କଥା କାଦମ୍ବରୀ ଭାଗ ୩୧
କଥା କାଦମ୍ବରୀ ଭାଗ ୩୧
କଥା କାଦମ୍ବରୀ
ଭାଗ ୩୧
=================================
(ଅନୁପମା ରାଜକନ୍ୟା ଓ ଅନୁପମ ଦ୍ଵାରକାପତି)
=================================
ପାଞ୍ଚାଳ ରାଜକନ୍ୟା ରୂପମୟୀ ଯାଜ୍ଞସେନୀ ରାଜ ଅବରୋଧର ତ୍ରିତଳ ପ୍ରାସାଦରେ ସେଦିନ ବସିଥିଲେ।ଅସ୍ତରାଗ ଢାଳିଦେଇ ଗଙ୍ଗା ସେପାରିରେ ସୂର୍ଯ୍ୟ ଧୀରେ ଧୀରେ ବୁଡିଯାଉଥିଲେ। ଲାଗୁଥିଲା ଗଙ୍ଗାନଦୀର ସିକତାରେ ସୁବର୍ଣ୍ଣ ରଙ୍ଗର ବିଶାଳ ପାତ୍ର ଢାଳି ହୋଇ ଯାଇଛି।ଏଣେ ପୂର୍ବ ଆକାଶରେ ଉଇଁ ଆସୁଛନ୍ତି ପୂର୍ଣମାସୀ ଚନ୍ଦ୍ରମା; ରାଜୋଦ୍ୟାନର ବର୍ଦ୍ଧିତ ବୃକ୍ଷର ପତ୍ର ଦେଇ ଜେମାଙ୍କ ସୁଠାମ ଅଧରରେ ଚେନାଏ ଜ୍ୟୋସ୍ନା ପଡି ସୃଷ୍ଟି କରୁଥିଲା ସୁଷମାର ମଧୁ ତରଙ୍ଗ।କ୍ରମେ ଚନ୍ଦ୍ର ଉଇଁ ଆସିଲେ ଏବଂ ସମ୍ପୂର୍ଣ୍ଣ ଜ୍ୟୋସ୍ନା ସ୍ନାତା ହୋଇଗଲେ ରୂପସୀ ରାଜକନ୍ୟା।
==== ବୟସ ଜେମାଙ୍କର ବିଂଶ ବର୍ଷରୁ ଅଧିକ ହେବନାହିଁ,ବର୍ଣ୍ଣ ଶ୍ୟାମଳ,ଆୟତ୍ତ ଆଖିରେ ଅନାୟତ ଚଞ୍ଚଳତା ଲହଡ଼ି ମାରୁଥିଲା। କେଶରୀ କଟି,ସୁଗଠିତ ତନୁଲତା,ମେଘମହ୍ଲାର କେଶରାଶି,ସୁଦୀର୍ଘ ଭୃଲ୍ଲତା,ଓଷ୍ଠରେ ଅସୁମାରୀ ସ୍ବପ୍ନ ସମ୍ଭାର; ବିଶ୍ବର ଯେତେସବୁ ବିଶେଷଣ ଅଛନ୍ତି, ସେମାନେ ଜେମାଙ୍କୁ ଉପମା ଦେବାପାଇଁ ଅସମର୍ଥ ହେଉଥିଲେ। ଲାଗୁଥିଲା ସତେ ଯେପରି ଜେମାଙ୍କ ଅବୟବରୁ ଅମୃତ ଝରି ଯାଉଛି।ଯେ'କେହି ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଚିନ୍ତାକରିବ... ସତରେ, ବିଧାତା କେତେ କାଳଧରି ଦ୍ରୁପଦ କନ୍ୟାଙ୍କର ଚାରୁ ତନୁଲତା ଗଢିଛି !!
