କଥା କାଦମ୍ବରୀ ଭାଗ ୧୪
କଥା କାଦମ୍ବରୀ ଭାଗ ୧୪
ମହା ଆଡ଼ମ୍ବରରେ କାଶୀରାଜନନ୍ଦିନୀ ଅମ୍ବାଙ୍କୁ ଶାଲ୍ୱ-ରାଜ୍ୟ ଅଭିମୁଖେ ବିଦାୟ ଦେଇ, ବିଚିତ୍ରବୀର୍ଯ୍ୟଙ୍କ ସହିତ ଅମ୍ବିକା ଓ ଅମ୍ବାଳିକାଙ୍କର ବିବାହ ଉତ୍ସବ ମହା ସମାରୋହର ପାଳନ କଲେ ଭୀଷ୍ମ ।
ଏଣେ ଶାଲ୍ୱ ନରେଶ ଅମ୍ବାଙ୍କୁ ଗ୍ରହଣ କରିବାପାଇଁ ପ୍ରସ୍ତୁତ ନଥିଲେ । ଭୀଷ୍ମଙ୍କଠାରୁ ବାରମ୍ବାର ଯୁଦ୍ଧରେ ପରାଜୟ ବରଣ କରିଵା ପରେ ଭୀଷଣ ଅପମାନରେ ଜର୍ଜରିତ ହୋଇ ରହିଥିଲେ ଶାଲ୍ୱ । ଅମ୍ବାଙ୍କର ଶାଲ୍ୱଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନକୁ ସେ ଭୀଷ୍ମଙ୍କର ଦୟାପୂର୍ଣ୍ଣ ଦାନ ଭାବରେ ବିବେଚନା କଲେ । ଅମ୍ବା ଯେତେବେଳେ ମହା ଆନନ୍ଦରେ ଶାଲ୍ୱ ରାଜ ଅବରୋଧରେ ପ୍ରବେଶ କରି ହସ୍ତିନାରୁ ତାଙ୍କ ମୁକ୍ତିର ସମ୍ବାଦ ଶୁଣାଇଲେ, ଘୃଣାରେ ମୁହଁ ଫେରାଇ ନେଇ ଶାଲ୍ୱ କହିଲେ... ଶତ୍ରୁର ଉଚ୍ଛିଷ୍ଟ ଗ୍ରହଣ କରିବାପାଇଁ ମୁଁ ପ୍ରସ୍ତୁତ ନୁହେଁ ଅମ୍ବା । ଦେବବ୍ରତ ମୋତେ ଯୁଦ୍ଧରେ ହରାଇ ତୁମକୁ ଜୟକରି ନେଇଯାଇଛନ୍ତି । ବର୍ତ୍ତମାନ ଭୀଷ୍ମଙ୍କର ଦୟାପୂର୍ଣ୍ଣ ଦାନ ଗ୍ରହଣ କରିବା ଅପେକ୍ଷା ମୃତ୍ୟୁ ବରଂ ଶ୍ରେୟସ୍କର । "
ଏହା ଶୁଣି ଅପମାନରେ ରକ୍ତାଭ ହୋଇଗଲା ଅମ୍ବାଙ୍କ ମୁଖମଣ୍ଡଳ ।
---- ନାରୀ ପ୍ରତି ଏତେ ଅପମାନ ! ଶେଷରେ ଶାଲ୍ୱଙ୍କର ଯୁଦ୍ଧରେ ହାରିଯିବା ଅଯୋଗ୍ୟତା ଯୋଗୁଁ ଉଚ୍ଛିଷ୍ଟ ପାଲଟି ଗଲେ ଅମ୍ବା !
ଶାଲ୍ୱଙ୍କର ଆଖିରେ ଆଖି ମିଳାଇ ପ୍ରଶ୍ନକଲେ ଅମ୍ବା...ଏଇ ତାହେଲେ କଣ ତୁମର ଭଲପାଇବା ? ଭୁଲିଗଲ କାଶୀ ରାଜବାଟିକାରେ ଦେଇଥିବା ପ୍ରତିଶ୍ରୁତି ! ଆମେ ଇହକାଳ ପରକାଳର ସାଥୀ ବୋଲି ଯାହା କହିଥିଲ ତାହା କ'ଣ ଛଳନା ଥିଲା ପ୍ରିୟ ଶାଲ୍ୱରାଜ ?
