STORYMIRROR

Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀଭାଗ ୯(ଯୋଜନଗନ୍ଧା

କଥା କାଦମ୍ବରୀଭାଗ ୯(ଯୋଜନଗନ୍ଧା

4 mins
190

କଥା କାଦମ୍ବରୀ

    (୯)

===============================

ଯୋଜନଗନ୍ଧା ସତ୍ୟବତୀ

(ପୂର୍ବ ପ୍ରକାଶନ ଉତ୍ତାରୁ.....)

================================

ଆମ ସଂସ୍କୃତିର ମୂଳପିଣ୍ଡ ବେଦ, ବେଦାନ୍ତ ଓ ପୁରାଣ ଅତି ମନୋରମ କାହାଣୀର ଗନ୍ତାଘର।ତା' ଭିତରୁ ଅନେକ କାହାଣୀ ବେଳେ ବେଳେ ଅବାସ୍ତବ ଲାଗିଲେ ମଧ୍ୟ ତାହା ଅତି ରୋଚକ ଏବଂ ଶିକ୍ଷଣୀୟ। ହରିବଂଶ ଏବଂ ଦେବୀ ଭାଗବତ ପୁରାଣରେ ସେହିପରି ଗୋଟିଏ କାହାଣୀରେ ବର୍ଣ୍ଣନା କରାଯାଇଛି; କିପରି ମତ୍ସ୍ୟଗନ୍ଧା ସତ୍ୟବତୀ ଯୋଜନଗନ୍ଧା ସତ୍ୟବତୀରେ ପରିଣତ ହେଲେ।

====ଚେଦି ରାଜ୍ୟରେ ଉପାରିଚର ନାମକ ଜଣେ ପ୍ରବଳ ପରାକ୍ରମୀ ସମ୍ରାଟ ଥିଲେ।ସେ ସାଧାରଣରେ 'ବସୁ' ନାମରେ ମଧ୍ୟ ପରିଚିତ ଥିଲେ। ବହୁଦିନ ରାଜ୍ୟଶାସନ କରିବାପରେ ସାଂସାରିକ ଜୀବନର ଅଳିକତାରେ ବିତସ୍ପୃହ 'ବସୁ' ଅରଣ୍ୟରେ ଆଶ୍ରମ ପ୍ରତିଷ୍ଠା କରି ଘୋର ତପସ୍ୟାରେ ମଗ୍ନ ହୋଇଗଲେ।ସେ ସମୟରେ ଦେବତାମାନେ ମଧ୍ୟ ଆଚାରଶ୍ରେଷ୍ଠ ମାନବ ମାନଙ୍କୁ ଡରୁଥିଲେ।ଇନ୍ଦ୍ର ଚିନ୍ତାକଲେ ତପସ୍ୟା ଦ୍ବାରା ନିଜର ଶ୍ରେଷ୍ଠତା ପ୍ରତିପାଦନ କରି ବସୁ ଇନ୍ଦ୍ରପଦ ଛଡ଼ାଇ ନେଇପାରନ୍ତି। ତେଣୁ ବସୁଙ୍କ ଆଶ୍ରମରେ ପହଞ୍ଚି ଇନ୍ଦ୍ର, ଶାନ୍ତି ପୂର୍ବକ ବସୁଙ୍କୁ ପ୍ରବର୍ତ୍ତାଇଲେ ଏହି କୃଚ୍ଛ୍ର ସାଧନା ତ୍ୟାଗକରି ନିଜ ରାଜଧାନୀକୁ ଫେରିଯିବା ପାଇଁ ।ଇନ୍ଦ୍ର କହିଲେ..ହେ ଆର୍ଯ୍ୟ ! ମୋ ଅନୁରୋଧ ମାନି ଏ ଘୋର ତପସ୍ୟା ତ୍ୟାଗକରି ନିଜ ରାଜ୍ୟରେ ଶାନ୍ତିରେ ରାଜତ୍ଵ କର ଏବଂ ମୋର ପରମ ମିତ୍ରତା ଲାଭକର।ଯେତେବେଳେ ଇଚ୍ଛା କରିବ ସ୍ବର୍ଗକୁ ତୁମ୍ଭର ଅବାଧ ପ୍ରବେଶ ରହିବ।

