Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀ ଭାଗ୧୦୩

କଥା କାଦମ୍ବରୀ ଭାଗ୧୦୩

4 mins
203



ମହାଭାରତର ମହାନ ଗାଥା ଭିତରେ ମିଳେ ଜୀବନ ଦର୍ଶନର ପ୍ରତିଫଳନ। କୁହାଯାଏ ମହାଭାରତ ଯୁଦ୍ଧ ଭଗବାନଙ୍କର ଜନ ସମାଜ ପାଇଁ ଏକ ପ୍ରାୟୋଗିକ ଉଦାହରଣ । ଗର୍ବ ଈର୍ଷା ଏବଂ ଅହଂକାରର କିପରି ଦୟନୀୟ ପରାଜୟ ହୁଏ ଦୁର୍ଯ୍ୟୋଧନ ତାର ଜ୍ଵଳନ୍ତ ଉଦାହରଣ। ଯୁଦ୍ଧ ପୂର୍ବରୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ...ପାର୍ଥ ! ତୁମେ ତୁମର କ୍ଷତ୍ରିୟୋଚିତ କର୍ତ୍ତବ୍ୟ କର। ତୁମେ ଜ୍ଞାତି କୁଟୁମ୍ବଙ୍କୁ ବିନାଶ କରୁଛ ଭାବି ମନରେ ପରିବେଦନା ଆଣନାହିଁ,କାରଣ ବାସ୍ତବରେ ତୁମେ କିଛି କରୁନାହିଁ,ସବୁ ମୁଁ କରୁଛି। ଏଠାରେ ଉପସ୍ଥିତ ତୁମର ଶତ୍ରୁମାନେ ସମସ୍ତେ ଆଗରୁ ମରିସାରିଛନ୍ତି। ତୁମେ ଏମାନଙ୍କୁ ମାର ବା ନ'ମାର, ମୋ ହାତରେ ସମସ୍ତେ ଆଗରୁ ମୃତ୍ୟୁଲୋକ ପ୍ରାପ୍ତ ହୋଇ ସାରିଛନ୍ତି;ତୁମେ ନିମିତ୍ତ ମାତ୍ର।"


ସ୍ରଷ୍ଟାଙ୍କ ମୁଖ ନିସ୍ରୁତ ଏହି ଆପ୍ତବାଣୀ ପାଣ୍ଡୁପୁତ୍ରମାନେ ବୋଧହୁଏ ଭୁଲିଗଲେ। ସେମାନଙ୍କ ମନରେ ଗର୍ବ ଆସିଲା ଯେ‌ ଯୁଦ୍ଧରେ ବିଜୟ ପ୍ରତ୍ୟେକଙ୍କ ବ୍ୟତୀତ ଅସମ୍ଭବ ଥିଲା।ଭୀମ ଭାବିଲେ ସବୁ କୌରବ ଭାଇଙ୍କର ମୃତ୍ୟୁ ତାଙ୍କ ହାତରେ ହୋଇ ନଥିଲେ ବିଜୟ କଣ ଏତେ ସହଜରେ ମିଳିଥାନ୍ତା ! ଅର୍ଜୁନଙ୍କ ମନରେ ଆସିଲା ଯେ ଭୀଷ୍ମ ଏବଂ କର୍ଣ୍ଣଙ୍କ ଭଳି ମହାରଥି ମାନଙ୍କୁ ସେ ଯେବେ ବଧ କରିନଥାନ୍ତେ ତାହେଲେ ବିଜୟ ସମ୍ଭବ ନଥିଲା।ଯୁଧିଷ୍ଠିର ଭାବିଲେ ତାଙ୍କ ଧର୍ମଭାବ ଯୋଗୁଁ ହିଁ ବିଜୟ ସମ୍ଭବ ହୋଇ ପାରିଲା। ଦ୍ରୌପଦୀ ଭାବିଲେ ..ନାରୀର କ୍ରୋଧାନଳରେ ସବୁ କିଛି ଭସ୍ମ ହୋଇଯାଏ।ତାଙ୍କ ଅପମାନ ପାଣ୍ଡବ ମାନଙ୍କୁ ପ୍ରତିଶୋଧ ପରାୟଣ କରିବାରୁ ସେମାନେ ପ୍ରତିବଦ୍ଧତା ସହିତ ଯୁଦ୍ଧ କଲେ,ନହେଲେ ବିଜୟ ଲାଭ କରିବା କଣ ଏତେ ସହଜ !


