Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀ ଭାଗ ୮୮(ଭଗଦତ୍ତ)

କଥା କାଦମ୍ବରୀ ଭାଗ ୮୮(ଭଗଦତ୍ତ)

4 mins
184


ମହାଭାରତ ଯୁଦ୍ଧରେ ଏଭଳି କିଛି ମହାନ ବୀର ଯୋଗଦାନ ଦେଇଥିଲେ ଯେଉଁମାନଙ୍କ ବ୍ୟକ୍ତିତ୍ୱ ପ୍ରତି ସମ୍ମାନ ସହିତ ସମସ୍ତଙ୍କର ମଥାନତ ହୋଇଯାଏ। ସେଭଳି ଜଣେ ବ୍ୟକ୍ତିତ୍ୱ ଥିଲେ ପ୍ରାଗଜ୍ୟୋତିଷ ରାଜ୍ୟର ରାଜା ଭଗଦତ୍ତ।


ଆଜିକାର ଆସାମ ରାଜ୍ୟ ସେ ସମୟର ପ୍ରାଗଜ୍ୟୋତିଷ ରାଜ୍ୟ ଥିଲା।ଭଗଦତ୍ତ କୌରବ ପକ୍ଷରେ ରହି ଯୁଦ୍ଧ କରୁଥିଲେ। ବୟସାଧିକ୍ୟ ତାଙ୍କର ଶୌର୍ଯ୍ୟ, ବୀର୍ଯ୍ୟ ଓ ମହାନ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିନଥିଲା।କପାଳରେ ଥିବା ତାଙ୍କ ଲୋଳିତ ଚର୍ମ ଚକ୍ଷୁଦ୍ୱୟକୁ ଆଚ୍ଛାଦିତ କରି ତାଙ୍କ ଦୃଷ୍ଟି ଅବରୋଧ କରୁଥିଲା। ସେଥିପାଇଁ ସେ ରେଶମୀ ରୁମାଲରେ ଆଖି ଉପରକୁ ପଡୁଥିବା ଲୋଲିତ ଚର୍ମକୁ ବାନ୍ଧି ଦେଇଥିଲେ। ତା'ସହିତ ଶିରରୁ ଲମ୍ବିତ ପକ୍ୱକେଶ ଯୋଗୁଁ ସେ ଏକ ସିଂହ ଭଳି ଦେଖାଯାଉଥିଲେ।ବୀରତା ଯୋଗୁଁ ଯେତିକି ନୁହେଁ ଚାରିତ୍ରିକ ଉତ୍କର୍ଷତା ଏବଂ ନିର୍ମଳ ପୁରୁଷାକାର ପାଇଁ ଭଗଦତ୍ତ ସମସ୍ତଙ୍କ ସମ୍ମାନର ଅଧିକାରୀ ଥିଲେ।


ତାଙ୍କର"ସୁପ୍ରତୀକ"ନାମକ ଏକ ସୁଶିକ୍ଷିତ ବିଶାଳ ହସ୍ତୀ ଥିଲା। ସେହି ହସ୍ତୀ ପୃଷ୍ଠରେ ଆରୋହଣ କରି ଯୁଦ୍ଧ କରୁଥିବା ସମୟରେ ଭଗଦତ୍ତ ସିଂହ ଭଳି ଦେଖାଯାଉଥିଲେ।ହସ୍ତୀ ବାହିନୀର ପ୍ରମୁଖ ବୀର ଥିଲେ ଭଗଦତ୍ତ।ତାଙ୍କ ପ୍ରିୟ ହସ୍ତୀ ସୁପ୍ରତୀକ ଉପରେ ଆରୋ‌ଣ କରି ଯୁଦ୍ଧ କରିବା ସମୟରେ ସେ ଐରାବତ ପୃଷ୍ଠରେ ଇନ୍ଦ୍ରଙ୍କ ଭଳି ଦେଖା ଯାଉଥିଲେ।


