Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀ ୭୦(ଗୋଧନ ହରଣ)

କଥା କାଦମ୍ବରୀ ୭୦(ଗୋଧନ ହରଣ)

5 mins
182


କଥା କାଦମ୍ବରୀ

ଭାଗ ୭୦

=================================

ଗୋଧନ ହରଣ

=================================

 ଉତ୍ତର କୁମାର'ଙ୍କ ଦ୍ବାରା ଚାଳିତ ଅର୍ଜୁନଙ୍କ ରଥ ଘୋର ଘର୍ଘର ନାଦରେ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ହେଲା।ଦେବଦତ୍ତ ଶଙ୍ଖ ଧ୍ବନିରେ କମ୍ପି ଉଠିଲା ରଣାଙ୍ଗନ।ଗାଣ୍ଡିବ ଟଙ୍କାର'ର ନିର୍ଘୋଷ ଶତ୍ରୁସୈନ୍ୟଙ୍କ ହୃଦୟରେ ସୃଷ୍ଟି କଲା ପ୍ରକମ୍ପ। 


ଦ୍ରୋଣାଚାର୍ଯ୍ୟ,ନିକଟରେ ଉପସ୍ଥିତ ଭୀଷ୍ମଙ୍କୁ କହିଲେ..ପିତାମହ ! ମୁଁ ସ୍ଥିର-ନିଶ୍ଚିତ ଯେ ରଥାରୋହୀ ବୀର ଅର୍ଜୁନ ବ୍ୟତୀତ ଅନ୍ୟ କେହି ନୁହେଁ। ଅର୍ଜୁନ ପାଖରେ ଏକାକୀ ଆମ ସମସ୍ତଙ୍କୁ ପରାସ୍ତ କରିବାର ଶକ୍ତି ରହିଛି।ବିଶ୍ବର ଶ୍ରେଷ୍ଠ ଧନୁର୍ଦ୍ଧର ଆଗରେ ଆମର ବ୍ୟୁହ ଯଥାରୀତି ପ୍ରସ୍ତୁତ କରିବାକୁ ପଡ଼ିବ।


ଗୁରୁଙ୍କ ମୁଖରୁ ଅର୍ଜୁନଙ୍କ ପ୍ରଶଂସା ଶୁଣି ବିରକ୍ତ ହୋଇ ଯୁବରାଜ ଦୁର୍ଯ୍ୟୋଧନ କହିଲେ..ଶତ୍ରୁର ଏପରି ଗୁଣଗାନ କରିବା ଜଣେ ଭୀରୁର ମନସ୍ତତ୍ତ୍ୱ ବ୍ୟତୀତ ଅନ୍ୟ କିଛି ନୁହେଁ ଗୁରୁଦେବ। ଅର୍ଜୁନ ହେଲେ ମଧ୍ୟ, ଅଜ୍ଞାତ ବାସ ପୂର୍ଣ୍ଣ ହେବା ପୂର୍ବରୁ ସେ ଆମ ସମକ୍ଷରେ ଉପସ୍ଥିତ;ପାଣ୍ଡବ ମାନଙ୍କୁ ଆଉ ବାରବର୍ଷ ବନବାସ ଯିବାପାଇଁ ପଡ଼ିବ। ତେଣୁ ଆମେ ଭୟଭୀତ ହେବାର କୌଣସି କାରଣ ନାହିଁ, ବରଂ ଆନନ୍ଦିତ ହେବା ଉଚିତ।"


କର୍ଣ୍ଣ, ଦ୍ରୋଣଙ୍କ ପ୍ରତି ତାତ୍ସଲ୍ୟପୂର୍ଣ ଦୃଷ୍ଟିପାତ କରି ମିତ୍ର ଦୁର୍ଯ୍ୟୋଧନଙ୍କୁ କହିଲେ .. ଠିକ୍ କହିଛ ମିତ୍ର ! ଆମ ଭିତରେ ଥିବା ତଥାକଥିତ ବୀରମାନଙ୍କୁ ଭୀରୁତା ଜାବୁଡ଼ି ଧରିଲାଣି।ପାଣ୍ଡବଙ୍କ ଗୁଣଗାନ ଛଡ଼ା ଆଉ କିଛି ସେମାନଙ୍କ ପାଟିରେ ପଶୁନାହିଁ। ସମ୍ମୁଖରେ ଉପସ୍ଥିତ ବ୍ୟକ୍ତି ଅର୍ଜୁନ ହେଉ ବା ପର୍ଶୁରାମ, ମୁଁ ଏକା ଯୁଦ୍ଧକରି ତାକୁ ଯମପୁରକୁ ପଠାଇବି।ଆଉ କାହାର ଉପସ୍ଥିତି ଆବଶ୍ୟକ ନାହିଁ। ସମସ୍ତେ ପଛକୁ ଘୁଞ୍ଚି ଯାଆନ୍ତୁ ।


