Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀ, ଭାଗ(୮୯)ଅଭିମନ୍ୟୁ

କଥା କାଦମ୍ବରୀ, ଭାଗ(୮୯)ଅଭିମନ୍ୟୁ

4 mins
186


ଦ୍ୱାଦଶ ଦିନର ଯୁଦ୍ଧରେ ଅର୍ଜୁନ କୌରବମାନଙ୍କ ଅବସ୍ଥା ଶୋଚନୀୟ କରିଦେଇଥିଲେ।ଭଗଦତ୍ତଙ୍କ ବୀରଗତି ପ୍ରାପ୍ତି ସଙ୍ଗେ ସଙ୍ଗେ ଶକୁନିଙ୍କର ଦୁଇ ବୀର ଭ୍ରାତା 'ବୃଷ' ଏବଂ 'ଅଚଳ' ମଧ୍ୟ ଅର୍ଜୁନଙ୍କ ସହିତ ସାହସିକତା ସହିତ ଯୁଦ୍ଧ କରି ମୃତ୍ୟୁଲୋକ ପ୍ରାପ୍ତ ହୋଇଥିଲେ।


ଯୁଦ୍ଧରେ ପାଣ୍ଡବ ପକ୍ଷର କ୍ରମାଗତ ସଫଳତା ଦୁର୍ଯ୍ୟୋଧନଙ୍କ ହୃଦୟରେ ଶେଳବିଦ୍ଧ ହୋଇ ରହିଥିଲା। ତ୍ରୟୋଦଶ ଦିନର ଯୁଦ୍ଧ ପୂର୍ବରୁ ସେନାପତି ଦ୍ରୋଣାଚାର୍ଯ୍ୟଙ୍କ ପାଖରେ ପହଞ୍ଚି ଦୁର୍ଯ୍ୟୋଧନ କହିଲେ..ହେ ବ୍ରାହ୍ମଣ ଶ୍ରେଷ୍ଠ ! ଯୁଦ୍ଧରେ ଆପଣଙ୍କ ମତିଗତି କିଛି ଠିକ୍ ଜଣା ପଡୁନାହିଁ।କାଲି ଯୁଦ୍ଧରେ ଯୁଧିଷ୍ଠିର ଆପଣଙ୍କର ଏତେ ନିକଟରେ ଥିଲେ ମଧ୍ୟ ଆପଣ ତାଙ୍କୁ ବନ୍ଦୀ କରିବା ପ୍ରଚେଷ୍ଟା ମଧ୍ୟ କଲେନାହିଁ।ଏହା ଆପଣଙ୍କର ପାଣ୍ଡବ ପ୍ରୀତି ନୁହେଁ ତ ଆଉ କ'ଣ? ପିତାମହଙ୍କର ସେନାପତିତ୍ୱ ଯେଉଁ ପ୍ରକାର ନିରାଶାଜନକ ଥିଲା, ଆପଣଙ୍କ ଅଧ୍ୟକ୍ଷତା ମଧ୍ୟ ସେହିପରି ଫଳଶୂନ୍ୟ।ବାସ୍ତବରେ ମହାନ ବ୍ୟକ୍ତିମାନଙ୍କ ମନସ୍ତତ୍ତ୍ୱ ବୁଝିବା ଆମମାନଙ୍କ ପାଇଁ ସମ୍ଭବ ହେଉନାହିଁ।"


ଦୁର୍ଯ୍ୟୋଧନଙ୍କ କଥା ଗୁରୁଙ୍କ ମନକୁ ଗଭୀର ଦୁଃଖ ଦେଲା। ଆଚାର୍ଯ୍ୟ କହିଲେ..ପ୍ରିୟ ଦୁର୍ଯ୍ୟୋଧନ ! ଏପରି କହି ତୁମେ ମୋ ମନରେ ଗଭୀର ଆଘାତ ଦେଇଛ। ସେନାପତି ଭାବରେ କର୍ତ୍ତବ୍ୟ ପାଳନ କରିବାରେ ମୁଁ ତିଳେ ମାତ୍ର ଅବହେଳା କରିନାହିଁ; ତାହା ମୋ ଧର୍ମ ବିରୁଦ୍ଧ। ମୁଁ ଆଗରୁ କହିଛି ଅର୍ଜୁନ ରଣକ୍ଷେରରେ‌ ରହିଥିବା ଯାଏ ଯୁଧିଷ୍ଠିରଙ୍କୁ ବନ୍ଦୀ କରିବା ଅସମ୍ଭବ। ଅର୍ଜୁନଙ୍କୁ କୁରୁକ୍ଷେତ୍ର ରଣପ୍ରାଙ୍ଗଣରୁ ଦୂରେଇ ନ'ନେଲେ ଯୁଧିଷ୍ଠିରଙ୍କୁ ବନ୍ଦୀ କରିବା ଅସମ୍ଭବ ବ୍ୟାପାର।"