ଖାଲି କଣ ସେତିକି ? ପିନ୍ଧିଥିବା ଝିନ୍ନ ଅଙ୍ଗବାସ ଭିତରୁ ଯୌବନ ଫୁଟି ଉଠୁଥିଲା ଏବଂ ଦେହରୁ ପ୍ରବହମାନ ହେଉଥିଲା ନୀଳୋତ୍ପଳ ସୁବାସ।କାନନ ଭ୍ରମଣ ସମୟରେ ବଡ଼ କଷ୍ଟ ପାଉଥିଲେ ରାଜଜେମା,କାରଣ ନୀଳୋତ୍ପଳ ସୁବାସ ଯୋଗୁଁ, ସୁନ୍ଦର ମୁଖକୁ ଭ୍ରମର ମାନେ ପ୍ରସ୍ଫୁଟିତ ପଦ୍ମ ଫୁଲ ଭାବି ଚୁମ୍ବନ କରିବା ପାଇଁ ଗୁଣୁ ଗୁଣୁ ହୋଇ ଉଡୁଥିଲେ।
==== ରାଜ କନ୍ୟାଙ୍କର କଣ ବା ଅଭାବ ?କଟିରେ ସୁନାର ମେଖଳା, ବାହୁରେ ସୁନାର ବାଜୁବନ୍ଧ,ହାତରେ ସୁନାଚୁଡି,ଗଳାରେ ରତ୍ନମାଳା, ଅଙ୍ଗୁଳିରେ ହୀରକ ମୁଦ୍ରିକା,ଏବଂ ବେଣୀରେ ଶୋଭା ପାଉଥିଲା ଗଜରା ହାର।ନାଶିକାରେ ଶୁଭ୍ର ନାକଚଣା ପ୍ରାଚୀ ଆକାଶରେ ପ୍ରଭାତୀ ତାରା ଭଳି ଦେଖାଯାଉ ଥିଲା।ସୁନ୍ଦରୀଙ୍କର ବକ୍ଷଯୁଗଳ ଦୁଇଟି ମନୋରମ ପଦ୍ମକଳିକାର ଭ୍ରମ ସୃଷ୍ଟି କରୁଥିଲା।
==== ଦ୍ରୋଣଙ୍କର ଠାରୁ ଅପମାନିତ ହୋଇ ଦ୍ରୁପଦ ଯେଉଁ ଘୋର ତପସ୍ୟା ଓ ଯଜ୍ଞ ବିଧାନ କରିଥିଲେ ତାର ଫଳସ୍ବରୂପ ଯଜ୍ଞ କୁଣ୍ଡରୁ, ଭ୍ରାତା ଧୃଷ୍ଟଦ୍ୟୁମ୍ନଙ୍କ ସହିତ ସମ୍ଭୂତା ହୋଇ ଥିବାରୁ ନାମ ତାଙ୍କର ଥିଲା ଯାଜ୍ଞସେନୀ।ଦ୍ରୋଣଙ୍କ ଉପରେ ପ୍ରତିଶୋଧ ନେବା ଥିଲା ଭାଇ ଭଉଣୀଙ୍କ ପ୍ରମୁଖ ଲକ୍ଷ୍ୟ।
==== ଶ୍ରୀକୃଷ୍ଣଙ୍କ ଚିନ୍ତାରେ ସେଦିନ ହଜିଯାଇଥିଲେ ଯାଜ୍ଞସେନୀ।ଗୁରୁ ସନ୍ଦିପନିଙ୍କ ଠାରୁ ଏହି ବିସ୍ମୟ ପ୍ରତିଭାଙ୍କ ବିଷୟରେ ସେ ଶୁଣିଥିଲେ।