Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀଭାଗ ୩୩

କଥା କାଦମ୍ବରୀଭାଗ ୩୩

4 mins
204



କାଳ-ଯବନର କାଳ

=================================

ପିତାଙ୍କଠାରୁ ଶ୍ରୀକୃଷ୍ଣଙ୍କ ଅଲୌକିକ କାର୍ଯ୍ୟ କଳାପ ବିଷୟରେ ଶୁଣି ଦ୍ରୌପଦୀଙ୍କ ମନ ଓ ହୃଦୟ କୃଷ୍ଣଙ୍କପ୍ରତି ଭକ୍ତି ,ପ୍ରେମ ଓ ସମ୍ମାନରେ ନଇଁ ଗଲା।କନ୍ୟାର ଶ୍ରୀକୃଷ୍ଣଙ୍କ ବିଷୟରେ ଜାଣିବା ଆଗ୍ରହ ଦେଖି ଦ୍ରୁପଦ କହିଲେ .. ଜାଣିଛ କଲ୍ୟାଣୀ ! କାଳ ଯବନ ପରି ଦୁର୍ଦ୍ଦାନ୍ତ ରାକ୍ଷସଙ୍କୁ କୃଷ୍ଣ କିପରେ ମୁଚୁକୁନ୍ଦ ଋଷିଙ୍କ କ୍ରୋଧ ଅନଳରେ ଭସ୍ମୀଭୂତ କରିଦେଲେ? ଅଦ୍ଭୁତ ତାଙ୍କ ରଣକୌଶଳ !"

ଯାଜ୍ଞସେନୀ କହିଲେ..ମୋତେ ସେ ବିଷୟରେ ସବିଶେଷ ଅବଗତ କରାନ୍ତୁ ପିତାଶ୍ରୀ।"


ଦ୍ରୁପଦ କହିଲେ ... ବାରମ୍ବାର ଜରାସନ୍ଧର ମଥୁରା ଆକ୍ରମଣ ଯୋଗୁଁ ଜନସାଧାରଣ ପ୍ରଭୂତ କ୍ଷତିଗ୍ରସ୍ତ ହେଉଥିଲେ।ଜରାସନ୍ଧର ଆକ୍ରମଣରୁ ମଥୁରାର ଜନସାଧାରଣଙ୍କ ଧନଜୀବନ ରକ୍ଷା କରିବାପାଇଁ ସାଗର‌ ମଧ୍ୟରେ ଭବ୍ୟ ଦ୍ଵାରକା ନଗରୀ ନିର୍ମାଣ କରି ଶ୍ରୀକୃଷ୍ଣ ମଥୁରା ବାସୀଙ୍କୁ ବିସ୍ଥାପିତ କରିବା କାର୍ଯ୍ୟ ଆରମ୍ଭ କରିଦେଲେ।


ଏହି ସମୟରେ ମଥୁରା ଉପରେ ମିଳିତ ଆକ୍ରମଣ କରିବାପାଇଁ ଜରାସନ୍ଧ କାଳଯବନକୁ, ଭାରତ ଭୂଖଣ୍ଡର ପଶ୍ଚିମରେ ଥିବା ଯବନ ରାଜ୍ୟରୁ ନିମନ୍ତ୍ରଣ କରି ଆଣିଲା।ପୂର୍ବ ଦିଗରୁ ଜରାସନ୍ଧର ଦୁର୍ଦ୍ଧର୍ଷ ମଗଧ ବାହିନୀ ଏବଂ ପଶ୍ଚିମରୁ କାଳଯବନ ମଥୁରା ଉପରେ ଷଣ୍ଡୁଆସି ଆକ୍ରମଣ କରିବାକୁ ଆଗେଇ ଆସିଲେ।


