କଥା କାଦମ୍ବରୀଭାଗ ୧୮
କଥା କାଦମ୍ବରୀଭାଗ ୧୮
ଯେଉଁ ଦିନ ପଣ୍ଡୁ ହସ୍ତିନାର ସିଂହାସନରେ ଅଭିଷିକ୍ତ ହେଲେ "ଜୟ ହସ୍ତିନା ଅଧିପତି ପଣ୍ଡୁଙ୍କର ଜୟ"ନିନାଦରେ ହସ୍ତିନା ଆକାଶ ପ୍ରକମ୍ପିତ ହେଲା । ସେ ଜୟନାଦ ହତାଶାର ଲୌହଶେଳ ରୂପ ଧାରଣ କରି ଧୃତରାଷ୍ଟ୍ରଙ୍କ ହୃଦୟକୁ ବିଦୀର୍ଣ୍ଣ କଲା । ସେ ନିଜ ଭାଗ୍ୟକୁ ନିନ୍ଦା କଲେ । ନିନ୍ଦାକଲେ ନିଜର ପୂର୍ବଜନ୍ମର କର୍ମଫଳକୁ । ନିନ୍ଦା କରୁଥିଲେ କାଳର ସେହି ଦୁର୍ଭାଗ୍ୟପୂର୍ଣ୍ଣ ମୁହୂର୍ତ୍ତକୁ ଯେତେବେଳେ ସେ ମାତୃଗର୍ଭରେ ସଂଚରିତ ହୋଇଥିଲେ ।
.....ହସ୍ତିନା ସିଂହାସନରେ ଅଭିଷିକ୍ତ ହେବା ପରେ ପଣ୍ଡୁ ଶାନ୍ତିରେ ରାଜ୍ୟ ପାଳନ କଲେ । ପିତାମହ ଭୀଷ୍ମ ଯାହାର ସହାୟକ ତାର ଆଉ ଚିନ୍ତା କଣ? ଦିନେ ସତ୍ୟବତୀ ଭୀଷ୍ମଙ୍କୁ ପାଖକୁ ଡାକି ପଚାରିଲେ... ହସ୍ତିନାର ସମ୍ବାଦ ଆଉ କ'ଣ ପୁତ୍ର?
ଭୀଷ୍ମ ଉତ୍ତର ଦେଲେ....ହସ୍ତିନାରେ ଅଖଣ୍ଡ ଶାନ୍ତିର ରାଜତ୍ଵ ମାତେ ! ଅଳ୍ପଦିନରେ ସମଗ୍ର ଭାରତ ବର୍ଷ ପଣ୍ଡୁଙ୍କର ପଦାନତ ହେବ ।
ସତ୍ୟବତୀ କହିଲେ.... ମନେହୁଏ, ମାଆ ମନର ଚିନ୍ତା ଅପେକ୍ଷା ତୁମ ପାଇଁ ରାଜ୍ୟ ଜୟ ଚିନ୍ତା ଅଧିକ ଗୁରୁତ୍ୱପୂର୍ଣ୍ଣ ପୁତ୍ର ଭୀଷ୍ମ ।
ଭୀଷ୍ମ ପାଲଟା ପ୍ରଶ୍ନରେ ପଚାରିଲେ... ମୁଁ ବୁଝି ପାରିଲି ନାହିଁ ଜନନୀ । କଣ କହିବାକୁ ଚାହାଁନ୍ତି ଆପଣ?
ସତ୍ୟବତୀ କହିଲେ.... ମୋର ପୌତ୍ରମାନଙ୍କ ପାଇଁ ବଧୂ ଆୟୋଜନ କରିବା କଥା ତୁମେ କେବେ ଚିନ୍ତା କରିଛ ପୁତ୍ର ଭୀଷ୍ମ ?
