କଥା କାଦମ୍ବରୀଭାଗ ୪୦
କଥା କାଦମ୍ବରୀଭାଗ ୪୦
ଦରବାର ଆୟୋଜନ କରି ରାଜା ଦ୍ରୁପଦ ମୁନିଶ୍ରେଷ୍ଠ ବ୍ୟାସଙ୍କ ପାଇଁ ଅପେକ୍ଷା କରିଥିଲେ।ଦରବାରରେ ପାଣ୍ଡବ ପାଞ୍ଚ ଭାଇ, କୁନ୍ତୀ ଏବଂ ଯାଜ୍ଞସେନୀଙ୍କ ବ୍ୟତୀତ ଧୃଷ୍ଟଦ୍ୟୁମ୍ନ, ସତ୍ୟଜିତ, ଏବଂ ଶିଖଣ୍ଡି ମଧ୍ୟ ଉପସ୍ଥିତ ଥିଲେ। କୃଷ୍ଣ-ବାସୁଦେବ,ଗୁରୁ ସନ୍ଦିପନି ଏବଂ ଗର୍ଗାଚାର୍ଯ୍ୟ ମଧ୍ୟ ସଭାସ୍ଥଳରେ ପହଞ୍ଚିଲେ।ସମସ୍ତଙ୍କ ଅପେକ୍ଷା ରହିଥିଲା ମୁନିଶ୍ରେଷ୍ଠ ବ୍ୟାସଦେବଙ୍କ ପାଇଁ।
----- ରାଜକନ୍ୟା ଦ୍ରୌଦୀଙ୍କ ମନରେ ଗଭୀର ଆଘାତ ଲାଗିଥିଲା।ମନର ଅବ୍ୟକ୍ତ ବେଦନା ଲୁହ ଆକାରରେ ବହି ଯାଉଥିଲା। ମୁହଁ ତଳକୁ କରି ବସିଥିଲେ ପାଞ୍ଚାଳ ରାଜକନ୍ୟା। ମନେପଡିଲା ଅତୀତରେ ଶିବଙ୍କୁ ମାଗିଥିବା ବରଦାନ କଥା...ମୋତେ ଏଭଳି ଜୀବନସାଥି ଦିଅ ଆଶୁତୋଷ ଯେ ଏକା ଧାରରେ ହୋଇଥିବେ ଧର୍ମାତ୍ମା, ବଳଶାଳୀ,କର୍ମବୀର,ସୁନ୍ଦର ତଥା ଆଗତ ଭବିଷ୍ୟତ ଜ୍ଞାତା। ଆଶୁତୋଷ ହସିଦେଇ ତଥାସ୍ତୁ କହି, କହିଥିଲେ ..ଏ ସମସ୍ତ କଣ ଜଣେ ବ୍ୟକ୍ତି ପାଖରେ ସମ୍ଭବ ଯାଜ୍ଞସେନୀ !!
----- ଆଜି ସେହି ବରଦାନ ତାଙ୍କ ଜୀବନରେ ଅଭିଶାପ ହୋଇ ଆସିଛି।କେଡେ ଆଗ୍ରହରେ ପ୍ରଫୁଲ୍ଲ ମନରେ ଅର୍ଜୁନଙ୍କ ଗଳାରେ ସେ ବରଣମାଳା ଲମ୍ବାଇ ଦେଇଥିଲେ!ଭାବିଥିଲେ ଏ ମହାନ ବୀରଙ୍କୁ ଲାଭକରି ଜୀବନ ସାର୍ଥକ ହୋଇ ଗଲା , କିନ୍ତୁ କଣ କଲେ ସେ !! ଲକ୍ଷ୍ୟଭେଦ କରି ଲାଭ କରିଥିବା ପତ୍ନୀକୁ ଭାଇମାନଙ୍କ ଭିତରେ ବାଣ୍ଟିଦେବା ପାଇଁ ବସିଛନ୍ତି ! ପ୍ରେମ କଣ ସତରେ ବାଣ୍ଟିବା ଭଳି ପଦାର୍ଥ ! ଆଉ ଯୁଧିଷ୍ଠିର,ସେ ପରା କୁଆଡେ ଧର୍ମରାଜ ! ସେ କିପରି ଏଭଳି ଅନୀତି କଥାକୁ ପ୍ରଶ୍ରୟ ଦେଉଛନ୍ତି ? କିପରି ଜିଦ୍ କରି କହୁଛନ୍ତି ଯେ ପାଞ୍ଚଭାଇ ବିଭାହେବେ ତାଙ୍କୁ!"
