Kulamani Sarangi

Children Stories Classics

3  

Kulamani Sarangi

Children Stories Classics

କଥା କଦମ୍ବରୀଭାଗ ୯୧

କଥା କଦମ୍ବରୀଭାଗ ୯୧

4 mins
228


କଥା କାଦମ୍ବରୀ

ଭାଗ ୯୧


ପ୍ରତିଶୋଧର ଅନିର୍ବାଣ ବହ୍ନି


ପାଣ୍ଡବ ଶିବିର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଲା। ଭୀମସେନ ମୁହଁକୁ ତଳକୁ ପୋତି ବସିଥିଲେ।ବ୍ୟୁହ ଭେଦ ସମୟରେ ଅଭିମନ୍ୟୁ ସହିତ ଛାଇ ପରି ରହିବାକୁ ପ୍ରତିଶ୍ରୁତି ଦେଇ ସେ ତାହା ରକ୍ଷା କରି ପାରିନଥିବାରୁ ସେ ନିଜକୁ ଦୋଷୀ ମନେ କରୁଥିଲେ।ଅଶ୍ରୁପ୍ଳାବିତ ନେତ୍ରରେ ନକୁଳ ଓ ସହଦେବ ମୁଖ ଅବନତ କରି ବସି ରହିଥିଲେ। 


ଦୁଃଖ ସାଗରରେ ସମ୍ପୂର୍ଣ୍ଣ ଭାବରେ ବୁଡି ଯାଇଥିଲେ ଯୁଧିଷ୍ଠିର।ଭାବୁଥିଲେ... ଯେଉଁ ବୀରପୁତ୍ରର ରଣ କୌଶଳ ଦେବତା ମାନଙ୍କୁ ମଧ୍ୟ ସ୍ତମ୍ଭିଭୂତ କରିଥିଲା,ଯାହାର ଆକ୍ରମଣରେ ପ୍ରାଣଭୟରେ ଶଲ୍ୟ, ଦୁଃଶାସନ, କର୍ଣ୍ଣଙ୍କ ଭଳି ବୀରମାନେ ପଳାୟନ କରୁଥିଲେ,ଦାବାନଳ ଭଳି ଯେଉଁ ପୁତ୍ର ଦ୍ରୋଣ, ଅଶ୍ଵତ୍ଥାମା, ଦୁର୍ଯ୍ୟୋଧନଙ୍କ ଭଳି ଯୋଦ୍ଧା ମାନଙ୍କର ସାହସକୁ ଭସ୍ମିଭୂତ କରୁଥିଲା, ତାର ମୃତ୍ୟୁ ପରେ ଆଉ କ'ଣ ରହିଲା ପାଣ୍ଡବଙ୍କ ପାଇଁ !! କାହିଁକି ଆଉ ଏ ଯୁଦ୍ଧ ?"


କଣ ସେ କହିବେ ଅର୍ଜୁନଙ୍କୁ, ଯେତେବେଳେ ସଂସପ୍ତକ ଯୁଦ୍ଧରୁ ଫେରିଆସି ଅର୍ଜୁନ ପଚାରିବେ.. କେଉଁଠି ଅଛି ମୋ ଅଭିମନ୍ୟୁ ? କଣ କହିବେ ସେ ଶ୍ରୀକୃଷ୍ଣଙ୍କୁ ଯେତେବେଳେ ସେ ପଚାରିବେ.. କୁଆଡେ ଗଲା ମୋ ପ୍ରାଣପ୍ରିୟ ଭାଗିନେୟ ?କଣ କହି ସେ ଶାନ୍ତ୍ବନା ଦେବେ ଅଭିମନ୍ୟୁର ଦୁଃଖିନୀ ଜନନୀ ସୁଭଦ୍ରାଙ୍କୁ ? କିପରି ବଧୂ ଉତ୍ତରାର ବୈଧବ୍ୟ ବେଦନା ସେ ସହ୍ୟ କରି ପାରିବେ ?

