କୁହୁଡି ଢେଉ
କୁହୁଡି ଢେଉ
ଦୁହିଁଙ୍କ ସମ୍ପର୍କ କଲେଜ୍ କ୍ଲାସ୍ ରୁମ୍ ରୁ ଆରମ୍ଭ ହୋଇ କଲେଜ୍ ସାଇକେଲ୍ ଷ୍ଟାଣ୍ଡ୍,କ୍ୟାଣ୍ଟିନ୍,ଲାଇବ୍ରେରୀ,ଡିପାର୍ଟମେଣ୍ଟ୍ ପଛ ଆମ୍ବ ଗଛ ତଳ, ପାର୍କ୍ ଓ ସିନେମା ହଲ୍ ଯାଏଁ ବିସ୍ତୃତ ହୋଇଯାଇଥିଲା l ଦୁହେଁ ଦୁହିଁଙ୍କ ପାଇଁ ଥିଲେ ପ୍ରେରଣାର ଉତ୍ସ l ସମ୍ପର୍କ ଆରମ୍ଭର ଚପଳାମୀରେ ବ୍ୟସ୍ତ ରହି ପ୍ରଥମେ ପଢ଼ା ପଢିରେ ସାମାନ୍ୟ ଅବହେଳା କରିଥିଲେ ମଧ୍ୟ ଖୁବ୍ ଅଳ୍ପ ସମୟ ଭିତରେ ଆଗକୁ ସବୁକିଛି ଯୋଜନା ମୁତାବକ ଠିକ ଠିକ କରିବାକୁ ଓ ନିଜ ନିଜ ଲକ୍ଷସ୍ଥଳରେ ପହଂଚିବାକୁ ଉଭୟ ସଂକଳ୍ପବଦ୍ଧ ହେଇଥିଲେ l ପ୍ରେମ କାହାକୁ ଲକ୍ଷଚ୍ୟୁତ କରେ ନାହିଁ, ନିମ୍ନଗାମୀ କରେ ନାହିଁ ସେମାନେ ପ୍ରମାଣ କରି ଦେଖାଇଦେଇଥିଲେ l
ପାର୍ଥ ଆଉ ସୁଜାତା, ଦୁଇଟି ନାଁ ହିଁ ଯଥେଷ୍ଟ ଥିଲା ୟୁନିଭର୍ସିଟିର ଲାଟେଷ୍ଟ୍ ଲଭ୍ ଷ୍ଟୋରୀ କୁ ବର୍ଣ୍ଣନା କରିବାପାଇଁ l ବିଶ୍ୱବିଦ୍ୟାଳୟର ମୋଷ୍ଟ୍ ଟ୍ୟାଲେଣ୍ଟେଡ୍ କପୁଲ୍ ଭାବେ ସେମାନେ ପ୍ରସିଦ୍ଧ ଥିଲେ l ସେମାନଙ୍କ ଭଲପାଇବା ପ୍ରତି ଅନ୍ୟ ସ୍ଟୁଡେଣ୍ଟସ୍ ଙ୍କର ଯେତିକି ସମ୍ମାନ ଥିଲା ତାଠୁ ଅଧିକ ଇର୍ଷାର ମଧ୍ୟ ସେମାନେ ଶିକାର ହେଉଥିଲେ l
ଭଲ ପାଇବାର ଏହି ଅଭୁଲା ଅଧ୍ୟାୟରୁ ଆଠଟି ସୁନ୍ଦର ଫଗୁଣ ବିତିଯାଇଛି l ଆଠ ବର୍ଷ ଭିତରେ ସେମାନେ ପରସ୍ପର ଏକାଠି ହେବାକୁ ଅନେକଥର ପ୍ରତିଜ୍ଞା କରିଛନ୍ତି l ଅନେକଥର ମଧ୍ୟ ଝଗଡା ଓ ମନୋମାଳିନ୍ୟର ଛୋଟ ବଡ଼ ଝଡ ସୃଷ୍ଟି ହେଇଛି ଦୁହିଁଙ୍କ ମଧ୍ୟରେ l ଅନେକ ସମସ୍ୟା ମଧ୍ୟ ଆସି ଦେଖା ଦେଇଛି ପ୍ରେମୀଦୁହିଁଙ୍କ ଜୀବନରେ l ସମାଧାନ ବି ସେମିତି ଦୁହେଁ ମିଶି କରିନେଇଛନ୍ତି l ତୃତୀୟ ବ୍ୟକ୍ତିକୁ କେବେ ମଝିକୁ ଟାଣିଆଣି ନାହାଁନ୍ତି l
ପଢାପଢି ସାରି ଉଭୟ ନିଜ ନିଜ ମନମୁତାବକ ଖୁବ୍ ଭଲ ଜବ୍ ବାଛି ନେଇଛନ୍ତି l କାର୍ଯ୍ୟସ୍ଥଳୀ, କର୍ମସଂସ୍ଥାନ ବଦଳି ଯାଇଛି, କିନ୍ତୁ ବଦଳିନାହିଁ ଦୁହିଁଙ୍କ ହୃଦୟରେ ପରସ୍ପର ପ୍ରତି ଥିବା ନିରୋଳା ଭଲପାଇବା l ଆଜି ବି ସେମାନେ ଅଫିସ୍ ପରେ ପୁରୁଣା ପାର୍କ୍ ଟାରେ ଏକାଠି ହୁଅନ୍ତି, ବସନ୍ତି, ଗପନ୍ତି l ସଞ୍ଜ ନଇଁ ଆସିଲେ ନିଜ ନିଜ ଗାଡି ଷ୍ଟାର୍ଟ୍ କରି ଉଭୟ ଉଭୟଙ୍କ ବିପରୀତ ଦିଗକୁ ଧୂଆଁ ଉଡେଇ ବାହାରି ଯାଆନ୍ତି l
ସୁଜାତା ଏଇ କିଛିଦିନ ହେବ ଅଫିସ୍ ରେ ଉଦାସ ରହୁଛି l ପାର୍ଥ ସହ ଦେଖା ହେଲେ ଚିଡଚିଡ୍ ହେଉଛି l ଆଗପରି ଆଉ ଏତେଟା ପ୍ରଫୁଲ୍ଲ ରହୁନାହିଁ l ପାର୍ଥ କିନ୍ତୁ ସଦା ପ୍ରସନ୍ନ l ହସହସ ମୁହଁ ତାର l ଚିନ୍ତା କେବଳ ତାର ନିଜ ପରିବାରର କିଛି ସମସ୍ୟାକୁ ନେଇ l ସୁଜାତା ସହ ସେ ବେଶ୍ ଖୁସି l ଆଜି ଅନେକ ଆଗରୁ ସୁଜାତା ପାର୍ଥକୁ ପାର୍କ୍ ରେ ଅପେକ୍ଷା କରି ରହିଛି l ପାର୍ଥ ଆସିଲା ହାତରେ ବାଇକ୍ କାଠିଟା ଘୁରେଇ ଘୁରେଇ l
--ପାର୍ଥ ! ଆଉ କେତେଦିନ ଏମିତି ଚାଲିବ ? ଆଉ କେତେ ବର୍ଷ ମୋତେ ୱେଟ୍ କରିବାକୁ ହେବ କୁହ ? କିଛି ତ ଗୋଟେ ଡିସିସନ୍ ନିଅ l
--ବାବା ରେ ! ଦେଖ, ଗୋଟେ ଦିନ ୱେଟ୍ କରିବାକୁ ପଡ଼ିଲାରୁ କେତେ ରାଗ ! ଆଉ ମୁଁ ଯେଉଁ ଡେଲି ଘଣ୍ଟା ଘଣ୍ଟା ଅପେକ୍ଷା କରେ, ତାର କିଛି ଭ୍ୟାଲୁ ନାହିଁ ବୋଧେ ?
--ଓହୋଃ ପାର୍ଥ ! ମୁଁ ଏ ପାର୍କ୍ ରେ ଅପେକ୍ଷାକରିବା କଥା କହୁନି l ତୁମେ ଠିକ୍ ଜାଣ ମୁଁ କୋଉ କଥା କହୁଛି l ଦେଖ ତୁମ ଜବ୍ କରିବା ଚାରିବର୍ଷ ହେଇଗଲାଣି, ମୋ ଚାକିରୀ କରିବାକୁ ବି ତିନିବର୍ଷ ପୁରିଯିବ l ଏବେ ପ୍ଳିଜ୍ ମ୍ୟାରେଜ୍ କଥା ଟିକେ ଚିନ୍ତା କର l ଆମ ଘରେ ମୋ ପାଇଁ ୱରିଡ୍ ହେଲେଣି l
ସୁଜାତା କଥାର ଉତ୍ତର ନଦେଇ ପାର୍ଥ କିଛି ସମୟ ନୀରବରେ ମୁଣ୍ଡ ତଳକୁ କରି ବସିଲା l ପୁଣି କଣ ଚିନ୍ତା କରି ଗଳାର ହାଲ୍କା ପଣକୁ ଗମ୍ଭୀରତା ରେ ରୂପାନ୍ତର କରି କହିଲା, "ସୁଜାତା, ତୁମେ ତ ସବୁ ଜାଣ ମୋ ଘର ବିଷୟରେ l ପ୍ରଜ୍ଞାର ବାହାଘର ଠିକ୍ ହେଇପାରୁନି l ତା ବାହାଘର ନହେବା ଯାଏଁ ମୁଁ କେମିତି ମୋ ମ୍ୟାରେଜ୍ କଥା କହିପାରିବି ? ତା ଛଡା ମୁଁ ଚାହେଁ ଆମ ବାହାଘର ଆଗରୁ ପୁରୁଣା ଘରଟାକୁ ଭାଙ୍ଗି ଭଲ ଘରଟେ ତିଆରି କରିନେବାପାଇଁ l ବୋଉର ଆଣ୍ଠୁ କଥା ତ ଜାଣିଛ, ନି ରିପ୍ଲେସମେଣ୍ଟ୍ ସର୍ଜରୀ ନିହାତି ଦରକାର l ତୁମେ ବୁଝିପାରୁଥିବ ଏତେଗୁଡାଏ ଟଙ୍କା ଯୋଗାଡ଼ କରିବା କେତେ କଷ୍ଟ l ଏସବୁ ଭିତରେ ମୁଁ କେମିତି ଆଗ ବାହାହେଇଯିବି କୁହ ?