ଯେତେ ଚିନ୍ତା କରୁଥିଲେ,ସେତେ ଦୁଃଖ ଆସୁଥିଲା ମନରେ ଦ୍ରୌପଦୀଙ୍କର।
------ପୁଣି ଚିନ୍ତା କଲେ ଯାଜ୍ଞସେନୀ..ବାସୁଦେବ ଯାହା କହୁଛନ୍ତି ସତକଥା,ପାଣ୍ଡବଙ୍କୁ ବିବାହ ନକଲେ ନର୍କରେ ପରିଣତ ହେବ ତାଙ୍କ ଜୀବନ।ଥରେ ଅର୍ଜୁନଙ୍କ ଗଳାରେ ବରମାଲ୍ୟ ଦେଇସାରିଛନ୍ତି ସେ;ଅନ୍ୟ କୌଣସି ରାଜା ତାଙ୍କୁ ବିବାହ କରିବେ ନାହିଁ। କାଶୀ ରାଜକନ୍ୟା ଅମ୍ବାଙ୍କ ଭଳି ତାଙ୍କ ଜୀବନ ପରିତ୍ୟକ୍ତ ଓ ଘୃଣିତ ହୋଇଯିବ।ଦ୍ରୋଣଙ୍କ ଉପରେ ପିତାଙ୍କ ଅପମାନର ପ୍ରତିଶୋଧ ନେବା ପଣ ପଣରେ ହିଁ ରହିଯିବ।
----- ନିରାଶ ହୋଇ ଫେରିଯାଇଥିବା ଜରାସନ୍ଧ, ଦୁଷ୍ଟଶକ୍ତି ମାନଙ୍କୁ ଏକତ୍ରିତ କରି ପାଞ୍ଚାଳ ଉପରେ ଆକ୍ରମଣ କରିଦେବ।ସହଜେ ତ କୁରୁ ପରିବାର ପାଞ୍ଚାଳ ବିରୁଦ୍ଧରେ ଯୁଦ୍ଧ ପାଇଁ ଅପେକ୍ଷା କରି ବସିଛନ୍ତି; ଆବଶ୍ୟକ ପଡିଲେ ଜରାସନ୍ଧ ସହିତ ମିଳିତ ହୋଇ, ଦୁର୍ଯ୍ୟୋଧନ ପାଞ୍ଚାଳ ରାଜ୍ୟକୁ ଧ୍ବସ୍ତବିଧ୍ବସ୍ତ କରି ପାଞ୍ଚାଳର ନାମ ମାଟିରେ ମିଶାଇଦେବ।
----- ଏହି ପରିସ୍ଥିତିରୁ କେହି ଯଦି ତାଙ୍କୁ ଉଦ୍ଧାର କରିପାରେ,ସେ ହେଉଛନ୍ତି ପାଣ୍ଡବ ପାଞ୍ଚଭାଇ। ସେମାନଙ୍କ ଭଳି ବୀର ସମଗ୍ର ଆର୍ଯ୍ୟାବର୍ତ୍ତରେ କେହି ନାହାନ୍ତି। ସେମାନଙ୍କଠାରୁ ପାଞ୍ଚାଳ ପାଇଁ ସମର୍ଥନ ପାଇବାକୁ ହେଲେ, ପାଞ୍ଚଭାଇଙ୍କୁ ବିବାହ କରିବା ଏକମାତ୍ର ବିକଳ୍ପ।
-----ପାଖରେ ବସିଥିବା କୁନ୍ତୀ ଦେବୀଙ୍କୁ ଚାହିଁଲେ ପାଞ୍ଚାଳ ରାଜଜେମା।