କଥା କାଦମ୍ବରୀଭାଗ ୫୦
କଥା କାଦମ୍ବରୀଭାଗ ୫୦
କଥା କାଦମ୍ବରୀ
ଭାଗ ୫୦
=================================
ଭୀଷଣ ପ୍ରତିଜ୍ଞା
=================================
ଦୁଃଶାସନର ହସ୍ତପଦ ଶିଥିଳ ହୋଇ ଯାଉଥିଲା।ଚରମ ଚେଷ୍ଟା କରି ମଧ୍ୟ ସେ ଦ୍ରୌପଦୀଙ୍କୁ ନିବସ୍ତ୍ର କରିନପାରୁ ନଥିଲା। ଯେଉଁ ଶୂନ୍ୟ ମଣ୍ଡଳର ଜ୍ୟୋତି ଭିତରୁ ବସ୍ତ୍ର ଧାର ଆସି ଯାଜ୍ଞସେନୀଙ୍କ ଶରୀରକୁ ଆଚ୍ଛାଦିତ କରୁଥିଲା ସେ ଆଡ଼କୁ ଦୃଷ୍ଟି ପକାଇଲା ଦୁଃଶାସନ। ସେଠାରୁ ନିର୍ଗତ ହେଉଥିଲା ଏକ ଦିବ୍ୟ ଜ୍ୟୋତି ଏବଂ ସେହି ଜ୍ୟୋତି ଭିତରେ ଦୁଃଶାସନ ଦେଖିପାରିଲା ଶ୍ରୀକୃଷ୍ଣଙ୍କ ମୁଖମଣ୍ଡଳ। ଯେଉଁ ଅଭିବ୍ୟକ୍ତି ଶିଶୁପାଳକୁ ବଧ କରିବା ସମୟରେ ଶ୍ରୀକୃଷ୍ଣଙ୍କ ମୁଖମଣ୍ଡଳରେ ପ୍ରତିଭାତ ହେଉଥିଲା ସେହି ଅଭିବ୍ୟକ୍ତି ଏଠାରେ ଦେଖି ଭୟରେ ଶିହରୀ ଉଠିଲା ଦୁଃଶାସନ। ହାତ ପାଦ ଶିଥିଳ; ଦୁଃଶାସନର ହାତରୁ ଦ୍ରୌପଦୀଙ୍କ ବସ୍ତ୍ରର ଅଞ୍ଚଳଟି ଖସିଗଲା ଏବଂ ସେ ତଳେ ପଡ଼ିଗଲା।
====ତଟସ୍ଥ ରାଜସଭା, ତଟସ୍ଥ ସମସ୍ତ ଉପସ୍ଥିତ ରାଜନ୍ୟ ମଣ୍ଡଳୀ;କାହାର ବୁଝିବାକୁ ବାକି ରହିଲା ନାହିଁ ଯେ ଶ୍ରୀକୃଷ୍ଣ ହିଁ ଦ୍ରୌପଦୀଙ୍କର ଲଜ୍ଜା ନିବାରଣ କରିଛନ୍ତି। ଦ୍ରୌପଦୀ ନିଜର ଅଙ୍ଗବସ୍ତ୍ର ସଜାଡି ନେଲେ;ଯୋଡ ହସ୍ତରେ ଶୂନ୍ୟକୁ ଚାହିଁ ପ୍ରଣାମ କରି କହିଲେ ...ହେ ପ୍ରଭୁ ! ଆରତ ତାରଣ, ଦୀନବନ୍ଧୁ,ଅରକ୍ଷ ରକ୍ଷଣ ମହାବାହୁ,ତୁମ ପାଦରେ କୋଟି କୋଟି ଦଣ୍ଡବତ ପ୍ରଭୁ,ତୁମେ ମୋର ଲଜ୍ଜା ନିବାରଣ କରିଛ,ମୋର ମାନ ରଖିଛ,ମୋର ଆଉ କାହାକୁ ଭୟ ନାହିଁ। ତା'ପରେ ଅଶ୍ରୁଳ ନେତ୍ରରେ ଅନ୍ତରାଳକୁ ଚାଲିଗଲେ ଯାଜ୍ଞସେନୀ।