ଶାଲ୍ୱ କହିଲେ... ରାଜାର ଆତ୍ମସମ୍ମାନ ଏବଂ ରାଜ୍ୟର ସମ୍ମାନ ଠାରୁ ପ୍ରେମ ବଡ଼ ନୁହେଁ କାଶୀ ରାଜନନ୍ଦିନୀ; ମୁଁ ତୁମକୁ ଗ୍ରହଣ କଲେ କେବଳ ଅନ୍ୟ ରାଜାଙ୍କ ଦ୍ବାରା ଯେ ତିରସ୍କୃତ ହେବି ତା'ନୁହେଁ, ନିଜ ରାଜ୍ୟର ପ୍ରଜାମାନେ ମଧ୍ୟ ମୋତେ ଘୃଣା ଦୃଷ୍ଟିରେ ଦେଖିବେ । ମୁଁ ଦୁଃଖିତ ଅମ୍ବା, ମୁଁ ନାଚାର ।
ଶାଲ୍ୱଙ୍କ ଅସ୍ବୀକାରରେ ଅପମାନରେ ଜର୍ଜରିତ ଅମ୍ବାଙ୍କର ଆହତ ଆତ୍ମସମ୍ମାନ ଭୟଙ୍କର କ୍ରୋଧରେ ପରିଣତ ହେଲା । ସବୁ କ୍ରୋଧ କେନ୍ଦ୍ରୀଭୂତ ହେଲା ଭୀଷ୍ମଙ୍କ ଉପରେ । ଶାଲ୍ୱଙ୍କୁ ସେ ଦୋଷ ଦେଇପାରିଲେ ନାହିଁ,କାରଣ ପରାସ୍ତ ଏବଂ ଅପମାନିତ ଯେ' କୌଣସି ରାଜା ଯାହା କରିବା କଥା,ଶାଲ୍ୱ ତାହା କରିଛନ୍ତି । ଅମ୍ବାଙ୍କର ଦୁର୍ଭାଗ୍ୟର କାରଣ କେବଳ ଭୀଷ୍ମ ହିଁ ଭୀଷ୍ମ । ହସ୍ତିନା ଦରବାରରୁ ନ୍ୟାୟ ପାଇବା ଆଶାରେ ଅମ୍ବା ହସ୍ତିନା ଫେରି ଗଲେ । ପୂର୍ଣ୍ଣ ରାଜଦରବାରରେ କାଶୀ ରାଜନନ୍ଦିନୀଙ୍କୁ ଆଶ୍ଵାସନା ଦେଇ ଭୀଷ୍ମ କହିଲେ..ଅମ୍ବେ ! ତୁମ ଅପମାନର ପ୍ରତିଶୋଧ ନେବାପାଇଁ ହସ୍ତିନାର ସୈନ୍ୟବାହିନୀ ପ୍ରସ୍ତୁତ । ବାଗ୍ଦତ୍ତାଙ୍କୁ ପ୍ରତ୍ୟାଖ୍ୟାନ କରିବାର ପରିଣାମ ଶାଲ୍ୱଙ୍କୁ ଭୋଗିବା ପାଇଁ ପଡିବ । ଏହା କେବଳ କାଶୀ ରାଜ ନନ୍ଦିନୀଙ୍କ ଅପମାନ ନୁହେଁ ଏହା ହସ୍ତିନାର ମଧ୍ୟ ଅପମାନ । "
ଆହତ ନାଗୁଣୀ ପରି ଫୁତ୍କାର କରି ଉଠିଲେ ଅମ୍ବା...ପ୍ରଳାପ ବନ୍ଦ କର ଦେବବ୍ରତ, ଅମ୍ବାର ଦୁର୍ଭାଗ୍ୟର କାରଣ ଶାଲ୍ୱ ନୁହନ୍ତି, ବରଂ ନିଜେ ତୁମେ ଗଙ୍ଗା ପୁତ୍ର । ଜଣେ ପରାସ୍ତ ଏବଂ ଅପମାନିତ ରାଜା ଯାହା କରିବା କଥା ଶାଲ୍ୱ ତାହା କରିଛନ୍ତି । ସ୍ୱୟମ୍ବର ମଣ୍ଡପରୁ ବଳାତ୍କାର କରି ହରଣ କରି ଆଣିବା ସମୟରେ ମୋର ମତାମତ ଜାଣିବାପାଇଁ ସାମାନ୍ୟତମ ପ୍ରୟାସ କରିଛ ଗାଙ୍ଗେୟ?ଶାଲ୍ୱ ଦରବାରକୁ ପୁନର୍ବାର ଠେଲିଦେଇ ମୋତେ ଅପମାନିତ କରିବା ଆବଶ୍ୟକ ନାହିଁ, ବରଂ କ୍ଷାତ୍ରଧର୍ମ ଅନୁସାରେ ତୁମେ ମୋର ପାଣିଗ୍ରହଣ କର, କାରଣ ସମସ୍ତ ରାଜାଙ୍କୁ ହରାଇ ସ୍ୱୟମ୍ବର ସଭାରୁ ତୁମେ ହିଁ ମୋତେ ହରଣ କରି ଆଣିଛ । "
