କଥା କାଦମ୍ବରୀଭାଗ ୫୬
କଥା କାଦମ୍ବରୀଭାଗ ୫୬
ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥରେ ରାଜୁତି କରୁଥିବା ସମୟରେ ଅନେକ ପଣ୍ଡିତ, ବ୍ରାହ୍ମଣ ଓ ଅନୁଗତଙ୍କ ଦ୍ଵାରା ପରିବେଷ୍ଟିତ ହୋଇଥିଲେ । ଦ୍ୟୂତକ୍ରୀଡାରେ ପରାଜୟ ପରେ ସେମାନେ ସମସ୍ତେ ଯୁଧିଷ୍ଠିରଙ୍କ ପ୍ରତି ଆନୁଗତ୍ୟ ସ୍ୱରୂପ ତାଙ୍କ ସହିତ ଅରଣ୍ୟରେ ଜୀବନ ଯାପନ କଲେ । ଅରଣ୍ୟରେ ସେମାନଙ୍କ ଭରଣପୋଷଣ ଅନେକ ସମୟରେ ପାଣ୍ଡବଙ୍କ ପାଇଁ କଷ୍ଟ ସାଧ୍ୟ ବ୍ୟାପାର ହେଉଥିଲା । ଥରେ ମହର୍ଷି ଲୋମଶ ପାଣ୍ଡବଙ୍କ କୁଟୀରରେ ପହଞ୍ଚି, ଯୁଧିଷ୍ଠିରଙ୍କର ଏହି ବିରାଟ ସମର୍ଥକ ବ୍ରାହ୍ମଣ ଗୋଷ୍ଠୀକୁ ଦେଖି କହିଲେ ...ଧର୍ମରାଜ ! ଏମାନଙ୍କ ସଂଖ୍ୟା କମ୍ କରନ୍ତୁ । ତୀର୍ଥଯାତ୍ରା ସମୟରେ ଏତେ ସଂଖ୍ୟକ ସମର୍ଥକ ଆପଣଙ୍କ ମୁଣ୍ଡବ୍ୟଥାର କାରଣ ହେବେ ।
ଯୁଧିଷ୍ଠିର, ମହର୍ଷି ଲୋମଶଙ୍କ ଉପଦେଶର ବାସ୍ତବତା ଅନୁଭବ କରି ତାଙ୍କ ସହିତ ଥିବା ସମସ୍ତଙ୍କୁ ଯୋଡ ହସ୍ତରେ କହିଲେ ... ହେ ବ୍ରାହ୍ମଣ ଦେବତାମାନେ!ଆପଣମାନଙ୍କ ଆନୁଗତ୍ୟ ଆମକୁ କୃତକୃତ୍ୟ କରିଛି । ଆମେ ବର୍ତ୍ତମାନ ତୀର୍ଥଯାତ୍ରାରେ ବିଭିନ୍ନ ସ୍ଥାନରେ ଭ୍ରମଣ କରିବୁ । ଯେଉଁମାନଙ୍କର ଯାତ୍ରା-କଷ୍ଟ ସହ୍ୟ କରିବାର ସାମର୍ଥ୍ୟ ନାହିଁ ଏବଂ କେବଳ ଆନୁଗତ୍ଯ ପାଇଁ ଆମ୍ଭମାନଙ୍କ ସହିତ ରହିଛନ୍ତି, ସେମାନେ ଦୟାକରି ଧୃତରାଷ୍ଟ୍ରଙ୍କ ଦରବାରକୁ କିମ୍ବା ପାଞ୍ଚାଳ ରାଜଦରବାରକୁ ଚାଲି ଯାଆନ୍ତୁ । " ଯୁଧିଷ୍ଠିରଙ୍କର ଏହି ଉପଦେଶ ଫଳପ୍ରଦ ହେଲା । ପାଣ୍ଡବଙ୍କ ସହିତ ତୀର୍ଥଯାତ୍ରା ସମୟରେ ଅଳ୍ପ ସଂଖ୍ୟକ ଋଷି ଓ ବ୍ରାହ୍ମଣ ରହିଲେ ।
ତୀର୍ଥଯାତ୍ରା ସମୟରେ ମୁନିଋଷିମାନଙ୍କ ସହିତ,ଭାରତୀୟ ସଂସ୍କୃତି ସମ୍ବନ୍ଧୀୟ ଅନେକ ପୁରାତନ କଥା ଉପରେ ଆଲୋଚନା ହେଉଥିଲା । ଏହିପରି ଗୋଟିଏ ଆଲୋଚନା ମହର୍ଷି ଅଗସ୍ତ୍ୟଙ୍କ ସମ୍ବନ୍ଧରେ ଥିଲା...
