STORYMIRROR

Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀଭଗ ୧୧

କଥା କାଦମ୍ବରୀଭଗ ୧୧

4 mins
202


ହସ୍ତିନାର ରାଜପ୍ରସାଦ ଭିତରେ ପ୍ରବେଶ କଲେ ସତ୍ୟବତୀ।ତାଙ୍କର ମନେହେଲା ସତେ ଯେମିତି ଏକ ଭୀଷଣ ଝଞ୍ଜା ଆକାରରେ ସେ ହସ୍ତିନାର ରାଜବଂଶ ଭିତରେ ପ୍ରବେଶ କରୁଛନ୍ତି।ଭାରତର ଇତିହାସ ତାଙ୍କୁ ଯେ କିପରି ଭାବରେ ଚିତ୍ରିତ କରିବ ଭାବି ପାରୁନଥିଲେ ସେ। ତଥାପି ଆଉ ଫେରିଯିବାର ଉପାୟ ନାହିଁ।


------ ଦେବବ୍ରତଙ୍କ ଅନୁପସ୍ଥିତିରେ ଚିନ୍ତିତ ଥିଲେ ଶାନ୍ତନୁ।ସତ୍ୟବତୀଙ୍କୁ ଦେବବ୍ରତଙ୍କ ସହିତ ତାଙ୍କ ପ୍ରକୋଷ୍ଠରେ ପ୍ରବେଶ କରିବାର ଦେଖି ତାଙ୍କ ଆଖି ଆଗରେ ସବୁ ଦିବାଲୋକ ଭଳି ସ୍ପଷ୍ଟ ହୋଇଗଲା। ସତ୍ୟବତୀଙ୍କ ଠାରୁ ଦେବବ୍ରତଙ୍କର ଭୀଷଣ ପ୍ରତିଜ୍ଞା ସମାଚାର ଶୁଣି ଦୁଃଖରେ ମ୍ରିୟମାଣ ହେଲେ ଶାନ୍ତନୁ।ଭଗ୍ନ କଣ୍ଠରେ କହିଲେ...କାହା ନିର୍ଦ୍ଦେଶରେ ତୁମେ ଏଭଳି ଭୟଙ୍କର ପ୍ରତିଜ୍ଞା କଲ ପୁତ୍ର ?

------ ମସ୍ତକ ନୁଆଁଇ ଦେବବ୍ରତ ଧୀର ଅବିଚଳିତ କଣ୍ଠରେ କହିଲେ... କର୍ତ୍ତବ୍ୟ ନିର୍ଦ୍ଦେଶରେ ପିତାଶ୍ରୀ,ପୁତ୍ରର ପିତା ପ୍ରତି କର୍ତ୍ତବ୍ୟ।ପିତାର ଦୁଃଖ ଯେବେ ପୁତ୍ର ଦୂର କରିନପାରିବ ସେ ପୁତ୍ରତ୍ୱ ମୂଲ୍ୟହୀନ।"


----- ଅଧୈର୍ଯ୍ୟ ହୋଇ ଶାନ୍ତନୁ ପ୍ରଶ୍ନ କଲେ...ଆଉ ପୁତ୍ର ପ୍ରତି ପିତାର କର୍ତ୍ତବ୍ୟ ?ସେ କଥା କ'ଣ ମୁଁ ଭୁଲିଯିବି ଦେବବ୍ରତ ?ତୁମେ ମୋର ପ୍ରାଣଠାରୁ ବଳି ପ୍ରିୟତମ, ହସ୍ତିନାର ଭବିଷ୍ୟତ ତୁମେ;ମୋ ସୁଖ ପାଇଁ ତୁମ ସୁଖକୁ କିପରି ଜଳାଞ୍ଜଳି ଦେବି ପୁତ୍ର ?

