ଲୁହ ତଳର କାହାଣୀ
ଲୁହ ତଳର କାହାଣୀ
ପେଁ ପେଁ…. ପାଁ ପାଁ… ମହୁରୀର ଶବ୍ଦ
ଆରେ ମଙ୍ଗୁଳୁତି ଖାଇବା ସମୟ ଗଡ଼ିଯାଉଛି, ଝିଅକୁ ସଜବାଜ କର |
ଝିଅ ତ ଘରେ ନାହିଁ କଲେଜ ଯାଇଛି ପରୀକ୍ଷା ଦେବାକୁ ଆସୁଥିବ ଟିକିଏ ଅପେକ୍ଷାକର ଝିଅର ମା କହୁଥାନ୍ତି ସାହି ଭାଇରୁ ଆସିଥିବା କିଛି ସ୍ତ୍ରୀ ଲୋକମାନଙ୍କୁ |
ଆଲୋ ଏ ବୋହୂ !ଫୋନ୍ କର ଶ୍ଵେତାକୁ ତା ପରୀକ୍ଷା ସରିଲାଣି ନା ନାହିଁ ବେଗେ ବେଗେ ଚାଲିଆସୁ |
ହଁ ବୋଉ କାହିଁକି ବ୍ୟସ୍ତ ହଉଛନ୍ତି !ମୁଁ ଫୋନ୍ କରିଥିଲି କହିଲେ ଆଉ ମାତ୍ର ଦଶ ମିନିଟରେ ଆସି ପହଞ୍ଚିବେ |
( ଶ୍ଵେତାର ବୋଉକୁ ଏକଥା କହିଥିଲେ ତା ଭାଉଜ ଶଶୀ )
ହଉ ସିଆଡେ ଟିକିଏ ଧାଇଁ ଯା ବେଦୀ କାମରେ କ'ଣ ଦରକାର ପଡିବ ସବୁ ନେଇ ଯୋଗେଇ ଦେବୁ |
ବେଦୀ କାମ କରୁ କରୁ ଶଶୀ ମନେ ମନେ ଭାବୁଥାଏ ସେ ବାହା ହୋଇ ଅସିଲାବେଳକୁ ଏ ଶ୍ଵେତା 2 ପାସ୍ କରିଥାଏ, ହଳଦୀ ରଙ୍ଗର ମୁଁହ, ମୁଁହରେ ଚେନାଏ ହସ ଆଉ ହସ ସାଙ୍ଗକୁ ଗୋଛାଏ ଵାଳ ପଛପଟକୁ କୁଞ୍ଚି କୁଞ୍ଚି ହୋଇ ପଡିଥିଲା, ବାଳ ଗୁଡାକ ଏକାଠି କରି ବାନ୍ଧିଦେଲେ ଗୋଟେ ମୋଟା ଦୌଡ଼ି ଆକାର ସେ ନେଇପାରିବ କୂଅରୁ ପାଣି ଟାଣିବା ପାଇଁ |ସକାଳୁ ସଞ୍ଜଯାଏ ତା ପଛେ ପଛେ ହେଉଥାଏ ତା କାନି ଧରିକି ଆଉ ଆଜି ସେ ଏମ.ଏ. ସି ପାସ କରିକି ପର ଘରକୁ ଚାଲିଯିବ |ସମୟ ସତରେ କାହାକୁ ଅପେକ୍ଷା କରେନି ତା ସହ ଚାଲିଯିବାକୁ ପଡ଼େ ତ କହିଲେ ଭୁଲ୍ ହେବ ଦୌଡିବାକୁ ପଡ଼େ |ଏହା ଭିତରେ କେତେ ଯେ ସ୍ମୃତି ସେ ଶ୍ଵେତା ସହ କଟାଇଛି ସେଗୁଡାକ କେମିତି ଆଜି ଲୁହ ବିନ୍ଦୁ ହୋଇ ଖସି ଆସୁଛି ଶଶୀ ଆଖିରୁ |
ଆଲୋ !ଚିତା ପକା ସେ ହାଣ୍ଡିରେ କାହାର ଗୋଟେ ଶବ୍ଦରେ ଧ୍ୟାନ ଭାଙ୍ଗିଗଲା ଶଶୀର, ଆଖିରୁ ଲୁହ ପୋଛି ପୁଣି କାମରେ ଲାଗିଯାଇଥିଲା |ବେଦୀ କାମ ସରିଯାଇଥାଏ, ମଙ୍ଗୁଳୁତି ଖାଇବା ପାଇଁ ଝିଅକୁ ସଜ କରିବାକୁ ପଡିବ, ଶଶୀ ସେଠୁ ଉଠି ଚଳିଯାଇଥିଲା ଶ୍ଵେତା ପାଖକୁ, ହଳଦୀ ରଙ୍ଗର