Rabinarayan Senapati

Others

3  

Rabinarayan Senapati

Others

କଣାବୁଢା

କଣାବୁଢା

10 mins
252



ବୁଢା ସହ ଦେଖାହୁଏ ୧୯୯୩ ମସିହା ଶେଷଭାଗରେ। ନୂଆ ଚାକିରି, ଗ୍ରାମ ବୁଦ୍ଧିକୋମନା, ଜିଲ୍ଲା ନୂଆପଡା। ରହିବା ଘର ନଥାଏ, କିଛିଦିନ ବାସ୍ତୁହରା ଇତସ୍ତତଃ ହେବାପରେ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କୋଠରୀରେ ଥାଏ ଅସ୍ଥାୟୀ ଭାବେ। ପତ୍ନୀ ମଧ୍ୟ ଲମ୍ବା ଛୁଟିରେ ଆସିଥାନ୍ତି ଯାଜପୁରର।ବରୀରୁ।


ଏମିତି ସମୟରେ ବନ୍ଦୋବସ୍ତ ବିଭାଗର କାମ ସରିଲା ସେ ଗ୍ରାମରୁ। ସେମାନଙ୍କ ଅଧିକାରୀ ଗାଁ'ଠୁ ଅଧା ମାଇଲ ଦୂର ଇନ୍ଦିରା ଆବାସ ବୃହତ୍ତର କଲୋନୀର ଗୋଷ୍ଠୀ ଗୃହରେ ରହୁଥିଲେ। ସେ ଘରଟି ମୋତେ ମିଳିଲା କିଛିଟା ଜିଦ୍ କରିବା ପରେ।

ସବୁ ଝରକା କବାଟ ଭଙ୍ଗା, କେଜାଣି କେମିତି ସେ ରହୁଥିଲେ? କଲୋନୀଟି ବି ପରିତ୍ୟକ୍ତ ଅନେକାଂଶରେ। ଚାରିଧାଡି ଘର, ସମୁଦାୟ ଚାଳିଶ ଘରରୁ ରହୁଥାନ୍ତି ମାତ୍ର ପାଞ୍ଚ ସାତ ପରିବାର, ସଭିଏଁ ଶବର। ଅନ୍ୟ ସମସ୍ତେ ସେ ସରକାରୀ ଘର ଛାଡି ପଳାଇ ଯାଇଥାନ୍ତି, କେହିଜଣେ ଯୁବତୀ ଆତ୍ମହତ୍ୟା କରିବା ପରେ। ସେମାନେ ପ୍ରାୟତଃ ହରିଜନ।


ମୋ ସହକର୍ମୀ ଜଣେ କହିଲେ,"ସେମାନଙ୍କ ନିଜ ଭିଟାମାଟି ହୋଇଥିଲେ ଛାଡି ଯାଇଥାନ୍ତେ? ଦାଦନିଆଙ୍କୁ ଘରେ ଅଟକାଇବେ ସରକାର! ଗରିବ ଧନୀ ମିଶାମିଶି ରହିଲେ ଭଲ, ପରସ୍ପର ନିର୍ଭରଶୀଳ, ଦିନ, ସପ୍ତାହ, ମାସ ବା ବର୍ଷ ମାପରେ ନୁହେଁ ବରଂ ପ୍ରତି ମୁହୂର୍ତ୍ତରେ। ଏମାନେ ଦୂରେ ରହିଲେ, ଘରବାଡି ପାଇଲେ ମାଗଣା, ବାହାନା ମିଳିଲା, ଛାଡି ପଳାଇଲେ; ରାୟପୁର, ବିଜୟନଗରମ। କେବଳ ସେତିକି ନୁହେଁ, ଏ ଘରମାନଙ୍କରୁ କବାଟ ଝରକା , କଡି ବରଗା ଓ ଏମିତିକି ବରପାଲି ପାଇଖାନା ଚୋରି ହୋଇଗଲା। କିଏ ନେଲା ଏ ତଥାକଥିତ ଅଛୁଆଁଙ୍କ ପାଇଖାନା?"


 ସେ ସମାଜତତ୍ତ୍ୱ ମୁଁ ସେବେ ବୁଝିଲି କି ନାହିଁ ଜାଣେନି କିନ୍ତୁ ମନେ ରଖିଲି।

(ସରକାର ସେକଥା ଅବଶ୍ୟ ପରେ ବୁଝିଲେ ଓ କଲୋନୀ ବ୍ୟବସ୍ଥା ହଟାଇ ବ୍ୟକ୍ତିଗତ ବ୍ୟବସ୍ଥା କଲେ।)

ପରିତ୍ୟକ୍ତ କଲୋନୀ ଦିଶୁଥାଏ ଭୂତଖାନା ଭଳି, ଯଦିଓ ସବୁ ସୁବିଧା ଥାଏ; କୂଅ, ପୋଖରୀ, ନଳକୂପ, ବିଜୁଳି।

