Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀଭାଗ ୪୫

କଥା କାଦମ୍ବରୀଭାଗ ୪୫

5 mins
173


କଥା କାଦମ୍ବରୀ

ଭାଗ ୪୫

=================================

ସମ୍ରାଟଙ୍କ ନିଧନ

=================================

ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଲେ..ଧର୍ମରାଜ ! ସୈନ୍ୟ ସାମନ୍ତ ନେଇ ଜରାସନ୍ଧ ସହିତ ମୁହାଁମୁହିଁ ଯୁଦ୍ଧକରି କିଛି ଲାଭ ନାହିଁ,କାରଣ ମଗଧର ବିଶାଳ ସୈନ୍ୟ ବାହିନୀ ସହିତ ସଂଗ୍ରାମରେ ଅନେକ ବର୍ଷ ବିତିଯିବ ଏବଂ ଶେଷରେ କାହାର ବିଜୟ ହେବ କହିବା କଷ୍ଟକର। ଜରାସନ୍ଧକୁ ମଲ୍ଲଯୁଦ୍ଧ ପାଇଁ ଆହ୍ବାନ କରି ଯେବେ ତାକୁ ନିହତ କରାଯାଏ,ମଗଧର ଅସନ୍ତୁଷ୍ଟ ପ୍ରଜାପୁଞ୍ଜ ଏବଂ ତାର ଜ୍ଞାତିଜନ ସେ କାର୍ଯ୍ୟର ପ୍ରତିବାଦ କରିବେ ନାହିଁ, ବରଂ ଆନନ୍ଦିତ ହେବେ।"


କେଶବଙ୍କ କଥା ଶୁଣି ଭୀମସେନ କହିଲେ.. ତା'ହେଲେ ଆଉ ବିଳମ୍ବ କାହିଁକି?ଆମଙ୍କୁ ଶୀଘ୍ର ଅନୁମତି ଦିଅନ୍ତୁ ଜ୍ୟେଷ୍ଠ ଭ୍ରାତ; କୃଷ୍ଣ ଅର୍ଜୁନ ଏବଂ ମୁଁ ଗିରିବ୍ରଜ ଯାଇ ଜରାସନ୍ଧକୁ ମଲ୍ଲଯୁଦ୍ଧରେ ବିନାଶ କରିବୁ।ତା'ପରେ ଆପଣଙ୍କ ରାଜସୂୟ ଯଜ୍ଞ ପାଇଁ କିଛି ବାଧା ରହିବ ନାହିଁ।"


ଯୁଧିଷ୍ଠିର ପ୍ରମାଦ ଗଣିଲେ, କହିଲେ... ଶୁଣାଯାଏ ଜରାସନ୍ଧ ଅମର।ଏ ପର୍ଯ୍ୟନ୍ତ ମଲ୍ଲଯୁଦ୍ଧରେ ତାଙ୍କୁ କେହି ହରାଇ ପାରିନାହାନ୍ତି। ସେଠାରେ ତୁମ ମାନଙ୍କ ଉପରକୁ ଯଦି କିଛି ବିପଦ ଆସେ ମୋ ଭେଳା ବୁଡ଼ିଯିବ।ଭୀମ ଏବଂ ଅର୍ଜୁନ ମୋର ଦୁଇ ଚକ୍ଷୁ ସହିତ ସମାନ।ବାସୁଦେବ ମୋ ରାଜନୀତି ପୋତର ଦିଗ୍'ଦର୍ଶକ।ସେଠାକୁ ଯିବା ଆବଶ୍ୟକ ନାହିଁ କି ବିପଦକୁ ନିମନ୍ତ୍ରଣ କରିବା ଆବଶ୍ୟକ ନାହିଁ।"