ଭୀଷ୍ମ କହିଲେ... ମୁଁ ଅନେକବାର ଚିନ୍ତା କରିଛି ମାତାଶ୍ରୀ, କିନ୍ତୁ କୌଣସି ନିର୍ଣ୍ଣୟରେ ପହଞ୍ଚି ପାରିନାହିଁ । ପଣ୍ଡୁଙ୍କର ବିବାହ ପୂର୍ବରୁ ଜ୍ୟେଷ୍ଠ କୁରୁପୁତ୍ର ଧୃତରାଷ୍ଟ୍ରଙ୍କର ବିବାହ ଆବଶ୍ୟକ; କିନ୍ତୁ ଧୃତରାଷ୍ଟ୍ର ଯେ ଚକ୍ଷୁହୀନ ।
ସତ୍ୟବତୀ କହିଲେ... କୌଣସି ପ୍ରକାରେ ତ ଧୃତରାଷ୍ଟ୍ରଙ୍କ ପାଇଁ ବଧୂ ଅନ୍ବେଷଣ କରିବାକୁ ପଡ଼ିବ ପୁତ୍ର ।
.....କିଛି ସମୟ ପାଇଁ ଚିନ୍ତାରେ ବୁଡ଼ିଗଲେ ଭୀଷ୍ମ । ତାପରେ କହିଲେ..ମାତେ ! ଭାରତ ଭୂଖଣ୍ଡର ଉତ୍ତର ପଶ୍ଚିମରେ ଗାନ୍ଧାର ନାମକ ଯେଉଁ ରାଜ୍ୟ ଅଛି ତା'ର ରାଜକୁମାରୀ ଗାନ୍ଧାରୀ ଅତ୍ୟନ୍ତ ସୁନ୍ଦରୀ, ସର୍ବଗୁଣ ସମ୍ପନ୍ନା ଏବଂ ଶିବପୂଜାରିଣୀ । ସେ ଧୃତରାଷ୍ଟ୍ରଙ୍କ ପାଇଁ ହେବେ ଉପଯୁକ୍ତ ବଧୂ ।
"କିନ୍ତୁ ଗାନ୍ଧାର ନରେଶ 'ସୁବଳ' ତ ହସ୍ତିନା ସହିତ ଯୁଦ୍ଧରେ ଗୁରୁତର ଭାବରେ ପରାସ୍ତ ହୋଇ ହସ୍ତିନାର ଶତ୍ରୁ ପାଲଟି ଯାଇଛନ୍ତି, ସେ କାହିଁକି ତାଙ୍କର ଏତେ ସୁନ୍ଦରୀ ଗୁଣବତୀ କନ୍ୟାକୁ ଅନ୍ଧ, ରାଜ୍ୟହୀନ, ପରିବାରର ଦୟାରେ ପାଳିତ ଏକ ହତଭାଗ୍ୟ ରାଜପୁତ୍ରକୁ କନ୍ୟା ଦାନକରିବେ ଭୀଷ୍ମ !" ହତାଶ କଣ୍ଠରେ କହିଲେ ସତ୍ୟବତୀ ।
ଭୀଷ୍ମ କହିଲେ... ପରିସ୍ଥିତି ତାଙ୍କୁ ବିବଶ କରିବ ମାତେ!, ହସ୍ତିନାର ଶକ୍ତି ତାଙ୍କୁ ବିବଶ କରିବ, ହସ୍ତିନା ପ୍ରତି ଭୟ ତାଙ୍କୁ ବିବଶ କରିବ । ଏପର୍ଯ୍ୟନ୍ତ ଗାନ୍ଧାର ନରେଶ ଭୁଲି ପାରି ନଥିବେ କିଭଳି ହସ୍ତିନା ସହିତ ଯୁଦ୍ଧରେ ପରାସ୍ତ ହୋଇ ଶୃଙ୍ଖଳିତ ହୋଇ ଭୀଷ୍ମ ସମକ୍ଷରେ ନତଜାନୁ ହୋଇ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ସନ୍ଧି ସର୍ତ୍ତରେ ହସ୍ତାକ୍ଷର କରିଥିଲେ । ହସ୍ତିନା ସହିତ ବନ୍ଧୁତା କରି ନିରାପତ୍ତା ପାଇବା ଆଶାରେ ସେ ନିଶ୍ଚିତ ଭାବରେ ସମ୍ମତ ହେବେ । "
