STORYMIRROR

Kulamani Sarangi

Others

3  

Kulamani Sarangi

Others

କଥାକଦମ୍ବରୀଭାଗ ୯୩

କଥାକଦମ୍ବରୀଭାଗ ୯୩

3 mins
232

କଥା କାଦମ୍ବରୀ

ଭାଗ ୯୩

=================================

ଗତାୟୁ ସୂର୍ଯ୍ୟର ଅନ୍ତିମ ରଶ୍ମି

=================================

ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ କହିଲେ...ସଖା ! ନିଷ୍ପତ୍ତିର ସମୟ ବର୍ତ୍ତମାନ ଉପସ୍ଥିତ।ମୋର ମନେହୁଏ ଅର୍ଜୁନ ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ଜୟଦ୍ରଥଙ୍କୁ ବିନାଶ କରିପାରିବ ନାହିଁ। ସୂର୍ଯ୍ୟ ବର୍ତ୍ତମାନ ପଶ୍ଚିମ ଆକାଶରେ ବୁଡିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି।ଆଉ ମାତ୍ର କେତେ ଘଡ଼ିର କଥା; ସନ୍ଧ୍ୟା ନଇଁ ଯିବା ପରେ ଯେବେ ଅର୍ଜୁନ ଜୟଦ୍ରଥଙ୍କୁ ବଧ କରିବାରେ ଅସଫଳ ହୁଏ ତେବେ ପଣ ଅନୁଯାୟୀ ସେ ଅଗ୍ନିରେ ପ୍ରାଣ ବିସର୍ଜନ କରିବ।

ଅର୍ଜୁନର ମୃତ୍ୟୁ ପରେ ପାଣ୍ଡବଙ୍କ ଉପରେ ବିଜୟ ପ୍ରାପ୍ତି କେବଳ ଏକ ଔପଚାରିକତା ହୋଇ ରହିଯିବ।


ମନେହୁଏ ଭାଗ୍ୟ ଏବେ ଆମର ସହାୟକ। କେଉଁ ଏକ ଦୁର୍ବଳ ମୁହୁର୍ତ୍ତରେ ଅର୍ଜୁନ ପଣ କରିନେଲା ଜୟଦ୍ରଥକୁ ବଧ‌ ନକଲେ ଆତ୍ମାହୁତି ଦେବ। ଏପରି ମୃତ୍ୟୁ ଲାଭ କରିବା ବୋଧହୁଏ ଅର୍ଜୁନ ପାଇଁ ବିଧି ନିର୍ଦ୍ଦେଶିତ। ଆଜି ଦିନ ଅବସାନ ପାଇଁ ଯେତିକି ମୁହୂର୍ତ୍ତ ବାକି ଅଛି ସେହି ସମୟରେ ତୁମେ, ମୁଁ,ଶଲ୍ୟ,କୃପ ଏବଂ ଅଶ୍ଵତ୍ଥାମା ମିଳିତ ଭାବରେ ଜୟଦ୍ରଥଙ୍କୁ ଅର୍ଜୁନ ଆକ୍ରମଣରୁ ରକ୍ଷା କରିପାରିଲେ ଆମେ ପରିଶେଷରେ ବିଜୟଶ୍ରୀ ମଣ୍ଡିତ ହେବା,ସନ୍ଦେହ ନାହିଁ।"


ସାରା ଦିନ ଯୁଦ୍ଧରେ ଶ୍ରାନ୍ତ କ୍ଲାନ୍ତ ହୋଇଥିବା କର୍ଣ୍ଣ କହିଲେ...ମିତ୍ର ! ମୁଁ ଅତ୍ୟନ୍ତ କ୍ଲାନ୍ତ, ତଥାପି ଧମନୀରେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ମୁଁ ତୁମ ପାଇଁ ଯୁଦ୍ଧ କରିବି।"କର୍ଣ୍ଣଙ୍କ ଆନୁଗତ୍ୟ ଓ ପ୍ରତିବଦ୍ଧତା ଦୁର୍ଯ୍ୟୋଧନଙ୍କୁ ଆନନ୍ଦିତ କଲା।


