Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀଭାଗ ୬

କଥା କାଦମ୍ବରୀଭାଗ ୬

4 mins
178


କଥା କାଦମ୍ବରୀ

    (୬)

===============================

ଯଯାତିଙ୍କ ଅକାଳ ବାର୍ଦ୍ଧକ୍ୟ

===============================

ଶୁକ୍ରାଚାର୍ଯ୍ୟଙ୍କ ଅଭିଶାପରେ ଯଯାତିଙ୍କୁ ଅକାଳ ବାର୍ଦ୍ଧକ୍ୟ ଗ୍ରାସ କଲା।ନିଜ ଶରୀରକୁ ଚାହିଁ ଭୟରେ ଶିହରୀ ଉଠିଲେ ଯଯାତି।ପକ୍ବକେଶ, ଲୋଳିତ ଚର୍ମ,ଗଳିତ-ନଖଦନ୍ତ,ଅଶିତିପର ବୃଦ୍ଧ ପରି ଦେଖାଗଲେ ହସ୍ତିନା ସମ୍ରାଟ ଯଯାତି।ପାଖରେ ଠିଆ ହୋଇଥିଲେ ପତ୍ନୀ ଦେବଯାନୀ। ସ୍ବାମୀଙ୍କର ଏ ରୂପ ପରିବର୍ତ୍ତନ ଦେଖି ଭୟଭୀତ ହୋଇ ଚିତ୍କାର କରି ପିତା ଶୁକ୍ରାଚାର୍ଯ୍ୟଙ୍କ ପଛପଟେ ସେ ଲୁଚିଗଲେ।


=====କାନ୍ଦି କାନ୍ଦି ଶୁକ୍ରାଚାର୍ଯ୍ୟଙ୍କ ପାଦତଳେ ପଡିଗଲେ ଯଯାତି।କହିଲେ...ହେ ମହାତ୍ମା ! ଏ କି ଦଣ୍ଡ ମୋତେ ଦେଲେ ! କାହାକୁ ମଧ୍ୟ ମୁହଁ ଦେଖାଇବାର ଯୋଗ୍ୟ ହୋଇପାରିବି ନାହିଁ। ଯୌବନ ସମୟରେ ଅକାଳ ବାର୍ଦ୍ଧକ୍ୟ ମୃତ୍ୟୁ ଠାରୁ ମଧ୍ୟ କଷ୍ଟଦାୟକ।ମଧୁମୟ ମାନବ ଜୀବନର କାଣିଚାଏ ମଧୁ ମଧ୍ୟ ମୁଁ ଆସ୍ବାଦନ କରିନାହିଁ। ଏହାଠାରୁ ମୃତ୍ୟୁଦଣ୍ଡ ଶ୍ରେୟସ୍କର ମୁନିଶ୍ରେଷ୍ଠ।ମୋ ଅପରାଧ ମୁଁ ସ୍ଵୀକାର କରୁଛି।ଆପଣ ମୋତେ ସାବଧାନ କରିବା ସତ୍ତ୍ବେ ମୁଁ ରାଜକନ୍ୟା ଶର୍ମିଷ୍ଠାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖି ଅପରାଧ କରିଛି ସତ, କିନ୍ତୁ ତାହା ଅବୈଧ ସମ୍ବନ୍ଧ ନୁହେଁ ମହାଭାଗ; ଶର୍ମିଷ୍ଠାଙ୍କୁ ମୁଁ ଗୁପ୍ତରେ ବିବାହ କରିଛି।ସୁନ୍ଦରୀ ସୁଶୀଳା ଶର୍ମିଷ୍ଠାଙ୍କ ପ୍ରେମ ପ୍ରତିବେଦନକୁ ମୁଁ ପ୍ରତ୍ୟାଖ୍ୟାନ କରିପାରିନଥିଲି ଗୁରୁଦେବ। ସେଥିପାଇଁ ନ'ଚାହିଁ ମଧ୍ୟ ଦେବଯାନୀଙ୍କ ପ୍ରତି ମୋର ଅକ୍ଷମଣୀୟ ଅପରାଧ ହୋଇ ଯାଇଛି। କିନ୍ତୁ ସମୟ ସାକ୍ଷୀ,ଦେବଯାନୀଙ୍କୁ କଦାପି ମୁଁ ପତ୍ନୀର ଅଧିକାରରୁ ବଞ୍ଚିତ କରିନାହିଁ।