--ପାର୍ଥ, ସତରେ ତୁମେ ଏବେ ବହୁତ ସେଲ୍ଫିସ୍ ହେଇଗଲଣି l କେବଳ ନିଜ ବାପା,ମାଆ, ଭଉଣୀ ଓ ଫ୍ୟାମିଲି କଥା ହିଁ ଭାବୁଛ l ମୋ ବିଷୟରେ ଆଦୌ ଚିନ୍ତା କରୁନ l ମୁଁ ଭାବୁଛି ତୁମେ ମତେ ଟେକେନ୍ ଫର୍ ଗ୍ରାଣ୍ଟେଡ୍ ଧରିନେଇଛ l ତୁମେ ବୋଧେ ଭାବିନେଇଛ ମତେ ଓ ମୋ ଭାବନାକୁ ଯେତେ ନେଗ୍ଲେକ୍ଟ୍ କଲେ ମଧ୍ୟ ମୁଁ ତୁମକୁ ଛାଡି ଆଉ କାହା ପାଖକୁ ଯାଇପାରିବିନି l ଠିକ ଏୟା ନା ପାର୍ଥ ?
ସୁଜାତାର ସ୍ୱରରେ କ୍ରୋଧ ଓ ଅଭିମାନ ଉଭୟ ବାରିହେଇପଡୁଥିଲା l ପାର୍ଥ, ସୁଜାତାର ବାମ ହାତର ପାପୁଲି କୁ ନିଜ ଡାହାଣ ପାପୁଲିରେ ଆଉଁସୁ ଆଉଁସୁ କହିଲା, "ସୁଜାତା ! କଣ ଏମିତି ପାଗିଳୀ ପରି କହୁଛ ? ତୁମେ ଭଲକରି ଜାଣ ମୁଁ ତୁମ ପାଇଁ କେତେ ଚିନ୍ତିତ l ବାହାଘର ପାଇଁ ମୁଁ କେବେ ମନାକରିଛି ? ମୋର କଣ ଇଚ୍ଛା ନାହିଁ ତୁମକୁ ସବୁଦିନ ମୋ ନିଜ ଘରେ,ମୋ ପାଖରେ ପାଇବା ପାଇଁ ? ମୁଁ ବି ବାହାହେବାକୁ ଚାହେଁ ସୁଜାତା, କିନ୍ତୁ ଆଉ ଟିକେ ଅଧିକ ସମୟ ଚାହୁଁଛି l ତୁମେ କେମିତି ମତେ ବୁଝିପାରୁନ ସେଇଟା ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ? "
--ନାଇଁ ପାର୍ଥ, ମୋ ପାଖରେ ଆଉ ସମୟ ନାହିଁ l ମୋର ଆଉ ଧର୍ଯ୍ୟ ବି ନାହିଁ l ମୋର ସବୁ କ୍ଲୋଜ୍ ଫ୍ରେଣ୍ଡସ୍ ବାହା ହେଇସାରିଲେଣି l ଅଫିସ୍ ରେ ଷ୍ଟାଫ୍ ମାନେ ମୋତେ ନାନାଦି ଅପମାନ ଜନକ କଥା କହି ଥଟ୍ଟା ମଜା କଲେଣି l ମୁଁ ଆଉ ଏ ଲଭ୍ ଫବ୍ ଖେଳ ଖେଳିପାରିବିନି l ବହୁତ ହେଇଗଲା l ଆଉ ବେଶି ଅପେକ୍ଷା କଲେ ମ୍ୟାରେଜ୍ କୁ ନେଇ ମୋର ଯେଉଁ ଡ୍ରିମ୍ ଅଛି ସେ କେବଳ ଡ୍ରିମ୍ ରେ ହିଁ ରହିଯିବ l ତୁମେ ଆଜି ଯାଇ ତୁମ ଘରେ ଆମ କଥା କୁହ l ଆମେ ଦୁଇଜଣ ତ ଇନକମ୍ କରୁଛେ, ସବୁ ମ୍ୟାନେଜ୍ ହେଇଯିବ l ଦେଖ, ଏବେ ନୁହେଁ ତ କେବେ ନୁହେଁ l ତୁମ ବାପା ଯଦି ଏହି ସପ୍ତାହ ଭିତରେ ଆମ ଘରକୁ ପ୍ରପୋଜାଲ୍ ନେଇ ନଆସନ୍ତି,ତୁମକୁ କିନ୍ତୁ ମତେ ଭୁଲିଯିବାକୁ ହେବ ପାର୍ଥ l
ସୁଜାତା ଆଉ ପଛକୁ ବୁଲିନଚାହିଁ କ୍ଷୀପ୍ର ପାଦରେ ସେ ଜାଗା ଛାଡି ଉଠି ଆସିଲା l ପାର୍ଥ ତା ପଛେ ପଛେ ପ୍ରାୟ ଦୁଇଶହ ମିଟର ଯାଏଁ ଗଲା l କିନ୍ତୁ ସୁଜାତା ସେ ଆଡେ ଆଦୌ ନଦେଖି ଆଖିରୁ ଲୁହ ପୋଛି ଅଟୋରିକ୍ସା ଟେ ଅଟକେଇଲା l "କେନାଲ୍ ରୋଡ୍", କହି କଡ଼ ସିଟ୍ ରେ ଗେଞ୍ଜି ହେଇ ବସିଗଲା l
ସୁଜାତାର ଘରେ କିନ୍ତୁ ସତରେ ତା ବାହାଘର ପାଇଁ କେହି ବ୍ୟସ୍ତ ନଥିଲେ l ସେଥିପାଇଁ ସେ ପାର୍ଥକୁ କହୁଥିଲା ତା ବାପାଙ୍କୁ କହି ତାଙ୍କ ଆଡୁ ପ୍ରସ୍ତାବ ଆଣିବା ପାଇଁ l କିନ୍ତୁ ସୁଜାତାକୁ ଏତକ ମିଛ ପାର୍ଥକୁ କହିବାକୁ ପଡୁଥିଲା ଯେ ତା'ର ପରିବାର ତା' ବିବାହ ପାଇଁ ବହୁତ ଚିନ୍ତିତ l
ସୁଜାତା ଯେ ଖୁବ୍ ବେଶି ବଡ଼ ହେଲାଣି, ତା ବାହାଘର ବୟସ ଗଡିଗଲାଣି ଏକଥା ତାର ବାପା ଆଦୌ ଅନୁଭବ କରିପାରୁନଥିଲେ l ଯେବେଠୁଁ ସୁଜାତାର ଚାକିରୀ ହେଲାଣି ସେ ତ ଭୁଲି ବି ଗଲେଣି ଗଭର୍ନମେଣ୍ଟ୍ ଜବ୍ କରୁଥିବା ଝିଅଟେର ବିବାହ ବି କରାଯାଏ ବୋଲି l ବୋଉ ଜାଣିଥିଲେ ପାର୍ଥ କଥା l ସେ ପାର୍ଥ ସହ କଥା ବି ହୁଅନ୍ତି ବେଳେ ବେଳେ l ବହୁତ ପସନ୍ଦ କରନ୍ତି ପାର୍ଥର ଶାନ୍ତ, ସରଳ ଓ ଶିଷ୍ଟ ସ୍ଵଭାଵକୁ l ସୁଜାତା ପରି ବଦରାଗି ଝିଅକୁ ଏତେଦିନ ଧରି ସେ ନିଜ ହୃଦୟରେ ସ୍ଥାନ ଦେଇ ଆହୁରି ଆଗକୁ ତା ହାତଧରି ଚାଲିବାକୁ ନିଷ୍ପତି ନେଇଥିବା ଜାଣି ସୁଜାତାର ବୋଉ ଖୁବ୍ ଆଶ୍ଵସ୍ତ ଅନୁଭବ କରନ୍ତି l
ସୁଜାତା ସେଦିନ ଅଫିସ୍ ରୁ ଏତେ ଲେଟ୍ ରେ ଫେରିବା ଦେଖି ବୋଉ ବୁଝିନେଇଥିଲେ ସେ ଅଫିସ୍ ପରେ ପରେ ପାର୍ଥକୁ ଭେଟ କରି ଆସିଛି l ଖାଇବା କଥା ପଚାରିଲାରୁ ବିରକ୍ତି ଭରା କଣ୍ଠରେ କହିଲା ସୁଜାତା , "ଖାଇବା ଛଡା ମୋର ଆଉ କିଛି କେବେ ଦରକାର ହୁଏ ନାହିଁ ବୋଧେ ? ଏହି ଖାଇବା, ପିଇବା,ବାଢିବାକୁ ବାଦ୍ ଦେଇ କୋଉଦିନ ତୁ ବୁଝିଛୁ ମୁଁ ଆଉ କଣ ଚାହେଁ ? "