ଗର୍ବଗଞ୍ଜନ ଶ୍ରୀକୃଷ୍ଣଙ୍କୁ କେଉଁ କଥା ଅଜଣା! ମନୁଷ୍ୟ ତାର ସୀମିତ ଜ୍ଞାନ ଯୋଗୁଁ ଅନେକ ସମୟରେ ଭୁଲିଯାଏ ଯେ ଏହି ମହାଜାଗତିକ ଲୀଳା ପ୍ରତି ମୁହୂର୍ତ୍ତରେ ସ୍ରଷ୍ଟାଙ୍କ ଦ୍ଵାରା ହିଁ ସଂଘଟିତ ହେଉଛି।ତାଙ୍କ ବିନା ଇଚ୍ଛାରେ ପତ୍ରଟିଏ ମଧ୍ୟ ହଲେନାହିଁ।ଫୁଲରେ ରଙ୍ଗ ଓ ସୁରଭି ତାଙ୍କରି ଦାନ,ମାଉଣ୍ଟ ଏଟେନା'ର ଭୟଙ୍କର ଅଗ୍ନି ଉଦ୍ଗିରଣ ମଧ୍ୟ ତାଙ୍କରି ଲୀଳା।ଘୃଣ୍ୟ ସାଁବାଳୁଆକୁ ସେ ମନୋରମ ପ୍ରତାପତିରେ ପରିଣତ କରନ୍ତି।ସୁନ୍ଦର ମହାକାଳ ଫଳ ଭିତରେ ମଧ୍ୟ ସେ ବିଷ ଭରିଦିଅନ୍ତି। ପୂର୍ଣ୍ଣିମାର ଗୋଲ୍ ଜହ୍ନ ତାଙ୍କରି ସୃଷ୍ଟି;ତାକୁ ଅନ୍ଧକାର ଗର୍ଭକୁ ଫିଙ୍ଗିଦେଇ ଅମାବାସ୍ୟାର ଜହ୍ନରେ ପରିଣତ କରିବା କାମ ମଧ୍ୟ ତାଙ୍କରି।