=====ଧାର ଧାର ଲୁହ ବହିଯାଉଛି ଅକାଳ-ବୃଦ୍ଧ ଯଯାତିଙ୍କ ଆଖିରୁ। ବାରମ୍ବାର ନିଜ ହାତରେ ନିଜ ଅଙ୍ଗପ୍ରତ୍ୟଙ୍ଗକୁ ଛୁଇଁ ଛୋଟ ପିଲା ଭଳି କଇଁ କଇଁ ହୋଇ କାନ୍ଦୁଛନ୍ତି ହସ୍ତିନା ନରେଶ ଯଯାତି।କରୁଣ ଦୃଷ୍ଟିରେ ଦେବଯାନୀଙ୍କୁ ଚାହିଁ କହୁଛନ୍ତି...ଏ କଣ ହୋଇଗଲା ଦେବଯାନୀ  ହଠାତ୍ ତୁମ ପ୍ରିୟ ଯଯାତି ବୃଦ୍ଧ ହେଇଗଲା ! ଦେଖ ଦେବଯାନୀ, ମୁଁ କେମିତି ଅଶି ବର୍ଷର ବୃଦ୍ଧଭଳି ଦେଖାଯାଉଛି।ଅଣ୍ଟା ନଇଁ ଯାଇଛି,ଦେହରେ ବଳ ନାହିଁ ସିଧା ଠିଆ ହେବାପାଇଁ।ମୋ ଉପରେ ଦୟାକର ଦେବଯାନୀ,ମତେ କ୍ଷମା କରିଦିଅ ; ପିତାଙ୍କୁ କହି ଏ ଅଭିଶାପ ଫେରେଇ ନିଅ।


=====ଯଯାତିଙ୍କର ଏ ଅବସ୍ଥା ଦେଖି ନିର୍ବାକ ନିସ୍ପନ୍ଦ ହୋଇଯାଇଥିଲେ ଦେବଯାନୀ। ପିତାଙ୍କ ଅଭିଶାପରୁ ଯଯାତିଙ୍କର ଯେ ଏଭଳି ଅବସ୍ଥା ହେବ, କଳ୍ପନା କରିନଥିଲେ ସେ।ଅନୁନୟ ପୂର୍ଣ୍ଣ ଆଖିରେ ପିତାଙ୍କୁ ଚାହିଁ ଅଭିଶାପ ଫେରାଇ ନେବାପାଇଁ ଅନୁରୋଧ କଲେ ଦେବଯାନୀ।

କନ୍ୟା ଏବଂ ଜାମାଙ୍କର ଅନୁନୟ ବିନୟରେ ଶୁକ୍ରାଚାର୍ଯ୍ୟଙ୍କର କ୍ରୋଧ ଶାନ୍ତ ହେଲା।ସେ ଚିନ୍ତା କଲେ.... ଏହି ଯଯାତି ଦିନେ ଦେବଯାନୀଙ୍କୁ ଅନ୍ଧକୂପ ଭିତରୁ ଉଦ୍ଧାର କରି ନୂଆ ଜୀବନ ଦେଇଥିଲେ। ବିବାହ ପରେ ମଧ୍ୟ ଯଯାତି ଦେବଯାନୀଙ୍କୁ ପତ୍ନୀର ଅଧିକାରରୁ ବଞ୍ଚିତ କରିନାହାନ୍ତି।ପୂର୍ଣ୍ଣ-ଯୌବନା କନ୍ୟା ଆଗରେ ପାହାଡପରି ଜୀବନ ପଡ଼ିଛି,ଏ ସମୟରେ ସ୍ୱାମୀର ଅକାଳ ବାର୍ଦ୍ଧକ୍ୟ ସ୍ତ୍ରୀର ବୈଧବ୍ୟ ସହିତ ସମାନ।


===== ବିକଳରେ ତାଙ୍କ ପାଦ ଧରିଥିବା ଯଯାତିଙ୍କୁ ଉଠାଇ ଶାନ୍ତ୍ବନା ଦେଇ ଶୁକ୍ରାଚାର୍ଯ୍ୟ କହିଲେ... ମୁଁ ଦୁଃଖିତ ବତ୍ସ ଯଯାତି।କଠୋର ତପଶ୍ଚର୍ଯ୍ୟା ଯୋଗୁଁ ମୋ ଅଭିଶାପ ଧନୁରୁ ଖସିଯାଇଥିବା ଅଫେରନ୍ତା ତୀର ଭଳି। ଅଭିଶାପ ନିଶ୍ଚିତ ଭାବରେ ଫଳିବ। କିନ୍ତୁ ସେ ଅଭିଶାପକୁ ନିଜ ଉପରକୁ ନେଇ ବାର୍ଦ୍ଧକ୍ୟ ଭୋଗ କରିବାପାଇଁ ଯଦି ତୁମର କୌଣସି ପୁତ୍ର ରାଜି ହେବେ ତାହେଲେ ତୁମେ ଯୌବନ ଫେରି ପାଇବ।ତୁମର ପାଞ୍ଚ ଗୋଟି ପୁତ୍ର ଅଛନ୍ତି ଯଯାତି;ସେମାନଙ୍କୁ ପଚାରି ବୁଝ।