"ମୁଁ ଆଉ କଣ ବୁଝିବି ଲୋ ଧନ ? ତୁ ତ ଚାକିରୀ କଲୁଣି, ରୋଜଗାର କରୁଛୁ, ନିଜ କଥା ନିଜେ ବେଶ୍ ବୁଝୁଛୁ l",ବୋଉ ନରମେଇ ଏତିକି କହିଛନ୍ତି ସୁଜାତା କାନ୍ଧ ବ୍ୟାଗ୍ ଟାକୁ ତଳେ କଚାଡି ଦେଇ ମୁଣ୍ଡକୁ ଦୁଇ ହାତରେ ଚାପି ଧରିଲା ଓ କିଛି ସମୟ ପରେ ଅଜବ ଗୋଟେ ଚାହାଣୀ ରେ ଅନେଇ କହିଲା, "ବାଃ ବାଃ କି ସୁନ୍ଦର ଉତ୍ତର ! ୟାଙ୍କୁ ହିଁ କହନ୍ତି ଦାୟିତ୍ୱବାନ୍ ପ୍ୟାରେଣ୍ଟସ୍ l ହୁମ୍.. "
ସପ୍ତାହେ ଗଡ଼ି ଦୁଇ ସପ୍ତାହ ହେଲା, ପାର୍ଥ ତଥାପି ନିଜ ଘରେ ସୁଜାତା କଥା କହିଲାନି l ଏବେ ସେ ଯେତେବେଳେ ବି ସୁଜାତାକୁ ଫୋନ୍ କରେ ପ୍ରତିଥର ତାକୁ ସେହି ଗୋଟିଏ ସମାନ ପ୍ରଶ୍ନର ସାମ୍ନା କରିବାକୁ ପଡେ, "ତୁମ ବାପା କେବେ ଆସୁଛନ୍ତି ପ୍ରସ୍ତାବ ନେଇ? "
ପାର୍ଥ ଏଥର ରାଗିକରି ଉତ୍ତର ଦେଲା, "ମୋ ବାପା କାହିଁକି ଯିବେ ? ଝିଅ ଘରୁ ଆଗ ପ୍ରସ୍ତାବ୍ ଆସେ, କ'ଣ ଜାଣିନ ? "
ଉତ୍ତରରେ ସୁଜାତାର ରାଗଟା ଖୁବ୍ ବେଶି ବଢ଼ିଗଲା l ସେହି ମୁହୂର୍ତ୍ତରେ ସେ ପାର୍ଥ ସହ ଆଠ ବର୍ଷର ସମ୍ପର୍କର ଡୋର କୁ ନିଜ ଆଡୁ ଛିଣ୍ଡେଇ ଗୁଡେଇ ତୁଡେଇ ତଳକୁ ଫିଙ୍ଗିଦେଲା l ପାର୍ଥ କିନ୍ତୁ ନିଜ ଆଡୁ ଲମ୍ବିଥିବା ଡୋରକୁ ଜୋର୍ କରି ଧରିଥିଲା l ଫଳରେ ସମ୍ପର୍କଟା ଏକପାଖିଆ ହେଇ ଶୂନ୍ୟରେ ଝୁଲିରହିଲା l
ସୁଜାତା ଏବେ ଅଫିସ୍ ରେ, ଘରେ ଅହରହ ମୋବାଇଲ୍ ଓ ଲାପଟପ୍ ରେ ଲାଗିରହୁଛି l ତାର ଅନେକ ଫୋନ୍ କଲ୍ ଆସୁଛି, ସେ ଗୁଡାଏ ତଥ୍ୟ ଦେଉଛି, ସଂଗ୍ରହ ବି କରୁଛି l ବାପା କୌଣସି କଥାରେ ମୁଣ୍ଡ ପୁରାନ୍ତିନି l ବୋଉ କିଛି ବୁଝିପାରନ୍ତିନି l
ହଠାତ୍ ଦିନେ ସୁଜାତା ଘରେ ଘୋଷଣା କରିଦେଲା ଯେ ସେ ଇଂଜିନିୟର୍ ଆଦିତ୍ୟ ଚୌଧୁରୀଙ୍କୁ ବିବାହ କରିବାକୁ ନିଷ୍ପତି ନେଇସାରିଛି l ଉଭୟ ମାଟ୍ରିମୋନିଆଲ୍ ମାଧ୍ୟମରେ ପରଷ୍ପର ପରଷ୍ପରର ସମ୍ବନ୍ଧରେ ବେଶ୍ ଭଲ କରି ଜାଣିସାରିଲେଣି ଓ ଆଦିତ୍ୟଙ୍କ ବାପାମାଆ ଆସନ୍ତା ରବିବାର ଆସୁଛନ୍ତି ସୁଜାତାର ପରିବାର ସହ ସାକ୍ଷାତ କରି ବିବାହ ବିଷୟରେ ଆଲୋଚନା କରିବାପାଇଁ l
ସୁଜାତାର ବାପା ବିଚଳିତ ଓ ବିରକ୍ତ ଜଣାଯାଉଥିଲେ କିନ୍ତୁ ବୋଉ ଏକଦମ ଦୁଃଖୀ ଦୁଃଖୀ ହେଇଗଲେ l ସୁଜାତାକୁ ଅଭିମାନ ଭରା ସ୍ୱରରେ କହିଲେ, "ସୁଜାତା, ଏତେ ବଡ଼ ନିଷ୍ପତିଟେ ନେବା ଆଗରୁ ଆମକୁ ଟିକେ ହେଲେ ପଚାରିପାରିଲୁନି? "
--କାହିଁକି ପଚାରିଥାନ୍ତି ? ତୁ ତ କହୁଥିଲୁ ନା ମୁଁ ବଡ଼ ହେଲେଣି,ରୋଜଗାର କରୁଛି, ନିଜ କଥା ବେଶ୍ ବୁଝିପାରିବି l ତାହେଲେ ଆଉ କାହାର ପରାମର୍ଶ ମୋର କଣ ଦରକାର ?
ଏତକ କହି ସୁଜାତା ତା ରୁମ୍ ଭିତରକୁ ଚାଲିଗଲା l ପଛେ ପଛେ ବୋଉ ତାକୁ ଅନୁସରଣ କଲେ l
--ଏସବୁ କିନ୍ତୁ ଠିକ ହେଉନି ସୁଜାତା ? ପାର୍ଥ କୁ ଛାଡି...
--ବୋଉ, ମୁଁ କାହାକୁ ଛାଡ଼ିନି l ଯାହାର ମତେ ଧରି ରଖିବାର କ୍ଷମତା ନାହିଁ, ତାକୁ ଅତିକ୍ରମ କରି ମୋତେ ଆଗକୁ ଯିବାକୁ ପଡିବ l ସେ ମୋ ସହ ଖାଲି ଖେଳୁଥିଲା l ମୋର ଦରକାର ନାହିଁ ତାର ସେ ତୁଚ୍ଛା ପ୍ରେମ l
--ସୁଜାତା, ତୁ ଆଉଥରେ ଟିକେ ଭାବେ ଧନ l ପାର୍ଥ ଖୁବ୍ ଭଲ ପିଲା l
--ବହୁତ ଭାବିଛି l ମୁଁ ଆଉ ଏବେ ତା ବିଷୟରେ କିଛି ବି କଥା ହେବାକୁ ଚାହେଁନି ବୋଉ l ପ୍ଳିଜ୍,ମୋ ଆଗରେ ଆଉ ତା ନାଁ ଟା ନେବୁନି l
ବୋଉଙ୍କ ଆଖିରୁ କାହିଁକି କେଜାଣି ଲୁହ ଦୁଇବୁନ୍ଦା ଖସି ଆସିଲା ପାର୍ଥଠୁ ସୁଜାତା ଅଲଗା ହେଇଯିବା କଥାଟା ଶୁଣି l ସେ ଭାବୁଥିଲେ ତାଙ୍କ ବଦରାଗି ଝିଅ ସୁଜାତା ନିଜ ଅଜାଣତରେ ପାର୍ଥ ପ୍ରତି ଅନ୍ୟାୟ କରୁଛି l ଭଗବାନଙ୍କୁ ମନେ ମନେ ଡାକୁଥିଲେ, "ହେ ପ୍ରଭୁ ! ସୁଜାତାର ମନ ବଦଳିଯାଆନ୍ତା କି !"
