Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀଭାଗ ୧୫

କଥା କାଦମ୍ବରୀଭାଗ ୧୫

4 mins
244


ରାଜକନ୍ୟାଙ୍କ ଲିଙ୍ଗ ପରିବର୍ତ୍ତନ


================================


ବହୁ ବର୍ଷର ତପସ୍ୟା ଓ କୁଚ୍ଛ୍ର ସାଧନା ପରେ ଆଶୁତୋଷ ଶିବଙ୍କ ଠାରୁ ଆଶୀର୍ବାଦ ଲାଭ କଲେ ଅମ୍ବା ଯେ ପରଜନ୍ମରେ ସେ ଭୀଷ୍ମଙ୍କ ମୃତ୍ୟୁର କାରଣ ହେବେ । ଜୀବନର ଅବଶିଷ୍ଟ ଦିନ ପ୍ରତିଶୋଧ ଅଗ୍ନିରେ ଜଳିବାକୁ ଚାହିଁଲେ ନାହିଁ ଅମ୍ବା । ଅଗ୍ନି ପ୍ରସ୍ତୁତ କରି ସେଥିରେ ପ୍ରାଣ ବିସର୍ଜନ କଲେ‌ । ଏ ଭିତରେ ବିତିଯାଇଥିଲା ଅନେକ ବର୍ଷ । କନ୍ୟା ରୂପରେ ପାଞ୍ଚାଳ ରାଜା ଦ୍ରୁପଦଙ୍କ ଘରେ ସେ ଜନ୍ମ ନେଲେ । ପିତା ଦ୍ରୁପଦ କନ୍ୟାର ନାମ ରଖିଲେ ଶିଖଣ୍ଡୀ । 


.....କନ୍ୟା ହୋଇ ଜନ୍ମ ନେଇଥିଲେ ମଧ୍ୟ ଶୈଶବରୁ ଶିଖଣ୍ଡୀଙ୍କ ଠାରେ ସମସ୍ତ ବାଳକ ସୁଲଭ ଗୁଣ ଫୁଟି ଉଠିଥିଲା । ଶୈଶବରେ ଅଧିକାଂଶ ସମୟ ସେ ମାତୁଳରାଜ୍ୟ କାଶୀରେ ଅତିବାହିତ କରୁଥିଲେ । ସାଙ୍ଗରେ ଅନ୍ୟ ଦୁଇଭାଇ ଧୃଷ୍ଟଦ୍ୟୁମ୍ନ ଏବଂ ସତ୍ୟଜିତ ମଧ୍ୟ ରହିଥାନ୍ତି । ଦୁଇ ଭାଇଙ୍କ ପରି ଶିଖଣ୍ଡୀ ମଧ୍ୟ ବାଳକ ବେଶରେ ନିଜକୁ ସବୁବେଳେ ସଜାଇ ରଖିବାକୁ ଭଲ ପାଉଥିଲେ । ଭାଇମାନଙ୍କ ସହିତ ଧନୁର୍ବିଦ୍ୟା ଏବଂ ଖଡ୍ଗ ଯୁଦ୍ଧ ଇତ୍ୟାଦିରେ ସେ ଜିଦ୍ କରି ଭାଗ ନେଉଥିଲେ । ତାଙ୍କୁ ଦଶ ବର୍ଷ ବୟସ ବେଳେ ତାଙ୍କ ମାତାଙ୍କର ଅକାଳ ମୃତ୍ୟୁ ହେବାରୁ ମାତୁଳଙ୍କ ଗୃହରୁ ନିଜ ରାଜ୍ୟକୁ ଫେରି ଆସିଲେ ଶିଖଣ୍ଡୀ । ତାଙ୍କୁ ବାଳକ ବେଶରେ ଦେଖି ବିରକ୍ତି ପ୍ରକାଶ କରିଥିଲେ ରାଜା ଦ୍ରୁପଦ । କିନ୍ତୁ ଶିଖଣ୍ଡୀ ସର୍ବଦା ବାଳକ ବେଶରେ ରହିବାକୁ ଚାହୁଁଥିଲେ । ପିତା ଦ୍ରୁପଦ, ମନ୍ତ୍ରୀ 'ଉଦ୍ବୋଧନ' ଏବଂ ଭାଇ ଭଉଣୀଙ୍କ ଛଡ଼ା ସେ କନ୍ୟା ବୋଲି କେହି ଜାଣିନଥିଲେ । ତାଙ୍କ କଥାବାର୍ତ୍ତା ବ୍ୟବହାର ଦେଖି କେହି କେହି ସନ୍ଦେହ କରୁଥିଲେ ଯେ ସେ ପୁଅ ପିଲା ନୁହନ୍ତି । 