ଯଯାତି ମହା ମନସ୍ତାପରେ ପ୍ରାସାଦକୁ ଫେରି ଆସିଲେ।


==== ରାଜାଙ୍କର ଏ ପ୍ରକାର ରୂପ ଦେଖି ରାଜପ୍ରାସାଦରେ ଏବଂ ରାଜ୍ୟରେ ହାହାକାର ପଡିଗଲା। ଯଯାତି ପାଞ୍ଚ ପୁତ୍ରଙ୍କୁ ଡକାଇ ପାଖରେ ବସାଇଲେ। ପୁତ୍ର ମାନଙ୍କୁ ପଚାରିଲେ ଯଯାତି...ହେ ମୋର ପ୍ରାଣଠାରୁ ବଳି ପୁତ୍ରଗଣ, ତୁମେମାନେ ମତେ କେତେ ଭଲପାଅ ? ପୁତ୍ରମାନେ ସମସ୍ତେ ଏକସ୍ବରରେ କହିଲେ....ଆମେ ଆପଣଙ୍କୁ ବହୁତ ଭଲପାଉ ପିତାଶ୍ରୀ।


ତା'ପରେ ଯଯାତି ଜ୍ୟେଷ୍ଠ ପୁତ୍ରଙ୍କୁ ପଚାରିଲେ....ତା'ହେଲେ ମୋ ବାର୍ଦ୍ଧକ୍ୟ ନେଇ ତୁମ ଯୌବନ ମତେ ଦାନକର ପୁତ୍ର।

ଯଯାତିଙ୍କ ଜ୍ୟେଷ୍ଠ ପୁତ୍ର କହିଲେ....ପିତାଶ୍ରୀ, ମୁଁ ଆପଣଙ୍କୁ ଭଲପାଏ ସତ, କିନ୍ତୁ ଯୌବନ କିପରି ଦେଇ ପାରିବି ! ମୋର ବାର୍ଦ୍ଧକ୍ୟ ଦେଖି ପ୍ରାସାଦରେ ଦାସ ଦାସୀ,ରାଜ୍ୟରେ ପ୍ରଜାପୁଞ୍ଜ, ସମସ୍ତେ ହସିବେ।ଜୀବନ ପୁଷ୍ପଟି ଉପଭୋଗ କରିବା ପୂର୍ବରୁ ମଉଳିଯିବ। ଯୌବନ କିଏ କାହାକୁ ଦେଲାଣି ଯେ ମୁଁ ଆପଣଙ୍କୁ ଦେବି ପିତାଶ୍ରୀ ?

==== ଯଯାତି ଦ୍ବିତୀୟ ପୁତ୍ରକୁ ସେହି ଗୋଟିଏ ଅନୁରୋଧ ଦୋହରାଇଲେ। ଦ୍ବିତୀୟ ପୁତ୍ର କହିଲା...ହେ ଜ୍ଞାନର ଭଣ୍ଡାର ସମ୍ରାଟ ଯଯାତି,ଆପଣ କ'ଣ ଜାଣି ନାହାନ୍ତି ଯେ ବାର୍ଦ୍ଧକ୍ୟ କେବଳ ରୂପ ଏବଂ ବଳ କ୍ଷୟ କରାଏ ନାହିଁ, ତାହା ମଧ୍ୟ ବିଚାର ଶକ୍ତି ଏବଂ ଜ୍ଞାନର ଅବକ୍ଷୟ କରାଏ। ଜାଣିଶୁଣି ମୁଁ ଏ ଦୁର୍ଭାଗ୍ୟ ନିଜ ଉପରକୁ ନେବି କାହିଁକି?


