କଥା କାଦମ୍ବରୀଭାଗ ୨୦
କଥା କାଦମ୍ବରୀଭାଗ ୨୦
ଗାନ୍ଧାରୀଙ୍କ ସହିତ ଧୃତରାଷ୍ଟ୍ରଙ୍କର ବିବାହ ଉତ୍ସବ ମହା ସମାରୋହରେ ପାଳିତ ହେଲା।ଏହା ପରେ ପିତାମହ ଭୀଷ୍ମ,ହସ୍ତିନା ସମ୍ରାଟ ପଣ୍ଡୁଙ୍କ ପାଇଁ କନ୍ୟା ଅନ୍ୱେଷଣରେ ବ୍ୟସ୍ତ ଥିଲେ।ଇତି ମଧ୍ୟରେ ରାଜା କୁନ୍ତଭୋଜ ନିଜ ପାଳିତା କନ୍ୟା କୁନ୍ତୀଙ୍କ ପାଇଁ ସ୍ୱୟଂବର ଆୟୋଜନ କଲେ।କୁନ୍ତଭୋଜଙ୍କ ଆମନ୍ତ୍ରଣ ପାଇ ରାଜା ପଣ୍ଡୁ, ସ୍ୱୟଂବରରେ ଯୋଗଦାନ କରିବା ପାଇଁ ତାଙ୍କ ରାଜ୍ୟ ଅଭିମୁଖେ ଯାତ୍ରା କଲେ।ରାଜକନ୍ୟା କୁନ୍ତୀ ଅତ୍ୟନ୍ତ ରୂପବତୀ ଓ ଗୁଣବତୀ ଥିଲେ।ସମଗ୍ର ଆର୍ଯ୍ୟାବର୍ତ୍ତ ତାଙ୍କ ରୂପଗୁଣର ପ୍ରଶଂସାରେ ମୁଖରିତ ହେଉଥିଲା।
ରାଜକନ୍ୟା କୁନ୍ତୀ ବିବାହ ପୂର୍ବରୁ ତାଙ୍କ ଜୀବନରେ ଘଟିଥିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଗୁପ୍ତ ରଖିଥିଲେ। ଘଟଣାଟି ଥିଲା ଏହିପରି.....
କୁନ୍ତୀ, ଯାଦବ-ବୀର ଆର୍ଯ୍ୟ ସୁରସେନଙ୍କର କନ୍ୟା ତଥା ବସୁଦେବଙ୍କ ଭଉଣୀ ଥିଲେ।ତେଣୁ ସମ୍ପର୍କରେ ସେ ଶ୍ରୀକୃଷ୍ଣଙ୍କର ପିଉସୀ।କୁନ୍ତଭୋଜଙ୍କର କନ୍ୟା ନଥିବାରୁ ସେ ସମ୍ପର୍କୀୟ ଭାଇ ସୁରସେନଙ୍କ ଠାରୁ ତାଙ୍କୁ ପାଳିତା କନ୍ୟାରୂପେ ଗ୍ରହଣ କରିଥିଲେ।ତାଙ୍କର ପ୍ରକୃତ ନାମ ଥିଲା ପୃଥା। କୁନ୍ତୀଙ୍କ ରୂପଗୁଣରେ ମୁଗ୍ଧ ରାଜା କୁନ୍ତଭୋଜ ଝିଅକୁ ଅତ୍ୟନ୍ତ ଭଲ ପାଉଥିଲେ। ଏକଦା ଦୁର୍ବାସା ଋଷି କୁନ୍ତଭୋଜଙ୍କ ପ୍ରାସାଦକୁ ଆସିଥିଲେ କିଛିଦିନ ରାଜ-ଅତିଥି ଭାବରେ ସମୟ ବିତାଇବା ପାଇଁ।ପ୍ରାୟ ଏକ ବର୍ଷ କାଳ ସେ କୁନ୍ତଭୋଜ ରାଜ୍ୟରେ ଅବସ୍ଥାନ କଲେ।'କ୍ଷଣକୋପୀ' ଗୁଣ ପାଇଁ ଦୁର୍ବାସା ପ୍ରସିଦ୍ଧ ଥିଲେ।