ମହର୍ଷି ଅଗସ୍ତ୍ୟ ତପଶ୍ଚର୍ଯ୍ୟା ବଳରେ ଅନେକ ଅଲୈାକିକ ଶକ୍ତିର ଅଧିକାରୀ ଥିଲେ । ଯତୀବ୍ରତରେ ସମ୍ପୂର୍ଣ୍ଣ ନିମଜ୍ଜିତ ଏହି ତପସ୍ୱୀ ସାଂସାରିକ ଜୀବନ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ଥରେ ଅଗସ୍ତ୍ୟ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ । ତାଙ୍କ ସମ୍ମୁଖରେ କିଛି ପ୍ରେତାତ୍ମା ପାଦ ଉପରକୁ ଏବଂ ମୁଣ୍ଡ ତଳକୁ କରି ଝୁଲୁଥିଲେ । ସେମାନଙ୍କ ପରିଚୟ ଜାଣିବାପାଇଁ ଅଗସ୍ତ୍ୟ ଇଚ୍ଛା କରିବାରୁ ସେମାନେ କହିଲେ ....ବତ୍ସ ! ଆମେ ସମସ୍ତେ ତୁମର ପୂର୍ବପୁରୁଷ । ତୁମେ ଅବିବାହିତ ରହି ପୁତ୍ର ସନ୍ତାନ ସୃଷ୍ଟି ନକଲେ ବଂଶ ଲୋପ ପାଇଯିବ;ଆମେ ପିଣ୍ଡପାଣି ପାଇବୁ ନାହିଁ ଏବଂ ଆମ୍ଭମାନଙ୍କର ଆତ୍ମା ମୁକ୍ତି ପାଇବେ ନାହିଁ । ତୁମର ଧ୍ୟାନ ଏହି ସମସ୍ୟା ପ୍ରତି ଆକର୍ଷଣ କରିବାପାଇଁ ଆମେ ତୁମ ଆଗରେ ଏହି ରୂପରେ ବିଦ୍ୟମାନ । ଏହି ସମସ୍ୟାର ସମାଧାନ ପାଇଁ ତୁମକୁ କିଛି କରିବାପାଇଁ ହେବ ।
ଅଗସ୍ତ୍ୟ,ପୂର୍ବପୁରୁଷମାନଙ୍କର ଏହି ଚେତାବନୀ ଶୁଣି ବିବାହ କରି,ଘର ସଂସାର କରିବା ପାଇଁ ମନସ୍ଥ କଲେ । ସେ ସମୟରେ ବିଦର୍ଭର ରାଜା ସନ୍ତାନହୀନ ଥିବାରୁ ଗଭୀର ମନସ୍ତାପରେ କାଳାତିପାତ କରୁଥିଲେ । ଥରେ ଅଗସ୍ତ୍ୟଙ୍କର ତାଙ୍କ ନବରକୁ ଆଗମନ ଅବସରରେ ରାଜା ତାଙ୍କୁ ନିଜର ଦୁଃଖ ଜଣାଇଲେ । ଅଗସ୍ତ୍ୟ ରାଜାଙ୍କୁ ଆଶୀର୍ବାଦ ଦେଇ କହିଲେ... ତୁମେ ଅଚିରେ ଏକ କନ୍ୟା ସନ୍ତାନର ଜନକ ହେବ, କିନ୍ତୁ କନ୍ୟାର ଯୌବନ ପ୍ରାପ୍ତି ପରେ ତୁମେ ତାଙ୍କର ବିବାହ ମୋ'ସହିତ କରାଇବ । ଏହା ଅନ୍ୟଥା ହେଲେ ମୋ କ୍ରୋଧର ସମ୍ମୁଖୀନ ହେବାକୁ ପଡିବ ।