କାଳ ଯବନ ତିରିଶି ଲକ୍ଷ ଯବନ ସୈନ୍ୟ‌ ସହିତ ମଥୁରା ନଗ୍ରର ଦ୍ୱାର ଦେଶରେ ଦଣ୍ଡାୟମାନ।କୃଷ୍ଣ, ବଳରାମଙ୍କୁ କହିଲେ... ମଥୁରା ସହିତ ଦ୍ୱାରକାକୁ ମଧ୍ୟ ଧ୍ଵଂସକରି ସାଗର ଭିତରେ ବିଲୀନ କରିବା ଲକ୍ଷ୍ୟ ନେଇ ଆସିଛି ଯବନରାଜ। ମଥୁରା ଭିତରେ ରାକ୍ଷସ ପ୍ରବେଶ କରିବା ପୂର୍ବରୁ କିଛି କରିବାକୁ ହେବ ଅଗ୍ରଜ !"


କୃଷ୍ଣଙ୍କୁ ବିବ୍ରତ ଦେଖି, ନିକଟରେ ଉପସ୍ଥିତ ଥିବା ନାରାୟଣୀ ସେନାର ଅଧ୍ୟକ୍ଷ କହିଲେ.. କିନ୍ତୁ ଆମେ ଏଥିପାଇଁ ଏତେ ବିବ୍ରତ କାହିଁକି ହେବା ଯାଦବେଶ ?ଜରାସନ୍ଧଙ୍କର ଦୁର୍ଦ୍ଦାନ୍ତ

ମଗଧ ସେନାଙ୍କୁ ଆମେ ସତର ଥର ପରାସ୍ତ କରିଛନ୍ତି; ସେହି ପ୍ରକାର କାଳଯବନର ମଧ୍ୟ ଦର୍ପ ଧ୍ୱଂସ କରିବା ।"


ହସିଲେ କେଶବ, କହିଲେ... କାଳ ଯବନ ଜରାସନ୍ଧ ନୁହେଁ ଯାଦବ ବୀର। କାଳ ଯବନ ଶିବଙ୍କ ବଳରେ ବଳୀୟାନ।ରଣ ପ୍ରାଙ୍ଗଣରେ କୌଣସି ଅସ୍ତ୍ରଶସ୍ତ୍ର ରେ ତାର ନିଧନ ହେବନାହିଁ। ସୁଦର୍ଶନ ଚକ୍ର, କୌମୁଦୁକି ଗଦା,ଶାରଙ୍ଗ ଧନୁ ଅଥବା ଅଗ୍ରଜଙ୍କର ହଳାୟୁଧ କାଳଯବନର କେଶାଗ୍ର ମଧ୍ୟ କ୍ଷତି କରି ପାରିବେ ନାହିଁ।ସମୁଦ୍ର ପରି ଦେଖାଯାଉଥିବା ତିରିଶି ଲକ୍ଷ ଯବନ ସେନାଙ୍କୁ ଦେଖିପାରୁଛ ଯାଦବ ବୀର ? ଅଜେୟ କାଳ ଯବନକୁ ହରାଇବା ପାଇଁ ତା'ସହିତ ଆମେ ଅସଫଳ ଯୁଦ୍ଧରେ ଲିପ୍ତ ହେବା ଅବସରରେ ତାର ବିଶାଳ ସୈନ୍ୟ ଦ୍ଵାରକା ଭିତରେ ପ୍ରବେଶ କରି ନବନିର୍ମିତ ଦ୍ୱାରକାକୁ ଜାଳି ପୋଡ଼ି ପାଉଁଶ କରିଦେବେ।"

ଯାଦବ ସେନାପତି ପଚାରିଲେ..ତାହେଲେ ଆମେ କ'ଣ କରିବା ପ୍ରଭୁ ?"

କେଶବ କହିଲେ... କାଳ ଯବନର ମୃତ୍ୟୁ ପାଇଁ,ଅଦୂରରେ ଥିବା ପର୍ବତ ଗୌହରରେ ଶୟନ-ରତ ମୁଚୁକୁନ୍ଦ ଋଷି ହିଁ ଆମକୁ ସାହାଯ୍ୟ କରିପାରିବେ।"

ଶ୍ରୀକୃଷ୍ଣଙ୍କ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଦବ ସେନାପତି ପଚାରିଲେ...ଜଣେ ଶୟନରତ ଋଷି, ଅଜେୟ କାଳଯବନ ସହିତ ଯୁଦ୍ଧରେ ଆମକୁ କିପରି ସାହାଯ୍ୟ କରିପାରିବେ ଯାଦବେଶ !!


