କରୋନା ତୁ କ'ଣ କଲୁ!
କରୋନା ତୁ କ'ଣ କଲୁ!
କେମିତି ଆରମ୍ଭ ହେଇଥିଲା ଲକ ଡାଉନର ସେଇ ପ୍ରଥମ ପର୍ଯ୍ୟାୟ ଆଉ ଏବେ କେମିତି କଟୁଛି! ଆକାଶ ଓ ପାତାଳର ତଫାତ। ବ୍ୟସ୍ତବହୁଳ କର୍ମମୟ ଜୀବନରୁ ବିରତି ମିଳିଥିଲା ପରିବାର ସହ କିଛି ସମୟ ଅତିବାହିତ କରିବା ପାଇଁ। ନହେଲେ ସମୟ କୋଉଠି ମିଳୁଥିଲା ଯେ। ସକାଳ ସାଢ଼େ ଛଅରୁ ସାଢ଼େ ଆଠଟା ଟ୍ୟୁସନରେ ବ୍ୟସ୍ତ। ଟ୍ୟୁସନ ସରୁସରୁ ପୁଅକୁ ଟିକେ ଧରି ଗେଲ କରିବାକୁ ବି ସମୟ ମିଳୁନଥିଲା। କାହିଁକି ନା ଗାଧେଇ ଫାଧେଇ ଖାଇକି ପୁଣି ସ୍କୁଲ ବି ତ ଯିବାକୁ ପଡୁଥିଲା ନଅଟା ବେଳକୁ। ସ୍କୁଲରୁ ଘରକୁ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ପାଞ୍ଚଟା। ସେଥିରେ ପୁଣି ଆଉ ଗୋଟେ ଟ୍ୟୁସନ ସାଢେ ପାଞ୍ଚରୁ ସାଢ଼େ ସାତ। ଟ୍ୟୁସନ ସାରିଲା ବେଳକୁ ପୁଅ ବି ଘୁମାଉଥିବ ମାଆ କୋଳରେ। ଶୋଇବା ପାଇଁ ନିଦରେ ଢୁଳାଇ ଢୁଳାଇ ମାଆକୁ କହୁଥିବ "ମାଁ ବୁ ଦେ, ମାଁ ବୁ ଦେ"। ପୁଅକୁ କ୍ଷୀର ଦେଇ ଶୁଏଇ ସାରିଲା ପରେ ମ୍ୟାଡ଼ମ ମୁହଁ ଫୁଲେଇ କହିବେ, "କେତେବେଳେ ହେଲେ ପାଖରେ ବସି ପଦୁଟେ କଥା ହେଇଛ! ଯେତେବେଳେ ଦେଖ ଖାଲି ଟ୍ୟୁସନ, ସ୍କୁଲ ଓ ମୋବାଇଲ। ମୋ ପାଇଁ ତମ ପାଖରେ ସମୟ ହିଁ ନାହିଁ। ମୋ କଥା ଛାଡ, କମ ସେ କମ ବାବୁକୁ ତ ଟିକେ ବୁଲେଇ ପାରନ୍ତ।"
ଏବେ କିନ୍ତୁ ସେ ଅଭିଯୋଗ ନାହିଁ। ମ୍ୟାଡ଼ମ ପୁରା ଖୁସ। ସକାଳୁ ସକାଳୁ ରାଜୀବ ସାର ଉଠନ୍ତି। ନିତ୍ୟକର୍ମ ସାରି, ଗରମା ଗରମ ଚା କପେ ଧରି ପହଞ୍ଚି ଯାଆନ୍ତି ମ୍ୟାଡ଼ମଙ୍କ ପାଖକୁ ଆଉ କହନ୍ତି; "ଗୂଡ଼ ମର୍ଣ୍ଣି ସ୍ୱିଟ୍ ହାର୍ଟ"। ସବୁଦିନ ଭଳି ଏତକ କହି ସେ ଆଙ୍କିଦିଅନ୍ତି ପୂଜା ମ୍ୟାଡ଼ମଙ୍କ ଗାଲରେ ଗୋଟିଏ ପ୍ରେମଭରା ଚୁମ୍ବନ। ଶୋଇବାର ଅଭିନୟ କରୁଥିବା ପୂଜା ମ୍ୟାଡମ ବି ମୁଲ କିନା ମୁରୁକି ହସଟେ ହସିଦେଇ ଧରିପକାନ୍ତି ରାଜୀବ ସାରଙ୍କୁ। ସେଇ ମୁରୁକି ହସ ଟିକକ ସାରଙ୍କ ଦିନ ବନେଇଦିଏ। ଏତିକି ବେଳକୁ ପୁଅ ଉଠିପଡ଼ି "ଏଇଟା ମୋ ମାଁ, ମୁଁ ଗେଲ କରିବି" ବୋଲି ସାରଙ୍କୁ ଛଡେଇ ଦିଏ। ହସି ହସି ବାହାରି ଆସନ୍ତି ତିନିଜଣ ବାହାରକୁ। ଲକ ଡାଉନ ପୂର୍ବ ସମୟ ହେଇଥିଲେ ତାପରେ ରାଜୀବ ସାର ଲାଗିଯାଆନ୍ତେ ତାଙ୍କ ଟ୍ୟୁସନରେ, ତାପରେ ସ୍କୁଲ, ତାପରେ ପୁଣି ଟ୍ୟୁସନ। କିନ୍ତୁ ଏଇଟା ଲକ ଡାଉନର ସମୟ। ତେଣୁ ସାର ତାଙ୍କ ଛୁଆକୁ ବ୍ରଶ କରାନ୍ତି। ପୂଜା ମେମ ନିତ୍ୟକର୍ମ ସାରି ବାସନ କୁସନ ମାଜି ଜଳଖିଆ ତିଆରି କରନ୍ତି। ତିନି ପ୍ରାଣୀ ଖୁସିରେ ବ୍ରେକଫାଷ୍ଟ କରି ମଉଜ ମଜଲିସରେ ମାତି ଯାଆନ୍ତି। ମୋବାଇଲରେ ଗୀତ ବଜେଇ ନାଚନ୍ତି। କେତେବେଳେ ଘର ଭିତରେ ଲୁଚକାଳି ଖେଳନ୍ତି ତ କେତେବେଳେ ହାତୀ ବାଘ ଭାଲୁ ଖେଳନ୍ତି। ରାଜୀବ ସାର ପୁଅ ସହିତ କଣ୍ଢେଇ ଗୁଡିକ ଧରି ଖେଳନ୍ତି। ବେଳେବେଳେ ତାଙ୍କ ଗଛରେ ଥିବା ଅଁଳା ତୋଳନ୍ତି ତ ବେଳେବେଳେ ଆମ୍ବ ତୋଳନ୍ତି। ପୂଜା ମେମ ଏସବୁର ଫଟୋ ଉଠେଇ ହ୍ଵାଟ୍ସଆପ ଷ୍ଟେଟସରେ ଅପଲୋଡ଼ କରନ୍ତି। ସ୍ୱାମୀ ଓ ପୁଅ ପାଇଁ ବିଭିନ୍ନ କିସମର ଖାଦ୍ୟ ପ୍ରସ୍ତୁତ କରନ୍ତି। କେବେ ପକୁଡି, କେବେ ଗୁପଚୁପ, କେବେ ହଲୱା, କେବେ କେକ୍ ତ ପୁଣି କେବେ ଆଇସକ୍ରିମ। ଏମିତି ଖୁସିରେ ଖୁସିରେ ଦିନ ଗଡ଼ିଯାଏ।
ସେଦିନ ବସିଥିଲାବେଳେ ହଠାତ ଅନୁଭବ କଲେ ରାଜୀବ ସାର, ଯେ ପ୍ରାୟ କୋଡିଏ ଦିନ ହେଲାଣି ତାଙ୍କ କାଶ ଛାଡିନି। କୋଡିଏ ତାରିଖରୁ ଆରମ୍ଭ ହେଲାଣି। ଡାକ୍ତରଙ୍କ ପରାମର୍ଶରେ ମେଡ଼ିସିନ ବି ଖାଇଛନ୍ତି। ଆଜି ଛାଡିବ, କାଲି ଛାଡିବ ଭାବି ଭାବି ଏତେଦିନ ଗଡ଼ିଗଲାଣି। କରୋନା ହେଇନି ତ! ଡାକ୍ତରଙ୍କୁ ବୁଝିବାକୁ ପଡ଼ିବ। ରାଜୀବ ସାର ମନେ ମନେ ତାଙ୍କ ଟ୍ରାଭେଲ ହିଷ୍ଟ୍ରୀର ଖୋଲତାଡ଼ କଲେ। ଲକଡାଉନର