STORYMIRROR

Kulamani Sarangi

Others

4  

Kulamani Sarangi

Others

କଥା କାଦମ୍ବରୀ (ଶର୍ମିଷ୍ଠାଙ୍କ ଅପରାଧ)

କଥା କାଦମ୍ବରୀ (ଶର୍ମିଷ୍ଠାଙ୍କ ଅପରାଧ)

4 mins
199


ରାକ୍ଷସମାନଙ୍କ ରାଜା ବୃଷପର୍ବାଙ୍କର ଶର୍ମିଷ୍ଠା ନାମରେ ଗୋଟିଏ ଅତି ଗୁଣବତୀ ଏବଂ ରୂପବତୀ କନ୍ୟା ଥିଲେ । ଗୁରୁ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଦେବଯାନୀଙ୍କର ସେ ଥିଲେ ଅତ୍ୟନ୍ତ ଅନ୍ତରଙ୍ଗ ସଖୀ । କଚଙ୍କର ସ୍ୱର୍ଗକୁ ପ୍ରତ୍ୟାବର୍ତ୍ତନ ପରେ ଦେବଯାନୀ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ । ସେହି ସମୟରେ ଶର୍ମିଷ୍ଠା ପ୍ରିୟସଖୀ ଦେବଯାନୀଙ୍କୁ ଶାନ୍ତ୍ୱନା ଦେଇ ମନ ପରିବର୍ତ୍ତନ କରିବାର ପ୍ରୟାସ କରିଥିଲେ । କ୍ରମେ କଚଙ୍କର ସ୍ମୃତି ଦେବଯାନୀଙ୍କ ମନରୁ ଦୂର ହୋଇଯାଇଥିଲା । 


====ଥରେ ସହଚରୀମାନଙ୍କ ସହିତ ରାଜକନ୍ୟା ଶର୍ମିଷ୍ଠା ପ୍ରିୟସଖୀ ଦେବଯାନୀଙ୍କୁ ନେଇ କାନନରେ ଭ୍ରମଣ କରୁଥିଲେ । ସମୟ ଥିଲା ବସନ୍ତ ଋତୁ । ନାନା ପ୍ରକାର ଫୁଲ ଫଳ ସମ୍ଭାରରେ ପରିପୂର୍ଣ୍ଣ ହୋଇଥିଲା କାନନ ପ୍ରକୃତି । ସୌନ୍ଦର୍ଯ୍ୟ ଆଶ୍ୱାଦନ କରୁ କରୁ ଗଭୀର ବନଦେଶକୁ ପ୍ରବେଶ କରି କ୍ଲାନ୍ତ ହୋଇପଡିଲେ ଦୁଇ ସଖୀ । ପାଖରେ ଗୋଟିଏ ସୁଶୀତଳ ପୁଷ୍କରିଣୀ ଥିଲା । ଦୁଇ ସଖୀ ଏବଂ ସାଙ୍ଗରେ ଆସିଥିବା ସମସ୍ତ ସହଚରୀ କୂଳରେ ନିଜ ନିଜର ଶାଢ଼ି ରଖିଦେଇ ପୁଷ୍କରିଣୀ ଭିତରେ ଜଳକ୍ରୀଡାରେ ମାତିଗଲେ । 

ଏହି ସମୟରେ ତୀବ୍ର ବେଗରେ ପବନ ବହିବାରେ ଲାଗିଲା । କୂଳରେ ରଖାଯାଇଥିବା ଶାଢ଼ିଗୁଡିକ ପବନରେ ଉଡ଼ି ଗୋଟିଏ ସ୍ଥାନରେ ଏକାଠି ହୋଇ ଗଲା । 


=====ଜଳକ୍ରୀଡା ପରେ ପ୍ରଥମେ ଶର୍ମିଷ୍ଠା କୂଳକୁ ଆସି ନିଜର ଶାଢ଼ି ଖୋଜି ଖୋଜି ପାଇଲେ ନାହିଁ । ରାଜକନ୍ୟା ଅନନୋପାୟ ହୋଇ ଶାଢ଼ି ଗଦା ଭିତରୁ ଗୋଟିଏ ଶାଢ଼ି ପିନ୍ଧି ପକାଇଲେ । ଶାଢ଼ି ପିନ୍ଧିବା ସମୟରେ ଭାବିଲେ.. ହଁ ମ ସଖୀମାନଙ୍କ ଭିତରୁ କାହାର ତ ଶାଢ଼ି ହୋଇଥିବ, ପିନ୍ଧି ପକେଇଲେ କ୍ଷତି କ'ଣ?

