Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀ (୧୦୦)ଅଶ୍ଵତ୍ଥାମା

କଥା କାଦମ୍ବରୀ (୧୦୦)ଅଶ୍ଵତ୍ଥାମା

5 mins
189



ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦୁର୍ଯ୍ୟୋଧନକୁ ଦେଖି ଅଶ୍ଵତ୍ଥାମା ଆଖିରେ ଅଶ୍ରୁ ଏବଂ ହୃଦୟରେ କ୍ରୋଧ ଭରିଗଲା। ଯେଉଁ ରାଜାର ଅନ୍ନରେ ସେ ପ୍ରତିପାଳିତ,ପାଣ୍ଡବମାନେ ତାଙ୍କୁ ଅନ୍ୟାୟ ଯୁଦ୍ଧରେ ଜାନୁଭଗ୍ନକରି ଯନ୍ତ୍ରଣାରେ ପଡ଼ି ମରିବାପାଇଁ ଛାଡି ଯାଇଛନ୍ତି ଶୁଣି ଭୟଙ୍କର ପ୍ରତିଶୋଧର ଅଗ୍ନି ଅଶ୍ଵତ୍ଥାମା ମନରେ ଜଳି ଉଠିଲା...ଏଇ ପାଣ୍ଡବମାନେ ଅଧର୍ମରେ ତା'ଙ୍କର ପ୍ରିୟ ପିତା ଦ୍ରୋଣାଚାର୍ଯ୍ୟଙ୍କୁ ଛଳନା କରି, ନିରସ୍ତ୍ର ଥିବା ଅବସ୍ଥାରେ ରଣକ୍ଷେତ୍ରରେ ମୁଣ୍ଡକାଟି ମୃତ୍ୟୁ ଦଣ୍ଡ ଦେଇଛନ୍ତି।କର୍ଣ୍ଣଙ୍କୁ‌ ମଧ୍ୟ ନିରସ୍ତ୍ର ଅବସ୍ଥାରେ ନିଧନ କରିଛନ୍ତି ,ଧର୍ମର ଛଳନା କରୁଥିବା ପାଣ୍ଡବମାନେ।


ଦୁର୍ଯ୍ୟୋଧନ ପାଖରେ ପହଞ୍ଚି ଭୀଷଣ ପ୍ରତିଜ୍ଞା କରି ଅଶ୍ଵତ୍ଥାମା କହିଲା.."ହେ ରାଜା ! ହେ ମୋର ଅନ୍ନଦାତା ! ହେ ମୋର ପରମ ମିତ୍ର ଦୁର୍ଯ୍ୟୋଧନ! ମୁଁ ଶପଥ କରି କହୁଛି ପାଣ୍ଡବମାନଙ୍କୁ , ସେମାନଙ୍କ କୃତକର୍ମ ପାଇଁ ମୁଁ କ୍ଷମା ଦେବି ନାହିଁ, ନିଶ୍ଚିତ ଭାବରେ ସେ ସମସ୍ତଙ୍କୁ ଆଜି ହିଁ ନିଧନ କରିବି।"

ଏକଥା ଶୁଣି ମୁମୂର୍ଷ ଅବସ୍ଥାରେ ପଡ଼ିଥିବା ଦୁର୍ଯ୍ୟୋଧନ ଦେହରେ ସତେ ଯେମିତି ନୂତନ ଜୀବନ ସଞ୍ଚାର ହେଲା।ଆଖି ଖୋଲି ଅଶ୍ଵତ୍ଥାମାକୁ ଚାହିଁ ଦୁର୍ଯ୍ୟୋଧନ କହିଲା..ତୁମ କଥା ମୋ କର୍ଣ୍ଣରେ ଅମୃତ ବର୍ଷା କଲା ମିତ୍ର !ସତ କହୁଛ,ତୁମେ ପାଣ୍ଡବ ମାନଙ୍କୁ ବିନାଶ କରି ମୋ' ମୃତ୍ୟୁ ପୂର୍ବରୁ ମୋତେ ଏ ଶୁଭ ସମ୍ବାଦ ଦେବ !! ସତରେ କଣ ତୁମେ ତାହା କରି ଦେଖାଇବ, ଯାହା ମହା ପରାକ୍ରମୀ ଭୀଷ୍ମ,ଦ୍ରୋଣ ଓ କର୍ଣ୍ଣ କରି ପାରି ନାହାନ୍ତି ?ସତେ କଣ ତୈଳହୀନ ନିର୍ବାପିତ ଦୀପଶିଖା ପୁଣିଥରେ ଜଳିଉଠିବ ?"