ଘରଟିକୁ ସଜଡା ସଜଡି କରୁଥାଏ। ବୁଢାଟିଏ ଆସି ନୀରବରେ ଠିଆହେଲା ଏକ ବିଚିତ୍ର ଢଙ୍ଗରେ। ଡେବିରି ହାତରେ ଧରିଥାଏ ଖୋକରା ଗଣ୍ଠି କାଠଟିଏ, ଉଈ ଚରୁଥାନ୍ତି ତା ଭିତରେ ଓ ବାହାରେ। ଉଈମାନେ ତା ହାତ ଉପରେ ବି ଚରିବୁଲୁ ଥାନ୍ତି। ମୁହଁରେ ତାହାର ଥୁଣ୍ଟା ଥୁଣ୍ଟା ପାଚିଲା ଧଳା ଦାଢି। ସେ ଉଈ ମାନେ ବି ତା ହାତରେ ସେମିତି ଧଳା ରଙ୍ଗର ଭ୍ରମଣ ରତ ଥୁଣ୍ଟା ଦାଢିର ଭ୍ରମ ସୃଷ୍ଟି କରୁଥାଏ। ଖାଇ ହାତରେ ଧରିଥାଏ ଏକ କୁକୁଡା ଚିଆଁ। ଚିଆଁଟି ପଳେଇବାକୁ ବିକଳ ନହୋଇ ଟୁକ୍ ଟାକ୍ ଗିଳି ଚାଲିଥାଏ ଉଈ ମାନଙ୍କୁ। ଯେମିତି ସେ ମାଆର ଉଷୁମ କୋଳରେ। ମୁଁ ଚାହିଁଲି। କେମିତି ଏକ ଚମକ ପାଇଲି। ସେ ଚମକଟି ଭୁଲିନି ବୋଲି ତ ଏତେ ବର୍ଷ ପରେ କଥାଟି ଲେଖୁଛି। ଯେମିତି ବୁଢାର ଜିଦ୍, ଗୋଟେ ବି ଉଈ ବାଦ ପଡିବନି, ସବୁତକ ଚିଆଁ ଚଳୁ କରି ଦିନକରେ ବଢିଯିବ।


ସେ ମୋତେ ଆଗରୁ ଚିହ୍ନି ନଥାଏ, ହଠାତ୍ କଥା ହୋଇ ପାରିଲା ନାହିଁ। କିଛି ସମୟ ପରେ ଅବଶ୍ୟ କହିଲା। "ଆଜ୍ଞା, ଦେଖୁଛନ୍ତି ତ କେମିତିକା ଉଈ ଯାଗା ଇଏ। ଆଲକାତରା ଲଗାନ୍ତୁ କବାଟ ଝରକାରେ।"

ତୁମ ନାମ କଣ?


ସେ ହସିଲା, ତା ଛାମୁଦାନ୍ତ ଦୁଇ ତିନୋଟି ଗଳି ପଡିଛି। ତା ନାମଟି ମୋତେଶୁଭିଲା ଆଶାରାମ। ମୋ ସହକର୍ମୀ ଏହା ବୁଝିପାରି କହିଲେ, "ଆଶାରାମ ଭାବିଲେକି ସାର୍? ପ୍ରକୃତରେ ସେ କହୁଛି ଆତ୍ମାରାମ। କେଇଟା ଦାନ୍ତ ନଥିବାରୁ ସେମିତି ଶୁଭୁଛି। ଆପଣ ମନୋଜ ଦାସଙ୍କ ଗପ ପଡ଼ିଛନ୍ତି? ସମାନ ପରିସ୍ଥିତିରେ ଷ୍ଟିୱର୍ଟ ସାହେବ କେମିତି ଶୁଆ ସାହେବ ବୋଲି ଡକାହେଲେ। ତେବେ ତାକୁ ସମସ୍ତେ କଣା ବୁଢା ଡାକନ୍ତି।"ମୁଁ ଚାହିଁଲି ବୁଢା ମୁହଁକୁ, କାଇଁ କଣା ଭଳି ଜଣା ପଡୁନି ତ!

ଆତ୍ମାରାମ ହସିଲା, ଡାକୁନ ଯାହା ଡାକୁଛ, ମୋ ସାଙ୍ଗି ମଣିଷ ସବୁ ଚାଲିଗଲେ, ମୁଁ ବଞ୍ଚିଜୀଇ ରହିଛି, ନାଁ'ଟି କଣା ବୋଲି ଯମ ଅସୁଖ ପାଉଛି ମତେ। ଆଜ୍ଞା, ମୋର କେହି ଭାଇ ଭଉଣୀ ବଞ୍ଚୁ ନଥିଲେ, ସେଇଥିପାଇଁ ମୋତେ କଣା ଡାକିଲେ। ଦିଶିବାରେ ଅସୁବିଧା ନାହିଁ, ଏ ଉଈ ମାନଙ୍କ କୁନି କୁନି ଗୋଡ ବି ଖାଲି ଆଖିରେ ଦେଖି ପାରୁଛି।


 ଆମେ ରହିଲୁ। ବୁଢା ଘର ସେଇଠି ପାଖରେ, ଚାରିକଡ ଅରଣା। ଅଘରଦ୍ବାର ଘୋଟିଛି ଝୁଡୁଙ୍ଗ ଲତା। ଆଉ ଭଳିକି ଭଳି ପରିବା ସାମାନ୍ୟ ମାତ୍ରାରେ କିନ୍ତୁ ଝୁଡୁଙ୍ଗ ଘୋଟି ଯାଇଛି। ଖପର ଘରଟି ସମ୍ପୂର୍ଣ୍ଣ ଭାବେ ଘୋଡେଇ ହୋଇ ପଡିଛି ଝୁଡୁଙ୍ଗ ଲତାରେ। ତା ଘରକୁ ଯିବାରାସ୍ତାର ଦୁଇକଡ ଓ ଉପରେ ଝୁଡୁଙ୍ଗ ଝୁଲୁଛି, ସବୁଆଡେ ଗହଳ ଛାଇ। ସେ ବିକ୍ରି କରେ ବେହିସାବୀ।


ଏଗୁଡା ତୁମେ ଲଗାଇଛ?