------ ଧୀର ଏବଂ ପ୍ରଶାନ୍ତ ଦେବବ୍ରତଙ୍କ ମୁଖମଣ୍ଡଳ।ଅବିଚଳିତ କଣ୍ଠରେ କହିଲେ..ଦେବବ୍ରତର ପିତା ଜଣେ ସାଧାରଣ ପିତା ନୁହନ୍ତି। ହସ୍ତିନାର ଲକ୍ଷ ଲକ୍ଷ ପ୍ରଜାଙ୍କର ସେ ପିତା। ଗୋଟିଏ ପୁତ୍ରର ସୁଖ ଏବଂ ଭବିଷ୍ୟତ ପାଇଁ କୋଟି କୋଟି ପୁତ୍ରଙ୍କର କ୍ଷତି ହେବ; ବଞ୍ଚିଥିବା ପର୍ଯ୍ୟନ୍ତ ଦେବବ୍ରତ ଏହା କରାଇ ଦେବନାହିଁ।ଆପଣ ହସ୍ତିନାର ଶାସକ।ଶାସକର ମନରେ ଦୁଃଖ ଓ ଅସ୍ଥିରତା ରହିଲେ ଶାସନରେ ଘୋର ବ୍ୟାଘାତ ସୃଷ୍ଟିହେବ। ହସ୍ତିନାର ସ୍ବାର୍ଥ ପାଇଁ ଦେବବ୍ରତ ଯେବେ ଏହି ସାମାନ୍ୟ ସ୍ବାର୍ଥ ତ୍ୟାଗ କରିନପାରିବ ତାହେଲେ ତା ଜୀବନକୁ ଧିକ।ଜନକ ଓ ଜନ୍ମଭୂମି ପାଇଁ ଯେଉଁ ଜୀବନ ବିସର୍ଜିତ ହୋଇ ନପାରିଲା,ସେ ଜୀବନ ଥାଇ କଣ ମୂଲ୍ୟ ପିତାଶ୍ରୀ ?

----- ବିମୁଗ୍ଧ ଦୃଷ୍ଟିରେ ଦେବବ୍ରତଙ୍କୁ ଚାହିଁ ରହିଥିଲେ ଶାନ୍ତନୁ।ଦେବୀ ଗଙ୍ଗା ପୁତ୍ରକୁ ଦେଇଥିବା ସଂସ୍କାରକୁ ପ୍ରଶଂସା ନକରି ରହି ପାରିଲେ ନାହିଁ ହସ୍ତିନା ନରେଶ।

----- ଶାନ୍ତନୁ ସ୍ତବ୍ଧ।ଦେବବ୍ରତଙ୍କ ମନସ୍ତତ୍ତ୍ୱ ତାଙ୍କୁ ଠିକ୍ ଭାବରେ ଜଣା। ଯେଉଁ ପାଦ ସେ ଆଗକୁ ବଢାଇଛନ୍ତି ତାକୁ କଦାପି ଫେରାଇ ଆଣିବେ ନାହିଁ । ଗଙ୍ଗାଙ୍କ ରକ୍ତ ଯେଉଁ ମସ୍ତିଷ୍କରେ ପ୍ରବାହିତ ତାର ନିଷ୍ପତ୍ତି ଅଟଳ,ଅପରିବର୍ତ୍ତନୀୟ।ଦେବବ୍ରତର ଧନୁରୁ ଯେଉଁ ବାଣ ଛୁଟେ ତାହା ତାହା ଶତ୍ରୁର ମସ୍ତକ ବିଚ୍ୟୁତ ନକରି ଫେରେ ନାହିଁ ଏବଂ ମୁଖରୁ ଯେଉଁ ବାକ୍ୟ ତୁଟେ ତାହା କାର୍ଯ୍ୟରେ ରୂପାନ୍ତରିତ ନହୋଇ ରହେ ନାହିଁ।

----- ଶାନ୍ତନୁ ଉପାୟ ହୀନ। ସତ୍ୟବତୀଙ୍କ ପାଣି ଗ୍ରହଣ କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ। ଅନୁତାପରେ ଦଗ୍ଧ ମନ ନେଇ ଭାଙ୍ଗି ପଡ଼ିଲେ ଶାନ୍ତନୁ।କୃତକର୍ମର ପ୍ରାୟଶ୍ଚିତ ସେ କିପରି କରିବେ ?

-------ଭାରତର ଇତିହାସ ତାଙ୍କୁ ଜଣେ ସ୍ୱାର୍ଥପର,ସ୍ତ୍ରୈଣ ,ଅବିବେକୀ ରାଜା ଭାବରେ ଚିତ୍ରିତ କରିବ ନାହିଁ ତ?ପିତୃତ୍ବର ଆବେଗରେ ଉଦ୍ବେଳିତ ଶାନ୍ତନୁ କହିଲେ... ପୁତ୍ର ଦେବବ୍ରତ ! ମୁଁ ମୋର ଏ ଜନ୍ମରେ ଅର୍ଜିତ ସୁକୃତ ବଳରେ ତୁମକୁ ବର ପ୍ରଦାନ କରୁଛି ବତ୍ସ,ତୁମକୁ 'ଇଛାମୃତ୍ୟୁ' ପ୍ରାପ୍ତ ହେଉ।ତୁମର ପବିତ୍ର କର୍ମମୟ ଜୀବନ ଉପରେ ମୃତ୍ୟୁର କୌଣସି ଅଧିକାର ରହିବ ନାହିଁ।ତୁମେ ଯେତେବେଳେ ଇଚ୍ଛା କରିବ ସେତେବେଳେ ହିଁ ତୁମର ମୃତ୍ୟୁ ହେବ।"


ଏଠାରେ ପ୍ରଶ୍ନ ଉଠେ ଶାନ୍ତନୁଙ୍କର ଆଶୀର୍ବାଦ କାହିଁକି ଭୀଷ୍ମଙ୍କ ଉପରେ ଫଳପ୍ରଦ ହେଲା ?କଣ ତାଙ୍କର ଏଭଳି ବିଶେଷତ୍ଵ ଥିଲା ଯେ ଆଶୀର୍ବାଦ ବରଦାନ ହୋଇ ଦେବବ୍ରତଙ୍କ ଜୀବନରେ ଫଳପ୍ରଦ ହେଲା !