ଅଶ୍ଵତ୍ଥାମାର ଏହି ପ୍ରତିଜ୍ଞା ଦୁର୍ଯ୍ୟୋଧନର ମରଣ କାଳୀନ ଯନ୍ତ୍ରଣାକୁ ପ୍ରଶମିତ କଲା। ଅଶ୍ଵତ୍ଥାମାର ମସ୍ତକରେ ସେନାପତି ଶାଢ଼ି ବାନ୍ଧି ଦୁର୍ଯ୍ୟୋଧନ କହିଲା..ତୁମ ଉପରେ ମୋର ଅନେକ ଆଶା ଭରସା ଅଛି ମିତ୍ର !ଯାଅ ଅରାତି ଧ୍ବଂସକର।"

ସେ ସମୟରେ ସନ୍ଧ୍ୟା ଗଡି ରାତି ନଇଁ ଆସୁଥିଲା। ଅଶ୍ଵତ୍ଥାମା,କୃପାଚାର୍ଯ୍ୟ ଏବଂ କୃତବର୍ମା,ରଣକ୍ଷେତ୍ର ନିକଟରେ ଥିବା ଏକ ବିଶାଳ ବଟବୃକ୍ଷ ତଳେ ବିଶ୍ରାମ ନେଲେ। ରାତ୍ରିର ସୁଶୀତଳ ପବନ କୃପାଚାର୍ଯ୍ୟ ଓ କୃତଵର୍ମାଙ୍କ ଶ୍ରାନ୍ତ କ୍ଳାନ୍ତ ଶରୀର ଓ ମନକୁ ତନ୍ଦ୍ରାଛନ୍ନ କରିଦେଲା।ବୃକ୍ଷମୂଳରେ ସେ ଦୁହେଁ ଗଭୀର ନିଦ୍ରାରେ ଶୋଇଗଲେ।


ଅଶ୍ଵତ୍ଥାମାର ଆଖିରୁ କିନ୍ତୁ ନିଦ୍ରା ହଜିଯାଇଥିଲା। ସମୟ ଥିଲା‌, ଦିନେ ସେ ନିଜେ ଦୁର୍ଯ୍ୟୋଧନକୁ ପାଣ୍ଡବଙ୍କ ସହିତ ଶାନ୍ତି ସ୍ଥାପନ ପାଇଁ ପ୍ରବର୍ତ୍ତାଇଥିଲା। ଆଜି କିନ୍ତୁ ଅନ୍ୟାୟ ଯୁଦ୍ଧର ଶିକାର ହୋଇଥିବା ଦୁର୍ଯ୍ୟୋଧନକୁ ଦେଖି ମନରେ ତାର ପ୍ରତିଶୋଧର ବହ୍ନି ଧୂ ଧୂ ହୋଇ ଜଳୁଥିଲା। ଚିନ୍ତା କରୁଥିଲା ଅଶ୍ଵତ୍ଥାମା କିଭଳି କଳେ ବଳେ କୌଶଳେ ପାଣ୍ଡବ ପାଞ୍ଚଭାଇଙ୍କୁ ବିନାଶ କରି ପିତୃ ଋଣ ପରିଶୋଧ କରିବା ସଙ୍ଗେ ସଙ୍ଗେ ମିତ୍ରଋଣ ମଧ୍ୟ ପରିଶୋଧ କରିବ।