ଯୁଧିଷ୍ଠିର ଭାବିଲେ...ମୋ ସ୍ବାର୍ଥ ସିଦ୍ଧି ପାଇଁ ପଣ୍ଡୁକୁଳର ଏ ଜାଜ୍ଜ୍ୱଲ୍ୟମାନ ହୀରାକୁ ମୁଁ ହରାଇ ବସିଲି।ସଦ୍ୟ ବିବାହିତ ମୋ ପୁତ୍ରର ହସଖେଳର ସଂସାର କୁ ମୁଁ ନଷ୍ଟ କରିଦେଲି।"


ପୁତ୍ର ଶୋକରେ ମ୍ରିୟମାଣ ପାଣ୍ଡବଙ୍କୁ ଶାନ୍ତ୍ବନା ଦେବାପାଇଁ ବ୍ୟାସଦେବ ଯୁଧିଷ୍ଠିରଙ୍କ ପାଖରେ ପହଞ୍ଚି ସୃଷ୍ଟିର ନିୟମର ପୁନଃ ଅବତାରଣା କରି କହିଲେ..ହେ ଜ୍ଞାନଶ୍ରେଷ୍ଠ !‌ ଜନ୍ମ ଏବଂ ମୃତ୍ୟୁ ବିଧାତାଙ୍କର ବିଧାନ; ଯେଉଁ ସମୟରେ ବିଧାତା ଜୀବଜଗତର ସୃଷ୍ଟି କଲେ, ବିଭିନ୍ନ ଜୀବ ମାନଙ୍କର ସଂଖ୍ୟା ବୃଦ୍ଧି ସମସ୍ୟା ତାଙ୍କୁ ବିଚଳିତ କଲା। ସେଥିପାଇଁ ବନ୍ୟା,ଭୂକମ୍ପ ଭଳି ପ୍ରାକୃତିକ ବିପଦ ସହିତ,ରୋଗ,ଜରା ଏବଂ ଯୁଦ୍ଧ ବିଗ୍ରହ ଭଳି ମନୁଷ୍ୟକୃତ

ଘଟଣାବଳୀର ସୃଷ୍ଟି ମଧ୍ୟ ବିଧାତାଙ୍କ ବିଧାନ ବ୍ୟତୀତ ଅନ୍ୟ କିଛି ନୁହେଁ।ଯିଏ ଜନ୍ମ ହୁଏ ତା ପାଇଁ ମୃତ୍ୟୁ ନିଶ୍ଚିତ। ଏ ସଂସାର ତ୍ୟାଗ କରିବା ସମୟର ନିଷ୍ପତ୍ତି ମଧ୍ୟ ମନୁଷ୍ୟ ହାତରେ ନଥାଏ।


ସବୁ ସେହି ଅଦୃଷ୍ଟର ବିଧାନ।ଜନ୍ମପୂର୍ବରୁ ସମସ୍ତେ ଅଦୃଶ୍ୟ ରହିଥାନ୍ତି ଏବଂ ମୃତ୍ୟୁ ପରେ ମଧ୍ୟ ଅନ୍ତର୍ଦ୍ଧାନ ହୁଅନ୍ତି। ଏହି ଦୁଇ ଅବସ୍ଥାର ମଝିରେ ପ୍ରାଣୀ ସୀମିତ ସମୟ ପାଇଁ କା଼ୟାବାନ ହୁଏ। ସେହି ନଶ୍ବର ଶରୀରକୁ ନେଇ ଏତେ ପରିବେଦନା କାହିଁକି ପୂତ୍ର ? ଅଭିମନ୍ୟୁ ଯୋଗଜନ୍ମା; ସୀମିତ ଜୀବନକାଳ ଭିତରେ ସେ ସମ୍ପୂର୍ଣ ଜୀବନ ଜିଇଁ ସାରିଛି।ତା ପାଇଁ ଶୋକ କରନାହିଁ। 