କୃଷ୍ଣ କହିଲେ... ହେ ଯାଦବ ବୀର ! ତାଙ୍କୁ କ'ଣ ସାମାନ୍ୟ ଋଷି ବୋଲି ମନେକରିଛ ?ସେ ତ୍ରେତୟା ଯୁଗରେ ଇକ୍ଷାକୁ ବଂଶରେ ଜାତ ମହାରାଜା ମାନଧାତାଙ୍କ ପୁତ୍ର ତଥା ଅମ୍ବରୀଶଙ୍କ ଭ୍ରାତା ମହାନ ଯୋଦ୍ଧା ମୁଚୁକୁନ୍ଦ।ଦେବ ଦାନବ ଯୁଦ୍ଧରେ ବାରମ୍ବାର ଦେବତା ମାନଙ୍କର ପରାଜୟ ହେବାରୁ ଦେବରାଜ ଇନ୍ଦ୍ରଙ୍କ ଅନୁରୋଧ ରକ୍ଷାକରି ଦେବ ସେନାପତି ଭାବରେ ରାକ୍ଷସ ମାନଙ୍କ ସହିତ ବହୁ ଦେବ-ବର୍ଷ ପର୍ଯ୍ୟନ୍ତ ସଂଗ୍ରାମ କରିଥିଲେ ମୁଚୁକୁନ୍ଦ। ଦେବଲୋକର ଗୋଟିଏ ଦିନ ମର୍ତ୍ତ୍ୟରେ ଗୋଟିଏ ବର୍ଷ ସହିତ ସମାନ।ଯୁଦ୍ଧରେ ଶ୍ରାନ୍ତକ୍ଳାନ୍ତ ମୁଚୁକୁନ୍ଦଙ୍କ ଉପରେ ସନ୍ତୁଷ୍ଟ ହୋଇ ଦିନେ ଦେବରାଜ ଇନ୍ଦ୍ର କହିଲେ ..ହେ ମହାନ ! ଆପଣଙ୍କର ଏ ନିଃସ୍ଵାର୍ଥ ବଳିଦାନ ପାଇଁ ଦେବଲୋକ ଆପଣଙ୍କ ପାଖରେ ଚିରକୃତଜ୍ଞ। ବର୍ତ୍ତମାନ ଦେବସେନାପତି କାର୍ତ୍ତିକେୟ ସେନାପତିତ୍ବ ନେବାପାଇଁ ଆମ ଗହଣରେ ଉପସ୍ଥିତ। ତେଣୁ ଆପଣଙ୍କୁ ଆମେ ଅବ୍ୟାହତି ଦେଉଛୁ।ଆପଣଙ୍କର ଏହି ମହନୀୟ କାର୍ଯ୍ୟ ପାଇଁ ଯାହା ବର ମାଗିବା କଥା ମାଗିନିଅନ୍ତୁ।"


ମୁଚୁକୁନ୍ଦ ଋଷି ପ୍ରତିମ ଥିଲେ। ତାଙ୍କ ମନରେ କୌଣସି ଲୋଭ ମୋହ ନଥିଲା।ସେ କହିଲେ.. ଦେବରାଜ ! ମଁ ଯୁଦ୍ଧରେ ବହୁତ କ୍ଲାନ୍ତ। ମର୍ତ୍ତ୍ୟ ଲୋକରେ ମୋ ପରିବାରକୁ ଫେରି ଯାଇ ବିଶ୍ରାମ ନେବାପାଇଁ ଚାହେଁ।"

