Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀ(୯୯)ଶେଷ ଯାତ୍ରା

କଥା କାଦମ୍ବରୀ(୯୯)ଶେଷ ଯାତ୍ରା

3 mins
215



ଜାନୁଭଗ୍ନ ଅବସ୍ଥାରେ ଯନ୍ତ୍ରଣାରେ ଚିତ୍କାର କରୁଥିଲେ ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନଙ୍କ ମସ୍ତକରେ ପାଦ ପ୍ରହାର କରିବାକୁ ଉଦ୍ୟତ ହେବା ଦେଖି ଭୀମସେନଙ୍କୁ ଆକଟ କରି ଯୁଧିଷ୍ଠିର କହିଲେ..ଥାଉ ଭୀମସେନ ! ତୁମେ ତୁମର ପ୍ରତିଜ୍ଞା ପୂରଣ କରିଛ। ଦୁର୍ଯ୍ୟୋଧନ ହସ୍ତିନାର ଯୁବରାଜ ଏବଂ ଆମ୍ଭମାନଙ୍କର ଭାଇ ମଧ୍ୟ; ତାଙ୍କ ଶିରରେ ପାଦ ପ୍ରହାର କରି ତାଙ୍କୁ ଏଭଳି ଅସମ୍ମାନ ଦିଅ ନାହିଁ।"ଶ୍ରୀକୃଷ୍ଣ ମଧ୍ୟ କହିଲେ.. ବୃକୋଦର! ଅଳ୍ପ ସମୟ ଭିତରେ ଏହି ଦୁରାତ୍ମାର ପ୍ରାଣ ଶରୀର ତ୍ୟାଗ କରିବ;ଆଉ ଏଠାରେ ଅପେକ୍ଷା କାହିଁକି;ଚାଲ ନିଜ ନିଜ ରଥ ଆରୋହଣ କର, ଶିବିରକୁ ପ୍ରତ୍ୟାବର୍ତ୍ତନ କରିବା ।"


ଶ୍ରୀକୃଷ୍ଣ ଏପରି କହିବା ସମୟରେ ପ୍ରଚଣ୍ଡ କ୍ରୋଧରେ ରକ୍ତାଭ ହେଲା ଦୁର୍ଯ୍ୟୋଧନର ମୁଖମଣ୍ଡଳ। ଶ୍ରୀକୃଷ୍ଣଙ୍କ ପ୍ରତି ଦୃଷ୍ଟିପାତ କରି ଦୁର୍ଯ୍ୟୋଧନ କହିଲା..ହେ ଚକ୍ରାନ୍ତକାରୀ ! ତୁମେ ଯୁଦ୍ଧରେ ଚକ୍ର ଧାରଣ ନକଲେ କଣ ହେଲା,ଘୋର ଚକ୍ରାନ୍ତ କରି କୌରବପକ୍ଷର ସମସ୍ତ ମହାରଥୀମାନଙ୍କୁ ଅନ୍ୟାୟ ଯୁଦ୍ଧରେ 

 ନିହତ କରିଛ।ଭୀଷ୍ମ,କର୍ଣ୍ଣ,ଓ ଦ୍ରୋଣାଚାର୍ଯ୍ୟଙ୍କ ଭଳି ମହାରଥି ମାନଙ୍କୁ ତୁମେ କଦାପି ନ୍ୟାୟ ଯୁଦ୍ଧରେ ପରାସ୍ତ କରି ପାରିନଥାନ୍ତ । ଅନ୍ୟାୟ ଯୁଦ୍ଧରେ ମୋର ଜାନୁ ଭଗ୍ନ କରି ବୀରତ୍ବ ଦେଖାଉଛ ? ଏତେ ଘୃଣ୍ୟ ଚକ୍ରାନ୍ତ କରି ତୁମକୁ ତିଳେମାତ୍ର ଲଜ୍ଜା ଲାଗୁନାହିଁ କେଶବ?"


