Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀଭାଗ ୪୨

କଥା କାଦମ୍ବରୀଭାଗ ୪୨

6 mins
184


କଥା କାଦମ୍ବରୀ

ଭାଗ ୪୨

=================================

ଇନ୍ଦ୍ରପ୍ରସ୍ଥ

=================================

ଯମୁନା ନଦୀର ପଶ୍ଚିମରେ ଥିବା ଅରଣ୍ୟ ପ୍ରାନ୍ତର ଏବଂ ପୁରାତନ ପରିତ୍ୟକ୍ତ ରାଜଧାନୀ ଖାଣ୍ଡବପ୍ରସ୍ଥକୁ ପାଣ୍ଡବମାନଙ୍କୁ ଦାନ କରି ଧୃତରାଷ୍ଟ୍ର ଭାବିନେଲେ ଯେ ସେ ପାଣ୍ଡବ-କୌରବ କଳହ ସବୁଦିନ ପାଇଁ ଦୂର କରିଦେଇଛନ୍ତି । ଏଭଳି ବଣ ଜଙ୍ଗଲ ଘେରା, ରାକ୍ଷସ ହିଂସ୍ରଜନ୍ତୁ ଓ ସର୍ପ ଅଧ୍ୟୁଷିତ ଅରଣ୍ୟ ପ୍ରାନ୍ତରକୁ ନେଇ କଣ କରିବେ ବୋଲି ଚିନ୍ତାରେ ରହିଥିଲେ ପଣ୍ଡୁ ପରିବାର । ଏହି ସମୟରେ ଶ୍ରୀକୃଷ୍ଣଙ୍କ ଆଗମନ ପଣ୍ଡୁ-ପରିବାରରେ ନୂତନ ଜୀବନ ଆଣିଦେଲା । 


......ଦିନେ ଶ୍ରୀକୃଷ୍ଣ ଏବଂ ଅର୍ଜୁନ ଅରଣ୍ୟପ୍ରାନ୍ତରେ ଭ୍ରମଣ କରୁଥିବା ସମୟରେ ଜଣେ ଶୀର୍ଣ୍ଣକାୟ ବ୍ରାହ୍ମଣ ସେ ଦୁହିଁଙ୍କ ନିକଟରେ ପହଞ୍ଚିଲେ । ଶରୀରର ରଙ୍ଗ ତମ୍ବା ଭଳି ଚମକୁଥାଏ । ଚକ୍ଷୁରେ ଝଲସୁଥାଏ ଦିବ୍ୟ ଜ୍ୟୋତି, କିନ୍ତୁ ଅତ୍ୟନ୍ତ ବୁଭୁକ୍ଷୁ ଜଣାଯାଉଥାନ୍ତି ବ୍ରାହ୍ମଣ । ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କୁ ସମ୍ବୋଧନ କରି ଆଗନ୍ତୁକ କହିଲେ...ଆର୍ଯ୍ୟ ପୁତ୍ର ! ମୁଁ ସ୍ୱୟଂ ଅଗ୍ନି ଦେବ, କିନ୍ତୁ ଅତ୍ୟଧିକ ଘୃତ ଭକ୍ଷଣ କରି ମୁଁ ଅଗ୍ନିମାନ୍ଦ୍ୟ ରୋଗରେ ପ୍ରପୀଡ଼ିତ । ଯାହା କିଛି କଲେ ମଧ୍ୟ ମୋର କ୍ଷୁଧା ମେଣ୍ଟି ପାରୁନାହିଁ । ମୁଁ ନିଶ୍ଚିତ ଯେ ଆପଣ ଦୁଇଜଣ ମୋର ଏହି ରୋଗର ପ୍ରତିକାର କରିପାରିବେ । ମୋର ଇପ୍ସିତ ଖାଦ୍ୟ ମୋତେ ଦେଇପାରିବେ । 


.....ଅଗ୍ନି ଦେବଙ୍କୁ ଏଭଳି ଋଗ୍ଣ ଅବସ୍ଥାରେ ଦେଖି ଶ୍ରୀକୃଷ୍ଣ ଏବଂ ଅର୍ଜୁନ ଆଶ୍ଚର୍ଯ୍ୟ ହେଲେ । ଅର୍ଜୁନ ପଚାରିଲେ .. ଏ'ଭଳି ରୋଗରେ ଆପଣ କିପରି ପ୍ରପୀଡ଼ିତ ହେଲେ ଅଗ୍ନିଦେବ ?"