ନାଇଁ ଆଜ୍ଞା, ବୁଢୀ ଲଗାଇଥିଲା। ପାଞ୍ଚ ବରଷ ହେଲାଣି ତା ଯିବା। ହେଲେ ଏ ବରବଟି ଶାଗ ସରୁନି। ସବୁ କଣ ତୋଳି ପାରିବା, ମଞ୍ଜି ଛାଆଁକୁ ପଡିବ, ପୁଣି ଆରବର୍ଷକୁ ମାଡିବ। କେହି ନେବେନି, ଗୋରୁ ମେଳଛା ଖାଇବେନି, ବୁଢ଼ୀ ଜଗିଛି। କିନ୍ତୁ କାହିଁ, ମୋତେ ତ ଦିନେ ଦେଖା ଦେଉନି କି କଥା ହେଉନି! କିନ୍ତୁ ସେ ନଥିଲେ ଏ ବରବଟି କଣ ଥାଆନ୍ତା, ଆଉ କାହା ବାଡିରେ ଫଳୁନି ତ! ପୁଣି ସମୟ ଅସମୟ ନାହିଁ, ବାରମାସୀ ହୋଇଯାଇଛି। ବୁଢ଼ୀ ନିଶ୍ଚେ ଜଗିଛି। ଯଦି ସେ ନଥାନ୍ତା, ମୁଁ କଣ ଏ ଅରଣାରେ ଏକୁଟିଆ ରହିପାରନ୍ତି, ଡର ଲାଗନ୍ତା ନାହିଁ। ଏଠି ମାଳ ମାଳ ନାଗ ସାପ, ଡରିବେ ନାହିଁ ଆଜ୍ଞା, ମାରିବେ ନାହିଁ ତାଙ୍କୁ। ହେଇ ଦେଖୁଛ, ଗ୍ରାମ ଦେବତୀ ମା ବସ୍ତରଣୀ ସେଇଠି ଅଛନ୍ତି ସେ ଖୁବ୍ ମୋଟା ଶିଶୁ ଗଛମୂଳେ। ଆଜ୍ଞା ତୁମେ ଜାଣନି, କେମିତି ଜାଣିବ, ପଚାରୁନା ତୁମ କୁମ୍ପାଉଣ୍ଡରଙ୍କୁ ସେ ଜାଣିଛନ୍ତି ଏ ସାପ ମାନଙ୍କ ମାଲିକ ହେଲେ ମା ବସ୍ତରଣୀ। ସେମାନେ କାହାକୁ କାମୁଡିବେ ନାହିଁ। ତୁମେ ଯମା ତାଙ୍କୁ ପିଟିବ ନାହିଁ। ଆମ ବୁଢ଼ୀ ଯାଇ ମାଆଙ୍କୁ କହିଦେବ, ଆମ ପୁଅ ବୋହୂ ଅଛନ୍ତି, ତାଙ୍କୁ ସାହା ହୋଇଥା ମାଆ। ବଞ୍ଚିଥିଲା ବେଳେ ନିଇତି ମାଆଙ୍କୁ ଫୁଲ ଚଢାଉଥିଲା।


ଆତ୍ମାରାମ ଆଉ କାମ ପାଇଟି କରିବା ବୟସରେ ନଥିଲା। ସମୟ ତା ପାଖେ ଥିଲା ପ୍ରଚୁର। ଝୁଡୁଙ୍ଗ ବିକି ଚଳେ। ବାକି ସମୟ ସେ କବିତା ଲେଖେ। ଲେଖେନି ମ, କେମିତି ଲେଖିବ ମୂର୍ଖ ଲୋକ, କବିତାରେ ଜୀଏଁ, ସେଦିନ ଯେମିତି ସେ ଚିଆଁକୁ ଉଈ ଖୋଉଥିଲା ସେମିତି। ଏମିତି କେତେ କେତେ ବିଚିତ୍ର କଥା କରେ। ଆମ ଘରେ ବସେ, ଛୋଟିଆ ବାଲ୍ଟିରେ ନଳକୂପରୁ ପାଣି ଆଣି ଦିଏ। ଘର ଓଳେଇ ଦିଏ। କହିଲେ କରିବ ନାହିଁ, ମନକୁ ମନ କରିବ। ସେ ରାନ୍ଧିବି ଜାଣେ, ଜାଣିବ ନାହିଁ କେମିତି, ବୁଢ଼ୀ ମଲାପରେ କିଏ ତାକୁ ରାନ୍ଧି ଦେଉଛି ଯେ। ଦିନେ ତରକାରୀ ଆଣି ଦେଲା, ଆମେ ଖାଇଲୁ।

