କ୍ରୋଧର ନିଆଁ
କ୍ରୋଧର ନିଆଁ
ଗାଆଁକୁ ଯାଉଥିବା ଛୋଟ ଚଲା ରାସ୍ତାଟିଏ କିଛି ଗୋଟାଏ ଅଶୁଭ ସଂକେତ ଦେଲା ଭଳି ଲାଗୁଥିଲା ଶଙ୍କରକୁ I ଗାଆଁର ସବୁ ବୁଲା କୁକୁର ତାହାର ସାଙ୍ଗ I ବହୁତ ଭଲ ପାଏ ସିଏ ସେମାନଙ୍କୁ I ଯାହା ଘରେ ବଳି ଯାଇ ଥାଏ ସେ ସବୁ ଖାଦ୍ୟ ନେଇକି କୁକୁରଙ୍କୁ ଦିଏ I ପ୍ରତିଦିନ ସକାଳେ ସାହିର ସବୁ ଘରକୁ ଯାଇ ଯାହା ବଳକା ଥାଏ ମାଗିକି ଆଣିକି ନେଇ ଯାଏ ଗାଆଁ ଠାରୁ ଦୂରରେ ଥିବା ପଡ଼ିଆଟିକୁ I ସେଠାରେ ସବୁ କୁକୁର ଗୁଡିକ ମଧ୍ୟ ସକାଳ ହେଲେ ମେଲାଣି କରି ଦେଇଥାଆନ୍ତି I ସେମାନେ ଜାଣନ୍ତି ଶଙ୍କର କିଛି ନ ହେଲେ କିଛି ନେଇ ଆସିବ ସେମାନଙ୍କ ପାଇଁ I ଗାଆଁର ଚାରିଆଡେ ନିର୍ଭିକ ହୋଇ ବୁଲୁ ଥାଆନ୍ତି ଆଉ ଗାଆଁକୁ କେହି ଅଜଣା ଲୋକ ଆସିଲେ ତକ୍ଷଣେ ଭୁକି ସମସ୍ତଙ୍କୁ ଏତେଲା କରି ଦିଅନ୍ତି I ଗାଆଁ ଲୋକ ମଧ୍ୟ ସେମାନଙ୍କୁ ଗାଆଁର ଅଭିନ୍ନ ଅଙ୍ଗ ଭାବରେ ଗ୍ରହଣ କରି ଥାଆନ୍ତି I କିଛି ମାସ ତଳେ ଜନ୍ମ ହୋଇଥିବା କୁକୁର ପିଲା ପଲେ ଉତ୍ସୁକ ହୋଇ ସମସ୍ତଙ୍କ ପଛରେ ଗଡ଼ାଇବା ଆରମ୍ଭ କରି ଦେଇଥିଲେ I ଶଙ୍କର ସେମାନଙ୍କୁ ସମୟ ପାଇଲେ ଲୋକଙ୍କ ପଛରେ ନ ଗୋଡ଼େଇବା ଲାଗି ଶିଖେଇବାରେ ଲାଗିଥିଲା I କିନ୍ତୁ ଅନେକ ଥର ଛୁଆ ଗୁଡିକ କୌତୁହଳରେ ଲୋକଙ୍କ ଗୋଡ ପାଖରେ ଘୁରି ବୁଲନ୍ତି ଆଉ ଭୁକନ୍ତି I ଲୋକ ମାନେ କେହି ଟିକେ ଆଉଁସି ଦିଅନ୍ତି ତ କେହି କେହି ବିସ୍କୁଟ କି ପାଉଁରୁଟି ଖଣ୍ଡିଏ ଦେଇ ଦିଅନ୍ତି ! କୁକୁର ଛୁଆ ଗୁଡିକ ଭାରି ଗୁଳୁଗୁଳିଆ ହୋଇଥିଲେ ମଧ୍ୟ କେହି ସେମାନଙ୍କୁ ପୋଷା ଭାବରେ ରଖି ନଥିଲେ I ଛୁଆଗୁଡ଼ିକ ଛୋଟ ଥିବାରୁ ସେମାନଙ୍କ ମାଆ ଏକା ଯାଏ ଗାଆଁ ଵାହରକୁ ଆଉ ଫେରିଲେ ସେମାନଙ୍କର ଯତ୍ନ ନିଏ I ଅଧିକାଂଶ ଲୋକ ଛୁଆ ଗୁଡିକୁ ବିରକ୍ତ ଲାଗିଲେ ଘାଉଡ଼େଇ ଦିଅନ୍ତି ଦୂରକୁ ନଚେତ ବିସ୍କୁଟ କି ପାଉଁରୁଟି ଖଣ୍ଡିଏ ପକେଇ ଦିଅନ୍ତି I