ଦ୍ୱାଦଶ ଦିନର ଯୁଦ୍ଧରେ ଅନେକ ପ୍ରଚେଷ୍ଟା ସତ୍ତ୍ୱେ ଦ୍ରୋଣାଚାର୍ଯ୍ୟ ଯୁଧିଷ୍ଠିରଙ୍କୁ ବନ୍ଦୀ କରିପାରିନଥିଲେ।ଏହାର ଅନ୍ୟତମ କାରଣ ଥିଲେ ମହାବଳୀ ଭୀମସେନ।ସେ ଯୁଧିଷ୍ଠିରଙ୍କୁ ଢାଲ ଭଳି ରକ୍ଷା କରୁଥିଲେ।ହସ୍ତୀ ଭଳି ଲଢେଇ କରୁଥିବା ଭୀମସେନଙ୍କ ବିରୁଦ୍ଧରେ ଦୁର୍ଯ୍ୟୋଧନ ତାଙ୍କ ହସ୍ତୀ ବାହିନୀକୁ ନିୟୋଜିତ କରିଦେଲେ।"ଅଙ୍ଗ"ନାମଧାରୀ ମ୍ଳେଚ୍ଛ ରାଜା ହସ୍ତୀ ଆରୋହଣ କରି ଭୀମସେନଙ୍କୁ ଆକ୍ରମଣ କଲେ।ଭୀମ ତୀର ବର୍ଷଣ କରି ହସ୍ତୀ ସହିତ ମ୍ଳେଚ୍ଛରାଜ ଅଙ୍ଗ'ଙ୍କୁ ସେ'ପାରିକୁ ପଠାଇଦେଲେ।


ହସ୍ତୀ ବାହିନୀରେ ଏହା ଭୟଙ୍କର ବିଭ୍ରାଟ ସୃଷ୍ଟି କଲା। ହାତୀମାନେ ଇତଃସ୍ତତଃ ଦଉଡିବା ଆରମ୍ଭ କରିଦେଲେ। ସେମାନଙ୍କ ପାଦତଳେ ଅନେକ ରଥ ଏବଂ ଅଶ୍ଵ ଏବଂ ଅଶ୍ୱରୋହୀ ଦଳିତ ମଥିତ ହୋଇଗଲେ। ଏଭଳି ଅବସ୍ଥାକୁ ଆୟତ୍ତ କରିବାପାଇଁ ଭଗଦତ୍ତ ସୁପ୍ରତୀକ ଉପରେ ଆରୋହଣ କରି ଆଗେଇ ଆସିଲେ।ଭୀମଙ୍କ ସହିତ ଭୀଷଣ ରଣରେ ମଜ୍ଜିଗଲେ ଭଗଦତ୍ତ।ସୁପ୍ରତୀକ ସାଧାରଣ ହସ୍ତୀ ନଥିଲା।ଭୀମଙ୍କ ଉପରକୁ ମାଡିଆସି ସୁପ୍ରତୀକ ପ୍ରଥମେ ତାଙ୍କର ରଥକୁ ମାଟିରେ ମିଶାଇ ଦେଲା।ଭୀମ ରଥରୁ ଡେଇଁ ପଡି ଜୀବନରକ୍ଷା କଲେ। କିନ୍ତୁ ସୁପ୍ରତୀକ ତାଙ୍କୁ ପାଦରେ ଦଳି ଦେବାପାଇଁ ଚେଷ୍ଟା କଲା।ହସ୍ତୀ-ଯୁଦ୍ଧରେ ପ୍ରବୀଣ ଭୀମ କୌଶଳତା ଅବଲମ୍ବନ କରି ସୁପ୍ରତୀକର ପେଟତଳେ ରହି ବଜ୍ରମୁଷ୍ଠି ପ୍ରହାର କରିବାରେ ଲାଗିଲେ।


ଭୀମ ହସ୍ତୀର ପେଟତଳେ ରହିଥିବାରୁ ତାଙ୍କୁ ଦେଖି ନପାରି ପାଣ୍ଡବଙ୍କ ଭିତରେ ଘୋର ହାହାକାର ଖେଳିଗଲା।"ସୁପ୍ରତୀକ ଭୀମଙ୍କୁ ଦଳିଦେଲା,ଭୀମ ମୃତ"ବୋଲି ହଟ୍ଟଗୋଳ ସୈନ୍ୟମାନଙ୍କ ମଧ୍ୟରେ ଖେଳିଗଲା।