ତୁମେ ତ ଭଲ ରାନ୍ଧୁଛ- ପତ୍ନୀ କହିଲେ।

ବନ୍ଦୋବସ୍ତ ଆଜ୍ଞା ଥିଲେ, କିଏ ରାନ୍ଧୁଥିଲା କି ଆଉ। ସବୁ ମୁଁ କରେ ମା। ଆଜ୍ଞା ହୁକୁମ ଦେଲେ ରାନ୍ଧନ୍ତି। ନରାନ୍ଧିଲେ ବି ସାହାଯ୍ୟ ତ କରନ୍ତି।- ସେ କହିଲା।


ବୁଢାର ଏତେଗୁଣ, ଆମେ ଜାଣି ନଥିଲୁ। ତେଣିକି ସେ ଆମ ଘରେ ଧରାବନ୍ଧା ସାହାଯ୍ୟ କଲା। ଭୋଜନ ମୁଠାକରେ ତା'ର ସଉକ। ଦରମା ନେଉଥିଲା କି ନାହିଁ ମନେ ନାହିଁ।

ସେଠାରେ ରହିବାର ପ୍ରଥମ ଦୁଇମାସ ଆମେ ଆମିଷ ଖାଉଥିଲୁ। ସେଦିନ ତା ମନ ଖୁସି ଥାଏ। କେଉଁଦିନ ବଜାରରୁ ଆମିଷ କିଣା ହୁଏନି। କେହି ନା କେହି ଆଣି ଦେଇଯାଏ। ମାଗଣା ନୁହେଁ ବରଂ ବଜାର ଦରରୁ ଅଧିକ। ଦିନେ ରାତି ପ୍ରାୟ ଆଠଟାରେ ଜଣେ କୁକୁଡାଟିଏ ଆଣି ଆସିଲା। ଆଜ୍ଞା, ନରଖିଲେ ନହୁଏ, ଘରେ ଚାଉଳ ନାହିଁ। ମୁଁ ବନେଇ ଦେବି।- କହିଲା ଲୋକଟି।


ଏଣେ ଦେଖିଲା ବେଳକୁ ଆମ ରୋଷେଇ ଅଧା ସରିଥାଏ। ତେଲ ବି ସରି ଯାଇଥାଏ। ମାଂସ ରାନ୍ଧିବା ଭଳି ମସଲା କିଛି ନଥାଏ।

ବୁଢା ଘରକୁ ଗଲା, ସବୁକିଛି ଧରି ଆସିଲା।

ନପଚାରିଲେ ବି ସେ କହିଲା- ଦେଖୁଛ ମାଆ, ତୁମ ଘରୁ ଲୁଚାଇ ଚୋରାଇ ନେଇ ରଖିଥିଲି ବୋଲି ସିନା କାମରେ ଲାଗିଲା।

ସତେ ଯେମିତି, ଚୋରି ନୁହେଁ ସଞ୍ଜୟ। ଆମେ ଦିହେଁ ଆଜି ବି ମନେ ପଡିଲେ ହସୁ।


ସେଦିନ ସେ ଅଧିକ ଫୁର୍ତ୍ତିରେ ମସଲା ବଟା ଇତ୍ୟାଦିରେ ସାହାଯ୍ୟ କରିଥିଲା।ମଜାକଥା ହେଲା, ଫେରିଲାବେଳେ ସେ ତେଲବୋତଲକୁ ପୁଣି ନେଇଗଲା। ଚୋରି ସିନା କେବେ କରିଥିଲା, ଆଜି ତ ତା ନିଜଘରୁ ଆଣି ଦେଇଥିଲା ନା, ଯଦି ସେ ଚୋରି କଥା ନକହିଥାନ୍ତା? ଲାଗିଲା ସେ ଭାବୁଛି ସେଇଟା ତା ହକ।


ହକ ନହେବ କାହିଁକି?

 ଦିନେ ଛୁଟିଦିନ ଅପରାହ୍ନରେ ଡିଉଟି ନଥାଏ। ବିସ୍ତୀର୍ଣ୍ଣ କଲୋନୀ, ନିର୍ଜନ ଇଲାକାର ରାଜା ରାଣୀ ଆମେ। ସୂର୍ଯ୍ୟ ଆମ ରାଇଜର ପଶ୍ଚିମରେ, ଈଷ୍ଟଦେବୀ ବସ୍ତରଣୀଙ୍କ ପୃଷ୍ଠଭୂମିରେ ଥିବା ପାହାଡ ଉପରେ। ଡାହାଣୀଆ ଖରା ପଡିଥାଏ। ସବୁଆଡେ ନୀରବତାର ରାଜୁତି। ଆମେ ଦିହେଁ ଗଲୁ କଲୋନୀର ପୋଖରୀ ଆଡକୁ। ମଧ୍ୟମ ଆକାରର ପୋଖରୀ, କାଚକେନ୍ଦୁ ପରି ସ୍ବଛ ନୀର। ବ୍ୟବହୃତ ହେଉନଥିବାରୁ ଅସନା ନୁହେଁ। ପାଣି ଭିତରେ ପଶିଲୁ। ପରସ୍ପରକୁ ଛାଟିହେଲୁ। ତଳେ ବାଲିସରା ପଙ୍କ ନାହିଁ। ଅସମୟ ନହୋଇଥିଲେ ହୁଏତ ସେଇଟିକୁ ସୁଇମିଂ ପୁଲ୍ ହିସାବରେ ସେଦିନ ବ୍ୟବହାର କରିଥାନ୍ତୁ। ସେଠି ବିପଦ ନାହିଁ, କେତେଥର ମୁଁ ଏକା ଆସି ବେଶ୍ ସମୟ ଗାଧୋଇଛି। ଏତେ ଗଭୀର ନୁହେଁ। ଆମେ ଆସି ପୋଖରୀ ଆଡିରେ ବସିଲୁ ନୀରବତା ବି କେବେ କେବେ ବିଶେଷ ପରିସ୍ଥିତିରେ ଲାଗେ ଖୁବ୍ ରୋମାଣ୍ଟିକ। ଗୋରୁଗାଈ ଛାଡ ସମୟ। ଗାଈଆଳ ନଥାନ୍ତି। ସେମାନେ ଗ୍ରାମମୁଖୀ ଫେରୁଥାନ୍ତି। ଫେରିଲା ବେଳେ ବି ଘାସ କେରେ ଦେଖିଲେ ମୁଁହ ଲଗାଉ ଥାନ୍ତି।