ସେବାରେ ସାମାନ୍ୟ ବ୍ୟତିକ୍ରମ ହେଲେ କୋପିତ ହୋଇ ଅଭିଶାପ ଦେବା ତାଙ୍କ ପାଇଁ ସାଧାରଣ କଥା ଥିଲା, କିନ୍ତୁ ଅଭିଶାପ ପାଇବା ବ୍ୟକ୍ତି ଗୁରୁତରଭାବେ କ୍ଷତିଗ୍ରସ୍ତ ହେଉଥିଲା।। ତେଣୁ ଋଷିଙ୍କ ସେବାରେ ଯେପରି ତିଳମାତ୍ର ବ୍ୟତିକ୍ରମ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାପାଇଁ କନ୍ୟାକୁ ନିର୍ଦ୍ଦେଶ ଦେଇଥିଲେ ରାଜା କୁନ୍ତଭୋଜ। ମନପ୍ରାଣ ଢାଳି ମହର୍ଷି ଦୁର୍ବାସାଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ କୁନ୍ତୀ।
କୁନ୍ତୀଙ୍କ ସେବାରେ ଅତ୍ୟନ୍ତ ପ୍ରସନ୍ନ ଥିଲେ ଦୁର୍ବାସା।ତପୋବଳରୁ,ଆଗତ ସମୟରେ କୁନ୍ତୀଙ୍କ ଭାବି ସ୍ୱାମୀ ପଣ୍ଡୁଙ୍କ ଉପରେ ଘଟିବାକୁ ଯାଉଥିବା ଦୁର୍ଭାଗ୍ୟ ବିଷୟରେ ଆଭାସ ପାଇଥିଲେ ଦୁର୍ବାସା। ତେଣୁ ସେ କୁନ୍ତୀଙ୍କୁ ଗୋଟିଏ ଅଭିମନ୍ତ୍ରିତ ମାଳା ପ୍ରଦାନ କରିଥିଲେ। ସେହି ମାଳାଟି ଧରି ମନ୍ତ୍ର ଉଚ୍ଚାରଣ କରି ଇପ୍ସିତ ପୁରୁଷଙ୍କୁ ଆବାହନ କଲେ ସେ ଆସି ପୁତ୍ର ପ୍ରଦାନ କରିବେ,ଏହା ଥିଲା ସେ ମାଳାର ବିଶେଷତ୍ଵ।
ମହର୍ଷି ଦୁର୍ବାସାଙ୍କ ପ୍ରସ୍ଥାନ ପରେ କୁନ୍ତୀଙ୍କ ମନରେ କୌତୁହଳ ଆସିଲା। ଋଷିଙ୍କ ବାକ୍ୟର ସତ୍ୟତା ଜାଣିବାପାଇଁ ସେ ମନ୍ତ୍ର ପାଠ କରି ସୂର୍ଯ୍ୟଦେବଙ୍କୁ ଆବାହନ କଲେ। ମନ୍ତ୍ର ଫଳବତୀ ହେଲା।ସଙ୍ଗେ ସଙ୍ଗେ ଅଂଶୁମାନ କୁନ୍ତୀଙ୍କ ସମକ୍ଷରେ ମନୁଷ୍ୟ ରୂପରେ ପ୍ରକଟ ହେଲେ। କୁନ୍ତୀ ଭୟ ଆଶ୍ଚର୍ଯ୍ୟ ଓ ଆଶଙ୍କାରେ ଦ୍ରବୀଭୂତ ହୋଇ ସୂର୍ଯ୍ୟଙ୍କୁ କହିଲେ...ହେ ଦେବ ! ଋଷିଙ୍କ ପ୍ରଦତ୍ତ ମନ୍ତ୍ରର ସତ୍ୟତା ଜାଣିବାକୁ ମୁଁ ପରୀକ୍ଷା କରୁଥିଲି ମାତ୍ର,ଆପଣ ଫେରି ଯାଆନ୍ତୁ।