ସଞ୍ଜୟ ଯେତେବେଳେ ଧୃତରାଷ୍ଟ୍ରଙ୍କୁ ଯୁଦ୍ଧର ଏହି ଉପାଖ୍ୟାନ ଶୁଣାଉଥିଲେ, ବ୍ୟଗ୍ର ହୋଇ ଧୃତରାଷ୍ଟ୍ର ପଚାରିଲେ..କୁହ ସଞ୍ଜୟ ଶୀଘ୍ର କୁହ, ସତରେ କ'ଣ ପ୍ରିୟ ଭୀମସେନ ମୃତ୍ୟୁ ବରଣ କରିଛନ୍ତି,ସତରେ କ'ଣ ମୋର ଅବଶିଷ୍ଟ ପୁତ୍ର ମାନେ ଭୀମସେନ ହାତରୁ ରକ୍ଷା ପାଇଯିବେ !!"ସଞ୍ଜୟ କହିଲେ..ଆପଣ ବ୍ୟଗ୍ର ହୁଅନ୍ତୁ ନାହିଁ ମହାରାଜ ! ଆପଣଙ୍କ ପ୍ରିୟ ପୁତ୍ର ଭୀମଙ୍କୁ କିଏ ବା ମାରି ପାରିବ?


ପାଣ୍ଡବ ପକ୍ଷର ବୀର 'ଦଶର୍ଣ୍ଣା' ଏହି ହଟ୍ଟଗୋଳ ଶୁଣି ନିଜର ଦୁର୍ଦ୍ଧାନ୍ତ ହସ୍ତୀ ପୃଷ୍ଠରେ ଭଗଦତ୍ତଙ୍କ ସହିତ ଯୁଦ୍ଧ କରିବାକୁ ପହଞ୍ଚିଲେ।"ସୁପ୍ରତୀକ" ଭୀମଙ୍କୁ ଛାଡି ଘୋର ପିଙ୍କାର କରି ମାଡି ଆସିଲା ଦଶର୍ଣ୍ଣାଙ୍କ ହସ୍ତୀ ଉପରକୁ ଏବଂ ବିଶାଳ ଦାନ୍ତରେ ଦଶର୍ଣ୍ଣାଙ୍କ ହସ୍ତୀର ପେଟକୁ ଚିରି ଦେଇ ତାକୁ ମୃତ୍ୟୁ ପୁରୀକୁ ପଠାଇଦେଲା। ଏହି ଅବସରରେ ସୁପ୍ରତୀକ କବଳରୁ ମୁକ୍ତି ଲାଭ କରି ଭୀମସେନ ନିରାପଦ ସ୍ଥାନକୁ ଚାଲିଗଲେ।ଭୀମସେନଙ୍କୁ ଦେଖି ପାଣ୍ଡବମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଗଲା।


ଘୋର ବିତ୍ପାତ ସୃଷ୍ଟି କରିଚାଲିଥାଏ ସୁପ୍ରତୀକ। ଆକାଶ ମଣ୍ଡଳ ଧୂଳିରେ ପୂର୍ଣ୍ଣ ହୋଇଗଲା। ଏସମୟରେ ସାତ୍ୟକି ଭଗଦତ୍ତଙ୍କୁ ଆକ୍ରମଣ କରିବାକୁ ଆଗେଇ ଆସିଲେ।ଭଗଦତ୍ତ ସାତ୍ଯକିଙ୍କ ବାଣକୁ ପ୍ରତିହତ କଲେ। ସୁପ୍ରତୀକ ସାତ୍ୟକିଙ୍କ ଅଶ୍ୱ ସହିତ ରଥକୁ ଶୁଣ୍ଢରେ ଆକାଶକୁ ଫିଙ୍ଗିଦେଲା।ସାତ୍ୟକି ରଥରୁ ଡେଇଁ ପଡି ପଳାୟନ କଲେ।


ଭଗଦତ୍ତ ଏବଂ ତାଙ୍କ ହସ୍ତୀ ପାଣ୍ଡବ ପକ୍ଷରେ ଘୋର ବିତ୍ପାତ ସୃଷ୍ଟି କରୁଥିବା ଦେଖି ସଂସପ୍ତକ ଯୁଦ୍ଧରେ ବ୍ୟସ୍ତ ଥିବା ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ...କେଶବ ! ଜଣାଯାଏ ଭଗଦତ୍ତ ଏବଂ ତାଙ୍କ ହସ୍ତୀ ସୁପ୍ରତୀକ ଆକ୍ରମଣରେ ଆମ ପକ୍ଷ ଧ୍ୱସ୍ତବିଧ୍ୱସ୍ତ ହେବାକୁ ବସିଲାଣି।ଆମକୁ ଅବସ୍ଥା ସମ୍ଭାଳିବାକୁ ପଡ଼ିବ। ଭଗଦତ୍ତଙ୍କ ସମ୍ମୁଖକୁ ରଥ ନିଅନ୍ତୁ କେଶବ।"


ଅର୍ଜୁନ, ସଂସପ୍ତକ ଯୁଦ୍ଧରୁ ଅପସରି ଯିବା ଦେଖି ତ୍ରିଗର୍ତ୍ତ ରାଜା ସୁଶର୍ମା ଆହ୍ବାନ ଦେଇ କହିଲେ..କ୍ଷତ୍ରିୟର ଆହ୍ବାନ ସ୍ବୀକାର ନକରି କାପୁରୁଷ ଭଳି କେଉଁଆଡେ ଚାଲିଯାଉଛ ପାର୍ଥ?"