ଦେଖିଲ ସେଇଟା କି ସାପ?- ପତ୍ନୀ ପଚାରିଲେ, ସମ୍ଭବତଃ ଡରରେ ମୋ ଆଡକୁ ଘୁଞ୍ଚି ଆସି। ସ୍ବାପଦଟି ଆମଠୁ ମାତ୍ର ଦଶମିଟର ହେବ ଦୂରତାରେ ବେଗରେ ଯାଉଥିଲା ଠିକ୍ ଗୋଧୁଳି ଅନୁସରଣ କରି। କ୍ରମେ ସେ ବେଫିକର ଗୋରୁ ମାନଙ୍କୁ ଅତିକ୍ରମ କରି ଚାଲିଲା। ସେଇଟି ବଡ ଏକ ନାଗ ସାପ।


ଯଦି କେଉଁ ଗୋରୁର ଖୁରା ତା ଉପରେ ପଡିଯିବ? ସେ ପ୍ରତି ସାପର ନଥାଏ ଖାତିରି। ସେମିତି ସେ ଗାଈଗୋରୁ ମାନେ ବି ସ୍ବଭାବିକ ଚାଲୁଥାନ୍ତି ସାପ ପ୍ରତି ବେଫିକର। କେବେ କବେ ଆମେ ଦିହେଁ ଏକଥା ସ୍ମରଣ କରି ଶିହରି ଉଠୁ। ପ୍ରକୃତି କେତେ ଉଦାର।

ହେଲେ ଆମେ ସେଦିନ ଶିହରି ଉଠିଲୁ କଣାବୁଢାର ଡାକରେ। ସେ ଡାକରେ ଉଦାରତା ନଥିଲା, ଥିଲା କଡା ତାଗିଦ।

ଏଠି ଏ ସମୟରେ ଏମିତି ବସନ୍ତି? ଏଇଟା ସେ ଦୋଉଡି ଦିଆ ଟୁକେଲ୍'ର ଏ ଦିଗରେ ଯିବା ସମୟ।। ଏଇଠି ସେ ନିତି ଗାଧାଏ। ସେ ପାଇଁ ଏ ବନ୍ଧକୁ କେହି ଆସନ୍ତି ନାହିଁ। ହ୍ୟାପ ବେମୁରବା, ବଡ ବଡଙ୍କୁ ପଚରାଉଚରା ନାହିଁ।


ସବୁ ରୋମାନ୍ସ ବରଫ ହୋଇଗଲା। ମନେହେଲା ବୁଢାର ପିଲାଛୁଆ ସିନା ନାହାନ୍ତି ହେଲେ, ବୟସ ତାକୁ ବାପା ଅବା ଜେଜେ କରିଦେଇଛି। ପରିବାର ବାଦ୍ ଏମିତି ଅନ୍ତରଙ୍ଗ ତାଗିଦ ଆଉ ପ୍ରାୟ କେହି କେଉଁଠି କରି ନାହାନ୍ତି। ହୁଏତ ତା ସୁପ୍ତ ମନରେ ଆମକୁ ପୁଅ ବୋହୂ ଭାବି ନେଲା ସେ। ଆମେ ସୁନାପିଲା ପ୍ରାୟ ଫେରି ଆସିଲୁ। ଆଉଦିନେ ଏଠାକୁ ଆସି ଗାଧେଇବାର ଭାବନା ସବୁଦିନ ପାଇଁ ମରିଗଲା।