ଏହି ସମୟରେ, ଯେଉଁ ବଟ ବୃକ୍ଷ ମୂଳରେ ସେମାନେ ବିଶ୍ରାମ ନେଉଥିଲେ ତା'ର ଡାଳପତ୍ରରେ ଅଶାନ୍ତ ବାତାବରଣ ସୃଷ୍ଟି ହେଲା।ବୃକ୍ଷରେ ନୀଡ ବାନ୍ଧିଥିବା ବାୟସ ମାନଙ୍କ ଉପରେ କିଛି ରାତ୍ରିଚର ପେଚକ ଆକ୍ରମଣ କରିଦେଇଥିଲେ। ଅନ୍ଧକାରରେ କିଛି ଦେଖି ନପାରୁଥିବା ଵାୟସ ମାନେ ବସାରୁ ବାହାରି ଇତସ୍ତତ ଉଡୁଥିବା ଅବସ୍ଥାରେ ରାତ୍ରିଚର ପକ୍ଷୀ ମାନଙ୍କର ଶିକାର ହେଉଥିଲେ।


ବୃକ୍ଷ ଡାଳରେ ଏଭଳି ପରିସ୍ଥିତି ଦେଖି ଅଶ୍ଵତ୍ଥାମା ମସ୍ତିଷ୍କକୁ ଏକ କୁଟିଳ ବୁଦ୍ଧି ଯୁଟିଲା।ପାଣ୍ଡବ ଶିବିରରେ ନିଶାର୍ଦ୍ଧରେ ପ୍ରବେଶ କରି ଶୟନ କରୁଥିବା ପାଣ୍ଡବ ପାଞ୍ଚ ଭାଇଙ୍କୁ ଏହିଭଳି ହତ୍ୟା କରିବା ଉଚିତ ହେବ ବୋଲି ସେ ସ୍ଥିର କରିନେଲା।ସଙ୍ଗେ ସଙ୍ଗେ କୃପାଚାର୍ଯ୍ୟ ଏବଂ କୃତବର୍ମାଙ୍କର ନିଦ୍ରା ଭଙ୍ଗକରି ଅଶ୍ଵତ୍ଥାମା ସେମାନଙ୍କୁ ଏହି ଯୋଜନା କାର୍ଯ୍ୟକାରୀ କରିବା କଥା କହିଲା।


ଆଶ୍ଚର୍ଯ୍ୟରେ କୃପାଚାର୍ଯ୍ୟଙ୍କ ଚକ୍ଷୁ ବିସ୍ଫାରିତ ହୋଇ ଗଲା।ସ୍ନାୟୁରେ ତାଙ୍କର ଚମକି ଗଲା ଶିହରଣର ବିଜୁଳି।ଭାଗିନେୟ ଅଶ୍ଵତ୍ଥାମାକୁ ସେ କହିଲେ..କଣ ତୁମେ କହୁଛ ପୁତ୍ର ଅଶ୍ଵତ୍ଥାମା !! ଆଜି ପର୍ଯ୍ୟନ୍ତ ଆର୍ଯ୍ୟାବର୍ତ୍ତର ସମର ଇତିହାସରେ ଏଭଳି ଘଟଣା ଘଟିନାହିଁ। କାହିଁକି ଏ ଘୃଣ୍ୟ ପାପ କରିବା ଇଚ୍ଛା ମନରେ ପୋଷଣ କରିଛ ? ଆମ୍ଭେମାନେ ଦୁର୍ଯ୍ୟୋଧନର ଅନ୍ନରେ ପ୍ରତିପାଳିତ ସତ୍ୟ, କିନ୍ତୁ ଆମ୍ଭମାନଙ୍କର ଶତ ବାରଣ ସତ୍ତ୍ଵେ ସେ ଯୁଦ୍ଧର ଅଗ୍ନିକୁ ଡେଇଁ ପଡିଥିଲେ। ଋଣ ପରିଶୋଧ ପାଇଁ ଆମେ ସେ ଯୁଦ୍ଧରେ ଯୋଗ ଦେଇଥିଲେ।ଆମେ ଆମର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ବର୍ତ୍ତମାନ ଯୁଦ୍ଧ ଶେଷ ହେବାପରେ ଏବଂ ମରଣ ଯନ୍ତାରେ ଦୁର୍ଯ୍ୟୋଧନର ପ୍ରାଣପକ୍ଷୀ ଛଟପଟ ହେବା ସମୟରେ କେଉଁ କାରଣରୁ ତୁମେ ଏ ପାପ ଅର୍ଜନ କରିବାକୁ ଯାଉଛ ଅଶ୍ଵତ୍ଥାମା !!"