ସ୍ନେହଶୀଳା ଜନନୀଙ୍କ ଆଖିରେ ଭରି ରହିଛି ତାଙ୍କ ପାଇଁ ଆଖିଏ ସମବେଦନା;କୃତକର୍ମ ପାଇଁ ଅନୁତାପାନଳରେ ଦଗ୍ଧ ହେଉଛନ୍ତି ସେ। ପୁତ୍ର ମାନଙ୍କୁ ତାଙ୍କ କଥା ସବୁବେଳେ ମାନିବା ପାଇଁ ସତ୍ୟ କରାଇ ଥିବାରୁ ଏବଂ "ଆଣିବା ପଦାର୍ଥ ପରସ୍ପର ଭିତରେ ବାଣ୍ଟିନିଅ" କହିବା ଭଳି ଅବିମୃଶ୍ୟତା ଯୋଗୁଁ ଅନୁତାପାନଳରେ ଦଗ୍ଧ ତାଙ୍କର ମନ, କିନ୍ତୁ ପୁତ୍ରବଧୂ ପାଇଁ ମନରେ ରହିଛି ଅସରନ୍ତି ସ୍ନେହ।ତାଙ୍କ ଆଖିର ଲୁହ ସହି ନପାରି ତାଙ୍କୁ ଛାତିକୁ ଆଉଜାଇ ନେଇଛନ୍ତି କୁନ୍ତୀ। ଏପରି ଜଣେ ଶାଶୁମା' ହିଁ ଚାହୁଁଥିଲେ ଯାଜ୍ଞସେନୀ,ଭାଗ୍ୟରେ ଥିଲେ ମିଳେ।"
----- ଅଦୂରରେ ବସିଥିବା ବାସୁଦେବଙ୍କୁ ଚାହିଁଲେ ଦ୍ରୌପଦୀ.. ମୁହଁରେ ସେଇ ରହସ୍ୟମୟ ହସ,ସତେ ଯେମିତି ସବୁ ସମସ୍ୟାର ସମାଧାନ ଲୁଚି ରହିଛି ସେହି ହସ ଭିତରେ। ମନେପଡିଲା ତାଙ୍କ କଥା, କହିଥିଲେ...ଧର୍ମ ସ୍ଥାପନା ପାଇଁ ତୁମର ଜନ୍ମ କଲ୍ୟାଣୀ!ତୁମେ ସାଧାରଣ ନାରୀ ନୁହଁ,ତୁମେ ଯଜ୍ଞ ସମ୍ଭୂତା; ଦୁଷ୍ଟ ନାଶିନୀ ମା'କାଳୀଙ୍କ କଳା ନେଇ ଜନ୍ମ ତୁମର; ସେଥିପାଇଁ ତୁମେ କୃଷ୍ଣବର୍ଣ୍ଣା।ତୁମେ ଏକ ନୁହଁ କୃଷ୍ଣା, ତୁମେ ଅନେକ।ଏକ ଭିତରେ ଅନେକ ଶକ୍ତିର ଉତ୍ସ ତୁମେ।ଧର୍ମ ସଂସ୍ଥାପନା କାର୍ଯ୍ୟରେ ମୋତେ ସହାୟତା କରିବାକୁ ତୁମର ଜନ୍ମ।"କୃଷ୍ଣା ଭାବିଲେ..ସେ'ଯେବେ ସତରେ ଅନେକ,ଏକ ହୋଇ ଜଣଙ୍କୁ ବିବାହ କରିବା ବୋଧହୁଏ ତାଙ୍କ ପାଇଁ ବିଧି ନିର୍ଦ୍ଦେଶିତ ନୁହେଁ।
----- ପୁଣି ଚିନ୍ତା କଲେ ଯାଜ୍ଞସେନୀ...ପାଣ୍ଡବ ମାନଙ୍କୁ ବିବାହ ନ'କଲେ ବାସୁଦେବ ମଧ୍ୟ ଦୂରେଇ ଯିବେ। ଯାଦବମାନେ ପାଞ୍ଚାଳର ସହାୟତା କରିବେ ନାହିଁ। ସବୁଠାରୁ ବଡ଼କଥା ନରରୂପୀ ନାରାୟଣଙ୍କ ସାନ୍ନିଧ୍ୟ ଓ ଆଶୀର୍ବାଦ ଦୂରେଇ ଯିବ ତାଙ୍କଠାରୁ ସବୁଦିନ ପାଇଁ।
