Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀଭାଗ ୮୭

କଥା କାଦମ୍ବରୀଭାଗ ୮୭

4 mins
251


ମହାଭାରତ ସଂଗ୍ରାମର ଏକାଦଶ ଦିବସ । ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ସେନାପତିତ୍ୱରେ ଶତଗୁଣିତ ହେଲା କୌରବମାନଙ୍କ ସାହସିକତା।ଶତ ସିଂହର ବିକ୍ରମରେ ଯୁଦ୍ଧ କ୍ଷେତ୍ରରେ ଘୂରି ବୁଲୁଥାଏ ଦ୍ରୋଣଙ୍କ ସୁବର୍ଣ୍ଣ ରଥ।ରଥକୁ ଟାଣୁଥିଲେ ଚାରି ସିନ୍ଧୁ ଘୋଟକ । ପଶୁରାଜ ସିଂହକୁ ଦେଖି ଅରଣ୍ୟରେ ଇତର ପଶୁଗଣ ଯେପରି ଇତସ୍ତତଃ ପଳାୟନ କରନ୍ତି ସେହିପରି ଥିଲା ପାଣ୍ଡବ ସୈନ୍ୟମାନଙ୍କ ଅବସ୍ଥା । ଯୁଧିଷ୍ଠିରଙ୍କୁ ଜୀବିତ ବନ୍ଧନ କରି ଦୁର୍ଯ୍ୟୋଧନଙ୍କ ହସ୍ତରେ ସମର୍ପଣ କରିବା ଥିଲା ଦ୍ରୋଣଙ୍କର ପ୍ରଥମ ଲକ୍ଷ୍ୟ । କିନ୍ତୁ ଶତ୍ରୁପକ୍ଷର ଏହି ଯୋଜନା ଶ୍ରୀକୃଷ୍ଣକୁ ଅଜ୍ଞାତ ନଥିଲା । ଏହି ଭୟଙ୍କର ଯୋଜନା ଉପରେ ପାଣ୍ଡବ ଶିବିରରେ ଆଲୋଚନା ପରେ, ଯୁଧିଷ୍ଠିରଙ୍କ ନିରାପତ୍ତା ପ୍ରତି ସର୍ବାଗ୍ରେ ଧ୍ୟାନ ଦେବାପାଇଁ ନିଷ୍ପତ୍ତି ନିଆଗଲା, କାରଣ ଦ୍ରୋଣ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରନ୍ତି ତାହା କାର୍ଯ୍ୟକାରୀ କରନ୍ତି, ଯୁଧିଷ୍ଠିରଙ୍କୁ ସେ ଯେବେ ବନ୍ଦୀ କରି ନେବେ ତା'ହେଲେ ଯୁଦ୍ଧ ସମାପ୍ତ ହୋଇଯିବ ।


ସେଥିପାଇଁ ଭୀମ, ଅର୍ଜୁନ, ନକୁଳ, ସହଦେବ, ଅଭିମନ୍ୟୁ, ଧୃଷ୍ଟଦ୍ୟୁମ୍ନ, ସତ୍ୟଜିତ, ସାତ୍ୟକି, ଧୃଷ୍ଟକେତୁ, ଶତାନିକ, ଯୁଧାମନ୍ୟୁ, ଶିଖଣ୍ଡୀ ଇତ୍ୟାଦି ଯୋଦ୍ଧାଗଣ ଯୁଧିଷ୍ଠିରଙ୍କ ଉପରେ ଦୃଷ୍ଟି ରଖି ଯୁଦ୍ଧ କରୁଥିଲେ।


ସେଦିନ ଯୋଦ୍ଧାମାନଙ୍କ ମଧ୍ୟରେ ଭୟଙ୍କର ଏକକ ଯୁଦ୍ଧ ଲାଗିରହିଥିଲା । ଭୀମସେନଙ୍କର ବିଭିଂଶତିଙ୍କ ସହିତ, ସହଦେବଙ୍କର ଶଲ୍ୟଙ୍କ ସହିତ, କୃପାଚାର୍ଯ୍ୟଙ୍କର ଧୃଷ୍ଟକେତୁ ସହିତ ଘୋର ସଂଗ୍ରାମ ଲାଗି ରହିଥିଲା । ସେ'ଦିନର ଯୁଦ୍ଧରେ ଅଭିମନ୍ୟୁ ଅନନ୍ୟ ରଣ କୌଶଳ ପ୍ରଦର୍ଶନ କରି କୃତବର୍ମା, ଜୟଦ୍ରଥ ଏବଂ ଶଲ୍ୟଙ୍କ ଭଳି ମହାରଥୀମାନଙ୍କୁ ଏକକ ଯୁଦ୍ଧରେ ପରାସ୍ତ କଲା । ଅଭିମନ୍ୟୁର ରଣ କୌଶଳର ଭୂରି ଭୂରି ପ୍ରଶଂସାରେ ରଣକ୍ଷେତ୍ର ଗୁଞ୍ଜରିତ ହୋଇ ଉଠିଲା।