==== ସଭାମଧ୍ୟରେ ଶୁଣାଗଲା ବଜ୍ରନିର୍ଘୋଷ ସ୍ବର; ଉର୍ଦ୍ଧ୍ବକୁ ବାହୁତୋଳି ଶପଥ କରୁଥିଲେ ମହାବଳୀ ଭୀମସେନ...ହେ ଦଶଦିଗ ପାଳ !,ହେ ସ୍ବର୍ଗ, ମର୍ତ୍ତ୍ୟମଣ୍ଡଳ ଏବଂ ପାତାଳର ନିବାସୀ ,ହେ ଚନ୍ଦ୍ର,ସୂର୍ଯ୍ୟ, ଅଗ୍ନି, ପୃଥିବୀ ! ସମସ୍ତେ ସାକ୍ଷୀ,ମୋର ଏ ଭୀଷଣ ପ୍ରତିଜ୍ଞା ଶୁଣିଥାଅ.. ଏହି କୁରୁକୁଳ କୁଳାଙ୍ଗାର ଦୁଃଶାସନର ଛାତି ଚିରି ମୁଁ ତାର ରକ୍ତ ପାନ ନକରିବା ପର୍ଯ୍ୟନ୍ତ ମୋର ଆତ୍ମାର ସଦ୍ଗତି ହେବନାହିଁ। କୁରୁବଂଶର ପୂର୍ବଜ ମାନଙ୍କ ପାଖରେ ଏହା ମୋର ଭୀଷ୍ମ ପ୍ରତିଜ୍ଞା।
==== ଭୀମଙ୍କ ପ୍ରତିଜ୍ଞା ଶୁଣି ସ୍ତବ୍ଧ ହୋଇଗଲା ରାଜସଭା।ସେ ସମୟରେ ଶୁଣାଗଲା ଶୃଗାଳ ଏବଂ ଗର୍ଦ୍ଧଭଙ୍କ ଚିତ୍କାର।ଶ୍ବେନ ଓ ଶାଗୁଣା ମାନେ ଅଦ୍ଭୁତ ଚିଁ ଚିଇଁ ଶବ୍ଦକରି ଆକାଶରେ ଉଡିବୁଲିଲେ।ଏସବୁ ଥିଲା ଭବିଷ୍ୟତରେ ଭୟଙ୍କର ବିତ୍ପାତର ସଙ୍କେତ। ଭୀମସେନଙ୍କ କାନ୍ଧରେ ହାତ ରଖି ତାଙ୍କୁ ଶାନ୍ତ କଲେ ଯୁଧିଷ୍ଠିର।
==== କ୍ରୋଧରେ ପ୍ରକମ୍ପିତ ଶରୀର, ପିତାମହ ଭୀଷ୍ମ ଉଭାହେଲେ ରାଜସଭାରେ।ହାତରେ ପର୍ଶୁରାମ ପ୍ରଦତ୍ତ ପରଶୁ ଝଲକି ଉଠିଲା। ଗୁରୁ ଗମ୍ଭୀର କଣ୍ଠରେ ଗାଙ୍ଗେୟ କହିଲେ "ହେ କୁରୁ-କୁଳ କୁଳାଙ୍ଗାର ଗଣ ! ରାଜ୍ୟ ଓ ରାଜସିଂହାସନ ପ୍ରତି ମୋର ପ୍ରତିବଦ୍ଧତା ନଥିଲେ ମୁଁ ଆଜି ଏଠାରେ ସମସ୍ତଙ୍କୁ ଶେଷ କରି ଦେଇଥାନ୍ତି।ଏବେ ନିଜ ନିଜର ଅସ୍ତ୍ର ପରିତ୍ୟାଗ କରି ମୋର ଆଦେଶ ଶୁଣ.. ଏହି ଦ୍ୟୂତ କ୍ରୀଡା ଥିଲା ମାତ୍ର ଗୋଟିଏ ଖେଳ।ଖେଳ ଶେଷ ହୋଇ ଯାଇଛି। ବର୍ତ୍ତମାନ ମହାରାଜା ଧୃତରାଷ୍ଟ୍ର ନିଜର ଆଦେଶ ଶୁଣାଇବେ ଏବଂ ସେହି ଆଦେଶକୁ ଅମାନ୍ୟ କରିବା ବ୍ୟକ୍ତିର ଶିର ଏଠାରେ ଭୂଲୁଣ୍ଠିତ ହେବ।"
==== ଭୀମଙ୍କର, ଦୁଃଶାସନର ଛାତି ଚିରି ଲହୁ ପାନକରିଵା ଭଳି ଭୀଷଣ ପ୍ରତିଜ୍ଞା ଏବଂ ପିତାମହଙ୍କର କ୍ରୋଧ ଦେଖି ଧୃତରାଷ୍ଟ୍ର ବିଚଳିତ ହୋଇ ପଡ଼ିଲେ। ଭବିଷ୍ୟତରେ ରକ୍ତତାଣ୍ଡବର ଚିତ୍ର ସେ ସ୍ପଷ୍ଟ ଅନୁଭବ କରି ପାରୁଥିଲେ। ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ଧୃତରାଷ୍ଟ୍ର କହିଲେ...ପିତାମହ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍।ଏହା ଏକ ଖେଳ ମାତ୍ର ଥିଲା।ପ୍ରିୟ ପାଣ୍ଡୁ ପୁତ୍ର ମାନେ ଯାହା ଦ୍ୟୂତରେ ହାରିଛନ୍ତି ସେ ସମସ୍ତ ତାଙ୍କୁ ଫେରାଇ ଦିଆଗଲା।କୁଳବଧୂର ଅପମାନରେ ରାଜସଭା ଅତ୍ୟନ୍ତ ଦୁଃଖିତ ଓ ମ୍ରିୟମାଣ।"