ଯେଉଁ ପାଖରେ ବୁଢା ଘର, ତାହାର ବିପରୀତ ପାର୍ଶ୍ଵରେ ରହୁଥାନ୍ତି ଆଉ ଏକ ପରିବାର। ବୁଢାଟିଏ ଓ ବୁଢ଼ୀଟିଏ। ସେମାନଙ୍କର ବିଶେଷତ୍ୱ ହେଲା, ଖୋଲା ପଡିଆରେ ପିଢା ଉପରେ ବସାଇ ବୁଢ଼ୀ ବୁଢାକୁ ତେଲ ହଳଦୀ ଲଗାଇ ଗାଧୋଇ ଦିଏ ନିୟମିତ ବ୍ୟବଧାନରେ। ଏ ଅଜବ କଥା ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଥାଏ। ଆମେ ଦିନେ ଏକଥା ଗପକରି ହସୁଥିଲୁ। କଣାବୁଢା ବାବଦରେ ସଚେତନ ନଥିଲୁ। ଏତେ ନିରୀହ ସେ, ଯଚେଇ ହୋଇ କହିଦେଲା, "ତା ବୁଢ଼ୀ ତା'ର ବହୁତ ଜତ୍ନ ନେଉଥିଲା। ଜଡିବୁଟି ପକାଇ ପାଣି ଫୁଟାଇବ, ତାକୁ ଥଣ୍ଡା କରି ତହିଁରେ ବୁଢାକୁ ଗାଧୋଇ ଦିଏ। ସେହି କାରଣରୁ ତାକୁ କିଛି ରୋଗ ନାହିଁ। ତା ବୁଢୀ ତା'ର ନିଜ ମାଇକିନା ଥିଲା। ଆଉ ସେ ଯେଉଁ ଜଟିଆ ଶବର ସେଇଠି ଗାଧୋଉଛି, ସେ ତା ବୁଢୀକୁ କେଉଁଠୁ ଉଡାଇ ଆଣିଛି, ତା ସ୍ବାମୀ ଓ ପିଲାଛୁଆଙ୍କଠୁ। ଜଟିଆ ବି ଏଇ ବୁଢୀ ପାଇଁ ତା ଘର ପରିବାର ଛାଡିଛି। ଲାଜ ନାହିଁ ଯା ଲୋକ ଦେଖାଣିଆ ମେଲା ପଡିଆରେ ଗାଧୋଉଛନ୍ତି, ଛି।


ଲାଗିଲା, ବୁଢା ଈର୍ଷାରେ କହୁଛି।

ଅବଶ୍ୟ ତା କଥାଟି ସତ ବୋଲି ଅଚିରେ ଜଣା ପଡିଲା। ଦିନେ ଜଟିଆ ଓ ତା ବୁଢୀ ଝଗଡା ଲାଗିଲେ। ଉଭୟ ସତ ଉଗାଳି ପକାଇଲେ। ଏ କହୁଥାଏ, ତୁ କ'ଣ ମୋ ନିଜ ମରଦ, ସେ କହୁଥାଏ ତୁ କଣ ମୋ ନିଜ ମାଇଝି!


ଏ ବି ବିଚିତ୍ର।


କିଛିଦିନ ପରେ କଲୋନୀର ଚନ୍ଦ୍ରା ନାମ୍ନୀ ଝିଅଟିଏ ଆସି ବାସିକାମ କଲା। କଣାବୁଢା ଗରଗର ହେଲା। ସେ କରିବ ନାହିଁ କି କାହାରିକୁ କରାଇ ଦେବନି। ସେ ଝିଅ ଥରେ ସୁନା ଜିନିଷଟିଏ ପାଇ ଫେରେଇ ଦେଲା। ପତ୍ନୀ ଏକଥାକୁ ତାରିଫ କଲେ। ବୁଢା କହିଲା, ଏତେ ଖୁସି ହେବା ଭଲ ନୁହେଁ। ତା ମା ଗୁଣୀ ଗାରିଡି ଜାଣିଛି। କେତେବେଳେ ଆଜ୍ଞାଙ୍କୁ ଓଷଦ କରିଦେବ ଯେ ପାନେ ପାଇବ। ଅବଶ୍ୟ ବୁଢା କଥାକୁ କୌଣସି ଗୁରୁତ୍ୱ ଦେଇ ନଥିଲୁ ଆମେ।


ଆଉ ଜଣେ ସେ କଲୋନୀରୁ ପୋଲିସ ବିଭାଗରେ କନେଷ୍ଟବଳ କାମ କରୁଥାଏ। ନାମଟି ବିସ୍ମୃତ, ସେ ସବୁବେଳେ ମଦ ପିଉଥାଏ, ମଦ ପିଇ ଆମ ବିରୁଦ୍ଧରେ ଗପେ। କଣ ହୋଇଥିବ ସମ୍ଭାବ୍ୟ କାରଣ? ବୁଢା କହିଲା, "ଏ କଲୋନୀରୁ ଯେତେ ସବୁ କବାଟ ଝରକା, ପାଇଖାନା ଚୋରି ହୋଇଗଲା ସେଗୁଡା ସେ କରିଛି। ଲୋକେ ତା'ଠୁ ନିଅନ୍ତି। ଗାଁ ଟୋକାଏ ଭୋଜିକରନ୍ତି ଏହି ଘରେ, ମଦ ମାଉଁସ ପାଏ। ତୁମେ ରହିଲ, ଏବେ ସେସବୁ ବନ୍ଦ। ସେଇଥିପାଇଁ ସେ ଗରଗର। ସିଏ ମଝିରେ ଚାକିରିରୁ ତଡା ଖାଇଥିଲା। ତା'ର ବେଶି ରାଗ ମୋ ଉପରେ, ମୁଁ କାହିଁକି ମରୁନି, ମଲେ ମୋ ଘର ମାଡି ବସନ୍ତା।"

