STORYMIRROR

Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀଭାଗ ୮(ଦେବବ୍ରତ)

କଥା କାଦମ୍ବରୀଭାଗ ୮(ଦେବବ୍ରତ)

4 mins
180


ରବି କିରଣ ସ୍ପର୍ଶରେ ପ୍ରଭାତୀ ତାରା ଅଦୃଶ୍ୟ ହେଲାପରି ଗଙ୍ଗା ଅଷ୍ଟମ ଶିଶୁପୁତ୍ରଙ୍କୁ ଧରି ଜାହ୍ନବୀର ଅଥଳ ଜଳରେ ବିଲୀନ ହୋଇଗଲେ।ଗଙ୍ଗାଙ୍କ ସହିତ ଶିଶୁପୁତ୍ର ଦେବବ୍ରତଙ୍କୁ ହରାଇ ବିଳପି ଉଠିଲା ଶାନ୍ତନୁଙ୍କ ବିଦଗ୍ଧ ପ୍ରାଣ। ଜୀବନର ସବୁ ସୁଖ ସ୍ବାଚ୍ଛନ୍ଦ୍ୟ ଅଳିକ ଲାଗିଲା ହସ୍ତିନା ନରେଶ ଶାନ୍ତନୁଙ୍କୁ।ଏକ ସନ୍ୟାସୀର ତ୍ୟାଗପୁତ ମନସ୍ତତ୍ତ୍ୱ ଜାବୁଡ଼ି ଧରିଲା ରାଜାଙ୍କ ମନ ଓ ହୃଦୟକୁ।ସବୁ ଇନ୍ଦ୍ରିୟ ବାସନା ତ୍ୟାଗକରି ରାଜ୍ୟ ଶାସନରେ ସମ୍ପୂର୍ଣ୍ଣ ମନୋନିବେଶ କଲେ ଶାନ୍ତନୁ।


ଏହିପରି ବିତିଗଲା କିଛି ବର୍ଷ।ପ୍ରତି ମୁହୂର୍ତ୍ତରେ ଗଙ୍ଗା ଏବଂ ଶିଶୁପୁତ୍ର ଦେବବ୍ରତଙ୍କ କଥା ମନେ ପଡ଼ୁଥିଲା ରାଜାଙ୍କର।ଦିନେ ସକାଳର ଏକ ମନୋରମ ମୁହୂର୍ତ୍ତରେ ଗଙ୍ଗା କୂଳରେ ଭ୍ରମଣ କରୁଥିଲେ ଶାନ୍ତନୁ।ଭାବୁଥିଲେ... କେତେଦିନ ସତେ ଗଙ୍ଗା ଅପେକ୍ଷା କରାଇବେ ! କେତେଦିନ ପରେ ତାଙ୍କ ପ୍ରାଣସମ ପୁତ୍ର ଦେବବ୍ରତଙ୍କୁ ସମର୍ପଣ କରିବା ପାଇଁ ଆସିବେ ଜାହ୍ନବୀ ?


ହଠାତ୍ ନଦୀ କୂଳରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଶାନ୍ତନୁଙ୍କ ଦୃଷ୍ଟି ପଥାରୂଢ ହେଲା। ଦେବରାଜ ଇନ୍ଦ୍ରଙ୍କ ଭଳି ସୁନ୍ଦର ଦେଖାଯାଉଥିବା ଏକ ବାଳକ ନିଜ ତୂଣୀରରୁ ତୀର ବିନ୍ଧି ନଦୀର ପ୍ରବହମାନ ଜଳକୁ ଅଟକାଇ କହୁଛି...ମା'ଦେଖ ମୁଁ ତୁମର ପଥ ରୋଧ କରି ଦେଲି।ଜଳ ସହିତ ଏଭଳି ଖେଳୁଛି ବାଳକ ସତେ ଯେପରି ମାତା ସହିତ ପୁତ୍ର କ୍ରୀଡାରତ।ସଙ୍ଗେ ସଙ୍ଗେ ସେ ସ୍ଥାନରେ ଆବିର୍ଭୁତ ହେଲେ ଦେବୀ ଗଙ୍ଗା। ଆଶ୍ଚର୍ଯ୍ୟ ହୋଇ ଗଲେ ଶାନ୍ତନୁ।ହସ ହସ ମୁହଁରେ ଗଙ୍ଗା ବାଳକ ସହିତ ଶାନ୍ତନୁଙ୍କ ପାଖରେ ପହଞ୍ଚି କହିଲେ..."ପିତାଙ୍କୁ ପ୍ରଣାମ କର ପୁତ୍ର ଦେବବ୍ରତ।ଏ ହେଉଛନ୍ତି ତୁମର ପିତା ପ୍ରଥିତଯଶା ହସ୍ତିନା ନରେଶ ଶାନ୍ତନୁ।"