ହସିଲେ ଶ୍ରୀକୃଷ୍ଣ ; କହିଲେ.. ଅହଙ୍କାରୀ ଦୁର୍ଯ୍ୟୋଧନ ! ନିଜର ଅଭିମାନ, ଅହଂକାର,ଈର୍ଷା ଏବଂ ରାଜ୍ୟଲୋଭ କାରଣରୁ ଯେଉଁ ଅନ୍ୟାୟ ତୁମେ କରିଛ ତାକୁ ଗଣତି କଲେ ଶେଷ ହେବ ନାହିଁ।ଏତେ ଈର୍ଷା ! କଣ ତାର ଫଳାଫଳ ହେଲା ଦୁର୍ଯ୍ୟୋଧନ ? ତୁମରି ଯୋଗୁଁ ଅଠର ଦିନର ଯୁଦ୍ଧରେ ଆର୍ଯ୍ୟାବର୍ତ୍ତ ବୀର-ଶୂନ୍ୟ ହୋଇଗଲା।ପ୍ରଜାମାନେ ଅକଥନୀୟ କଷ୍ଟ ଭୋଗକଲେ।ଅଧର୍ମ ଏବଂ ଦୁଷ୍କୃତର ମୂର୍ତ୍ତିମନ୍ତ ପରିଚୟ ତୁମେ ଥିଲ ଦୁର୍ଯ୍ୟୋଧନ। ପ୍ରଜାଙ୍କ ପ୍ରତି ତୁମେ ରାଜଧର୍ମ ପାଳନ କରି ପାରିଲ ନାହିଁ, ଭାଇମାନଙ୍କ ପ୍ରତି ତୁମେ ପାରିବାରିକ ଧର୍ମ ପାଳନ କରିପାରିଲେ ନାହିଁ,ନିଜ ସ୍ବାର୍ଥ ପାଇଁ ତୁମେ ବନ୍ଧୁବାନ୍ଧବ ଜ୍ଞାତି କୁଟୁମ୍ବ ସମସ୍ତଙ୍କୁ ଯୁଦ୍ଧ ନିଆଁ କୁ ଠେଲିଦେଲ !! ତା'ଉପରେ ତୁମେ ମୋତେ ଦୋଷ ଦେଉଛ ?


କଳେ ବଳେ କୌଶଳେ ଦୁଷ୍କୃତ ବିନାଶ କରିବା ତ ମୋର କର୍ତ୍ତବ୍ୟ, ମୁଁ ଭୁଲ୍ କଲି କେଉଁଠାରେ ? କଂସ,କାଳଯବନ, ଜରାସନ୍ଧ ଆଦି ଦୁଷ୍କୃତକାରୀଙ୍କୁ ମୁଁ ଯେଉଁପରି ପରୋକ୍ଷରେ ଏବଂ କୌଶଳରେ ବିନାଶ କରିଛି, କୁରୁକ୍ଷେତ୍ରରେ ମଧ୍ୟ ଅଧର୍ମର ସମର୍ଥକଙ୍କୁ ଧର୍ମସ୍ଥାପନା ମାର୍ଗରୁ ସେହିପରି ଦୂରେଇ ଦେଇଛି। ମୁଁ ନିଜେ କିଛି କରେନାହିଁ ଦୁର୍ଯ୍ୟୋଧନ ! କର୍ମଫଳ କର୍ତ୍ତା ଠାରେ ଆପେ ଆପେ ପ୍ରତିଫଳିତ ହୁଏ।"


ଘୋର ଘୃଣାରେ ଧିକ୍କାର କରି ଦୁର୍ଯ୍ୟୋଧନ କହିଲା....ଧିକ୍ ତୁମର ଏ ଚକ୍ରାନ୍ତକୁ;କଣ ତୁମେ ମୋର କ୍ଷତି କରିପାରିଲ ?ଦେବତାଙ୍କ ପରି ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନ ମୁଁ ବିତାଇଛି, ମିତ୍ରତାର ଦେଖାଇଛି ଚରମ ପରାକାଷ୍ଠା ଏବଂ ଶତ୍ରୁତା ପ୍ରଦର୍ଶନରେ ମୋ ସହିତ ମଧ୍ୟ କେହି ସମକକ୍ଷ ନାହାନ୍ତି। ଜୀବନରେ ତିଳେମାତ୍ର ମୋର ଅନୁଶୋଚନା ନାହିଁ।ବୀର ଭଳି ଯୁଦ୍ଧରେ ନିହତ ହୋଇ କିଛି କ୍ଷଣ ମଧ୍ୟରେ ମୁଁ ସ୍ୱର୍ଗକୁ ଯିବି , ସେଠାରେ ମୋ ପକ୍ଷର କ୍ଷତ୍ରିମାନଙ୍କୁ ଭେଟିବା ପାଇଁ, ଯେଉଁ ମାନଙ୍କୁ ତୁମେ ଅନ୍ୟାୟରେ ନିହତ କରିଛ;ଆଉ ତୁମେମାନେ ! ସମସ୍ତ ଅନ୍ୟାୟର ବୋଝକୁ ମୁଣ୍ଡରେ ମୁଣ୍ଡାଇ କ୍ଷତ୍ରିୟ ମାନଙ୍କ ଭର୍ତ୍ସନା ପାଇବାପାଇଁ ମର୍ତ୍ତ୍ୟଲୋକରେ ପଡିରହିବ।"