ଅଶ୍ଵତ୍ଥାମା କହିଲା.. ମାମୁଁ ! ଯୁଦ୍ଧ ସମାପ୍ତ ହୋଇନାହିଁ। ଯେଉଁ ଅଧର୍ମ କଣ୍ଟା ବ୍ୟବହାର କରି ପାଣ୍ଡବମାନେ ଜୟଯୁକ୍ତ ହୋଇଛନ୍ତି, ସେହି କଣ୍ଟା ବ୍ୟବହାର କରି ମୁଁ ସେମାନଙ୍କ ଜୟକୁପରାଜୟରେ ପରିଣତ କରିଦେବି।ମୋ ପିତା ଧ୍ୟାନ ମୁଦ୍ରାରେ ଥିବା ସମୟରେ ସେମାନେ ଅନ୍ୟାୟରେ ତାଙ୍କୁ ହତ୍ୟା କରିଛନ୍ତି ଏବଂ ଦୁର୍ଯ୍ୟୋଧନଙ୍କର ଅନ୍ୟାୟରେ ଜାନୁଭଗ୍ନ କରିଛନ୍ତି; ମୁଁ ମଧ୍ୟ ତଞ୍ଚକତାର ଆଶ୍ରୟ ନେଇ ସେମାନଙ୍କ ଶୟନ ସମୟରେ ଗୋଟି ଗୋଟି କରି ହତ୍ୟା କରିବି।ମୋର ଏହି କାର୍ଯ୍ୟ ପାଇଁ ମୃତ୍ୟୁ ପରେ ମୋତେ ପେଚକ ବା ତା'ଠାରୁ ଅଧିକ ଘୃଣ୍ୟ ଜନ୍ମ ମିଳିଲେ ମଧ୍ୟ ମୋର ଦୁଃଖ ନାହିଁ। ମୋତେ ଦୁର୍ଯ୍ୟୋଧନ ସେନାପତି ପଦରେ ବରଣ କରିଛନ୍ତି। ମୁଁ ସେନାପତିର କର୍ତ୍ତବ୍ୟ ପୂରଣ କରିବା ପାଇଁ ଯାଉଛି।ତୁମେ ଦୁହେଁ ମୋ ସହିତ ଆସିଲେ ଆସ,ନଆସିଲେ ନାହିଁ।"


ଏହା କହି ଅଶ୍ଵତ୍ଥାମା, ନିଶାର୍ଦ୍ଧରେ, ହିଂସ୍ର ଭେଡିଆର ମାନସିକତା ନେଇ ପାଣ୍ଡବ ଶିବିର ଅଭିମୁଖେ ଯାତ୍ରା କଲା।

ପଛରୁ ଡାକି ଡାକି କୃପାଚାର୍ଯ୍ୟ ଏବଂ କୃତବର୍ମା ତା'ପାଖରେ ପହଞ୍ଚି କହିଲେ...ଅପେକ୍ଷା କର ଅଶ୍ଵତ୍ଥାମା,ଆମେ ତୁମ ଯୋଜନାରେ ଏକମତ ନହେଲେ ମଧ୍ୟ ତୁମକୁ ସହଯୋଗ କରିବୁ କାରଣ ତୁମେ ଆମର ସେନାପତି।ତୁମ ପାପର ଭାଗିଦାର ହେବାକୁ ଅନିଚ୍ଛା ସତ୍ତ୍ବେ ଆମେ ସମ୍ମତ।"


ତା'ପରେ ପାଣ୍ଡବ ଶିବିରରେ ଯେଉଁ ଲୋମହର୍ଷଣକାରୀ ନରସଂହାର ଘଟିଲା ତାହା ବିଶ୍ବ ଇତିହାସର ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା। ଚଢ଼େଇ ବସାକୁ ରାତିରେ ଆକ୍ରମଣ କରି ସର୍ପ ଯେପରି ପକ୍ଷୀ ସହିତ ତାର ଶାବକମାନଙ୍କୁ ହତ୍ୟା କରେ,ସେହିପରି ଅଶ୍ଵତ୍ଥାମା ପାଣ୍ଡବ ଶିବିରରେ ପ୍ରବେଶ କରି, ପ୍ରଥମେ ଶୟନ-ରତ ଧୃଷ୍ଟଦ୍ୟୁମ୍ନ ଏବଂ ପରେ ଦ୍ରୌପଦୀଙ୍କ ଶୟନ-ରତ ପାଞ୍ଚ ପୁତ୍ରଙ୍କୁ ନିର୍ମମ ଭାବରେ ହତ୍ୟା କଲା।