ଦେବବ୍ରତ ପିତାଙ୍କ ପାଦରେ ପ୍ରଣାମ କରି ପାଦ ଧୂଳି ମଥାରେ ଲଗାଇଲେ।ଆନନ୍ଦ ଗଦ୍ଗଦ ହୃଦୟରେ ପୁତ୍ରକୁ କୋଳେଇ ନେଲେ ଶାନ୍ତନୁ।ମଥାରେ ଆଙ୍କି ଦେଲେ ଅଜସ୍ର ଚୁମ୍ବନ। ଆନନ୍ଦର ଅଶ୍ରୁରେ ଭିଜିଗଲେ ପିତା ଏବଂ ପୁତ୍ର। ଜାହ୍ନବୀ କହିଛନ୍ତି...ପ୍ରିୟତମ, କଥା ଦେଇଥିଲି ଦିନେ ଦେବବ୍ରତକୁ ସମସ୍ତ ଶାସ୍ତ୍ର ଏବଂ ଶସ୍ତ୍ର ବିଦ୍ୟାରେ ପାରଙ୍ଗମ କରି ହସ୍ତିନା ସିଂହାସନର ଯୋଗ୍ୟ ଦାୟାଦ ଭାବରେ ତୁମକୁ ସମର୍ପଣ କରିବି। ଆଜି ସେ ଦିନ ଆସିଛି ଆର୍ଯ୍ୟପୁତ୍ର।ଦେବବ୍ରତ ଭଗବାନ ପର୍ଶୁରାମଙ୍କ ଠାରୁ ସମସ୍ତ ଶସ୍ତ୍ର ଓ ଶାସ୍ତ୍ର ବିଦ୍ୟା ଲାଭ କରିଛନ୍ତି;ବେଦ ଓ ବେଦାନ୍ତରେ ମହର୍ଷି ବଶିଷ୍ଠଙ୍କଠାରୁ ପାରଦର୍ଶିତା ଲାଭ କରିଛନ୍ତି।କଳା ଓ ବିଜ୍ଞାନରେ ଶୁକ୍ରାଚାର୍ଯ୍ୟଙ୍କ ଠାରୁ ଲାଭ କରିଛନ୍ତି ସମସ୍ତ ପାଣ୍ଡିତ୍ୟ ଏବଂ ସାମାଜିକ ଜୀବନ ଯାପନ କରିବାପାଇଁ ଯେଉଁ ସବୁ ସଂସ୍କାର ଆବଶ୍ୟକ ମୁଁ ସେସବୁ ଦେବବ୍ରତଙ୍କୁ ଦେଇଛି ଆର୍ଯ୍ୟପୁତ୍ର।"


ବିମୁଗ୍ଧ ଦୃଷ୍ଟିରେ ଶାନ୍ତନୁ ଥରେ ଚାହିଁଲେ ପୁତ୍ର ଦେବବ୍ରତଙ୍କୁ ତ ଥରେ ଅପରୂପ ସୌନ୍ଦର୍ଯ୍ୟର ମୁର୍ତ୍ତିମୟୀ ପ୍ରତିମା ଜାହ୍ନବୀଙ୍କୁ।ଭାବିଲେ ଶାନ୍ତନୁ... ପୁତ୍ର ସହିତ ଗଙ୍ଗା ଯେବେ ମୋ ପ୍ରାସାଦକୁ ଆସନ୍ତେ,ତାହେଲେ ପରିପୂର୍ଣ୍ଣ ହୋଇଯାଆନ୍ତା ମୋ ଅଧୁରା ସଂସାର।"