ତାଙ୍କ ଲୀଳା ପାଣ୍ଡବଙ୍କୁ ହୃଦୟଙ୍ଗମ କରାଇବାପାଇଁ ଶ୍ରୀକୃଷ୍ଣ ପାଣ୍ଡୁ ପରିବାର ସହିତ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଲେ। କୁରୁକ୍ଷେତ୍ରର ମଧ୍ୟଭାଗରେ ରହିଥିଲା ବିଜୟ ସ୍ତମ୍ଭ।ତା ଉପରେ ଥାଇ ଟହ ଟହ ହସୁଥିଲା ବେଲାଳସେନର ଛିନ୍ନ ମସ୍ତକ।ନାଗକନ୍ୟା ବେଲାମାଳୀର ଗର୍ଭରୁ ଭୀମଙ୍କ ଔରଷରୁ ଜାତ ଏହି ବେଲାଳସେନ ମହାନ ଯୋଦ୍ଧା ଥିଲା।ତାପାଖରେ ଏପରି ଏକ ମହା ବିଧ୍ବଂସକ ବାଣ ଥିଲା ଯେ ସେ ମହାଭାରତ ଯୁଦ୍ଧକୁ ଗୋଟିଏ ଦିନରେ ସମାପ୍ତ କରିଦେବା ପାଇଁ ଆସିଥିଲା।ସେ ବାଣ ପ୍ରୟୋଗରେ ହୁଏତ ବିଶ୍ବରେ ମହାନ ବିନାଶ ଲୀଳା ସଂଘଟିତ ହୋଇଥାନ୍ତା। ସେଥିପାଇଁ ଶ୍ରୀକୃଷ୍ଣ ଗୁରୁଦକ୍ଷିଣା ଛଳରେ ବେଲାଳସେନର ମସ୍ତକ ମାଗିନେଇଥିଲେ।ଵେଲାଳସେନ ମସ୍ତକ ଦେବାପାଇଁ ପ୍ରସ୍ତୁତ ଥିଲା କିନ୍ତୁ ପ୍ରତିବଦଳରେ ମହାଭାରତ ଯୁଦ୍ଧ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖିବାପାଇଁ ଅଭିଳାଷା ପୋଷଣ କରିଥିଲା। ସେତେବେଳେ ବେଲାଳସେନର କଟା ମୁଣ୍ଡକୁ ଜୀବନ୍ୟାସ ଦେଇ, କୁରୁକ୍ଷେତ୍ରର ମଧ୍ୟଭାଗରେ ବିଜୟ ସ୍ତମ୍ଭ ଉପରେ ସ୍ଥାପିତ କରିଥିଲେ କେଶବ। ସ୍ଥାପିତ ହେବା ପରଠାରୁ ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ଟହ ଟହ ହସୁଥିଲା ସେହି ଛିନ୍ନ ଶିର ଏବଂ ମୁଖରୁ ତାର "ଓମ୍ ହରି,ଓମ୍ ହରି "ଶବ୍ଦ ନିସ୍ରୁତ ହେଉଥିଲା।


ଯୁଦ୍ଧ କ୍ଷେତ୍ରର ମଧ୍ୟଭାଗରେ ଥିବା ସେହି ବିଜୟ ସ୍ତମ୍ଭ ପାଖରେ ପହଞ୍ଚି ଶ୍ରୀକୃଷ୍ଣ ହସି ହସି କହିଲେ..ତୁମକୁ ମୁଁ ବରଦାନ କରିବା ପାଇଁ ଆସିଛି ବେଲାଳ,କୁହ ତୁମର କଣ ଆବଶ୍ୟକ ?"

ବେଲାଳସେନ କହିଲା..ଲୀଳାମୟ ! ତୁମର ମହାଲୀଳା ସନ୍ଦର୍ଶନ କରିବା ପରେ ମୋର ଆଉ କିଛି ଇଚ୍ଛା ବାକି ରହିନାହିଁ।ତୁମର ଅନନ୍ତ ସତ୍ତା ଭିତରେ ବିଲୀନ ହେବା ମୋର ଅନ୍ତିମ ଇଚ୍ଛା କେଶବ!"


କିଛି ନିରବତା ପରେ ଶ୍ରୀକୃଷ୍ଣ ପଚାରିଲେ..କୁହ ବେଲାଳ ! ଅଠର ଦିନର ଯୁଦ୍ଧରେ ତୁମେ କଣ ଦେଖିଲ ? କେଉଁ ମହାବୀର ପାଣ୍ଡବ ମାନଙ୍କ ବିଜୟ ପାଇଁ ଏକକ ଭାବରେ ଦାୟୀ ?କାହା ଅସ୍ତ୍ର ପ୍ରୟୋଗରେ କୌରବ ପକ୍ଷର ଅଧିକ ସୈନ୍ୟ ମୃତ୍ୟୁ ବରଣ କରିଛନ୍ତି। ଏହି ମହାଯୁଦ୍ଧର ମହାନତମ ଯୋଦ୍ଧା କିଏ ?"


ଶ୍ରୀକୃଷ୍ଣଙ୍କର ଏହି ପ୍ରଶ୍ନଗୁଡିକ ଶୁଣି ଭୀମସେନଙ୍କ ମନ ଆନନ୍ଦରେ ଅଧୀର; ପ୍ରଶଂସା ପାଇବାର ପ୍ରବଳ ଇଚ୍ଛା ଜାଗ୍ରତ ହେଲା ତାଙ୍କ ମନରେ।ସେ ଚିନ୍ତା କଲେ, ତାଙ୍କ ପୁତ୍ର ହୋଇ ବେଲାଳସେନ କଣ ତାଙ୍କୁ ଶ୍ରେୟ ଦେବନାହିଁ ? ନିଶ୍ଚିତ ଭାବରେ ସେ ପିତା ଭୀମସେନଙ୍କୁ ଶ୍ରେଷ୍ଠତମ ଯୋଦ୍ଧା ଭାବରେ ଚୟନ କରିବ।ଉତ୍କଣ୍ଠା ସହିତ ଭୀମ ବେଲାଳର ଛିନ୍ନ ଶିରକୁ ଚାହିଁ ରହିଲେ।


ହସି ହସି ବେଲାଳର ଛିନ୍ନଶିର କହିଲା ...ହେ ମାଧବ !ମହା ବିନାଶକାରୀ ଏହି ଯୁଦ୍ଧରେ, କୌରବ ପକ୍ଷର ହେଉ ବା ପାଣ୍ଡବ ପକ୍ଷ, କେହି କାହାକୁ ମାରିବାର ମୁଁ ଦେଖିନାହିଁ।ସବୁ ଯୋଦ୍ଧା ନିଜ ନିଜର ଅସ୍ତ୍ର ଚାଳନା କରୁଥାନ୍ତି କିନ୍ତୁ ଉଭୟ ପକ୍ଷର ସୈନ୍ୟ ମାନଙ୍କୁ ନିହତ କରୁଥାଏ ଗୋଟିଏ ଚକ୍ର।ଘୋର ଘର୍ଘର ନାଦରେ କୌରବ ପକ୍ଷର କିଛି ସୈନ୍ୟ ନିହତ କରି ସେ ପାଣ୍ଡବ ପକ୍ଷକୁ ଚାଲି ଯାଉଥାଏ।ପାଣ୍ଡବ ପକ୍ଷର କିଛି ସୈନ୍ୟ ନିହତ କରି ଚକ୍ର ପୁଣି ଚାଲିଯାଉଥାଏ କୌରବ ପକ୍ଷକୁ ବିନାଶ କରିବାପାଇଁ।"


ବେଲାଳର ଏଭଳି ଉକ୍ତିରେ ପ୍ରଚଣ୍ତ କ୍ରୋଧରେ କମ୍ପିଗଲେ ଭୀମସେନ। କହିଲେ..କୁଳାଙ୍ଗାର ! ମୋ ପୁତ୍ର ହୋଇ ମୋ ପ୍ରତି ଏତେ ଅବମାନନା ! କାଳଚକ୍ର ଭଳି ଯୁଦ୍ଧ କ୍ଷେତ୍ରରେ ବୁଲି ବୁଲି ମୁଁ ଶତ୍ରୁ ସଂହାର କରିବା ତୋତେ ଦେଖାଗଲା ନାହିଁ ? ଦୁର୍ଯ୍ୟୋଧନର ସବୁ ଭାଇମାନଙ୍କୁ ମୁଁ ଏକାକୀ ବିନାଶ କରିବା ମଧ୍ୟ ତୋତେ ଦେଖାଗଲା ନାହିଁ ?"ଏହା କହି ଭୀମ ଉଠାଇଲେ ବାଉନଭାର ଓଜନର ଗଦା ଏବଂ ପ୍ରହାର କଲେ ବେଲାଳର ଛିନ୍ନ ଶିର ଉପରେ।ପର କ୍ଷଣରେ ମାଟିରେ ମିଶିଗଲା, କିଛି ସମୟ ପୂର୍ବରୁ "ଓମ୍ ହରି"କହି ହସୁଥିବା ବେଲାଳର ଛିନ୍ନ ମସ୍ତକ।ଅନନ୍ତ ସତ୍ତାରେ ବିଲୀନ ହୋଇଗଲା ବେଲାଳସେନର ପବିତ୍ର ଆତ୍ମା।