ନିଶାର୍ଦ୍ଧରେ ଶିବିରରେ ଆକ୍ରମଣ ଯୋଗୁଁ ସୈନ୍ୟ ସାମନ୍ତ ଇତସ୍ତତ ଦଉଡିଵା ଆରମ୍ଭ କରିଦେଲେ। ରାତିର ସେହି ଅନ୍ଧକାର ଭିତରେ ସେମାନଙ୍କୁ ଗୋଡେଇ ଗୋଡେଇ ହତ୍ୟା କଲେ କୌରବପକ୍ଷର ଏହି ତିନି ମହାରଥୀ। ଶିବିରରେ ଅଗ୍ନି ସଂଯୋଗ କରି ଧ୍ବଂସର ଲୀଳା ସୃଷ୍ଟି କଲେ ସେମାନେ।ଧୂ ଧୂ ହୋଇ ଜଳୁଥିଲା ପାଣ୍ଡବ ଶିବିର;ଶୁଭ ସମ୍ବାଦ ନେଇ ଦୁର୍ଯ୍ୟୋଧନଙ୍କ ପାଖରେ ପହଞ୍ଚିଲେ ତିନି ମହାରଥୀ।


ରାତି ପାହି ପାହି ଆସୁଥାଏ।କୃଷ୍ଣାଙ୍କର ପାଞ୍ଚ ପୁତ୍ରଙ୍କୁ ହତ୍ୟାକରି ଅଶ୍ଵତ୍ଥାମା ଭାବିଥିଲେ ଯେ ସେ ପାଣ୍ଡବ ପାଞ୍ଚଭାଇଙ୍କୁ ବଧ କରିଛନ୍ତି।ଆନନ୍ଦମନରେ ସେ ଦୁର୍ଯ୍ୟୋଧନଙ୍କ ପାଖରେ ପହଞ୍ଚି କହିଲେ..ମିତ୍ର ଦୁର୍ଯ୍ୟୋଧନ ! ମୁଁ ମୋର ପ୍ରତିଜ୍ଞା ପୂରଣ କରିଛି ;ତୁମ ଚିରଶତ୍ରୁ ପାଣ୍ଡବ ପାଞ୍ଚ ଭାଇଙ୍କୁ ମୁଁ ଚିରନିଦ୍ରାରେ ଶୁଆଇ ଦେଇଛି।"


ନିମିଳିତ ଆଖି ଖୋଲିଲେ ଦୁର୍ଯ୍ୟୋଧନ;ଓଠରେ ଯନ୍ତ୍ରଣା ପୂର୍ଣ୍ଣ ଚେନାଏ ହସ ଖେଳିଗଲା।କ୍ଷୀଣ କଣ୍ଠରେ କହିଲେ.. ଧନ୍ୟ ତୁମେ ମିତ୍ର! ଯେଉଁ କାର୍ଯ୍ୟ ଭୀଷ୍ମ ଦ୍ରୋଣ କର୍ଣ୍ଣଙ୍କ ଭଳି ମହାରଥି ମାନେ କରିପାରିନଥିଲେ ତାହା ତୁମେ କରି ଦେଖାଇଛ। ସେଥିପାଇଁ ମୁଁ ତୁମ ପାଖରେ ଋଣୀ।ଏବେ ମୁଁ ଶାନ୍ତିରେ ଶେଷ ନିଶ୍ବାସ ତ୍ୟାଗ କରିପାରିବି।"କହୁ କହୁ ଦୁର୍ଯ୍ୟୋଧନର ପ୍ରାଣପକ୍ଷୀ ଶରୀର ତ୍ୟାଗ କରି ଅନନ୍ତରେ ଲୀନ ହୋଇଗଲା।