ସୂର୍ଯ୍ୟ କହିଲେ...ଦେବୀ ! ତୁମ ସହିତ ମିଳନ ଓ ତୁମକୁ ପୁତ୍ର ଦାନ ବିନା ମୋର ଫେରିଯିବା ଅସମ୍ଭବ। ତାହା ହେବ ମନ୍ତ୍ରର ଅବମାନନା ଏବଂ ତୁମ ଜୀବନରେ ଘୋର ଅନର୍ଥର କାରଣ।ତୁମେ ଅପବାଦ ଏବଂ କୁମାରୀତ୍ୱର କ୍ଷୁର୍ଣ୍ଣତା ପାଇଁ ବ୍ୟସ୍ତ ହେବା ଆବଶ୍ୟକ ନାହିଁ।ମନ୍ତ୍ରର ଅଲୌକିକତା ଏପରି ଯେ ଆମର ମିଳନ ପରେ ମଧ୍ୟ ତୁମ କୁମାରୀତ୍ୱ ଅକ୍ଷୁର୍ଣ୍ଣ ରହିବ।
ସୂର୍ଯ୍ୟ ଦେବଙ୍କ ମିଳନ ପରେ ଦୈବୀ ଅଲୌକକତା ପ୍ରଭାବରେ ସଙ୍ଗେ ସଙ୍ଗେ କୁନ୍ତୀଙ୍କ କୋଳକୁ ଆସିଲା କବଚ କୁଣ୍ଡଳଧାରୀ ଏକ ଦିବ୍ୟ ଶିଶୁ।
ମିଳନ ପରେ ସୂର୍ଯ୍ୟଦେବ ଫେରଗଲେ ପୁତ୍ରକୁ ଆଶୀର୍ବାଦ ଦେଇ। କିନ୍ତୁ ଅପବାଦ ଭୟରେ କୁନ୍ତୀ ବାଳୁତ ପୁତ୍ରକୁ ଗୋଟିଏ ମଞ୍ଜୁଷାରେ ରଖି ଗଙ୍ଗା ନଦୀର ଜଳଧାରରେ ଭସାଇ ଦେଲେ।ଅଧିରଥ ନାମକ ହସ୍ତିନାର ଏକ ସନ୍ତାନହୀନ ସାରଥୀ ସ୍ନାନ ସମୟରେ ଗଙ୍ଗା ଜଳରେ ଭାସିଯାଉଥିବା ମଞ୍ଜୁସା ଭିତରେ ନବଜାତ ଶିଶୁକୁ ଦେଖି ମହା ଆନନ୍ଦରେ ତାଙ୍କ ପତ୍ନୀ ରାଧାଙ୍କ ହାତରେ ସମର୍ପଣ କଲେ।ରାଧଙ୍କ ମମତାର ଅଞ୍ଚଳ ଭିତରେ ମହା ଆନନ୍ଦରେ ବଢିଲା ଶିଶୁପୁତ୍ର ଏବଂ ପାଳନ କରିଥିବା ମାଆଙ୍କ ନାମ ଅନୁସାରେ ଜଗତରେ ବିଦିତ ହେଲା ରାଧେୟ ନାମରେ।
ତାଙ୍କର ବାଲ୍ୟକାଳର ପିତୃଦତ୍ତ ନାମ ଥିଲା ବାସୁସେନ।ସୁତ ବା ସାରଥୀର ପୁତ୍ର ହୋଇଥିବାରୁ ସେ ସୁତପୁତ୍ର ନାମରେ ବିଦିତ ହେଲେ।ତାଙ୍କ ଜନ୍ମ ବିଷୟରେ ଅଜ୍ଞଥିବା ତାଙ୍କ ପ୍ରତିପକ୍ଷମାନେ, ବିଶେଷତଃ ଦ୍ବିତୀୟ ପାଣ୍ଡବ ଭୀମ ତାଙ୍କୁ ସୁତପୁତ୍ର ନାମରେ ସମ୍ବୋଧନ କରୁଥିଲେ।ଏହା ପଛରେ ପ୍ରଛନ୍ନ ହେୟଜ୍ଞାନ, ଅବଜ୍ଞା,ଘୃଣା ଓ ଜାତିବାଦ ଲୁଚି ରହିଥିଲା।