==== ନିରାଶ ହୋଇ ଯଯାତି ତୃତୀୟ ପୁତ୍ରକୁ ସେହି ପ୍ରଶ୍ନ ପଚାରିଲେ। ତୃତୀୟ ପୁତ୍ର କହିଲା... ବାର୍ଦ୍ଧକ୍ୟରେ ନା ଚଢି ହେବ ଘୋଡା ନା ହାତୀ।ଦାନ୍ତ ନ'ଥାଇ ପାଟିରୁ କଥା ଫୁସ୍ ଫୁସ୍ ବାହାରିବ। ସଂସାରରେ ଅନ୍ୟ ଉପରେ ନିର୍ଭର କରି ଦୟାର ପାତ୍ର ହୋଇ ରହିବାକୁ ପଡିବ। ଏଭଳି ଅବସ୍ଥା ଠାରୁ ତ ମରିଯିବା ଭଲ।


==== ପ୍ରଥମ ତିନି ପୁତ୍ରଙ୍କର ନିରାଶପୂର୍ଣ୍ଣ କଥା ଶୁଣି ଯଯାତି ଚତୁର୍ଥ ପୁତ୍ରକୁ ପଚାରିଲେ.... ପୁତ୍ର,ତୁମେ ମୋ ବାର୍ଦ୍ଧକ୍ୟ ଗ୍ରହଣ କରି ତୁମ ଯୌବନ ମୋତେ କିଛି ବର୍ଷପାଇଁ ଦାନକର, ମୁଁ ତାହା ସର୍ତ୍ତ ଅନୁଯାୟୀ ତୁମକୁ ଫେରାଇ ଦେବି ଏବଂ ତୁମଠାରୁ ବାର୍ଦ୍ଧକ୍ୟ ନିଜ ଉପରକୁ ନେଇ ଆସିବି।

ଚତୁର୍ଥ ପୁତ୍ର କହିଲେ... କ୍ଷମା ପିତାଶ୍ରୀ,ଜୀବନର ସବୁଠାରୁ କଷ୍ଟଦାୟକ ସମୟ ହେଉଛି ବାର୍ଦ୍ଧକ୍ୟ। ଚାଲିବା ପାଇଁ ବାଡ଼ିର ସାହାରା ଏବଂ ଦୈନନ୍ଦିନ କାମ ପାଇଁ ପରିଚାରକ ପରିଚାରୀକାଙ୍କ ସାହାଯ୍ୟ ନେବାକୁ ପଡ଼ିବ। ବାର୍ଦ୍ଧକ୍ୟ ଆସିବା ପୂର୍ବରୁ ମୁଁ କାହିଁକି ସେ ଅବସ୍ଥାକୁ ନିମନ୍ତ୍ରଣ କରିବି?


===== ପୁତ୍ର ମାନଙ୍କର ମନୋଭାବ ଯଯାତିଙ୍କୁ ବ୍ୟଥିତ କଲା।"ସ୍ବାର୍ଥ ସର୍ବସ୍ବ ଦୁନିଆଁରେ ନିଜକୁ ଅସହାୟ ମନେ କଲେ ଯଯାତି।ପଞ୍ଚମ ପୁତ୍ର 'ପୁରୁ'ଙ୍କ ଠାରୁ ସେହି ଏକା ଉତ୍ତର ଆଶା କରୁଥିଲେ ଯଯାତି।

କିନ୍ତୁ ସର୍ବକନିଷ୍ଠ ପୁତ୍ର ପୁରୁ ପିତାଙ୍କୁ ଜୀବନରୁ ବଳି ଭଲ ପାଉଥିଲେ।ପୁରୁ,ପିତାଙ୍କ ଅନୁରୋଧ ଶୁଣି କହିଲେ.. ପିତାଶ୍ରୀ ! ମୋର ଏହି ଶରୀର ଏବଂ ଜୀବନ ଆପଣଙ୍କର ଦାନ। ଯୌବନ ତ ତୁଚ୍ଛ କଥା,ମାଗିଲେ ମୋ ଜୀବନ ମଧ୍ୟ ଆପଣଙ୍କ ପାଇଁ ବିସର୍ଜନ କରିପାରେ।


ଆନନ୍ଦେ ଗଦ୍ଗଦ ହୋଇ ଯଯାତି ପୁରୁଙ୍କୁ ଆଲିଙ୍ଗନ କରି କହିଲେ...ପୁତ୍ର,ତୁମପରି ପୁତ୍ର ପାଇଁ ମୋ ଛାତି ଗର୍ବରେ ଫୁଲି ଯାଉଛି। କିଛିବର୍ଷ ଜୀବନକୁ ଉପଭୋଗ କରିବାପରେ‌ ମୁଁ ତୁମକୁ ଯୌବନ ଫେରାଇ ଦେବି।

ଯଯାତି ପୁତ୍ର ପୁରୁଙ୍କୁ ଆଲିଙ୍ଗନ କରନ୍ତେ ତାଙ୍କ ବାର୍ଦ୍ଧକ୍ୟ ପୁରୁଙ୍କ ଦେହକୁ ଚାଲିଗଲା ଏବଂ ଯଯାତି ପୁରୁଙ୍କ ଯୌବନର ଦୀପ୍ତିରେ ବିମଣ୍ଡିତ ହେଲେ।