କର୍ଣ୍ଣଙ୍କର ଗୁରୁଙ୍କ ପ୍ରତି ଏପରି ବକ୍ରୋକ୍ତି ଏବଂ ନିଜ ବୀରତ୍ୱର ଆସ୍ଫାଳନ, ଦ୍ରୋଣ'ଙ୍କ ଶାଳକ କୃପଙ୍କର ହଜମ ହେଲାନାହିଁ।ସେ କହିଲେ..ଅବିନୟୀ ଉଦ୍ଧତ ଅଙ୍ଗରାଜ ! ଏଭଳି ଆସ୍ଫାଳନ କରି ଯୁଦ୍ଧ ଜିଣି ହୁଏନାହିଁ। ଅର୍ଜୁନ ଭଳି ବୀରକୁ ପରାସ୍ତ କରିବାକୁ ହେଲେ ଆମକୁ ଏକତ୍ରିତ ହୋଇ ଯୁଦ୍ଧ କରିବାକୁ ହେବ, ଏପରି ଫମ୍ପା ଆବାଜ କଲେ ତୁମେ ହାସ୍ୟାସ୍ପଦ ହେବ। ଅର୍ଜୁନ ସହିତ ଯୁଦ୍ଧ କରିବା ପିଲାଖେଳ ନୁହେଁ।" 


କୃପଙ୍କ କଥା ଶୁଣି କ୍ରୋଧରେ ଆରକ୍ତ ହେଲା କର୍ଣ୍ଣଙ୍କ ମୁଖମଣ୍ଡଳ।କୃପାଚାର୍ଯ୍ୟଙ୍କୁ ଚାହିଁ ସେ କହିଲେ.. ଆଚାର୍ଯ୍ୟ କୃପ ଏବଂ ଦ୍ରୋଣ ସର୍ବଦା ଅର୍ଜୁନର ପ୍ରଶଂସାରେ ଶତମୁଖ;ଏହା ସେମାନଙ୍କର ତୃତୀୟ ପାଣ୍ଡବ ପ୍ରତି ଅତ୍ୟଧିକ ସ୍ନେହ ଜନିତ କିମ୍ବା ଭୟ ଜନିତ, ଜାଣିବା ସମ୍ଭବ ନୁହେଁ। କିନ୍ତୁ ଏଠାରେ ଭୀରୁମାନଙ୍କର ସ୍ଥାନ ନାହିଁ। ଯେଉଁମାନେ ଯୁଦ୍ଧ କରିବାପାଇଁ ଚାହୁଁ ନାହାନ୍ତି ପଛକୁ ଘୁଞ୍ଚିଯାଇ ଆମ୍ଭମାନଙ୍କର ଯୁଦ୍ଧକଳା ଦର୍ଶନ କରନ୍ତୁ।ଶତ୍ରୁମାନଙ୍କର ପ୍ରଶଂସା କରି ମନୋବଳ ହ୍ରାସ କରନ୍ତୁ ନାହିଁ। ଶାସ୍ତ୍ର ଅନୁଯାୟୀ ଶତ୍ରୁର ଗୁଣଗାନ କରିବା ବ୍ୟକ୍ତିର ଯୁଦ୍ଧ କ୍ଷେତ୍ରରେ କଣ କାର୍ଯ୍ୟ ?"