ଶାନ୍ତନୁଙ୍କ ମନକଥା ବୋଧହୁଏ ଜାଣିପାରିଲେ ଜାହ୍ନବୀ। ଅଳ୍ପ ହସି କହିଲେ...ବିଦାୟ ଆର୍ଯ୍ୟପୁତ୍ର,ତୁମ ସହିତ ଏ ଜୀବନରେ ବୋଧହୁଏ ଏ ଶେଷ ଦେଖା।ବିଧି ନିର୍ଦ୍ଦେଶିତ ସମୟର ବଳୟ ବାହାରକୁ ମୁଁ ଚାଲିଯାଇଛି ପ୍ରିୟତମ;ତୁମ ମୋ ମଝିରେ ସମୟ ଲକ୍ଷ୍ମଣ ତ୍ରିଗାର କାଟି ଦେଇଛି।"


ଦେବବ୍ରତଙ୍କ ମଥା ଚୁମ୍ବନ କରି ଆଶୀର୍ବାଦ ଦେଲେ ମାତା ଗଙ୍ଗା। ଚାହୁଁ ଚାହୁଁ ଗଙ୍ଗା ନଦୀର ଜଳ ଦୁଇଭାଗ ହୋଇ ଗଲା;ତା ଭିତରେ ବିଲୀନ ହୋଇ ଗଲେ ଜାହ୍ନବୀ। ଅଶ୍ରୁପୂର୍ଣ୍ଣ ନେତ୍ରରେ ଉଆସକୁ ଫେରି ଆସିଲେ ଦେବବ୍ରତଙ୍କୁ ସାଙ୍ଗରେ ଧରି ଶାନ୍ତନୁ।


ପୁତ୍ର ଦେବବ୍ରତଙ୍କୁ ପାଇ ଆନନ୍ଦର ସୀମା ରହିଲା ନାହିଁ ଶାନ୍ତନୁଙ୍କର।ଦେବବ୍ରତଙ୍କୁ ହସ୍ତିନାର ଯୁବରାଜ ପଦରେ ଅଭିଷିକ୍ତ କଲେ ଶାନ୍ତନୁ।ସମୟ ଆନନ୍ଦରେ ବିତି ଯାଉଥିଲା। ଦିନେ ଯମୁନା କୂଳରେ ଦିନର ଗତାୟୁ ମୁହୂର୍ତ୍ତରେ ଭ୍ରମଣ କରୁଥିବା ସମୟରେ ପରିବେଶ ହଠାତ୍ ଅପୂର୍ବ ମହକରେ ଭରିଗଲା।ସମସ୍ତ ଇନ୍ଦ୍ରିୟଙ୍କୁ ସତେଜ କରୁଥିବା ଏ ସୁବାସ କେଉଁଠାରୁ ଭସିଆସୁଛ ଜାଣିବାପାଇଁ ଚତୁର୍ଦ୍ଦିଗକୁ ଦୃଷ୍ଟି ପକାଇଲେ ନରେଶ। ଆଃ ! କି ସୁନ୍ଦର ଏକ ତରୁଣୀ ଉଭା ହୋଇଥିଲା କିଛି ଦୂରରେ।ପ୍ରଗଳ୍ଭ କନ୍ଦର୍ପ କେଉଁଠାରେ ଥିଲା ପଞ୍ଚଶରରେ ଦଗ୍ଧିଭୂତ କଲା ଶାନ୍ତନୁଙ୍କ ସମସ୍ତ ଇନ୍ଦ୍ରିୟଙ୍କୁ।ବିଦଗ୍ଧ ନରେଶ ସୁନ୍ଦରୀ ତରୁଣୀ ସହିତ ବାର୍ତ୍ତାଳାପ କରିବାର ଇଚ୍ଛା ସମ୍ବରଣ କରିପାରିଲେ ନାହିଁ। ତରୁଣୀ ପାଖରେ ପହଞ୍ଚି ନିଜର ପରିଚୟ ଦେଇ ଶାନ୍ତନୁ କହିଲେ...ସୁଶୀଳେ ମୁଁ ହସ୍ତିନା ନରେଶ ଶାନ୍ତନୁ। କାହାର ଗୃହ ଅନ୍ଧକାର କରି ତୁମେ ଏହି ଯମୁନା ତଟକୁ ଆଲୋକିତ ଓ ଧନ୍ୟ କରିଛ ଜାଣି ପାରେ କି?ତୁମ ଅଙ୍ଗରୁ ନିର୍ଗତ ସୁବାସରେ ପୁଲକିତ ହୋଇଯାଉଛି ପରିବେଶ।କିଏ ତୁମେ ଦେବୀ !