ଏହା ଶୁଣି ଅର୍ଜୁନ କହିଲେ.. ଏହା ରାଜୋଚିତ କଥା ନୁହେଁ ଜ୍ୟେଷ୍ଠ ଭ୍ରାତା ! ଏହା ତ ପଳାତକର ମନସ୍ତତ୍ତ୍ୱ ! ଘର କୋଣରେ ଲୁଚି ରହିବା କ୍ଷତ୍ରିୟ ଧର୍ମର ପରିପନ୍ଥୀ। ବର୍ତ୍ତମାନ-ସର୍ବସ୍ବ ହୋଇ ବଞ୍ଚିବା ନାମ କଣ ଜୀବନ?ସମଗ୍ର ଭାରତ ଭୂଖଣ୍ଡରେ ଧର୍ମରାଜ୍ୟ ପ୍ରତିଷ୍ଠା କରିବାକୁ ହେଲେ ଜରାସନ୍ଧ, ଶିଶୁପାଳ,ଆଦି ଦୁଷ୍ଟ ଶକ୍ତି ମାନଙ୍କୁ ଅଧୀନକୁ ଆଣିବାକୁ ହେବ ଅଥବା ବୀର ପରି ଯୁଦ୍ଧରେ ନିହତ କରିବାକୁ ହେବ।ଆପଣ କିଛି ଚିନ୍ତା ନକରି ଆମକୁ ଗିରିବ୍ରଜ ଯିବାପାଇଁ ଅନୁମତି ଦିଅନ୍ତୁ।"


ଶ୍ରୀକୃଷ୍ଣ କହିଲେ..ଧର୍ମରାଜ ! , ଜରାସନ୍ଧ ଅମର ବୋଲି ଭାବିଲା କ୍ଷଣି ମଲ୍ଲଯୋଦ୍ଧାଙ୍କର ଅଧା ବଳ କମିଯାଏ।"ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହେଲେ ହେଁ ମରଇ।" ଆଜି ପର୍ଯ୍ୟନ୍ତ ଭୀମଙ୍କ ଭଳି ମହାମଲ୍ଲ ସହିତ ତାର ଭେଟ ହୋଇନାହିଁ;ଭେଟ ହେଲା ପରେ ତା'ର ମୃତ୍ୟୁ ରହସ୍ୟ ଠିକ୍ ସମୟରେ ଜଣାପଡିବ।ତାର ମୃତ୍ୟୁ ରହସ୍ୟ ଜନ୍ମ ରହସ୍ୟ ସହିତ ଜଡିତ।ଆପଣ ବ୍ୟସ୍ତ ନହୋଇ ଆମକୁ ଅନୁମତି ଦିଅନ୍ତୁ;ଆପଣଙ୍କ ଦୁଇଭାଇ ମୋର ମଧ୍ୟ ଭାଇ। ସେମାନଙ୍କ ଦାୟିତ୍ବ ମୋ ଉପରେ ଛାଡି ଦିଅନ୍ତୁ।"


କୃଷ୍ଣଙ୍କ କଥା ଶୁଣି ଯୁଧିଷ୍ଠିର ସମ୍ମତି ପ୍ରଦାନ କଲେ। ଶ୍ରୀକୃଷ୍ଣ ଭୀମ ଏବଂ ଅର୍ଜୁନ ବ୍ରାହ୍ମଣ ବେଶରେ ମଗଧ ରାଜଧାନୀ ଗିରିବ୍ରଜରେ ପହଞ୍ଚିଲେ।

ରାଜଧାନୀର ମଧ୍ୟଭାଗରେ ଗିରିବ୍ରଜ ପର୍ବତ ଅବସ୍ଥିତ।ପର୍ବତ ଉପରେ ରହିଛି ଜରାସନ୍ଧଙ୍କ ଅଭେଦ୍ୟ ଦୁର୍ଗ।ତା'ର ମଧ୍ୟଭାଗରେ ରହିଛି ଏକ ଭବ୍ୟ ଶିବ ମନ୍ଦିର ଏବଂ ମନ୍ଦିର ଆଗରେ ବିରାଟ ମଣ୍ଡପ।ଶିବ ପୂଜା ପରେ ସେହି ମଣ୍ଡପ ଉପରେ ଜରାସନ୍ଧ ସବୁଦିନ ବଛା ବଛା ମଲ୍ଲ ମାନଙ୍କ ସହିତ କୁସ୍ତି କରନ୍ତି ଏବଂ ଗଦା ଯୁଦ୍ଧରେ ପ୍ରବୀଣ ଯୋଦ୍ଧାଙ୍କ ସହିତ କରନ୍ତି ଗଦାଯୁଦ୍ଧ।