ସନ୍ଦିପନୀ ଥିଲେ କୃଷ୍ଣ ବଳରାମଙ୍କ ଆଚାର୍ଯ୍ୟ। ଅବନ୍ତିରେ ରହିଥିଲା ତାଙ୍କର ଭବ୍ୟ ଗୁରୁକୁଳ।ସେହି ଗୁରୁକୁଳରେ ଆର୍ଯ୍ୟାବର୍ତ୍ତର ବିଭିନ୍ନ ରାଜପୁତ୍ର ଅସ୍ତ୍ରଶସ୍ତ୍ର ଶିକ୍ଷା ଲାଭ କରିଥାନ୍ତି। କଂସାସୁର ନିଧନ ପରେ ଯେତେବେଳେ ମଥୁରାରେ ଅତ୍ୟାଚାର-ଯୁଗର ଅନ୍ତ ହେଲା କୃଷ୍ଣ ବଳରାମ ଗୋପପୁରରୁ ମଥୁରାକୁ ଫେରି ଆସିଲେ। କିଛି ଯାଦବ ବୀର କୃଷ୍ଣଙ୍କୁ ରାଜସିଂହାସନରେ ଆସୀନ ହେବାପାଇଁ ଅନୁରୋଧ କଲେ।ସବିନୟ ସେ ଅନୁରୋଧ ପ୍ରତ୍ୟାଖ୍ୟାନ କରି ଆର୍ଯ୍ୟ ଉଗ୍ରସେନଙ୍କୁ ସିଂହାସନରେ ଆସୀନ କରିଥିଲେ ଯଦୁପତି କୃଷ୍ଣ।
କିନ୍ତୁ ଗୋପପୁରରେ ଗୋପାଳନ କାର୍ଯ୍ୟରେ ବ୍ୟସ୍ତରହି ବିଦ୍ୟାଶିକ୍ଷା କରି ପାରିନଥିଲେ କୃଷ୍ଣ ଓ ବଳରାମ। ଅଗତ୍ୟା ସନ୍ଦିପନିଙ୍କ ଗୁରୁକୁଳରେ ଅସ୍ତ୍ରଶସ୍ତ୍ର ଶିକ୍ଷା କରିବା ପାଇଁ ତାଙ୍କୁ ପ୍ରେରିତ କରାଗଲା। ସେଠାରେ ସେତେବେଳେ ଅଧ୍ୟୟନ କରୁଥିଲେ ଅବନ୍ତିର ରାଜପୁତ୍ର ବିନ୍ଦ,ଅନୁବିନ୍ଦ, ଦ୍ବିଜ ଶ୍ବେତକେତୁ ଏବଂ ଅନ୍ୟ ଅନେକ ରାଜପୁତ୍ର। ସମସ୍ତଙ୍କ ମଧ୍ୟରେ ବିଚକ୍ଷଣ ପ୍ରତିଭାଧାରୀ ଥିଲେ କୃଷ୍ଣ ବଳରାମ। ଅଳ୍ପଦିନ ଭିତରେ ସମସ୍ତ ଶାସ୍ତ୍ର ଅଧ୍ୟୟନ କରି ସବୁପ୍ରକାର ଶସ୍ତ୍ର ବିଦ୍ୟାରେ ପାରଙ୍ଗମ ହୋଇ ଗଲେ ଦୁଇଭାଇ ଏବଂ ଫେରି ଆସିଲେ ମଥୁରା ରାଜପ୍ରସାଦକୁ।