ଦେବରାଜ ଦୁଃଖରେ କହିଲେ...ଅବସୋସ ମହାବଳୀ ! ଏଭିତରେ ମର୍ତ୍ତ୍ୟମଣ୍ଡଳରେ ଯୁଗ ବିତିଗଲାଣି,କାରଣ ସ୍ବର୍ଗର ଗୋଟିଏ ଦିନ ମର୍ତ୍ତ୍ୟମଣ୍ଡଳରେ ଗୋଟିଏ ବର୍ଷ ସହିତ ସମାନ।ଆପଣଙ୍କ ନିଜ ରାଜ୍ୟର ଓ ପରିବାରର ଚିହ୍ନବର୍ଣ୍ଣ ମଧ୍ୟ ନାହିଁ। ବର୍ତ୍ତମାନ ମର୍ତ୍ତ୍ୟମଣ୍ଡଳରେ ଦ୍ଵାପର ଯୁଗ ଚାଲିଛି।"


ନିରାଶ ହୋଇ ମୁଚୁକୁନ୍ଦ କହିଲେ ...ତାହେଲେ ମୋତେ ନିଦ୍ରା ବର ଦିଅ ଦେବେନ୍ଦ୍ର;ମୋର ଶୟନ ସମୟରେ ମୋତେ ଯେପରି କେହି ନିଦ୍ରାରେ ବାଧା ନ ଦିଅନ୍ତି।"

ଇନ୍ଦ୍ର କହିଲେ ...ତଥାସ୍ତୁ ମହାବୀର ମୁଚୁକୁନ୍ଦ।ଆପଣଙ୍କ ଶୟନ ସମୟରେ କେହି ଆପଣଙ୍କୁ ଜାଗ୍ରତ କଲେ ଆପଣଙ୍କ ଚକ୍ଷୁରୁ ନିର୍ଗତ ଅନଳରେ ସେ ଭସ୍ମ ହୋଇଯିବ।"


ମୁଚୁକୁନ୍ଦଙ୍କ ଅତୀତ ବର୍ଣ୍ଣନା କରି ଶ୍ରୀକୃଷ୍ଣ ସ୍ମିତ ହସି କହିଲେ...ଏଥର ଜାଣି ପାରିଲ ତ ଯାଦବ ସେନାପତି ,ମୁଚୁକୁନ୍ଦ କିପରି ଆମକୁ ସାହାଯ୍ୟ କରିପାରିବେ?"

କୃଷ୍ଣଙ୍କ ବୁଦ୍ଧିମତାକୁ ପ୍ରଶଂସା ନକରି ରହିପାରିଲେ ନାହିଁ ବଳରାମ ଏବଂ ଉପସ୍ଥିତ ଥିବା ଯାଦବ ସେନାପତି ।


କୃଷ୍ଣ କାଳବିଳମ୍ବ ନକରି ନିରସ୍ତ୍ର ହୋଇ କାଳଯବନର ଶିବିର ନିକଟରେ ପହଞ୍ଚି ଯୁଦ୍ଧ ପାଇଁ ଆହ୍ୱାନ ଦେଲେ।ନିରସ୍ତ୍ର କୃଷ୍ଣଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ କାଳ ଯବନ କହିଲା ..ବିନା ଅସ୍ତ୍ରରେ କିପ୍ରକାର ଯୁଦ୍ଧ କରିବୁ ତୁ କୃଷ୍ଣ ?ତୋ କୋମଳ ଶରୀର ଦେଖି ତୋ ଉପରେ ମୋର ଦୟା ଆସୁଛି। ଫୁଙ୍କି ଦେଲେ ଯାଇ ମୋ ରାଜ୍ୟରେ ପଡିବୁ,ଯୁଦ୍ଧ ପାଇଁ ଆହ୍ୱାନ ଦେଉଛୁ ! "


କୃଷ୍ଣ କହିଲେ ... କାଳ ଯବନ ! ଅଯଥା ପ୍ରଳାପ କରି ଲାଭ ନାହିଁ। ମୁଁ ତୋ ସହିତ ମଲ୍ଲ ଯୁଦ୍ଧ କରିବି, ତୁ ମୁକ୍ତ ପ୍ରାଙ୍ଗଣକୁ ଆସି ଯୁଦ୍ଧ କର।"