ଭୀଷ୍ମ ଚମକି ପଡିଲେ । କହିଲେ... ଅସମ୍ଭବ । ଦେବବ୍ରତ ଯେ ଚିର କୌମାର୍ଯ୍ୟ ଶପଥ ନେଇଛି,ଏହା କଣ କାଶୀ ରାଜ ନନ୍ଦିନୀଙ୍କୁ ଅବିଦିତ? କାଶୀ ରାଜ ନନ୍ଦିନୀ ଯେବେ ଅନ୍ୟ କାହାର ପାଣିଗ୍ରହଣ କରିବାକୁ ଇଚ୍ଛା ପୋଷଣ କରନ୍ତି ସେଥିପାଇଁ ଗଙ୍ଗା ପୁତ୍ର ସାହାଯ୍ୟ କରିପାରେ । କାଶୀ ରାଜନନ୍ଦିନୀ ତାଙ୍କ ଇଚ୍ଛା ପ୍ରକାଶ କରିପାରନ୍ତି । "
ଭୟଙ୍କର କ୍ରୋଧରେ ଥରିଉଠି ଅମ୍ବା କହିଲେ....ଧିକ୍ ତୁମର ଚିର କୌମାର୍ଯ୍ୟ ଶପଥକୁ ଭୀଷ୍ମ । ତୁମେ ଯେବେ ଅମ୍ବାର ପାଣି ଗ୍ରହଣ କରିନପାରିବ ତାହେଲେ କ୍ରୋଧ ହିଁ ଗ୍ରହଣ କର । ମୋ କ୍ରୋଧର ଭୟଙ୍କର ଅଗ୍ନିରେ ଦିନେ ନା ଦିନେ ତୁମକୁ ଭଷ୍ମ କରିଦେବି ଗଙ୍ଗାପୁତ୍ର । ଅବଳା ବୋଲି ମୋତେ ଦୁର୍ବଳା ମନେ କରୁଛ ? ନାରୀର ସମ୍ମାନକୁ ପଣ୍ୟଦ୍ରବ୍ୟ ମନେ କରିଛ ଉଦ୍ଧତ ଦେବବ୍ରତ ? ଅନ୍ୟ ରାଜାକୁ କାହିଁକି ବିବାହ କରିବି, ତୁମ ନିଜ ଭ୍ରାତା ବିଚିତ୍ରବୀର୍ଯ୍ୟ ସହିତ ବିବାହ କରାଇ ଦିଅ ।
ସିଂହାସନରେ ଆସୀନ ବିଚିତ୍ରବୀର୍ଯ୍ୟ କହିଲେ...ଏହା କିପରି ସମ୍ଭବ?ଶାଲ୍ୱଙ୍କ ଗଳାରେ ତୁମେ ବରଣମାଳା ଦେଇସାରିଛ ରାଜକୁମାରୀ । ମୁଁ ତୁମକୁ ଗ୍ରହଣ କରିବା ଅସମ୍ଭବ ।"
ଘୋର ଅପମାନରେ ଜର୍ଜରିତ ଅମ୍ବା ବିଷୋଦ୍ଗାରଣ କରି ଭୀଷ୍ମଙ୍କ ଉପରେ ପ୍ରତିଶୋଧ ନେବାର ଶପଥ ନେଇ ହସ୍ତିନା ଛାଡ଼ିଲେ ।
ଆଉ କାଶୀ ରାଜ୍ୟକୁ ସେ ଫେରିଲେ ନାହିଁ । ଅନେକେ ରାଜା ଏବଂ ରାଜପୁତ୍ରଙ୍କ ପାଖରେ ଯାଇ ଗୁହାରି କଲେ ଭୀଷ୍ମଙ୍କ ବିରୁଦ୍ଧରେ ଯୁଦ୍ଧ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ । କିନ୍ତୁ ଭୀଷ୍ମଙ୍କ ଭଳି ଅଜେୟ ବୀରଙ୍କ ସହିତ ଯୁଦ୍ଧ କରିବାପାଇଁ କୌଣସି ରାଜା ବା ରାଜପୁତ୍ର ସାହସ କଲେ ନାହିଁ । ସବୁଠାରୁ ନିରାଶ ହୋଇ ଅରଣ୍ୟ ମଧ୍ୟରେ ମୁନି ଋଷିଙ୍କ ସମକ୍ଷରେ ନିଜର ସମସ୍ୟା ଜଣାଇଲେ ଅମ୍ବା । ମୁନିମାନେ କହିଲେ...