କଥା କାଦମ୍ବରୀଭାଗ ୫୨
କଥା କାଦମ୍ବରୀଭାଗ ୫୨
ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞରେ ଯୋଗ ଦେବାପାଇଁ ଯେତେବେଳେ କୃଷ୍ଣ ବଳରାମ ଓ ବସୁଦେବ ଇନ୍ଦ୍ରପ୍ରସ୍ଥରେ ଉପସ୍ଥିତ ଥିଲେ,ସେତେବେଳେ ଦ୍ୱାରକାରେ ଏକ ଅଘଟଣ ଘଟିଗଲା।ସୌଭ-ରାଜ ଶାଲ୍ୱ, ନିଜର ଅତି ଅନ୍ତରଙ୍ଗ ବନ୍ଧୁ ଶିଶୁପାଳର କୃଷ୍ଣଙ୍କ ହାତରେ ମୃତ୍ୟୁ ଘଟିଥିବା ସମ୍ବାଦ ପାଇ କ୍ରୋଧରେ ଜ୍ଞାନ ଶୂନ୍ୟ ହୋଇ ପଡ଼ିଲା।ଆଗରୁ ପ୍ରିୟ ମିତ୍ର ଜରାସନ୍ଧର ମୃତ୍ୟୁ ସମ୍ବାଦ ତାକୁ ବ୍ୟଥିତ କରିଥିଲା। କୃଷ୍ଣଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦ୍ୱାରକା ଅଧିକାର କରିବା ଉଦ୍ଦେଶ୍ୟରେ ସେ ବିଶାଳ ସୈନ୍ୟ ବାହିନୀ ନେଇ ଦ୍ୱାରକା ଆକ୍ରମଣ କରିଦେଲା।
------ ସେ ସମୟରେ ଦ୍ୱାରକାର ରକ୍ଷା ଦାୟିତ୍ଵ ବୃଦ୍ଧ ରାଜା ଉଗ୍ରସେନଙ୍କ ଉପରେ ନ୍ୟସ୍ତ।ସଙ୍ଗେ ସଙ୍ଗେ ଦ୍ୱାରକାବାସୀଙ୍କୁ ସେ ସତର୍କ କରିଦେଲେ। ଦ୍ଵାରକା ଜଳ ପରିବେଷ୍ଠିତ ଏକ ଦୁର୍ଭେଦ୍ୟ ଦୁର୍ଗ ଭଳି ଥିଲା। ଶ୍ରୀକୃଷ୍ଣଙ୍କ ଦୂରଦୃଷ୍ଟି ଯୋଗୁଁ ଯଥେଷ୍ଟ ଖାଦ୍ୟ ଏବଂ ଅସ୍ତ୍ରଶସ୍ତ୍ର ରହିଥିଲା ନଗ୍ରବାସୀ ଓ ସୈନ୍ୟ ସାମନ୍ତଙ୍କ ପାଇଁ।ଶାଲ୍ୱ-ବାହିନୀର ଆକ୍ରମଣ ସମ୍ବାଦ ପାଇ ଉଗ୍ରସେନ ନଗ୍ରବାସୀଙ୍କ ପାଇଁ ଆଦେଶ ଜାରି କରିଦେଲେ ଯେ ଶତ୍ରୁ ଆକ୍ରମଣ ଅବଧିରେ ମଉଜ-ମଜଲିସ ଏବଂ ସୁରାପାନ ସମ୍ପୂର୍ଣ୍ଣ ରୂପେ ବର୍ଜିତ ରହିବ;ପୋତାଶ୍ରୟକୁ ବାହାରୁ କୌଣସି ଜାହାଜ ଯାତାୟାତ ପାଇଁ ଅନୁମତି ଦିଆ ଯିବ ନାହିଁ ଏବଂ ବାହାର ଜଗତକୁ ସଂଯୋଗ କରୁଥିବା ସମସ୍ତ ସେତୁ ଗୁଡିକ ଭାଙ୍ଗି ଦିଆଯିବ;ରାଜାଙ୍କ ଆଦେଶ ସଙ୍ଗେ ସଙ୍ଗେ ପାଳନ କରାଗଲା।
----- ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନଙ୍କ ଅଧ୍ୟକ୍ଷତାରେ ଅନେକ ଯାଦବ ବୀର ଅଦମ୍ୟ ସାହସିକତା ସହିତ ଦୁର୍ଗ ରକ୍ଷା କାମରେ ଜୀବନକୁ ପାଣି ଛଡାଇ ଲାଗିଯାଇଥିଲେ।ତଥାପି ଶ୍ରୀକୃଷ୍ଣ, ଆକ୍ରମଣ ସମ୍ବାଦ ପାଇ ପହଞ୍ଚିଲା ବେଳକୁ ଶାଲ୍ୱ, ଦ୍ୱାରକାକୁ ଆକ୍ରମଣ କରି ପ୍ରଭୂତ କ୍ଷତି ଘଟାଇସାରିଥିଲା। ଶ୍ରୀକୃଷ୍ଣ ଦ୍ଵାରକାର ଦୂରବସ୍ଥା ଦେଖି ଅତ୍ୟନ୍ତ ବ୍ୟଥିତ ହେଲେ। ଶ୍ରୀକୃଷ୍ଣଙ୍କ ଅଧିନାୟକତ୍ୱରେ ଶାଲ୍ୱ ବାହିନୀ ଉପରେ ହେଲା ପ୍ରବଳ ପାଲଟା ଆକ୍ରମଣ ଏବଂ ଶତ୍ରୁ ବାହିନୀ ପରାସ୍ତ ହୋଇ ପଳାୟନ କଲେ।
------ ଏହି ଯୁଦ୍ଧ ଶେଷ ହେବା ପରେ ହିଁ ଶ୍ରୀକୃଷ୍ଣ,ପାଣ୍ଡବମାନଙ୍କ ଉପରେ ହସ୍ତିନାରେ ବହି ଯାଇଥିବା ଝଡ଼ ବିଷୟରେ ଚିନ୍ତା କରିବାର ଅବକାଶ ପାଇଲେ ଏବଂ ସଙ୍ଗେ ସଙ୍ଗେ କାମ୍ୟକ ବନରେ ଥିବା ପାଣ୍ଡୁ-ପରିବାର ସହିତ ସାକ୍ଷାତ କରିବା ପାଇଁ ବାହାରିଲେ। କୃଷ୍ଣଙ୍କ ସହିତ ଅନେକ ବୃଷ୍ଣିବଂଶୀ ଏବଂ ଭୋଜ ବଂଶୀ ଯାଦବ ବୀର ପାଣ୍ଡବମାନଙ୍କୁ ସାକ୍ଷାତ କରିବା ପାଇଁ ବାହାରିଲେ। ସେମାନେ ସମସ୍ତେ ପାଣ୍ଡବମାନଙ୍କ ସମର୍ଥକ ଥିଲେ। ତତ୍ ବ୍ୟତୀତ ଚେଦିରାଜ ଧୃଷ୍ଟକେତୁଏବଂ ପାଣ୍ଡବ ସମର୍ଥକ କେକୟର ରାଜା ମଧ୍ୟ ଶ୍ରୀକୃଷ୍ଣଙ୍କ ସହିତ ବାହାରିଲେ ପାଣ୍ଡବମାନଙ୍କ ସହିତ ସାକ୍ଷତକରି ସଂଖୋଳିବା ପାଇଁ।
----- ପାଣ୍ଡବ ଭାଇଙ୍କଠାରୁ ଦୁର୍ଯ୍ୟୋଧନର ଘୃଣ୍ୟ କାର୍ଯ୍ୟକଳାପ ବିଷୟରେ ଶୁଣିବା ପରେ ଆଗନ୍ତୁକମାନେ ଭୟଙ୍କର କ୍ରୋଧରେ ଦୁର୍ଯ୍ୟୋଧନକୁ ତିରସ୍କାର କରି ମତ ବ୍ୟକ୍ତ କଲେ... ଏହି ମହାପାପର ଅନ୍ତ ହେବା ପାଇଁ ବେଶି ଦିନ ନାହିଁ; ନିଶ୍ଚିତ ଭାବରେ ଅଳ୍ପ ଦିନରେ ଏହି ପାପାତ୍ମାମାନଙ୍କର ବିନାଶ ହେବ।