----- ବହୁ ପ୍ରତିକ୍ଷିତ ମୁହୂର୍ତ୍ତ ଆସିଲା।ମୁନିଶ୍ରେଷ୍ଠ ବ୍ୟାସଦେବ ସଭାରେ ପହଞ୍ଚିବା ପରେ ସମସ୍ତେ ତାଙ୍କର ପାଦଧୂଳି ମଥାରେ ଲଗାଇଲେ।ମୁନିଙ୍କ ପାଦପୂଜା କରିବା ପରେ ଦ୍ରୁପଦ କହିଲେ..ହେ ମହାଭାଗ ! ଆମ୍ଭମାନଙ୍କୁ ଏ ଘୋର ବିପଦରୁ ରକ୍ଷା କରନ୍ତୁ।ପଣ୍ଡୁ ପୁତ୍ର ମାନେ ଯେଉଁ ଅଧର୍ମ କଥା କହୁଛନ୍ତି ତାର ସମାଧାନ କରନ୍ତୁ ମୁନି ଶ୍ରେଷ୍ଠ।"
-----ଅଳ୍ପ ହସି ବ୍ୟାସଦେବ ଯୁଧିଷ୍ଠିରଙ୍କୁ ଚାହିଁ ପଚାରିଲେ..ତୁମେ କଣ କହିବାକୁ ଚାହଁ ଧର୍ମପୁତ୍ର ?
ଯୁଧିଷ୍ଠିର କହିଲେ..ଆମେ ପାଞ୍ଚଭାଇ ଏକ ଆତ୍ମା, ମାତୃସତ୍ୟ ପାଳନ ପାଇଁ ବଦ୍ଧପରିକର। ଯଦି ରାଜା ଦ୍ରୁପଦ କନ୍ୟାଙ୍କୁ ପଣ୍ଡୁ ପରିବାରରେ ବିବାହ ଦେବାକୁ ଚାହାନ୍ତି ତାହେଲେ ଆମ ପାଞ୍ଚ ଭାଇଙ୍କୁ ଯାଜ୍ଞସେନୀ ବିବାହ କରନ୍ତୁ, ନହେଲେ ଆମେ ଆମ ବାଟରେ ଚାଲିଯିବୁ।"
----- ଉତ୍ତେଜିତ ହୋଇ ଧୃଷ୍ଟଦ୍ୟୂମ୍ନ କହିଲେ.. କିନ୍ତୁ ଏହା ଯେ ଘୋର ଅଧର୍ମ।ଆର୍ଯ୍ୟ ମାନଙ୍କ ଧର୍ମବିରୁଦ୍ଧ।"
ଧୀର କଣ୍ଠରେ ଯୁଧିଷ୍ଠିର କହିଲେ.. କିଛି ଅଧର୍ମ ନୁହେଁ; ଆପଣମାନେ ସମସ୍ତେ ଜାଣନ୍ତି ଭୂଦେବୀଙ୍କ କନ୍ୟା ମହା ଗୌତମୀ "ଜରିତା" ସପ୍ତ ଋଷିଙ୍କୁ ବିବାହ କରିଥିଲେ।ଏହା ତ୍ରୈତେୟ ଉପନିଷଦରେ ବର୍ଣ୍ଣିତ ଅଛି। ତ୍ରେତୟା ଯୁଗରେ ତାରା ପ୍ରଥମେ ବାଳୀଙ୍କୁ ଏବଂ ପରେ ସୁଗ୍ରୀବଙ୍କୁ ବିବାହ କରିଥିଲେ। ମନ୍ଦୋଦରୀ ପ୍ରଥମେ ରାବଣ ଏବଂ ପରେ ବିଭୀଷଣଙ୍କୁ ବିବାହ କରିଥିଲେ; ଏଥିରେ ପ୍ରଭୁ ଶ୍ରୀ ରାମଙ୍କ ଆଶୀର୍ବାଦ ରହିଥିଲା। କୁରୁବଂଶରେ, ବିଚିତ୍ର ବୀର୍ଯ୍ୟଙ୍କ ପତ୍ନୀ ଅମ୍ବିକା ଓ ଅମ୍ବାଳିକା, ମହାମୁନି ବ୍ୟାସ ଦେବଙ୍କ ସହିତ ନିଯୋଗ ବିଧିରେ ବଂଶ ରକ୍ଷା ପାଇଁ ମିଳିତ ହୋଇ ଥିଲେ।ରାଜା ଶାନ୍ତନୁଙ୍କୁ ବିବାହ କରିବା ପୂର୍ବରୁ ସତ୍ୟବତୀ ମହର୍ଷି ପରାସରଙ୍କ ସାନ୍ନିଧ୍ୟରୁ ବ୍ୟାସଦେବଙ୍କୁ ଭୂମିଷ୍ଠ କରି ଥିଲେ। ଏହିପରି ଅନେକ ଉଦାହରଣ ରହିଛି।"