=== ଆଚାର୍ଯ୍ୟ ସନ୍ଦିପନି ଶ୍ରୀକୃଷ୍ଣଙ୍କ ପ୍ରତିଭାରେ ଏଭଳି ପ୍ରଭାବିତ ହୋଇ ଯାଇଥିଲେ ଯେ ସବୁବେଳେ ତାଙ୍କ ଗୁଣ ବର୍ଣ୍ଣନାରେ ସେ ଶତମୁଖ ହୋଇ ଉଠୁଥିଲେ। ଆଚାର୍ଯ୍ୟ ହିସାବରେ ଆର୍ଯ୍ୟାବର୍ତ୍ତରେ ସବୁ ରାଜପରିବାରକୁ ତାଙ୍କର ଅବାଧ ପ୍ରବେଶ ଥିଲା। ଏକଦା ତାଙ୍କର ପାଞ୍ଚାଳ ଆଗମନ ହୋଇଥାଏ। ରାଜକନ୍ୟା ଦ୍ରୌପଦୀ ଆଚାର୍ଯ୍ୟଙ୍କ ପାଦ ବନ୍ଦନା କରିବାପରେ ପଚାରିଲେ..."ମୁନି ଶ୍ରେଷ୍ଠ ! ଆର୍ଯ୍ୟାବର୍ତ୍ତରେ ବିସ୍ମୟ ସୃଷ୍ଟି କରିଥିବା ଆପଣଙ୍କ ଶ୍ରେଷ୍ଠ ଶିଷ୍ୟ ଗୋବିନ୍ଦଙ୍କ ବିଷୟରେ କିଛି କୁହନ୍ତୁ।"
ଅଳ୍ପ ହସି ସନ୍ଦିପନି କହିଲେ..କଲ୍ୟାଣୀ ! ଶ୍ରୀକୃଷ୍ଣ ଅନନ୍ତା, କୃଷ୍ଣ କଥା ଅନନ୍ତା।ତାଙ୍କ କଥା କହିଲେ ତ କାଳଖଣ୍ଡ ମଧ୍ୟ ସ୍ବଳ୍ପ ପଡ଼ିଯିବ, ତଥାପି ସଂକ୍ଷେପରେ କହୁଛି ଶୁଣ। କୃଷ୍ଣ ଏକ ଛନ୍ଦମୟ କବିତା, ତେଣୁ କବିତାରେ ବର୍ଣ୍ଣନା କଲେ କୃଷ୍ଣଙ୍କ ମହିମା ଏହି ପରି ହେବ:....
"ଧର୍ମ ସଂସ୍ଥାପନା ପାଇଁ ଅବତୀର୍ଣ୍ଣ ସେହି ସ୍ବୟଂ ନାରାୟଣ,
ଚିକ୍କଣ କାଳିଆ,ମୟୂର ଚୂଳିଆ ଶଙ୍ଖ,ଚକ୍ର ଶୋଭାବନ।
କନ୍ଧରେ ଶୋଭିତ ଶାରଙ୍ଗ ଧନୁ ସେ କୌମୋଦକୀ ଗଦାଧାରୀ,
ରଙ୍ଗ ଅଧରରେ ସଦା ମୃଦୁହାସ,କୃଷ୍ଣ ଦ୍ବାରକା କେଶରୀ।
ଅଙ୍ଗେ ପୀତବାସ,ଶ୍ୟାମଳ ଶରୀରେ ସଦା ପରିପୂର୍ଣ୍ଣ ଲାସ୍ୟ,
ସମ୍ପଦେ,ବିପଦେ ସଦା ନିର୍ବିକାର,ରହିଥାନ୍ତି ହସ ହସ।
ଶରୀର ତାଙ୍କର କୋମଳ,ସୁନ୍ଦର ,ବାହୁରେ ବଳ ହସ୍ତୀର,
ଏ ବିଶ୍ବ ମଣ୍ଡଳେ ସମର କୌଶଳେ ନାହିଁ ତାଙ୍କ ପଟାନ୍ତର।
ଅହର୍ନିଶ ସେ ତ ଜାଗ୍ରତ ରହନ୍ତି ନିଦ୍ରାଜୟୀ ଚନ୍ଦ୍ରବଂଶୀ,
ସେ ଯେବେ ଶୋଇବେ,କିଏ ଜଗାଇବ ବିଶ୍ବକୁ ବଜାଇ ବଂଶୀ?