==== ଇନ୍ଦ୍ରଙ୍କ ଅନୁରୋଧ ରକ୍ଷାକରି ଉପାରିଚର ବସୁ ତପସ୍ୟା ତ୍ୟାଗ କଲେ।ଇନ୍ଦ୍ର ସନ୍ତୁଷ୍ଟ ହୋଇ ତାଙ୍କୁ ସ୍ଫଟିକ ମଣିର ଗୋଟିଏ ବିମାନ ଏବଂ ଗୋଟିଏ ଅପୂର୍ବ ବୈଜୟନ୍ତୀମାଳା ଉପହାର ଦେଲେ।ଉପାରିଚରଙ୍କର ସେହି ବିମାନ ସୂର୍ଯ୍ୟଙ୍କ ରଥକୁ ମଧ୍ୟ ନିନ୍ଦା କରୁଥିଲା ଏବଂ ବୈଜୟନ୍ତୀମାଳା ଧାରଣ କଲେ ତା'ପ୍ରଭାବରେ ଶତ୍ରୁର ଅସ୍ତ୍ରଶସ୍ତ୍ର ତାଙ୍କ ଶରୀରକୁ ସ୍ପର୍ଶ ମଧ୍ୟ କରୁନଥିଲା।ଇନ୍ଦ୍ରଙ୍କ ସହିତ ମିତ୍ରତାରେ ପ୍ରଫୁଲ୍ଲିତ‌ହୋଇ ବହୁ ସମୟରେ ବସୁ ରାଜ୍ୟରେ ଇନ୍ଦ୍ରୋତ୍ସବ ପାଳନ କରୁଥିଲେ।


କାହାଣୀ ରେ ସ୍ଫଟିକ ବିମାନ ଏବଂ ବୈଜୟନ୍ତି ମାଳାର ଉଲ୍ଲେଖରୁ ତତ୍କାଳୀନ ସମାଜରେ ଉତ୍କର୍ଷ ବିଜ୍ଞାନ ଓ ଟେକ୍ନୋଲୋଜିର ପ୍ରମାଣ ମିଳେ।


==== ରାଜାଙ୍କ ରାଜଧାନୀ ଉପକଣ୍ଠରେ ସୁକ୍ତିମତୀ ନଦୀ ପ୍ରବାହିତ ହେଉଥିଲା।ଥରେ 'କୋଳାହଳ' ନାମକ ଏକ ବିଶାଳ ପର୍ବତ ସୁକ୍ତିମତୀ ନଦୀର ପଥ ଅବରୋଧ କରି ତା ଉପରେ ଅତ୍ୟାଚାର ଆରମ୍ଭ କରିଦେଲା।ସୁକ୍ତିମତୀ ଉପାରିଚରଙ୍କୁ ଗୁହାରିକଲା କୋଳାହଳ ପର୍ବତର ଅତ୍ୟାଚାରରୁ ତାକୁ ରକ୍ଷା କରିବା ପାଇଁ।ଉପାରିଚର ଅତ୍ୟନ୍ତ କ୍ରୋଧରେ କୋଳାହଳ ପର୍ବତକୁ ଏଭଳି ଏକ ଶକ୍ତ ଗୋଇଠା ପ୍ରହାର କଲେ ଯେ ପର୍ବତ ଖଣ୍ଡଖଣ୍ଡ ହୋଇ ଭାଙ୍ଗିଗଲା ଏବଂ ଭୟରେ କୋଳାହଳ ସୁକ୍ତିମତୀର ରାସ୍ତାରୁ ଓହରି ଗଲା।କଳ କଳ ଛଳ ଛଳ ହୋଇ ସୁକ୍ତିମତୀ ପୁଣିଥରେ ନିଜ ପଥରେ ବହି ଚାଲିଲା।