ଅଗସ୍ତ୍ୟଙ୍କ ଆଶୀର୍ବାଦରୁ, ଗୋଟିଏ କନ୍ୟା ରତ୍ନ ବିଦର୍ଭ ନରେଶଙ୍କ କୋଳ ମଣ୍ଡନ କଲେ । ରାଜା କନ୍ୟାର ନାମ ରଖିଲେ ଲୋପାମୁଦ୍ରା । ଲୋପାମୁଦ୍ରା ଅତ୍ୟନ୍ତ ସୁନ୍ଦରୀ ଓ ଗୁଣବତୀ ଥିଲେ । ଯୌବନ-ପ୍ରାପ୍ତି ପରେ ଅନେକ ରାଜକୁମାର ତାଙ୍କ ରୂପରେ ମୁଗ୍ଧ ହେଲେ ମଧ୍ୟ ଅଗସ୍ତ୍ୟଙ୍କ ଭୟରେ ବିବାହ ପ୍ରସ୍ତାବ ବିଦର୍ଭ ରାଜାଙ୍କ ପାଖକୁ ପଠାଇବାକୁ ସାହସ କରୁନଥିଲେ ।
ଲୋପାମୁଦ୍ରାଙ୍କୁ ବିବାହ କରିବାପାଇଁ ଠିକ୍ ସମୟରେ ଅଗସ୍ତ୍ୟ ବିଦର୍ଭରେ ପହଞ୍ଚିଲେ । ବିଦର୍ଭ ରାଜା ନିଜର ଅଳିଅଳ କନ୍ୟାକୁ ଜଣେ ନିଃସ୍ୱ ତପସ୍ୱୀ ହାତରେ ଦେବାପାଇଁ ଚାହୁଁ ନ'ଥିଲେ । କିନ୍ତୁ ଅସମ୍ମତ ହେଲେ ପରିଣାମ ଭୟାବହ ହେବ । ତେଣୁ ରାଜା ଗଭୀର ଚିନ୍ତାରେ ଥିଲେ । ଲୋପାମୁଦ୍ରାଙ୍କ ପାଇଁ ପିତାଙ୍କ ଖୁସି ନିଜ ସୁଖ ଠାରୁ ଅଧିକ ଥିଲା । ସେ ପିତାଙ୍କ ମନରୁ ଦୁଃଖ ଦୂର କରିବାପାଇଁ ହସି ହସି ଅଗସ୍ତ୍ୟଙ୍କ ପାଣି ଗ୍ରହଣ କଲେ । ଋଷିଙ୍କ ସହିତ ଅରଣ୍ୟକୁ ଯିବା ସମୟରେ ନିଜ ଅଙ୍ଗର ସମସ୍ତ ଆଭୂଷଣ ଏବଂ ମୂଲ୍ୟବାନ ବସ୍ତ୍ର, ସଖୀ ଏବଂ ଦାସୀମାନଙ୍କ ମଧ୍ୟରେ ବାଣ୍ଟି ଦେଇ ବଳ୍କଳ ପରିହିତା ହୋଇ ରାଜପ୍ରସାଦ ଛାଡି ପତିଙ୍କ ସହିତ ଅରଣ୍ୟକୁ ଚାଲିଗଲେ ।
ଗଙ୍ଗାଦ୍ୱାରଠାରେ ଅଗସ୍ତ୍ୟ ଏବଂ ଲୋପାମୁଦ୍ରା ଗଭୀର ତପସ୍ୟାରେ ମଗ୍ନ ହେଲେ । କ୍ରମେ ଋଷିଙ୍କ ସାନିଧ୍ୟ ତାଙ୍କ ମନରେ ମିଳନ ପାଇଁ ଇଚ୍ଛା ଜାଗ୍ରତକଲା । କିନ୍ତୁ ବନର ମୁକ୍ତ ପରିବେଶରେ ସଙ୍ଗମ ପାଇଁ ଲଜ୍ଜା ଅନୁଭବ କରି ଲୋପାମୁଦ୍ରା ସ୍ୱାମୀଙ୍କୁ କହିଲେ... ସ୍ୱାମୀ ! ଏହି ମିଳନ ପାଇଁ ମୋର ଉପଯୁକ୍ତ ପରିବେଶ ଆବଶ୍ୟକ । ରାଜପ୍ରସାଦ ଭିତରେ ଥିବା ସମୟରେ ମୁଁ ଯେପରି ତୁଳିତଳ୍ପ ଶଯ୍ୟାରେ ଶୟନ କରୁଥିଲି ଏବଂ ପରିଧାନ ତଥା ଅଳଙ୍କାର ବିମଣ୍ଡିତା ହୋଇଥିଲି ଆପଣଙ୍କ ସହିତ ମିଳନ ପାଇଁ ସେହିଭଳି ପରିବେଶ ମୋର ଆବଶ୍ୟକ । ଆପଣ ମଧ୍ୟ ରାଜକୀୟ ପୋଷାକ ପରିଚ୍ଛଦ ଓ ଅଳଙ୍କାର ପରିଧାନ କରନ୍ତୁ ବୋଲି ମୋର ଇଚ୍ଛା । "