-----ଧୃଷ୍ଟଦ୍ୟୂମ୍ନ କିଛି କହିବା ପାଇଁ ଯାଉଥିଲେ। ବାଧା ଦେଇ ବ୍ୟାସଦେବ କହିଲେ ..ପୁତ୍ର ଧୃଷ୍ଟଦ୍ୟୁମ୍ନ ! ଯୁଧିଷ୍ଠିର ଯାହା କହୁଛନ୍ତି ଠିକ୍। ଆବଶ୍ୟକତା ଅନୁସାରେ, ଲକ୍ଷସାଧନକୁ ଆଖି ଆଗରେ ରଖି ଏଭଳି ବିବାହ ଆର୍ଯ୍ୟ ସମାଜରେ ପ୍ରଚଳିତ ଥିଲା ଏବଂ ଅଛି।ହିମାଳୟ ପର୍ବତ ପାଦଦେଶରେ ବସବାସ କରୁଥିବା କିଛି ଆର୍ଯ୍ୟୋତ୍ତର ବନବାସୀଙ୍କ ମଧ୍ୟରେ ଏହି ପ୍ରଥା ମଧ୍ୟ ପ୍ରଚଳିତ। ପରିବାରରେ ଏକତା ରକ୍ଷା କରିବା ପାଇଁ ଚାରି ପାଞ୍ଚ ଭାଇ ଗୋଟିଏ କନ୍ୟା କୁ ବିବାହ କରନ୍ତି।ଏକିଧିକ ପତିଙ୍କୁ ସମ ଭାବରେ ଭଲପାଇ ସେମାନଙ୍କୁ ସମ୍ଭାଳିବା କଷ୍ଟକର କାମ ହେଲେ ମଧ୍ୟ, ସ୍ତ୍ରୀ ବୁଦ୍ଧିମତୀ ଥିଲେ ଏହି କାର୍ଯ୍ୟ ସହଜ ସାଧ୍ୟ ହୋଇଥାଏ।ଏହା ଅଧର୍ମ ପରିଭାଷାର ଅନ୍ତର୍ଭୁକ୍ତ ନୁହେଁ।ଏହା ଯୁଗଧର୍ମ। ଏହି ଯୁଗଧର୍ମରେ ସାମାଜିକ ଆବଶ୍ୟକତା ପ୍ରତିଫଳିତ ହୋଇ ଥାଏ। ସମ୍ଭବତଃ ପରବର୍ତ୍ତୀ ଯୁଗରେ ଏହି ପ୍ରଥା ସମାଜରେ ଗୃହିତ ନହୋଇ ପାରେ।
----- ସାମ୍ପ୍ରତିକ ପରିସ୍ଥିତିରେ ଉଭୟ ରାଜପରିବାର ଉଦ୍ଦେଶ୍ୟ କ'ଣ ଦେଖିବା ଆବଶ୍ୟକ। ଏହି ବିବାହରେ ଉଭୟ,ପାଣ୍ଡୁ ପରିବାରର ଏବଂ ପାଞ୍ଚାଳ ପରିବାରର ସ୍ୱାର୍ଥ ନିହିତ;ଏହା ଉଭୟ ରାଜବଂଶକୁ ଶକ୍ତିଶାଳୀ କରିବ।"
ମୁନିଶ୍ରେଷ୍ଠଙ୍କ ନିରବତା ଦେଖି ଦ୍ରୁପଦ ପ୍ରଶ୍ନ କଲେ..ତାହେଲେ ଆପଣ କ'ଣ ନିର୍ଣ୍ଣୟ ନେଲେ ମୁନିଶ୍ରେଷ୍ଠ ?