ପୁରାଣରେ ଏପରି ବର୍ଣ୍ଣନା ବାସ୍ତବତା ଠାରୁ ବହୁଦୂରରେ ଥିଲେ ମଧ୍ୟ କାହାଣୀ ଭିତରେ ସମାଜପ୍ରତି ଥିବା ଅନ୍ତର୍ନିହିତ ବାର୍ତ୍ତା ସୁସ୍ପଷ୍ଟ।ବସୁଙ୍କ ରାଜ୍ୟରେ ଦୁର୍ବଳା ଅବଳା ପ୍ରତି ଅତ୍ୟାଚାର ଯେ ଦୃଢ଼ ହସ୍ତରେ ଦମନ କରାଯାଉଥିଲା, କାହାଣୀ ଭିତରେ ଏହି ଅନ୍ତଃସ୍ବର ପ୍ରଚ୍ଛନ୍ନ ଭାବେ ଲୁଚି ରହିଛି।ସୁକ୍ତିମତୀ ହୁଏତ ସୁକ୍ତିମତୀ ନଦୀ କୂଳରେ ବାସ କରୁଥିବା ଗୋଟିଏ କନ୍ୟା ହୋଇ ଥିବ ତଥା କୋଳାହଳ ଗୋଟିଏ ଦୀର୍ଘକାୟ ଅତ୍ୟାଚାରୀ ବ୍ୟକ୍ତି ହୋଇଥିବ।


==== କୋଳାହଳର ସୁକ୍ତିମତୀ ଉପରେ ଅତ୍ୟାଚାରର ଫଳସ୍ବରୂପ ଗୋଟିଏ ପୁତ୍ର ସନ୍ତାନ ଏବଂ ଗୋଟିଏ କନ୍ୟା ସନ୍ତାନ ନଦୀ ଗର୍ଭରୁ ଜନ୍ମ ହେଲେ।ସୁକ୍ତିମତୀ ସନ୍ତାନ ଦୁଇଟିଙ୍କୁ ରାଜା ବସୁଙ୍କୁ ଉପହାର ଦେଲେ।କାଳକ୍ରମେ ପୁତ୍ର ସନ୍ତାନ ଏକ ବଳଶାଳୀ ପରାକ୍ରମୀ ଶସ୍ତ୍ରଶାସ୍ତ୍ର ନିପୁଣ ଯୁବକରେ ପରିଣତ ହେଲା।ବସୁ ସେ'ଯୁବକକୁ ନିଜର ସେନାପତି ପଦରେ ନିଯୁକ୍ତି ଦେଲେ। କନ୍ୟାର ନାମ ଥିଲା ଗିରିକା। ଯୌବନରେ ପଦାର୍ପଣ କରି 'ଗିରିକା' ରୂପ‌ଲାବଣ୍ୟବତୀ ସୁନ୍ଦରୀ ଯୁବତୀରେ ପରିଣତ ହେଲେ।ରାଜା ବସୁ ଗିରିକାଙ୍କୁ ବିବାହ କରି ତୃପ୍ତିମୟ ଦାମ୍ପତ୍ୟ ଅତିବାହିତ କରୁଥିଲେ।


==== ଦିନେ ରାତିରେ ରାଜାଙ୍କର ପିତୃମାନେ ତାଙ୍କ ପାଖରେ ପହଞ୍ଚି‌ ଅରଣ୍ୟରେ ଉତ୍ପାତ ସୃଷ୍ଟି କରୁଥିବା ହିଂସ୍ର ବଣ୍ୟ ଯନ୍ତୁ ମାନଙ୍କୁ ବଧ କରିବାପାଇଁ ଆଦେଶ ଦେଲେ।ରାଜା ବସୁ ଯନ୍ତୁମାନଙ୍କ ପଛରେ ଅନୁଧାବନ କରି ଅରଣ୍ୟ ଭିତରେ ଅନେକ ଦୂରକୁ ଚାଲିଗଲେ।ସମୟ ଥିଲା ବସନ୍ତ କାଳ। ବାସନ୍ତୀ ପରିବେଶ ବିରହ ବିଧୁର ରାଜାଙ୍କ ମନରେ ପ୍ରାଣପ୍ରିୟା ଗିରିକାଙ୍କ ସ୍ମୃତି ବାରମ୍ବାର ଉଜ୍ଜୀବିତ କଲା। ଅଶୋକ ବୃକ୍ଷ ମୂଳରେ ବସି ପତ୍ନୀଙ୍କର ରୂପ ମନେପକାଇ ବିଭୋର ହୋଇ ଉଠିଲେ ବସୁ ଏବଂ ଫଳସ୍ବରୂପ ଶରୀରରୁ ସ୍ଖଳିତ ହେଲା ବିର୍ଯ୍ୟ।ସେ ସମୟରେ ଗିରିକା'ଙ୍କର ହୋଇଥାଏ ଋତୁକାଳ।ସ୍ଖଳିତ ବିର୍ଯ୍ୟକୁ ବ୍ୟର୍ଥ ହେବାକୁ ନଦେବା ପାଇଁ ରାଜା,ତାକୁ ପତ୍ରରେ ଗୁଡ଼ାଇ,ଅଭିମନ୍ତ୍ରିତ କରି, ଅଶୋକ ବୃକ୍ଷରେ ବସିଥିବା ଗୋଟିଏ ବାଜପକ୍ଷୀକୁ ଅନୁରୋଧ କଲେ ତାହା ନେଇ ଗିରିକାଙ୍କ ପାଖରେ ପହଞ୍ଚାଇ ଦେବାପାଇଁ।