====ଶାନ୍ତନୁ ସାଧାରଣ ମନୁଷ୍ୟ ନଥିଲେ।ସେ ଜଣେ ଧର୍ମପଥଗାମୀ ପ୍ରଜାନୁରଞ୍ଜକ ଶାସକ ଥିଲେ। ଦେବତା, ବ୍ରାହ୍ମଣ,ଏବଂ ଗୁରୁ ମାନଙ୍କ ପ୍ରତି ତାଙ୍କର ଅଚଳା ଭକ୍ତି ଥିଲା। ବିଷ୍ଣୁଙ୍କର ଅଂଶ ନେଇ ସେ ଜନ୍ମ ହୋଇଥିଲେ। 'ଦେବୀ ଭାଗବତ' ପୁରାଣ ଅନୁସାରେ ବିଷ୍ଣୁଙ୍କର ତିନୋଟି ଘରଣୀ ଥିଲେ.. ଲକ୍ଷ୍ମୀ, ସରସ୍ବତୀ ଏବଂ ଗଙ୍ଗା। ଗୋଟିଏ ସ୍ଥାନରେ ରହିବାରୁ ତିନି ସପତଣୀଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଥିଲା। ସେମାନଙ୍କ ଭିତରେ ଥରେ ପ୍ରବଳ ଝଗଡ଼ା ଲାଗିଵାରୁ ସରସ୍ବତୀ ଗଙ୍ଗାଙ୍କୁ ଅଭିଶାପ ଦେଲେ ମର୍ତ୍ତ୍ୟ ମଣ୍ଡଳରେ ନଦୀ ରୂପରେ ପ୍ରବହମାନ ହେବାପାଇଁ।ଗଙ୍ଗା ମଧ୍ୟ ସରସ୍ଵତୀଙ୍କୁ ଅଭିଶାପ ଦେଲେ ମର୍ତ୍ତ୍ୟରେ ନଦୀ ଭାବରେ ପ୍ରବାହିତ ହେବାପାଇଁ।ସରସ୍ଵତୀ ଏବଂ ଗଙ୍ଗାଙ୍କ ଝଗଡାରୁ ନିଜକୁ ଦୂରେଇ ରଖି ଲକ୍ଷ୍ମୀ ନିରପେକ୍ଷ ରହିଥିଲେ ମଧ୍ୟ ସରସ୍ବତୀ ତାଙ୍କ ଉପରେ ପକ୍ଷପାତିତାର ଅଭିଯୋଗ ଆଣି ତାଙ୍କୁ ମଧ୍ୟ ଅଭିଶାପ ଦେଲେ ଯେ ସେ ଗୋଟିଏ ବୃକ୍ଷ ଏବଂ ନଦୀ ‌‌ହୋଇ ମର୍ତ୍ତ୍ୟରେ ଜନ୍ମ ନେବେ। ସେମାନଙ୍କ ଶାପ ପରସ୍ପର ଉପରେ ଫଳିଲା। ଲକ୍ଷ୍ମୀ ତୁଳସୀ ବୃକ୍ଷ ଏବଂ ପଦ୍ମା-ନଦୀ ହୋଇ ମର୍ତ୍ତ୍ୟକୁ ଅବତରଣ କଲେ। ସରସ୍ବତୀ ନଦୀବିଶେଷ ହୋଇ ଭାରତ ଭୂଖଣ୍ଡରେ ପ୍ରବହମାନ ହେଲେ।ଭଗିରଥଙ୍କ ତପସ୍ୟା ସମୟରେ ଗଙ୍ଗା ଶିବଙ୍କ ଜଟା ଦେଇ ଧରାବତରଣ କଲେ। ସେହି ସମୟରେ ବିଷ୍ଣୁ ଗଙ୍ଗାଙ୍କୁ କହିଥିଲେ ଯେ ହସ୍ତିନା ରାଜା ଶାନ୍ତନୁ ବିଷ୍ଣୁ ଅଂଶରେ ଜନ୍ମ ନେବେ।ତାଙ୍କ ସହିତ ଗଙ୍ଗା ବିବାହ କରି ମଧୁମୟ ଦାମ୍ପତ୍ୟ ଅତିବାହିତ କରିବେ, ତାହା ହିଁ ହେବ ବିଷ୍ଣୁ ଙ୍କ ସହିତ ଗଙ୍ଗାଙ୍କ ମିଳନ।