ଏଣେ ଦ୍ରୋଣ ତାଙ୍କର ଲକ୍ଷ୍ୟସାଧନ ପଥରେ ଆଗେଇ ଯାଉଥିଲେ । ଅନେକ ରଥୀ ମହାରଥୀଙ୍କୁ ପରାସ୍ତ କରି ସେ ଯୁଧିଷ୍ଠିରଙ୍କ ନିକଟରେ ପହଞ୍ଚିଲେ । ଏହା ଦେଖି ଧୃଷ୍ଟଦ୍ୟୁମ୍ନ ଦ୍ରୋଣଙ୍କ ସହିତ ଯୁଦ୍ଧ କରିବାପାଇଁ ଆଗେଇ ଆସିଲେ । ଦ୍ରୋଣ ତାଙ୍କ ସହିତ ଯୁଦ୍ଧ ନକରି ଯୁଧିଷ୍ଠିରଙ୍କ ସହିତ ଯୁଦ୍ଧରେ ଲିପ୍ତ ହେଲେ । ଦ୍ରୋଣାଚାର୍ଯ୍ୟଙ୍କ ଅସ୍ତ୍ରକୁ ପ୍ରତିହତ କରିବା ପାଇଁ ଯୁଧିଷ୍ଠିର ବାଣ ପ୍ରହାର କଲେ । କିନ୍ତୁ ଗୁରୁ ତାହା ପ୍ରତିହତ କରିବା ସଙ୍ଗେ ସଙ୍ଗେ ଏକ ବାଣରେ ଯୁଧିଷ୍ଠିରଙ୍କ ଶରାସନ ଖଣ୍ଡବିଖଣ୍ଡିତ କରିଦେଲେ । ଦ୍ରୋଣଙ୍କ ଅତି ନିକଟରେ ବର୍ତ୍ତମାନ ଯୁଧିଷ୍ଠିର । ପାଣ୍ଡବମାନଙ୍କ ମଧ୍ୟରେ ଚହଳ ପଡିଗଲା । ଦୁର୍ଯ୍ୟୋଧନ ମଧ୍ୟ ଉତ୍ସୁକତା ସହିତ ଚାହିଁ ରହିଛନ୍ତି । ଏଇ,ବନ୍ଦୀ ହେଲେ... ହଁ ଦ୍ରୋଣଙ୍କ ରଥ ଯୁଧିଷ୍ଠିରଙ୍କ ଅତି ନିକଟରେ...


କିନ୍ତୁ ନାଁ, ବିଜୁଳି ବେଗରେ ଅର୍ଜୁନ ସେଠାରେ ଉପସ୍ଥିତ ହୋଇ ଦ୍ରୋଣଙ୍କ ପ୍ରତି ବାଣ ପ୍ରହାର କଲେ।ଲାଗିଗଲା ଭୀଷଣ ସଂଗ୍ରାମ ଗୁରୁ-ଶିଷ୍ୟଙ୍କ ମଧ୍ୟରେ । ରକ୍ଷା ପାଇଗଲେ ଯୁଧିଷ୍ଠିର । ଆଶ୍ୱସ୍ତିର ନିଃଶ୍ୱାସ ମାରିଲେ ପାଣ୍ଡବ ପକ୍ଷ।


ରକ୍ତରଞ୍ଜିତ କୁରୁକ୍ଷେତ୍ରରେ ଅରୁଣିମା ବିଞ୍ଛିଦେଇ ସୂର୍ଯ୍ୟ ବୁଡିଯାଉଥିଲେ ପଶ୍ଚିମ ଆକାଶରେ । ଦିନର ଅବସାନ ପରେ ପାଞ୍ଚଜନ୍ୟ ଶଙ୍ଖନାଦ କରି ସେଦିନର ଯୁଦ୍ଧବିରତି ଘୋଷଣା କଲେ ଶ୍ରୀକୃଷ୍ଣ ।