ବେଲାଳକୁ ମୃତ୍ୟୁ ଦାନ କରି ଅନୁତପ୍ତ ଭୀମସେନ ଠିଆ ହୋଇ ଥିଲେ ମୁହଁ ତଳକୁ ପୋତି। ଶ୍ରୀକୃଷ୍ଣ କହିଲେ.. କ୍ରୋଧ ଶାନ୍ତ ହେଲା ଭୀମସେନ ? ଅହଙ୍କାରର ବଶବର୍ତ୍ତୀ ହୋଇ ତୁମେ ଏ କଣ କଲ ବୃକୋଦର ! ଚିନ୍ତା କରିଥିଲି ବେଲାଳସେନକୁ ଜୀବନ୍ୟାସ ଦେଇ ମୁଁ ତୁମ କୋଳରେ ସମର୍ପଣ କରିବି।ପାଣ୍ଡବ କୁଳର ଏକମାତ୍ର ଦୀକ୍ ଦୀକ୍ ହେଉଥିବା ଦୀପଶିଖାକୁ ମଧ୍ୟ ତୁମେ ନିର୍ବାପିତ କରିଦେଲ। ଅହଙ୍କାର ଏହିପରି ପ୍ରାଣୀର ଜ୍ଞାନ ନାଶ କରିଥାଏ।ବେଲାଳ ଠିକ୍ କହିଥିଲା.. କୌଣସି ମନୁଷ୍ୟ ନୁହେଁ, କାଳଚକ୍ର ହିଁ ଉଭୟ ପକ୍ଷର ସୈନ୍ୟ ମାନଙ୍କୁ ନିହତ କରୁଥିଲା।ବେଲାଳ ତାର ଦିବ୍ୟ ଦୃଷ୍ଟି ଯୋଗୁଁ ତାହା ଦେଖି ପାରିଥିଲା।ଏ ସଂସାରରେ ପ୍ରତ୍ୟେକ ପ୍ରାଣୀ କାଳଚକ୍ରର ଅଧୀନ। ଯେଉଁମାନେ ଯୁଦ୍ଧରୁ ବଂଚି ଯାଇଛନ୍ତି ସେମାନଙ୍କର କାଳ ଆସିନାହିଁ ବୋଲି ବଞ୍ଚି ଯାଇଛନ୍ତି। ମୁଁ ଏବେ ମଧ୍ୟ କହୁଛି ଭୀମସେନ ତୁମେ କିଛି କରିନାହିଁ,କେବଳ କର୍ତ୍ତବ୍ୟ ହିଁ କରିଛ, ଯାହା କିଛି କରିଛି ସେ କାଳଚକ୍ର ହିଁ କରିଛି।"


ଲୋଭ ମୋହ କାମ କ୍ରୋଧ ଅସୂୟାରେ ବିଜଡିତ ମନୁଷ୍ୟ ଏକଥା ହୃଦୟଙ୍ଗମ କରିପାରେ ନାହିଁ। ସେଥିପାଇଁ ଦୁର୍ଯ୍ୟୋଧନ ପରି ସେ ମୋହଗ୍ରସ୍ତ ହୋଇ ଅନ୍ୟାୟ ଅନାଚାର କରିଚାଲେ।ଶେଷରେ ତାର ପତନ ହୁଏ।"

ଶ୍ରୀକୃଷ୍ଣଙ୍କ ଉପଦେଶ ଭୀମସେନଙ୍କ ଜ୍ଞାନ ଚକ୍ଷୁ ଖୋଲିଦେଲା।ଯୋଡ ହସ୍ତରେ ଭୀମସେନ କହିଲେ ..ମୋ ଅପରାଧ କ୍ଷମା କରନ୍ତୁ କେଶବ ! ମୁଁ ଅନୁତପ୍ତ।"


===============================



Rate this content
Log in