ଅଗ୍ନି କହିଲେ...ରାଜା ଶ୍ୱେତକି ଦେବତା ମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ଯଜ୍ଞ ଅନୁଷ୍ଠାନର ଆୟୋଜନ କଲେ । ଦୀର୍ଘ ବାରବର୍ଷ ଧରି ନିରବିଚ୍ଛିନ୍ନ ଭାବରେ ଲାଗି ରହିଲା ସେହି ଯଜ୍ଞ; ପୁରୋଧା ଥିଲେ ଋଷି ଦୁର୍ବାସା । ସେ ଯଜ୍ଞରେ ସନ୍ତୁଷ୍ଟ ହୋଇ ଦେବତାଙ୍କ ଆଶୀର୍ବାଦରେ ମୋକ୍ଷ ପାଇଲେ ରାଜା ଶ୍ୱେତକି । କିନ୍ତୁ ଦୀର୍ଘ ବାର ବର୍ଷ ନିରବିଚ୍ଛିନ୍ନ ଘୃତପାନ କରି ମୁଁ ଲୁଦୁବୁଦୁ ବ୍ୟାଧିରେ ପ୍ରପୀଡ଼ିତ ହେଲି । ଏହି ଖାଣ୍ଡବ ବନରେ ଅନେକ ପ୍ରକାରର ଔଷଧି ବୃକ୍ଷ ଓ ଲତା ପରିପୂର୍ଣ୍ଣ ହୋଇ ରହିଛନ୍ତି । ମୁଁ ଏହି ବନଦେଶକୁ ଭକ୍ଷଣ କଲେ ମୋର ବ୍ୟାଧି ଦୂର ହେବ । "

ଏହାଶୁଣି ଅର୍ଜୁନ କହିଲେ .. ସେଥିପାଇଁ ବାଧା କେଉଁଠାରେ ଉପୁଜିଛି ?


.....ଅଗ୍ନି ଦେବ କହିଲେ .. ଏହି ବନପ୍ରଦେଶ ଇନ୍ଦ୍ରଦେବଙ୍କ ଦ୍ଵାରା ସୁରକ୍ଷିତ । ସେଥିପାଇଁ ଏହି ଖାଣ୍ଡବପ୍ରସ୍ଥର ଅନ୍ୟନାମ ଇନ୍ଦ୍ରପ୍ରସ୍ଥ । ଏଠାରେ ଇନ୍ଦ୍ରଙ୍କ ପରମ ମିତ୍ର ତକ୍ଷକ ସର୍ପ ସପରିବାର ବାସ କରନ୍ତି । ଯେତେ ଥର ମୁଁ ଚେଷ୍ଟା କରିଛି ଖାଣ୍ଡବପ୍ରସ୍ଥ ଦହନ କରିବା ପାଇଁ, ପ୍ରତିଥର‌ ଇନ୍ଦ୍ର ବାଧା ସୃଷ୍ଟି କରିଛନ୍ତି । "ଆବର୍ତ୍ତକ" ଓ "ପୁଷ୍କଳ" ନାମକ ଦୁଇ ମହା-ମେଘ ପଠାଇ ମୋତେ ନିର୍ବାପିତ କରିଦେଇଛନ୍ତି । ତୁମେ ତ ଜାଣ ଧନଞ୍ଜୟ! ଅଗ୍ନି ସୃଷ୍ଟିର ଏକ ଗୁରୁତ୍ତ୍ୱପୂର୍ଣ୍ଣ ମହାଭୂତ । ଦାବାଗ୍ନି, ବଡବାଗ୍ନି, ଜଠରାଗ୍ନି, ତାପ, ଉତ୍ତାପ ଇତ୍ୟାଦି ମୋର ବିଭିନ୍ନ ରୂପ । ମୁଁ ରୋଗାକ୍ରାନ୍ତ ହେଲେ ସମସ୍ତ ଜୀବଜଗତ ପ୍ରଭାବିତ ହେବ; ସୃଷ୍ଟିର ଭାରସାମ୍ୟ ନଷ୍ଟ ହେଵ । ତେଣୁ ତୁମେ ଦୁହେଁ ମୋତେ ସାହାଯ୍ୟ କଲେ ମୁଁ ସହଜରେ ଏହି ଖାଣ୍ଡବପ୍ରସ୍ଥ ଦହନ କରି ପାରିବି । "