ସମ୍ରାଟଙ୍କ ପାଖରେ ମଲ୍ଲଯୋଦ୍ଧା ମାନଙ୍କର ଯେଉଁ ଗୋଷ୍ଠୀ ରହିଛି ସେମାନେ ତାଙ୍କର ସବୁ ଆଦେଶ ପାଳନ କରନ୍ତି। ସେମାନଙ୍କୁ ରାଜ୍ୟବାସୀଙ୍କର ଭୀଷଣ ଡର। ସମ୍ରାଟ ସେମାନଙ୍କୁ ସ୍ବାଧୀନତା ଦେଇଛନ୍ତି, ବିରୁଦ୍ଧାଚରଣ କରୁଥିବା ପ୍ରଜାମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ।ଶହେ ରାଜାଙ୍କ ମୁଣ୍ଡକାଟି ନର-ମେଧ ଯଜ୍ଞ କରି ସେମାନଙ୍କ ବିଚ୍ୟୂତ ମୁଣ୍ଡମାଳ ଶିବଙ୍କ ଗଳାରେ ଲମ୍ବାଇଲେ ସେ ଚକ୍ରବର୍ତ୍ତୀ ପଦରେ ବିଭୂଷିତ ହେବେ ବୋଲି ଶୂନ୍ୟବାଣୀ ହୋଇଥିଲା। ସେଥିପାଇଁ ଜରାସନ୍ଧ ଅଠାନବେ ରାଜାଙ୍କ ରାଜ୍ୟ ହରଣ କରି ସେମାନଙ୍କୁ କାରାଗାରରେ ବନ୍ଦୀ କରି ରଖିଛନ୍ତି।ଆଉ ଦୁଇଜଣ ରାଜା ଯୋଗାଡ ହୋଇପାରିଲେ ସେଏହି ରାଜ-ମେଧ-ଯଜ୍ଞ ଅନୁଷ୍ଠାନ କରିବେ।


ଏହି ହତଭାଗ୍ୟ ରାଜାମାନଙ୍କର କାରାଗାରରେ ସଢିବା ବ୍ୟତୀତ ଅନ୍ୟ କିଛି ଉପାୟ ନାହିଁ। ସେମାନଙ୍କ ପରିବାରବର୍ଗ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରିଛନ୍ତି ସେମାନଙ୍କ ମୁକ୍ତି ପାଇଁ କିଛି ଉପାୟ କରିବାପାଇଁ; ସେମାନଙ୍କର ବିଶ୍ବାସ, ଶ୍ରୀକୃଷ୍ଣ ହିଁ ସେମନଙ୍କୁ ରକ୍ଷା କରିପାରିବେ।