ସୁଜାତାର ମନକୁ କେହି ବଦଳେଇ ପାରିଲେନାହିଁ l ଆଦିତ୍ୟଙ୍କ ସହ ସୁଜାତାର ଶୁଭପରିଣୟ ଦୁଇ ପରିବାରଙ୍କ ସହମତିରେ ସୁଚାରୁ ରୂପେ ସମ୍ପନ୍ନ ହେଇଗଲା l ବିବାହକୁ ନେଇ ପିଲାଟି ବେଳରୁ ଦେଖିଥିବା ସୁନ୍ଦର ସୁନେଲି ସ୍ୱପ୍ନଟା ସୁଜାତାର ପୂରଣ ହେଇଯାଇଥିବ ନିଶ୍ଚୟ l କିନ୍ତୁ ପାର୍ଥ ସୁଜାତା ବିନା ଅପୂରଣୀୟ ହେଇ ରହିଗଲା l ସୁଜାତା ମ୍ୟାରେଜ୍ ର ଇନଭିଟେସନ୍ କାର୍ଡ୍ ଟାକୁ ପାର୍ଥ ବାରମ୍ବାର ଖୋଲି ଦେଖୁଥିଲା ଆଉ ନିଜ ଆଖିକୁ ବିଶ୍ୱାସ କରିନପାରି ବାରମ୍ବାର 'ଆଦିତ୍ୟ ସହ ସୁଜାତା' ଲେଖାଥିବା ଧାଡିଟା ଭୁଲ୍ କି ଠିକ ଜାଣିବାର ପ୍ରୟାଶ କରି ପରଖୁଥିଲା l କିନ୍ତୁ ଆଖିର ନିର୍ଭୁଲ ଦୃଷ୍ଟିଶକ୍ତି ଆଗରେ ମନଟା ତାର ପ୍ରତିଥର ପରାଜିତ ହେଇଯାଉଥିଲା l
"ଆଦିତ୍ୟ ଓ ସୁଜାତାଙ୍କ ମ୍ୟାଚ୍ ପରଫେକ୍ଟ୍ ",ଅନେକଙ୍କ ମୁହଁରୁ ଏପରି ଶୁଣାଯାଏ l ଆଦିତ୍ୟ ଖୁବ୍ ବେଶି ଭଦ୍ର l ମାପିଚୁପି ଅଳ୍ପ କଥା ହୁଅନ୍ତି l ସୁଜାତା କୁ ବହୁତ ବେଶି ଭଲ ପାଆନ୍ତି, ତାର ପସନ୍ଦ ନାପସନ୍ଦର ଖିଆଲ ବି ରଖନ୍ତି l ବିବାହର ପ୍ରଥମ କିଛି ଦିନ,ସପ୍ତାହ, ପକ୍ଷ ଓ ମାସ ସୁଜାତା ନୂତନ ଅନୁଭୂତିରେ ଆଚ୍ଛାଦିତ, ଆନନ୍ଦିତ ଓ ବିଭୋର ହେଇଯାଉଥିଲା l ଆଦିତ୍ୟଙ୍କ ପରାମର୍ଶରେ ଜବ୍ ରୁ ରିଜାଇନ୍ ଦେଇ ପତିଙ୍କ ସହ ଯୁଗ୍ମ ଜୀବନର ଭରପୁର ଆନନ୍ଦ ନେବା ପାଇଁ ଓଡିଶା ଛାଡି ବାଙ୍ଗାଲୋର୍ ଚାଲିଗଲା l ଆହୁରି ଅଧିକ କିଛିଦିନ ଆଦିତ୍ୟ - ସୁଜାତାଙ୍କ ଦାମ୍ପତ୍ୟ ଜୀବନ ପ୍ରବାହମାନ ଚିରସ୍ରୋତା ନଦୀପରି କୁଳୁକୁଳୁ ଗୀତ ଗାଇ ବହିଚାଲିଥିଲା l
ସମୟ ବଦଳୁଥିଲା l ଚୁଇଁଗମ୍ ରୁ ମିଠାପଣ ସରିଯାଇ, ସିଠାଳିଆ କିଛି ରହିଯାଉଥିଲା l ସୁଜାତାର ଜବ୍ ନାହିଁ, ବ୍ୟସ୍ତତା ନାହିଁ, ସମସ୍ୟା ନାହିଁ l ଅଛି ହାତରେ ପ୍ରଚୁର ସମୟ ଆଉ ସେ ବି ଏକ୍ଲା ପଣର l ସୁଜାତା ପ୍ରତି ସ୍ୱାମୀଙ୍କ ହୃଦୟରୁ ଆଗଭଳି ପ୍ରେମର ନିର୍ଝରିଣୀ ବହିଚାଲିଛି l କିନ୍ତୁ ସ୍ରୋତରେ ଆଉ ସେ ବର୍ଷାଦିନିଆଁ ପ୍ରଖରତା ନାହିଁ l ଆଦିତ୍ୟ ଯଦିଓ ଦାୟିତ୍ୱବାନ୍, କିନ୍ତୁ ଏବେ ଟିକେ ସମୟ ଅଭାବରୁ ସୁଜାତାକୁ ଦେଇଥିବା ପ୍ରତିଶୃତି ବେଳେ ବେଳେ ରଖିପାରୁନାହାନ୍ତି l ସୁଜାତା ଚାହୁଁଛି ଆଦିତ୍ୟ ତାକୁ ନିଜ ଭୁଲ ପାଇଁ କ୍ଷମା ମାଗନ୍ତୁ,କାନ ଧରି କୁହନ୍ତୁ, "ଜାନ୍ ଏମିତି ଭୁଲ ଆଉ କେବେ କରିବିନି " l ଆଦିତ୍ୟ କିନ୍ତୁ ସେମିତି କିଛି କରୁନାହାନ୍ତି l "କାମ ଥିଲା", କହି ପୁଣି ନିଜ କାମ ରେ ବ୍ୟସ୍ତ ହେଇଯାଉଛନ୍ତି l ସୁଜାତା କୁ ସେହି ମୁହୂର୍ତ୍ତରେ ପାର୍ଥ ମନେପଡୁଛି l ଖୁବ୍ ମନେପଡୁଛି l ପାର୍ଥ ସୁଜାତାର ପାଦ ତଳେ ଆଣ୍ଠୁମାଡି ବସି ତାର ରୋଷ ଓ ମାନ ଭାଙ୍ଗିବାକୁ କରୁଥିବା ପ୍ରଚେଷ୍ଟା ସୁଜାତାର ଆଖି ସାମ୍ନାରେ ଭାସିଉଠି ଆଖିକୁ ତାର ସଜ୍ଜଳ କରିପକାଉଛି l
ଆଦିତ୍ୟଙ୍କ ଫ୍ରେଣ୍ଡ୍ ସମ୍ବିତ୍ ର ମ୍ୟାରେଜ୍ ରିସେପସନ୍ ଥିଲା l ସୁଜାତା ପାର୍ଲର୍ ରେ ତିନିଘଣ୍ଟା ସମୟ ବିତାଇ ନିଜକୁ ଖୁବ୍ ସୁନ୍ଦର କରି ସଜେଇଥିଲା l ପରଫେକ୍ଟ୍ ଗେଟଅପ୍ ରେ ଆଦିତ୍ୟ ଙ୍କ ସାମ୍ନାକୁ ଆସି ଯେତେବେଳେ ପଚାରିଲା, "ଆଜି କେମିତି ଦିଶୁଛି? ", ଆଦିତ୍ୟ ତଳୁ ମୁହଁ ଉଠେଇ ମାତ୍ର କ୍ଷଣଟେ ସୁଜାତା ଉପରେ ନଜର ବୁଲେଇ ଆଣି ଅତି ସାଧା ସିଧା ଉତ୍ତର ଟେ ଦେଇଥିଲେ, "ବହୁତ ସୁନ୍ଦର " l ସୁଜାତାର ସେତେବେଳେ ପୁଣି ଥରେ ପାର୍ଥ ମନେ ପଡିଥିଲା l ପାର୍ଥ ଠିକ୍ ଜାଣେ ଝିଅଙ୍କୁ କେମିତି ପ୍ରଶଂସା କରାଯାଏ l ସାମାନ୍ୟ ନୀଳ ରଙ୍ଗର ସଲ୍ୱାର ସୁଟ୍ ରେ ସୁଜାତା ଯେ ଅପୂର୍ଵ ଦେଖାଯାଇପାରେ ପାର୍ଥଠୁ ହିଁ ସେ ଜାଣିବାକୁ ପାଇଥିଲା l ଖୁସି ରେ ସେଦିନ ସୁଜାତାର ମନ ପାର୍କର ମନୋରମ ପରିବେଶରେ ପ୍ରଜାପତି ପରି ପରସ୍ତେ ଉଡିଆସିଥିଲା l
ଆଦିତ୍ୟଙ୍କ ପ୍ରଶଂସା କରିବାରେ ଏପରି କାର୍ପଣ୍ୟତା ସୁଜାତାକୁ ଅସହ୍ୟ ବୋଧ ହେଲା l ମ୍ୟାରେଜ୍ ଫଙ୍କଶନ୍ କୁ ଯିବାର ଉତ୍ସାହ ତାର କମିଗଲା l ତଥାପି ସେ ବିନା ବାକ୍ୟବ୍ୟୟ ରେ ଆଦିତ୍ୟଙ୍କ ପଛେ ପଛେ ଯାଇ ଗାଡ଼ିରେ ବସିଲା l
ଆଦିତ୍ୟ ଓ ସୁଜାତାଙ୍କ ଯୁଗ୍ମ ଜୀବନରେ ଯେତ
ୋଟି ଫଗୁଣ ବିତୁଥାଏ , ତାହାଠୁ କାହିଁରେ କେତେ ଗୁଣ ଅଧିକ ଉଦାସପଣ ସୁଜାତାକୁ ଭିତରେ ଭିତରେ କୋରି କୋରି କଷ୍ଟ ଦେଉଥାଏ l "ସେତେବେଳେ ବୋଉ କଥା ଶୁଣିବାର ଥିଲା l ମ୍ୟାରେଜ୍ ପୂର୍ବରୁ ଆଉଥରେ ମୋତେ ଭାବିବାର ଥିଲା l", ଅନେକଥର ସୁଜାତା ଏମିତି କେତୋଟି ଅକୁହା କଥା ନିଜକୁ କହେ ଆଉ ଦୁଃଖ ପାଏ l