.....ଏହା ମଧ୍ୟରେ ଏକ ରୋଚକ ଘଟଣା ଘଟିଗଲା । ଦଶର୍ଣ୍ଣାକ୍ଷ ରାଜ୍ୟ ସହିତ ଭଲ ସମ୍ପର୍କ ରଖିବାପାଇଁ ବ୍ୟଗ୍ର ହୋଇ ଦ୍ରୁପଦ ସେ ରାଜ୍ୟ ସହିତ ବୈବାହିକ ସମ୍ପର୍କ ରଖିବାକୁ ଚାହୁଁଥିଲେ । ସେ ରାଜ୍ୟର ରାଜା ହିରଣ୍ୟବର୍ମାଙ୍କର ଦଶାର୍ଣ୍ଣି ନାମକ ଗୋଟିଏ ସୁନ୍ଦରୀ କନ୍ୟା ଥିଲା । ସେ ସମୟରେ ବାଲ୍ୟ ବିବାହ ପ୍ରଥା ଥିଲା । ଦଶାର୍ଣ୍ଣିଙ୍କ ବୟସ ମାତ୍ର ଛଅ ବର୍ଷ । ହିରଣ୍ୟବର୍ମା ଶିଖଣ୍ଡୀଙ୍କ ପାଇଁ କନ୍ୟାର ବିବାହ ପ୍ରସ୍ତାବ ଯେତେବେଳେ ଆଣିଲେ, ସମ୍ମତି ଜଣାଇ ବିବାହ କାର୍ଯ୍ୟ ସମ୍ପନ୍ନ କରିଦେଲେ ରାଜା ଦ୍ରୁପଦ । 

.....ରାଜକୁମାର ବେଶରେ କନ୍ୟାକୁ ବିବାହ କରିଥିବା ଶିଖଣ୍ଡୀଙ୍କ ପୁରୁଷତ୍ୱ ବିଷୟରେ ପରେ କିଛି ଆଲୋଚନା ହିରଣ୍ୟବର୍ମାଙ୍କ କାନରେ ପଡ଼ିଲା । ଏ ଭିତରେ ରାଜକନ୍ୟା ଗୃହଯୋଗ୍ୟା ହେଲେ । ଗୁପ୍ତଚର ଆସି ହିରଣ୍ୟବର୍ମାଙ୍କୁ କହିଲା... ପାଞ୍ଚାଳରେ ପ୍ରଜାମାନଙ୍କ ମଧ୍ୟରେ କଥୋପକଥନ ଚାଲିଛି, ଶିଖଣ୍ଡୀ ବାସ୍ତବରେ ପୁରୁଷ ନୁହଁନ୍ତି, ଡାଲିରେ ନିଶ୍ଚିତ ଭାବରେ କିଛି କଳା ଅଛି । "ଉପସ୍ଥିତ ଜଣେ ଅମାତ୍ୟ କହିଲେ.. କିଛି କଳା କଣ? ମୁଁ ତ ଶୁଣୁଛି ଡାଲି ବସ୍ତାଟି ସମ୍ପୂର୍ଣ୍ଣ କଳା । "

ହିରଣ୍ୟବର୍ମା ବିବ୍ରତ ହୋଇପଡିଲେ । ସଙ୍ଗେ ସଙ୍ଗେ ପାଞ୍ଚାଳକୁ ଦୂତ ଦ୍ୱାରା ସମ୍ବାଦ ପଠାଇଲେ ଯେ ଗୃହଯୋଗ୍ୟା କନ୍ୟା ସହିତ ସେ ପାଞ୍ଚାଳ ଅଭିମୁଖେ ଯାତ୍ରା କରୁଛନ୍ତି । 