ଦୁର୍ଯ୍ୟୋଧନ ଏପରି କହିବା ସମୟରେ ସ୍ବର୍ଗରୁ ପୁଷ୍ପବୃଷ୍ଟି ହେଲା..ଏହାଥିଲା ମାନଗୋବିନ୍ଦର ଅଭିମାନପୂର୍ଣ୍ଣ ଦୃଢ଼ ବ୍ୟକ୍ତିତ୍ବ ପ୍ରତି ଦେବତାଙ୍କ ସମ୍ମାନ।ଜୀବନର ଅନ୍ତିମ କ୍ଷଣରେ ମଧ୍ୟ ନିଜ ସିଦ୍ଧାନ୍ତରୁ ସେ ଦୂରେଇ ଯାଇନାହିଁ।


ସଂଯୋଗକୁ, ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରି, ବଳରାମ ରଣକ୍ଷେତ୍ରରେ ପହଞ୍ଚିଲେ। ଦୁର୍ଯ୍ୟୋଧନକୁ ଜାନୁଭଗ୍ନ ହୋଇ ମୂମୁର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖି ମନରେ ଗଭୀର ଆଘାତ ପାଇଲେ ହଳାୟୁଧ।ଦୁର୍ଯ୍ୟୋଧନର ଶରୀରରେ ମାତା ଗାନ୍ଧାରୀଙ୍କ ଦୃଷ୍ଟି ପଡି ତାହା ବଜ୍ରଭଳି କଠିନ ହୋଇଯାଇଥିଲା ବୋଲି ସେ ଆଗରୁ ଶୁଣିଥିଲେ। ସର୍ବଦା ଅନ୍ଧପୁଟୁଳି ବାନ୍ଧି ଥିବା ଗାନ୍ଧାରୀଙ୍କ କ୍ଷଣପାତ ଦୃଷ୍ଟିର ଏହା ଥିଲା ପରାକାଷ୍ଠା।

କେବଳ ଲଜ୍ଜା ନିବାରଣ ପାଇଁ କୌପୀନ ପରିଧାନ କରିଥିବାରୁ ଦୁର୍ଯ୍ୟୋଧନର ଜାନୁଦେଶରେ ଗାନ୍ଧାରୀଙ୍କ ଦୃଷ୍ଟି ପଡି ପାରିନଥିଲା, ତେଣୁ ସେହି ଅଂଶ ଦୁର୍ବଳ ଥିଲା। ସେହି ଦୁର୍ବଳ ଅଂଶକୁ ତଞ୍ଚକତା କରି ଭୀମସେନ ଆଘାତ କରିଛନ୍ତି।ତାଛଡା ଗଦା ଯୁଦ୍ଧର ନିୟମ ଅନୁଯାୟୀ କଟିଭାଗରୁ ତଳକୁ ଆଘାତ କରିବା ଅନ୍ୟାୟ।ଭୀମଙ୍କର ଏହି ଅନ୍ୟାୟ କାର୍ଯ୍ୟ କଥା ଜାଣି କ୍ରୋଧରେ ହିତାହିତ ଜ୍ଞାନ ହରାଇ ବଳରାମ,ହଳାୟୁଧ ଧରି ଭୀମଙ୍କୁ ବିନାଶ କରିବା ପାଇଁ ଉଦ୍ୟତ ହେଲେ।