ଦୁଇପକ୍ଷ ରାତ୍ରିପାଇଁ ବିରତି ନେଇ ଯେ ଯାହା ଶିବିରକୁ ଫେରିଲେ।ପାଣ୍ଡବଙ୍କ ପକ୍ଷରେ ଆଶ୍ବସ୍ତି,କିନ୍ତୁ କୁରୁରାଜପୁତ୍ରଙ୍କ ମନରେ ଉତ୍କଣ୍ଠା । ଦୁର୍ଯ୍ୟୋଧନଙ୍କୁ ଦ୍ରୋଣାଚାର୍ଯ୍ୟ କହିଲେ...

ଆଜି ଯୁଧିଷ୍ଠିର ନିଶ୍ଚିତ ଭାବରେ ବନ୍ଦୀ ହୋଇଥାନ୍ତେ, ଶେଷ ମୁହୂର୍ତ୍ତରେ ଅର୍ଜୁନର ଉପସ୍ଥିତି ଯୋଜନାକୁ ପଣ୍ଡ କରିଦେଲା । ଯେ'ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଏବଂ ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ରହିଥିବେ, ଯୁଧିଷ୍ଠିରଙ୍କୁ ବନ୍ଦୀ କରିବା ସମ୍ଭବ ନୁହେଁ।"


ଦ୍ରୋଣ ଏବଂ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ହେଉଥିବା କଥୋପକଥନ ଶୁଣୁଥିଲେ ତ୍ରିଗର୍ତ ନରେଶ ସୁଶର୍ମା।ସେ ହେଉଛନ୍ତି ସେହି ସୁଶର୍ମା ଯେ ମତ୍ସ୍ୟ ରାଜ୍ୟରେ କୌରବଙ୍କଦ୍ୱାରାଗୋଧନ ହରଣ ସମୟରେ ଦକ୍ଷିଣ ଦିଗରୁ ଆକ୍ରମଣ କରି ବଲ୍ଲବ (ଛଦ୍ମବେଶୀ ଭୀମ)ଙ୍କ ଦ୍ଵାରା ପରାସ୍ତ ହୋଇ ବନ୍ଦୀ ହୋଇଥିଲେ । ଯୁଧିଷ୍ଠିରଙ୍କ ଦୟାରୁ ସେ ଜୀବନଦାନ ପାଇଥିଲେ । ପାଣ୍ଡବମାନଙ୍କ ଉପରେ ତାଙ୍କର ପ୍ରଚଣ୍ଡ କ୍ରୋଧ ରହିଥିଲା । 


ଦ୍ରୋଣ ଏବଂ ଦୁର୍ଯ୍ୟୋଧନଙ୍କ କଥୋପକଥନ ଶୁଣି ସୁଶର୍ମା କହିଲେ..ବନ୍ଧୁ ଦୁର୍ଯ୍ୟୋଧନ ! କାଲି କୃଷ୍ଣା-ର୍ଜୁନଙ୍କୁ ରଣକ୍ଷେତ୍ରରୁ ଦୂରକୁ ନେବା ଦାୟିତ୍ଵ ମୋ ଉପରେ ଛାଡିଦିଅ । ସଂସପ୍ତକ ଯୁଦ୍ଧରେ ପ୍ରବୀଣ ମୋ ସେନାବାହିନୀ ଅତ୍ୟନ୍ତ ଦୁର୍ଦ୍ଦାନ୍ତ । ଯୁଦ୍ଧରେ ସେମାନେ ଜୀବନ ଦେବା ହିଁ ଜାଣନ୍ତି । ବିଜୟ ଅଥବା ମୃତ୍ୟୁ ବ୍ୟତୀତ ତୃତୀୟ ବିକଳ୍ପ ସେମାନଙ୍କୁ ଜଣା ନଥାଏ । ଯୁଦ୍ଧକୁ ଯିବା ପୂର୍ବରୁ ନିଜର ସମସ୍ତ ମୃତ୍ୟୁ କ୍ରିୟାକର୍ମ ସେମାନେ କରାଇ ନେଇଥାନ୍ତି । ଅର୍ଜୁନଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ ଦେଇ ନନ୍ଦିଘୋଷକୁ ଯୁଦ୍ଧ କ୍ଷେତ୍ରରୁ ମୋ ସଂସପ୍ତକ ବାହିନୀ ଦୂରେଇ ନେବେ । ସେହି ଅବସରରେ ତୁମେ ଯୁଧିଷ୍ଠିରଙ୍କୁ ବନ୍ଦୀ କରି ନେବ।"