ପାଟ କାଢି ପିନ୍ଧେଇଦେଇଥଲା ତାକୁ, ମଥାରେ ଟିକିଲି, କାନରେ ଝୁମୁକା ଆଉ ପାଦରେ ପାଉଁଜି ନାଇଦେଇ ଅବିବାହିତା ଜୀବନ ଶେଷ କରି ତାକୁ ମଙ୍ଗୁଳା କରିବାକୁ ପ୍ରସ୍ତୁତ କରିଥିଲା ଶଶୀ |ଆଞ୍ଜୁଳିରେ ଆଞ୍ଜୁଳାଏ ଚାଉଳ ମୁଠେଇ ଦେଇ ନେଇଯାଇଥିଲା ବେଦୀକୁ, ବେଦୀରେ ବସିବା ପୂର୍ବରୁ କେହିଜଣେ ଉଚ୍ଚ ସ୍ୱରରେ କହିଥିଲା, ଆଲୋ !ଏ କଥା ମଙ୍ଗୁଳା ଝିଅଟାର ବେକ ଖାଲି? ଶ୍ଵେତାର ବୋଉ ଯେଉଁ ବଣିଆକୁ ସୁନା ଗଡେଇବାକୁ ଦେଇଥିଲା ସେ କିଛି ଅସୁବିଧା କାରଣରୁ ଆଜି ସନ୍ଧ୍ୟା ସୁଦ୍ଧା ଗହଣା ଦେବ ବୋଲି କହିଛି |ସେହି ସମୟରେ ଶ୍ଵେତାର ଭାଉଜ ଶଶୀ ତା ବେକରେ ପଡ଼ିଥିବା ଚେନ୍ ଟାକୁ ଖୋଲି ଦେଇ ପିନ୍ଧେଇଦେଇଥିଲା ଶ୍ଵେତାକୁ |
"ଭାଉଜ ଏ ହାରଟା ଭାଇ ତୁମକୁ ଦେଇଥିଲେ ବାହାଘର ବର୍ଷର ଉପହାର, ଖୋଲି ଦିଅନି ତାକୁ ବେକରୁ |"
ଆରେ !ଏଇଟା ଯଦି ତାଙ୍କ ସୁନା ଭଉଣୀ ବେକରେ ଶୋଭା ପାଇବ ତାହେଲେ ତମ ଭାଇ ଆହୁରି ଖୁସି ହେବେ |
ପ୍ରଥମ ମଙ୍ଗୁଲୁତି ଶଶୀ ଶ୍ଵେତାକୁ ଖୁଆଇବା ପରେ ଘୁଂଚି ଆସିଥିଲା ବେଦୀର ଟିକିଏ ପଛକୁ ଆଉ ଅନୁଭବ କରୁଥିଲା ଶ୍ଵେତାକୁ ଧୀରେ ଧୀରେ ନିଜ ଅନ୍ତରରୁ ବିଲୀନ କରୁଛି । ନଣନ୍ଦର ଆଖ୍ୟା କେବେ ସେ ଦେଇନି ମନେ ମନେ ଭାବିନେଇଛି ତା ବଡ଼ ଝିଅ ସେ, ଏ ହାତରେ ତ ତାକୁ ବଡ଼ କରିଛି ସବୁ ସ୍ନେହ ମମତା ଏ ଛାତିରୁ ନିଗାଡ଼ି ଦେଇଛି ସେ |ଶ୍ଵେତା ଵି କିଛି କମ୍ କରିନି ତା ପାଇଁ ବାହାଗଣ୍ଠି ଠାରୁ ତାଙ୍କ ଘରେ ପାଦ ଦେବା ପରଠୁ ସବୁ ଭଲ ପାଇବା ଅଜାଡି ଦେଇଛି ତା ଭାଉଜ ଉପରେ |ନଣନ୍ଦ ଏବଂ ଭାଉଜର ସଂଜ୍ଞା ବଦଳିଛି ଏମାନଙ୍କ ପାଇଁ କହିଲେ ଭୁଲ୍ ହେବନାହିଁ ବୋଧେ |ନହେଲେ ପ୍ରତ୍ୟେକ ଘରେ ସେ ନଣନ୍ଦ ଭାଉଜର ମୁଁହ ମୋଡା ମୋଡି ଶୁଣିଲେ ବିରକ୍ତ ହୋଇଯାଏ ମନଟା |ଶଶୀ କୋଳରେ ଏବେ ଏବେ ପୁଅଟିଏ ଖେଳୁଛି ହେଲେ ଵି ତାଠୂ ଅଧିକା ମମତା ଅଜାଡିପକାଏ ଶ୍ଵେତା ଉପରେ, ପଚାରିଲେ କୁହେ ତା ପୁଅଠୂ ଆଗରେ ତା ଝିଅ ଥିଲା, ତାହେଲେ ଘରର ବଡ଼ଝିଅ ହିସାବରେ ସବୁ ପୂଜାପର୍ବ, ଭଲମନ୍ଦରେ ତା ଭାଗ ଆଗ ଏବଂ ଅଧିକ |କାଳେ ଦେଖିଲେ ଶ୍ଵେତା ମନ ଦୁଃଖ କରିବ ବୋଲି ଶଶୀ ମନଖୋଲି କାନ୍ଦି ଵି ପାରୁନି |