କାଳ ଯବନ ଶିବିର ଭିତରୁ ବାହାରି ଆସିବା ପରେ କୃଷ୍ଣ ସେଠାରୁ ପଳାୟନ କରିବା ଆରମ୍ଭ କଲେ। କାଳ ଯବନ ପଛରେ ଦଉଡୁ ଥାଏ। କିନ୍ତୁ କୃଷ୍ଣ ଙ୍କୁ ଛୁଇଁ ପାରୁନଥାଏ। କୃଷ୍ଣ ତାଙ୍କର ଚାଲିବା ଗତି କମ୍ କରି ଦେଲେ ମଧ୍ୟ କାଳଯବନର ହାତ ପାଉନଥାଏ ତାଙ୍କୁ ଧରିବାପାଇଁ। ଧଇଁ ସଇଁ ହୋଇ ଅଣନିଃଶ୍ୱାସୀ ହେବାରେ ଲାଗିଲା କାଳ ଯବନ। କୃଷ୍ଣ ହସୁଥାନ୍ତି ଅମୀୟ ହସ ଏବଂ କହୁଥାନ୍ତି ... ବାଃ ରେ ଯବନ ଵୀର,ଏତିକି ବାଟ ଚାଲି ତୋର ଏ ଅବସ୍ଥା !


ପର୍ବତ ତଳେ ପହଞ୍ଚିଲେ ଶ୍ରୀ କୃଷ୍ଣ। ଅନେକ ପଛରେ ରହିଗଲାଣି କାଳଯବନର ସୈନ୍ୟ ଶିବିର। ହଠାତ୍ କୃଷ୍ଣ ପର୍ବତର ଗୋଟିଏ ଗୁମ୍ଫା ଭିତରେ ପ୍ରବେଶ କଲେ। ଅଟ୍ଟହାସ କରି କାଳଯବନ କହିଲା ..ଭୀରୁ ପଳାତକ,ରଣଛୋଡ୍,ଗୁମ୍ଫା ଭିତରେ ଲୁଚିଲେ କଣ ରକ୍ଷା ପାଇଯିବୁ ?"


ଶ୍ରୀକୃଷ୍ଣ ଗୁମ୍ଫା ଭିତରେ ପ୍ରବେଶ କରି ଦେଖିଲେ ମୁଚୁକୁନ୍ଦ ମହା ଆନନ୍ଦରେ ଶୟନ କରିଛନ୍ତି। ଗୁମ୍ଫା ଭିତରେ ସ୍ବଳ୍ପ ଆଲୋକ, ଅନ୍ଧକାର ଅଧିକ।ମୁଚୁକୁନ୍ଦଙ୍କ ଉପରେ ନିଜର ପୀତ-ରଙ୍ଗର ଉତ୍ତରୀୟ ଘୋଡାଇ ଦେଇ ଗୁମ୍ଫା ଭିତରେ ଲୁଚି ଗଲେ କେଶବ।


ଗୁମ୍ଫାରେ କାଳଯବନ ପ୍ରବେଶ କରି, ପୀତବସନରେ ଆଚ୍ଛାଦିତ ହୋଇ ଶୟନ କରିଥିବା ମୁଚୁକୁନ୍ଦଙ୍କୁ କୃଷ୍ଣ ଭାବି ଗାଳି ଦେଇ ବିଧା ଗୋଇଠା ପ୍ରହାର କଲା। ନିଦ୍ରା ଭଙ୍ଗ ହେବାରୁ ଉଠି ବସି କ୍ରୋଧରେ କାଳଯବନକୁ ଚାହିଁଲେ ମୁଚୁକୁନ୍ଦ।ଚକ୍ଷୁରୁ ନିର୍ଗତ ହେଲା ଅଗ୍ନି।ଇନ୍ଦ୍ରଙ୍କ ମୁଚୁକୁନ୍ଦଙ୍କୁ ଦେଇଥିବା ବର କାଳଯବନ ପାଇଁ ଅଭିଶାପରେ ପରିଣତ ହେଲା।କାଳଯବନ ଜୀବନ୍ତ ଜଳିଗଲା।