.....ପାଣ୍ଡବ-ବନ୍ଧୁ ଶ୍ରୀକୃଷ୍ଣ ଚିନ୍ତାକଲେ... ଅଗ୍ନି ଦେବଙ୍କୁ ସାହାଯ୍ୟ କଲେ ଜଗତର କଲ୍ୟାଣ ହେବା ସଙ୍ଗେସଙ୍ଗେ ପାଣ୍ଡବ ମାନଙ୍କୁ ଏକାଧାରରେ ଅନେକ ସୁଫଳ ମିଳିବ । ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରିବା ପାଇଁ ଅଗ୍ନିଙ୍କଠାରୁ ଅର୍ଜୁନଙ୍କୁ ଦିବ୍ୟାସ୍ତ୍ର ଓ ଦିବ୍ୟ ରଥ ମିଳିବ । ଏତଦ୍ ବ୍ୟତୀତ ଅରଣ୍ୟ ପୋଡ଼ିଗଲେ ନୂତନ ରାଜ୍ୟ ପାଇଁ ବିସ୍ତୃତ କୃଷି କ୍ଷେତ୍ର ମିଳିବ । ଅରଣ୍ୟରେ ରହୁଥିବା ତ୍ରିଲୋକ-ଶ୍ରେଷ୍ଠ ସ୍ଥପତି ମୟ ଦାନବଙ୍କୁ ଅଗ୍ନିରେ ଭସ୍ମ ନକରି ଦୟା ପ୍ରଦର୍ଶନ କଲେ ଯୁଧିଷ୍ଠିରଙ୍କର ଭବ୍ୟ ଇନ୍ଦ୍ରପ୍ରସ୍ଥ ଦରବାର ଗଠନ କରିବାପାଇଁ ସାହାଯ୍ୟ ମିଳିବ । ଅରଣ୍ୟରେ ବସବାସ କରୁଥିବା ନାଗ ଓ ଅସୁର ଜନଜାତିଙ୍କୁ ବିସ୍ଥାପିତ କଲେ ଯୁଧିଷ୍ଠିରଙ୍କ ନୂତନ ରାଜଧାନୀ ପାଇଁ ମିଳିବ ପ୍ରଶସ୍ତ ଇଲାକା । ଅବଶ୍ୟ ଅରଣ୍ୟର ବୃକ୍ଷଲତା ଓ ପଶୁପକ୍ଷୀ କିଛି ହରାଇବାକୁ ପଡ଼ିବ; କିନ୍ତୁ କିଛି ପାଇବାକୁ ହେଲେ, କିଛି ହରାଇବାକୁ ପଡ଼ିଥାଏ, ଏହା ସଂସାରର ନିୟମ । 


.....ଏ ସମ୍ପର୍କରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସହିତ ଆଲୋଚନା କଲେ । ଅର୍ଜୁନ ଅଗ୍ନି ଦେବଙ୍କୁ କହିଲେ...ହେ ଦେବ ! ଏହି କାର୍ଯ୍ୟରେ ଇନ୍ଦ୍ରଙ୍କ ସହିତ ଯୁଦ୍ଧ ଅବଶ୍ୟମ୍ଭାବୀ । ଆପଣ ଆମକୁ ଦିବ୍ୟ ଅସ୍ତ୍ର ଏବଂ ରଥ ପ୍ରଦାନ କରନ୍ତୁ । ତା'ପରେ ଆଉ କିଛି ବାଧା ରହିବ ନାହିଁ । "


.....ଅଗ୍ନିଦେବ ଵରୁଣଙ୍କୁ ଅନୁରୋଧ କରିବାରୁ ସେ ଗାଣ୍ଡିବ ଧନୁ ଅକ୍ଷୟ ତୂଣୀର ଏବଂ ଦେବଦତ୍ତ ମହା ଶଙ୍ଖ ଅର୍ଜୁନଙ୍କୁ ପ୍ରଦାନକଲେ । ଅତି ଅଦ୍ଭୁତ ଥିଲା ଏହି ଗାଣ୍ଡିବ ଧନୁର ଶକ୍ତି । ଏହାର ଶକ୍ତି ଆଗରେ ଶିବଙ୍କର ପୀନାକ ଧନୁର ଶକ୍ତି ମଧ୍ୟ ନ୍ୟୂନ ଥିଲା । ଅକ୍ଷୟ ତୂଣୀରରୁ ତୀର କେବେ ଶେଷ ହେଉ ନଥିଲା । ଦେବଦତ୍ତ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ତିନି ପୁର; ତାହା ଶତ୍ରୁ ମନରେ ଭୟ ସୃଷ୍ଟି କରୁଥିଲା । 