"ତେବେ ଆଉ କାଳ ବିଳମ୍ବ ନକରି ଗାନ୍ଧାର ଅଭିମୁଖେ ଯାତ୍ରା ଆରମ୍ଭକର ପୁତ୍ର", କହିଲେ ରାଜମାତା ସତ୍ୟବତୀ ।
ଗାନ୍ଧାର ରାଜପ୍ରସାଦରେ ପହଞ୍ଚିବା ସମୟରେ ସୁବଳ, ପୁତ୍ର ଶକୁନି ସହିତ ପଶା ଖେଳରେ ମଗ୍ନ ଥିଲେ । ଗଙ୍ଗାପୁତ୍ରଙ୍କୁ ସସମ୍ମାନେ ପାଛୋଟି ନେଇ କୁଶଳ ଜିଜ୍ଞାସା କଲେ ଗାନ୍ଧାର ନରେଶ ସୁବଳ । ସେ ସମ୍ମାନ ଭିତରେ ଲୁଚି ରହିଥିଲା ଗୋଟିଏ ବଡ଼ ଶକ୍ତି ଆଗରେ ଛୋଟ ଶକ୍ତିର ଭୟ, ସିଂହ ଆଗରେ ଇତର ପ୍ରାଣୀଙ୍କ ବିବଶତା । ଉତ୍ତମ ସୁମିଷ୍ଟ ଅଙ୍ଗୁର ରସରେ ଆପ୍ୟାୟିତ କରିବାପରେ ବିନୀତ ଭାବରେ ଆଗମନର ଉଦ୍ଦେଶ୍ୟ ପଚାରିଲେ ସୁବଳ ।
ସୁମିଷ୍ଟ ଫଳରସର ମଧୁରତାକୁ ପ୍ରଶଂସା କରୁ କରୁ ଗଙ୍ଗା ପୁତ୍ର କହିଲେ... ଏହାଠାରୁ ମଧ୍ୟ ମଧୁର ସମ୍ପର୍କ ହସ୍ତିନା ଓ ଗାନ୍ଧାର ଭିତରେ ପ୍ରତିଷ୍ଠା କରିବା ପାଇଁ ମୁଁ ଆସିଛି ଆର୍ଯ୍ୟ ସୁବଳ; ହସ୍ତିନାର ଜ୍ୟେଷ୍ଠ ରାଜପୁତ୍ର ମହାବଳୀ ଧୃତରାଷ୍ଟ୍ରଙ୍କ ସହିତ ଆପଣଙ୍କ କନ୍ୟା ରତ୍ନ ଗାନ୍ଧାରୀ ସହିତ ବିବାହ ପ୍ରସ୍ତାବ ନେଇ ମୁଁ ଆସିଛି । "
ଚମକି ପଡିଲେ ସୁବଳ, ଚମକି ପଡିଲେ ତାଙ୍କ ପୁତ୍ର ଶକୁନି ।
"କିନ୍ତୁ ଆପଣଙ୍କ ତଥାକଥିତ ମହାବଳୀ ଧୃତରାଷ୍ଟ୍ର ତ ଜନ୍ମାନ୍ଧତା ଯୋଗୁଁ 'ମହା ଅସହାୟ' । ଏହି ଅସହାୟତା ତାଙ୍କୁ ରାଜସିଂହାସନ ଅଧିକାରରୁ ବଞ୍ଚିତ କରିଛି । ବର୍ତ୍ତମାନ ସେ ସାନଭାଇ ପଣ୍ଡୁଙ୍କ ଦୟାର ପାତ୍ର । ସର୍ବଗୁଣ ସମ୍ପନ୍ନା ମୋର ଭଗ୍ନିର ବିବାହ ପ୍ରସ୍ତାବ ଆପଣ ଧୃତରାଷ୍ଟ୍ରଙ୍କ ପାଇଁ ନଆଣି ପଣ୍ଡୁଙ୍କ ପାଇଁ ଆଣିଥିଲେ ଆମେ ଆନନ୍ଦିତ ହୋଇଥାନ୍ତୁ ଗାଙ୍ଗେୟ । ଏପରି ରାଜ୍ୟହୀନ ଅନ୍ଧ ରାଜପୁତ୍ରଙ୍କୁ କେଉଁ ରାଜକୁମାରୀ ପତି ପଦରେ ଗ୍ରହଣ କରିବ?", ପ୍ରଶ୍ନ କଲେ ଶକୁନି