ପ୍ରଭାତରେ ନିଜ ଶିବିରରେ ଘଟିଥିବା ଧ୍ବଂସ ଲୀଳା ସହିତ ପାଞ୍ଚାଳୀଙ୍କ ପାଞ୍ଚପୁତ୍ରଙ୍କ ମୃତ୍ୟୁ ସମ୍ବାଦ ପାଣ୍ଡବ ପରିବାରରେ ଶୋକର ଛାୟା ଖେଳାଇଦେଲା। ଦ୍ରୌପଦୀଙ୍କ ଆଖିରୁ ବହି ଚାଲିଥାଏ ଅବାରିତ ଅଶ୍ରୁ।ଭୟଙ୍କର ଯୁଦ୍ଧ ସାଗରକୁ ସଫଳତା ସହିତ ତାଙ୍କର ଯେଉଁ ପୁତ୍ର ମାନେ ପାରକରି ପାରିଥିଲେ,ଏବେ ଘୃଣ୍ୟ ତଞ୍ଚକତାର ଶିକାର ହୋଇ ମହାନିଦ୍ରାରେ ଶୋଇ ଯାଇଛନ୍ତି। ଯେଉଁ ଧୃଷ୍ଟଦ୍ୟୁମ୍ନ ଅଜେୟ ମହାରଥୀ ଭାବରେ ଅଠର ଦିନର ମହାଭାରତ ଯୁଦ୍ଧରେ ସଫଳତାର ସହିତ ସେନାପତିତ୍ବକରି ପାଣ୍ଡବଙ୍କୁ ଜୟଯୁକ୍ତ କରାଇଥିଲେ ଆଜି ସେ ଘୃଣ୍ୟ ପ୍ରତିଶୋଧ ପରାୟଣତାର ଶିକାର ହୋଇ ଚିରନିଦ୍ରାରେ ଶୋଇ ଯାଇଛନ୍ତି।" ଯୁଧିଷ୍ଠିର ଭାବିଲେ.. କେଉଁ ଲାଭ ଏଭଳି ଯୁଦ୍ଧରେ ଜୟଲାଭ କରି ? ଯୁଦ୍ଧରେ ଜୟଯୁକ୍ତ ହୋଇ ମଧ୍ୟ ସେ ପରାଜିତ ହୋଇଛନ୍ତି।