ପିତା ଦ୍ରୋଣ ଏବଂ ମାତୁଳ କୃପଙ୍କ ପ୍ରତି ଏହି ଆକ୍ଷେପ ଅଶ୍ଵତ୍ଥାମା ସହ୍ୟ କରି ପାରିଲେ ନାହିଁ। କର୍ଣ୍ଣଙ୍କ ପ୍ରତି ଦୃଷ୍ଟିପାତ କରି ଅଶ୍ଵତ୍ଥାମା କହିଲେ..ଯୁଦ୍ଧ ଜିଣିବା ପୂର୍ବରୁ ଏଭଳି ଆସ୍ଫାଳନ ଏବଂ ଗୁରୁଙ୍କ ପ୍ରତି ଅପଶବ୍ଦ ଶୋଭା ପାଏ ନାହିଁ ଅଙ୍ଗରାଜ କର୍ଣ୍ଣ। ଆମ୍ଭମାନଙ୍କୁ, ଶାସ୍ତ୍ରରେ କଣ ଅଛି ନଅଛି ଶିଖାଅ ନାହିଁ;ଆମେ ଉଭୟ ଶସ୍ତ୍ର ଓ ଶାସ୍ତ୍ରରେ ପାରଙ୍ଗମ। ଦ୍ୟୂତକ୍ରୀଡାରେ କପଟ ପାଶାର ଗୋଟି ପକାଇ ରାଜ୍ୟ ହରଣ କରିବା କେଉଁ ଶାସ୍ତ୍ରରେ ଲେଖା ଅଛି ?କୁଳ-ନାରୀ ଦ୍ରୌପଦୀଙ୍କୁ ପୂର୍ଣ୍ଣ ରାଜସଭାରେ ଉଲଗ୍ନ କରିବା ପ୍ରୟାସ କରିବା କେଉଁ ଶାସ୍ତ୍ରରୁ ତୁମେ ଶିକ୍ଷା କରିଛ କର୍ଣ୍ଣ ମହାମତି ?"


ବିଚିତ୍ର ମହାଭାରତ; ବିଚିତ୍ର ଏହାର ଚରିତ୍ରମାନେ। ଏଠାରେ ଅଶ୍ଵତ୍ଥାମାଙ୍କ ପିତୃଭକ୍ତିର ପରିଚୟ ସହିତ ବିବେକ ଦଂଶନର ପରିଚୟ ମିଳେ। କୁରୁବଂଶର ଅନ୍ନରେ ପ୍ରତିପାଳିତ ହୋଇଥିବାରୁ, ଅନେକ ସମୟରେ ବାଧ୍ୟ ହୋଇ ସେ ସେମାନଙ୍କ ଅପକର୍ମକୁ ସହ୍ୟ କରୁଥିଲେ, କିନ୍ତୁ ନିଜ ପିତାଙ୍କ ପ୍ରତି ଆକ୍ଷେପ ହେବା ସମୟରେ ପରିଣତିକୁ ଭୃକ୍ଷେପ ନକରି ସେ ସତ୍ୟ ଉଦ୍ଗାରଣ କରୁଥିଲେ।

  

କିଛି ନିରବତା ପରେ ଅଶ୍ଵତ୍ଥାମା କହିଲେ..ତଞ୍ଚକତା ନ'କରି,ବାହୁବଳରେ ଯେଉଁମାନେ ରାଜ୍ୟଜୟ କରନ୍ତି ସେମାନେ ମଧ୍ୟ ତୁମ ପରି ବାହାସ୍ଫୋଟ ମାରନ୍ତି ନାହିଁ ।ଅର୍ଜୁନକୁ ଏକାକୀ ଜୟ କରିବା ଏତେ ସହଜ ନୁହେଁ ବୀର ପୁଙ୍ଗବ କର୍ଣ୍ଣ।ଗାଣ୍ଡିବ ଧନୁରୁ ବାଣ ଗୋଟିଏ ଦୁଇଟି ହୋଇ ଆସେ ନାହିଁ, ତାହା ଆସେ ଶହଶହ,ଲକ୍ଷ ଲକ୍ଷ ସଂଖ୍ୟାରେ,ତୀରରେ ଆକାଶ ମେଘାଚ୍ଛନ୍ନ ହୋଇଯାଏ, ଅଗ୍ନି ବର୍ଷା ହୁଏ ଆକାଶରୁ, ବାୟୁରେ ଶତ୍ରୁ ଉଡିଯାଏ ସହସ୍ରକୋଶ।ପ୍ରିୟ କର୍ଣ୍ଣ ,ପ୍ରିୟ ଦୁର୍ଯ୍ୟୋଧନ!କୁହ କେଉଁ ଯୁଦ୍ଧଟା ତୁମେ ପାଣ୍ଡବ ମାନଙ୍କଠାରୁ ରଣ କରି ଜିଣିଛ ? ଏହା କପଟ-ପଶା ଖେଳ ନୁହେଁ ଯେ ଶକୁନିଙ୍କ ଗୋଟି ଚାଳନା ଯୋଗୁଁ ତୁମେ ଯୁଦ୍ଧ ଜିଣିଯିବ।"