ଆଦିତ୍ୟ ସୁଜାତା କୁ ତା ଭୁଲ ଠିକ ର ହିସାବ ଦେଖେଇ ଦିଅନ୍ତି l ସୁଜାତା ପାରେନି l ଆଦିତ୍ୟ ସବୁବେଳେ ଠିକ l କୌଣସି କାମରେ ତାଙ୍କର ତ୍ରୁଟି ହିଁ ହୁଏନାହିଁ l ସୁଜାତାକୁ ସେଇଟା ବି ବାଧେ l ତାକୁ ଲାଗେ ଆଦିତ୍ୟ ତାର ସ୍ୱାମୀ ହେଇପାରିଛନ୍ତି, ଅଭିଭାବକ ପରି ତାର ଯତ୍ନ ନେଉଛନ୍ତି କିନ୍ତୁ ପାର୍ଥ ପରି ଭଲ ସାଙ୍ଗଟେ କେବେ ହେଇପାରିବେନି l
ଅତୀତ ସହ ବର୍ତ୍ତମାନ କୁ ତୁଳନା କରି କରି ସୁଜାତା ବାରମ୍ବାର ଆଘାତ ପାଏ l ଗଣିତରେ ନିପୁଣା ଝିଅଟାର ଯେ ଜୀବନର ହିସାବ କିତାବ ଦିନେ ଭୁଲ ହେଇଯିବ ସେ କଥା ସେ ଆଦୌ ଚିନ୍ତା କରିନଥିଲା l ଆଦିତ୍ୟଙ୍କ ପ୍ରତି ସୁଜାତାର ସମ୍ମାନ ଧୀରେ ଧୀରେ ଅଭିମାନ ଓ କ୍ରମେ କ୍ରୋଧ ଓ ଅସହିଷ୍ଣୁତା କୁ ରୂପାନ୍ତରିତ ହେଇଗଲା l ଘରେ ଆଦିତ୍ୟଙ୍କ ଉପସ୍ଥିତି ଆଉ ତାକୁ ପସନ୍ଦ ଲାଗୁନଥିଲା l ସେ ସବୁବେଳେ ଆଦିତ୍ୟଙ୍କ ପ୍ରତିଟି କାର୍ଯ୍ୟ, ଚାଲିଚଳଣୀ ଓ ବ୍ୟବହାର ର ତୁଳନା ପାର୍ଥ ସହ କରି କିଏ ଅପେକ୍ଷାକୃତ ଭଲ ମନେ ମନେ ବିଚାର କରୁଥିଲା l ଆଦିତ୍ୟଙ୍କୁ ସାମାନ୍ୟତମ ମଧ୍ୟ ସୂଚନା ନଥିଲା ଯେ ତାଙ୍କ ପତ୍ନୀଙ୍କ ହୃଦୟରେ ପ୍ରତିକ୍ଷଣରେ ତାଙ୍କ ସ୍ଥାନରେ ପାର୍ଥ ନାମକ ଅନ୍ୟ ଏକ ଯୁବକ ଆସି ବସୁଛି l
ସୁଜାତାର ମସ୍ତିସ୍କରେ ସୁପ୍ତ ତାର ଅତୀତ ଜାଗି ଉଠିଲେ, ବର୍ତମାନ ସହ ସେ ଏକ ଭୀଷଣ ଲଢେଇ ରେ ମାତିଯାଉଥିଲା l ବର୍ତ୍ତମାନ କୁ ହରେଇ ଅତୀତ ତା'ର ଦୂରରେ ଠିଆହୋଇ ହସୁଥିଲା ବିଜୟର ହସ l କଟାକ୍ଷ କରି ସୁଜାତାର ମନକୁ କ୍ଷତାକ୍ତ କରୁଥିଲା l ସୁଜାତା ମାନସିକ ସ୍ଥରରେ ଅସ୍ଥିର ହେଇପଡୁଥିଲା l "ନାଁ, ଆଉ ସମ୍ଭବ ନୁହେଁ ୟାଙ୍କ ସହ ଜୀବନ ବିତେଇବା l ଏମିତି ଗୋଟେ ଲୋକ ସହ ରହି ମୋର ନିଜସ୍ୱ ପରିଚୟ ନଷ୍ଟ ହେଇଯାଉଛି l କେବଳ ଗୋଟେ ସ୍ତ୍ରୀ ହେଇ ରହିବା ସତରେ ବଡ଼ କଷ୍ଟଦାୟକ l ସକାଳୁ ସଞ୍ଜ ଗୋଟିଏ ଘରେ ବନ୍ଦୀହେଇ ଗୋଟିଏ ପ୍ରକାର କାମ କରି କରି ମୁଁ ଅଣନିଶ୍ୱାସୀ ହେଇଗଲିଣି l ସାରାଦିନ ଘରର ଯାବତୀୟ କାମ ଠିକ ଠାକ କରିସାରିଲା ପରେ ବି ଲୋକଟାର ମୁହଁରେ ମୋ ପାଇଁ ଟିକେ ବି ପ୍ରଶଂସା ନାହିଁ ! କଣ ଆଉ ଏବେ କରିବି ମୁଁ ? ଜବ୍ ରେ ଜଏନ୍ କରିଯିବି ? ନାଁ, ମୁଁ ଫେରିଯିବି ମୋ ଅତୀତ କୁ ? ପାର୍ଥ କଣ ମୋତେ ମନେ ରଖିଥିବେ ? ସେ କଣ ମୋତେ ଆଉ ଥରେ ଗ୍ରହଣ କରିନେବେ ? କାହିଁକି କରିବେନି ? ସେ ମୋତେ ଭଲକରି ବୁଝନ୍ତି l ସେ ଜାଣନ୍ତି ତାଙ୍କ ସୁଜାତା ଏମିତି ବେଳେ ବେଳେ ଭୁଲ ନିଷ୍ପତି ନେଇ ବାଟବଣା ହେଇଯାଏ ଓ ପୁଣି ଖୋଜି ଖୋଜି ତାଙ୍କରି ପାଖକୁ ଫେରିଆସେ l"
ସୁଜାତା ଗୁଡ଼ାଏ ବେଳୁ ବସି ଏମିତି ଅସ୍ତବ୍ୟସ୍ତ ଭାବନାରେ ବୁଡି ରହିଥିଲା l ବୋଉ ଫୋନ୍ କଲେ l ମୋବାଇଲ୍ ଟା କାନରେ ଦେଉ ଦେଉ କାନ୍ଦିଉଠିଲା ସୁଜାତା l ବୋଉ ଯେତେ ପଚାରିଲେ ବି କାନ୍ଦିବାର କାରଣ କିଛି କହିଲାନି l "କିଛି ନାହିଁ ବୋଉ, ଘର କଥା ମନେପଡ଼ିଲା ରୁ କାନ୍ଦିଦେଲି " କହି ସୁଜାତା କଥା ଆଡେଇବାକୁ ଚେଷ୍ଟା କଲା l ବୋଉ ସବୁ ବୁଝିପାରନ୍ତି l କହିଲେ, "ଧନ ! ତୁ ଏତେ ଗୁଡ଼ାଏ ପଢ଼ିଛୁ, ଘରେ କାହିଁକି ଖାଲି ଵସୁଛୁ ? ସେଠି ଗୋଟେ କଣ କରୁନୁ ? "
ଆଦିତ୍ୟଙ୍କୁ ବହୁତ ବୁଝେଇ ଶୁଝେଇ ସୁଜାତା ଗୋଟେ ବେସରକାରୀ ସଂସ୍ଥା ରେ ନିଜପାଇଁ ପାର୍ଟ୍ ଟାଇମ୍ ଜବ୍ ର ବ୍ୟବସ୍ଥା କରିନେଲା l ସୁଜାତା ର ଯୋଗ୍ୟତା ଠାରୁ ଦରମା ଖୁବ୍ କମ୍ l କିନ୍ତୁ ଫାଙ୍କାରେ ବସିଶୋଇପଡ଼ିଥିବା ଅତୀତକୁ ଆଉ ଜାଗୃତ କରିବାକୁ ସେ ଚାହୁଁନଥିଲା l ଅତୀତ ସହ ବର୍ତ୍ତମାନର ଦ୍ୱନ୍ଦ୍ୱ ରୁ ନିଜକୁ ସେ ମୁକ୍ତ କରିବାକୁ ଚାହୁଁଥିଲା l ସେଥିପାଇଁ ଜଏନ୍ କରିଗଲା l ଦାୟିତ୍ୱ ବଢିବାପରେ ଅବଶୋଷର ବୋଝ ଟିକେ ହାଲ୍କା ହେବ କଣ ବରଂ ତା ମୁଣ୍ଡ ଉପରେ ସେହି ପାର୍ଥ ନାମକ ଅତୀତଟି ସବୁବେଳେ ଝୁଲିରହି ବର୍ତ୍ତମାନ ଓ ଅତୀତ ଭିତରେ ଏକ ପାର୍ଥକ୍ୟ ଦର୍ଶାଅ ପ୍ରଶ୍ନ ତାକୁ ପଚାରି ଚାଲିଥିଲା l