ତ୍ରୟୋଦଶ ଦିନର ଯୁଦ୍ଧରେ ସୁଶର୍ମା ଅର୍ଜୁନଙ୍କୁ ଆହ୍ୱାନ ଦେଇ ବହୁ ଦୂରକୁ ନେଇଗଲେ। ସଂସପ୍ତକଙ୍କ ସହିତ ସେଦିନ ଅର୍ଜୁନଙ୍କ ସଂଗ୍ରାମ ଅତି ଭୟଙ୍କର ଥିଲା।ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ଅନୁପସ୍ଥିତିରେ ଦ୍ରୋଣାଚାର୍ଯ୍ୟ ଚକ୍ରବ୍ୟୂହ ସୃଷ୍ଟି କରି ଯୁଧିଷ୍ଠିରଙ୍କୁ ସେହି ବ୍ୟୂହ ମଧ୍ୟରେ ବନ୍ଧନ କରିବାକୁ ପ୍ରୟାସ କଲେ।ଭୀମ, ସାତ୍ୟକି, ଚେକିତାନ, ଧୃଷ୍ଟଦ୍ୟୁମ୍ନ, ଦ୍ରୁପଦ, ଘଟୋତ୍କଚ, ଶିଖଣ୍ଡୀ, ବିରାଟ, ଉତ୍ତମୈଜ, ଯୁଧାମନ୍ୟୁ ଏବଂ କେକୟ ଆଦି ଅନେକ ଯୋଦ୍ଧା ଦ୍ରୋଣାଚାର୍ଯ୍ୟଙ୍କ ବ୍ୟୂହ ଭେଦ କରିବାପାଇଁ ଚେଷ୍ଟା କରି ବିଫଳ ହେଲେ। 


ନିକଟରେ ଉପସ୍ଥିତ ଥିବା ସୁଭଦ୍ରା-ପୁତ୍ର ଅଭିମନ୍ୟୁକୁ ଯୁଧିଷ୍ଠିର କହିଲେ..ପୁତ୍ର ! ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଏହି ଦୁର୍ଭେଦ୍ୟ ବ୍ୟୂହକୁ ଭେଦ କରିବାପାଇଁ ଏକା ଅର୍ଜୁନ ସମର୍ଥ; କିନ୍ତୁ ସଂସପ୍ତକ ଯୁଦ୍ଧରେ ମଗ୍ନ ରହି ସେ ବର୍ତ୍ତମାନ ରଣକ୍ଷେତ୍ରରେ ଅନୁପସ୍ଥିତ। ଏହି ବ୍ୟୂହ ଭେଦ କରିବା ରହସ୍ୟ କ'ଣ ତୁମର ଜ୍ଞାତସାରରେ ଅଛି ?"


ଅଭିମନ୍ୟୁର ବୟସ ସେ ସମୟରେ ମାତ୍ର ଷୋହଳବର୍ଷ ହେଲେ ମଧ୍ୟ ବିଗତ ବାର ଦିନ ଯୁଦ୍ଧରେ ସେ ନିଜର ଅସୀମ ସାହସିକତା ଓ ରଣ କୌଶଳ ପ୍ରଦର୍ଶନ କରି ସାରିଥିଲା।

ଯୁଧିଷ୍ଠିରଙ୍କୁ ଚାହିଁ ଅଭିମନ୍ୟୁ କହିଲା ...ଜ୍ୟେଷ୍ଠ ତାତ ! ଏହି ଅନନ୍ୟ ବ୍ୟୂହ ଭେଦ କରିବା ରହସ୍ୟ ବିଶ୍ୱରେ କେବଳ ପିତା ଧନଞ୍ଜୟଙ୍କୁ ପ୍ରାପ୍ତ; ମୋତେ କେବଳ ବ୍ୟୂହ ଭେଦକରିବା ରହସ୍ୟ ଜଣା କିନ୍ତୁ ଭେଦ କରିବା ପରେ ଫେରିଆସିବା ଉପାୟ ଜଣାନାହିଁ।"