ଦ୍ରୌପଦୀ କୃଷ୍ଣଙ୍କ ନିକଟକୁ ଆସି ଅଶ୍ରୁପୂର୍ଣ୍ଣ ନେତ୍ରରେ ଶୋକାକୁଳ କଣ୍ଠରେ କହିଲେ... ମୋତେ ଏପରି ରକ୍ତପିପାସୁ ଦାନବଙ୍କ ରାଜ୍ୟରେ ଛାଡିଦେଇ ତୁମେ କୁଆଡେ ଚାଲିଗଲ କେଶବ? ରଜସ୍ୱଳା ହୋଇ ମୁଁ ଯେତେବେଳେ ଏକବସ୍ତ୍ର ହୋଇ ଘର କୋଣରେ ବସିଥିଲି ପାପାତ୍ମା ଦୁଃଶାସନ ମୋର କେଶ ଝିଙ୍କି କୁରୁ ସଭା ଭିତରେ ନେଇ ଠିଆ କରାଇଲା; ମୋର କାକୁତି ମିନତି କେହି ଶୁଣିଲେ ନାହିଁ କେଶବ। ଧୃତରାଷ୍ଟ୍ରଙ୍କ ଶହେ ପୁତ୍ର,ପାପାତ୍ମା କର୍ଣ୍ଣ, ଶକୁନି ଆଦି ଦୁର୍ଯ୍ୟୋଧନର ସମସ୍ତ ସମର୍ଥକ ମୋ ସହିତ ଏପରି ବ୍ୟବହାର କଲେ ସତେ ଯେପରି ମୁଁ ଗୋଟାଏ ବେଶ୍ୟା।
------ ମୋତେ ଅପମାନିତ କରି ମୋ ଯନ୍ତ୍ରଣାକୁ ସେମାନେ ଉପଭୋଗ କରୁଥିଲେ କେଶବ ! କ୍ରୀତଦାସୀ ବୋଲି କହି ମୋର ନାରୀତ୍ୱକୁ ଯେପରି ବିଦ୍ରୂପ କରୁଥିଲେ କୌଣସି ସଭ୍ୟ ସମାଜରେ ଏପରି କରାଯାଏନାହିଁ ମାଧବ ! ଏପରିକି ଭୀଷ୍ମ ଏବଂ ଧୃତରାଷ୍ଟ୍ର ଭୁଲିଗଲେ ଯେ ମୁଁ ପାଞ୍ଚାଳ ରାଜକନ୍ୟା ଏବଂ ମୋର ରାଜୋଚିତ ବ୍ୟବହାର ପ୍ରାପ୍ୟ।ହେ ଜନାର୍ଦ୍ଦନ ! ମୋ ନିଜ ସ୍ୱାମୀମାନେ ମଧ୍ୟ ସେହି ଦୁଷ୍ଟ ନରାଧମମାନଙ୍କର ମୋ ପ୍ରତି ଲାଞ୍ଛନା,ବିଦ୍ରୂପ ଓ ଅପମାନ ମୁହଁ ପୋତି ସହ୍ୟ କରୁଥିଲେ। କେଶବ ! ଏମାନେ ପରା ମୋର ସ୍ଵାମୀ?ମୋର ଲଜ୍ଜା,ମାନ ସମ୍ମାନ ରକ୍ଷା କରିବା ଏମାନଙ୍କର କର୍ତ୍ତବ୍ୟ। ସ୍ୱାମୀ-ଧର୍ମ ପାଳନଠାରୁ ପଶାଖେଳର ଧର୍ମ ପାଳନ ଏମାନଙ୍କ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଗଲା !!ପାଣ୍ଡବ ମାନେ ପରା ବିଶ୍ୱବିଜୟୀ ବୀର ଭାବରେ ପରିଚିତ, ଅର୍ଜୁନଙ୍କ ହାତରେ ଗାଣ୍ଡିବ ଧନୁ ଥାଇ କି ଲାଭ;ଭୀମଙ୍କ ବାଉନଭାର ଗଦାର କଣ ପ୍ରୟୋଜନ କେଶବ !! ଏ'ମାନଙ୍କ ପତ୍ନୀକୁ ପୂର୍ଣ୍ଣ ରାଜଦରବାରକୁ କେଶଧରି ଝିଙ୍କିନେଇ ଉଲଗ୍ନ କରିବାକୁ ଚେଷ୍ଟା କରୁଥିବା ଦୁଃଶାସନ ଯଦି ଆଜି ଜୀବିତ ରହିଛି,ତା ହେଲେ ଧିକ୍ ସେ ଅର୍ଜୁନଙ୍କ ଗାଣ୍ଡିବ ଧନୁକୁ ,ଶତଧିକ୍ ଭୀମସେନଙ୍କ ବାଉନ-ଭାର ଗଦାକୁ।"
----- ନିଜକୁ ସମ୍ଭାଳି ପାରୁନଥିଲେ ପାଞ୍ଚାଳୀ,ଛାତିରେ ଉଠୁଥିଲା କୋହ,ଧାର ଧାର ଲୁହ ବହି ଯାଉଥିଲା।ନିଜକୁ ପ୍ରକୃତିସ୍ଥ କରିବାକୁ ଚେଷ୍ଟା କରି ପାରୁନଥିଲେ ଦ୍ରୌପଦୀ;ଦେହ ଏବଂ ଛାତି ଥରୁଥିଲା ।
ଯାଜ୍ଞସେନୀଙ୍କୁ ଏଭଳି ଦୁଃଖ ରେ ବ୍ୟଥିତ ହୋଇ ବିଳାପ କରିବା ଦେଖି କୃଷ୍ଣଙ୍କ ହୃଦୟ ବିଗଳିତ ହୋଇଗଲା। ସାନ୍ତ୍ୱନା ଦେଇ କହିଲେ ..ଅଧୈର୍ଯ୍ୟ ହୁଅନାହିଁ କଲ୍ୟାଣୀ ! ଧର୍ମର ଗ୍ଲାନି କରିଥିବା ସେହି ପାପାତ୍ମାମାନଙ୍କର ବିନାଶ ନିଶ୍ଚିତ। ସେଥିପାଇଁ ପାଣ୍ଡବମାନଙ୍କୁ ସବୁପ୍ରକାର ସାହାଯ୍ୟ ମୁଁ କରିବି।ତୁମର ଶତ୍ରୁମାନଙ୍କର ଅନ୍ତ ହେବ ଏବଂ ତୁମେ ପୁନର୍ବାର ହସ୍ତିନାର ରାଣୀ ହେବ ଯାଜ୍ଞସେନୀ। ମୁଁ ତୁମକୁ ଆଜି କଥା ଦେଉଛି କଲ୍ୟାଣୀ ! ସମୁଦ୍ର ଶୁଖିଯାଇପାରେ,ହିମାଳୟ ଖଣ୍ଡବିଖଣ୍ଡିତ ହୋଇପାରେ, ପୃଥିବୀ ରସାତଳଗାମୀ ହୋଇପାରେ କିନ୍ତୁ ମୋ ପ୍ରତିଜ୍ଞା ନିଶ୍ଚିତ ଭାବରେ ପ୍ରତିପାଳିତ ହେବ।"
----- କୃଷ୍ଣଙ୍କ କଥା ଶୁଣି ସାନ୍ତ୍ୱନା ପାଇ ଆଖିରୁ ଲୁହ ପୋଛି ପାଞ୍ଚାଳୀ କହିଲେ...ମୋର ଏ ବିମୁକ୍ତକେଶ ତୁମ ଶପଥର ସାକ୍ଷୀ ସଖା।କେବେ ଯଦି ଶପଥ କଥା ଭୁଲିଯାଅ,ତୁମ ଅଭାଗିନୀ ଦ୍ରୌପଦୀର ମୁକ୍ତକେଶ ତୁମକୁ ତାହା ମନେ ପକାଇ ଦେବ। ଦୁଃଶାସନ ରକ୍ତରେ ବେଣୀବନ୍ଧନ କରିବା ଶପଥ ମୋର ଯେପରି ପୂର୍ଣ୍ଣ ହେବ କେଶବ, ଧ୍ୟାନ ରଖିଥିବ।"