ଭୀଷ୍ମ ଗର୍ଜନ କରି ଉଠିଲେ...ଆପଣ ହସ୍ତିନାର ଜ୍ୟେଷ୍ଠ ରାଜକୁମାରଙ୍କର ଅବମାନନା କରୁଛନ୍ତି ରାଜକୁମାର ଶକୁନି । ଏହାର ପରିଣତି ଭୟାବହ ହୋଇପାରେ ।
ଶକୁନିଙ୍କ ଅସନ୍ତୋଷ ଗଙ୍ଗାପୁତ୍ରଙ୍କୁ ବିରକ୍ତ କରିବା ଦେଖି ଶକୁନିଙ୍କୁ ଶାନ୍ତ ହେବାପାଇଁ ନିର୍ଦ୍ଦେଶ ଦେଲେ ସୁବଳ । ବିନୟତା ପୂର୍ବକ ସୁବଳ କହିଲେ...ହେ ଜ୍ଞାନଶ୍ରେଷ୍ଠ ଗଙ୍ଗାପୁତ୍ର ! ଆପଣ ଜାଣନ୍ତି ଯେ "କନ୍ୟା ବରୟତେ ରୂପମ୍" । ସେଥିପାଇଁ ତ ଆର୍ଯାବର୍ତ୍ତରେ ସ୍ଵୟମ୍ବର ବିଧାନ ରହିଛି । କନ୍ୟାର ସମ୍ମତି ବିନା ଏ ବିବାହ କଣ ସମ୍ଭବ ଗଙ୍ଗାପୁତ୍ର ?"
ଅନ୍ତରାଳରେ ଥାଇ ସମସ୍ତ କଥୋପକଥନ ଶୁଣୁଥିଲେ ଗାନ୍ଧାରୀ । ସମ୍ମୁଖକୁ ଆସି ଭୀଷ୍ମଙ୍କ ପାଦବନ୍ଦନା କରି ପିତାଙ୍କୁ ନିଜର ସମ୍ମତି ଶୁଣାଇ ଗାନ୍ଧାରୀ କହିଲେ... ମୁଁ ଏହି ବିବାହ ପ୍ରସ୍ତାବରେ ସମ୍ମତ, ମୁଁ ଧୃତରାଷ୍ଟ୍ରଙ୍କୁ ହିଁ ବିବାହ କରିବି । ସେ ନେତ୍ରହୀନ ହେଲେ ମଧ୍ୟ ମୋର ଦୁଃଖ ନାହିଁ । ନେତ୍ରଵାନ ବ୍ୟକ୍ତି ସୌନ୍ଦର୍ଯ୍ୟକୁ ନେତ୍ର ଦ୍ୱାରା ଦେଖେ, କିନ୍ତୁ ନେତ୍ରହୀନ ତାହା ହୃଦୟ ଦ୍ୱାରା ଦେଖେ । ମୋର ଏ ରୂପ ମଳିନ ପଡିଗଲେ ମଧ୍ୟ ଧୃତରାଷ୍ଟ୍ରଙ୍କ ମନଶ୍ଚକ୍ଷୁରେ ମୁଁ ଚିରଦିନ ଅମଳିନ ଶାଶ୍ଵତ ସୁନ୍ଦର ହୋଇ ରହିଥିବି । ଏହି ମୁହୂର୍ତ୍ତରୁ ମୁଁ ତାଙ୍କୁ ପତି ରୂପରେ ବରଣ କରୁଛି । ଯେହେତୁ ଧୃତରାଷ୍ଟ୍ର ନେତ୍ରହୀନ, ମୁଁ ତାଙ୍କ ସମକକ୍ଷ ହେବାପାଇଁ ଏହି ମୁହୂର୍ତ୍ତରୁ ନିଜ ଆଖି ଦୁଇଟି ଚିରଦିନ ପାଇଁ ଆଚ୍ଛାଦିତ କରିଦେଉଛି । " ଏହା କହି ନିଜର ଦୁଇ ଆଖିକୁ ବସ୍ତ୍ର ଦ୍ୱାରା ବାନ୍ଧି ଦେଲେ ଗାନ୍ଧାରୀ । ଭୀଷ୍ମଙ୍କୁ ଗାନ୍ଧାରୀଙ୍କର ଏହି ପଦକ୍ଷେପ ଗଭୀର ଭାବରେ ପ୍ରଭାବିତ କଲା । ବିରକ୍ତରେ ଶକୁନି ସେ ସ୍ଥାନ ତ୍ୟାଗକରି ଚାଲିଗଲେ ।
ଅନେକଙ୍କ ମତରେ ଏହି ଘଟଣା ହିଁ ଥିଲା ଭବିଷ୍ୟତରେ ଘଟିବାକୁଥିବା ମହାଭାରତ ଯୁଦ୍ଧର ମୂଳଦୁଆ । ଜଣେ ଅନ୍ଧ ରାଜପୁତ୍ରଙ୍କୁ ବିବାହ କରିବାପାଇଁ ନିଷ୍ପତ୍ତି ନେବା ସମୟରେ ଏବଂ ନିଜ ଆଖିରେ ଆଜନ୍ମ ପଟି ବାନ୍ଧିବା ନିଷ୍ପତ୍ତି ନେବା ସମୟରେ ରାଜକୁମାରୀଙ୍କ ମନଭିତରେ କଣ ଘଟିଯାଇଥିବ ତାହା ମହାଭାରତରେ ବର୍ଣ୍ଣନା କରାଯାଇନାହିଁ, କିନ୍ତୁ "ଇରାବତୀ କାର୍ଭେ"( famous writer and anthropologist from Maharastra)ଙ୍କ ଭଳି ଅନେକ ବିଜ୍ଞ ଲେଖକ ଏବଂ ସମାଲୋଚକଙ୍କ ମତରେ ଭୀଷ୍ମଙ୍କର ଗାନ୍ଧାର ରାଜ୍ୟ ପ୍ରତି ମନୋବୃତ୍ତି(ଡରାଇବା) ବିରୁଦ୍ଧରେ ଗାନ୍ଧାରୀ ଏହି ପଦକ୍ଷେପ ନେଇଥିଲେ । ହସ୍ତିନାର ଶକ୍ତି ତୁଳନାରେ ଗାନ୍ଧାର ଏକ କ୍ଷୁଦ୍ର ରାଜ୍ୟ ଥିଲା । ହସ୍ତିନାର ଆକ୍ରମଣରୁ ଗାନ୍ଧାରକୁ ରକ୍ଷା କରିବାକୁ ହେଲେ ତା ସହିତ ବନ୍ଧୁତା ସ୍ଥାପନ କରିବାକୁ ହେବ ଏବଂ ବୈବାହିକ ସମ୍ବନ୍ଧ ଭଳି ଦୃଢ଼ ସମ୍ବନ୍ଧ ସ୍ଥାପନ କରିବାକୁ ହେବ ।
ନିଜର ପ୍ରିୟ ଭଉଣୀକୁ ଜଣେ ରାଜ୍ୟହୀନ ଅନ୍ଧ ରାଜପୁତ୍ର ସହିତ ବିବାହ କରାଇଥିବାରୁ ପିତାମହ ଭୀଷ୍ମଙ୍କୁ ଏବଂ ହସ୍ତିନାକୁ କ୍ଷମା ଦେଇପାରିଲେ ନାହିଁ ଶକୁନି । କଳେବଳେ କୌଶଳେ କୁରୁବଂଶ ଧ୍ୱଂସ କରିବା ପଣ ସେ ସେହିଦିନ ଠାରୁ ମନରେ ପୋଷଣ କଲେ । ସେଥିପାଇଁ ହସ୍ତିନାର ରାଜପ୍ରସାଦକୁ ସେ ନିଜର କର୍ମଭୂମି ଭାବରେ ବାଛିନେଲେ । ନିଜ ଭଣଜା ଏକଶତ କୁରୁ ରାଜପୁତ୍ରଙ୍କୁ ପଣ୍ଡୁପୁତ୍ରମାନଙ୍କ ବିରୁଦ୍ଧରେ ପ୍ରରୋଚିତ କରି ସେ ମହାଭାରତ ଯୁଦ୍ଧର ମୂଳଦୁଆ ପକାଇଥିଲେ । ସାଧାରଣତଃ ମହାଭାରତର ଚାରିଜଣ ବ୍ୟକ୍ତି ପାଣ୍ଡବମାନଙ୍କର ପରମ ଶତ୍ରୁ ଭାବରେ ପରିଗଣିତ ହୁଅନ୍ତି ଯଥା.. ଦୁର୍ଯ୍ୟୋଧନ, ଦୁଃଶାସନ, କର୍ଣ୍ଣ, ଶକୁନି । କିନ୍ତୁ ବାସ୍ତବରେ ଶକୁନିଙ୍କୁ ଶତ୍ରୁ ଭାବରେ ଧରାଯିବ ନାହିଁ । କୌରବମାନଙ୍କ ବଂଶ ଧ୍ୱଂସ କରିବା ପାଇଁ ପଣ ନେଇ ପାଣ୍ଡବମାନଙ୍କର ହିତୈଶୀ ଭାବରେ ସେ କାର୍ଯ୍ୟ କରୁଥିଲେ ।
ଶାରଳା ମହାଭାରତରେ ଶକୁନିଙ୍କ ପ୍ରତିଶୋଧ ବିଷୟରେ ଏକ ଭିନ୍ନ ଉପାଖ୍ୟାନ ରହିଛି । ସେ କାହାଣୀ ଅନୁସାରେ ଦୁର୍ଯ୍ୟୋଧନ ଏବଂ ଭୀମଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା । ଏକଦା ଦୁର୍ଯ୍ୟୋଧନ ଭୀମଙ୍କୁ ଅପମାନିତ କରିବାପାଇଁ ଜାରଜ ସନ୍ତାନ "ପବନ ନନ୍ଦନ"ବୋଲି ସମ୍ବୋଧନ କରିବାରୁ ଭୀମ ଦୁର୍ଯ୍ୟୋଧନକୁ ବିଧବା ପୁତ୍ର "ଗୋଲକ ନନ୍ଦନ" ବୋଲି ପ୍ରତିସମ୍ବୋଧନ କଲେ । ଏହାର ଅର୍ଥ ଖୋଜିବାକୁଯାଇ ଦୁର୍ଯ୍ୟୋଧନ ଜାଣି ପାରିଲେ ଯେ ତାଙ୍କ ମାତା ଗାନ୍ଧାରୀ, ଉଆଁସୀ କନ୍ୟା ଦୋଷ କଟାଇବା ପାଇଁ ବିବାହ ପୂର୍ବରୁ ପ୍ରଥମେ ଗୋଲକ ବା ସାହାଡ଼ା ଗଛକୁ ବିବାହ କରିଥିଲେ । ବିବାହ ପରେ ପରେ ସାହାଡ଼ା ଗଛଟି ମରିଯାଇଥିଲା । ପରେ ଧୃତରାଷ୍ଟ୍ରଙ୍କ ସହିତ ତାଙ୍କର ବିବାହ ସଂଘଟିତ ହୋଇଥିଲା ।