ବରଯାତ୍ରୀ ଆସି ପହଁଚିଲେ ଏବଂ ବାହାଘର ସାରି ଝିଅ ବିଦାୟ ବେଳ ହେଲା |ତା ପୂର୍ବରୁ ଶ୍ଵେତା କିଛି ସମୟ ପାଇଁ ତା ରୁମ୍ ରେ ବିଶ୍ରାମ କରୁଥିଲା ହଠାତ୍ ଉଠିପଡ଼ି ଭାବିଲା ଆଜିଠୁ ଏମିତି ଏକା ଏକା ଜୀବନ କାଟିବାକୁ ପଡିବ, ତାକୁ ଲାଗୁଥିଲା ଏ ଘର ଦ୍ୱାରା ସବୁକିଛି ତାଠୂ ଦୁରେଇ ଯାଉଛି |ଏବେଠୂ ତା ଜୀବନର ମୋଡ଼ ଆଉ ଗୋଟେ ପଟେ, କେମିତି ରହିବ ସେ ସେଠି ତା ବାପା, ମା, ଭାଇ ଆଉ ତା ପ୍ରିୟର ଭାଉଜ ନଥିବେ |କାମ କରି ଥକି ଗଲେ ଗୋଡ ମୋଡିଦେବାକୁ ତା ବୋଉ ନଥିବ, ଝାଳ ନାଳରେ ଖରାରୁ ଚାଲିଆସିଲେ ତା ଭାଉଜ ନ ଥିବ କାନିରେ ପୋଛି ଦେବାକୁ, ଭୋକରେ ମୁଁହ ଶୁଖିଲେ ତା ବାପା ଆଉ ଭାଇ ନଥିବେ ସଙ୍ଗେ ସଙ୍ଗେ ବଜାରରୁ ମନ ପସନ୍ଦ ଜିନିଷ କିଣି ଆଣିବା ପାଇଁ |ସବୁ ପରେ ଵି ସେ ତା ଭାଉଜକୁ ଛାଡି କେମିତି ରହିବ !ତା ସହ କଥା ନ ହୋଇକି ଝୁରି ଝୁରି ଖାଲି ମରିବ ସେ |ଭାଉଜ ତୁମକୁ ଅପେକ୍ଷା କରିଥିବ ଚାଲିଆସିବ ଏ ଅଭାଗିନୀ ପାଖକୁ ବେଳ କାଳ ପାତ୍ର ବିଚାର ନକରି |ମୁଁହ ଖୋଲି କହିପାରୁନଥିଵି ସିନା କିନ୍ତୁ ସେମିତି ଆଖିକୁ ଅପେକ୍ଷା କରେଇଥିବି ତମେ ଆସିବ ବୋଲି |ଚାଲି ଯାଉଛି ସମସ୍ତ ସ୍ନେହ ମମତା ଛିଣ୍ଡାଇ ଆଉ କେବେ ଅଯଥା ଅଳି କରିବିନି, ମୋତେ ଛାଡି ଆଉ କାହାକୁ ସ୍ନେହ କାଳେ ସେଇଥିରେ ଆଉ ଭାଗ ବସେଇବିନି, ମୋର ଆଜି ୟା ଦରକାର କାଲି ସେୟା ଦରକାର କହି ହଇରାଣ କରିବିନି, ଦୁଇ ତିନି ଦିନ ପାଇଁ ଘର ଛାଡି ଆଉ କାହା ଘରକୁ ଗଲେ କାନ୍ଦି କାନ୍ଦି ଆଉ ତମ ପାଖକୁ ଫେରିବିନି ଆଉ ତୁମକୁ ଦେଖିବା ପାଇଁ ଅପେକ୍ଷା ଅପେକ୍ଷାରେ ହିଁ ରହିଯିବ |ତା ପରେ ହୁଏତ ଶ୍ଵେତା ବିଦାୟ ହୋଇଯାଇଛି ଘରୁ କିନ୍ତୁ ତା ମନ କଥା ମନରେ ରହିଯାଇଛି ଅପ୍ରକାଶିତ ହୋଇ |