ଯେଉଁ ସମୟରେ ପୃଥିବୀରେ ଧର୍ମ ସଂସ୍ଥାପନା ପାଇଁ ବିଷ୍ଣୁ ଅବତାର ନେବାର ନିଷ୍ପତ୍ତି ନେଲେ ସେତେବେଳେ ଦେବତାମାନେ ଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ ତାଙ୍କ ପ୍ରିୟପୁତ୍ର 'ବର୍ଚ୍ଚ' ଧରାପୃଷ୍ଠରେ ଜନ୍ମନେଇ, ମହାଭାରତ ଧର୍ମଯୁଦ୍ଧରେ ବିଷ୍ଣୁଙ୍କ ସହାୟତା କରିବାପାଇଁ।ଚନ୍ଦ୍ର କିନ୍ତୁ ନିଜର ପ୍ରିୟ ପୁତ୍ରକୁ ଅଧିକ ଦିନ ପାଇଁ ନିଜ ନିକଟରୁ ଦୂରରେ ରଖିବାକୁ ଚାହୁଁ ନଥିଲେ। ତେଣୁ ସେ ମାତ୍ର ଷୋଳବର୍ଷ ପାଇଁ ନିଜପୁତ୍ରକୁ ଧରାପୃଷ୍ଠକୁ ଆସିବାପାଇଁ ଅନୁମତି ଦେଇଥିଲେ।ସେ ସମୟର ଅବଧି ପୂର୍ଣ୍ଣ ହେବା ପରେ , ଧର୍ମଯୁଦ୍ଧରେ ନିଜର ଯୋଗଦାନ ଦେଇ, ଅଭିମନ୍ୟୁ ରୂପୀ ସୋମପୁତ୍ର ଫେରି ଯାଇଛନ୍ତି।


 ଜ୍ୟେଷ୍ଠ ପୁତ୍ର ଭାବରେ ତୁମେ ଧୈର୍ଯ୍ୟ ନଧରିଲେ ପରିବାରର ଅନ୍ୟ ସମସ୍ତଙ୍କୁ କିଏ ଧୈର୍ଯ୍ୟ ଦେବ?" ବ୍ୟାସଦେବ ଶାନ୍ତ୍ବନା ଦେଇ ଚାଲିଗଲେ।"


ସଂସପ୍ତକ ମାନଙ୍କୁ ଭୀଷଣ ଯୁଦ୍ଧରେ ପରାସ୍ତ କରି ଶ୍ରୀକୃଷ୍ଣଙ୍କ ସହିତ ଶିବିରକୁ ଫେରିବା ସମୟରେ ଅର୍ଜୁନ କହିଲେ..ହେ ବାସୁଦେବ ! ଆଜି ମୋ ମନ ଏତେ ବିଚଳିତ କାହିଁକି ?ଆମ ଅନୁପସ୍ଥିତିରେ ପାଣ୍ଡବ ପକ୍ଷର ଆଜି କିଛି କ୍ଷୟକ୍ଷତି ହୋଇନାହିଁ ତ? ଗୁରୁ ଦ୍ରୋଣାଚାର୍ଯ୍ୟ ଆଜି ଯେଉଁ ବ୍ୟୁ଼ହ ରଚନା କରିଥିଲେ, ତାହା ଆମ ଯୋଦ୍ଧାମାନେ ସଫଳତା ସହିତ ଭେଦ କରି ପାରିଛନ୍ତି ତ? ଯୁଦ୍ଧରତ ଆମର ପୁତ୍ର ମାନେ ସମସ୍ତେ ସକୁଶଳ ଥିବେ ତ କେଶବ ?"


ଶ୍ରୀକୃଷ୍ଣ ଏ ସମସ୍ତ ପ୍ରଶ୍ନର ଉତ୍ତର ନଦେଇ ଗମ୍ଭୀର ହୋଇ ନନ୍ଦିଘୋଷ ଚାଳନା କରୁଥିଲେ।

ପାଣ୍ଡବ ଶିବିର ପାଖରେ ପହଞ୍ଚିଲା ନନ୍ଦିଘୋଷ ରଥରୁ ଅବତରଣ କରି ଅର୍ଜୁନ ଦେଖିଲେ ଦ୍ୱାରଦେଶରେ ଦଣ୍ଡାୟମାନ ଦ୍ଵାରପାଳମାନେ ତାଙ୍କ ଦୃଷ୍ଟି ସହିତ ଦୃଷ୍ଟି ମିଳାଇ ପାରୁନଥିଲେ।