କଲୋନୀରେ ଆମେ ଭାବୁଥିଲୁ, ଏ ନିର୍ଜନ ଦ୍ବୀପରେ- ଦେଖଇ ନେତ୍ର ଯାହା ଚୋଉଦିଗରେ, ତା'ର ଅଧୀଶ୍ବର ଆମେ' କିନ୍ତୁ ଆମେ ତାହେଲେପ୍ରଜା ମାତ୍ର। ତଥାପି ସେ ଯୁବକ ସହ ହସି ହସି କଥା ହେଉ। ମଦ ନପିଇଥିଲେ ସେ ପୋଲିସିଆ ସାଲ୍ୟୁଟ୍ ପକାଏ, ସମ୍ଭ୍ରମତାର ସହ ଆମ ଭଲମନ୍ଦ ପଚାରେ, ତା ଟିକି ଟିକି ପିଲା ମାନଙ୍କ ଦେହ ପା ହେଲେ ଔଷଧ ନିଏ। କିନ୍ତୁ ମଦ ପିଇଲେ ତା ଅବଚେତନ ଉଦ୍ଭାସିତ ହୁଏ, ସେ ବା କଣ କରିବ?


ମଣିଷର ମନ ତଳର କଥା ଅନୁଭବ କରିହୁଏ ଧୀରେ ଧୀରେ ବୟସ ପଚିଶ ଟପିଲେ।

ଆଉ ଏକ ପରିବାର ଥାଏ, ତିନି ଚାରିଟି ପିଲା ଟୁକେଲ୍, ବାପାଟିଏ। ମାଆ କାହା ସହ ପଳାଇ ଯାଇଛି ଛୁଆଙ୍କୁ ଛାଡି। ବାପଟି ବଡ ହୀନସ୍ତା। ବୁଢା ଗପେ, "ଏବେ ଭାବିଲେ କଣ ହେବ? ଶଅର ଘର, କନିଆ ଆଣିଥିଲା ଉଚ୍ଚ ଜାତିରୁ, ଗୋତ୍ର ସୁମରି ବାହୁଡିଲା, କାନ୍ଦିଲେ କି ହେବ?।"


ସମୁଦାୟ ପରିବାରଙ୍କ କଥା କହିଲି, ସମସ୍ତେ ଗୋଟେ ଗୋଟେ କାହାଣୀ। ଆମେ ନୋହୁଁ କି? ଏ ଦୁନିଆରେ ଯେତେ ଲୋକ ଚଳ ପ୍ରଚଳ ହେଉଛନ୍ତି, ତାଙ୍କ ବାବଦରେ ବୁଝିଲେ, କୁଢ କୁଢ କାହାଣୀ ହେବ। ଜୀଅନ୍ତା ଇତିହାସ ମାନଙ୍କ ଚଳପ୍ରଚଳରେ ଚଞ୍ଚଳିତ ଏ ସମାଜ। ପୁଣି ଯେତିକି ସେମାନଙ୍କ ବିଷୟରେ ଜଣା ତହୁଁ ଅଧିକ ଥିବ ଅଜଣା। ଆହା! ସେସବୁ କେମିତି ଜାଣନ୍ତି କି? ଜାଣିଲେ ଭଲ ହେବ? ଜାଣିବ ନାହିଁ ଯଦି, ସୁଖ ଦୁଃଖ ବାଣ୍ଟିବ କେମିତି! ମନେହୁଏ ଯେତେ ସବୁ ଖୁସିବାସର ଚଳନି କେବଳ ଉପର ଠାଉରିଆ, ଛଳନା ମାତ୍ର। ସନ୍ତୋଷ ଅନୁଭବ ହେଲା, ଅତି କମରେ ଏ କଣାବୁଢା ବାବଦରେ ତ ଜାଣିଛୁ। ଜାଣିଛୁ? କଣ ବା ଜାଣିଛୁ?


କଣ ହେଲା କେଜାଣି, ଆମେ ଆମିଷ ଖାଇବା ଛାଡିଦେଲୁ। ଏଣିକି ଲୋକେ ଆଣି ଯଚେଇ ହୋଇ କୁକୁଡ଼ା ବିକିଲେ ସେମାନେ ସେମିତି ରହିଯାଉଥିଲେ। ଘର ଚାରିକଡରେ ଯେଉଁ ହତା ବନାଇଥିଲୁ ବାଉଁଶ ତଲେଇ ଯୋଡିଯାଡି, ବୁଢା ଓ ମୁଁ ମିଶି ତା ମଧ୍ୟରେ ଏକ କୁକୁଡା ଘର କଲୁ। ଯାହା ମନେ ପଡେ ପ୍ରାୟ ଏଗାରଟି କୁକୁଡା ଥିଲେ। ସେମାନେ ବୁଲିଚରି ଖାଆନ୍ତି, ସଂଧ୍ୟାରେ ତାଙ୍କ ଘରେ ଢୁକନ୍ତି। ଆମେ ସେ ଘରର କବାଟ କିଳି ଦେଉ। ବିସ୍ତୀର୍ଣ୍ଣ ଇଲାକାରେ ସେମିତି କିଛି ଅସନା ଲାଗେନି ସେମାନଙ୍କ ସହାବସ୍ଥାନ।


ଶୀତ ଦିନ, ଯୁବକସଂଘ କ୍ରୀକେଟ ମ୍ୟାଚ କଲେ। ପୁଳାଏ ଟିଣ ଚେୟାର ରାତିରେ ମୋ ହତାରେ ରଖନ୍ତି ଓ ପୁଣି ଦିନବେଳା ନେଇ ଯାଆନ୍ତି।