.....ହିରଣ୍ୟ ବର୍ମାଙ୍କର ପାଞ୍ଚାଳ ଅଭିମୁଖେ ଯାତ୍ରା ସମ୍ବାଦ ପାଇ ବିବ୍ରତ ହୋଇଗଲେ ଦ୍ରୁପଦ । ନିଜ ଭୁଲ ସେତେବେଳେ ତାଙ୍କୁ ଦେଖାଗଲା ନାହିଁ; ଶିଖଣ୍ଡୀଙ୍କ ଉପରେ ବର୍ଷଣ ହେଲା ଗାଳି । ଦ୍ରୁପଦ କହିଲେ... ତୋ ଭଳି ତୁତୀୟଲିଙ୍ଗୀ ସନ୍ତାନ ପାଇଁ ମୁଁ ଘୋର ଲଜ୍ଜିତ । ଏବେ ମୋତେ ବୁଦ୍ଧି ଦେଖାଯାଉନାହିଁ ମୁଁ ପରିସ୍ଥିତିର କିପରି ସମ୍ମୁଖୀନ ହେବି । 


.....ଶିଖଣ୍ଡୀ ଠିକ୍ କଲେ ତାଙ୍କ ରହସ୍ୟ ଉନ୍ମୋଚନ ହେବା ପୂର୍ବରୁ ସେ ପଳାୟନ କରିବେ ଅଥବା ମୃତ୍ୟୁ ବରଣ କରିବେ । ଗଙ୍ଗାରେ ଝାସ ଦେବାପାଇଁ ଯାଉଥିଲେ ଶିଖଣ୍ଡୀ । ଯୋଗକୁ ସେ ସମୟରେ ବାସୁଦେବ କୃଷ୍ଣଙ୍କର ଆଗମନ ହୋଇଥାଏ କାମ୍ପିଲ୍ୟକୁ(ପାଞ୍ଚାଳ ରାଜଧାନୀ) । ଆତ୍ମହତ୍ୟା କରିବାକୁ ଯାଉଥିବା ଶିଖଣ୍ଡୀଙ୍କୁ ଅଟକାଇ ବାସୁଦେବ ପଚାରିଲେ... ତୁମେ ଏକଣ କରିବାକୁ ଯାଉଛ ଶିଖଣ୍ଡୀ?ଜାଣ ତୁମେ କିଏ?ତୁମ ପୂର୍ବଜନ୍ମ କଥା କ'ଣ ତୁମର କିଛି ମନେ ନାହିଁ?"


.....ଆଶୁତୋଷ ଶିବଙ୍କ ଦୟାରୁ ଶିଖଣ୍ଡୀଙ୍କ ଆଖି ଆଗରେ ସବୁ ସ୍ପଷ୍ଟ ହୋଇଗଲା । ଶିଖଣ୍ଡୀ କହିଲେ... କିନ୍ତୁ ମୋର ବିବଶତା ଦେଖନ୍ତୁ ବାସୁଦେବ,ନାରୀର ଶରୀର ଭିତରେ ମୁଁ ଗୋଟାଏ ପୁରୁଷ । ମୋର ଲକ୍ଷ୍ୟ ପ୍ରାପ୍ତି ପାଇଁ କିଏ ମୋତେ ଯୁଦ୍ଧ ବିଦ୍ୟାରେ ପ୍ରବୀଣ କରିବ?କିଏ ମୋତେ ପୁରୁଷର ପରିଚୟ ଦେବ ?