 

ଲଜ୍ଜାବନତ ମୁଖରେ ତରୁଣୀ ଅଭିବାଦନ କରି କହିଲେ..ହେ ମହାନୁଭବ, ମୁଁ ଧୀବର ଦାସରାଜଙ୍କ କନ୍ୟା ସତ୍ୟବତୀ। ନୌକାରେ ଯମୁନା ଘାଟରୁ ଯାତ୍ରୀ ପାରିକରିବା ମୋର କାମ।ପରାଶର ମହର୍ଷି ମୋତେ ଯୋଜନଗନ୍ଧା ହେବାପାଇଁ ଆଶୀର୍ବାଦ ଦେଇଛନ୍ତି।ସେ ବାସ୍ନା ଆପଣଙ୍କୁ ପ୍ରଲୁବ୍ଧ କରିଛି, ମୁଁ ସେଥିପାଇଁ ଦୁଃଖିତ ମହାରାଜ୍।


ସତ୍ୟବତୀଙ୍କ କଥା ଶୁଣି ହସିଲେ ଶାନ୍ତନୁ।କହିଲେ..ଦେବୀ ସତ୍ୟବତୀ, ପୁଷ୍ପର ସୁବାସ ଯେବେ ଭ୍ରମରକୁ ପ୍ରଲୋଭିତ କରେ ତାହେଲେ ସେଥିରେ ଫୁଲର କଣ ଦୋଷ।ଛାଡ ସେ କଥା, ମୁଁ ଯମୁନା ଜଳରେ ନୌକା ବିହାର କରିବାକୁ ଚାହେଁ।କରାଇ ପାରିବ?

ସତ୍ୟବତୀ କହିଲେ... ରାଜାମାନଙ୍କର ଅନୁରୋଧ ଆଦେଶ ସହିତ ସମାନ।ଆସନ୍ତୁ ନରେଶ, ଆପଣଙ୍କୁ ଯମୁନାରେ ନୌକା ବିହାର କରାଇଦେବି।


ସତ୍ୟବତୀଙ୍କ ସହିତ କେବଳ ସେଦିନ ନୁହେଁ,ତା'ପରଠା୍ରୁ ପ୍ରତିଦିନ ନୌକା ବିହାର କଲେ ଶାନ୍ତନୁ। ସତ୍ୟବତୀଙ୍କ ପ୍ରେମରେ ପାଗଳ ହୋଇ ଗଲେ ଶାନ୍ତନୁ। ଦିନେ ସତ୍ୟବତୀଙ୍କ ଆଗରେ ନିଜମନକଥା ପ୍ରକାଶ କରି ତାଙ୍କୁ ବିବାହ କରିବାପାଇଁ ପ୍ରସ୍ତାବ ରଖିଲେ ହସ୍ତିନା ନରେଶ।ବିନମ୍ରତା ସହିତ ସତ୍ୟବତୀ କହିଲେ...ଆର୍ଯ୍ୟପୁତ୍ର, ମୁଁ ଆପଣଙ୍କ ପ୍ରସ୍ତାବରେ ଅସମ୍ମତ ହେବାର କୌଣସି କାରଣ ନାହିଁ, କିନ୍ତୁ ମୋ ପିତା ଦାସରାଜଙ୍କ ସମ୍ମତି ବିନା ବିବାହ ସମ୍ଭବ ନୁହେଁ। ସେଦିନ ଦାସରାଜଙ୍କ ପାଖରେ ପହଞ୍ଚି ସତ୍ୟବତୀଙ୍କୁ ବିବାହ କରିବା ଇଚ୍ଛା ପ୍ରକାଶ କଲେ ଶାନ୍ତନୁ।ଦାସରାଜ ଶାନ୍ତନୁଙ୍କ ବିଷୟରେ ଅବଗତ ଥିଲେ।ସେ କହିଲେ...ହେ ନରେଶ,ଆପଣଙ୍କର ଗଙ୍ଗା ଦେବୀଙ୍କ ଗର୍ଭରୁ ଦେବବ୍ରତ ନାମକ ପୁତ୍ର ଅଛନ୍ତି।ସେ ମଧ୍ୟ ଯୁବରାଜ ପଦରେ ଅଭିଷିକ୍ତ। ନିୟମ ଅନୁସାରେ ଆପଣଙ୍କ ପରେ ହସ୍ତିନାର ସିଂହାସନ ତାଙ୍କର ପ୍ରାପ୍ୟ।ସେ ସମୟରେ ମୋ କନ୍ୟା ସତ୍ୟବତୀ ଏବଂ ତା'ର ଜନ୍ମିତ ସନ୍ତାନ ମାନଙ୍କ ଅବସ୍ଥା କଣ ହେବ?ପ୍ରାସାଦରୁ ବିତାଡିତ ହୋଇ ଭିକାରିର ଭାଗ୍ୟନେଇ ସେମାନେ ଦ୍ବାର ଦ୍ବାର ବୁଲିବେ।ଏହା ମୋତେ ସ୍ପଷ୍ଟ ପ୍ରତୀୟମାନ ହେଉଛି। ଆପଣଙ୍କ ପରେ ହସ୍ତିନାର ସିଂହାସନ ଯେବେ ସତ୍ୟବତୀ ଗର୍ଭରୁ ଜାତ ସନ୍ତାନକୁ ପ୍ରାପ୍ତ ହେବ ତାହେଲେ ଏ ବିବାହରେ ମୋର କୌଣସିି ଆପତ୍ତି ନାହିଁ। ସେଥିପାଇଁ ଆପଣଙ୍କୁ ସତ୍ୟ କରିବାକୁ ପଡ଼ିବ।


