣି ପାଳଗଦା ଆଢୁଆଳରେ ଲୁଚି ଔଷଧ ଲଗେଇ କେବେ ତା କଟା ଘା ଭଲ ହେବ ଅପେକ୍ଷା କରୁଥିଲି, ଘରେ କିଛି ଭଲ ଖାଇବା ହେଲେ ଲୁଚେଇ ଆରତୀକୁ ଖାଇବାକୁ ଦେଉଥିଲି, ସେ ଵି ଘରେ କହିଦେବ କହି କମ ଡରଉ ନଥିଲା । ଏବେ ମୁଁ କାହାକୁ ଡରୁନି ନିଜ ଛଡା ଆଉ ସେ ଦୁର୍ଦ୍ଦାନ୍ତ ଈଶ୍ୱରଙ୍କ ଛଡା...... ।