==== ସଭା ସାଙ୍ଗ ହେଲା। ଉପସ୍ଥିତ ସଭାସଦ ଓ ରାଜନ୍ୟବର୍ଗ ଯେ ଯାହା ବାଟରେ ପ୍ରସ୍ଥାନ କଲେ।ପାଣ୍ଡବ ମାନଙ୍କୁ, କ୍ରୀଡ଼ାରେ ହାରି ଯାଇଥିବା ସମସ୍ତ ପଦାର୍ଥ ଫେରାଇ ଦିଆଗଲା।ଦ୍ରୌପଦୀଙ୍କୁ ପାଖକୁ ଡାକି , ଧୃତରାଷ୍ଟ୍ର କୋମଳ କଣ୍ଠରେ ଆଶ୍ଵାସନା ଦେଇ କହିଲେ..ମୋର ପୁତ୍ର ମାନେ ଦୁଷ୍ଟ। ସେମାନଙ୍କ ଅପକର୍ମକୁ କ୍ଷମା କରିଦେବ ମା'।ରାଜ ସଭାମଧ୍ୟରେ ତୁମକୁ ଯେଉଁପରି ବ୍ୟବହାର କରାଗଲା ସେଥିପାଇଁ ମୁଁ ଦୁଃଖିତ।ତୁମେ ଆଉ ଯାହା ଚାହିଁବ ପିତା ଭାବରେ ମୁଁ ତୁମକୁ ଦେବାକୁ ପ୍ରସ୍ତୁତ।ଆଉ କ'ଣ ଚାହୁଁଛ ମା'?"
==== ଯାଜ୍ଞସେନୀ କହିଲେ...ମୋର ଆଉ କିଛି ଆବଶ୍ୟକ ନାହିଁ।ମୋ ସ୍ବାମୀ ମାନଙ୍କୁ ଆପଣ ଦାସତ୍ବରୁ ମୁକ୍ତ କରିଛନ୍ତି ତାହା ହିଁ ଯଥେଷ୍ଟ।ଏଥର ଆମକୁ ଯିବାକୁ ଦିଆଯାଉ।"
====ପାଣ୍ଡବ ମାନଙ୍କୁ ସବୁ ଫେରସ୍ତ ଦିଆଗଲା।ସଦଳବଳେ ସେମାନେ ଇନ୍ଦ୍ରପ୍ରସ୍ଥ ଫେରିବା ଆୟୋଜନ କଲେ।ଏହାଦେଖି ମହା କ୍ରୋଧରେ ଦୁର୍ଯ୍ୟୋଧନ, ମାତୁଳ ଶକୁନି ସଖା କର୍ଣ୍ଣ ଏବଂ ଭ୍ରାତା ଦୁଃଶାସନ ସହିତ ଧୃତରାଷ୍ଟ୍ରଙ୍କ ପାଖରେ ପହଞ୍ଚି କହିଲେ...ଏ କଣ ପିତା ! ଆପଣ ଆମର ସବୁ ଯୋଜନା ପଣ୍ଡ କରିଦେଲେ !ପାଣ୍ଡବ ମାନଙ୍କ ଠାରୁ ସବୁ ହରଣ କରି ଆମେ ସେମାନଙ୍କୁ ଦାଣ୍ଡର ଭିକାରି କରି ଦେଇଥିଲୁ, ସେମାନଙ୍କ ବିଷଦାନ୍ତ ଭାଙ୍ଗି ଦେଇଥିଲୁ,ଆପଣ ତାଙ୍କୁ ସବୁ ଫେରସ୍ତ ଦେଇଦେଲେ।ନାଗ ସାପକୁ ଅଧାମରା କରି ଛାଡିଦେଲେ ପରିଣାମ କଣ ହେବ ଜାଣି ପାରୁଛନ୍ତି ତ ପିତାଶ୍ରୀ !! ଆପଣ ସିନା ଦେଖି ପାରୁ ନାହାଁନ୍ତି, କିନ୍ତୁ ଆପଣ କ'ଣ ଶୁଣି ପାରିଲେନି ଭୀମର ପ୍ରତିଜ୍ଞା ?କିପରି ସେ ଛାତି ବାଡ଼େଇ ଶପଥ କରି କହୁଥିଲା ଦୁଃଶାସନର ଛାତି ଚିରି ରକ୍ତପାନ କରିବ ବୋଲି। ଇନ୍ଦ୍ରପ୍ରସ୍ଥ ଫେରାଇଦେଇ ଆପଣ ଆମ ଛାତିରେ ଛୁରୀ ଭୁଷି ଦେଇଛନ୍ତି ପିତା ଶ୍ରୀ।
