Shanti Mishra

Others

3  

Shanti Mishra

Others

ଲିଭି ଆସୁଥିବା ଭାଗ୍ୟ ରେଖା

ଲିଭି ଆସୁଥିବା ଭାଗ୍ୟ ରେଖା

3 mins
194



ସବୁଦିନ ସକାଳୁ ଆଖି ଖୋଲିଲା ବେଳକୁ, ତା ଶଯ୍ୟା ଧାରରେ ଠିଆ ହୋଇଥିବା ବୋଉକୁ ସେ ଦେଖେ l ତା ହାତରେ କିଛି ଫୁଲ, ବେଲପତ୍ର କିଛି ପ୍ରସାଦ ଥାଏ l ବୋଉ ତା ମୁଣ୍ଡରେ ସବୁ ଛୁଆଁଇ ଦିଏ l ଡାକ୍ତର ମନା କରିଛନ୍ତି କିଛି ବାହାର ଜିନିଷ ତାକୁ ନଦେବାକୁ l ବୋଉର ଆଖି ମୁହଁ ସବୁଦିନ ନାଲି ପଡି ଫୁଲି ଯାଇଥାଏ l ଠାକୁରଙ୍କ ପାଖରେ କେତେ ମୁଣ୍ଡିଆ ମାରିଥିବ କେତେ ଲୁହ ଢାଳିଥିବ କେତେ କାକୁତି ମିନତୀ ହୋଇ ତାର ଜୀବନ ଭିକ୍ଷା କରିଥିବ l

ସେ ଜାଣେ ବୋଉର ଏବେ ଏ ସବୁ ନିତି ଦିନିଆ କାମ ପାଲଟି ଯାଇଛି l ସେ ଏକ ଅଜଣା ରୋଗରେ ଆକ୍ରାନ୍ତ l ମୃତ୍ୟୁ ସହିତ ଲଢି ଲଢି ସେ ଆଜି ଥକି ଗଲାଣି l ଏବେ ଆତ୍ମ ସମର୍ପଣ କରି ଦେବାକୁ ଇଛା l ଆଉ ଏ ଶାରୀରିକ କଷ୍ଟ ଉଠେଇବା ତା ପକ୍ଷେ ସମ୍ଭବ ହେଉ ନାହିଁ l ତାର ବଞ୍ଚିବାକୁ ନେଇ ସମସ୍ତେ ଆଶା ଛାଡି ଦେଇଛନ୍ତି l ଡାକ୍ତର ମାନେ ବି l କିନ୍ତୁ ବୋଉ ଛାଡିନି l ତାର ବିଶ୍ଵାସ ତାର ନିତି ଦିନର ବ୍ୟାକୁଳ ପ୍ରାର୍ଥନା କେବେ ବ୍ୟର୍ଥ ହେବନହିଁ l ତାର ଡାକ ନିଶ୍ଚୟ ଗ୍ରହଣ ଯୋଗ୍ୟ ହେବ ସେଇ ଜନ୍ମ ମୃତ୍ୟୁ ନିୟନ୍ତ୍ରଣ କାରି ସର୍ବ ଶକ୍ତି ମାନଙ୍କ ପାଖରେ l