ଏହା ଶୁଣି ଅଗସ୍ତ୍ୟ ହସିଦେଇ କହିଲେ...ପ୍ରିୟେ ! ତୁମ ସହିତ ସେଭଳି ରାଜକୀୟ ଗାର୍ହସ୍ତ୍ୟ ବିତାଇବା ପାଇଁ ଆମ ପାଖରେ ନାଁ ତ ଧନ ଅଛି, ନାଁ ସୁବିଧା । ଆମେ ଏହି ବନପ୍ରଦେଶରେ ଦରିଦ୍ର ଭିକ୍ଷୁକ ଭଳି ଜୀବନ ବ୍ୟତୀତ କରୁଛନ୍ତି । "
ଲୋପାମୁଦ୍ରା କହିଲେ ... ସ୍ୱାମୀ ! ଆପଣଙ୍କ ପାଇଁ କିଛି ଅସମ୍ଭବ ନୁହେଁ; ତପ ବଳରେ ଆପଣ ସବୁ କିଛି କରିପାରିବେ । ବିଶ୍ୱର ଶ୍ରେଷ୍ଠ ଐଶ୍ୱର୍ଯ୍ୟ ଆପଣଙ୍କ ପାଦତଳେ ପହଞ୍ଚିବ । "
ଅଗସ୍ତ୍ୟ କହିଲେ ..ପ୍ରିୟେ,ମୋ ତପସ୍ୟା-ଅର୍ଜିତ ଶକ୍ତି କଣ ଏଭଳି ସାଂସାରିକ ଆବଶ୍ୟକତା ପାଇଁ ବ୍ୟବହାର କରିବା ଉଚିତ ହେବ ? ତପସ୍ୟାର ଫଳ ଜନସାଧାରଣଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ବିନିଯୋଗ ହେବା ଆବଶ୍ୟକ । "
ଏହା ଶୁଣି ଲୋପାମୁଦ୍ରା କହିଲେ .. ଠିକ୍ ଅଛି ସ୍ୱାମୀ,ସୁଖୀ ଗାର୍ହସ୍ତ୍ୟ ଜୀବନ ଯାପନ ପାଇଁ,ଯେତିକି ଧନ ଆବଶ୍ୟକ,ନିଜ ତପୋଶକ୍ତି ଉପଯୋଗ ନକରି, ତାହା ଆପଣ ଅର୍ଜନ କରନ୍ତୁ । ସେହି ସଂସାର ସଂଗ୍ରହ,ଆପଣଙ୍କ ପୂର୍ବଜମାନଙ୍କ ଉଦ୍ଧାର ପାଇଁ ପୁତ୍ର ସନ୍ତାନ ଉତ୍ପନ୍ନ କରିବାରେ ସାହାଯ୍ୟ କରିବ । "
ଅଗସ୍ତ୍ୟ କହିଲେ ... ଠିକ୍ ଅଛି ଦେବୀ! ସେଥିପାଇଁ ତପଃଶକ୍ତିର ବିନିଯୋଗ ନକରି, ମୁଁ ସାଧାରଣ ବ୍ରାହ୍ମଣ ବେଶରେ କୌଣସି ରାଜା ମହାରାଜାଙ୍କ ଠାରୁ ଭିକ୍ଷା ସୁତ୍ରରେ ଧନ ଆହରଣ କରି ତୁମର ଇଚ୍ଛା ପୂରଣ କରିବି । "