ସମ୍ରାଟ ନୁହନ୍ତି,ସାମ୍ରାଜ୍ୟ ପାରନ୍ତି,କେତେ ସେ ଗଢି ସଂସାରେ,
ତାଙ୍କ ପାଦପୂଜା,ପାଇଁ କେତେ ରାଜା ଅଭିଳଷନ୍ତି ଅନ୍ତରେ।
ଗଳାରେ ଶୋଭିତ କୌସ୍ତୁଭମଣିର ଜ୍ୟୋତିର୍ମୟ ଦିବ୍ୟମାଳ,
ଚନ୍ଦନ ଚର୍ଚ୍ଚିତ ନୀଳ କଳେବର,କର୍ଣ୍ଣରେ ମଣି କୁଣ୍ଡଳ।
ଥିଲେ ଯେବେ କୃଷ୍ଣ,ଗୋପ ବୃନ୍ଦାବନେ ମୋହନ ମୁରଲୀ ଧରି,
ଯମୁନା ତଟରେ ପ୍ରୀତି ମଧୁଚକ୍ର ଥିଲେ କୃଷ୍ଣ ସୃଷ୍ଟିକରି।
ଝରି ଯାଉଥିଲା ରଙ୍ଗ ଅଧରରୁ ହସର ଅମୃତ ଧାରା,
ମୋହନ ବଂଶୀରୁ ବହିଯାଉଥିଲା ଝଂକାର, ବେପଥୁଭରା।
ଯମୁନା ଜଳରେ ଉଠଇ ତରଙ୍ଗ ଶୁଣି ସେ ମୁରଲୀସ୍ବନ
ଚଞ୍ଚଳ ପାଦରେ ଧାଉଁଥିଲେ ଗୋପବାଳା ପୁଲକିତମନ।
ମୁଖେ ତୃଣ ଧରି,ଅପଲକେ ମୃଗ- ଶିଶୁ ଶୁଣନ୍ତି ସେ ସୁର,
ଖିର ତେଜି ବତ୍ସା,ଅନାଇଁ ଶୁଣେ ସେ ଅମୃତମୟ ଲହର।
ସୁର ତାଳେ ତାଳେ, ପୁଷ୍ପଲତା ଡାଳେ,ନାଚନ୍ତି ମଧୁମାଳତି,
ଯମୁନା ଘାଟରେ ବୃଷଭାନୁ ଜେମା,ହୁଅନ୍ତି ଚଞ୍ଚଳମତି।
ଛନ୍ଦା ଚରଣରେ କେତେ ଛନ୍ଦ ଭରା ସଂଗୀତ କେତେ ଠାଣିରେ !
ଅଙ୍ଗେ ଭରା ପୂର୍ଣ୍ଣମାସୀ ଶୀତଳତା,ଅମୃତ କେତେ ବାଣୀରେ !
ଶ୍ୟାମଳ ଗଳାରେ କାଇଁଚର ମାଳ ,ମେଘରେ ବିଜୁଳି ପରି,
ଆଖିରେ ଝଲକେ ଚୋରା ଚାହାଣି,ଯା ଲକ୍ଷ ହୃଦ କରେ ଚୋରି।
ଶୁଣ ରାଜଜେମା,ଏପରି ଦୁର୍ଲ୍ଲଭ ରୂପ ଦେଖିବାର ପାଇଁ,
ସାତଜନ୍ମ ତପ ନୁହେ ପରିମିତ ,ଏ ମନୁଷ୍ୟ ଜନ୍ମ ନେଇ।
ମନୁଷ୍ୟ ଲୋକରେ ଧର୍ମ ରକ୍ଷା ପାଇଁ,ଜନ୍ମିଛନ୍ତି ନାରାୟଣ,
କୃଷ୍ଣ-ବାସୁଦେବ ନାମେ ଆଲୋକିତ କରୁଛନ୍ତି ଧରାଧାମ।"