କିଛିଦିନ ପୂର୍ବରୁ ସେ ଭବାନୀପାଟଣା ଯାଇଥିଲେ। ଅନେକ ଲୋକଙ୍କ ସଂସ୍ପର୍ଶରେ ବି ଆସିଛନ୍ତି। କିନ୍ତୁ କଳାହାଣ୍ଡିରେ ଯୋଉ ବିଦେଶ ଫେରନ୍ତା ଯୁବକକୁ କରୋନା ପଜିଟିଭ ବାହାରିଥିଲା, ସେ ତ ଉଣେଇଶି ତାରିଖ ଭୋର ସକାଳୁ କେସିଙ୍ଗା ରେଲୱେ ଷ୍ଟେସନରୁ ବୋଲେରୋ ଗାଡିରେ ସିଧା ନିଜ ଗାଁକୁ ଯାଇଥିଲେ ଏବଂ ରାଜୀବ ସାର ସେଦିନ ରାତିରେ ସପରିବାର ଭବାନୀପାଟଣାରୁ ଫେରିଛନ୍ତି। ତେଣୁ ସଂକ୍ରମଣର ସମ୍ଭାବନା ନାହିଁ।
ପୁଣି ତାଙ୍କର ମନେ ପଡ଼ିଲା ଯେ, ସେ ତ କୋଡିଏ ତାରିଖ ଦିନ ବି ବାଇକରେ ଭବାନୀପାଟଣା ଯାଇଥିଲେ ଏଲ.ଆଇ.ସି ଅଫିସକୁ। ସେଇଠି ସଂକ୍ରମଣ ହେଇନି ତ! ନା ହେଇ ନଥିବ। ହେଇଥିଲେ ଆଜି ପର୍ଯ୍ୟନ୍ତ କରୋନାର ସବୁ ଲକ୍ଷଣ ପ୍ରକଟ ହେଇ ସାରନ୍ତାଣି।
ପୁଣି ମନକୁ ଆସେ, କିଛି ଲକ୍ଷଣ ନଥାଇ ବି ତ କରୋନା ବାହାରୁଛି। ହେ ପ୍ରଭୁ କରୋନା ସଂକ୍ରମିତ ହେଇ ନଥାଉ। ସବୁଠୁ ଚିନ୍ତାର ବିଷୟ ଏହି ଯେ, ୟା ଭିତରେ ଦୁଇଦିନ ଘର ଘର ବୁଲି ସର୍ଭେ ମଧ୍ୟ କରିଛନ୍ତି ସେ। ଯଦି କରୋନା ବାହାରେ ତେବେ, ସେ ତ ସୁପର ସ୍ପ୍ରେଡର ହେଇଯିବେ। ଲୋକେ ତାଙ୍କୁ ଦାୟୀ କରିବେ। ସମ୍ପୂର୍ଣ୍ଣ ଅଞ୍ଚଳ ସିଲ ହେଇଯିବ। ହଁ ଏହା ସତ ଯେ, ସେ ନିଜ ଗାଁ ର କାହା ସଂସ୍ପର୍ଶରେ ଆସିନାହାନ୍ତି। କିଛିଦିନ ତଳେ ନିଶ୍ୱାସ ପ୍ରଶ୍ଵାସ ରେ ବି ଟିକେ କଷ୍ଟ ଅନୁଭବ କରୁଥିଲେ ସେ। ତେଣୁ ତାଙ୍କର ଟେନସନ ବଢି ଚାଲିଥାଏ।
ମନେମନେ ସେ ସ୍ଥିର ବି କରି ସାରିଥିଲେ ଡାକ୍ତରଖାନା ଯାଇ ଏସବୁ ଲକ୍ଷଣ ବିଷୟରେ ଡାକ୍ତରଙ୍କୁ କହିବା ପାଇଁ। କିନ୍ତୁ ପୁଣି ଭାବିଲେ, ଏଇ ସବୁ ଲକ୍ଷଣ ଶୁଣିଲେ ତ ଡାକ୍ତର ନିଶ୍ଚିତ ରୂପେ ରେଫର କରିଦେବେ କୋଭିଡ ପରୀକ୍ଷା ପାଇଁ। ପଜିଟିଭ ବାହାରିବ କି ନେଗେଟିଭ ବାହାରିବ ସେଇଟା ପଛ କଥା, ଆଗେ ତ ଟେଷ୍ଟ ପାଇଁ ଯିବାକଥା ଜାଣୁ ଜାଣୁ ଆଖପାଖ କେହି ତାଙ୍କ ଘରକୁ ଆସିବେନି। କେହି ଘର ଦୁଆର ବି ମାଡିବେନି। ମା ପୁଅ ଦୁଇଜଣ ହୋମ କ୍ବାରେଣ୍ଟାଇନରେ ବନ୍ଦୀ ହୋଇ ରହିଯିବେ। ତାଙ୍କୁ ଖାଉଟି ସାମଗ୍ରୀ କିଏ ଯୋଗେଇଦେଵ। ବାବୁ ଯେତେବେଳେ ସାହି ଭିତରକୁ ଖେଳିବା ପାଇଁ ଯିବି ବୋଲି ଜିଦ କରିବ, ସେତେବେଳେ ତା ମାଆ ତାକୁ କେମିତି ବୁଝେଇବ। ଝରକା ପଟୁ ବାହାରକୁ ଅନେଇ ଗେଲରେ ସେ "ଡ଼ିଲନ ଦାଦା, ଡିଲନ ଦାଦା ଡାକୁଥିବ, ନିରୁ ନାନୀ ନିରୁ ନାନୀ ମତେ ନେବ ଆସ" ବୋଲି ଡାକୁଥିବ କିନ୍ତୁ କେହି ଆସୁନଥିବେ। ଏମିତି ଅନେକ ଚିନ୍ତା ଆସୁଥିଲା ମନରେ।
ଏମିତି ଟେନସନ ଭିତରେ ଲକଡାଉନରେ ଘରେ ରହିବାର ସବୁ ମଜା ଫିକା ପଡିଗଲା ରାଜୀବ ସାରଙ୍କର। ଇଣ୍ଟରନେଟରେ ସର୍ଚ୍ଚ କରି ଏଇସବୁ ଲକ୍ଷଣ ବିଷୟରେ ଯାହା ସବୁ ସେ ପାଇଲେ, ତାହା ତାଙ୍କୁ ଜଡ କରିଦେଇଥିଲା। ଲକ ଡାଉନ ବଢ଼ି ବଢି ଚାଲିଥିଲା ଓ ତା ସାଙ୍ଗରେ ବଢିଚାଲିଥିଲା ସାରଙ୍କ ମାନସିକ ଚିନ୍ତା ଓ ଅବସାଦ।
ଲକ ଡାଉନ ସରୁ ସରୁ କୋଉ ଗୋଟେ ବଡ ହସ୍ପିଟାଲ ଯାଇ ଚିକିତ୍ସା କରିବା ଅପେକ୍ଷାରେ ରହିଥିଲେ ସେ। କିନ୍ତୁ ସ୍ୱସ୍ଥାବସ୍ଥାରେ ସାମାନ୍ୟ ବି ପରିବର୍ତ୍ତନ ନହେବାରୁ ସେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରଙ୍କଠୁ ଅନୁମତି ନେଇ ସେଦିନ ଦିନ-ଦ୍ବିପହରର ଖରାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ଜିଲ୍ଲା ବାହାରକୁ ଯାଇ ଚିକିତ୍ସା କରିବା ନିମନ୍ତେ ଅନୁମତି ପତ୍ର ମାଗିବା ପାଇଁ ଯାଇଥିଲେ, କାରଣ ଲକ ଡାଉନ ସମୟରେ ହସ୍ପିଟାଲ କାର୍ଯ୍ୟରେ ଅନ୍ୟ ଜିଲ୍ଲାକୁ ଯିବାକୁ ହେଲେ ସି.ଡି.ଏମ.ଓଙ୍କ ଅନୁମତିରେ ଯିବାକୁ ପଡୁଥିଲା। କିନ୍ତୁ ସି.ଡି.ଏମ.ଓ ତାଙ୍କୁ ଅନୁମତି ନଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଇବାକୁ ପରାମର୍ଶ ଦେଲେ। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ତାଙ୍କର ରକ୍ତ ପରୀକ୍ଷା କରି ଡାକ୍ତର ପୁଣି ସେଇ ଔଷଧ ଦେଲେ ଯୋଉଟା ସେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇଥିଲେ। ରାଜୀବ ସାର କିନ୍ତୁ ତାଙ୍କର ଅନ୍ୟ କିଛି ଶାରୀରିକ ସମସ୍ୟା ଅଛି ବୋଲି ଧରିନେଇଥିଲେ। ସେଥିପାଇଁ ସେ କୋଉ ଗୋଟେ ବଡ ଡାକ୍ତରଖାନାରେ ଚିକିତ୍ସା ହେବାକୁ ଚାହୁଁଥିଲେ। ଏମିତି ଆହୁରି ଦଶ ବାର ଦିନ ବଢ଼ିଗଲା ତଥାପି ସାରଙ୍କ କାଶ ଛାଡ଼ିଲାନି। ଲକ ଡାଉନ ବଢି ବଢି ଚାଲିଥାଏ। ସାରଙ୍କ ଟେନସନ ବି ବଢିଚାଲିଥାଏ। ଲକଡାଉନ କୋହଳ ହେଲାପରେ ସେଦିନ ସକାଳୁ ଭବାନୀପାଟଣା ଯାଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ଅନୁମତି ଆଣି ସନ୍ଧ୍ୟାରେ ସାର ପୁଣି ରେଡି ହେଇ ବାହାରିଲେ ଟିଟିଲାଗଡ଼ ଯିବାକୁ। ସେଇଠୁ ରାତିରେ ଗାଡି ଧରିବାର ଥାଏ ଭୁବନେଶ୍ୱରକୁ। ଏତିକି ବେଳେ ପୂଜା ମ୍ୟାଡମ କହିଲେ, "ଆଜି ସକାଳୁ ତ ତମେ ଜମାରୁ କାଶୁନ, ସୁଁ ସୁଁ ବି କରୁନ"। ରାଜୀବ ସାର ଭାବିଲେ, ଆରେ ହଁ ତ, ମୁଁ ଠିକ ଅଛି। ମୋର ଥଣ୍ଡା, ସର୍ଦ୍ଦି, କାଶ ସବୁ ଛାଡି ଯାଇଛି"। କାନ୍ଧରୁ ବ୍ୟାଗ ଉତାରି ସୋଫା ଉପରେ ଥପ୍ କିନା ବସିପଡିଲେ ସେ। ଭାବିଲେ ଏବେ ଆଉ ଯାଇ କଣ କରିବି, ଡାକ୍ତରଙ୍କୁ କୋଉ ଲକ୍ଷଣ ଦେଖେଇବି! ନା ଏବେ ଯିବା ଠିକ ହେବନି। ଗାଡି ମଟରରେ କେତେ କଥା; ଡାକ୍ତରଖାନାରେ କେତେ ରୋଗୀ ଥିବେ! ସେଠି ଯଦି କେହି କରୋନା..............!
ଜୀବନର ତିରିଶି ଚାଳିଶି ଦିନ ହରେଇଲା ଭଳି ଲାଗୁଥିଲା ସାରଙ୍କୁ। ଦୀର୍ଘ ନିଃଶ୍ୱାସ ନେଇ ସାର କହିଲେ, "ରେ କରୋନା ତୁ ଏ କଣ କଲୁ? ସାରଙ୍କ କଥା ଶୁଣି ତାଙ୍କ ପୁଅ ବି ମ୍ୟାଡ଼ମଙ୍କୁ ପଚାରୁଥାଏ, "ମା, କରୋନା କଣ କଲା?"