କୁରୁ ସଭା ତଳେ ଆମେ ଦ୍ରୌପଦୀଙ୍କୁ ଯେଉଁ ଅପମାନ ଦେଇଛୁ ତାହା ସେ କଣ ସହଜରେ ଭୁଲିଯିବେ।ଆପଣ ଭୁଲନ୍ତୁ ନାହିଁ ପିତାଶ୍ରୀ ଯେ ସେ ମହାଶକ୍ତି ପାଞ୍ଚାଳର ରାଜକନ୍ୟା। ଏକା ପାଞ୍ଚାଳକୁ ସିନା ଆମେ ଯୁଦ୍ଧରେ ହରାଇଦେବା, ଇନ୍ଦ୍ରପ୍ରସ୍ଥ ସହିତ ମିଳିତ ହୋଇ ସେମାନେ ଆମକୁ ଆକ୍ରମଣ କରି ଆମକୁ ବିନାଶ କରିଦେବେ।ଆପଣ ବୃଦ୍ଧ ପିତାମହଙ୍କର କଥାରେ ପଡି କିଛି ଠିକ୍ କଲେନାହିଁ।"
==== ଧୃତରାଷ୍ଟ୍ର କହିଲେ... ମୁଁ ଏସବୁ ତୁମର ମଙ୍ଗଳ ପାଇଁ କରିଛି ପୁତ୍ର; ବଂଶକୁ ଧ୍ବଂସରୁ ରକ୍ଷା କରିବାପାଇଁ କରିଛି।ତୁମର ଏହି ଅଭିଯୋଗ ମୋ ମନକୁ ଗଭୀର ଦୁଃଖ ଦେଇଛି।ତା'ହେଲେ କୁହ ମୁଁ କଣ କରିବି ?"
==== ଦୁର୍ଯ୍ୟୋଧନ ଓ ଶକୁନି ଏକ ସମୟରେ କହିଲେ..ଆପଣ ଯୁଧିଷ୍ଠିରଙ୍କୁ ଆଉ ଥରେ ଦ୍ୟୂତକ୍ରୀଡା ପାଇଁ ଆହ୍ବାନ ଦିଅନ୍ତୁ।କହିବେ ଏଥର ଶାନ୍ତି ପ୍ରତିଷ୍ଠା ପାଇଁ ଏହି ଦ୍ୟୂତ କ୍ରୀଡା ଅନୁଷ୍ଠିତ ହେବ।କଳହ ଏଡ଼ାଇବା ପାଇଁ, ଇନ୍ଦ୍ରପ୍ରସ୍ଥ ସମେତ ଅଖଣ୍ଡ ହସ୍ତିନାରେ ଜଣେ ହିଁ ରାଜତ୍ଵ କରିବ, ଯୁଧିଷ୍ଠିର ଅଥବା ଦୁର୍ଯ୍ୟୋଧନ।ଦ୍ୟୂତରେ ଯେ ପରାସ୍ତ ହେବ ସେ ରାଜପଦ ତ୍ୟାଗକରି ବାରବର୍ଷ ବନବାସ ଏବଂ ଏକବର୍ଷ ଅଜ୍ଞାତବାସରେ ରହିବ।ଅଜ୍ଞାତ ବାସ ଭିତରେ ଧରାପଡିଲେ ଆହୁରି ବାରବର୍ଷ ବନବାସ।ପାଣ୍ଡବ ମାନଙ୍କୁ ଆମେ ଯୁଦ୍ଧରେ ନୁହେଁ ପଶାଖେଳରେ ଜୟ କରିପାରିବା ପିତାଶ୍ରୀ।ଆପଣ ଯେବେ ପୁତ୍ର ମାନଙ୍କର ମଙ୍ଗଳ କାମନା କରନ୍ତି, ଏହାହିଁ କରନ୍ତୁ।"
==== ଅସହାୟ କଣ୍ଠରେ ଧୃତରାଷ୍ଟ୍ର କହିଲେ.. ମୁଁ ପାଣ୍ଡବମାନଙ୍କୁ ଆଉଥରେ କିପରି ପଶାଖେଳ ପାଇଁ ଆହ୍ବାନ କରିବି ? ସେମାନେ ଏତେ ଅପମାନିତ ହୋଇ ଆଉଥରେ କାହିଁକି ବା ଆସିବେ ?"