ଅର୍ଜୁନଙ୍କ ଆଗରେ ଏବେ ଧର୍ମଶଙ୍କଟ...କ୍ଷତ୍ରିୟ ହୋଇ କ୍ଷତ୍ରିୟର ଆହ୍ବାନକୁ ସେ କିପରି ଉପେକ୍ଷା କରିବେ ?


ଶ୍ରୀକୃଷ୍ଣ କହିଲେ ...ପାର୍ଥ ! ବର୍ତ୍ତମାନ ସୁଶର୍ମାଙ୍କର ଆହ୍ଵାନକୁ କର୍ଣ୍ଣପାତ କରନାହିଁ;ଏ ସମୟରେ ଆମେ ଭଗଦତ୍ତ ଏବଂ ସୁପ୍ରତୀକକୁ ପରାସ୍ତ ନକଲେ ଆଜି ହିଁ ଯୁଧିଷ୍ଠିର ବନ୍ଦୀ ହୋଇଯିବେ ଏବଂ ତାଙ୍କର ବନ୍ଦୀ ହେବା ସଙ୍ଗେ ସଙ୍ଗେ ଯୁଦ୍ଧ ଶେଷ ହୋଇଯିବ।"


ସମୟ ଅପଚୟ ନକରି ଅର୍ଜୁନ ଭଗଦତ୍ତଙ୍କ ସମ୍ମୁଖରେ ଉପସ୍ଥିତ ହେଲେ। ଅର୍ଜୁନଙ୍କୁ ଦେଖି ପାଣ୍ଡବଙ୍କ ମଧ୍ୟରେ ନୂତନ ଶକ୍ତିର ସଞ୍ଚାର ହେଲେ,ଶତଗୁଣିତ ହେଲା ବିଶ୍ବାସ। ଅର୍ଜୁନଙ୍କ ବାଣ ପ୍ରହାର ସୁପ୍ରତୀକ ସହ୍ୟ କରିବା ଅବସ୍ଥାରେ ନଥିଲା। ଅର୍ଜୁନ ଭଗଦତ୍ତଙ୍କୁ କହିଲେ.. ବହୁତ ହେଲା ବୃଦ୍ଧ ରାଜା,ଏବେ ଯମପୁରକୁ ଯିବାପାଇଁ ପ୍ରସ୍ତୁତ ହୁଅ।ସୁପ୍ରତିକ ଘୋର ଗର୍ଜନ କରି ନନ୍ଦିଘୋଷ ଉପରକୁ ମାଡି ଆସିଲା। ଶ୍ରୀକୃଷ୍ଣ ସଫଳତାର ସହିତ ଘୁଞ୍ଚାଇନେଲେ ନନ୍ଦିଘୋଷ। ଅର୍ଜୁନଙ୍କ ବାଣ ଭଗଦତ୍ତଙ୍କ ସାଞ୍ଜୁ ଭେଦକଲା।ଶେଷରେ ଭଗଦତ୍ତ ବୈଷ୍ଣବାସ୍ତ୍ର ପ୍ରୟୋଗ କଲେ।ପ୍ରବଳ ବେଗରେ ମାଡି ଆସୁଛି ବୈଷ୍ଣବାସ୍ତ୍ର। ଅର୍ଜୁନଙ୍କ ଦେହରେ ବାଜିବା ପୂର୍ବରୁ ଶ୍ରୀକୃଷ୍ଣ ବାଣ ଆଗରେ ଛାତି ଦେଖାଇ ଦେଲେ।ସଙ୍ଗେ ସଙ୍ଗେ ତାହା ରତ୍ନାଳଙ୍କାରରେ ପରିଣତ ହୋଇ ଶ୍ରୀକୃଷ୍ଣଙ୍କ ବକ୍ଷ ମଣ୍ଡନ କଲା।


ଆଶ୍ଚର୍ଯ୍ୟ ଚକିତ ଅର୍ଜୁନ କହିଲେ...ଏ କଣ ପ୍ରଭୁ !ଆପଣ ଯୁଦ୍ଧରେ ନିଜକୁ ସଂଶ୍ଲିଷ୍ଟ ନକରିବା ପାଇଁ ଶପଥ ନେଇଥିଲେ,ଏବେ ମୋ ପ୍ରତି ପ୍ରେରିତ ବାଣ ଆଗରେ ବକ୍ଷ ଦେଖାଦେଲେ,ତାହା ପୁଣି ଅଳଙ୍କାରରେ ପରିଣତ ହୋଇଗଲା !!"