ପତ୍ରପୁଡିଆଟି ଚଞ୍ଚୁରେ ଧରି ଆକାଶମାର୍ଗରେ ଉଡିଯାଉଥାଏ ବାଜପକ୍ଷୀ। ଏହି ସମୟରେ ଅନ୍ୟ ଗୋଟିଏ ବାଜପକ୍ଷୀ ,ପତ୍ରପୁଡିଆଟିକୁ ମାଂସଖଣ୍ଡ ଭାବି ଆକ୍ରମଣ ଆରମ୍ଭ କରିଦେଲା।ଦୁଇ ପକ୍ଷୀଙ୍କ ଲଢେଇରେ ବୀର୍ଯ୍ୟ-ପୁଡିଆଟି ତଳେ ବହି ଯାଉଥିବା ଯମୁନା ନଦୀରେ ଖସିପଡିଲା। ନଦୀ ଭିତରେ ଥିବା ଗୋଟିଏ ବିରାଟ ମାଛ ସେ ପୁଡିଆଟି ଗିଳି ଦେଲା।ଯୋଗକୁ ସେ ମାଛଟି ଥିଲା ଏକ ଅଭିଶପ୍ତା ଅପ୍ସରା।ବ୍ରହ୍ମାଙ୍କ ଅଭିଶାପ ପାଇ ସ୍ବର୍ଗର ଏହି ଅପ୍ସରାଟି ଯମୁନା ନଦୀରେ ମାଛ ହୋଇ ରହିଥିଲା।ପୁଡିଆଟି ଗିଳି ଦେବାପରେ ଗର୍ଭବତୀ ହୋଇଗଲା ମତ୍ସ୍ୟରୂପୀ ଅପ୍ସରା।

==== ଏକଦା ଯମୁନା ନଦୀରୁ ସେହି ମାଛଟି ଧରି ଧୀବରମାନେ ତାକୁ କାଟି ତା'ଉଦରରେ ଯମଜ ମନୁଷ୍ୟ ସନ୍ତାନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ; ଗୋଟିଏ ଥିଲା ପୁତ୍ର,ଅନ୍ୟଟି କନ୍ୟା।ମାଛଟି କାଟିବା ପରେ ଅଭିଶପ୍ତା ଅପ୍ସରା ମୁକ୍ତିଲାଭ କରି ସ୍ବର୍ଗକୁ ଚାଲିଗଲା। ଧୀବରମାନେ ପୁତ୍ର ଏବଂ କନ୍ୟାକୁ ନେଇ ରାଜା ବସୁଙ୍କ ପାଖରେ ପହଞ୍ଚିଲେ।ବସୁ ପୁତ୍ରଟିକୁ ନିଜ ପାଖରେ ରଖି କନ୍ୟାଟିକୁ ଧୀବର ମାନଙ୍କ ଅଧିପତି ଦାସରାଜଙ୍କୁ ପାଳନ କରିବାପାଇଁ ଦେଇଦେଲେ।ସେହି କନ୍ୟା ହିଁ ଥିଲେ ସତ୍ୟବତୀ। ରାଜା ପୁତ୍ରର ନାମ ରଖିଲେ ମତ୍ସ୍ୟ। କାଳକ୍ରମେ ସେ ମତ୍ସ୍ୟରାଜ୍ୟ ପ୍ରତିଷ୍ଠା କରି ତାର ଅଧିଶ୍ବର ହେଲେ।


==== କନ୍ୟା ସତ୍ୟବତୀ ଥିଲେ ଅତ୍ୟନ୍ତ ସୁନ୍ଦରୀ ଏବଂ ସୁଶୀଳା। କିନ୍ତୁ ତାଙ୍କ ଦେହରୁ ମତ୍ସ୍ୟ ଗନ୍ଧ ନିର୍ଗତ ହେଉଥିଲା। ପିତାଙ୍କ ବୃତ୍ତିରେ ସାହାଯ୍ୟ କରିବାପାଇଁ ସତ୍ୟବତୀ ଯମୁନା ଘାଟରେ ନୌକା ଚାଳନା କରି ଯାତ୍ରୀ ମାନଙ୍କୁ ନଦୀ ପାର କରାଉଥିଲେ।ଥରେ ମହର୍ଷି ପରାଶର ତିର୍ଥଯାତ୍ରା ପାଇଁ ସତ୍ୟବତୀଙ୍କ ନାବରେ ବସି ଯମୁନା ପାର ହେଉଥିଲେ।ନାବରେ ଏକାକୀ ଯାତ୍ରୀ ଥିଲେ ପରାଶର। ପୂର୍ଣ୍ଣ ଯୌବନା ସତ୍ୟବତୀଙ୍କ ରୂପରେ ମୁଗ୍ଧ ମୁନି ସତ୍ୟବତୀଙ୍କ ପାଖରେ ପ୍ରେମ ଭିକ୍ଷା କଲେ।ସତ୍ୟବତୀ କହିଲେ...ଏହା କଣ ସମ୍ଭବ ମୁନିଶ୍ରେଷ୍ଠ ? ପ୍ରଥମତଃ ମୋର କୁମାରୀତ୍ବ ନଷ୍ଟ ହେବ।ତା'ଛଡା ଦିବା ସମୟରେ ଯମୁନାର ଦୁଇପଟେ ଯେଉଁ ଜନ ସମାଗମ ହୋଇଛି ସେମାନେ ଦେଖିଲେ ଦୁହିଁଙ୍କର ମାନସମ୍ମାନ ମାଟିରେ ମିଶିଯିବ।


==== ପରାଶର କହିଲେ... ସେଥିପାଇଁ ତୁମେ ଚିନ୍ତା କରନାହିଁ ସୁଶୀଳେ। ନଦୀ ମଧ୍ୟରେ ମୁଁ ଏକ ଟାପୁ ନିର୍ମାଣ କରିବି।ତାକୁ ମନ୍ତ୍ର ବଳରେ ଏପରି କୁହୁଡିରେ ଆଚ୍ଛାଦିତ କରିଦେବି ଯେ ଆମର ସଙ୍ଗମ କାହାରି ଦୃଷ୍ଟି ଗୋଚର ହେବନାହିଁ।କେବଳ ସେତିକି ନୁହେଁ ମୋ ମନ୍ତ୍ରର ପ୍ରଭାବରେ ତୁମ ସହିତ ସଙ୍ଗମ ପରେ ମଧ୍ୟ ତୁମର କୁମାରୀତ୍ବ ଅକ୍ଷୁର୍ଣ୍ଣ ରହିବ।ତୁମ ଦେହରେ ଥିବା ମତ୍ସ୍ୟଗନ୍ଧ ମନୋରମ ସୁଗନ୍ଧରେ ପରିଣତ ହୋଇ ତୁମେ ଯୋଜନଗନ୍ଧା ପାଲଟିଯିବ ଦେବୀ। ଏହା ବିଧି ଅଭିପ୍ରେତ ଯେ ସଙ୍ଗମ ପରେ ପରେ ତୁମ ଗର୍ଭରୁ ଏକ ଧୀମାନ ପୁତ୍ର ଜାତହେବ,ଯେ କି ଜଗତକୁ ଜ୍ଞାନର ଆଲୋକ ଦେଖାଇବ।ଏସବୁ, ମୋ ତପବଳରେ ସମୟକୁ ନିୟନ୍ତ୍ରିତ (ସଙ୍କୁଚିତ/ପ୍ରସାରିତ) କରି ମୁଁ ଏଠାରେ ସଂଘଟିତ କରିପାରିବି।"