ଯୁଧିଷ୍ଠିର କହିଲେ..ଏ ଅର୍ଦ୍ଧ ବିଦ୍ୟା ତୁମେ କିପରି ଓ କେଉଁଠାରୁ ଶିକ୍ଷା କଲ ପୁତ୍ର?"ଅଭିମନ୍ୟୁ କହିଲା.. ମୁଁ ଯେତେବେଳେ ମାତାଙ୍କ ଗର୍ଭରେ ଥିଲି, ଥରେ ମାତାଙ୍କୁ ପିତା ଚକ୍ରବ୍ୟୂହ ଭେଦ ଉପାୟ ଶୁଣାଉଥିଲେ। କିନ୍ତୁ ବ୍ୟୂହ ମଧ୍ୟରୁ ଫେରିବା ଉପାୟ ବର୍ଣ୍ଣନା କରିବା ସମୟରେ ମାତାଙ୍କୁ ନିଦ୍ରାଗତା ଦେଖି ତାହା ଆଉ କହିନଥିଲେ।ମାତାଙ୍କ ଗର୍ଭରେ ଥାଇ ମୁଁ ଚକ୍ରବ୍ୟୂହ ଭେଦ ଉପାୟ ତ ଜାଣିଛି ଫେରିବା ଉପାୟ ମୋତେ ଜଣା ନାହିଁ।"


ନିକଟରେ ଉପସ୍ଥିତ ଥିବା ମହାବଳୀ ଭୀମସେନ କହିଲେ.. ଚିନ୍ତା ନାହିଁ ବୀର ପୁତ୍ର! ତୁମେ ବ୍ୟୂହ ଭେଦ କରି ଆଗେଇ ଚାଲ, ପଛରେ ତୁମ ସହିତ ମୁଁ ଛାଇପରି ରହିଥିବି।ଆମ ସହାୟତା ପାଇଁ ସାତ୍ୟକି, ଧୃଷ୍ଟଦ୍ୟୁମ୍ନଙ୍କ ସହିତ ପାଞ୍ଚାଳ, କେକୟ ଓ ମତ୍ସ୍ୟ ସୈନ୍ୟ ବାହିନୀ ପଛରେ ରହିଥିବେ।ସହଜରେ ଗୁରୁଙ୍କ ଚକ୍ରବ୍ୟୂହ ଭେଦ କରି, ଶତ୍ରୁ ସୈନ୍ୟ ଧ୍ୱଂସ କରି ତୁମକୁ ଆମେ ଫେରାଇ ଆଣିବୁ।"


ଭୀମଙ୍କ ପ୍ରେରଣାରେ ଉତ୍ସାହିତ ହୋଇ ଅଭିମନ୍ୟୁ ସାରଥୀ ସୁମିତ୍ରଙ୍କୁ ଚକ୍ରବ୍ୟୂହ ଦିଗରେ ରଥ ଚାଳନା କରିବାପାଇଁ ଆଦେଶ ଦେଲେ। ସହାୟତା ପାଇଁ ପଛରେ ରହିଲେ ଭୀମ ଓ ସାତ୍ୟକିଙ୍କ ସହିତ ବିଶାଳ ପାଣ୍ଡବ ସେନା। ଅଭିମନ୍ୟୁକୁ ଚାହିଁ ସାରଥୀ ସୁମିତ୍ର କହିଲେ..ହେ ବୀରଶ୍ରେଷ୍ଠ ! ଯେଉଁ କାର୍ଯ୍ୟ ତୁମେ ସମ୍ପାଦନ କରିବା ପାଇଁ ଯାଉଛ, ତାହା ଅର୍ଜୁନଙ୍କ ବ୍ୟତୀତ ଆଜି ପର୍ଯ୍ୟନ୍ତ ଅନ୍ୟ କେହି କରିପାରିନାହାନ୍ତି। ତେଣୁ ବ୍ୟୂହ ଭେଦ କରିବା ପୂର୍ବରୁ ଥରେ ଚିନ୍ତା କର।"


ଅଭିମନ୍ୟୁ କହିଲା .. ଚିନ୍ତା କରନାହିଁ ସୁମିତ୍ର ! ମୋ ସାମର୍ଥ୍ୟ ଉପରେ ସନ୍ଦେହ କରନାହିଁ। ମୁଁ ବିଶ୍ୱର ଶ୍ରେଷ୍ଠ ଧନୁର୍ଦ୍ଧର ଅର୍ଜୁନଙ୍କ ପୁତ୍ର ଏବଂ ଦ୍ୱାରକାଧିଶ ଶ୍ରୀକୃଷ୍ଣଙ୍କ ଭାଗିନେୟ।"