ଅଶ୍ଵତ୍ଥାମାଙ୍କ କଥା ଶୁଣି ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଗଲା କୌରବ ମାନଙ୍କ ମଧ୍ୟରେ। କିଛି କର୍ଣ୍ଣଙ୍କ ସମର୍ଥନରେ ଏବଂ ଅନ୍ୟ କିଛି ଅଶ୍ଵତ୍ଥାମାଙ୍କ ସମର୍ଥନରେ ଭିଡା ଭିଡି ହୋଇ ଗଲେ।

ଏହା ଦେଖି ଗଭୀର ଦୁଃଖ ଏବଂ ଅବସୋସ ସହିତ ଭୀଷ୍ମ କହିଲେ.. ଜ୍ଞାନୀବ୍ୟକ୍ତି କଦାପି ଗୁରୁଙ୍କ ଅପମାନ କରନ୍ତି ନାହିଁ ପୁତ୍ର ଦୁର୍ଯ୍ୟୋଧନ ! ବର୍ତ୍ତମାନ ହସ୍ତିନାର ମାନ ରକ୍ଷା କରିବା ସମୟ।ରାଜ ସିଂହାସନକୁ ରକ୍ଷା କରିବା ପ୍ରତିଶ୍ରୁତି ଦେଇଥିବାରୁ ସେହି କର୍ତ୍ତବ୍ୟ ମୋ ପାଇଁ ସର୍ବୋପରି। ହସ୍ତିନାର ସମ୍ମାନ ରକ୍ଷା କରିବାକୁ ହେଲେ ଆମ ପାଖରେ ଦୁଇଟି ଉପାୟ ଅଛି... ଶାନ୍ତି ଅଥବା ଯୁଦ୍ଧ।ପାଣ୍ଡବ ମାନଙ୍କର ଅଜ୍ଞାତବାସ କାଲିଠାରୁ ସମାପ୍ତ ହୋଇଯାଇଛି।ଗ୍ରହନକ୍ଷତ୍ର ମାନଙ୍କର ମହାକାଶୀୟ ଗତି ସମ୍ବନ୍ଧରେ ଯେଉଁ ମାନେ ଜାଣନ୍ତି, ସେମାନଙ୍କ ମତରେ ଅଜ୍ଞାତବାସର ଅବଧି ପୂର୍ଣ୍ଣ ହୋଇ ଯାଇଛି। ତୁମେ ଯେବେ ଶାନ୍ତି ପ୍ରତିଷ୍ଠା ଚାହଁ, ପାଣ୍ଡବଙ୍କୁ ଆଦର ସହିତ ସେମାନଙ୍କ ରାଜ୍ୟ ଫେରାଇ ଦିଅ।"


ପିତାମହଙ୍କ କଥା ଶୁଣି ଦୁର୍ଯ୍ୟୋଧନ ଗର୍ଜନ କରି କହିଲେ...ଅସମ୍ଭବ ପିତାମହ ! ପାଣ୍ଡବ ମାନଙ୍କୁ ମୁଁ ସୂଚ୍ୟାଗ୍ର ପରିମାଣ ସ୍ଥାନ ମଧ୍ୟ ଦେବି ନାହିଁ।"


ଏକ ଶୁଷ୍କ ହସ ହସି ଭୀଷ୍ମ; କହିଲେ.. ଯୁବରାଜ ଦୁର୍ଯ୍ୟୋଧନ ! ଆମ ବୃଦ୍ଧମାନଙ୍କର ସମୟ ଚାଲିଯାଇଛି; ବର୍ତ୍ତମାନ ସମୟ ଉପରେ ଅଧିକାର ତୁମର।ରାଜାର ଆଦେଶ ପାଳନ କରି ସିଂହାସନର ରକ୍ଷା ମୋର କର୍ତ୍ତବ୍ୟ, ତେଣୁ ରାଜ୍ୟ ହରଣ ଏବଂ ଗୋଧନ ହରଣ ଭଳି ନୀଚ୍ଚ କାର୍ଯ୍ୟର ସହାୟତା ମୋତେ କରିବାପାଇଁ ପଡୁଛି।ଏହାଠାରୁ ଅଧିକ ଦୁର୍ଭାଗ୍ୟ ଏବଂ ଅସହାୟତା,ପରିବାରର ଜଣେ ବୃଦ୍ଧ ଜୀବନରେ ଆଉ କ'ଣ ଥାଇପାରେ ପୁତ୍ର !!