ତେଣେ ଅର୍ଜୁନ ପ୍ରବଳ ବେଗରେ ମାଡି ଚାଲିଲେ ଜୟଦ୍ରଥଙ୍କ ସହିତ ଯୁଦ୍ଧ କରିବାପାଇଁ। ଶ୍ରୀକୃଷ୍ଣ ପାଞ୍ଚଜନ୍ୟ ଶଙ୍ଖ ବାଦନ କରି ନିଜ ସାରଥି ଦାରୁକଙ୍କୁ ଉପସ୍ଥିତ ହେବାପାଇଁ ନିର୍ଦ୍ଦେଶ ଦେଲେ।ଦାରୁକ ଅଚିରେ ଏକ ରଥ ନେଇ ଉପସ୍ଥିତ ହେଲେ। ସାତ୍ୟକି ସେହି ରଥ ଆରୋହଣ କରି କର୍ଣ୍ଣଙ୍କ ପଥରୋଧ କଲେ। ଅଦ୍ଭୁତ ଥିଲା କର୍ଣ୍ଣ ଏବଂ ସାତ୍ୟକିଙ୍କ ସଂଗ୍ରାମ। ଅମୋଘ ବାଣ ପ୍ରୟୋଗ କରି ସାତ୍ୟକି କର୍ଣ୍ଣଙ୍କ ରଥ ଭଗ୍ନ କଲେ ଏବଂ ଚାରି ଅଶ୍ବଙ୍କୁ ରଥରୁ ବିଚ୍ୟୁତ କଲେ। ବାଧ୍ୟହୋଇ କର୍ଣ୍ଣ ଲମ୍ଫ ଦେଇ ପଳାୟନ କଲେ ଏବଂ ଦୁର୍ଯ୍ୟୋଧନଙ୍କ ରଥ ଆରୋହଣ କରି ସେ ସ୍ଥାନ ତ୍ୟାଗ କଲେ।ସାତ୍ୟକିଙ୍କ ଅପୂର୍ବ ରଣ କୌଶଳ ବର୍ଣ୍ଣନାକରି ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହୁଛନ୍ତି..ହେ ରାଜନ୍ ! ବାସ୍ତବରେ କୃଷ୍ଣ, ପାର୍ଥ ଏବଂ ସାତ୍ୟକି ହିଁ ବିଶ୍ବରେ ତିନି ଜଣ ଶ୍ରେଷ୍ଠ ଧନୁର୍ଦ୍ଧର।"


କୌରବମାନଙ୍କ ପ୍ରତିରୋଧ ଭଙ୍ଗକରି ଜୟଦ୍ରଥ ନିକଟକୁ ମାଡି ଚାଲିଥିଲା ନନ୍ଦିଘୋଷ।ଅଶ୍ଵତ୍ଥାମା ଏବଂ ଅନ୍ୟାନ୍ୟ କୁରୁ-ଯୋଦ୍ଧା ମାନେ ଅର୍ଜୁନଙ୍କୁ ପ୍ରତିରୋଧ କରିବାପାଇଁ ଆପ୍ରାଣ ପ୍ରୟାସ କଲେ; କିନ୍ତୁ ସଫଳ ହେଲେ ନାହିଁ।ଶେଷରେ ଅର୍ଜୁନ ସିନ୍ଧୁରାଜ ଜୟଦ୍ରଥ ନିକଟରେ ପହଞ୍ଚିଲେ।ସୈନ୍ଧବ ଏବଂ ଅର୍ଜୁନଙ୍କ ମଧ୍ୟରେ ଭୀଷଣ ସଂଗ୍ରାମ ଲାଗିଗଲା।ଜୟଦ୍ରଥ କିଛି ସାଧାରଣ ଯୋଦ୍ଧା ନଥିଲେ।କ୍ରମେ ସୂର୍ଯ୍ୟ ପଶ୍ଚିମ ଦିଗନ୍ତ ସ୍ପର୍ଶ କରିବା ଆରମ୍ଭ କଲେ। କିନ୍ତୁ ଯୁଦ୍ଧ ଶେଷ ହେବାର ନାମ ଗନ୍ଧ ନାହିଁ। ହଠାତ୍ ଅନ୍ଧାର ନଇଁ ଆସିଲା। ଦୁର୍ଯ୍ୟୋଧନଙ୍କ ମନ ଆନନ୍ଦରେ ପ୍ରଫୁଲ୍ଲିତ।ଆନନ୍ଦର ଲହରୀ ଖେଳିଗଲା କୌରବ ସେନାଙ୍କ ମଧ୍ୟରେ। ହସିହସି ଦୁର୍ଯ୍ୟୋଧନ କହିଲେ.. ବିଚରା ଅର୍ଜୁନ !ନିଜ ଫାଶରେ ନିଜେ ଛନ୍ଦି ହୋଇଗଲା।ଏବେ ଆତ୍ମାହୂତି ଦେବା ବ୍ୟତୀତ ଆଉ କ'ଣ ଉପାୟ ?"ଅର୍ଜୁନଙ୍କୁ ଚାହିଁ ଦୁର୍ଯ୍ୟୋଧନ କହିଲେ...ଆଉ କାଳ ବିଳମ୍ବ କାହିଁକି ଧନଞ୍ଜୟ? ଅଗ୍ନି ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ ଆବଶ୍ୟକ ହେଲେ ମୁଁ ସେଥିପାଇଁ ପ୍ରସ୍ତୁତ ।


ପାଣ୍ଡବ ଶିବିରରେ ଖେଳିଗଲା ହାହାକାର। ନିସ୍ତବ୍ଧ ପାଣ୍ଡବ ସୈନ୍ୟ ବାହିନୀ। ଯୁଧିଷ୍ଠିର ଏବଂ ଭୀମଙ୍କ ଚକ୍ଷୁରେ ଅଶ୍ରୁ। କିନ୍ତୁ ନାକରେ ହାତ ଦେଇ ହସୁଥିଲେ ସହଦେବ। ଯୁଧିଷ୍ଠିର ପଚାରିଲେ..ଏ ରହସ୍ୟମୟ ହସର କାରଣ କ'ଣ ଅନୁଜ!ପାଣ୍ଡବ ପକ୍ଷ ଘୋର ସଙ୍କଟରେ ସମ୍ମୁଖୀନ,ତୁମେ ହସିପାରୁଛ କିପରି!"

ସହଦେବ କହିଲେ.. ଶ୍ରୀକୃଷ୍ଣ ଥାଉଁ ଥାଉଁ ଅର୍ଜୁନ କେବେ ମୃତ୍ୟୁ ମୁଖରେ ପଡି ପାରନ୍ତି ଅଗ୍ରଜ ?ଏହା କେଶବଙ୍କର ମାୟା ବ୍ୟତୀତ ଅନ୍ୟ କିଛି ନୁହେଁ।ଚକ୍ର ଉହାଡରେ ସୂର୍ଯ୍ୟଙ୍କୁ ଘୋଡାଇ ଦେଇଛନ୍ତି ଚକ୍ରୀ।ଏ ନାଟକର ଅବସାନ କିଛି ମୁହୂର୍ତ୍ତରେ ଆପଣ ଦେଖିବାକୁ ପାଇବେ ।ଚକ୍ରୀଙ୍କର ଏ ଲୀଳା ଦେଖି ମୋର ମନ ଉଲ୍ଲସିତ,ସେଥିପାଇଁ ମୁଁ ହସିଦେଲି ଅଗ୍ରଜ।" ସହଦେବ ଆଗତ ଭବିଷ୍ୟତ ଜ୍ଞାତା ବୋଲି ଜାଣି ଥିଲେ ଯୁଧିଷ୍ଠିର;ତଥାପି ବିଶ୍ବାସ ହେଉନଥିଲା ତାଙ୍କର;ସତେ କଣ ଅସ୍ତମିତ ସୂର୍ଯ୍ୟଙ୍କର ଶେଷ ରଶ୍ମୀ ବାକି ଅଛି !!


ଦିନ ଅବସାନ ହେବା ଦେଖି ଅସ୍ତ୍ର ତ୍ୟାଗକରି ଜୟଦ୍ରଥ ହସ ହସ ମୁହଁରେ ଉଭା ହେଲେ।ସୂର୍ଯ୍ୟଙ୍କ ଉପରୁ ଚକ୍ର ଅପସାରଣ କରିନେଲେ କେଶବ। ଦିନମଣି ପଶ୍ଚିମ ଆକାଶ ଉଦ୍ଭାବିତ ହୋଇ ଉଠିଲେ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ..ଆଉ ବିଳମ୍ବ କାହିଁକି ପାର୍ଥ ? ସମ୍ମୁଖରେ ଶତ୍ରୁ ଦଣ୍ଡାୟମାନ।ଶୀଘ୍ର ଶିର କର୍ତ୍ତନ କର।ସଙ୍ଗେ ସଙ୍ଗେ ଧନୁରେ ତୀର ଖଞ୍ଜିଲେ ଅର୍ଜୁନ।ପର ମୁହୂର୍ତ୍ତରେ ଜୟଦ୍ରଥଙ୍କ କାନ୍ଧରୁ ଶିର ବିଚ୍ୟୁତ ହୋଇଗଲା। ଶ୍ରୀକୃଷ୍ଣ କହିଲେ... ଜୟଦ୍ରଥଙ୍କ ଶିର ଭୂମିରେ ପତିତ ହେଲେ ତୁମ ଶିରରେ ବିସ୍ଫୋରଣ ହୋଇ ଖଣ୍ଡବିଖଣ୍ଡିତ ହୋଇଯିବ।ଜୟଦ୍ରଥର ମସ୍ତକକୁ ଭୂମିରେ ପଡିବାକୁ ଦିଅ ନାହିଁ ପାର୍ଥ।ଅନ୍ୟ ଏକ ବାଣ ପ୍ରୟୋଗ କରି ବିଚ୍ୟୁତ ଶିରକୁ,ଜୟଦ୍ରଥଙ୍କ ପିତା ବୃଦ୍ଧକ୍ଷେତ୍ରଙ୍କ କୋଳରେ ନିପତିତ କର ।