ଚାହୁଁ ଚାହୁଁ ଚକ୍ରବ୍ୟୂହ ଭେଦ କରି ମେଘରେ ବିଜୁଳି ଭଳି ଝଲକି ଉଠିଲା ଅଭିମନ୍ୟୁ ହସ୍ତରେ କୃପାଣ।ବିଜୟ ଦର୍ପରେ ଚକ୍ରବ୍ୟୂହ ଧ୍ବଂସ କରୁଥିଲା ବୀର ଅଭିମନ୍ୟୁ।କୌରବ ବାହିନୀ ମଧ୍ୟରେ ପଡିଗଲା ଭୟଙ୍କର ହାହାକାର।ପଛରେ ଅଛନ୍ତି ଭୀମ, ଧୃଷ୍ଟଦ୍ୟୁମ୍ନ, ସାତ୍ୟକି ଏବଂ ରାଜା ବିରାଟ।


ଏହି ସମୟରେ ସେଠାରେ ଅକସ୍ମାତ ଜୟଦ୍ରଥର ଆବିର୍ଭାବ ହୁଏ।ସେ ଧୃଷ୍ଟଦ୍ୟୁମ୍ନ, ଭୀମ, ସାତ୍ୟକି ଆଦି ବୀରମାନଙ୍କୁ ଚାହୁଁ ଚାହୁଁ ପରାସ୍ତ କରିଦେଲା।ଏହି ଅବସରେ ପୁନର୍ବାର ବ୍ୟୂହ ରଚନା କରିଦେଲେ ଗୁରୁ ଦ୍ରୋଣାଚାର୍ଯ୍ୟ।ଏକା ବ୍ୟୂହ ମଧ୍ୟରେ ଥାଇ ଅଭିମନ୍ୟୁ ଭୀଷଣ ଯୁଦ୍ଧରେ ମଗ୍ନଥିଲା।


ପଛକୁ ଚାହିଁଲା ଅଭିମନ୍ୟୁ.. ସହାୟତା ପାଇଁ ସେଠାରେ ନଥିଲେ ପାଣ୍ଡବ ରଥୀମାନେ, ତଥାପି ନିର୍ଭୟ ହୋଇ ବୀର ଅଭିମନ୍ୟୁ ଯୁଦ୍ଧରେ ମାତି ଗଲା। ହସ୍ତୀ ପଦ୍ମବନ ଦଳନ କଲାପରି କୌରବ ବାହିନୀକୁ ଧ୍ୱସ୍ତବିଧ୍ୱସ୍ତ କଲା ଅଭିମନ୍ୟୁ।ଏକା ଏକା ସପ୍ତ ମହାରଥୀଙ୍କ ସହିତ ଯୁଦ୍ଧ କରୁଥିଲା ଅଭିମନ୍ୟୁ।

ଧ୍ବଂସର ତାଣ୍ଡବ ସୃଷ୍ଟିକରି ବୀର ଅଭିମନ୍ୟୁ ରଣକ୍ଷେତ୍ରକୁ ପଦା କରିଦେଲା;କେଉଁଠି ମୃତକର ମସ୍ତକ ଗଡୁଥିଲା ତ କେଉଁଠି କାହାର ଗଦା, ଧନୁ, ଭାଲ, ଖଡ୍ଗ, ତୀର, ସାଞ୍ଜୁ, ଶିରସ୍ତ୍ରାଣ, ଭଗ୍ନ ରଥ, ମୃତ ଅଶ୍ୱ ରଣକ୍ଷେତ୍ରରେ ଏଣେତେଣେ ପଡ଼ିଥିଲେ।

ଦ୍ରୋଣ, କୃପ, କୃତବର୍ମା, ଅଶ୍ୱତ୍ଥାମା, କର୍ଣ୍ଣ, ଶଲ୍ୟ, ଶକୁନି ଇତ୍ୟାଦିଙ୍କ ସହିତ ଘୋର ଯୁଦ୍ଧରେ ମଜ୍ଜିରହିଥିଲା ଅଭିମନ୍ୟୁ। 


ସବୁ କ୍ଷାତ୍ରଧର୍ମ ଭୁଲିଯାଇ ଏବଂ ମନରୁ ସବୁ ଲଜ୍ଜା ତ୍ୟାଗ କରି ଏକତ୍ରିତ ହୋଇ ସପ୍ତରଥି ଅଭିମନ୍ୟୁକୁ ଆକ୍ରମଣ କରିଦେଲେ। କିନ୍ତୁ ଅସୀମ ସାହସିକତା ସହିତ ଯୁଦ୍ଧ କରୁଥିଲା ଅଭିମନ୍ୟୁ।ପ୍ରଥମେ କର୍ଣ୍ଣଙ୍କର ସାଞ୍ଜୁ ଭେଦକଲା ଅଭିମନ୍ୟୁର ତୀକ୍ଷ୍ଣ ଶାୟକ।ଉପାୟ ନପାଇ ସଙ୍ଗେସଙ୍ଗେ କର୍ଣ୍ଣ ଦୂରକୁ ଘୁଞ୍ଚିଗଲେ।