"ମୋ ମ୍ୟାରେଡ୍ ଲାଇଫ୍ ନିହାତି ଇଉସଲେସ୍ l ଛି.. କେମିତି ମୁଁ ଏମିତି ପାର୍ଟନର୍ ବାଛି ପାରିଲି ? ସକାଳୁ ଉଠୁ ଉଠୁ ଝଗଡା l ରବିବାର ରେ ବି କଣ ଭୋର ସାଢେ ପାଞ୍ଚରୁ ଉଠିବା ନିହାତି ଦରକାର ? ଯଦି ଉଠିଲ, ନିଜ ଚା' ନିଜେ ବନେଇ ନିଅ l ମୋତେ କାହିଁକି ଉଠଉଛ ? ଫାଲତୁ ଲୋକ କୁଆଡ଼ିକାର l ", ସୁଜାତା ଆଦିତ୍ୟଙ୍କ ଉପରେ ଖୁବ୍ ବେଶି ରାଗି ଗାରୁଗାରୁ ହେଇ ଏମିତି ବକି ଚାଲିଥିଲା l ଆଦିତ୍ୟ ଚା' ପିଇସାରି ଟଏଲେଟ୍ ଯାଇଥିଲେ l କାମସାରି ଆସି ମର୍ନିଙ୍ଗ୍ ଏକ୍ସସରସାଇଜ୍ ରେ ବ୍ୟସ୍ତ ହେଇଗଲେ l ସୁଜାତା ପୁଣି ବେଡ୍ କୁ ଗଲା l ଆଉ ନିଦ ହେଲାନାହିଁ l ଉଠିଲା l ଘର ପାଖ ପାର୍କ୍ ଆଡକୁ ଧାଇଁଲା l
ପାର୍କ୍ ରେ ସକାଳର ସୁଲୁସୁଲିଆ ପବନ ଓ କାଉଁଳିଆ ପାଗ ସନ୍ଧ୍ୟା ସମୟର ଭ୍ରମ ସୃଷ୍ଟି କରୁଥିଲା l ବୟସ୍କ ବୃଦ୍ଧ ଲୋକଙ୍କ ମେଳିହୋଇ 'ହୋ ହୋ ହି ହି' ହେଇ ହସିବା ଦେଖି ସୁଜାତାକୁ ବିରକ୍ତ ବୋଧ ହେଉଥିଲା l ସେ ଅନତି ଦୂରରେ ନିରୋଳା ଗୋଟେ ବେଞ୍ଚ୍ ଦେଖି ଉଠିଗଲା ସେଠିକୁ l ମୋବାଇଲ୍ ରେ ଫେସବୁକ୍ ଖୋଲିଲା ଅନେକ ଦିନପରେ l ମ୍ୟାରେଜ୍ ପରଠୁ ଫେସବୁକ୍ ରୁ ପାର୍ଥ ବ୍ଲକ୍ l ଆଜି ତାର ବହୁତ ଇଚ୍ଛା ହେଉଥିଲା ପାର୍ଥକୁ ଅନବ୍ଲକ୍ କରିବାପାଇଁ l ଡାହାଣ ହାତ ବିଶି ଆଙ୍ଗୁଠିର ଟିପ ପାର୍ଥର ନାଁ ଟିପିବା ଆଗରୁ ସମବୟସ୍କା ମହିଳା ଜଣେ ଆସି ତା ପାଖରେ ବସିଗଲେ ଓ ବସୁ କହିଲେ, " ୱାଓ.. ଆଜ୍ ମୋୖସମ୍ କିତନା ସୁହାନା ହୈ , ହୈ ନା !"
ସୁଜାତା ମୋବାଇଲ୍ ଟା ବନ୍ଦ କରି ସୌଜନ୍ୟତା ଦୃଷ୍ଟିରୁ ତାଙ୍କ ଆଡେ ଟିକେ ଅନେଇ ହସି ସହମତି ଜଣେଇଲା l ମହିଳାଙ୍କ କୁନି ଝିଅଟି ଆଗରେ ଗୋଟେ ଦୋଳିରେ ଝୁଲି ଖେଳୁଥିଲା l ମହିଳା ସେଇଠୁ ଥାଇ ଝିଅଟାକୁ ବଡ଼ ପାଟିରେ କହୁଥିଲେ, "ସୁଜୁ ଧୀରେ ଝୁଲୁ, ପଡ଼ିଯିବୁ ମାମା " l
--ଆପଣ ଓଡ଼ିଆ ?
--ହଁ, ବାଲେଶ୍ୱର ରୁ l ଆପଣ ?
--ସେହି ପାଖା ପାଖି, ଭଦ୍ରକ l
--ଓହୋ l ଆଚ୍ଛା l ଆମେ ମାଆ-ଝିଅ ପ୍ରାୟ ସବୁଦିନ ସଞ୍ଜେ ସକାଳେ ଏଠିକୁ ଆସୁ l ତା ପାପାଙ୍କୁ ଟାଇମ୍ ହୁଏନି l
--ହଁ ବାପା ମାନଙ୍କୁ ତ ଖାଲି ବାହାନା ଦରକାର l
ଉଭୟ ହସିଲେ l ପୁଣି ଗପିଲେ l ଗପୁ ଗପୁ ଉଭୟ ଉଭୟଙ୍କ ବିଷୟରେ ଅନେକ କଥା ଜାଣିଗଲେ କେବଳ ଦୁହେଁ ଦୁହିଁଙ୍କ ନାଁ କୁ ଛାଡି l ମହିଳାଙ୍କ ସ୍ୱାମୀ ତାଙ୍କୁ ବାରମ୍ବାର ମେସେଜ୍ କରୁଥିଲେ l ସେ ମୁରୁକି ହସି ରିପ୍ଲାଇ ଦେଉଥିଲେ l ସୁଜାତା ଦେଖୁଥିଲା l ଅଳ୍ପ ଇର୍ଷା ବି କରୁଥିଲା l ଏଥର ମହିଳା ଉଠିଲେ, ତାଙ୍କ ସ୍ୱାମୀ ଫୋନ୍ କଲେଣି l ତାଙ୍କୁ ଯିବାକୁ ହେବ l ଘରେ ବ୍ରେକଫାଷ୍ଟ୍ ରେଡି କରି ମିଷ୍ଟର୍ ତାଙ୍କର ୱେଟ୍ କରିଛନ୍ତି l ସୁଜାତା ଦେଖିଲା ବେଞ୍ଚ୍ କଡରେ ଡେରିରଖିଥିବା ନିଜ ଏଲବୋ କ୍ରଚ୍ କୁ ଉଠେଇ ସେ ହାତରେ ଧରିଲେ l ସୁଜାତାର ଆଶ୍ଚର୍ଯ୍ୟର ସୀମା ରହିଲାନି l ସେ ଉଠିଯାଇ ସେହି ଅମାନିଆ କୁନି ଝିଅଟାକୁ ଝୁଲି ପାଖରୁ କୋଳେଇ ଆଣି ଆଶ୍ରାବାଡ଼ି ଧରି ଠିଆ ହେଇଥିବା ତା ମାଆର ହାତ ପାଖରେ ଛାଡିଦେଲା l ମାଆ ଝିଅ ଦୁହେଁ ସୁଜାତାକୁ ହାତ ହଲେଇ ବାୟ ବାୟ କରି ଚାଲିଗଲେ l ଛୋଟେଇ ଛୋଟେଇ ଜୀବନ ରାସ୍ତାକୁ
ହସି ହସି ପାର କରୁଥିବା ସେହି ମହିଳା ଜଣଙ୍କୁ ପୂର୍ବଦିଗକୁ ଅଗ୍ରସର ହେଉଥିବାର ପଶ୍ଚିମରୁ ଥାଇ ସୁଜାତା ଦେଖୁଥିଲା l ସୁଜାତାର ମନରୁ ସେତେବେଳେ କୁ ପାର୍ଥକୁ ଖୋଜିବାର ଇଚ୍ଛା ମରିଯାଇଥିଲା l
ଦୁଇଦିନ ଛାଡି ସନ୍ଧ୍ୟାରେ ଅଫିସ୍ ରୁ ଫେରି ସୁଜାତା ପୁଣି ଆସିଲା ସେହି ନିର୍ଦ୍ଧିଷ୍ଟ ପାର୍କ୍ କୁ l ବାଲେଶ୍ୱରର ସେହି ମହିଳା ଜଣଙ୍କୁ ତା ଦୁଇଆଖି ଖୋଜି ଖୋଜି ପୂର୍ବର ସେହି ବେଞ୍ଚ୍ ଆଡକୁ ଗଲା l ପାର୍କ୍ ମଝାମଝି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଛୋଟିଆ ସ୍ଥାନଟି ପାଖରେ ଥିବା ବେଞ୍ଚ୍ କଡ଼ରେ ଆଶ୍ରାବାଡ଼ିଟିଏ ଡେରା ହେଇଛି l ସର୍ବ ପ୍ରଥମେ ସୁଜାତାର ନଜର ଯାଇ ସେଇଠି ପଡିଲା l ସେ ଆସ୍ତେ କରି ଯାଇ ବସିଲା ମହିଳାଜଣଙ୍କ ପାଖରେ l
--ଆପଣଙ୍କୁ ଦୂରରୁ ଦେଖି ଚାଲିଆସିଲି ଏଠିକୁ l
--ଖୁବ୍ ଭଲ କଲେ l ଆମେ ତ ଏଠି ନୂଆ l ଓଡ଼ିଆ ଭାଷା କାନରେ ବାଜିଲେ ଓଡିଶାକୁ ଫେରିଗଲା ପରି ଲାଗେ l ବହୁତ ଆପଣାର ଲାଗେ l
କଥାବାର୍ତ୍ତା ଭିତରେ ସୁଜାତା ଲକ୍ଷ କରୁଥିଲା ମହିଳାଜଣକ ମୋବାଇଲ୍ ରେ ପୂର୍ବପରି କାହାକୁ ମେସେଜ୍ ଟାଇପ୍ କରୁଛନ୍ତି l
--ହ୍ୱାଟ୍ସଅପ୍ ??