ଅଳ୍ପ ହସି ଶ୍ରୀକୃଷ୍ଣ କହିଲେ..ପାର୍ଥ ! ତାହା ବୈଷ୍ଣବାସ୍ତ୍ର ଥିଲା; ନିଶ୍ଚିତ ଭାବରେ ତୁମେ ତା'ଦ୍ୱାରା ନିହତ ହୋଇଥାନ୍ତ। ବିଷ୍ଣୁ ଆଦେଶ ମାନି ତାହା ବିଷ୍ଣୁ-ଅଙ୍ଗଭୂଷଣରେ ପରିଣତ ହୋଇଗଲା।"

ଯୋଡ ହସ୍ତରେ ଅର୍ଜୁନ କହିଲେ...ହେ ପାଣ୍ଡବ ବାନ୍ଧବ ! ଆଜି ମୁଁ ବାସ୍ତବରେ ହୃଦୟଙ୍ଗମ କରୁଛି,ଆପଣ ଲକ୍ଷେ ନାରାୟଣୀ ସେନାଙ୍କ ଠାରୁ ଅଧିକ।"


ଭଗଦତ୍ତଙ୍କୁ ବଧ କରିବା ପାଇଁ ଦୁଇଟି ଉପାୟ ଥିଲା; ପ୍ରଥମେ ତାଙ୍କର ଅପ୍ରତିମ ବିଶାଳ ହସ୍ତୀ ସୁପ୍ରତୀକକୁ ବଧ କରିବାକୁ ପଡ଼ିବ, ଦ୍ୱିତୀୟରେ ଭଗଦତ୍ତଙ୍କ କପାଳରେ ଥିବା ରେଶମ ରୁମାଲକୁ ଛିନ୍ନ କରିବାକୁ ପଡ଼ିବ, ଯଦ୍ୱାରା ତାଙ୍କ କପାଳର ଲୋହିତ ଚର୍ମ ଚକ୍ଷୁଦ୍ୱୟକୁ ଆଚ୍ଛାଦିତ କରିବ।


କାଳ ବିଳମ୍ବ ନକରି ପାର୍ଥ ସୁପ୍ରତୀକ ମସ୍ତକକୁ ଲକ୍ଷ୍ୟକରି ଏକ ଅମୋଘ ବାଣ ପ୍ରହାର କଲେ।ଏକ ବିଶାଳ ପର୍ବତ ଭଳି କିଛି ସମୟ ସ୍ଥିର ରହିବା ପରେ ଘୋର ଗର୍ଜନ କରି ସୁପ୍ରତୀକର ଶରୀର ଭୂମି ସ୍ପର୍ଶ କଲା।

ଅର୍ଜୁନଙ୍କ ଦ୍ୱିତୀୟ ବାଣ ଭଗଦତ୍ତଙ୍କ ମଥାରେ ଥିବା ରେଶମୀ ରୁମାଲକୁ ଛିନ୍ନ କଲା। ଭଗଦତ୍ତଙ୍କ ଦୃଷ୍ଟି ଅବରୁଦ୍ଧ ହେଲା। ତୃତୀୟ ବାଣ ଭଗଦତ୍ତଙ୍କ ବକ୍ଷ ଭେଦକଲା।ଭୂମିରେ ଟଳିଗଲା ସିଂହ ସଦୃଶ ଭଗଦତ୍ତଙ୍କ ବିଶାଳ ଶରୀର।

କୌରବଙ୍କ ପାଇଁ ଏହି ମହାନ ଯୋଦ୍ଧା ଏବଂ ତାଙ୍କ ଅନନ୍ୟ ହସ୍ତୀର ଅବଦାନ ଏକ ଅମର କାହାଣୀ ହୋଇ ଯୁଗ ଯୁଗ ପାଇଁ ରହିଯାଇଛି।



Rate this content
Log in