ଦୁର୍ଯ୍ୟୋଧନ କହିଲା...ଆସିବେ ପିତା ଶ୍ରୀ, ଆପଣଙ୍କ ପ୍ରତି ଯୁଧିଷ୍ଠିରଙ୍କ ଆନୁଗତ୍ୟ ତାଙ୍କୁ ଏଠାକୁ ଟାଣି ଆଣିବ। ଯୁଧିଷ୍ଠିର ଆପଣଙ୍କ ଆଦେଶକୁ ଅବଜ୍ଞା କରିବେ ନାହିଁ।"
ପୁତ୍ରମୋହ ଆବେଶରେ ଅନ୍ଧ ଧୃତରାଷ୍ଟ୍ର ପୁଣି ଥରେ ଯୁଧିଷ୍ଠିରଙ୍କୁ ଦୂତ ଜରିଆରେ ଦ୍ୟୂତ ପାଇଁ ଆହ୍ବାନ ଦେଲେ। ଯୁଧିଷ୍ଠିର ଇନ୍ଦ୍ରପ୍ରସ୍ଥରେ ପହଞ୍ଚି ନଥିଲେ। ଚାରିଭାଇ ଓ ଦ୍ରୌପଦୀଙ୍କ ବାରଣ ସତ୍ବେ ସେ ପୁଣି ଥରେ ଦ୍ୟୂତକ୍ରୀଡା ପାଇଁ ହସ୍ତିନା ଫେରି ଆସିଲେ। ଲାଗୁଥିଲା ସତେ ଯେମିତି ହାରିଯାଇ ଶାନ୍ତି ପ୍ରତିଷ୍ଠା ପାଇଁ ସେ ଉତ୍ସୁକ।
==== ଏଥର ଦ୍ୟୂତକ୍ରୀଡାକୁ କୌଣସି ରାଜନ୍ୟ ଅଥବା ମୁରବୀ ମାନଙ୍କୁ ଡକାଯାଇନଥିଲା। ଗୋଟିଏ ବାଜି ପରେ ଖେଳ ଶେଷ ହୋଇଥିଲା। ଯୁଧିଷ୍ଠିର ହାରିଯାଇ ରାଜ୍ୟ ହସ୍ତାନ୍ତର କରି ବନକୁ ଯିବାପାଇଁ ବାହାରିଲେ।ଭୀମଙ୍କ ଉତ୍ୟକ୍ତ ବ୍ୟବହାର ଦେଖି ଦୁଃଶାସନ ଭୀମଙ୍କୁ "ଷଣ୍ଢ" ଆଖ୍ୟା ଦେଲେ ଏବଂ ଦୁର୍ଯ୍ୟୋଧନ ସମେତ ଶହେ ଭାଇ ବିଦ୍ରୂପ କଲେ।ଭୀମ ପ୍ରତିଜ୍ଞା କରି କହିଲେ..ଭାବୁଛ କି ଖେଳ ଏତିକିରେ ସରିଗଲା? ମୁଁ ପ୍ରତିଜ୍ଞା କରୁଛି ତୁମ ଶହେ ଭାଇଙ୍କୁ ମୁଁ ଯୁଦ୍ଧରେ ଏକା ହତ୍ୟା କରିବି;ଅନ୍ୟ କାହାକୁ ସେ ସୁଯୋଗ ଦେବି ନାହିଁ। ଦୁଃଶାସନ ଛାତି ଚିରି ତାର ରକ୍ତ ପାନ କରିବି। ଯେଉଁ ଦକ୍ଷିଣ ଭୁଜରେ ଏ ନରାଧମ ଦ୍ରୌପଦୀଙ୍କ ପବିତ୍ର ଅଙ୍ଗକୁ ସ୍ପର୍ଶ କରିଛି ସେହି ଭୁଜକୁ ଉପାଡି ଆକାଶରେ ଉଡୁଥିବା ଶ୍ବେନ ପକ୍ଷୀ ମାନଙ୍କର କ୍ଷୁଧା ମେଣ୍ଟିଇବି।