--ହଁ ଇଏ ଅଫିସ୍ ରୁ ଫେରିନାହାଁନ୍ତି l ମିଟିଙ୍ଗ୍ ରେ ଅଛନ୍ତି l କଲ୍ କରିପାରିବେନି, ମେସେଜ୍ ଦେଇଛନ୍ତି ସାତଟା ବେଳକୁ ରେଡି ହେଇରହିଥିବା ପାଇଁ l
--ଆପଣଙ୍କ ହଜବ୍ୟାଣ୍ଡ୍ ଆପଣଙ୍କୁ ବହୁତ ଭଲ ପାଆନ୍ତି ନା ?
"କେହି କଣ ନିଜ ଜୀବନସାଥୀ କୁ ଭଲ ନପାଇ ରହିପାରେ ? ମୁଁ ବିଶ୍ୱାସ କରିପାରେନି l ହଁ ମୋ କଥା ଅଲଗା l ମୁଁ ସ୍ତ୍ରୀଲୋକ, ପୁଣି ମୋର ଗୋଟେ ଗୋଡ଼ ଆଣ୍ଠୁ ପାଖରୁ ଅଚଳ l ମୋତେ ଯଦି ମୋ ପାର୍ଟନର୍ ଆବଶ୍ୟକତା ଠୁ ଅଧିକ ଭଲ ପାଇବେ,କେହି କେହି ବିସ୍ମିତ ତ ହେବେ ନିଶ୍ଚୟ l ଆଗରୁ ଏକଦମ୍ ଠିକ ଥିଲି l ବର୍ଷେ ତଳେ ଗୋଟେ ଆକ୍ସିଡେଣ୍ଟ୍ ରେ... ",ବାଲେଶ୍ୱର ର ମହିଳା ଜଣଙ୍କ କଥା କହୁ କହୁ ଦୀର୍ଘଶ୍ୱାସଟେ ମାରି ରହିଗଲେ l ଟିକେ ରହିଯାଇ ପୁଣି କହିଲେ, "ଇଏ ଯଦି ମୋ ସହ ନଥାନ୍ତେ ମୁଁ ବୋଧେ ଆଉ ଏ ଦୁନିଆଁରେ ନଥାନ୍ତି l ଝିଅର ଦାୟିତ୍ୱ ନେବାଠୁ ଆରମ୍ଭ କରି ମୋ ସେବା,ଅଫିସ୍ ଓ ଘରର ଯାବତୀୟ କାମ, ସବୁ ସେ ଏକା ଏକା ବୁଝୁଥିଲେ l ବାଙ୍ଗାଲୋର୍ ରେ ମୋ ଟ୍ରିଟମେଣ୍ଟ୍ ହେଲେ ମୋ ଗୋଡ଼ ସମ୍ପୂର୍ଣ୍ଣ ଭଲ ହେଇପାରିବ ଶୁଣିବାପରେ ବଡ଼ କଷ୍ଟରେ ବହୁ ଆଶା ନେଇ ସେ ନିଜ ଜବ୍ ଟ୍ରାନ୍ସଫର୍ କରି ଏଠିକୁ ଆମକୁ ନେଇଆସିଲେ l ଜାଣିଛନ୍ତି, ମୋତେ ଲାଗେ ଜୀବନର ପ୍ରତିଟି ପ୍ରତିଶବ୍ଦ କୁ ସେ ମୋତେ ପ୍ରାଞ୍ଜଳ ଭାବେ ବୁଝେଇ ଚାଲିଛନ୍ତି l ତାଙ୍କୁ ପାଇ ଜୀବନ ଠାରେ ମୋର ଆଉ କୌଣସି ଅବଶୋଷ ନାହିଁ l ସତରେ ମୋର ସୌଭାଗ୍ୟ ମୁଁ ତାଙ୍କ ପରି ଜୀବନସାଥୀଟିଏ ପାଇଛି l କିନ୍ତୁ ତାଙ୍କ ଭାଗ୍ୟ କଥା ଭାବିଲେ ମୁଁ ଦୁଃଖରେ ଭାଙ୍ଗିପଡେ l ତାଙ୍କ ସଂଘର୍ଷ ର ସୀମା ନାହିଁ " l ମହିଳା ଜଣଙ୍କ ଭାବବିହ୍ୱଳ ହୋଇ ଆଖିରୁ ଲୁହ ଝରେଇବା ଆରମ୍ଭ କରିଦେଲେ l
--ଧର୍ଯ୍ୟ ରଖନ୍ତୁ ମାମ୍ l ଭାଙ୍ଗିପଡିଲେ କଣ ଚଳିବ ? ଦେଖିବେ ସବୁ ଠିକ ହେଇଯିବ l ଆପଣଙ୍କ ଫ୍ୟାମିଲି ରେ କଣ ଆଉ କେହି ନାହାଁନ୍ତି ?
--ଅଛନ୍ତି l ନଣନ୍ଦ ବାହା ହେଇସାରି ରହୁଛନ୍ତି ଦିଲ୍ଲୀରେ l ଶାଶୁ, ଶ୍ବଶୁର ଓଡିଶାରେ l ସେମାନଙ୍କର ବି ଏଜ୍ ହେଲାଣି l ଏବେ ସେମାନଙ୍କର କେୟାର୍ ନେବା ପାଇଁ ଆମେ ଦରକାର ହେଇଥାନ୍ତୁ, କିନ୍ତୁ...
ଦୁହିଁଙ୍କ କଥା ମଝିରେ ସୁଜାତା ଦେଖିଲା ମହିଳାଙ୍କ କୁନି ଝିଅଟି ଝୁଲିରେ ଥାଇ 'ମାମା' 'ମାମା' ଡାକି କାନ୍ଦୁଛି l ତାକୁ ଖୁବ୍ ଜୋରରେ କେହି ଜଣେ ଝୁଲେଇ ଦେଇ ପଳେଇଯାଇଛି l ଝିଅଟା ଡରି ଯାଇଛି l ସୁଜାତା ଦୌଡିଯାଇ ତାକୁ ଝୁଲିରୁ ତଳକୁ ଓଲ୍ହାଇ ଆଣିଲା l ସେ ଧକେଇ ଧକେଇ କାନ୍ଦୁଥିଲା l ଝିଅର ମାଆ କ୍ରଚ୍ ଟିକୁ ହାତରେ ଜାବୁଡି ଧରି ଧୀରେ ଧୀରେ ତା ପାଖକୁ ଗଲେ,ଫୁଲ ପରି ତା ନରମ ଗାଲରେ ଗେଲ କରି ତାକୁ ବୋଧକରିବାକୁ ଚେଷ୍ଟା କଲେ l ସୁଜାତା ବେଞ୍ଚ୍ ପାଖକୁ ଫେରିଆସିଲା l ନିଜ ଭ୍ୟାନିଟ୍ ବ୍ୟାଗ୍ ଉଠେଇ ଫେରିବାକୁ ବାହାରୁଥିଲା, ଦେଖିଲା ମହିଳାଜଣଙ୍କର ମୋବାଇଲ୍ ରିଙ୍ଗ୍ ହେଉଛି l 'ହବି କଲିଙ୍ଗ୍' ଲେଖା ହେଇଛି l ଫୋଟୋ ଟେ ବି କଲର୍ ଇମେଜ୍ ରେ ଆସୁଛି l ସୁଜାତା ଚକିତ ହେଇଗଲା ଫୋଟୋ ଟା ଦେଖି l ମହିଳାଙ୍କୁ ଦୂରରେ ଦେଖି କଲ୍ ଟା ରିସିଭ୍ କରିନେଲା l 'ହ୍ୟାଲୋ ' କହିଛି ସେପଟୁ ଗୋଟେ ସୁମଧୁର ପୁରୁଷ ସ୍ୱର ଭାସି ଆସି ତା ସୁପ୍ତ ଅତୀତର ଦ୍ୱାର ପାଖେ ଖଟଖଟ୍ କଲାପରି ତାକୁ ମନେ ହେଲା l ତଣ୍ଟି ପାଖଟା ତାର ଶୁଖି ଅଠା ଅଠା ହେଇଗଲା l ସେ ସେହି ବେଞ୍ଚ୍ ଉପରେ ଫୋନ୍ ଟା ଥୋଇଦେଇ ରୁମାଲ୍ ରେ ମୁହଁରୁ ଥପଥପ୍ ଗଡିପଡୁଥିବା ଲୁଣିଆ ପାଣିକୁ ପୋଛି ପୋଛି ଏକପ୍ରକାର ଦୌଡ଼ି ପଳେଇ ଆସିଲା ସେଠାରୁ l
ମହିଳା ଜଣଙ୍କ ଝିଅର ହାତ ଧରି ଫେରିଆସି ଦେଖିଲେ ମୋବାଇଲ୍ ରେ ସ୍ୱାମୀଙ୍କ ନମ୍ବର ରୁ କଲ୍ ଆସି ରିସିଭ୍ ହେଇ ରହିଛି l ତିନି ମିନିଟ୍ ହେଇଗଲାଣି l ସେ ଚଟକରି ଫୋନ୍ ଟା କାନ ପାଖରେ ଦେଇ 'ହାଲୋ ପାର୍ଥ ' କହିଲେ l
--ଆରେ ତୁମେ କୋଉଠି ? ଫୋନ୍ କିଏ ଧରିଥିଲା ?