ଏହାପରେ ଅଗସ୍ତ୍ୟ ଅନେକ ରାଜାଙ୍କ ପାଖରେ ପହଞ୍ଚି, ତାଙ୍କ ଗାର୍ହସ୍ତ୍ୟ ଜୀବନର ଆବଶ୍ୟକତା ପୂରଣ ପାଇଁ ଧନ ଭିକ୍ଷା କଲେ । କିନ୍ତୁ ସବୁଠାରେ ସେ ଦେଖିଲେ ଯେ ରାଜ୍ୟର ଯେତିକି ଆୟ ତାହା ପ୍ରଜାମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ନିଅଣ୍ଟ । ବଳକା ଧନ ନାହିଁ ଦାନ କରିବାପାଇଁ । ଅଗସ୍ତ୍ୟଙ୍କୁ ଦାନ କରିବାପାଇଁ ପ୍ରଜାମାନଙ୍କ ଠାରୁ ଅଧିକ କର ଆଦାୟ କରିବାପାଇଁ ପଡ଼ିବ ।
ତତ୍କାଳୀନ ସମାଜରେ ଏହିପରି ଥିଲା ରାଜତନ୍ତ୍ର । ପ୍ରଜାଙ୍କ ଉପରେ ଅଯଥା କର ଭାର ନ୍ୟସ୍ତ କରିବାକୁ ରାଜାମାନେ ଚାହୁଁ ନଥିଲେ । ଅଗସ୍ତ୍ୟ ଚିନ୍ତାକଲେ, ପ୍ରଜାମାନଙ୍କ ପାଇଁ ଉଦ୍ଦିଷ୍ଟ ଧନ ଗ୍ରହଣ କରିବା ଅପେକ୍ଷା, 'ଇଲ୍ୱଳ' ନାମକ ଏକ ଧନବାନ ରାକ୍ଷସ ଠାରୁ କିଛି ଧନ କୌଣସିମତେ ଆହରଣ କରିବା ଉଚିତ ହେବ । ଏହା ଚିନ୍ତା କରି ଇଲ୍ୱଳ ଦାନବ ପାଖରେ ଅଗସ୍ତ୍ୟ ପହଞ୍ଚିଲେ ।
ଇଲ୍ୱଳ'ର 'ବାତାପି' ନାମକ ଅନ୍ୟ ଏକ ରାକ୍ଷସ ଅନୁଜ ଥିଲା । ଦୁହିଁଙ୍କର ନରମାଂସ, ବିଶେଷତଃ ବ୍ରାହ୍ମଣ-ମାଂସ ଭକ୍ଷଣରେ ଖୁବ୍ ଲୋଭ । ସେଥିପାଇଁ ସେମାନେ ଗୋଟିଏ ସୁନ୍ଦର ଉପାୟ ଅବଲମ୍ବନ କରୁଥିଲେ । ପ୍ରଥମେ ଇଲ୍ୱଳ, ମାୟା ବିଦ୍ୟା ବଳରେ ବାତାପି'କୁ ଗୋଟିଏ ଛାଗଳରେ ପରିଣତ କରି ଦେଉଥିଲା । ସେହି ଛାଗଳକୁ ମାରି,ତାର ମାଂସ ରନ୍ଧନ କରି ଅତିଥିକୁ ଆପ୍ୟାୟିତ କରୁଥିଲା । ଅତିଥି ଭୋଜନ ଶେଷ କରିବା ପରେ, ଇଲ୍ୱଳ ସଞ୍ଜିବନୀ ମନ୍ତ୍ରରେ ବାତାପିକୁ ଜୀବନ୍ୟାସ ଦେଇ ଡାକୁଥିଲା ...ଏଥର ଆସିଯାଅ ବାତାପି । ବାତାପି ଜୀବନ୍ୟାସ ପାଇ, ଘୋର ଗର୍ଜନ କରି ଅତିଥିଙ୍କ ପେଟ ଫଟାଇ ବାହାରି ଆସୁଥିଲା । ମୃତ ଅତିଥିକୁ ରନ୍ଧନ କରି ଦୁଇଭାଇ ଆନନ୍ଦରେ ଭୋଜନ କରୁଥିଲେ ।
ଅଗସ୍ତ୍ୟଙ୍କୁ ଜଣେ ସାଧାରଣ ବ୍ରାହ୍ମଣ ମନେକରି ଇଲ୍ୱଳ ସେହି ଉପାୟ ଅବଲମ୍ବନ କଲା । ସେ ସମୟରେ ବ୍ରାହ୍ମଣମାନେ ମାଂସ ଭୋଜନ କରୁଥିଲେ । ଅଗସ୍ତ୍ୟ ଭୋଜନ କରିବା ପରେ ଇଲ୍ୱଳ ଅନୁଜକୁ ଡାକିଲା...ଏଥର ଆସିଯାଅ 'ବାତାପି ।