କାଳ ଯବନର ଏଭଳି ମୃତ୍ୟୁରେ ନିଜେ ଆଶ୍ଚର୍ଯ୍ୟ ହେଲେ ମୁଚୁକୁନ୍ଦ।ମୁଚୁକୁନ୍ଦଙ୍କ ସମୀପକୁ ଚାଲିଆସି ଶ୍ରୀକୃଷ୍ଣ ସମସ୍ତ ଘଟଣା ବର୍ଣ୍ଣନା କରି କହିଲେ..ହେ ମହାତ୍ମା,ଆପଣ ସ୍ବର୍ଗରେ ଦୈତ୍ୟ ବିନାଶ କରି ଶାନ୍ତି ପ୍ରତିଷ୍ଠା କରିଥିଲେ; ମର୍ତ୍ତ୍ୟମଣ୍ଡଳରେ ମଧ୍ୟ ନିଜ ଅଜ୍ଞାତରେ କୁଖ୍ୟାତ ଦୈତ୍ୟକୁ ବିନାଶ କରି ସମାଜର ଅସୀମ ଉପକାର କରିଛନ୍ତି।ବାକି ଜୀବନ ତପସ୍ୟା କରି ଆପଣ ମୁକ୍ତିର ଆଲୋକ ପଥରେ ଯାତ୍ରା କରନ୍ତୁ।"


କାଳ ଯବନର ବିନାଶ ବାର୍ତ୍ତା ତା ସୈନ୍ୟ ଶିବିରରେ ପହଞ୍ଚିବାକୁ ବେଶି ସମୟ ଲାଗିଲା ନାହିଁ।ରାଜାର ମୃତ୍ୟୁରେ ନୈତିକ ସାହସ ହରାଇ ଛିନ୍ନ ବିଛିନ୍ନ ହୋଇ ପଳାୟନ କଲେ ଯବନ ସୈନ୍ୟ।ସେମାନଙ୍କୁ ଗୋଡାଇ ଗୋଡ଼ାଇ ହତ୍ୟା କଲେ ବଳରାମ ଏବଂ ଯାଦବ ସେନା। ଫେରିବା ବାଟରେ ମରୁଭୂମିରେ ମରି ହଜି ଗଲେ ଅନେକ ଯବନ ସୈନ୍ୟ।ଜରାସନ୍ଧ ପାଖରେ ଏ ସମ୍ବାଦ ପହଞ୍ଚିବାପରେ ସେ ଆଉ ଦ୍ଵାରକା ଆକ୍ରମଣ କରିବାକୁ ସାହସ କଲାନାହିଁ।ଜନଶୂନ୍ୟ ମଥୁରା ଭିତରେ ପଶି,କାହାକୁ ନପାଇ ଘର ଦ୍ୱାର ଭଙ୍ଗାରୁଜା କରି ମଗଧ ଫେରି ଗଲା ଜରାସନ୍ଧ।ଏଣେ କୃଷ୍ଣଙ୍କ ମୁଖରେ ଫୁଟି ଉଠୁଥାଏ ଚିରାଚରିତ ମନଲୋଭା ଅମୀୟ ହସ ଏବଂ ଦ୍ୱାରକାରେ ସଦ୍ୟ ଅବସ୍ଥାନ କରୁଥିବା ଯାଦବ ମାନଙ୍କ ମନରେ କୃଷ୍ଣଙ୍କ ଉପରେ ବୃଦ୍ଧି ହେଉଥାଏ ଗଭୀର ବିଶ୍ୱାସ।


ନିରସ୍ତ୍ର ଏବଂ "ରଣଛୋଡ୍ ଦାସ୍"ହୋଇ ମଧ୍ୟ ବିଜୟ ବୈଜୟନ୍ତୀ ଉଡାଇଲେ ଶ୍ରୀକୃଷ୍ଣ।



Rate this content
Log in