ରାଜଧାନୀ ଉପକଣ୍ଠରେ ପହଞ୍ଚି ରକ୍ଷୀମାନଙ୍କର ମନା ନମାନି ବ୍ରାହ୍ମଣ ବେଶରେ କୃଷ୍ଣ, ଭୀମ ଓ ଅର୍ଜୁନ ନଗର ମଧ୍ୟରେ ପ୍ରବେଶ କଲେ।ଗିରିବ୍ରଜ ଦୁର୍ଗ ଭିତରେ ବିଶ୍ରାମ କରୁଥିବା ଜରାସନ୍ଧଙ୍କ ପାଖରେ ସମ୍ବାଦ ପହଞ୍ଚିଗଲା।ନଗ୍ର ରକ୍ଷା ଦାୟିତ୍ଵରେ ଥିବା ପୌତ୍ର ମେଘସନ୍ଧିକୁ ପାଖକୁ ଡକାଇ ସମ୍ରାଟ ବଜ୍ରନିର୍ଘୋଷ କଣ୍ଠରେ ପଚାରିଲେ... କେଉଁ ନିର୍ବୋଧମାନେ ନଗରରେ ପ୍ରବେଶ କରିଛନ୍ତି? ସେମାନେଦେଖିବାପାଇଁ କିପରି ? ସେମାନଙ୍କୁ ବାଧା ଦେଲନାହିଁ କାହିଁକି?"


ମେଘାସନ୍ଧି ଉତ୍ତର ଦେଲେ ...ସେ' ତିନି ଜଣ ବ୍ରାହ୍ମଣ ଭଳି ଦେଖା ଯାଉଛନ୍ତି।ଜଣଙ୍କର ଶରୀର ଲମ୍ବା, ବଳିଷ୍ଠ,ଓ ହୃଷ୍ଟପୃଷ୍ଟ।ସେ ଜଣେ ମଲ୍ଲ ଯୋଦ୍ଧା ଭଳି ଦେଖାଯାଉଛନ୍ତି।ସେ କହିବା କଥା ଯେ ଏଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ମଲ୍ଲଯୁଦ୍ଧରେ ସେ ଭାଗନେବାକୁ ଆସିଛନ୍ତି।ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ଗୌରବର୍ଣ୍ଣ,ଲମ୍ବା ଚଉଡା ବ୍ୟକ୍ତି,କାନ୍ଧରେ ଉପବୀତ ଥିଲେ ମଧ୍ୟ କ୍ଷତ୍ରିୟ ଭଳି ଜଣାଯାଉଛନ୍ତି। ତୃତୀୟ ଜଣଙ୍କର କମନୀୟ କାନ୍ତି,ହସ ହସ ମୁହଁ ଆକର୍ଷଣୀୟ ଚେହେରା।କାହା ହାତରେ ମଧ୍ୟ ଅସ୍ତ୍ରଶସ୍ତ୍ର ନାହିଁ।"


କିଛି ନିରବତା ପରେ ଜରାସନ୍ଧ ପଚାରିଲେ... ସେମାନଙ୍କୁ ନଗ୍ରଭିତରକୁ ପ୍ରବେଶ କରିବାକୁ କାହିଁକି ଦିଆଗଲା?"

ମେଘସନ୍ଧି କହିଲେ...ସେମାନେ ନମାନି ଭିତରକୁ ପଶି ଆସିଛନ୍ତି, ଏପରି କି ନଗରର ଦ୍ବାରରେ ଥିବା ବିଶାଳ ଘଣ୍ଟା ଏବଂ ଢୋଲକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।"


ବିରକ୍ତ ହୋଇ ସମ୍ରାଟ କହିଲେ.. ସେମାନଙ୍କୁ ଧରି ପାହାଡ଼ ଉପରୁ ତଳକୁ ଫିଙ୍ଗିଦିଅ।"

ଜରାସନ୍ଧଙ୍କ ପାଟିରୁ କଥା ଶେଷ ହେବା ପୂର୍ବରୁ, ଦୁର୍ଗ ପାଚେରୀ ଡେଇଁ ତିନି ବ୍ରାହ୍ମଣ ଆସି ତାଙ୍କ ପାଖରେ ହାଜର। ସେମାନଙ୍କର ଏଭଳି ଧୃଷ୍ଟତାରେ ଆଶ୍ଚର୍ଯ୍ୟ ହୋଇ ଜରାସନ୍ଧ କହିଲେ...କିଏ ତୁମେ ଅର୍ବାଚୀନ ? ମୃତ୍ୟୁକୁ ଭୟ ନାହିଁ ତୁମର?"