ହୁତାଶନ ସମାନ ଦୁଃଶାସନ ମାଡିଆସିଲା ଆକ୍ରମଣ କରିବା ପାଇଁ।ଏକ ତୀକ୍ଷ୍ଣ ବାଣ ପ୍ରହାର କରି ତାଙ୍କୁ ଅଭିମନ୍ୟୁ ଜ୍ଞାନହୀନ କରିଦେଲା। ତତ୍ପରେ ଶଲ୍ୟ ଆଗେଇ ଆସିଲେ ଯୁଦ୍ଧପାଇଁ। କିନ୍ତୁ ଅଭିମନ୍ୟୁର ବାଣ ଆଘାତରେ ଆହତ ହୋଇ ଶଲ୍ୟ ରଥରେ ପଡିଗଲେ।ଆହତ ଶଲ୍ୟଙ୍କୁ ବିଜୁଳି ବେଗରେ ତାଙ୍କ ସାରଥୀ ରଥରେ ନେଇ ଦୂରକୁ ଚାଲିଗଲା।


ଭ୍ରାତାଙ୍କର ଏ ଅବସ୍ଥା ଦେଖି ଶଲ୍ୟଙ୍କର ଭ୍ରାତା ମହାଦମ୍ଭରେ ଯୁଦ୍ଧ କରିବା ଆରମ୍ଭ କରିଦେଲେ। କିନ୍ତୁ ଅଭିମନ୍ୟୁ ଏକ ଅମୋଘ ଅସ୍ତ୍ର ପ୍ରେରଣ କରି ତୁରନ୍ତ ତାଙ୍କ ରଥକୁ ଭଗ୍ନ କଲା।ପ୍ରାଣ ବଞ୍ଚାଇ ଶଲ୍ୟଙ୍କ ଭ୍ରାତା ସେଠାରୁ ପଳାୟନ କଲେ। ଅଭିମନ୍ୟୁ ର ଏଭଳି ରଣ କୌଶଳ ଦେଖି ଭୂୟସୀ ପ୍ରଶଂସା କଲେ ଗୁରୁ ଦ୍ରୋଣ।ଆନନ୍ଦାଶ୍ରୁ ଝରିଗଲା ଗୁରୁଙ୍କ ଆଖିରୁ। କହିଲେ.. ବାଃ ରେ ଧନଞ୍ଜୟ ପୁତ୍ର , ପିତାଙ୍କର ସମସ୍ତ ପ୍ରତିଭା ତୋ ଭିତରେ ପୂର୍ଣ୍ଣ ହୋଇ ରହିଛି।"ଏହା ଦେଖି ଇର୍ଷାରେ ଜଳିଗଲା ଦୁର୍ଯ୍ୟୋଧନର ହୃଦୟ।କହିଲା ଦୁର୍ଯ୍ୟୋଧନ...


"ଅର୍ଜୁନ ପ୍ରୀତିରେ ଦ୍ରବି ତା ପୁତ୍ରରେ ଅଯଥା ପ୍ରଶଂସା କର, 

ତାକୁ ରଣେ ହତ ନକଲେ ଆଜ'ତ ଯୁଦ୍ଧେ ହେବ ଆମ୍ଭ ହାର।"

ଭରଦ୍ୱାଜ ସୁତ ହୋଇଲେ ଆହତ "ବୋଇଲେ କୁମାର ଶୁଣ, 

ଶତ୍ରୁ ତୀର ଠାରୁ ଅଧିକ ଯନ୍ତ୍ରଣା ଦିଏ ତୁମ୍ଭ ବାକ୍ୟବାଣ।

ପ୍ରତିଭାର ପୂଜା ହୁଏ ଯୁଗେ ଯୁଗେ ଜାଣିଥାଅ କୁରୁ ରାଜ, 

ତୁମ୍ଭେ କି ବୁଝିବ ଈର୍ଷାନଳେ ପାଂଶୁ ହୃଦୟ ତୁମ୍ଭର ଆଜ?"


_______________________________________



Rate this content
Log in