ଯୋଗକୁ ସେ ବସ୍ତ୍ରଟି ଥିଲା ଦେବଯାନୀଙ୍କର । ଦେବଯାନୀଙ୍କୁ ଏହା ଭଲ ଲାଗିଲା ନାହିଁ । ଝିମିଟି ଖେଳରୁ ଆରମ୍ଭ ହେଲା ମହାଭାରତ । ଦେବଯାନୀ ଶର୍ମିଷ୍ଠାଙ୍କୁ ଯାହା କହିଲେ ତାକୁ ପରିହାସ ବୋଲି ଗ୍ରହଣ କରିପାରିଲେ ନାହିଁ ରାଜକୁମାରୀ । ଦେବଯାନୀ କହିଲେ... ଭାଗ୍ୟବତୀ ତୁ ଶର୍ମିଷ୍ଠା, ଗୁରୁକନ୍ୟାର ଶାଢି ପିନ୍ଧିବା ଭାଗ୍ୟ ଅର୍ଜନ କରିଛୁ । ଶର୍ମିଷ୍ଠା କଳହପ୍ରବୀଣା ନଥିଲେ । କିନ୍ତୁ ବେଳେ ବେଳେ ସମୟ ଆଗରେ ଚରିତ୍ର ହାର ମାନିଯାଏ । ସେଥିପାଇଁ କୁହାଯାଏ 'ସମୟ ବଳବାନ' । ଶର୍ମିଷ୍ଠା ଦେବଯାନୀଙ୍କ କଥାକୁ ସହଜରେ ନେଇ ପାରିଲେ ନାହିଁ । କହିଲେ... ଏହା ତୋର ଅହଂକାର ବ୍ୟତୀତ ଅନ୍ୟ କିଛି ନୁହେଁ ଦେବଯାନୀ । ମୋ ପିତା ଦାନବରାଜ ବୃଷପର୍ବାଙ୍କର ଜଣେ ସାଧାରଣ ପ୍ରଜା ହେଉଛନ୍ତି ତୋର ପିତା । ମୋ ପିତାଙ୍କ ଦୟା ଉପରେ ସେ ବଞ୍ଚିଛନ୍ତି । ତୋର ଭାଗ୍ୟବଳରୁ‌ ମୋ ଭଳି ରାଜକନ୍ୟାର ବାନ୍ଧବୀ ହୋଇ ପାରିଛୁ; ନହେଲେ ତୋର ପ୍ରତିଷ୍ଠା କଣ ସମାଜରେ? ଭିଖାରୁଣୀ ବ୍ୟତୀତ ଅନ୍ୟ କିଛି ନୁହେଁ । 


ଦେବଯାନୀ ମଧ୍ୟ ଛାଡ଼ିଲେ ନାହିଁ,କହିଲେ...ମୋ ପିତାଙ୍କ ଯୋଗୁଁ ରାକ୍ଷସ-କୁଳ ବଞ୍ଚି ରହିଛନ୍ତି । ମୃତ୍ୟୁସଞ୍ଜିବନୀ ମନ୍ତ୍ର ବଳରେ ମୋ' ପିତା ଯୁଦ୍ଧରେ ମୃତ ସବୁ ରାକ୍ଷସଙ୍କୁ ବଞ୍ଚାଇ ଦିଅନ୍ତି; ନହେଲେ କେବେଠୁ ଦାନବ କୂଳ ଧ୍ୱଂସ ପାଇ ଯାଆନ୍ତେଣି । 


==== ଶର୍ମିଷ୍ଠା କହିଲେ... ରାଜାନୁଗ୍ରହ ଉପରେ ନିର୍ଭର କରୁଥିବା ଭିକାରି ବ୍ରାହ୍ମଣକନ୍ୟା ହୋଇ ତ ତୋର ଏତେ ଫୁଟାଣି, ରଜାଝିଅ ହେଇଥିଲେ ଆଉ ତଳେ ଚାଲନ୍ତୁ ନାହିଁ" । 