ଶ୍ରୀକୃଷ୍ଣ କହିଲେ...ହେ ରାଜନ୍ ! ଆମେ ତୁମର ମଲ୍ଲ ଯୁଦ୍ଧ ଉତ୍ସବରେ ତୁମ ସହିତ ଲଢେ଼ଇ କରିବାକୁ ଆସିଛୁ। ମୁଁ ଶ୍ରୀକୃଷ୍ଣ,ମୋ ସହିତ ଆସିଛନ୍ତି କୁନ୍ତୀ ପୁତ୍ର ଭୀମସେନ ଏବଂ ମଧ୍ୟମ ପାଣ୍ଡବ ଅର୍ଜୁନ।ଆମ ଭିତରୁ କାହା ସହିତ ଆପଣ ମଲ୍ଲଯୁଦ୍ଧ କରିବେ ବାଛି ନିଅନ୍ତୁ"


ଘୋର ଅଟ୍ଟହାସ କରି ଜରାସନ୍ଧ କହିଲେ..ମୂର୍ଖ ଗୋପାଳ! ବାରମ୍ବାର ମୋ ସାମ୍ନାକୁ ଆସିବାପାଇଁ ତୋତେ ଭୟ ଲାଗୁନାହିଁ?ତୁ ନିରସ୍ତ୍ର,ନହେଲେ ଏ'କ୍ଷଣି ତୋର ମସ୍ତକ କାନ୍ଧରୁ ବିଚ୍ୟୁତି କରି ଦେଇଥାନ୍ତି।ତତେ ଫୁଙ୍କି ଦେଲେ ଯାଇ ଦ୍ଵାରକାରେ ପଡ଼ିବୁ।ତୋ ସହିତ କଣ ମଲ୍ଲଯୁଦ୍ଧ ମୁଁ କରିବି!!ବାକି ରହିଲେ କୁନ୍ତୀ-ପୁତ୍ର ଦୁଇଟା।ଏମାନଙ୍କ ଭିତରେ ଭୀମାଟା ଟିକିଏ ବଳୁଆ ଲାଗୁଛି।ତା ସହିତ ମୁଁ କାଲି ମଲ୍ଲଯୁଦ୍ଧ କରିବି,କାରଣ ମୋତେ ଯେ ଆହ୍ବାନ କରେ ମୁଁ ତାକୁ ନିରାଶ କରେନାହିଁ।କାଲି ଭୀମାର ମୃତ୍ୟୁ ପରେ ତୁମ ଦୁହିଁଙ୍କର ମୁଣ୍ଡକାଟ ହେବ। ଆଜି ପାଇଁ ତୁମେ ମାନେ ମୋର ଅତିଥି।ଗୋଟିଏ ଦିନର ଜୀବନ ଉପଭୋଗ କର।କାଲି ସକାଳେ ବ୍ରାହ୍ମ ମୁହୂର୍ତ୍ତରେ ଆରମ୍ଭ ହେବ ମଲ୍ଲ ଯୁଦ୍ଧ। ଆଜି ପେଟ ଭରି ଖାଇନିଅ,କାରଣ ଆଜି ତୁମ ଜୀବନର ଶେଷ ଦିନ।