ଜ୍ୟେଷ୍ଠ ଭ୍ରାତାଙ୍କ କ୍ରୋଧ ଦେଖି ଶ୍ରୀକୃଷ୍ଣ ପ୍ରମାଦ ଗଣିଲେ।ସଙ୍ଗେ ସଙ୍ଗେ ବଳରାମଙ୍କ ପାଦତଳେ ପଡ଼ି ତାଙ୍କୁ ଶାନ୍ତ କରିବାପାଇଁ ଚେଷ୍ଟା କଲେ ଶ୍ରୀକୃଷ୍ଣ।କେଶବ କହିଲେ...କ୍ରୋଧ ଶାନ୍ତ ହେଉ ଜ୍ୟେଷ୍ଠ ଭ୍ରାତା ! ଯୁଦ୍ଧ ଶେଷରେ ଘଟିଥିବା ଏହି ଗୋଟିଏ ଘଟଣା ଉପରେ ବିଚାର ନକରି ଗତ ତେର ବର୍ଷଧରି ଘଟଣାସମୂହର ବିଚାର କରିବା ଆବଶ୍ୟକ। କୌରବମାନଙ୍କ ଦ୍ଵାରା ଭୀମଙ୍କୁ ବିଷ ଲଡୁ ଦେଇ ନିହତ କରିବା ପ୍ରୟାସ,ପାଣ୍ଡବ ମାନଙ୍କୁ କପଟ ପଶା ଖେଳରେ ରାଜ୍ୟଚ୍ୟୁତ କରିବା, ସେମାନଙ୍କ ପତ୍ନୀକୁ ରାଜସଭାରେ ବିବସନ କରିବା ପ୍ରୟାସ ଭଳି ଘୃଣ୍ୟ କାର୍ଯ୍ୟ ଏବଂ ବିନା ଯୁଦ୍ଧରେ ସୂଚ୍ୟଗ୍ର ପରିମିତ ଭୂମି ନଦେବା ପଣର ଅନ୍ତିମ ପରିଣତି ହେଉଛି ଏହି ଯୁଦ୍ଧ।ସେଥିପାଇଁ ପାଣ୍ଡବମାନେ ନୁହନ୍ତି ବରଂ କୌରବମାନେ ସମ୍ପୂର୍ଣ୍ଣ ଦାୟୀ। ଯୁଦ୍ଧରେ ଅନ୍ୟାୟ ଆଚରଣ ଉଭୟଙ୍କ ପକ୍ଷରୁ ହୋଇଛି। ତେଣୁ ପାଣ୍ଡବଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିବା ଅନୁଚିତ। ଆର୍ଯ୍ୟାବର୍ତ୍ତକୁ ଯୁଦ୍ଧକୁ ଠେଲିଦେଇ ଭାରତ ଭୂଖଣ୍ଡକୁ ବୀରଶୂନ୍ୟ କରିବାରେ ସର୍ବୋତ୍ତ ଭାବରେ ଦାୟୀ ଦୁର୍ଯ୍ୟୋଧନ। ଆର୍ଯ୍ୟାବର୍ତ୍ତରେ ଶାନ୍ତି ସ୍ଥାପନ ପାଇଁ, ସମସ୍ତ ଅଧର୍ମର କାରଣ ଦୁର୍ଯ୍ୟୋଧନକୁ ବିନାଶ କରିବା ନିହାତି ଆବଶ୍ୟକ ଥିଲା।ତେଣୁ ଧର୍ମମାର୍ଗ ହେଉ ଅଥବା ଅଧର୍ମ, ଭୀମସେନ ଦୁର୍ଯ୍ୟୋଧନଙ୍କୁ ନିହତ କରି ଠିକ୍ କରିଛନ୍ତି।"


ଶ୍ରୀକୃଷ୍ଣଙ୍କ ଯୁକ୍ତିରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହେଲେ ନାହିଁ ବଳରାମ।ତାଙ୍କର କ୍ରୋଧ ପ୍ରଶମିତ ହେଲାନାହିଁ। କୃଷ୍ଣଙ୍କୁ ଚାହିଁ ସେ କହିଲେ...ଏ ଅନ୍ୟାୟ ଯୁଦ୍ଧରେ ମୃତ୍ୟୁ ଲାଭକରି ଦୁର୍ଯ୍ୟୋଧନର ଯଶ ବୃଦ୍ଧି ହେବ।ସେ ସ୍ବର୍ଗରେ ସ୍ଥାନ ପାଇବ। ଏପରି ଅନ୍ୟାୟ ଯୁଦ୍ଧପାଇଁ ପାଣ୍ଡବମାନେ ଯୁଗେ ଯୁଗେ ଘୃଣାର ପାତ୍ର ହେବେ।ପାଣ୍ଡବ ମାନଙ୍କର କୀର୍ତ୍ତି ଚନ୍ଦ୍ର କଳଙ୍କିତ ହେବ।"

ଅଳ୍ପ ନିରବତା ପରେ ବଳରାମ କହିଲେ.. ଏଠାରେ ଦଣ୍ଡେ ମାତ୍ର ମୁଁ ରହିବାକୁ ଚାହେଁ ନାହିଁ"ଏହା କହି ହଳଧର ଦ୍ଵାରକା ଅଭିମୁଖେ ଯାତ୍ରା କଲେ। ଆଶ୍ବସ୍ତିର ନିଃଶ୍ବାସ ମାରିଲେ ଚକ୍ରପାଣି।



Rate this content
Log in