ବାସ୍,ଲାଗିଗଲା ପ୍ରବଳ ଲଢେଇ ଦୁଇ ସଖୀଙ୍କ ଭିତରେ । 

ଦେବଯାନୀ କହିଲେ... ଅନାର୍ଯ୍ୟ, ମାଂସଭକ୍ଷୀ ରାକ୍ଷସୀ, ମୋ ପିତାଙ୍କ ଦୟାରୁ ତୁମେ ସମସ୍ତେ ବଞ୍ଚିଛ । ଆଜି ଆଶ୍ରମକୁ ଫେରିଲେ ପିତାଙ୍କୁ କହି ତୁମମାନଙ୍କୁ ସମୁଚିତ ଦଣ୍ଡଦେବି । 

ଶର୍ମିଷ୍ଠାଙ୍କ ସଖୀମାନେ ମାଡିଆସିଲେ ଦେବଯାନୀ ଉପରକୁ । ପାଖରେ ଗୋଟିଏ ଅନ୍ଧକୂପ ଥିଲା । କୂଅ ଭିତରେ ପାଣି ନଥିଲା, କିନ୍ତୁ କଣ୍ଟା,ଗୁଳ୍ମ ପୂର୍ଣ୍ଣ ହୋଇ ରହିଥିଲା । ତା'ଭିତରକୁ ଦେବଯାନୀଙ୍କୁ, ବଣ୍ୟଜନ୍ତୁମାନଙ୍କ ଭକ୍ଷଣ ପାଇଁ ଫିଙ୍ଗିଦେଇ ସଖୀମାନଙ୍କ ସହିତ ନିଜ ପ୍ରାସାଦକୁ ଫେରିଗଲେ ଶର୍ମିଷ୍ଠା । 


==== ଦେହରେ ସ୍ୱଳ୍ପ ବସ୍ତ୍ର,କଣ୍ଟା-ଝଣ୍ଟାରେ କ୍ଷତବିକ୍ଷତ ଶରୀର , ଦେବଯାନୀ ଅସହାୟ ହୋଇ ବିକଳରେ କାନ୍ଦିବା ଆରମ୍ଭ କରିଦେଲେ । 

ଯୋଗକୁ ସେଦିନ ନହୂଷଙ୍କ ସୁପୁତ୍ର ତଥା ହସ୍ତିନାର ରାଜା ଯାଯାତି ଶିକାର ପାଇଁ ସେହି ବନକୁ ଆସିଥାନ୍ତି । ଦୂରରେ ବହୁ ପଛରେ ରହିଯାଇଥିଲେ ସୈନ୍ୟ ସାମନ୍ତ । ଏକାକି ବନଦେଶରେ ଭ୍ରମଣ କରିବା ସମୟରେ ଯଯାତି ଦେବଯାନୀଙ୍କର କରୁଣ କ୍ରନ୍ଦନ ଅନ୍ଧକୂପ ଭିତରୁ ଶୁଣି ପାରିଲେ । କୂଅ ଭିତରେ ସ୍ୱଳ୍ପବସ୍ତ୍ର ପରିହିତା ଅପରୂପା ସୁନ୍ଦରୀ ଋଷିକନ୍ୟାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯଯାତି । ଦେବଯାନୀ ତାଙ୍କର ଦକ୍ଷିଣ କର ବଢାଇ ଦେଇ ଉଦ୍ଧାର କରିବାପାଇଁ ଯଯାତିଙ୍କୁ ଅନୁରୋଧ କଲେ । ଯଯାତି କୂପ ମଧ୍ୟରୁ ଦେବଯାନୀଙ୍କୁ ଉଦ୍ଧାର କରିବାପରେ ପରିଚୟ ପାଇ ଆଶ୍ଚର୍ଯ୍ୟ ହୋଇଗଲେ । 

 

====ଦେବଯାନୀ ନିଜର ପରିଚୟ ଦେବା ସଙ୍ଗେ ସଙ୍ଗେ ତାଙ୍କ ସହିତ ଘଟିଥିବା ସମସ୍ତ ଘଟଣାବଳୀ ବର୍ଣ୍ଣନା କଲେ । ଯଯାତି ନିଜ ଉତ୍ତରୀୟରେ ଦେବଯାନୀଙ୍କର ସ୍ୱଳ୍ପବସ୍ତ୍ର ପରିହିତ ଶରୀରକୁ ଢାଙ୍କି ଦେଇ କହିଲେ....ସୁଶୀଳେ,ତୁମ ସହିତ ଘଟିଥିବା ଅନ୍ୟାୟ ପାଇଁ ମୁଁ ସମ୍ବେଦନା ଜଣାଉଛି,କିନ୍ତୁ ଏହି ଅଞ୍ଚଳ ମୋ ରାଜ୍ୟର ଅନ୍ତର୍ଭୁକ୍ତ ହୋଇନଥିବାରୁ ,ମୁଁ ତୁମକୁ କିଛି ସାହାଯ୍ୟ କରିପାରିବି ନାହିଁ । ତୁମର ବିଚାରକ ସ୍ୱୟଂ ଦାନବ-ରାଜ ବୃଷପର୍ବା ଏବଂ ତୁମ ପିତା ଶୁକ୍ରଚାର୍ଯ୍ୟ । 