କିଛି ଦିନ ପୂର୍ବରୁ ଶରତ ଗାଆଁକୁ ଫେରିଥାଏ I ସହରରେ ତାହାର ଚାକିରୀ ଚାଲିଯାଇଥିବାରୁ ମନ ଦୁଃଖରେ ଥାଏ I ସିଏ ଆଉ ଶଙ୍କର ଏକ ସମୟରେ ପାଠ ସାରିଥିଲେ I ଶଙ୍କର ଗାଆଁରେ ରହି ଚାଷବାସ କରି ନିଜର ପରିବାରର ଭରଣ ପୋଷଣ କରୁଥିଲା I ଶରତ କିନ୍ତୁ ସହର କୁ ଯାଇ ବହୁତ ଟଙ୍କା ଉପାର୍ଜନ କରିବାରେ ଲାଗିଥିଲା ଏବଂ ବିଲସମୟ ଜୀବନର ଅଭ୍ୟସ୍ତ ହୋଇ ଯାଇଥିଲା I କିନ୍ତୁ ଚାକିରୀ ନଥିବାରୁ ଗାଆଁକୁ ଫେରିବାକୁ ବାଧ୍ୟ ହୋଇଥିଲା I ପିଲାଦିନର ସାଙ୍ଗ ହୋଇଥିବାରୁ ଶରତକୁ ଶଙ୍କର ଯଥା ସମ୍ଭବ ସାହାଯ୍ୟ ମଧ୍ୟ କରୁଥିଲା I କିନ୍ତୁ ଶଙ୍କରର ସମୃଦ୍ଧି ଦେଖି ଶରତ ଈର୍ଷ୍ୟାପରାୟଣ ହୋଇ ଯାଇଥିଲା ଯଦିଓ ଉପରେ କିଛି କହୁ ନଥିଲା I ପଡୋଶୀ ହୋଇଥିବାରୁ ମଧ୍ୟ ଶରତର ସବୁ କଥା ଶଂକରକୁ ଜଣା ଥିଲା I
ଚାକିରୀ ହରେଇ ଥିବାରୁ ଶରତର ମନ ସଦା ବେଳେ ଦୁଃଖିତ ରହୁଥିଲା I ଅଳ୍ପ କଥାରେ ବିବ୍ରତ ହୋଇ ପଡ଼ୁଥିଲା ଏବଂ ଧୀରେ ଧୀରେ ତାହାର ଛୋଟ ଛୋଟ କଥାରେ ରାଗିବାର ପ୍ରକୃତିଟିଏ ଜାତ ହେଲା I ଗାଆଁରେ ଥିବା ଚାହା ଦୋକାନରେ ଅନେକ ସମୟ ବସେ ଶରତ I ସମସ୍ତେ ଯେତେବେଳେ ଶଙ୍କର କଥା ହୁଅନ୍ତି ବହୁତ ଅପମାନ ଅନୁଭବ କରେ ଶରତ I ଧୀରେ ଧୀରେ ତାହାର ଅସହିଷ୍ଣୁତା ବଢିବାକୁ ଲାଗିଲା ଏବଂ ଶଙ୍କର ବିଷୟରେ କେହି କିଛି କହିଲେ ସିଏ ରାଗିକି ବିଭିନ୍ନ ପ୍ରକାରର ଅପ୍ରିୟ ପ୍ରତିକ୍ରିୟା କରିବାକୁ ଲାଗିଲା I
ସବୁ ଦିନ ଭଳି ସେଦିନ ମଧ୍ୟ ସକାଳାଟିଏ ହୋଇଥାଏ ଏବଂ ଶଙ୍କର ଚାଲି ଯାଇଥାଏ ଗାଆଁ ବାହାରର ପଡ଼ିଆକୁ I ଶରତ ସକାଳୁ ଉଠି ଚାହା ଦୋକାନକୁ ଯାଇଥାଏ କିଛି ବିସ୍କୁଟ କିଣିବାକୁ I ଦୋକାନୀ ଠାରୁ ବିସ୍କୁଟ ନେଇ ଫେରିଲା ବେଳେ କୁକୁର ଛୁଆ କିଛି ତାହାର ଆଗରେ ପଛରେ ଦଉଡ଼ିକି ଭୁକିବାକୁ ଲାଗିଲେ I ତାହାକୁ ଦେଖି ଦୋକାନୀ ଶରତ କୁ କହିଲା କିଛିଟା ବିସ୍କୁଟ ପକେଇଦେବା ଲାଗି ଏବଂ ଉଦାହରଣ ଦେଲା କିପରି ଶଙ୍କର ଗାଆଁର କୁକୁର ମାନଙ୍କର ଯତ୍ନ ନେଉଥିଲା I "ମୁଁ କଣ ଶଙ୍କର ହେଇଛି ନା ଏହି କୁକର ସବୁ ମୋର ଯେ ମୁଁ ଏମାନଙ୍କୁ ବିସ୍କୁଟ ଦେବି ?" ରାଗିକି ଉତ୍ତର ଦେଲା ଶରତ I "ସେମିତି କଥା ନୁହେଁ, ବିଚାର କୁକୁର ଛୁଆ ଗୁଡିକ ଭୋକରେ ଅଛନ୍ତି ତେଣୁ...""ତେଣୁ କଣ, ସବୁ ଦିନେ ରାସ୍ତରେ ଦୌଡ଼ି ଦୌଡ଼ି ଭୁକି ଭୁକି ମଣିଷକୁ ଟିକିଏ ଶାନ୍ତିରେ ରହିବାକୁ ଦେଉ ନାହାନ୍ତି ଏଗୁଡିକ I ଏମାନେ ଥିଲେ କେତେ ଆଉ ନଥିଲେ କେତେ ?"କହୁ କହୁ ଶରତ କ୍ରୋଧରେ ପାଖରେ ଥିବା ଟାଙ୍ଗିଆଟିଏ ନେଇ ଗୋଟିଏ କୁକୁର ଛୁଆକୁ ଚୋଟଟେ ମାରିଦେଲା I କୁକୁର ଛୁଆଟି ଯନ୍ତ୍ରଣାରେ ଚିତ୍କାର କରିବାକୁ ଲାଗିଲା ଆଉ ତାହାର ଦେହରୁ ରକ୍ତ ବହିବାକୁ ଲାଗିଲା I ହତବାକ ହୋଇ ଚାହିଁଥିବା ଦୋକାନୀ ଦୌଡ଼ି ଯାଇ କୁକୁର ଛୁଆଟିକୁ ଉଠେଇ ଗାମୁଛାରେ ତାହାର ରକ୍ତଶ୍ରାବ ଅଟକେଇବାକୁ ଚେଷ୍ଠା କରିବାକୁ ଲାଗିଲା I
ହାତରେ ଥିବା ଟାଙ୍ଗିଆଟିକୁ ପୁଣି ଥରେ ଦେଖିଲା ଶରତ ! ରକ୍ତ ରଞ୍ଜିତ ସେହି ଟାଙ୍ଗିଆରେ ଦେଖାଗଲା ତାହାକୁ ପରବର୍ତ୍ତୀ ଅବସ୍ଥା ତାହାର ! ଧୂଲ କରି ବସିଗଲା ପଥରଟିଏ ଉପରେ I କ୍ରୋଧର ନିଆଁଟି ଲିଭି ନଥିଲା, ଜାଳି ଦେଇଥିଲା ତାହାର ଭବିଷ୍ୟତ ମଧ୍ୟ, କରିଦେଇଥିଲ ସବୁ ଦିନ ଲାଗି ତାହାକୁ ଏକ ନିରୀହ ପଶୁର ଆତତାୟୀ ! ମୁଣ୍ଡରେ ହାତ ଦେଇ ବସିଗଲା ସିଏ I କ୍ରୋଧର ନିଆଁ ତାହା ଭିତରେ ଥିବା ମନୁଷ୍ୟତାକୁ ପୋଡି ଦେଇଥିଲା ! ସକାଳର ଖାଦ୍ୟ ଖାଇ ଫେରୁଥିବା କୁକୁର ଛୁଆଙ୍କର ମାଆ ଦୂରରୁ କିଛି ଅଘଟଣ ବାରି ପାରି ଦୌଡ଼ିବାରେ ଲାଗିଗଲା ତାହାର ଛୁଆ ଗୁଡିକ ପାଖକୁ ! ଦୋକାନୀ ହାତରେ ଥାଇ ଛୋଟ ଛୁଆଟି ଯନ୍ତ୍ରଣାରେ କାନ୍ଦିବାକୁ ଲାଗିଥାଏ !