ବିଶ୍ୱରେ ଭୀଷ୍ମଙ୍କୁ ହରାଇବା ପାଇଁ ଏକା ପର୍ଶୁରାମ ସମକକ୍ଷ । ପର୍ଶୁରାମ ଭୀଷ୍ମଙ୍କର ଗୁରୁ ହୋଇ ଥିବାରୁ ତାଙ୍କ ଉପଦେଶ ହୁଏତ ଭୀଷ୍ମ ଗ୍ରହଣ କରିପାରନ୍ତି । ସେମାନଙ୍କ ପରାମର୍ଶରେ ପର୍ଶୁରାମଙ୍କ ପାଖରେ ପହଞ୍ଚି ଅଶ୍ରୁଳ ନେତ୍ରରେ ନିଜର ଦୁର୍ଭାଗ୍ୟ ବର୍ଣ୍ତନା କଲେ କାଶୀ ରାଜକୁମାରୀ ।
ପର୍ଶୁରାମ ହୃଦୟଙ୍ଗମ କଲେ ଯେ ଭୀଷ୍ମଙ୍କ ଦ୍ୱାରା ଅମ୍ବାଙ୍କ ପ୍ରତି ଘୋର ଅନ୍ୟାୟ ହୋଇଛି । ପର୍ଶୁରାମ ପ୍ରିୟ ଶିଷ୍ୟ ଭୀଷ୍ମଙ୍କୁ ପାଖକୁ ଡକାଇ ଅମ୍ବାଙ୍କୁ ବିବାହ କରିବା ପାଇଁ ନିର୍ଦ୍ଦେଶ ଦେଲେ । ନିଜର ଚିରକୌମାର୍ଯ୍ୟ ବ୍ରତର ଦ୍ୱାହିଦେଇ, ଅମ୍ବାଙ୍କୁ ଗ୍ରହଣ କରିବାପାଇଁ ଭୀଷ୍ମ ସ୍ପଷ୍ଟ ମନା କରି ଦେଲେ ।
କ୍ରୋଧରେ ପର୍ଶୁରାମ ଭୀଷ୍ମଙ୍କ ସହିତ ଘୋର ଯୁଦ୍ଧରେ ଲିପ୍ତ ହେଲେ । କିନ୍ତୁ ଗଙ୍ଗା ପୁତ୍ର ଥିଲେ ଅଜେୟ । ପର୍ଶୁରାମ ଯୁଦ୍ଧରେ ପରାଜୟ ସ୍ୱୀକାର କଲେ ।
ଅନନ୍ୟୋପାୟ ପର୍ଶୁରାମ ଅମ୍ବାଙ୍କୁ କହିଲେ... ମୁଁ ଆଉ ତୁମପାଇଁ କଣ କରିପାରିବେ କନ୍ୟା?ତୁମେ ତପସ୍ୟାରେ ଦେବ-ସେନାପତି କାର୍ତ୍ତିକେୟଙ୍କୁ ପ୍ରସନ୍ନ କର,ସେ ହୁଏତ ତୁମକୁ ସାହାଯ୍ୟ କରିପାରିବେ ।
କଠୋର ତପସ୍ୟାରେ ମଜ୍ଜିଗଲେ କାଶୀରାଜନନ୍ଦିନୀ । ତପସ୍ୟାରେ କୁମାରଙ୍କୁ ପ୍ରସନ୍ନ କରି ତାଙ୍କଠାରୁ ଏକ ଅଦ୍ଭୁତ ନୀଳୋତ୍ପଳ ମାଳା ପାଇଲେ ଅମ୍ବା । ସେ ମାଳା ଗଳାରେ ଲମ୍ବାଇ ଯେଉଁ ବୀର ଭୀଷ୍ମଙ୍କ ସହିତ ଯୁଦ୍ଧ କରିବ ସେ ଭୀଷ୍ମଙ୍କୁ ହରାଇପାରିବ; ଏହା ଥିଲା ମାଳାର ବିଶେଷତ୍ଵ । ସେହି ମାଳା ଧରି ଅମ୍ବା ଅନେକ ରାଜା ଏବଂ ରାଜପୁତ୍ରଙ୍କ ପାଖରେ ନେହୁରା ହେଲେ ଭୀଷ୍ମଙ୍କୁ ହରାଇଵା ପାଇଁ । କିନ୍ତୁ ଭୀଷ୍ମଙ୍କ ଡରରେ କେହି ଯୁଦ୍ଧ କରିବାକୁ ଆଗେଇ ଆସିଲେ ନାହିଁ ।