ଏହା ବ୍ୟତୀତ,ମନଠାରୁ ଅଧିକ ବେଗରେ ଗତି କରି ପାରୁଥିବା ଏକ ଦିବ୍ୟ ରଥ ଅର୍ଜୁନଙ୍କୁ ଉପହାର ଦେଲେ ଅଗ୍ନି ଦେବ । ଏହାର ଶୀର୍ଷରେ ସ୍ୱୟଂ ହନୁମାନ ବିଜୟ କରିଥିଲେ । ତେଣୁ ଏହାର ନାମ ଥିଲା କପିଧ୍ୱଜ । 


....ଇନ୍ଦ୍ରଙ୍କୁ ପ୍ରତିରୋଧ କରିବାପାଇଁ ପ୍ରସ୍ତୁତି ଶେଷ ହେବାପରେ ଆରମ୍ଭ ହେଲା ଅଗ୍ନିଙ୍କ ଖାଣ୍ଡବ ବନ ଦହନ । ବହୁଦିନ ଧରି ବୁଭୁକ୍ଷିତ ଥିବା ଅଗ୍ନି ଲେଲିହାନ ଶିଖା ବ୍ୟାଦାନ କରି ଖାଣ୍ଡବ ବନକୁ ଭକ୍ଷଣ କରିବା ଆରମ୍ଭ କରିଦେଲେ । 


.....ବନରେ ଥିବା ଅନେକ ଜୀବଜନ୍ତୁ, ବୃକ୍ଷଲତା ପଶୁପକ୍ଷୀ ଅଗ୍ନିରେ ଭସ୍ମ ହେବାକୁ ଲାଗିଲେ । ସେ ସମୟରେ ଇନ୍ଦ୍ରଙ୍କ ମିତ୍ର "ତକ୍ଷକ" ଅରଣ୍ୟ ଭିତରେ ନଥିଲେ, କିନ୍ତୁ ତକ୍ଷକଙ୍କ ପତ୍ନୀ ଏବଂ ବିଶାଳ ସର୍ପ ପରିବାର ସେହି ବନଭିତରେ ରହିଥିଲେ । ବନ ଦହନ ହେବା ସମ୍ବାଦ ପାଇ ଇନ୍ଦ୍ରଦେବ ମେଘମାନଙ୍କୁ ପ୍ରେରଣ କଲେ ବୃଷ୍ଟି କରି ଅଗ୍ନି ନିର୍ବାପନ କରିବା ପାଇଁ । 

ଘୋର ଗର୍ଜନ କରି ଆବର୍ତ୍ତକ,ପୁଷ୍କଳ ଆଦି ସପ୍ତମେଘ ମାଡି ଆସିଲେ; ଜଣାଗଲା ଘୋର ବର୍ଷାରେ ଧରାପୃଷ୍ଠକୁ ପ୍ରଳୟ ଗ୍ରାସ କରିଦେବ । କିନ୍ତୁ ଅର୍ଜୁନ ଗାଣ୍ଡିବ ଧନୁରେ, ଅକ୍ଷୟ ତୂଣୀରରେ ସ୍ଥିତ ଦିବ୍ୟ ଅସ୍ତ୍ର ପ୍ରୟୋଗ କରି ମେଘମାନଙ୍କୁ ବହୁ ଦୂରକୁ ଉଡ଼ାଇ ନେଲେ । ଅରଣ୍ୟରେ ରହିଥିବା ଅନ୍ୟ ଅନେକ ପ୍ରାଣୀ ସହିତ ସର୍ପରାଜ ତକ୍ଷକଙ୍କ ପରିବାର ଏବଂ ପତ୍ନୀ ମଧ୍ୟ ସେହି ସର୍ବଗ୍ରାସୀ ଅନଳ ଭିତରେ ସମାପ୍ତ ହୋଇଗଲେ । କେବଳ ତକ୍ଷକଙ୍କର "ଅଶ୍ୱସେନ" ନାମକ ଏକ ପୁତ୍ର ପଳାୟନ କରି ରକ୍ଷା ପାଇ ଯାଇଥିଲେ, ପିତାଙ୍କ ଆଗରେ ଲୋମହର୍ଷଣକାରୀ ଅଗ୍ନିକାଣ୍ଡ ବର୍ଣ୍ଣନା କରିବା ପାଇଁ । 