ଏହି ଘଟଣା ଜ୍ଞାତସାରକୁ ଆସିବା ପରେ ଦୁର୍ଯ୍ୟୋଧନ ମାତୁଳାଳୟ ଉପରେ ଭୀଷଣ କ୍ରୋଧିତ ହୋଇ ରାଜା ସୁବଳଙ୍କ ସହିତ ତାଙ୍କ ଏକଶତ ପୁତ୍ରଙ୍କୁ ବନ୍ଦୀକରି କାରାଗାରରେ ନିକ୍ଷେପ କଲେ । ବନ୍ଦୀମାନଙ୍କୁ ଖାଦ୍ୟ ପରିମାଣ ଧୀରେ ଧୀରେ କମ କରି ଦିଆଯାଉଥିଲା । ପୁତ୍ରମାନଙ୍କ ଭିତରେ ଶକୁନି ସମସ୍ତଙ୍କ ଠାରୁ ବୁଦ୍ଧିମାନ ଥିବାରୁ ସୁବଳ ତାଙ୍କୁ ବଞ୍ଚାଇ ରଖିବାକୁ ଚାହୁଁ ଥିଲେ । ତେଣୁ ଯାହା କିଛି ଖାଦ୍ୟ ଆସୁଥିଲା ସେ ଅନ୍ୟମାନଙ୍କଠାରୁ କାଟି ଶକୁନିଙ୍କୁ ଦେଉଥିଲେ । ଧୀରେ ଧୀରେ ସବୁ ଭାଇ ଓ ପିତାଙ୍କ ମୃତ୍ୟୁ ଘଟିଲା । ପିତାଙ୍କ ଶରୀରର ହାଡ଼ରେ ଶକୁନି ପଶାକାଠି ତିଆରି କରି ରଖିଲେ ।
ଥରେ ମାମୁଁ ଶକୁନିଙ୍କ ଅସୀମ ବୁଦ୍ଧିମତାର ପରିଚୟ ପାଇଲେ ଦୁର୍ଯ୍ୟୋଧନ । କଥାଟି ଏହିପରି ଥିଲା...ଥରେ ଦୁର୍ଯ୍ୟୋଧନ ପରିସ୍ରା କରିବା ସମୟରେ ପରିସ୍ରା ସ୍ରୋତରେ ବରଗଛର ମଞ୍ଜି ଭାସି ଗଲା । ଦୁର୍ଯ୍ୟୋଧନ ହସିଦେଲେ । ଏହି ଘଟଣା ଦେଖୁଥିବା ଗୋଟିଏ ଦାସୀ ରାଜପୁତ୍ରଙ୍କୁ ହସିବାର ଦେଖି କାରଣ ନଜାଣି ହସିଦେଲା । ଦୁର୍ଯ୍ୟୋଧନ ଏପରି ହସିବାର କାରଣ ପଚାରିବାରୁ ଦାସୀ ଉତ୍ତର ଦେଇ ପାରିଲା ନାହିଁ । କ୍ରୋଧିତ ହୋଇ ଦୁର୍ଯ୍ୟୋଧନ ଦାସୀଙ୍କୁ କହିଲେ..କାଲି ସକାଳ ସୁଦ୍ଧା ତୁ ଯେବେ ଏହାର ଉତ୍ତର ଦେଇ ନପାରିବୁ ତାହେଲେ ତୋର ମୁଣ୍ଡକାଟ ହେବ ।
ଯୋଗକୁ ସେ ଦାସୀଟି କାରାଗାର ପରିଚାରିକା ଥିଲା । ସେଦିନ ବନ୍ଦୀ ଶକୁନିଙ୍କ ପାଇଁ ଖାଦ୍ୟ ଦେବା ସମୟରେ ଦାସୀ ନିଜର ଦୁର୍ଭାଗ୍ୟ ବର୍ଣ୍ଣନା କରି କହିଲା...ହେ ବନ୍ଦୀ, ଆଜି ତୁମ ସହିତ ମୋର ଶେଷ ସାକ୍ଷାତ ।