ତାହା ହିଁ ହେଲା।ଏହା ଥିଲା ଏକ ଅଦ୍ଭୁତ ଦୃଶ୍ୟ।ଅର୍ଜୁନଙ୍କ ବାଣରେ ଉଡିଯାଇ ଜୟଦ୍ରଥଙ୍କ କଟାମୁଣ୍ଡ ବୃଦ୍ଧକ୍ଷେତ୍ରଙ୍କ କୋଳରେ ପଡ଼ିଲା।ବୃଦ୍ଧକ୍ଷେତ୍ର ସେ ସମୟରେ ତପସ୍ୟାରେ ମଗ୍ନ ଥିଲେ। ପୁତ୍ରର ମସ୍ତକ ତାଙ୍କ କୋଳରେ ପଡି ତଳକୁ ଗଡିଗଲା।ସଙ୍ଗେ ସଙ୍ଗେ ବୃଦ୍ଧକ୍ଷେତ୍ରଙ୍କ ମସ୍ତକ ଶତଭାଗ ହୋଇ ବିଦୀର୍ଣ୍ଣ ହୋଇ ଗଲା।ଏକ ସମୟରେ ପିତା ଓ ପୁତ୍ର ମୃତ୍ୟୁ ବରଣ କଲେ। 


ଏପରି ଘଟିବାର କାରଣ, ଜୟଦ୍ରଥ ଜନ୍ମ ହେବା ସମୟରେ ଆକାଶବାଣୀ ହୋଇଥିଲା ଯେ ତାଙ୍କର ମୃତ୍ୟୁ ଜଣେ ଶ୍ରେଷ୍ଠ ବୀରଙ୍କ ଦ୍ୱାରା ମସ୍ତକ ବିଚ୍ୟୁତ ହୋଇ ଘଟିବ।ଏହା ଶୁଣି ଦୁଃଖରେ ମ୍ରିୟମାଣ ବୃଦ୍ଧକ୍ଷେତ୍ର ନିଜ ତପୋବଳ ପ୍ରୟୋଗ କରି ପୁତ୍ରକୁ ବରଦାନ ଦେଇ କହିଥିଲେ ଯେ ଯେଉଁବ୍ୟକ୍ତି ତାଙ୍କ

ବିଚ୍ୟୁତ ମସ୍ତକ ଭୂମି ସ୍ପର୍ଶ କରିବାର କାରଣ ହେବେ ତାଙ୍କର ମସ୍ତକ ଶତଭାଗ ହୋଇ ବିଦୀର୍ଣ୍ଣ ହୋଇ ଯିବ। ଅର୍ଜୁନଙ୍କ ବାଣରେ ମୃତ ଜୟଦ୍ରଥଙ୍କ ଶିର, ଅରଣ୍ୟରେ ତପସ୍ୟାରତ ବୃଦ୍ଧକ୍ଷେତ୍ରଙ୍କ କୋଳରେ ପଡି ଭୂମିକୁ ଗଡିଯିବାରୁ ନିଜ ଜାଲରେ ନିଜେ ସେ ଛନ୍ଦି ହୋଇ ଗଲେ ବୃଦ୍ଧକ୍ଷେତ୍ର ଏବଂ ତାଙ୍କ ଶିର ଶତଧା ବିଦୀର୍ଣ୍ଣ ହୋଇ ଗଲା।


ଜୟଦ୍ରଥଙ୍କ ମୃତ୍ୟୁ ସମ୍ବାଦ ଯୁଦ୍ଧ କ୍ଷେତ୍ରରେ ବନଅଗ୍ନି ଭଳି ଖେଳିଗଲା।ମହା ଆନନ୍ଦ ଉଲ୍ଲାସରେ ମାତି ଗଲେ ପାଣ୍ଡବ ସୈନ୍ୟମାନେ।ଶତଗୁଣିତ ଉତ୍ସାହ ସହିତ କୌରବଙ୍କ ଉପରେ ଆକ୍ରମଣ କଲେ ପାଣ୍ଡବ ସେନା। ସନ୍ଧ୍ୟା ଗଡିଯାଇଥିଲେ ମଧ୍ୟ ଯୁଦ୍ଧର ନୀତିନିୟମକୁ ଭୃକ୍ଷେପ ନକରି,ଚତୁର୍ଦ୍ଦଶ ଦିନ ରାତିରେ ମଧ୍ୟ ଯୁଦ୍ଧ ଚାଲିଥିଲା।ଏହା ଥିଲା ଅଭିମନ୍ୟୁକୁ ଅନ୍ୟାୟରେ ନିହତ କରିବାର ପରିଣାମ।



Rate this content
Log in