ଯାଜ୍ଞସେନୀଙ୍କର ଯେଉଁ କବରୀ ଦୁଃଶାସନର ଘୃଣ୍ୟ ହାତ ଲାଗି ମୁକ୍ତ ରହିଛି, ତାହା ସେ ବିମୁକ୍ତ ରଖିଛନ୍ତି, ଦୁଃଶାସନ ଛାତି ଲହୁରେ ସିକ୍ତ କରି ବନ୍ଧନ କରିବା ପାଇଁ।ତାଙ୍କର ସେ ପ୍ରତିଜ୍ଞା ମୋ ଦ୍ବାରା ହିଁ ପୂର୍ଣ୍ଣ ହେବ। ସେ ଦିନ ଆସୁଛିରେ ଦୁଷ୍ଟ ,ଅପେକ୍ଷା କର।"
==== ଅର୍ଜୁନ କର୍ଣ୍ଣଙ୍କୁ ସମ୍ବୋଧନ କରି କହିଲେ.. ସୂତପୁତ୍ର କର୍ଣ୍ଣ !ମୋର ମଧ୍ୟ ଶପଥ ଶୁଣି ଥାଅ। ଦ୍ରୌପଦୀଙ୍କୁ ଗଣଭୋଗ୍ୟା କହିବାର ପରିଣାମ ତୁମେ ଭୋଗ କରିବ; ମୁଁ ତୁମକୁ ରଣଭୂମିରେ ହତ୍ୟା କରିବି।
ନକୁଳ କହିଲେ..ଗାନ୍ଧାର କୁଳର କଳଙ୍କ ଶକୁନି ! ମୁଁ ହିଁ ତୁମକୁ ଯୁଦ୍ଧରେ ହତ୍ୟା କରିବି,ଅନ୍ୟ କାହାକୁ ସେ ସୁଯୋଗ ଦେବି ନାହିଁ।"
ମାମୁଁ ଶକୁନି ତାତ୍ସଲ୍ୟ କରି କହିଲେ..ହା ହା ହା, ତେର ବର୍ଷ ପର୍ଯ୍ୟନ୍ତ ବଞ୍ଚିରହିଥିଲେ ସିନା ମୋତେ ବିନାଶ କରିବ ପ୍ରିୟ ନକୁଳ।ତା'ବହୁପୂର୍ବରୁ ବଣରେ ତୁମେ ହିଂସ୍ରଯନ୍ତୁ ମାନଙ୍କର ଶିକାର ହୋଇଯାଇଥିବ।"
ସହଦେବ କହିଲେ...ଧୂର୍ତ୍ତ ମାତୁଳ ଶକୁନି ! ଦ୍ୟୂତକ୍ରୀଡାରେ ଆମମାନଙ୍କୁ ବିଦ୍ରୂପ କରୁଥିବା ତୁମ ପୁତ୍ର ଉଲୁକ'ର ପ୍ରାଣ ମୋ'ହାତରେ ହିଁ ଯିବ।"
ଚାରି ପାଣ୍ଡବ ଭାଇଙ୍କର ଏହି ପ୍ରତିଜ୍ଞାର ସ୍ୱାକ୍ଷର ସମୟ ପୃଷ୍ଠାରେ ଦ୍ରୁପଦକନ୍ୟାଙ୍କ ଅପମାନ କାଳିରେ ଲେଖାହୋଇ ରହିଲା। ନାରୀ ପ୍ରତି ଅପମାନର ଭୟାବହ ପରିଣାମ ଦେଖିବାକୁ ବାକି ରହିଲା।