==== ହସ୍ତିନା ନରପତିଙ୍କ ରୂପଗୁଣରେ ବିମୁଗ୍ଧ ଦେବଯାନୀଙ୍କର ମନ ସେତେବେଳକୁ ତାଙ୍କ ପ୍ରତି ଢଳିଗଲାଣି । କୂଅରୁ ଉଦ୍ଧାର କରିବା ସମୟରେ ଯଯାତିଙ୍କର କରସ୍ପର୍ଶରେ‌ ଦେବଯାନୀଙ୍କର ଦେହରେ ଶତ କଦମ୍ବର ରୋମାଞ୍ଚ ସୃଷ୍ଟି ହୋଇ ଥିଲା । ଲଜ୍ୟା ଅବନତ ମୁହଁରେ ତଳକୁ ଚାହିଁ ଦେବଯାନୀ କହିଲେ....ହେ ଆର୍ଯ୍ୟ ! ଆପଣ ମୋର ଦକ୍ଷିଣ ହସ୍ତ ଧରି କୂପମଧରୁ ଉଦ୍ଧାର କରି ନୂତନ ଜୀବନ ଦେଇଛନ୍ତି । ନାରୀ ତା ଜୀବନରେ ଦକ୍ଷିଣ ହସ୍ତ ଧରିବାର ଅଧିକାର ତା ସ୍ୱାମୀ ଙ୍କୁ ହିଁ ଦେଇଥାଏ । ମୁଁ ଆଉ ଆପଣଙ୍କୁ ଅଧିକ କଣ କହିବି?


==== ଯଯାତି ଦେବଯାନୀଙ୍କ କଥାର ଇଙ୍ଗିତ ବୁଝିପାରିଲେ । ସେ ନିଜେ ଋଷି କନ୍ୟାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଥିଲେ ମଧ୍ୟ କ‌ହିଥିଲେ...ସୁଶୀଳେ ! ମୋର କ୍ଷତ୍ରିୟ କୁଳରେ ଜନ୍ମ ଏବଂ ତୁମେ ବ୍ରାହ୍ମଣ-ଶ୍ରେଷ୍ଠ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା । ନିୟମ ଅନୁଯାୟୀ ଉଚ୍ଚକୁଳ ସମ୍ଭୂତା ବ୍ରାହ୍ମଣକନ୍ୟା ସହିତ କ୍ଷତ୍ରିୟର ବିବାହ ହେଲେ ତାହା ପ୍ରତିଲୋମ ବିବାହ ଭାବରେ ବିବେଚିତ ହେବ । ଏଭଳି ପ୍ରତିଲୋମ ବିବାହ ପାଇଁ ତୁମ ପିତା ଶୁକ୍ରାଚାର୍ଯ୍ୟ କଦାପି ସ୍ଵୀକୃତି ଦେବେ ନାହିଁ । ଆସ ମୁଁ ତୁମକୁ ତୁମ ଆଶ୍ରମରେ ପହଞ୍ଚାଇ ଦେଇ ଦାନବ ଗୁରୁଙ୍କ ଆଶୀର୍ବାଦ ନେଇ ଫେରି ଆସିବି" । 

ଏହା କହି ଯଯାତି ନିଜ ରଥରେ ଦେବଯାନୀଙ୍କୁ ବସାଇ ଦାନବଗୁରୁ ଶୁକରାଚାର୍ଯ୍ୟଙ୍କ ଆଶ୍ରମରେ ପହଞ୍ଚିଲେ । ଶୁକ୍ରାଚାର୍ଯ୍ୟ କନ୍ୟା ଠାରୁ ସମ୍ପୂର୍ଣ୍ଣ ବୃତ୍ତାନ୍ତ ଶୁଣିବାପରେ ଗଭୀର ଦୁଃଖ ପ୍ରକାଶ କଲେ । ଦେବଯାନୀଙ୍କୁ ସହାୟତା ଦେଇଥିବାରୁ ହସ୍ତିନା ସମ୍ରାଟ ଯଯାତିଙ୍କୁ ପ୍ରଭୁତ ପ୍ରଶଂସା କରି ଯଥାମାନ୍ୟ ଆତିଥ୍ୟ ପ୍ରଦାନ କରିବାପରେ ଆଶୀର୍ବାଦ ଦେଇ ଵିଦାୟ ଦେଲେ ଶୁକ୍ରାଚାର୍ଯ୍ୟ । 