ପାଣ୍ଡବ ଶିବିରରେ ଶ୍ମଶାନର ନିରବତା ରାଜତ୍ଵ କରୁଥିଲା।ଭିତରେ ପ୍ରବେଶ କରି ଅର୍ଜୁନ ଦେଖିଲେ ତାଙ୍କର ସବୁ ଭାଇମାନେ ଦୃଷ୍ଟି ଅବନତ କରି ଅଶ୍ରୁ ମୁଞ୍ଚନ କରୁଛନ୍ତି।ଅଧୈର୍ଯ୍ୟ ହୋଇ ଧନଞ୍ଜୟ ଯୁଧିଷ୍ଠିରଙ୍କୁ ପଚାରିଲେ..କଣ ହୋଇଛି ଜ୍ୟେଷ୍ଠଭ୍ରାତା ! କିଛି ଅଘଟଣ ଘଟିନାହିଁ ତ ? କେଉଁଠି ମୋ ଅଭିମନ୍ୟୁ? ସବୁଦିନ ଭଳି ଆଜି କାହିଁକି ମୋ ପାଖକୁ ଧାଇଁ ଆସି ଯୁଦ୍ଧ ବିଷୟରେ ଜିଜ୍ଞାସା କରୁନାହିଁ ?ଗୁରୁଙ୍କ ନିର୍ମିତ ବ୍ୟୁହ ଆଜି ପାଣ୍ଡବମାନେ ସଫଳତା ସହିତ ଭେଦ କରି ପାରିଛନ୍ତି ତ?"


ଅର୍ଜୁନଙ୍କର ଏତେଗୁଡିଏ ପ୍ରଶ୍ନର ସକ୍ଷିପ୍ତ ଉତ୍ତରରେ ଯୁଧିଷ୍ଠିର କହିଲେ... ଅଭିମନ୍ୟୁ ଆଉ ନାହିଁ ଅନୁଜ!ଆମ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଆମ ବୀରପୁତ୍ର ଭୀଷଣ ସଂଗ୍ରାମରେ ବୀରଗତି ପ୍ରାପ୍ତ ହୋଇଛି।"


ତା'ପରେ ଯୁଧିଷ୍ଠିର, ଯାହା ଯାହା ଘଟିଥିଲା ସଂକ୍ଷେପରେ କୃଷ୍ଣ ଓ ଅର୍ଜୁନଙ୍କ ଆଗରେ ବର୍ଣ୍ଣନା କଲେ।ପ୍ରିୟ ପୁତ୍ରର ମୃତ୍ୟୁ ସମ୍ବାଦ ପାଇ ଦୁଃଖରେ ଭାଙ୍ଗିପଡିଲେ ଫାଲଗୁନୀ।ଧୈର୍ଯ୍ୟ ଦେଇ ଶ୍ରୀକୃଷ୍ଣ କହିଲେ.. କ୍ଷତ୍ରିୟର ମସ୍ତକ ଉପରେ ସର୍ବଦା ମୃତ୍ୟୁ ଖଡ୍ଗଭଳି ଝୁଲି ରହିଥାଏ ପାର୍ଥ ! ଏତେ ଅଳ୍ପ ବୟସରେ ଅଭିମନ୍ୟୁ ଯେଉଁ ଯଶ ଅର୍ଜନ କରିପାରିଛି ଅନେକ ମହାରଥୀ ପୂର୍ଣ୍ଣ ଜୀବନ କାଳ ମଧ୍ୟରେ ମଧ୍ୟ କରି ପାରି ନାହାଁନ୍ତି।ଶୋକ ନୁହେଁ,ବୀରପୁତ୍ର ପାଇଁ ଗର୍ବ କର ପାର୍ଥ;ଆଜି ଶପଥ ନିଅ, ଯେଉଁ କୌରବ ଯୋଦ୍ଧାମାନେ ଅନ୍ୟାୟରେ ତୁମ ପୁତ୍ରକୁ ହତ୍ୟାକରିଛନ୍ତି,ସେମାନଙ୍କୁ ତୁମେ କଦାପି କ୍ଷମା ଦେବନାହିଁ।ଏ ସମୟରେ ତୁମର ଧୈର୍ଯ୍ୟ ନିହାତି ଆବଶ୍ୟକ।ତୁମେ ଅଧୈର୍ଯ୍ୟ ହେଲେ ଶୋକଗ୍ରସ୍ତ ପରିବାର ବର୍ଗଙ୍କୁ କିଏ ବୁଝାଇବ ?"