==== ଆଚାର୍ଯ୍ୟ ସନ୍ଦିପନିଙ୍କ ଠାରୁ ଶ୍ରୀକୃଷ୍ଣଙ୍କ ବିଷୟରେ କାବ୍ୟିକ ବର୍ଣ୍ଣନା ଶୁଣି ରାଜଜେମାଙ୍କ ମନ ଆପେ ଆପେ ଦ୍ରବିଗଲା। ଭକ୍ତି ପ୍ରୀତି-ପୂର୍ଣ୍ଣ ହୃଦୟ ତାଙ୍କର କୃଷ୍ଣ ଦର୍ଶନ ଆଶାରେ ଚଞ୍ଚଳ ହୋଇ ଉଠିଲା।ମନ ଭିତରେ ଗଢିହୋଇଗଲା ଏକ ସୁନ୍ଦର ମନ୍ଦିର।ତା ଭିତରେ ଶ୍ରୀକୃଷ୍ଣଙ୍କର ମୂର୍ତ୍ତିଟିଏ ସ୍ଥାପନ କରି ପ୍ରୀତି ଅର୍ଘ୍ୟରେ ନଟବରଙ୍କୁ ମନେ ମନେ ପୂଜା କରିବା ଆରମ୍ଭ କରିଦେଲେ ଯାଜ୍ଞସେନୀ।ହୃଦୟ ଉଦ୍ୟାନରୁ ବାଛି ବାଛି ସୁଗନ୍ଧିତ ଫୁଲ ତୋଳି ମନ ମୋହନଙ୍କ ଗଳାରେ ପ୍ରୀତିର ହାର ଲମ୍ବାଇ ଦେଲେ ଯାଜ୍ଞସେନୀ। ଚିନ୍ତା କଲେ... ଆଃ,ଥରେ ଦେଖା ମିଳନ୍ତେ କି ମୋହନ !
ରାଜକନ୍ୟାଙ୍କ ମନକଥା ଜାଣିପାରିଲେ ଆଚାର୍ଯ୍ୟ ସନ୍ଦିପନୀ।ଧୀର କଣ୍ଠରେ କହିଲେ...କଲ୍ୟାଣୀ !, କୃଷ୍ଣ ସମସ୍ତଙ୍କର,କାହାର ବି ନୁହଁନ୍ତି।ତାଙ୍କୁ ପାଇବା ସହଜ ନୁହେଁ, କିନ୍ତୁ ଥରେ ସେ ଯାହାର ହୋଇ ଯାଆନ୍ତି ତାକୁ ସେ ନିଜଭିତରେ ହଜାଇ ଦିଅନ୍ତି।
ଯାଜ୍ଞସେନୀ କହିଲେ...ଥରେ ବି କଣ କୃଷ୍ଣଙ୍କର ଦେଖାମିଳିବ ନାହିଁ ଗୁରୁଦେବ ?
ସନ୍ଦିପନି କହିଲେ...ଆଶା ଅଛି ପୁତ୍ରୀ।ତୁମ ପିତା ଦ୍ରୁପଦ ତାଙ୍କୁ ଜାମାତା କରିବା ଆଶା ମନରେ ପୋଷଣ କରିଛନ୍ତି।ଦ୍ରୁପଦ ଭାବୁଛନ୍ତି କୃଷ୍ଣ ଯେବେ ତୁମର ପାଣି ଗ୍ରହଣ କରିବେ ତେବେ ଯାଦବ ଏବଂ ପାଞ୍ଚାଳ ଶକ୍ତି ଏକତ୍ରିତ ହୋଇ ଆର୍ଯ୍ୟାବର୍ତ୍ତରେ ଏକ ଅଜେୟ ଶକ୍ତି ଭାବରେ ବାହାରିବେ ଏବଂ ଦ୍ରୋଣଙ୍କ ଉପରେ ପ୍ରତିଶୋଧ ନେବା ଅତି ସହଜ ବ୍ୟାପାର ହୋଇଯିବ। ସେଥିପାଇଁ ମୋ ଦ୍ବାରା ତୁମ ଵିଵାହ ପ୍ରସ୍ତାବ ଦ୍ବାରକାକୁ ପଠାଇବାକୁ ଚାହାନ୍ତି ତୁମ୍ଭ ପିତା ଦ୍ରୁପଦ।"
==== ସନ୍ଦିପନିଙ୍କ କଥା ଶୁଣି ଦ୍ରୌପଦୀ ଉତ୍ସୁକ ହୋଇ ପଚାରିଲେ.. ପିତାଙ୍କର ଏ ପ୍ରସ୍ତାବରେ ଆପଣଙ୍କ ମତାମତ କଣ ଆଚାର୍ଯ୍ୟ?"