==== ଯଯାତି ଯୌବନର ମଧୁ ଆକଣ୍ଠ ପାନ କଲେ।କେବଳ ମର୍ତ୍ତ୍ୟ କାହିଁକି,ସ୍ବର୍ଗରେ କୁବେରଙ୍କ ମନୋରମ ଉଦ୍ୟାନ ଭିତରେ ସ୍ବର୍ଗ ଅପ୍ସରାଙ୍କ ସହିତ ଆନନ୍ଦମୟ ଜୀବନ ବତାଇଲେ।

କ୍ରମେ ଯଯାତିଙ୍କୁ ବୈରାଗ୍ୟ ଗ୍ରାସକଲା। ସଂସାର ସୁଖର ଅଳିକତା ସେ ହୃଦୟଙ୍ଗମ କଲେ।ଆଶାର ମରୀଚୀକା ପଛରେ ଧାଇଁ ଧାଇଁ ପାଦ ଥକିଗଲା ତାଙ୍କର।ସେ ବୁଝି ପାରିଲେ.. ଯୌବନ,ଧନସମ୍ପଦ ଏବଂ ପ୍ରଭୁତ୍ବ, ଅତୃପ୍ତ ଆଶା ଅଗ୍ନିରେ ଢାଳିବା ଘିଅ ସହିତ ସମାନ, ଯେତେ ପାଇଲେ ମଧ୍ୟ ତୃପ୍ତି ମିଳେନାହିଁ।

ପୁତ୍ର ପୁରୁଙ୍କୁ ତାଙ୍କ ଯୌବନ ଫେରାଇ ଦେଇ ଯତୀବ୍ରତ ଧାରଣ କରିବାକୁ ମନ ବଳାଇଲେ ଯଯାତି।ପୁରୁଙ୍କ ସ୍ବାର୍ଥ ତ୍ୟାଗର ପୁରସ୍କାର ସ୍ବରୂପ ହସ୍ତିନାର ରାଜଦଣ୍ଡ ତାଙ୍କ ହାତରେ ସମର୍ପଣ କରି ବାନପ୍ରସ୍ଥ ଜୀବନ ଯାପନ କଲେ‌ ଯଯାତି।


====ଶର୍ମିଷ୍ଠାଙ୍କ ଗର୍ଭରୁ ଜାତ ଏହି ସର୍ବକନିଷ୍ଠ ପୁତ୍ର ପ୍ରଥିତଯଶା 'ପୁରୁ' ବହୁକାଳ ଶାନ୍ତିରେ ବିଶାଳ ହସ୍ତିନା ଭୂଖଣ୍ଡ ଶାସନ କଲେ। ଏହି 'ପୁରୁ' ଚନ୍ଦ୍ରବଂଶୀ କୌରବ ଏବଂ ପାଣ୍ଡବ ମାନଙ୍କର ପୂର୍ବଜ ଥିଲେ।

ପୁରୁ, ବିଶାଳ ହସ୍ତିନା ସାମ୍ରାଜ୍ୟକୁ ଏକା ଶାସନ ନକରି ଭାଇମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ଦେବଯାନୀଙ୍କ ଗର୍ଭରୁ ଜାତ ଯଦୁ ମଥୁରା ଭୁଖଣ୍ଡ ଶାସନ କରି ଯଦୁବଂଶ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଯଦୁ ବଂଶରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ। ଦେବଯାନୀଙ୍କ ଗର୍ଭରୁ ଜାତ ଅନ୍ୟ ଏକ ପୁତ୍ର 'ତୁର୍ଭାସୁ' ଯବନ ରାଜ୍ୟ ତୁରସ୍କ (ତୁର୍କି)ର ଅଧିଶ୍ବର ହେଲେ। ଶର୍ମିଷ୍ଠାଙ୍କ ଗର୍ଭରୁ ଜାତ ଏକ ପୁତ୍ର 'ଦୃହ୍ୟୁ' 'ଭୋଜରାଜ୍ୟ' ଭୁଖଣ୍ଡ ଶାସନ କଲେ ଏବଂ ଅନ୍ୟ ଏକ ପୁତ୍ର ଅନୁ "ମ୍ଲେଚ୍ଛ ରାଜ୍ୟ"(ଗ୍ରିସ୍)ଶାସନ କଲେ।

 ଏହିପରି ଯଦୁବଂଶୀ ଏବଂ କୁରୁବଂଶୀ,ଉଭୟେ ଚନ୍ଦ୍ରବଂଶୀ ଯଯାତିଙ୍କର ବଂଶଜ ଥିଲେ।


================================


Rate this content
Log in