ବୋଉ ତା ନାମ ବାଛି ବାଛି ରଖିଥିଲା ‘ଅମର’ ବୋଲି l ଯାହାର କେବେ ମୃତ୍ୟୁ ହେବ ନାହିଁ l କିନ୍ତୁ ତାକୁ କୋଡିଏ ବର୍ଷ ହଉ ନହଉଣୁ ସେ ଆଜି ସର୍ବଗ୍ରାସୀ ମୃତ୍ୟୁର କବଳରେ l ଡାକ୍ତର ମାନଙ୍କ ସମସ୍ତ ଚେଷ୍ଟା ବିଫଳ ହେବାକୁ ଯାଉଛି l ବୋଉର ଦିନ ରାତିର ସେବା ପୂଜା ପାଠ ଅର୍ଚ୍ଚନା ପାଣିରେ ଭାଷିବାକୁ ଯାଉଛି l ଶରୀରରେ ଏତେ କଷ୍ଟ ସତ୍ବେଓ ସେ ବୋଉର ଦୁଃଖରେ ମ୍ରିୟମାଣ ଆଖି ଦୁଇଟାକୁ ଚାହିଁ ପାରେନା l ଭାଷା ହୀନ ସେ, ବୋଉକୁ କଣ କହି ଶାନ୍ତ୍ଵନା ଦେବ l ଇଚ୍ଛା ହୁଏ ଅନେକଥର କହି ଦବାକୁ ବୋଉ ତୁ ବ୍ୟସ୍ତ ହ ନା ମୁଁ ଭଲ ହେଇଯିବି ଯେ l କିନ୍ତୁ ଯୋଉଠି ଡାକ୍ତର ମାନେ ଆଶା ଛାଡି ଦେଲେଣି ସେଠି ସେ ଏପରି କଥା କିପରି କହି ପାରିବ l ତା ମୁଁହରୁ ଏପରି କଥା ଶୁଣିଲେ ବୋଉର ଦୁଃଖ ବଢିବ କମିବନି l ତେଣୁ ସେ ସବୁ ଦେଖି ଶୁଣି ନିରବ ରହେ l ନିର୍ଜୀବ ହାତ ଦୁଇଟାକୁ ଉଠେଇ ବି ଯୋଡି ପାରେନା ଭଗବାନଙ୍କ ଉଦ୍ଦେଶ୍ୟରେ l

ହଠାତ ଦିନେ ସମସ୍ତଙ୍କ କଳ୍ପନା ଜଳ୍ପନା ଆଶଙ୍କାକୁ ପଛରେ ପକେଇ ସେ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲା l ତା ଅଚଳ ହାତ ଗୋଡ ଦିଟାରେ ଶକ୍ତି ସଂଚାର ହେବାକୁ ଲାଗିଲା l ନିଜେ କାହାରି ବିନା ସାହାଯ୍ୟରେ ଉଠି ବସି ପାରିବାକୁ ସକ୍ଷମ ହେଲା l ଭୋକ ବି ବଢିଗଲା lକିଛି ଖାଇବା ପାଇଁ ଇଚ୍ଛା ପ୍ରକାଶ କଲା l ସମସ୍ତେ ଖୁସି l ଏହା ଏକ ଚମତ୍କାରିତା ଓ ଆଶ୍ଚର୍ଯ୍ୟର କଥା ଥିଲା ସମସ୍ତଙ୍କ ପାଇଁ l ଯଦିଓ ତାକୁ ଆହୁରି ଛଅ ମାସ ଲାଗିଲା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବାକୁ l ବୋଉର ଖୁସି ଦେଖେ କିଏ l ତା ଡାକ ଭଗବାନ ଶୁଣି ପାରିଲେ ବୋଲି ତାର ପୁରା ବିଶ୍ଵାସ l ଘର ସାରା ଖୁସିର ଲହର l ବୋଉର ପୂଜା ପାଠ ଜାରି ରହିଥାଏ l ରହିଥାଏ କଣ ଦଶ ଗୁଣା ବାଢି ଯାଇଥାଏ l ସେବେଠୁ ମା ପୁଅ ଯୋଉଠି ଦେଖିଲେ ଅସହାୟ ରୁଗ୍ଣ ମଣିଷ ତାକୁ ରାସ୍ତାରୁ ଉଠେଇ ଆଣି ତାର ସେବା କରିବାକୁ ଲାଗିଲେ l ବୋଉ କୁହେ ଏହାଠୁ ବଡ କାମ ଆଉ ସଂସାରରେ କିଛି ନହିଁ l ଶାରୀରିକ କଷ୍ଟ ଠାରୁ ଆଉ ବଳିକି କିଛି କଷ୍ଟ ନାହିଁ ଏ ସଂସାରରେ l