===== ଦେବଯାନୀଙ୍କ ହୃଦୟ ଅପମାନରେ ଜଳୁଥିଲା । ଶର୍ମିଷ୍ଠାଙ୍କ ସହିତ ତାଙ୍କର ହୋଇଥିବା ବିବାଦ ଟିକିନିଖି ପିତାଙ୍କ ଆଗରେ ବର୍ଣ୍ଣନା କରି ଦେବଯାନୀ ଅଡିବସିଲେ ବୃଷପର୍ବାଙ୍କ ରାଜ୍ୟ ତ୍ୟାଗକରି ଚାଲିଯିବା ପାଇଁ । ଦେବଯାନୀ କହିଲେ... ଯେଉଁ ରାଜ୍ୟରେ ଆମର ସମ୍ମାନ ଭିକାରି ଠାରୁ ମଧ୍ୟ ହୀନ ସେଠାରେ ଦଣ୍ଡେ ମାତ୍ର ରହିବା ପ୍ରଶ୍ନ ଉଠୁନାହିଁ" । ଏହା କହୁ କହୁ ଶର୍ମିଷ୍ଠା ଦେଇଥିବା ଅପମାନ ମନେପକାଇ ଦେବଯାନୀଙ୍କ ଆଖିରୁ ଝର ଝର ଲୁହ ବହି ଚାଲିଲା । ଶୁକ୍ରାଚାର୍ଯ୍ୟ ଦେବଯାନୀଙ୍କୁ ପ୍ରାଣରୁ ବଳି ଭଲ ପାଉଥିଲେ । ମଥାରେ ହାତବୁଲାଇ ଆଶ୍ଵାସନା ଦେଇ କହିଲେ....ମାଆ ରେ,ନିଜ କର୍ମ ଦ୍ୱାରା ପ୍ରାଣୀ ନିଜର ସୁଖ ବା ଦୁଃଖର କାରଣ ହୋଇଥାଏ । ଶର୍ମିଷ୍ଠା କରିଥିବା କୁକର୍ମର ମାନସିକ କଷ୍ଟ ସେ ଭୋଗ କରିବ; ତାହା ତତେ କାହିଁକି ପ୍ରଭାବିତ କରିବ?ସେ ସବୁ ଭୁଲିଯାଇ ଘରକୁ ଆ । 

====ଦେବଯାନୀ କହିଲେ.. ମୁଁ ରକ୍ତ ମାଂସର କ୍ଷୁଦ୍ର ପ୍ରାଣୀଟିଏ ପିତାଶ୍ରୀ,ଆପଣଙ୍କର ଏ ଜୀବନ ଦର୍ଶନ ମୋ ମୁଣ୍ଡ ଭିତରକୁ ଯାଉନାହିଁ । ଯେ ମୋ ପିତାଙ୍କୁ ଜଣେ ନଗଣ୍ୟ ଭିକାରି ବୋଲି କହି ମତେ ଅନ୍ଧକୂପ ଭିତରକୁ ଠେଲିଦେଇ ଆରାମରେ ନିଜ ପ୍ରାସାଦ ଭିତରେ ଶୟନ କରିଛି ତାକୁ କ୍ଷମା କରିବାର ମହାନତା ମୋ ଭିତରେ ନାହିଁ । ଅସ୍ତ୍ରରେ କଟିଯାଇଥିବା କ୍ଷତ ପୂରଣ ହୋଇଯିବ, କିନ୍ତୁ କଟୁକଥାରେ ତଥା ଘୃଣ୍ୟ କାର୍ଯ୍ୟ ଦ୍ୱାରା ହୃଦୟରେ ସୃଷ୍ଟି ହୋଇଥିବା କ୍ଷତ ପୂରଣ ହୋଇପାରିବ ନାହିଁ । ମୁଁ କୌଣସି ପ୍ରକାରେ ଏହି ରାଜ୍ୟରେ ଦଣ୍ଡେ ମାତ୍ର ରହି ପାରିବି ନାହିଁ । 



Rate this content
Log in