ଦାସୀ ଠାରୁ ସବୁ ଶୁଣିବା ପରେ ଶକୁନି କହିଲେ..ଏହାର ଉତ୍ତର ମୋତେ ଜଣାଅଛି । ତୁ ଦୁର୍ଯ୍ୟୋଧନଙ୍କୁ କହିବୁ... ପରିସ୍ରା କରିବା ସମୟରେ ବଟବୃକ୍ଷର ମଞ୍ଜି ଭାସିଯିଵା ଦେଖି ଆପଣ ଭାବିଲେ ଏତେ ବିଶାଳ ବୃକ୍ଷ କେତେ ଝଡ ଝଞ୍ଜା ବନ୍ୟାର ପ୍ରକୋପରେ ଦୃଢ଼ ଅଚଳ ଅଟଳ ହୋଇରହିଛି, ଅଥଚ ବିଶାଳ ବୃକ୍ଷକୁ ସୃଷ୍ଟି କରୁଥିବା ମଞ୍ଜି ମନୁଷ୍ୟର ପରିସ୍ରା ଧାରରେ ବହି ଯାଉଛି ! ତେଣୁ ଆପଣ ହସିଲେ, ଆପଣ ହସିବାରୁ ମୁଁ ହସିଲି । "
ଶକୁନି କହିବା ଅନୁସାରେ ଦାସୀ ତାର ଉତ୍ତର ଦୁର୍ଯ୍ୟୋଧନଙ୍କ ପାଖରେ ରଖିଲା । ଦୁର୍ଯ୍ୟୋଧନ ଉତ୍ତର ଶୁଣି ଆନନ୍ଦିତ ହେଲେ କିନ୍ତୁ ଦାସୀକୁ କହିଲେ...ଏହା ତୋ ବୁଦ୍ଧି ନୁହେଁ, କହ କାହାର ବୁଦ୍ଧିରେ ତୁ ଏହା କହୁଛୁ ।
ଦାସୀ ଶକୁନିଙ୍କ ନାମ ଉଲ୍ଲେଖ କରିବାରୁ ଦୁର୍ଯ୍ୟୋଧନ ଭାବିଲେ ଏତେବଡ଼ ବୁଦ୍ଧିମାନ ବ୍ୟକ୍ତି ରାଜ ଦରବାର ପାଇଁ ଉପଯୁକ୍ତ । ଏହାପରେ ସେ ମାମୁଁ ଶକୁନିଙ୍କୁ ବନ୍ଦୀଶାଳାରୁ ମୁକ୍ତିଦେଇ ନିଜ ପରାମର୍ଶ ଦାତା ଭାବରେ ନିଯୁକ୍ତି ଦେଲେ । ଶକୁନିଙ୍କ ମନରେ ପ୍ରତିଶୋଧ ଅଗ୍ନି ଜଳୁଥିଲା । ପିତାଙ୍କ ଶରୀରର ହାଡ଼ରେ ତିଆରି ପଶାକାଠି ହେଲା ତାଙ୍କର ଅବ୍ୟର୍ଥ ଅସ୍ତ୍ର । ତା'ସାହାଯ୍ୟରେ ସେ ଆଗେଇ ଗଲେ କୁରୁକୁଳ ଧ୍ୱଂସ କରିବାପାଇଁ ।
ଶାରଳାଦାସଙ୍କର ଏହି ଉପାଖ୍ୟାନ ମୂଳ ମହାଭାରତରେ ନାହିଁ । ଏହା ମଧ୍ୟ କିଛିଟା ଅବାସ୍ତବ ଲାଗେ;ରାଜପୁତ୍ର କାହିଁକି ବରଗଛ ତଳେ ପରିସ୍ରା କରିବେ !!
ସେ ଯାହାହେଉ, ଅପୂର୍ବ ମହାଭାରତର ଏହା ଅପୂର୍ବ କାହାଣୀ;ତାକୁ କାଳକ୍ରମେ ବିଭିନ୍ନ ଆଞ୍ଚଳିକ ଲେଖକ ପାଠକୀୟ ଆଦୃତି ପାଇଁ, ବିଷୟ ବସ୍ତୁରେ ସାମାନ୍ୟ ପରିବର୍ତ୍ତନ କରି ନିଜର କଳ୍ପନା ପୁଟ ଦେଇଛନ୍ତି ଏବଂ ତାହା ବିପୁଳ ଆଦୃତି ଲାଭ କରିଛି ମଧ୍ୟ ।
କ୍ରମଶଃ.....