କର୍ଣ୍ଣରେ ତାଙ୍କର ଜନ୍ମରୁ ସୂର୍ଯ୍ୟପ୍ରଦତ୍ତ କୁଣ୍ଡଳ ଥିବାରୁ ତାଙ୍କର ଅନ୍ୟନାମ ଥିଲା କର୍ଣ୍ଣ। ପରବର୍ତ୍ତୀ ସମୟରେ ଦୁର୍ଯ୍ୟୋଧନ ତାଙ୍କୁ ଅଙ୍ଗଦେଶ (Modern Bengal)ର ରାଜପଦ ଦାନ କରିଥିଲେ।ତେଣୁ ଅଙ୍ଗରାଜ ନାମରେ ମଧ୍ୟ ସେ ବିଦିତ ଥିଲେ।ଲୋଭମୁକ୍ତ ହୋଇ ଅଶେଷ ଦାନଧର୍ମ କାର୍ଯ୍ୟ କରୁଥିବାରୁ "ମହାଦାନୀ କର୍ଣ୍ଣ"ନାମରେ ସେ ପ୍ରସିଦ୍ଧ ଥିଲେ। ସୂର୍ଯ୍ୟ ଦେବଙ୍କ ଆତ୍ମଜ ହୋଇ ଥିବାରୁ ତାଙ୍କର ଅନ୍ୟ ଏକ ନାମ ଥିଲା ବିକର୍ତ୍ତନ। ପର୍ଶୁରାମଙ୍କ ଦ୍ଵାରା ପ୍ରଦତ୍ତ ବିଜୟ ନାମକ ଧନୁ ଧାରଣ କରୁଥିବାରୁ ତାଙ୍କର ଗୋଟିଏ ନାମ ଥିଲା "ବିଜୟଧାରୀ"
କର୍ଣ୍ଣଙ୍କ ଜନ୍ମ ଥିଲା ଦୈବର ଅଧୀନ କିନ୍ତୁ ନିଜକୁ ଶ୍ରେଷ୍ଠ ବୀର,ଅଙ୍ଗ ଦେଶର ରାଜା, ଦୁର୍ଯ୍ୟୋଧନଙ୍କ ପ୍ରିୟତମ ବନ୍ଧୁ ଏବଂ ଅଜେୟ ମହାରଥୀ ଭାବରେ ପ୍ରତିଷ୍ଠିତ କରି ସେ ପ୍ରମାଣ କରିଦେଇଥିଲେ ଯେ ପୁରୁଷାର୍ଥ ଲାଭ କରିବା ନିଜର ଅଧୀନ ଅର୍ଥାତ୍ ନିଜ କର୍ମର ଫଳ।
ମହାଭାରତରେ କର୍ଣ୍ଣଙ୍କ ଚରିତ୍ର ଅନେକ ବିରୋଧାଭାସର ଏକତ୍ରିକରଣ ଥିଲା।ସମସ୍ତ ସଦ୍ଗୁଣର ଅଧିକାରୀ ଥାଇ ମଧ୍ୟ ତାଙ୍କୁ ଧର୍ମର ପକ୍ଷ ତ୍ୟାଗକରି ଅଧର୍ମ ପକ୍ଷରେ ରହି ଯୁଦ୍ଧ କରିବାପାଇଁ ପଡିଥିଲା।ଯେଉଁ ବନ୍ଧୁ ଦୁର୍ଯ୍ୟୋଧନ, ସଂସାରରେ ତାଙ୍କୁ ନାମ ଓ ପ୍ରତିଷ୍ଠା ଦେଇଥିଲେ ତାଙ୍କ ବନ୍ଧୁତାକୁ ସମ୍ମାନ ଜଣାଇ ସେ ତାଙ୍କ ଜୀବନ କାଳ ଅଧର୍ମ ପକ୍ଷରେ ରହି ଥିଲେ।ଜନ୍ମ ଦେଇଥିବା ମାତା କୁନ୍ତୀଙ୍କ ଠାରୁ ବହୁତ ଡେରିରେ ସେ ନିଜର ପ୍ରକୃତ ପରିଚୟ ପାଇବା ପରେ ମଧ୍ୟ ଦୁର୍ଯ୍ୟୋଧନଙ୍କ ପକ୍ଷ ତ୍ୟାଗକରି ପାଣ୍ଡବଙ୍କ ପକ୍ଷକୁ ଯାଇ ନ'ଥିଲେ।