ଶ୍ରୀକୃଷ୍ଣଙ୍କ ଶାନ୍ତ୍ବନାରେ ଧୈର୍ଯ୍ୟ ଫେରି ପାଇଲେ ଅର୍ଜୁନ। ତା'ପରେ କେଉଁ ପରିସ୍ଥିତିରେ ଅଭିମନ୍ୟୁର ମୃତ୍ୟୁ ହେଲା ଯୁଧିଷ୍ଠିରଙ୍କୁ ପଚାରିଲେ ଅର୍ଜୁନ। ଯୁଧିଷ୍ଠିର କହିଲେ... ଅଭିମନ୍ୟୁକୁ ଚକ୍ରବ୍ୟୁହ ଭେଦ କରିବା ଉପାୟ ଜଣାଥିଲା କିନ୍ତୁ ପ୍ରତ୍ୟାବର୍ତ୍ତନ ଉପାୟ ଜଣାନଥିଲା।ବ୍ୟୁହ ଭେଦ ସମୟରେ ଭୀମ ସାତ୍ୟକି ଧୃଷ୍ଟଦ୍ୟୁମ୍ନ ଆଦି ଯୋଦ୍ଧାମାନେ ଛାଇ ପରି ଅଭିମନ୍ୟୁ ପାଖେ ପାଖେ ରହିଥିଲେ। ଅଭିମନ୍ୟୁ ସଫଳତା ସହିତ ବ୍ୟୁହ ମଧ୍ୟରେ ପ୍ରବେଶ କଲା, କିନ୍ତୁ ସିନ୍ଧୁରାଜ ଜୟଦ୍ରଥ ପଥରୋଧ କରିବାରୁ ସହାୟତା କରୁଥିବା ପାଣ୍ଡବ ମହାରଥୀମାନେ ବ୍ୟୁହ ଭିତରେ ପ୍ରବେଶ କରି ପାରିଲେ ନାହିଁ।"


ଯୁଧିଷ୍ଠିରଙ୍କ ଠାରୁ ଏହା ଶୁଣି ଅର୍ଜୁନଙ୍କର ସମସ୍ତ କ୍ରୋଧ ଜୟଦ୍ରଥ ଉପରେ କେନ୍ଦ୍ରିଭୂତ ହେଲା। କ୍ରୋଧରେ କମ୍ପିଗଲେ ସବ୍ୟସାଚୀ। ଉର୍ଦ୍ଧ୍ବକୁ ବାହୁତୋଳି ଶପଥ କଲେ..କାଲି ଯୁଦ୍ଧରେ ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ଜୟଦ୍ରଥକୁ ନିଶ୍ଚିତ ଭାବରେ ବଧ କରିବି; ନହେଲେ ମୋର ଏ ତୁଚ୍ଛ ପ୍ରାଣକୁ ଶତ ଧିକ,ନିଜେ ଅଗ୍ନିରେ ଆତ୍ମାହୁତି ଦେବି।"

ମହାଭାରତରେ ଅଭିମନ୍ୟୁ ବଧ ଘଟଣା ଯୁଦ୍ଧରେ ଏକ ଗୁରୁତ୍ବପୂର୍ଣ୍ଣ ମୋଡ଼ ଆଣି ଦେଇଥିଲା।ଏହା ଆଉ ଧର୍ମଯୁଦ୍ଧ ହୋଇ ରହିଲା ନାହିଁ।ଏହା ପରଠାରୁ ଧର୍ମ ଓ ଅଧର୍ମର ସଜ୍ଞା ବଦଳିଗଲା। ଅର୍ଜୁନଙ୍କ ହାତରେ ଦ୍ରୋଣ ଏବଂ କର୍ଣ୍ଣଙ୍କ ମୃତ୍ୟୁ ସମୟରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଥିଲା।ଅନେକଙ୍କ ମତରେ ଅଭିମନ୍ୟୁ ବଧ ଶ୍ରୀକୃଷ୍ଣଙ୍କ କୂଟନୀତିର ଏକ ଅଂଶ ଥିଲା। ଅର୍ଜୁନଙ୍କ ମନରେ ପ୍ରତିଶୋଧ ଅଗ୍ନି ପ୍ରଜ୍ବଳିତ କରିବା ପାଇଁ ଏହା ଶ୍ରୀକୃଷ୍ଣଙ୍କର ଏକ ନିଷ୍ପତ୍ତି ବୋଲି କେହି କେହି ମତ ଦିଅନ୍ତି।

କିନ୍ତୁ ଚକ୍ରୀଙ୍କ ମନକଥା କିଏ କ‌ହିପାରିବ !!



Rate this content
Log in