ପାଣ୍ଡବ ପାଞ୍ଚଭାଇ ଜୀବିତ ଥିବା ସମ୍ବାଦ ପାଇ ଅଶ୍ଵତ୍ଥାମା ଭୟରେ ପଳାୟନ କଲା। ଶ୍ରୀକୃଷ୍ଣଙ୍କ ସହିତ ପାଣ୍ଡବମାନେ ଅନୁସରଣ କରି ଆତତାୟୀକୁ ଗଙ୍ଗାକୂଳରେ ଠାବ କଲେ। ସେଠାରେ ମହର୍ଷି ବ୍ୟାସଦେବଙ୍କ ପିଠି‌ ପଛରେ ଲୁଚି ଛପି ବସିଥିଲା ଅଶ୍ଵତ୍ଥାମା।ପାଣ୍ଡବମାନଙ୍କୁ ସେଠାରେ ପହଞ୍ଚିବା ଦେଖି ଗୋଟିଏ କୁଶ ଧରି, ତାକୁ ବ୍ରହ୍ମାସ୍ତ୍ର ମନ୍ତ୍ରରେ ଅଭିମନ୍ତ୍ରିତ କରି ସେମାନଙ୍କୁ ବିନାଶ କରିବାପାଇଁ ପ୍ରେରିତ କଲା।ସେ ସମୟର ବ୍ରହ୍ମାସ୍ତ୍ର ଆଜିକାର ପରମାଣୁ ଅସ୍ତ୍ର ସହିତ ସମାନ। କ୍ଷଣକରେ ସୃଷ୍ଟି ଧ୍ବଂସ କରିବା କ୍ଷମତା ତା'ଭିତରେ ରହିଥିଲା।ତାର ପ୍ରଭାବ ବିଫଳ କରିବାପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଦୁଇ ବ୍ରହ୍ମାସ୍ତ୍ର ମୁହାଁମୁହିଁ ହେବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲା।ବ୍ୟାସଦେବଙ୍କ ମଧ୍ୟସ୍ଥତାରେ ଶାନ୍ତି ପ୍ରତିଷ୍ଠା ହେଲା। ଅର୍ଜୁନ ପ୍ରେରଣ କରିଥିବା ବ୍ରହ୍ମାସ୍ତ୍ର ଅପସାରଣ କରିନେଲେ। କିନ୍ତୁ ଅଶ୍ଵତ୍ଥାମାକୁ ବ୍ରହ୍ମାସ୍ତ୍ର ଅପସାରଣ କରିବା ଉପାୟ ଜଣାନଥିଲା। ପାଣ୍ଡବଙ୍କ ବଂଶ ନାଶ ଉଦ୍ଦେଶ୍ୟରେ ବାଣର ଗତିପଥ ସେ ଉତ୍ତରାଙ୍କ ଗର୍ଭକୁ ପରିବର୍ତ୍ତିତ କଲା।ତାହା ଦ୍ବାରା ଅଭିମନ୍ୟୁ ପତ୍ନୀ ଉତ୍ତରା ଗର୍ଭରେ ବଢୁଥିବା ଶିଶୁର ପ୍ରାଣହାନି ଘଟିଲା।ଏହା ଜାଣିପାରି ଶ୍ରୀକୃଷ୍ଣ ଉତ୍ତରା ଗର୍ଭରେ ବଢୁଥିବା ସନ୍ତାନର ଜୀବନ ରକ୍ଷା କଲେ। ଏହି ସନ୍ତାନ ଭବିଷ୍ୟତରେ, ଯୁଧିଷ୍ଠିରଙ୍କ ପରେ ପରୀକ୍ଷିତ ନାମ ଧାରଣ କରି ହସ୍ତିନାର ରାଜଦଣ୍ଡ ଧାରଣ କରି ଥିଲେ।ଜନ୍ମପୂର୍ବରୁ ପରୀକ୍ଷାର ସମ୍ମୁଖୀନ ହୋଇଥିବାରୁ ସେ ପରୀକ୍ଷିତ ନାମ ଧାରଣ କରିଥିଲେ।


ଶ୍ରୀକୃଷ୍ଣ ଏବଂ ବ୍ୟାସଦେବଙ୍କ ସମେତ ସମସ୍ତ ପାଣ୍ଡବଙ୍କ ଭର୍ତ୍ସନାର ଶିକାର ହୋଇ ଶେଷରେ ଆତ୍ମସମର୍ପଣ କଲା ଅଶ୍ଵତ୍ଥାମା। ଅଶ୍ଵତ୍ଥାମା ମସ୍ତକରେ ,ଜନ୍ମ ସମୟରୁ ରହିଥିବା ମଣିକୁ, ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶକ୍ରମେ କାଢିନେଲେ ଭୀମସେନ। ଦ୍ରୋଣ-ପୁତ୍ରଙ୍କୁ ଭର୍ତ୍ସନାକରି ଶ୍ରୀକୃଷ୍ଣ କହିଲେ .."ହେ ବ୍ରାହ୍ମଣ କୁଳର କଳଙ୍କ ! ମଣିବିଚ୍ୟୁତ ତୁମ କପାଳରୁ ଆଜି ଠାରୁ ପୂଜରକ୍ତ ନିର୍ଗତ ହୋଇ ତୁମ ଅପକର୍ମକୁ ସବୁବେଳେ ତୁମକୁ ମନେକାଇ ଦେବ।ଏ ସଂସାରରେ ଶଠତା ଏବଂ ତଞ୍ଚକତାର ପ୍ରତୀକ ହେବ ତୁମେ।ଗର୍ଭରେ ବଢୁଥିବା ସନ୍ତାନକୁ ହତ୍ୟା କରିବା ପାପ ପାଇଁ ଅସ୍ଥିର-ମସ୍ତିଷ୍କ ହୋଇ ତୁମେ ଘୂରିବୁଲିବ।ଏହି ପାପ ଅନାଦି କାଳ ପର୍ଯ୍ୟନ୍ତ ଭୋଗ କରିବା ପାଇଁ ତୁମେ ଅମର ହୋଇ ରହିବ।

=================================


Rate this content
Log in