----- ବ୍ୟାସଦେବ କହିଲେ.. ମୁଁ ନିର୍ଣ୍ଣୟ କରିବାକୁ କିଏ ରାଜନ୍? ମୁଁ କେବଳ ନୀତି ଅନୀତି ଓ ଯୁଗଧର୍ମ ବିଷୟରେ ମତାମତ ଦେଇପାରିବି। ନିର୍ଣ୍ଣୟ ନିଜେ ରାଜକନ୍ୟା ନେବେ।ଯାଜ୍ଞସେନୀଙ୍କ ବିନା ସମ୍ମତିରେ କେହି କିଛି ନିଷ୍ପତ୍ତି ନେଇପାରିବେ ନାହିଁ।ତାଙ୍କୁ ନିର୍ଣ୍ଣୟ କରିବାକୁ ହେବ,ଯଜ୍ଞ ସମ୍ଭୂତା ଭାବରେ ଲକ୍ଷ୍ୟ ସାଧନ ସେ ଏକାକୀ ପାଞ୍ଚାଳୀ (ପାଞ୍ଚାଳ ରାଜକନ୍ୟା) ଭାବରେ କରିପାରିବେ ନା ପାଞ୍ଚାଳୀ (ପାଞ୍ଚ ପତିଙ୍କ ପତ୍ନୀ) ହୋଇ ପାଣ୍ଡବଙ୍କ ସହାୟତାରେ କରିପାରିବେ।କନ୍ୟାର ବିନା ସମ୍ମତିରେ ଏ ବିବାହ ସମ୍ଭବ ନୁହେଁ ଦ୍ରୁପଦ।"
ସେତେବେଳକୁ ଯାଜ୍ଞସେନୀ ମନଭିତରେ ଠିକ୍ କରିସାରିଥିଲେ, କଣ କରିବାକୁ ହେବ।ଦୁଇ କୁଳର ହିତ ପାଇଁ ତାଙ୍କୁ ଏ ଗରଳ ପାନ କରିବାକୁ ପଡ଼ିବ। ପାଞ୍ଚଭାଇଙ୍କୁ ବିବାହ କରିବାପାଇଁ ସେ ସମ୍ମତ ହେଲେ।
----- ମହା ସମାରୋହରେ ଯାଜ୍ଞସେନୀଙ୍କ ବିବାହ ସମ୍ପନ୍ନ ହେଲା।ଏହା ସହିତ ସୃଷ୍ଟି ହେଲା ଅନେକ ସମ୍ଭାବନା। ଦ୍ରୁପଦ ଦ୍ରୋଣଙ୍କ ଉପରେ ପ୍ରତିଶୋଧ ନେବା ଅଭିଳାଷା,ପାଣ୍ଡବ ମାନଙ୍କର କୌରବ ମାନଙ୍କ ଠାରୁ ପୈତୃକ ଅଧିକାର ପାଇବା ଆଶା ତଥା ଶ୍ରୀକୃଷ୍ଣଙ୍କର ଧର୍ମ ସଂସ୍ଥାପନା ଉଦ୍ଦେଶ୍ୟ ସଫଳ ହେବାର ପଥ ପରିଷ୍କାର କରିଦେଲା ଏହି ଅନନ୍ୟ ବିବାହ।