==== ଅତି ବିଚିତ୍ରମୟ ଆମର ପୁରାଣ ଏବଂ ଉପନିଷଦର କାହାଣୀ। ବିଭିନ୍ନ ପୁରାଣରେ ଗଙ୍ଗାଙ୍କ ବିଷୟରେ ଭିନ୍ନ ଭିନ୍ନ ବର୍ଣ୍ଣନା ରହିଛି।ଗଙ୍ଗାଙ୍କୁ ଶିବଙ୍କ ପତ୍ନୀ ଭାବରେ ମଧ୍ୟ ବର୍ଣ୍ଣନା କରାଯାଏ।ବାମନ ଅବତାରରେ ବିଷ୍ଣୁ ଯେତେବେଳେ ଭୂମଣ୍ଡଳରେ ତାଙ୍କ‌ ପାଦ ପ୍ରସାରିତ କଲେ ସେ ସମୟରେ ତାଙ୍କ ନଖକୋଣରେ ଗଙ୍ଗା ରହିଯାଇଥିଲେ ବୋଲି କଥିତ ଅଛି। ସେଥିପାଇଁ ତାଙ୍କୁ ବିଷ୍ଣୁପଦୀ ମଧ୍ୟ କୁହାଯାଏ।

====ଅନେକେ ପ୍ରଶ୍ନ କରନ୍ତି.. ବିଷ୍ଣୁ ଭଗବାନ ହୋଇ କିପରି ବହୁପତ୍ନୀ ଗ୍ରହଣ କରିଥିଲେ?ବାସ୍ତବରେ ପୁରାଣର କାହାଣୀ ଭିତରେ ସମାଜ ପାଇଁ ଉପଦେଶ ଏବଂ ନିର୍ଦ୍ଦେଶ ଅନ୍ତର୍ନିହିତ ଭାବରେ ରହିଛି। ତିନୋଟି ପତ୍ନୀଙ୍କ ଭିତରେ ଝଗଡ଼ା ଯୋଗୁଁ ବିଷ୍ଣୁ କିପରି ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ପରବର୍ତ୍ତୀ ସମୟରେ କେବଳ ଲକ୍ଷ୍ମୀଙ୍କୁ ପାଖରେ ରଖି ଅନ୍ୟ ଦୁଇ ପତ୍ନୀଙ୍କୁ ଅଲଗା ରଖିଥିଲେ, ତାହା ସମାଜ ପାଇଁ ଏକ ଶିକ୍ଷା ଭାବରେ ପୁରାଣ ପୃଷ୍ଠା ମଣ୍ଡନ କରିଛି। 


ଦେବୀ ଭାଗବତର ଉପରୋକ୍ତ ତଥ୍ୟ ଅନୁଯାୟୀ ଶାନ୍ତନୁ ସାଧାରଣ ମନୁଷ୍ୟ ନଥିଲେ। ସେଥିପାଇଁ ଯେତେବେଳେ ପୁତ୍ର ଦେବବ୍ରତଙ୍କୁ ସେ ଇଚ୍ଛାମୃତ୍ୟୁ ବରଦାନ ଦେଲେ ତାହା ତାଙ୍କ ଜୀବନରେ ଫଳବତୀ ହୋଇଥିଲା।

କିନ୍ତୁ ଇଚ୍ଛାମୃତ୍ୟୁ ବରଦାନ ଏହି ମହାପୁରୁଷଙ୍କ ପ୍ରତି ପିତାଙ୍କର ଆଶୀର୍ବାଦ ଥିଲା ନା ଅଭିଶାପ ! ଆଜୀବନ ଚୀରକୁମାର ରହିବାର ପଣ ନେଇ ଦୀର୍ଘ ଜୀବନ ଦୁଃଖପୂର୍ଣ୍ଣ ସଂସାରରେ ବିତାଇବା ଅଭିଶାପ ବ୍ୟତୀତ କଣ ହୋଇପାରେ?!ବୃଦ୍ଧ ଜରଦ୍ଗବ ଭଳି ପରିବାର ବୃକ୍ଷରେ ବସି ଭାଇ ଭାଇ ଭିତରେ ଦ୍ଵନ୍ଦ୍ବ,ହଣାକଟା ଇତ୍ୟାଦି ଦେଖିବା ଲେଖା ହୋଇଥିଲା ତାଙ୍କ ଭାଗ୍ୟ ଲିପିରେ।

===============================


Rate this content
Log in