--ଜଣେ ଓଡ଼ିଆ ଝିଅ ମୋ ସହ ଥିଲେ ଏଇଟିକେ ଆଗରୁ, ସେ ରିସିଭ୍ କରିଥିବେ ବୋଧେ l ଆମ ଭଦ୍ରକ୍ ର ଝିଅଟା l
--ଭଦ୍ରକ ର ! କଣ ତାଙ୍କ ନାଁ ?
-- ଏ ହେ ପାଗଳ ମନ ମୋର, ଦେଖୁନ ପଚାରିବାକୁ ଭୁଲି ଯାଇଛି l ଆଗରୁ ଥରେ ଏଠି ତାଙ୍କ ସହ ଦେଖା ହେଇଥିଲା l କିନ୍ତୁ ଆଜି ସେ ଏମିତି ହଠାତ୍ କିଛି ନକହି ଚାଲିଗଲେ କାହିଁକି କେଜାଣି ?
--ହଉ ଛାଡ଼, ସାଢ଼େ ଛଅ ଟା ହେଲାଣି l ଅଫିସ୍ ରୁ ବାହାରିଲି ଏବେ l ତୁମେ ଥାଅ ସେଇଠି, ମୁଁ ପାଞ୍ଚ ମିନିଟ୍ ରେ ପହଞ୍ଚୁଛି l ସାଙ୍ଗ ହୋଇ ଫେରିବା l
ମହିଳା ନିଜ କୁନି ଝିଅଟିକୁ ଧରି ପ୍ରିୟ ସ୍ୱାମୀଙ୍କୁ ତାଙ୍କର ଅପେକ୍ଷା କରି ବସିରହିଥିଲେ l ସୁଜାତା ବି ଆଜି ଅତୀତ ସହ ମୁହାଁମୁହିଁ ହେଇ ପୁଣିଥରେ ଫେରୁଥିଲା ବର୍ତ୍ତମାନ କୁ, ଅନେକ ଦିନପରେ l
ରାସ୍ତାରେ ଅନ୍ୟମନସ୍କ ହେଇ ଆସୁ ଆସୁ ପଥରଟିଏ ରେ ଗୋଡ଼ ବାଜି ସୁଜାତା ଝୁଣ୍ଟି ପଡିଲା l ପଡ଼ୁ ପଡ଼ୁ ଗୋଟେ ପାଚେରୀ କୁ ଧରି ଅଟକିଗଲା l ଟିକେ ହସିଦେଲା ଓ ମୁଣ୍ଡରେ ହାତମାରି ମନେ ମନେ କହିଲା," ଧେତ୍,ଏମିତି କଣ କେହି ଅଟକି ଯାଏ ? ସମସ୍ତେ ଆଗକୁ ଦେଖୁଛନ୍ତି, ଖୁସି ଅଛନ୍ତି, ନୂଆ ଆଶା ଆଉ ସ୍ୱପ୍ନ ନେଇ ବର୍ତ୍ତମାନ ପରିସ୍ଥିତିରେ ବଞ୍ଚୁଛନ୍ତି l ମୁଁ କାହିଁକି ଅତୀତକୁ ଫେରିଯିବି ? ମୋତେ ସତରେ ବଦଳିବାକୁ ହେବ l"
ଘରକୁ ଯାଇ ଆଦିତ୍ୟଙ୍କ ଫେବରାଇଟ୍ ଡିସ୍ ପ୍ରିପେୟାର୍ କରିବାର ପ୍ଲାନିଂ କରୁଥିଲା ସୁଜାତା, ଆଦିତ୍ୟ ଆସି ଡୋର୍ ବେଲ୍ ଦେଲେ l ସୁଜାତା ଆଜି ହସି ହସି କବାଟ ଖୋଲିଲା l ଆଦିତ୍ୟ କହିବା ଆଗରୁ ଦୁଇକପ୍ ଚା' ଆଣି ଟି ପୟ ଉପରେ ଥୋଇଲା l
--ଦୁଇ କପ୍ କଣ ପାଇଁ ?
--ମୁଁ ବି ପିଇବି l
--ଓହୋ ! ମୁଁ ଭାବିଲି କାଲି ସକାଳ ପାଇଁ ଏବେ ଠୁ ଆଉ ଗୋଟେ କପ୍ ବନେଇ ଦେଇଛ ?
ସୁଜାତା ହସିଲା l ଆଦିତ୍ୟ ଚା'ରୁ ଗୋଟେ ଢ଼ୋକ ନେଇ ଖୁସି ହେଇ କହିଲେ, "ଜାଣିଛ ,ମୁଁ ସବୁଦିନ ଏଇ ତୁମ ହାତ ତିଆରି ଟେଷ୍ଟି ଚା' ର ଚାରି ଢ଼ୋକକୁ ଖୁବ୍ ଲୋଭ କରେ ଓ ଏଇଥିରୁ ମୋ ସୁନ୍ଦର ସକାଳଟା ଆରମ୍ଭ କରିବାର ଉଦେଶ୍ୟ ରଖେ l ସେଥିପାଇଁ ପରା ମୁଁ ବାଧ୍ୟ ହେଇ ତୁମ ଭୋର ବେଳାର ସୁନ୍ଦର ନିଦଟାକୁ ମୋ ନିଦ ଛାଡ଼ିବା କ୍ଷଣେ ହିଁ ଭାଙ୍ଗିଦିଏ l ତୁମେ ସେଥିପାଇଁ ମୋ ଉପରେ ବିରକ୍ତ ହେଉଥିବ ନାଁ ? କିନ୍ତୁ ବିଶ୍ୱାସ କର ତୁମକୁ ସେତିକି କଷ୍ଟ ଦେଇ ମୁଁ ବି ବହୁତ ଦୁଃଖିତ l ଆଇ ଏମ୍ ରିଏଲି ସରି ଫର୍ ଦ୍ୟାଟ୍ ଡାର୍ଲିଙ୍ଗ୍ l ତଥାପି ମୁଁ ନିରୁପାୟ l ପ୍ଳିଜ୍ ମୋ ଉପରେ ରାଗିବନି l "
ସୁଜାତା ଆଜି ପ୍ରଥମକରି ଯେମିତି ଆଦିତ୍ୟଙ୍କୁ ଦେଖୁଥିଲା l ତାଙ୍କ ପାଖକୁ ଘୁଞ୍ଚିଆସି କହିଲା, "ସରି କାହିଁକି ? କାଲି ତୁମ ହାତ ତିଆରି ଚା' ରୁ ମୁଁ ଦିନ ଆରମ୍ଭ କରିବି l ତୁମ ମର୍ନିଙ୍ଗ୍ ଟି କୁ ଚାଖିବାକୁ ତୁମ ଆଗରୁ ଉଠି ବସିଥିବି ଦେଖିବ l କାଲି କିନ୍ତୁ ସତରେ ତୁମ ପାଳି, ବୁଝିଲ !"
ଆଦିତ୍ୟ କପ୍ ଟା ଟିପୟ ଉପରେ ରଖିଦେଇ ସୁଜାତାକୁ ନିଜ ଆଡକୁ ଭିଡି ନେଉଥିଲେ, ଆଉ ସୁଜାତା ବି ଆଦିତ୍ୟଙ୍କ ଛାତିରେ ଆଉଜି ପଡି ଦୁଇବୁନ୍ଦା ତତଲା ଲୁହ ତାଙ୍କ ପିଠି ଉପରେ ଢାଳି ଦେଇଥିଲା l