ସେ ବୋଉକୁ ଏ କାମରେ ବହୁତ ସାହାଯ୍ୟ କରେ l ଶାରୀରିକ କଷ୍ଟ ଯେ କି କଷ୍ଟ ତା ଠୁ ଅଧିକ ଆଉ ବା କିଏ ଜାଣେ l ତାଙ୍କ ସୁଖ ଦୁଃଖର ସଂସାର ପୁନର୍ବାର ଧୀରେ ଧୀରେ ଗଡି ଚାଲିଲା ସତ କିନ୍ତୁ ବେଶୀ ଦିନ ପାଇଁ ନୁହେଁ l ହଠାତ୍ ତିନି ବର୍ଷ ପରେ ବୋଉ ବହୁତ ବେମାର ହୋଇଗଲା l ହସ୍ପିଟାଲ ଗଲା l ଅମର ବି ମନ୍ଦିର ଯାଇ ବୋଉ ପରି ପୂଜା ଅର୍ଚ୍ଚନା କଲା କିନ୍ତୁ ଭଗବାନ ତା ଅନୁରୋଧ ରକ୍ଷା କରି ପାରିଲେନି l ବୋଉକୁ ସବୁଦିନ ପାଇଁ ତାଠୁ ଛଡ଼େଇକି ନେଇଗଲେ l ହୁଏତ ବୋଉ ପରି ତା ଡାକ ଏତେ ଶକ୍ତିଶାଳୀ ବା ପ୍ରଭାବଶାଳୀ ନଥିଲା l ବୋଉ ବିନା ଆଉ ବଞ୍ଚିବାକୁ ଇଚ୍ଛା ହେଲାନି l ବୋଉ ସାଥିରେ ଚାଲିଯିବାକୁ ଇଚ୍ଛା ହେଉଥିଲେ ବି ବୋଉ କଥା କାନରେ ଶୁଭି ଯାଉଥାଏ l ବହୁତ କଷ୍ଟରେ ଯମରାଜଙ୍କ ସହିତ ନିତି ଯୁଧ୍ୟ କରି ତତେ ତାଙ୍କ ଠାରୁ ଛଡେଇ କରି ଆଣିଛି l ଏ ଜୀବନକୁ ଏପରି ବ୍ୟର୍ଥ ହେବାକୁ ଦେବୁନି l ତାଙ୍କ ସଂସାରର ଯେତିକି ସମ୍ଭବ ଉପକାର କରି ତାଙ୍କ ଦୟାର ଋଣ ଶୁଝିବାକୁ ଚେଷ୍ଟା କରିବୁ l

ପୁଣି ଅମର ସମାଜ ସେବାରେ ଲାଗିଗଲା l ସମୟ ବିତିଗଲା l ବୋଉ ତା ମନ ଭିତରେ ସବୁବଳେ ପୂଜା ପାଉଥିଲେ ବି ଖୁବ କମ୍ ମନେ ପଡେ l ଏବେ ତ ତା ଜୀବନରେ “ଲଲିତା” ଆସି ଯାଇଛି l ଲଳିତାର ବାପାଙ୍କୁ ଡାକ୍ତରଖାନାକୁ ନବା ଆଣିବାରେ ସାହାଯ୍ୟ କରି l ତାର ଅସହୟତାର ଦିନରେ ତା ପାଖରେ ଠିଆ ହୋଇ, ତା ମନକୁ ସେ ଜିତି ଯାଇଥିଲା l ଆଉ ତ ଆଉ ତା ଜୀବନରେ ଦୁଇଟି କୁନି କୁନି ଝିଅ ଆସି ଯାଇଛନ୍ତି ତା ଘର ଓ ମନକୁ ସଜେଇବାକୁ l ହୁଏତ ଏ ଥିଲା ବୋଉର ଆଶୀର୍ବାଦ ଓ ତା ଦିଗଦର୍ଶନର ଫଳ l ବୋଉର କଥା ସବୁବେଳେ ମନେ ପଡ଼ିଯାଏ, ସେବା ସାହାଯ୍ୟର ବଳେ…..କିବା ଅସାଧ୍ୟ ମହୀ ତଳେ l


*************************************************


Rate this content
Log in