ବାସୁଦେବ କହିଲେ... ତୁମେ ଦୁର୍ବଳା ଅବଳା ନୁହଁ ଶିଖଣ୍ଡୀ,ତୁମେ ଅମୀତ ଶକ୍ତିର ଉତ୍ସ, ଏଭଳି ପଳାତକ ହୋଇ କେତେ ଜନ୍ମ ତୁମେ ଆତ୍ମହତ୍ୟା କରିଚାଲିଥିବ?ମୋ କଥା ମାନି ଗୁରୁ ଦ୍ରୋଣଙ୍କ ଆଶ୍ରମକୁ ଯାଅ;ଯୁଦ୍ଧ ବିଦ୍ୟାରେ ସେ ତୁମକୁ ପାରଦର୍ଶିତା ଦେବେ । ତୁମେ ଯେବେ ପୁରୁଷ ହେବାପାଇଁ ଚାହୁଁଛ, ସେଥିପାଇଁ କଣ ଚିକିତ୍ସା କରିବାକୁ ହେବ ସେ ଦିଗ୍ଦର୍ଶନ ମଧ୍ୟ ଦେଇପାରନ୍ତି ଗୁରୁ ଦ୍ରୋଣ । "

ଶିଖଣ୍ଡୀ କହିଲେ...ମହାଭାଗ ! ଗୁରୁ ଦ୍ରୋଣ ମୋ ପିତାଙ୍କର ଶତ୍ରୁ;ମୋ ଉପରେ ସେ କାହିଁକି ଦୟା କରିବେ?


.....କୃଷ୍ଣ କହିଲେ..ତୁମେ ଦ୍ରୋଣଙ୍କୁ ଠିକ୍ ବୁଝି ନାହଁ ଶିଖଣ୍ଡୀ,ସବୁ ସତକଥା ଶୁଣିବା ପରେ ସେ ନିଶ୍ଚିତ ଭାବରେ ତୁମକୁ ସାହାଯ୍ୟ କରିବେ । ତୁମେ ବର୍ତ୍ତମାନ ଆତ୍ମହତ୍ୟା କରିବାକୁ ଯାଉଥିଲ, ତାଠାରୁ ଏ ପରୀକ୍ଷାମୂଳକ ମାର୍ଗ କଣ ଠିକ୍ ନୁହେଁ? ଦ୍ରୋଣଙ୍କ ପାଖକୁ ଯାଅ । ସବୁ ସତ କଥା ତାଙ୍କୁ କହିବ, ଏକଥା ମଧ୍ୟ କହିବ ଯେ ବାସୁଦେବ କୃଷ୍ଣଙ୍କ ନିର୍ଦ୍ଦେଶରେ ତୁମେ ତାଙ୍କ ପାଖକୁ ଯାଇଛ । କିନ୍ତୁ ତୁମ ପୂର୍ବଜନ୍ମ କଥା କହିବ ନାହିଁ । "

ବାସୁଦେବଙ୍କ ନିର୍ଦ୍ଦେଶରେ ଦ୍ରୋଣଙ୍କ ଗୁରୁକୁଳରେ ପହଞ୍ଚି ଶିଖଣ୍ଡୀ ସବୁ ସତକଥା କହିଲେ ଏବଂ ନିଜର ବିବଶତା ମଧ୍ୟ ବ୍ୟକ୍ତ କଲେ । ସବୁ ଶୁଣିବା ପରେ ଉଦାର ହୃଦୟରେ ଦ୍ରୋଣ ଶିଖଣ୍ଡୀଙ୍କୁ ଶିଷ୍ୟ ଭାବରେ ଗ୍ରହଣ କଲେ ଏବଂ ସମସ୍ତ ଶସ୍ତ୍ର ଶାସ୍ତ୍ର ବିଦ୍ୟା ଶିକ୍ଷା ଦେଲେ । ଏକଥା ପାଞ୍ଚାଳ ରାଜା ଦ୍ରୁପଦ ଜାଣିପାରିଲେ ନାହିଁ । ସେ ଭାବିଲେ ଘୋର ଅପମାନରେ ଶିଖଣ୍ଡୀ ଗଙ୍ଗାରେ ଝାସ ଦେଇ ପ୍ରାଣ ବିସର୍ଜନ କରିଛନ୍ତି । ହିରଣ୍ୟବର୍ମା ଯେତେବେଳେ କନ୍ୟା ସହିତ ପାଞ୍ଚାଳରେ ପହଞ୍ଚିଲେ,ଶିଖଣ୍ଡୀଙ୍କ ନିରୁଦ୍ଦିଷ୍ଟ ହେବା ସମ୍ବାଦ ତାଙ୍କ ସନ୍ଦେହକୁ ବଳବତ୍ତର କଲା । ଭୀଷଣ କ୍ରୋଧରେ ପାଞ୍ଚାଳ ରାଜାଙ୍କୁ ଭର୍ତ୍ସନାକରି ସେ କନ୍ୟା ସହିତେ ଫେରି ଗଲେ । 