------ ପାଞ୍ଚାଳରୁ ଆସି ପହଞ୍ଚିଥିବା ଭ୍ରାତା ଧୃଷ୍ଟଦ୍ୟୁମ୍ନ ଦ୍ରୌପଦୀଙ୍କ ଆଖିରୁ ଅଶ୍ରୁ ପୋଛିଦେଇ କହିଲେ..ଆମେ ସେମାନଙ୍କୁ ଶାନ୍ତିରେ ରହିବାକୁ ଦେବୁନାହିଁ ଭଉଣୀ।ଯେଉଁ ଦ୍ରୋଣଙ୍କ ଶକ୍ତି ଉପରେ ଅଧର୍ମୀ କୌରବମାନଙ୍କର ଏତେ ଭରସା; ବ୍ରାହ୍ମଣ-ଧର୍ମ ପରିତ୍ୟାଗ କରି କୁରୁ ରାଜସଭାରେ ଯେ ଅଧର୍ମର ସହାୟତା ପାଇଁ ପଡ଼ିରହିଛନ୍ତି,ସେ ଦ୍ରୋଣଙ୍କୁ ମୁଁ ଯୁଦ୍ଧକ୍ଷେତ୍ରରେ ନିଶ୍ଚିତ ଭାବରେ ହତ୍ୟା କରିଵି;ଶିଖଣ୍ଡି କହିଲେ ... ଧୈର୍ଯ୍ୟଧର ଭଗ୍ନୀ ଦ୍ରୌପଦୀ, କୌରବଙ୍କ ରାଜସିଂହାସନକୁ ଯାବୁଡିଧରି, ଅଧର୍ମ କାର୍ଯ୍ୟର ମୁକସାକ୍ଷୀ ହୋଇ ବସିଥିବା ଭୀଷ୍ମଙ୍କ ମୃତ୍ୟୁର କାରଣ ମୁଁ ହେବି।ତୁମ ଦୁଃଖର ଦିନ ଶୀଘ୍ର ଶେଷ ହେବ ପାଞ୍ଚାଳୀ।"
----- ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ସାନ୍ତ୍ୱନା ଦେଇ କହିଲେ.. ମୁଁ ଇନ୍ଦ୍ରପ୍ରସ୍ଥରେ ଥିଲେ ଏପରି ଅନ୍ୟାୟ ଘଟଣା ଘଟିଵାକୁ ମୁଁ ଦେଇ ନଥାନ୍ତି।ଦୁର୍ଭାଗ୍ୟକୁ ତୁମକୁ ଯେତେବେଳେ ପୂର୍ଣ୍ଣ ରାଜସଭାରେ ଅପମାନିତ କରାଯାଉଥିଲା ସେ ସମୟରେ ମୁଁ ଶାଲ୍ୱ ସହିତ ଭୀଷଣ ଯୁଦ୍ଧରେ ଲିପ୍ତ ଥିଲି, ତେଣୁ ତୁମକୁ ସାହାଯ୍ୟ କରିବାକୁ ଆସିପାରିଲି ନାହି। ସେଥିପାଇଁ ମୁଁ ଦୁଃଖିତ ପାଞ୍ଚାଳୀ। କିନ୍ତୁ ତୁମ ଶତ୍ରୁମାନେ ସେମାନଙ୍କ ପତନର ଦିନ ଗଣିବା ଆରମ୍ଭ କରି ଦେଲେଣି।"
ପାଣ୍ଡବଙ୍କୁ, ଆଉ ଥରେ ଆସି ସାକ୍ଷାତ କରିବା ଭରସା ଦେଇ ଭଉଣୀ ସୁଭଦ୍ରା ଏବଂ ଭଣଜା ଅଭିମନ୍ୟୁଙ୍କୁ ସାଙ୍ଗରେ ଧରି କେଶବ ଦ୍ୱାରକା ଫେରିଗଲେ। ଦ୍ରୌପଦୀଙ୍କ ପାଞ୍ଚ ପୁତ୍ରଙ୍କୁ ସାଙ୍ଗରେ ଧରି ଧୃଷ୍ଟଦ୍ୟୁମ୍ନ ଫେରିଗଲେ ପାଞ୍ଚାଳ।