ଭୀମାକୁ ହତ୍ୟା କରିବା ପରେ ପ୍ରଥମେ ଏ ଗଉଡ ଟୋକାର ତଣ୍ଟିଚିପି ପାହାଡ଼ ତଳକୁ ଫିଙ୍ଗିବି;ତାପରେ ନିଜକୁ ବଡ଼ ଧନୁର୍ଦ୍ଧର ବୋଲାଉଥୂବା ଅର୍ଜୁନର ପାଳି "ଏହା କହି ଜରାସନ୍ଧ ମେଘସନ୍ଧିକୁ କହିଲେ...ବଳି ଦେବା ପୂର୍ବରୁ ଛାଗଳକୁ ଯେପରି ପେଟ ଭରି ଖାଇବାକୁ ଦିଆଯାଏ, ସେପରି ଏ'ଛଦ୍ମବେଶୀ ଅତିଥିମାନଙ୍କୁ ପେଟପୂରା ଭୋଜନ ଦିଅ।କାଲି ସକାଳୁ ଏମାନେ ମୋ କ୍ରୋଧର ଶିକାର ହେବେ। ଏତେ ଦିନେ ଗୋପାଳ ମୋ ପାଲରେ ପଡ଼ିଛି।ନଜର ରଖ, ଯେପରି ଭୟରେ ପଳାୟନ ନକରେ"ଏହା କହି ସମ୍ରାଟ ଦୁର୍ଗସ୍ଥ ନିଜ ପ୍ରାସାଦକୁ ଚାଲିଗଲେ। କୃଷ୍ଣଙ୍କ ମୁହଁରେ ଅମୀୟ ହସ।


ଗିରିବ୍ରଜର ଘରେ ଘରେ ପହଞ୍ଚିଗଲା କୃଷ୍ଣ ଅର୍ଜୁନ ଏବଂ ଭୀମଙ୍କ ଆଗମନ ବାର୍ତ୍ତା। ସମସ୍ତଙ୍କ ମନରେ ଗୋଟିଏ ଦୁଃଖ..ଆହା ! କାଲି ସକାଳେ କୃଷ୍ଣ ଅର୍ଜୁନ ଓ ଭୀମ ବୀରଗତି ପ୍ରାପ୍ତ ହେବେ,କାରଣ ଆଜି ପର୍ଯ୍ୟନ୍ତ ମଲ୍ଲଯୁଦ୍ଧରେ ସମ୍ରାଟ ଜରାସନ୍ଧଙ୍କୁ କେହି ପରାସ୍ତ କରି ପାରିନାହାଁନ୍ତି;ସେ କେବଳ ଅଜେୟ ନୁହଁନ୍ତି,ଅମର ମଧ୍ୟ।


ପରଦିନ ମଲ୍ଲଯୁଦ୍ଧ ଦେଖିବାପାଇଁ ପ୍ରବଳ ଭିଡ଼ ଜମିଗଲା।ଶିବଙ୍କୁ ପୂଜାକରି ଭୀମ ଓ ଜରାସନ୍ଧ ଘୋର ମଲ୍ଲ ଯୁଦ୍ଧରେ ମାତି ଗଲେ। କେହି କାହାକୁ ଉଣା ନୁହଁନ୍ତି। ଦୀର୍ଘ ଚଉଦ ଦିନ ଧରି ମଲ୍ଲଯୁଦ୍ଧ ଲାଗି ରହିଲା।କ୍ରମେ ଜରାସନ୍ଧ ହୃଦୟଙ୍ଗମ କଲେ, ସହଜରେ ଭୀମଙ୍କୁ ପରାସ୍ତ କରିବା ସମ୍ଭବ ନୁହେଁ।ଭୀମ ମଧ୍ୟ ବୟସ୍କ ଜରାସନ୍ଧର ଏଭଳି ବଳବୀର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ; ଶ୍ରୀକୃଷ୍ଣଙ୍କ ଠାରୁ କିଛି ନିର୍ଦ୍ଦେଶ ପାଇଁ ତାଙ୍କ ଆଡ଼କୁ ଚାହିଁଲେ ବୃକୋଦର। ଶ୍ରୀକୃଷ୍ଣ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ; ହାତରେ ଧରିଥିବା ଗୋଟିଏ ନଡ଼ା(ଘାସ)କୁ ମଝିରୁ ଚିରି ଦେଲେ। ବୁଦ୍ଧିମାନ ଭୀମସେନ ଜରାସନ୍ଧର ଗୋଟିଏ ଜଙ୍ଘ ଉପରେ ଗୋଡ଼ ପକାଇ ଅନ୍ୟ ଗୋଡଟିକୁ ଝିଙ୍କିଦେଇ ଶରୀରକୁ ଚିରିଦେଲେ।ଜନ୍ମ ସମୟରେ ଯେଉଁ ପ୍ରକାର ଯୋଡ଼ି ହୋଇଥିଲା ସେହି ପ୍ରକାର ଦୁଇଫାଳ ହୋଇଗଲା ଜରାସନ୍ଧର ଶରୀର।ଘୋର ଗର୍ଜନ କରି ପ୍ରାଣତ୍ୟାଗ କଲା ଜରାସନ୍ଧ।ଭୀମ ଆଶ୍ବସ୍ତ ହେଲେ। 