ଠିକ୍ ଅଛି, ବର୍ତ୍ତମାନ ଆମ ଆଗରେ ହସ୍ତିନାର ସମ୍ମାନ ରକ୍ଷା ବଡ଼ ଦାୟିତ୍ଵ।ଆମେ ହରଣ କରିଥିବା ଗୋଧନ ଆମ ପାଖରୁ ଯେବେ ଅର୍ଜୁନ ଛଡ଼ାଇ ନିଏ ତାହେଲେ ଆର୍ଯ୍ୟାବର୍ତ୍ତରେ ଆମ ସମ୍ମାନ ତଳେ ପଡିଯିବ। ହସ୍ତିନାର ଯୁବରାଜଙ୍କ ସୁରକ୍ଷା ମଧ୍ୟ ଆମର ପ୍ରଥମ କର୍ତ୍ତବ୍ୟ। ତେଣୁ ଆମ ସୈନ୍ୟବାହିନୀର ଏକ ଚତୁର୍ଥାଂଶ, ହରଣ କରାଯାଇଥିବା ଗୋଧନ ନେଇ, ଦୁର୍ଯ୍ୟୋଧନଙ୍କ ସହିତ ହସ୍ତିନା ଅଭିମୁଖେ ଯାତ୍ରା କରନ୍ତୁ; ଅନ୍ୟ ଏକ ଚତୁର୍ଥାଂଶ‌ ଯୁବରାଜ ଦୁର୍ଯ୍ୟୋଧନଙ୍କର ସ୍ଵତନ୍ତ୍ର ସୁରକ୍ଷା ଦାୟିତ୍ବରେ ରହନ୍ତୁ। ଅବଶିଷ୍ଟ ସୈନ୍ୟମାନଙ୍କୁ ନେଇ ଆମେ ଅଜୁର୍ନର ଗତିରୋଧ କରିବା।"


ଯୋଜନା ଅନୁଯାୟୀ ଯୁଦ୍ଧ ଆରମ୍ଭ ହୋଇଗଲା। ଅର୍ଜୁନଙ୍କ ଗାଣ୍ଡିବରୁ ନିର୍ଗତ ତିନୋଟି ବାଣ ପ୍ରଥମେ ଭୀଷ୍ମ ଦ୍ରୋଣ ଏବଂ କୃପାଚାର୍ଯ୍ୟଙ୍କ ପାଦ ସ୍ପର୍ଶ କଲା।

ଦୁର୍ଯ୍ୟୋଧନଙ୍କୁ ସୈନ୍ୟ ଗହଣରେ ନଦେଖି, ପିତାମହଙ୍କ ଯୋଜନା ଜାଣିପାରି ଅର୍ଜୁନ ଉତ୍ତରକୁ କହିଲେ ... ଆମର ଗୋଧନ ହରଣ କରି ଦୁର୍ଯ୍ୟୋଧନ ଚାଲିଯାଉଛି ଉତ୍ତର ! ଆମକୁ ତା'ର ପଥରୋଧ କରି ଗୋଧନ ଉଦ୍ଧାର କରିବା ପାଇଁ ପଡିବ। ଏହି ସ୍ଥାନରେ ଆମର ଆଉ କିଛି କାର୍ଯ୍ୟ ନାହିଁ।"