ଅଗସ୍ତ୍ୟ ନିଜ ପେଟରେ ହାତ ବୁଲାଇ କହିଲେ...ଜଗତର ଶାନ୍ତି ଓ ମଙ୍ଗଳ ପାଇଁ ପେଟ ଭିତରେ ଜୀର୍ଣ୍ଣ ହୋଇଯାଅ ବାତାପି । "
ବାସ୍ତବରେ ବାତାପି ଅଗସ୍ତ୍ୟଙ୍କ ପେଟ ଭିତରେ ଜୀର୍ଣ୍ଣ ହୋଇ ଗଲା । ଇଲ୍ୱଳ ଯେତେଥର ଡାକୁଥାଏ,ଇଓଡି ଆକାରରେ ଅଗସ୍ତ୍ୟଙ୍କ ଉଦରରୁ କିଛି ବାୟୁ ବାହାରି ଆସୁଥାଏ । ଭୟରେ ଋଷିଙ୍କ ପାଦତଳେ ପଡ଼ି କ୍ଷମା ପ୍ରାର୍ଥନା କଲା ଇଲ୍ୱଳ । ଇଲ୍ୱଳ ଠାରୁ ନିଜ ଗାର୍ହସ୍ତ୍ୟ ପାଇଁ ଆବଶ୍ୟକୀୟ ଅର୍ଥ ସଂଗ୍ରହ କରି ଫେରି ଆସିଲେ ଅଗସ୍ତ୍ୟ ଏବଂ ଲୋପାମୁଦ୍ରାଙ୍କ ଆବଶ୍ୟକତା ପୂର୍ଣ୍ଣ କଲେ । ଅଗସ୍ତ୍ୟ ଲୋପାମୁଦ୍ରାଙ୍କୁ ପଚାରିଲେ ..ପ୍ରିୟେ ! ତୁମେ ଦଶଗୋଟି ସାଧାରଣ ପୁତ୍ର ଚାହୁଁଛ ନାଁ ଗୋଟିଏ ଧୀମାନ ଦେବଗୁଣଯୁକ୍ତ ପୁତ୍ର ଚାହୁଁଛ?"ଲୋପାମୁଦ୍ରା କହିଲେ ...ମୋର ଗୋଟିଏ ସର୍ବଗୁଣଯୁକ୍ତ ପୁତ୍ର ଆବଶ୍ୟକ । " ତାହାହିଁ ହେଲା ।
ଅଗସ୍ତ୍ୟଙ୍କ ବିଷୟରେ ଆଉ ଗୋଟିଏ ରୋଚକ କାହାଣୀ ଅଛି । ମେରୁ ପର୍ବତ ଏବଂ ବିନ୍ଧ୍ୟଗିରି ମଧ୍ୟରେ ନିଜ ନିଜର ଉଚ୍ଚତା ନେଇ ଥରେ ବିବାଦ ଲାଗିଲା । ବିନ୍ଧ୍ୟଗିରି ଉଚ୍ଚତାରେ ଏଭଳି ବଢ଼ିବାକୁ ଲାଗିଲେ ଯେ ଆକାଶରେ ସୂର୍ଯ୍ୟ ଚନ୍ଦ୍ରଙ୍କର ଗତିରୋଧ ହେଲା । ବିନ୍ଧ୍ୟଗିରିଙ୍କର ବୃଦ୍ଧି ରୋକିବା ପାଇଁ ଦେବତାମାନେ ଅଗସ୍ତ୍ୟଙ୍କୁ ଅନୁରୋଧ କଲେ । ଅଗସ୍ତ୍ୟ ଉତ୍ତର ଭାରତରୁ ଦକ୍ଷିଣକୁ ଯିବା ସମୟରେ ବିନ୍ଧ୍ୟଗିରି ମଥା ନୁଆଁଇ ଅଗସ୍ତ୍ୟଙ୍କୁ ପ୍ରଣାମ କଲେ । ଅଗସ୍ତ୍ୟ କହିଲେ .. ବତ୍ସ ! ମୁଁ ଫେରିବା ପର୍ଯ୍ୟନ୍ତ ସେହିପରି ମୁଣ୍ଡ ନୁଆଇଁ ରହିଥାଅ; କଳେବର ବୃଦ୍ଧି କର ନାହିଁ ।"
ବିନ୍ଧ୍ୟ, ଅଗସ୍ତ୍ୟଙ୍କୁ ସମ୍ମାନ କରୁଥିଲେ, ତେଣୁ ସେହିପରି ମଥା ନୁଆଁଇ ରହିଗଲେ; ଅଗସ୍ତ୍ୟ ଦକ୍ଷିଣରୁ ଆଉ ଉତ୍ତରକୁ ଫେରିଲେ ନାହିଁ ।