.....ଏଣେ ଦ୍ରୋଣ 'ସ୍ଥୂଣକର୍ଣ୍ଣ' ନାମକ ଜଣେ ଯକ୍ଷଙ୍କ ପାଖକୁ ଶିଖଣ୍ଡୀଙ୍କୁ ଚିକିତ୍ସା ପାଇଁ ପଠାଇଲେ । ଲିଙ୍ଗ ପରିବର୍ତ୍ତନ ପାଇଁ ଶଲ୍ୟଚିକିତ୍ସାରେ ଧୁରନ୍ଧର ଥିଲେ ସ୍ଥୂଣକର୍ଣ୍ଣ । କେବଳ ସେତିକି ନୁହେଁ, ଔଷଧ ବ୍ୟବହାର କରି ଅନ୍ୟାନ୍ୟ ଶାରୀରିକ ଓ ମାନସିକ ପରିବର୍ତ୍ତନ ସଙ୍ଗେ ସଙ୍ଗେ କଣ୍ଠସ୍ବରର ମଧ୍ୟ ପରିବର୍ତ୍ତନ କରାଇ ପାରୁଥିଲେ ଏହି ଯକ୍ଷବୈଦ୍ୟ । ଦୀର୍ଘ ଚାରିମାସ ସ୍ଥୂଣକର୍ଣ୍ଣଙ୍କ ଚିକିତ୍ସାରେ ରହିଲେ ଶିଖଣ୍ଡୀ । ବଡ଼ ଯନ୍ତ୍ରଣା ଦାୟକ ଥିଲା ସେ ଚିକିତ୍ସା । ଚାରିମାସ ପରେ ପାଞ୍ଚାଳକୁ ଯେତେବେଳେ ଫେରି ଆସିଲେ ଶିଖଣ୍ଡୀ ରାଜପ୍ରସାଦରେ ଚହଳ ପଡିଗଲା । ଶିଖଣ୍ଡୀଙ୍କ ମୁହଁରେ ଅଳ୍ପ ଦାଢି ଗଜୁରି ଆସିଥିଲା,କଣ୍ଠ କିଛି କିଛି ପୁରୁଷ କଣ୍ଠ ଭଳି ଶୁଣାଯାଉଥିଲା । ପିତାଙ୍କ ପାଦତଳେ ମସ୍ତକ ନୁଆଁଇ ଶିଖଣ୍ଡୀ କହିଲେ... ଆଜିଠାରୁ ମୁଁ ଆପଣଙ୍କର କନ୍ୟା ନୁହେଁ; ପୁତ୍ରମାନଙ୍କ ମଧ୍ୟରୁ ଜଣେ,ଆଉ ଆପଣଙ୍କୁ ମୋ ପାଇଁ ଲଜ୍ଜିତ ହେବା ପାଇଁ ପଡ଼ିବ ନାହିଁ । 

ଦ୍ରୁପଦ ହିରଣ୍ୟବର୍ମାଙ୍କ ପାଖକୁ ନିମନ୍ତ୍ରଣ ପଠାଇଲେ କନ୍ୟା ସ‌ହିତ ପାଞ୍ଚାଳ ଆଗମନ ପାଇଁ । 


(ତଥ୍ୟ...C.Rajagopalacharyଙ୍କ ମହାଭାରତ ଏବଂ Dr.KM Munshiଙ୍କ କୃଷ୍ଣାବତାର)


================================



Rate this content
Log in