ଦୁର୍ଯ୍ୟୋଧନ ପଛରେ ଅନୁଧାବନ କରି, ଅଳ୍ପଦୂରରେ ତାର ପଥ ଅବରୋଧ କଲେ ଅର୍ଜୁନ।ଗୋରୁପଲଙ୍କୁ ଉଦ୍ଧାର କରି ଗୋପାଳ ମାନଙ୍କ ଦାୟିତ୍ଵରେ ଦେଇ ଘୋର ଯୁଦ୍ଧରେ ମଜ୍ଜିଗଲେ ମଧ୍ୟମ ପାଣ୍ଡବ। ଗୋପାଳମାନେ ଗୋରୁପଲ ସହିତ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲେ। ଯୋଜନା ଅସଫଳ ହେବା ଦେଖି,ଭୀଷ୍ମଙ୍କ ଅଧିନାୟକତ୍ବରେ ବିଶାଳ କୌରବ ସେନା, ଦୁର୍ଯ୍ୟୋଧନଙ୍କୁ ରକ୍ଷା କରିବା ପାଇଁ ଆଗେଇ ଆସିଲେ। ଅର୍ଜୁନ,ଏକକ ତଥା ସମବେତ ଭାବରେ ଯୁଦ୍ଧ କରୁଥିବା ସମସ୍ତ କୁରୁ ବୀରଙ୍କୁ ପରାସ୍ତ କଲେ।ଶେଷରେ ସମ୍ମୋହନ ବାଣରେ ସମସ୍ତଙ୍କୁ ମୁର୍ଚ୍ଛିତ କରି ଉତ୍ତରଙ୍କୁ କହିଲେ ... ମୁର୍ଚ୍ଛା ଯାଇଥିବା ସମସ୍ତଙ୍କ ଅସ୍ତ୍ରଶସ୍ତ୍ର ଏବଂ ଅଙ୍ଗବସ୍ତ୍ର ବାହାର କରି ନେଇ ଆସ ଉତ୍ତର ! ସମସ୍ତେ ଏକବସ୍ତ୍ର ଏବଂ ଅସ୍ତ୍ରହୀନ ହୋଇ ହସ୍ତିନା ଫେରି ଯାଆନ୍ତୁ।"


ସବୁ ଅସ୍ତ୍ରଶସ୍ତ୍ର ଏବଂ ରାଜକୀୟ ପରିଚ୍ଛଦ ନେଇଆସିବା ପରେ ଅର୍ଜୁନଙ୍କୁ ଉତ୍ତର କୁମାର ପଚାରିଲେ.. .ଆପଣ ଏମାନଙ୍କୁ ବଧ ନକରି କେବଳ ମୂର୍ଚ୍ଛିତ କାହିଁକି କଲେ?"


ଅର୍ଜୁନ କହିଲେ ...ଵୀରମାନଙ୍କର ରଙ୍ଗ ବେରଙ୍ଗୀ ପୋଷାକ ରାଜକୁମାରୀ ଉତ୍ତରାଙ୍କର କଣ୍ଢେଇ ମାନଙ୍କ ପାଇଁ ନେବି ବୋଲି ମୁଁ କଥା ଦେଇଥିଲି।ଏମାନଙ୍କୁ ବଧ କରିଥିଲେ,ଏମାନେ ଶବରେ ପରିଣତ ହୋଇଥାନ୍ତେ;ଶବମାନଙ୍କ ଦେହରେ ଥିବା ପୋଷାକ ଅଶୁଭ ବୋଲି ବିବେଚନା କରାଯାଏ। ଏତଦ୍ ବ୍ୟତୀତ, ଜ୍ୟେଷ୍ଠ ଭ୍ରାତାଙ୍କ ବିନା ଆଦେଶରେ ଏମାନଙ୍କୁ ମୃତ୍ୟୁ ଦଣ୍ଡ ଦେବା ମୋର ଅଧିକାରଭୁକ୍ତ ନୁହେଁ।"


ଏହିପରି କୌରବମାନଙ୍କୁ ଲାଞ୍ଛିତ କରି ଅପହୃତ ଗୋ'ସମ୍ପଦ ଉଦ୍ଧାର କଲେ ଅର୍ଜୁନ।ବାଟରେ ଶମିବୃକ୍ଷରେ ପୂର୍ବବତ୍ ଅସ୍ତ୍ରଶସ୍ତ୍ର ରଖିଦେଇ, ପୂର୍ବପରି ବୃହନ୍ନଳା ବେଶ ଧାରଣ କରି ଉତ୍ତର କୁମାର ସହିତ ରାଜପ୍ରାସାଦ ଅଭିମୁଖେ ପ୍ରତ୍ୟାବର୍ତ୍ତନ କଲେ ମଧ୍ୟମ ପାଣ୍ଡବ ।...



Rate this content
Log in