ଏହା କିଛି ଆଶ୍ଚର୍ଯ୍ୟଜନକ କଥା ନଥିଲା;ତପୋବଳରେ ସେ ସମୟରେ ମୁନିଋଷିମାନେ ଅକଳ୍ପନୀୟ କାର୍ଯ୍ୟ କରି ପାରୁଥିଲେ।


==== ସତ୍ୟବତୀ ମନ୍ତ୍ର ମୁଗ୍ଧ ହୋଇ ଶୁଣି ଯାଉଥିଲେ। ସମ୍ମତି ସୂଚକ ଭଙ୍ଗୀରେ ମଥା ହଲାଇ ଦେଲେ ମତ୍ସ୍ୟକନ୍ୟା।ସମୟକୁ ନିୟନ୍ତ୍ରିତ କରି ପରାଶର ମହର୍ଷି ସତ୍ୟବତୀଙ୍କ ସହିତ ପ୍ରଣୟରେ ଲିପ୍ତ ହୋଇଗଲେ। ପ୍ରୀତିର ଫଳ ସ୍ୱରୂପ ଜନ୍ମହେଲେ ମହାଜ୍ଞାନୀ ତ୍ରିକାଳ ଦର୍ଶୀ ବ୍ୟାସଦେବ।ଜନ୍ମପରେ ପରେ ଯୌବନ ପ୍ରାପ୍ତ ମହର୍ଷିରେ ପରିଣତ ହୋଇଗଲେ ବ୍ୟାସ।କୁହୁଡି ଅନ୍ଧକାର ଭିତରେ ଜନ୍ମ ହୋଇଥିବାରୁ ଶରୀରର ରଙ୍ଗ ହେଲା କୃଷ୍ଣ ବର୍ଣ୍ଣ। ମତ୍ସ୍ୟ କନ୍ୟାଙ୍କ ଗର୍ଭରୁ ଜନ୍ମ ହୋଇଥିବାରୁ ଦେହରୁ ନିର୍ଗତ ହେଉଥିଲା ମତ୍ସ୍ୟ ଗନ୍ଧ। ଯମୁନା ନଦୀରେ ଦ୍ବୀପ ମଧ୍ୟରେ ଜନ୍ମଲାଭ କରିଥିବାରୁ ସେ ପରିଚିତ ହେଲେ "କୃଷ୍ଣ ଦ୍ୱୈପ୍ୟାୟନ"ନାମରେ।ମାତାଙ୍କଠାରୁ ବିଦାୟ ନେବା ସମୟରେ କୃଷ୍ଣ ଦ୍ୱୈପ୍ୟାୟନ କହିଲେ...ବିଦାୟ ଦିଅ ମାତେ !, ଆବଶ୍ୟକ ପଡ଼ିବା ସମୟରେ ସ୍ମରଣ କଲେ ଅବିଳମ୍ବେ ଏ ପୁତ୍ର ନିଶ୍ଚିତ ଭାବରେ ସମୀପରେ ଉପସ୍ଥିତ ହେବ। 


ପରାଶର ମୁନିଙ୍କ ଆଶୀର୍ବାଦରୁ ସତ୍ୟବତୀଙ୍କର କୁମାରୀତ୍ୱ ଅକ୍ଷୁର୍ଣ୍ଣ ରହିଲା ତଥା ମନୋରମ ସୁଗନ୍ଧିତ ଶରୀର ପାଇ ସେ ହେଲେ ଯୋଜନଗନ୍ଧା। ସତ୍ୟବତୀଙ୍କର ଅନେକ ଗୁଡ଼ିଏ ନାମ ଥିଲା...ଗନ୍ଧାବତୀ,ବାସବୀ,ସତ୍ୟା,କାଳୀ, ମତ୍ସ୍ୟଗନ୍ଧା, ଏବଂ ଯୋଜନଗନ୍ଧା।



Rate this content
Log in