ଅଶ୍ୱସେନ କହିଲେ ... ପିତାଶ୍ରୀ,ବଡ଼ କରୁଣ ସେ ଦୃଶ୍ୟ । ଅଗ୍ନିରେ ଜଳିଯାଉଥିବାମୋର ମାତା ଏବଂ ଭାଇ ଭଉଣୀମାନଙ୍କର ମୃତ୍ୟୁକାଳୀନ କରୁଣ କ୍ରନ୍ଦନ ହୃଦୟ ଥରାଇ ଦେଉଥିଲା । ମୋର ମାତା ମୋ ସହିତ ମଧ୍ୟ ପଳାୟନ କରିବାପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ନିର୍ଦ୍ଦୟ ମଧ୍ୟମ ପାଣ୍ଡବ ତାଙ୍କୁ ଯିବାପାଇଁ ଦେଲେ ନାହିଁ । ଏହି ମହା ବିନାଶକାରୀ ଧ୍ୱସଲୀଳାରେ ଶ୍ରୀକୃଷ୍ଣ ମଧ୍ୟ ସାହାଯ୍ୟ କରୁଥିଲେ ଅର୍ଜୁନଙ୍କୁ । ଆପଣଙ୍କ ମିତ୍ର ଇନ୍ଦ୍ରଦେବ ଏବଂ ଅନ୍ୟ ଅନେକ ଦେବତା ଘୋର ଯୁଦ୍ଧ କରି ନର-ନାରାୟଣଙ୍କୁ ପରାସ୍ତ କରିବାକୁ ପ୍ରୟାସ କଲେ, କିନ୍ତୁ ସମସ୍ତେ ପରାଜୟର ମୁଖ ଦର୍ଶନ କଲେ । କେଉଁ ଅପରାଧରେ ଆମକୁ ଏ ଦଣ୍ଡ ମିଳିଲା ପିତା ଶ୍ରୀ !"


.....ତକ୍ଷକ, ପୁତ୍ର ଅଶ୍ୱସେନଙ୍କ ଠାରୁ ଏହି କରୁଣ କାହାଣୀ ଶୁଣି ଭୟଙ୍କର କ୍ରୋଧରେ କମ୍ପି ଉଠିଲେ । କିନ୍ତୁ ତାଙ୍କ ପାଖରେ କୌଣସି ଉପାୟ ନଥିଲା । ନର (ଅର୍ଜୁନ) ଏବଂ ନାରାୟଣ (ଶ୍ରୀକୃଷ୍ଣ)ଙ୍କର କୌଣସି କ୍ଷତି କରିବା ସାମର୍ଥ୍ୟ ତାଙ୍କର ନଥିଲା । ସେ ସମୟ‌ ଓ ସୁଯୋଗକୁ ଅପେକ୍ଷା କରି ରହିଲେ ଅର୍ଜୁନଙ୍କ ଉପରେ ପ୍ରତିଶୋଧ ନେବାପାଇଁ । ପରବର୍ତ୍ତୀ ସମୟରେ ମହାଭାରତ ଯୁଦ୍ଧରେ ତକ୍ଷକ କର୍ଣ୍ଣଙ୍କ ରଥରେ ରହି ସମୟ ଓ ସୁଯୋଗକୁ ଅପେକ୍ଷା କରିଥିଲେ । ତକ୍ଷକଙ୍କ ଅନୁରୋଧକ୍ରମେ କର୍ଣ୍ଣ ତାଙ୍କୁ ନିଜ ବାଣ ସହିତ କୃଷ୍ଣ-ଅର୍ଜୁନଙ୍କୁ ଗିଳିଦେବା ପାଇଁ ପ୍ରେରଣ କଲେ । ଶ୍ରୀକୃଷ୍ଣ ତକ୍ଷକଙ୍କ ମତିଗତି ବୁଝିପାରି ନନ୍ଦିଘୋଷ ରଥକୁ ପାତାଳକୁ ଚାପି ଦେଇଥିଲେ । ରଥର ପତାକାଟି ଗିଳିଦେଇ, କର୍ଣ୍ଣଙ୍କ ପାଖକୁ ଫେରି ଆସି ତକ୍ଷକ ଗର୍ବର ସହିତ କହିଥିଲେ ଯେ ସେ ନନ୍ଦିଘୋଷ ରଥକୁ ଆତ୍ମସାତ କରିଦେଇଛନ୍ତି । କିଛି ସମୟ‌ପରେ ପାତାଳରୁ ନନ୍ଦିଘୋଷ ଯେତେବେଳେ ଉପରକୁ ଉଠି ଆତ୍ମପ୍ରକାଶ କଲା, କର୍ଣ୍ଣ ତକ୍ଷକଙ୍କୁ ଭର୍ତ୍ସନାକରି ସ୍ଥାନ ଛାଡି ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଲାଞ୍ଛନା ଦେଇ କହିଥିଲେ ଯେ ସର୍ପକୁ କେବେ ବିଶ୍ୱାସ କରାଯାଇ ନପାରେ । ଅପମାନିତ ତକ୍ଷକ କର୍ଣ୍ଣଙ୍କୁ ଅଭିଶାପ ଦେଇ କହିଥିଲେ,ତାଙ୍କର ରଥ-ଚକ୍ର ଭୂମିଗ୍ରସ୍ଥ ହେବ ଏବଂ ସେହି ଅବସରରେ ସେ ଅର୍ଜୁନଙ୍କ ବାଣରେ ମୃତ୍ୟୁ ବରଣ କରିବେ । ତକ୍ଷକଙ୍କ ଅଭିଶାପ ଫଳବତୀ ହୋଇଥିଲା । 