ଶେଷରେ ପାଞ୍ଚାଳ ରାଜା ଦ୍ରୁପଦଙ୍କ ପାଖରେ ପହଞ୍ଚିଲେ ଅମ୍ବା । ଦ୍ରୁପଦ ମଧ୍ୟ ଭୀଷ୍ମଙ୍କ ସହିତ ଯୁଦ୍ଧ କରିବାପାଇଁ ମନା କରିଦେଲେ । ବିରକ୍ତ ହୋଇ ସେହି ନୀଳୋତ୍ପଳ ମାଳା ଦ୍ରୁପଦଙ୍କ ରାଜପ୍ରସାଦର ଦ୍ଵାରର ତୋରଣରେ ଲମ୍ବାଇ ଦେଇ ପୁଣିଥରେ ତପସ୍ୟା କରିବାକୁ ଚାଲିଗଲେ ଅମ୍ବା ।
ଏଥର ଭୟଙ୍କର ତପସ୍ୟାରେ ବହୁବର୍ଷ ବିତିଯିବା ପରେ ସେ ଆଶୁତୋଷ ଶିବଙ୍କୁ ସନ୍ତୁଷ୍ଟ କରିପାରିଲେ । ଶିବ ଅମ୍ବାଙ୍କୁ କହିଲେ..ତୁମ ପ୍ରତି ହୋଇଥିବା ସମସ୍ତ ଅନ୍ୟାୟ ବିଷୟରେ ମୁଁ ଅବଗତ ଅଛି ଅମ୍ଵା । ବର୍ତ୍ତମାନ ତୁମେ କଣ ଚାହଁ?ଶାଲ୍ୱଙ୍କ ସହିତ ଯେବେ ବିବାହ ଚାହିଁ ତା'ହେଲେ ଶାଲ୍ୱଙ୍କୁ ମୁଁ ନିର୍ଦ୍ଦେଶ ଦେଇପାରିବି, କିନ୍ତୁ ଚିର କୌମାର୍ଯ୍ୟ ବ୍ରତ ନେଇଥିବା ଭୀଷ୍ମଙ୍କୁ ମୁଁ ବିବଶ କରିପାରିବି ନାହିଁ, ତୁମ ସହିତ ବିବାହ କରିବାପାଇଁ ।
ଅମ୍ବା କହିଲେ..ପ୍ରଭୁ ବର୍ତ୍ତମାନ ବୈବାହିକ ଜୀବନ ବିତାଇବା ମୋର ଲକ୍ଷ୍ୟ ନୁହେଁ,ମୋର ଜୀବନର ଏକମାତ୍ର ଲକ୍ଷ୍ୟ ମୋ ଦ୍ୱାରା ଭୀଷ୍ମଙ୍କର ମୃତ୍ୟୁ; ତାହାହିଁ ହେବ ମୋପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ।
ମହାଦେବ କହିଲେ... ତାହା ସମ୍ଭବ ହେବ କନ୍ୟା, କିନ୍ତୁ ତୁମର ଏ ଜନ୍ମରେ ନୁହେଁ; ପରଜନ୍ମରେ ହିଁ ତାହା ହୋଇପାରିବ ।
ଅମ୍ବା ଚାହୁଁନଥିଲେ ସମ୍ପୂର୍ଣ୍ଣ ଜୀବନ ବିତାଇ ସ୍ୱାଭାବିକ ମୃତ୍ୟୁ ପରେ ପ୍ରତିଶୋଧ ନେବାପାଇଁ । ସେଥିପାଇଁ ତାଙ୍କର ଧୈର୍ଯ୍ୟ ନଥିଲା ।
ଅଗ୍ନି ପ୍ରସ୍ତୁତ କଲେ ଅମ୍ବା ଏବଂ ସେହି ଅଗ୍ନିରେ ଆତ୍ମାହୂତି ଦେଲେ । ଶରୀର ବିଲୀନ ହୋଇଗଲା ପଞ୍ଚତତ୍ତ୍ୱରେ, ଏବଂ ପାଞ୍ଚାଳ ରାଜା ଦ୍ରୁପଦଙ୍କ ଘରେ ସେ ପୁନର୍ଜନ୍ମ ନେଲେ ।
===============================