କୁରୁକ୍ଷେତ୍ର ଯୁଦ୍ଧ ଚାଲିଥିବା ସମୟରେ ଶ୍ରୀକୃଷ୍ଣ ଥରେ କର୍ଣ୍ଣଙ୍କୁ କହିଥିଲେ ଯେ ପାଣ୍ଡବ ମାନଙ୍କ ପକ୍ଷକୁ ଚାଲି ଆସିଲେ ତାଙ୍କ ପରିଚୟ ପରିବର୍ତ୍ତିତ ହୋଇ ଯିବ,ସେ ଶ୍ରେଷ୍ଠ ପଣ୍ଡୁପୁତ୍ର ଭାବରେ ହସ୍ତିନାର ସିଂହାସନ ଆରୋହଣ କରିବେ ଏବଂ ତାଙ୍କ ସୁତପୁତ୍ର ନାମ ପରିବର୍ତ୍ତେ ସେ ଶ୍ରେଷ୍ଠ ପାଣ୍ଡବ ଭାବରେ ପରିଗଣିତ ହେବେ। କିନ୍ତୁ ଯୁଦ୍ଧ ମଝିରେ ଦୁର୍ଯ୍ୟୋଧନଙ୍କୁ ପ୍ରତାରଣା ଦେଇ ସେ ରାଜମୁକୁଟ ଲୋଭରେ ପାଣ୍ଡବ ପକ୍ଷକୁ ଆସିବାକୁ ସମ୍ମତ ହେଲେ ନାହିଁ।ସେ ବଂଶ ଅଭିମାନର ପ୍ରଲୋଭନକୁ ଏଡାଇ ଦେଇ ବରଂ ରାଧେୟ ବା ସୂତପୁତ୍ର ଭାବରେ ଚିହ୍ନିତ ହେବାକୁ ଚାହିଁଲେ। ଦିନେ ତାଙ୍କୁ ଲୋକଲଜ୍ଜା ଡରରେ ପରିତ୍ୟାଗ କରି ଥିବା ରାଜମାତା କୁନ୍ତୀଙ୍କ ମମତାର ଆହ୍ୱାନ ତାଙ୍କୁ ଛଳନା ପୂର୍ଣ୍ଣ ଲାଗିଲେ। ଚିରଦିନ ରାଧେୟ ହୋଇ ରହିବାକୁ ସେ ପସନ୍ଦ କଲେ। ମହାଭାରତର ଏହି ଚରିତ୍ର ନିଜର ମହାନତା ଯୋଗୁଁ ପୁରାଣ ପୃଷ୍ଠାରେ ଅମର ହୋଇ ରହିଯାଇଛନ୍ତି।
କର୍ଣ୍ଣଙ୍କ ଜନ୍ମ ଉପାଖ୍ୟାନରେ ବର୍ଣ୍ଣନା କରାଯାଇଥିବା ଅଭିମନ୍ତ୍ରିତ ମାଳାର ପ୍ରୟୋଗ ଓ ମନ୍ତ୍ର ପାଠ କରି ଇପ୍ସିତ ପୁରୁଷଙ୍କୁ ସଙ୍ଗମ ପାଇଁ ଆବାହନ କରିବା ଘଟଣା ବର୍ତ୍ତମାନ ସମୟରେ ଅବାସ୍ତବ ଲାଗିବା ସ୍ୱାଭାବିକ। କିନ୍ତୁ ଘଟଣାର ବାସ୍ତବତାପ୍ରତି ଦୃଷ୍ଟି ନଦେଇ ଆମେ ସେ ସମୟର ସାମାଜିକ ପ୍ରଥା ବିଷୟରେ ଜାଣିବା ପାଇଁ ପ୍ରୟାସ କରିବା ଉଚିତ।ମହାଭାରତ କାଳରେ ବଂଶ ରକ୍ଷା ପାଇଁ "ନିଯୋଗ ବିଧାନ" ସମାଜର ସ୍ୱୀକୃତି ପାଇଥିଲେ ମଧ୍ୟ ଅବିବାହିତା କନ୍ୟାର ଗର୍ଭଧାରଣ ସମାଜରେ ଅପବାଦ ସୃଷ୍ଟି କରୁଥିଲା।