....ତକ୍ଷକଙ୍କ ମନରେ ଅର୍ଜୁନ ଏବଂ ପାଣ୍ଡୁ ପରିବାର ପ୍ରତି ପ୍ରତିଶୋଧ ଭାବନା ନିର୍ବାପିତ ହୋଇ ନ'ଥିଲା । ସେ ବହୁବର୍ଷ ଧରି ଅପେକ୍ଷା କରି ରହିଥିଲେ ଏବଂ ଶେଷରେ ଅଭିମନ୍ୟୁଙ୍କ ପୁତ୍ର ପରୀକ୍ଷିତଙ୍କର ମୃତ୍ୟୁର କାରଣ ହୋଇଥିଲେ । ସେ ଅନ୍ୟ ଏକ ଉପାଖ୍ୟାନ,କିନ୍ତୁ ତାର ଚେର ଏହି ଖାଣ୍ଡବପ୍ରସ୍ଥ ଦହନରେ ରହିଥିଲା । 


.....ମୟ ଦାନବଙ୍କୁ ଅଗ୍ନି ଗର୍ଭରୁ ରକ୍ଷା କରିଥିବାରୁ କୃତଜ୍ଞତା ସ୍ୱରୂପ ସେ ପାଣ୍ଡବମାନଙ୍କୁ କିଛି ଦେବାପାଇଁ ଚାହୁଁଥିଲେ । ଶ୍ରୀକୃଷ୍ଣ କହିଲେ... ଯୁଧିଷ୍ଠିରଙ୍କ ଇନ୍ଦ୍ରପ୍ରସ୍ଥ ନଗ୍ରର ନିର୍ମାଣ କାର୍ଯ୍ୟରେ ସ୍ୱୟଂ ବିଶ୍ଵକର୍ମା ନିୟୋଜିତ ରହିଛନ୍ତି; ତାହା ହେବ ବିଶ୍ୱର ଅଦ୍ୱିତୀୟ ନଗ୍ର, କିନ୍ତୁ ଯୁଧିଷ୍ଠିରଙ୍କ ପ୍ରାସାଦ ଏବଂ ରାଜ ଦରବାରର ନିର୍ମାଣ ଦାୟିତ୍ୱ ମୟ ଦାନବ ନିର୍ବାହ କରନ୍ତୁ । " 


ଶ୍ରୀକୃଷ୍ଣଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ମୟ ଯେଉଁ ରାଜପ୍ରସାଦ ଏବଂ ରାଜଦରବାର ନିର୍ମାଣ କଲେ ତାହା ତ୍ରିପୁରରେ ଶ୍ରେଷ୍ଠ କୃତି ଥିଲା । ଦେବସଭା ଠାରୁ ଅଧିକ ସୁନ୍ଦର ଥିଲା ସେହି ସଭାଗୃହ । ଏଭଳି ସୁନ୍ଦର, ଅନନ୍ୟ, ଅଦ୍ୱିତୀୟ କୃତି ଦେଖି ଦେବତା ମାନେ ମଧ୍ୟ ଈର୍ଷା କରିବାକୁ ଲାଗିଲେ । 