ସନ୍ଦିପନି କହିଲେ... କୃଷ୍ଣ ଏଭଳି ପ୍ରସ୍ତାବକୁ ଗ୍ରହଣ କରି ନ'ପାରନ୍ତି,କାରଣ ଏହା ପଛରେ ଦ୍ରୋଣଙ୍କ ଉପରେ ପ୍ରତିଶୋଧ ନେବା ମନୋବୃତ୍ତି ରହିଛି।ତେଣୁ ମୁଁ ତୁମ ପିତା ଦ୍ରୁପଦଙ୍କୁ କହିଛି ଯେ ସେ ନିଜେ କୃଷ୍ଣଙ୍କ ସହିତ ବାର୍ତ୍ତାଳାପ କରି ବିବାହ ବିଷୟରେ କୃଷ୍ଣଙ୍କ ମନୋବୃତ୍ତି ଜାଣି ନିଅନ୍ତୁ। ପାଣ୍ଡବମାନେ ଜତୁଗୃହରେ ଦଗ୍ଧ ହେବା ସମ୍ବାଦ ପାଇ କୃଷ୍ଣ,ଉଦ୍ଧବ ଏବଂ ସାତ୍ୟକି ଏ ଭିତରେ ହସ୍ତିନା ଆସୁଛନ୍ତି କୁରୁ ପରିବାରକୁ ସମବେଦନା ଜଣାଇବା ପାଇଁ।ସେ ସମୟରେ ତୁମ ପିତା ଦ୍ରୁପଦ ଗୋବିନ୍ଦଙ୍କୁ,ଆର୍ଯାବର୍ତ୍ତ ରାଜନୀତି ବିଷୟରେ ଆଲୋଚନା କରିବାକୁ ପାଞ୍ଚାଳ ନିମନ୍ତ୍ରଣ କରି ତାଙ୍କ ମନକଥା ଜାଣିପାରିବେ।"
==== ଦ୍ରୌପଦୀ କହିଲେ.. କୃଷ୍ଣଙ୍କ ସହିତ ମୋର ଦର୍ଶନ ପାଇଁ ଆପଣ କ'ଣ କିଛି ସାହାଯ୍ୟ କରିପାରିବେ ନାହିଁ ଗୁରୁଦେବ ?"
ସନ୍ଦିପନି କହିଲେ ... ନିଶ୍ଚୟ ଚେଷ୍ଟା କରିବି କଲ୍ୟାଣୀ, ମୋର ଏ ଭିତରେ ଦ୍ବାରକା ଯିବାର ଅଛି, ମୁଁ ଗୋବିନ୍ଦଙ୍କୁ କହିବି ଯେ ଦ୍ରୁପଦ ଆର୍ଯ୍ୟାବର୍ତ୍ତର ରାଜନୀତି ବିଷୟରେ ତାଙ୍କ ସହିତ ଆଲୋଚନା କରିବାପାଇଁ ଚାହୁଁଛନ୍ତି ଏବଂ ରାଜକନ୍ୟା ଦର୍ଶନାଭିଳାଶୀ ଅଛନ୍ତି।"
ଯାଜ୍ଞସେନୀ ଗୁରୁ ସନ୍ଦିପନିଙ୍କ ପାଦତଳେ ମଥା ନୁଆଁଇ କହିଲେ... ମୋତେ ଆଶୀର୍ବାଦ କରନ୍ତୁ ଗୁରୁଦେବ, ମୁଁ ଯେପରି କୃଷ୍ଣଙ୍କ ଦର୍ଶନ ପାଏ।
.