ସୁଶର୍ମାଙ୍କ ପ୍ରସ୍ତାବ ଶୁଣି ଆନନ୍ଦିତ ହେଲେ ଗୁରୁ ଦ୍ରୋଣାଚାର୍ଯ୍ୟ । ଯୋଜନା ବିଷୟରେ ଅଧିକ ଆଲୋଚନା ନକରି, ଗୁପ୍ତରଖି ପରଦିନ ତାହା ସଫଳରୂପାୟନ ପାଇଁ ନିଷ୍ପତ୍ତି ନେଲେ।


ଦ୍ୱାଦଶ ଦିନର ଯୁଦ୍ଧ ଆରମ୍ଭରୁ ସୁଶର୍ମା ଅର୍ଜୁନଙ୍କୁ ରଣ-ଆହ୍ବାନ ଦେଲେ । ଏହା ଦେଖି ଯୁଧିଷ୍ଠିର ଅର୍ଜୁନଙ୍କୁ କହିଲେ..ପ୍ରିୟ ଧନଞ୍ଜୟ ! ତୁମ ଅନୁପସ୍ଥିତିରେ ଦ୍ରୋଣାଚାର୍ଯ୍ୟ ମୋତେ ବନ୍ଦୀ କରି ନେଇଯିବାରେ ସଫଳ ହେବେ । ସୁଶର୍ମାଙ୍କର ସଂସପ୍ତକ ରଣ ପାଇଁ ଆହ୍ବାନ ବୋଧହୁଏ ଦ୍ରୋଣାଚାର୍ଯ୍ୟଙ୍କ ଯୋଜନାର ଏକ ଅଂଶ।"


ଅର୍ଜୁନ କହିଲେ .. ଜ୍ୟେଷ୍ଠ ଭ୍ରାତ ! ଯୁଦ୍ଧପାଇଁ ଆହ୍ବାନ ଶୁଣି କ୍ଷତ୍ରିୟ ଭାବେ ମୁଁ କିପରି ବିମୁଖ ହୋଇ ରହିପାରିବି?ଆପଣଙ୍କ ନିରାପତ୍ତା ପାଇଁ ସତ୍ୟଜିତ (ପାଞ୍ଚାଳ ରାଜପୁତ୍ର) ଛାୟା ପରି ରହିଥିବେ।ସେ ମୃତ୍ୟୁ ବରଣ କରିବେ ପଛେ,ଆପଣଙ୍କୁ କଦାପି ଦ୍ରୋଣାଚାର୍ଯ୍ୟଙ୍କ ହାତରେ ବନ୍ଦୀ ହେବାକୁ ଦେବେ ନାହିଁ । ଏତତ୍ ବ୍ୟତୀତ ଆପଣଙ୍କ ନିରାପତ୍ତା ପାଇଁ ଭ୍ରାତା ଭୀମ, ଅନୁଜ ନକୁଳ ଏବଂ ସହଦେବ ତଥା ମୋର ବୀର ପୁତ୍ର ଅଭିମନ୍ୟୁ ରହିଛନ୍ତି।"