...ଖାଣ୍ଡବପ୍ରସ୍ଥ ଦହନ ପାଇଁ ଶ୍ରୀକୃଷ୍ଣ ଏବଂ ଅର୍ଜୁନ, ବୁଦ୍ଧିଜୀବୀଙ୍କ ଦ୍ୱାରା ଅନେକ ସମାଲୋଚନାର ଶରବ୍ୟ ହୋଇଛନ୍ତି । ଅଗ୍ନି ଦେବଙ୍କର ବୁଭୁକ୍ଷା ଦୂର କରିବା ପାଇଁ ପ୍ରକୃତି ଓ ଜୀବ ଯନ୍ତୁଙ୍କୁ ଏଭଳି ନିର୍ମମ ଭାବରେ ଅଗ୍ନିରେ ଛଟପଟ କରି ମାରିବା, ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ପକ୍ଷରେ କେତେଦୂର ସମିଚୀନ,ତା ଉପରେ ଅନେକ ପ୍ରଶ୍ନ ଉଠେ । ମୂଳ ମହାଭାରତ ଉପରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମୀକ୍ଷା ଦୃଷ୍ଟି ପଥାରୂଢ ହୁଏ । ଏହି ସମ୍ବନ୍ଧରେ ମହାରାଷ୍ଟ୍ରର ପ୍ରସିଦ୍ଧ ସମୀକ୍ଷିକା "ଇରାବତୀ କାର୍ଭେ"ଙ୍କ ଯୁକ୍ତି ପଠନଯୋଗ୍ୟ; ତାଙ୍କ ମତରେ ଯେଉଁ ସମୟରେ ପାଣ୍ଡବମାନେ ନିଜର ରାଜଧାନୀ ଖାଣ୍ଡବପ୍ରସ୍ଥରେ ସ୍ଥାପିତ କରିବାକୁ ଚାହୁଁଥିଲେ, ତାହା ସମ୍ଭବତଃ ନାଗ, ଅସୁର ଆଦି ନାମଧାରୀ ବିଭିନ୍ନ ଜନଜାତି ଦ୍ୱାରା ଅଧ୍ୟୁଷିତ ଥିଲା । ସେମାନେ ବିସ୍ଥାପିତ ହେବାପାଇଁ ଚାହୁଁ ନଥିଲେ । ତେଣୁ ବଳ ପ୍ରୟୋଗ କରି, ଜଙ୍ଗଲ ଭୂମିକୁ ନିଆଁ ଜଳାଇ ସେମାନଙ୍କୁ ବିସ୍ଥାପିତ କରିବାକୁ ପ୍ରୟାସ କରିଥିବେ ଶ୍ରୀକୃଷ୍ଣ ଏବଂ ଅର୍ଜୁନ । ସେହି କାର୍ଯ୍ୟକୁ କିଛି ଆର୍ଯ୍ୟ ସମୁଦାୟ (ଇନ୍ଦ୍ର ଓ ଅନ୍ୟ ଦେବତା) ପ୍ରତିରୋଧ କରିଥିବା ସମ୍ଭବ । 

ସମୀକ୍ଷା ଯାହା ହେଉନା କାହିଁକି,କୁଟୀଳ-ବୁଦ୍ଧି ଧୃତରାଷ୍ଟ୍ର, ନିଜକୁ ଦୟାବାନ ପ୍ରମାଣିତ କରିବାକୁ ଯାଇ ଅନୁଜ ପଣ୍ଡୁପୁତ୍ର ମାନଙ୍କୁ ଯେଉଁ ଅରଣ୍ୟପ୍ରାନ୍ତ ଦାନ କରିଥିଲେ, ଶ୍ରୀକୃଷ୍ଣଙ୍କ ଶୁଭଦୃଷ୍ଟି ଏବଂ ପାଣ୍ଡବଙ୍କ ଅଧ୍ୟବସାୟ ଯୋଗୁଁ ତାହା ସ୍ୱର୍ଗଭୂମିରେ ପରିଣତ ହେଲା । 



Rate this content
Log in