କିନ୍ତୁ ଏ କ'ଣ !! ଶରୀରର ଦୁଇଭାଗ ଏକାଠି ହୋଇ ପୁଣି ଯୋଡି ହୋଇଗଲେ ଏବଂ ଘୋର ଗର୍ଜନ କରି ଜରାସନ୍ଧ ଭୀମଙ୍କ ଉପରକୁ ମାଡି ଆସିଲା। କିପରି ଜରାସନ୍ଧକୁ ମୃତ୍ୟୁ ଦେବେ ଜାଣି ପାରିଲେ ନାହିଁ ପାବନୀ। ପୁଣି ଥରେ ଶ୍ରୀକୃଷ୍ଣଙ୍କ ଆଡ଼କୁ ଚାହିଁଲେ।ଏଥର ଶ୍ରୀକୃଷ୍ଣ ଘାସଟିଏ ଧରି,ତାକୁ ଦୁଇଭାଗ କରି ବାମ ଭାଗଟି ଡାହାଣକୁ ଏବଂ ଡାହାଣ ଭାଗଟି ବାମ ପଟକୁ ଫିଙ୍ଗିଦେଲେ।ଭୀମ,କୃଷ୍ଣଙ୍କ ନିର୍ଦ୍ଦେଶ ଠିକ୍ ବୁଝି ପାରିଲେ।ଏଥର ଜରାସନ୍ଧର ଶରୀରକୁ ଚିରି ବାମ ଅଂଶକୁ ଡାହାଣକୁ ଏବଂ ଡାହାଣ ଅଂଶ ବାମକୁ ଫିଙ୍ଗିଦେଲେ ମହାଵଳୀ ବୃକୋଦର।ଜରାସନ୍ଧ ଶେଷ ନିଃଶ୍ୱାସ ତ୍ୟାଗ କଲା।


ଅତ୍ୟାଚାରର ଅନ୍ତ ହେଲା।ଜରାସନ୍ଧଙ୍କ ପୁତ୍ର ସହଦେବ ଶ୍ରୀକୃଷ୍ଣଙ୍କ ପାଦ ବନ୍ଦନା କଲେ।"ଜୟ ଦ୍ଵାରକା ପତି ବାସୁଦେବଙ୍କର ଜୟ" ଶବ୍ଦରେ ଗଗନ ମୁଖରିତ ହେଲା।ପ୍ରଜା ମାନଙ୍କ ଆନନ୍ଦ କହିଲେ ନସରେ।ଅଠାନଵେ ବନ୍ଦୀ ରାଜାଙ୍କୁ ମୁକ୍ତି ଦିଆଗଲା।ସେମାନେ ସମସ୍ତେ ଯୁଧିଷ୍ଠିରଙ୍କ ଆନୁଗତ୍ୟ ସ୍ବୀକାର କଲେ। ଜରାସନ୍ଧଙ୍କ ପୁତ୍ର ସହଦେବ,ଯୁଧିଷ୍ଠିରଙ୍କ ବଶ୍ୟତା ସ୍ଵୀକାର କରି ମଗଧରେ ରାଜତ୍ଵ କଲେ।


କ୍ରମଶଃ....


Rate this content
Log in