ସେଦିନ ଯୁଦ୍ଧରେ କାଳର ଦ୍ୱିତୀୟ ଅବତାର ଥିଲେ ଦ୍ରୋଣାଚାର୍ଯ୍ୟ।ଭୟଙ୍କର ଯୁଦ୍ଧରେ ଅନେକ ବୀର ଵୀରଗତି ପ୍ରାପ୍ତ ହେଲେ । ପାଞ୍ଚାଳ ରାଜକୁମାର ସତ୍ୟଜିତ ଏବଂ ବୃକ ତଥା ବିରାଟଙ୍କ ପୁତ୍ର ସତାନିକଙ୍କୁ ଗୁରୁ ଘୋର ଯୁଦ୍ଧରେ ଯମପୁରକୁ ପ୍ରେରଣ କଲେ।କେତମ ଏବଂ ବସୁଧାମ ନାମକ ପାଣ୍ଡବ ପକ୍ଷର ଦୁଇ ବୀର ମଧ୍ୟ ଦ୍ରୋଣଙ୍କ ସହିତ ଯୁଦ୍ଧରେ ବୀରଗତି ପ୍ରାପ୍ତ ହେଲେ।ପ୍ରବଳ ଗତିରେ ଦ୍ରୋଣ ମାଡି ଆସିଲେ ଯୁଧିଷ୍ଠିରଙ୍କୁ ବନ୍ଦୀ କରିବା ପାଇଁ । ହାହାକାର ପଡ଼ିଗଲା ପାଣ୍ଡବ ପକ୍ଷରେ । ଭୀମ, ନକୁଳ, ସହଦେବ, ଧୃଷ୍ଟଦ୍ୟୁମ୍ନ, ଉତ୍ତମୌଜା, ବିରାଟ, ଶିଖଣ୍ଡୀ, ଦ୍ରୁପଦ ଏବଂ ଧୃଷ୍ଟକେତୁ ଆଦି ପାଣ୍ଡବ ପକ୍ଷର ସମସ୍ତ ବୀର ଯୁଧିଷ୍ଠିରଙ୍କ ଚତୁଃପାର୍ଶ୍ୱରେ ଘେରିଗଲେ । ଯୁଧିଷ୍ଠିରଙ୍କୁ ବନ୍ଦୀ କରିବା ଦ୍ରୋଣଙ୍କର ପାଇଁ ଦ୍ୱିତୀୟ ଥର ମଧ୍ୟ ସମ୍ଭବ ହେଲାନାହିଁ।


ତେଣେ ସଂସପ୍ତକ ଯୁଦ୍ଧରେ ଅର୍ଜୁନ ମଜ୍ଜି ଯାଇଥିଲେ । ଅତ୍ୟନ୍ତ ଭୟଙ୍କର ଥିଲା ସେ ଯୁଦ୍ଧ । ଆକାଶ ମଣ୍ଡଳରେ ଲୁଚି ରହି ମାୟାଯୁଦ୍ଧରେ ଲିପ୍ତ ଥିଲେ ସେମାନେ । ତୀରର ମେଘ ସୃଷ୍ଟି କରି, ପୃଷ୍ଠଭାଗରେ ରହି ଅର୍ଜୁନଙ୍କ ଉପରକୁ ବାଣର ବର୍ଷା କରୁଥିଲେ ସଂସପ୍ତକ ମାନେ । ଅର୍ଜୁନଙ୍କ ଅମୋଘ ବାଣରେ ସୁଶର୍ମାଙ୍କର ଶତ ଶତ ସୈନ୍ୟ ମୃତ୍ୟୁଲୋକକୁ ଚାଲିଗଲେ।କୁଢ଼ କୁଢ଼ ଶବରେ ପୂର୍ଣ୍ଣ ହୋଇଗଲା ରଣକ୍ଷେତ୍ର । ତଥାପି ପଛଘୁଞ୍ଚା ଦେଲେ ନାହିଁ ସଂସପ୍ତକ ବାହିନୀ । ତୀରରେ ଛାଇଗଲା ଆକାଶ ମଣ୍ଡଳ । ଦିବସରେ ରାତ୍ରିର ଭ୍ରମ ସୃଷ୍ଟି ହେଲା । ଶ୍ରୀକୃଷ୍ଣ ଏବଂ ଅର୍ଜୁନ ଏହି ଭୟଙ୍କର ଯୁଦ୍ଧକୁ ଉପଭୋଗ କରୁଥିଲେ । ହସି ହସି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପଚାରିଲେ..ପାର୍ଥ ! ନନ୍ଦିଘୋଷ ଉପରେ ଅଛ ନାଁ ନାହିଁ?"ହସିହସି ଧନଞ୍ଜୟ କହିଲେ... କୁଆଡେ ଆଉ ଯିବି ପ୍ରଭୁ ? ଯେଉଁଠି ନାରାୟଣ ଶ୍ରୀକୃଷ୍ଣ, ସେହିଠାରେ ହିଁ ନର ଅର୍ଜୁନ ।"



Rate this content
Log in