ଶାନ୍ତନୁ ସତ୍ୟବତୀଙ୍କ ପ୍ରେମରେ ପାଗଳ ଥିଲେ ସତ୍ୟ କିନ୍ତୁ ଦେବୋପମ ଦେବବ୍ରତଙ୍କୁ ସିଂହାସନ ଅଧିକାରରୁ ବଞ୍ଚିତ କରିବାକୁ ଚାହୁଁ ନଥିଲେ। ତେଣୁ ଦାସରାଜଙ୍କୁ କିଛି ନକହି ଫେରି ଆସିଲେ ଶାନ୍ତନୁ। ସେହି ଦିନଠାରୁ ଶାନ୍ତନୁ ଯମୁନା କୂଳକୁ ଗଲେ ନାହିଁ, କିନ୍ତୁ ତାଙ୍କ ମନ ସତ୍ୟବତୀଙ୍କ ବିରହରେ ଘାରି ହେଲା। ଶରୀର ଚିନ୍ତାରେ କ୍ଷୀଣ ହେବାକୁ ଲାଗିଲା। ରାଜକାର୍ଯ୍ୟରେ ମନ ଲାଗିଲା ନାହିଁ।


ଦେବବ୍ରତ ଏ ସବୁ ଲକ୍ଷ୍ୟ କରୁଥିଲେ।ପୁତ୍ରର କର୍ତ୍ତବ୍ୟ ପିତାକୁ ମାନସିକ ଶାନ୍ତି ପ୍ରଦାନ କରିବା। ଶାନ୍ତନୁଙ୍କ ସାରଥୀ ଠାରୁ ସମସ୍ତ ଘଟଣାବଳୀ ଅବଗତ ହେଲେ ଦେବବ୍ରତ। ପିତାଙ୍କ ମାନସିକ ଶାନ୍ତି ପାଇଁ ସତ୍ୟବତୀଙ୍କୁ ମାତା ରୂପରେ ରାଜପ୍ରାସାଦକୁ ଯେକୌଣସି ପ୍ରକାରେ ଆଣିବା ଆବଶ୍ୟକ ବୋଲି ସେ ହୃଦୟଙ୍ଗମ କଲେ । ପିତାଙ୍କ ପାଇଁ ସତ୍ୟବତୀଙ୍କ ହାତ ମାଗିବା ପାଇଁ ଦାସରାଜଙ୍କ ପାଖରେ ପହଞ୍ଚିଲେ ଦେବବ୍ରତ।



Rate this content
Log in