ଦିନେ ସକାଳୁ ଜଣାଗଲା, ଗତ ରାତିରେ ଚୋରି ହୋଇ ଯାଇଛି। ଗୋଟିଏ ଛାଡି ସବୁତକ କୁକୁଡା, ବୁଢାଘରୁ ଟାଣିଥିବା ମୋଟା ବିଜୁଳି ତାର ଓ ବୁଢାର ସର୍ଭିସ୍ ତାର। ପରେ ଜଣାଗଲା, କେତେଖଣ୍ଡ ଚେୟାର ବି ଉଭାନ।


ପୋଲିସ ବାବୁ ଜଣଙ୍କ ତା ପୋଲିସିଆ ବୁଦ୍ଧି ଲଗାଇ କହୁଥିଲେ, ତିନି ଦଳ ଚୋରି କରିଛନ୍ତି। ଗନ୍ଧକର୍ପୁର ଓ ଚାଉଳ ମିଶାଇ କୁକୁଡାଙ୍କୁ ଖୋଇଲେ ସେମାନେ ନିର୍ବାକ ନିସ୍ତେଜ ହୋଇଯାଆନ୍ତି। ସେମିତି କରି କିଏ ନେଇଛି, ନଚେତ୍ ଏତେଗୁଡିଏ କୁକୁଡା ରାବରେ ନିଦ ଭାଙ୍ଗିଥାନ୍ତା। ଦୈବାତ୍ ଗୋଟେ ରହି ଯାଇଛି। ବିଜୁଳି ତାର ଚୋରି କରିଛି ଅନ୍ୟ କେହି। ଏବଂ ଚେୟାର ଚୋରି କରିଛି ଆଉଜଣେ।

ସେ ଗଲାପରେ, ବୁଢା କହିଲା- ଆଜ୍ଞା ବୁଝୁନ୍, ସେ କିପରି ଏତେ କଥା କହିଲା। ସେ ବୋଧେ ଏହା ମଧ୍ୟରୁ ଗୋଟିଏ ଚୋରି କରିଛି; କୁକୁଡା କିମ୍ବା ତାର। ତାକୁ ଆଶ୍ଚର୍ଯ୍ୟ ଲାଗୁଛି ସେପାଇଁ ଅନ୍ୟ ଚୋରି ଦେଖି।

ହଁ ହୋଇଥିବ। ସେହି ଦିନ ତାର ଟଣାଟଣି କଲୁ। ପିଲାମାନେ ଆଉ ଚେୟାର ରଖିଲେ ନାହିଁ। ରହି ପଡିଥିବା କୁକୁଡାଟି ସେମିତି ଚରିବୁଲିଲା। ଆମକଥାକୁ ନେଇ ବୁଢା ଚାରିଆଡେ କହି ବୁଲିଲା, "ଖବରଦାର ସେଇଟି ମା ବସ୍ତରଣୀଙ୍କ କୁକୁଡା, ଯିଏ ଖାଇବ, ରକ୍ତ ଝାଡାହୋଇ ମରିବ।"


ଏହାର କିଛିଦିନ ପୂର୍ବେ, ତତ୍କାଳୀନ ସିଡିଏମଓ ଡା ପ୍ୟାରୀମୋହନ ସିଂହ ଦିନେ ସଦୟ ଅତିଥି ହୋଇଥିଲେ। ପତ୍ନୀ ତାଙ୍କରି ନିଜ ଇଲାକାର ଝିଅ। ସେଦିନ ବୁଢା ଓ ମୁଁ ବେଶ୍ ଭଲଭାବେ ରାନ୍ଧି ଖୁଆଇଲୁ ସାରଙ୍କୁ। କୁକୁଡ଼ାଟି ଗାଁରୁ କିଣି ଆଣିଥିଲୁ। ପତ୍ନୀ, କୁନିପୁଅ ସାୟମକୁ ଧରି ମହାଶୟଙ୍କ ସହ ଆଳାପରେ ସମୟ କାଟିଥିଲେ। କେଜାଣି କେତେ ଭଲ ଲାଗିଲା ମୁଁ ତ ଖାଉନଥିଲି, ଜାଣିବି କେମିତି? ତା ପରଠୁ ସବୁବେଳେ ଥଟ୍ଟାରେ କହନ୍ତି, ଜ୍ବାଇଁଟି ଆମର ଭଲ ରାନ୍ଧୁଣିଆ। ତାଙ୍କ ଲେଖାବଳରେ ଓ ପତ୍ନୀଙ୍କ ନିଜ ପ୍ରଚେଷ୍ଟାରେ ଆମେ ଉଭୟ ନିଜ ନିଜ ସ୍ଥାନରୁ ବଦଳି ହୋଇ ଖଡିଆଳ ଗଲୁ।

କଣାବୁଢା ଭାବିଲା, ଲୋକେ ଚୋରି କରିବାରୁ ଆମେ ରୁଷି ପଳାଇଲୁ। ଗାଁର ବୁଢାବୁଢୀ ମହଲରେ ଏହା ଆଲୋଚିତ ହେଲା।

ବୁଢାକୁ ଛାଡି ଆସିଲା ବେଳେ ଆମ ମନ ଦୁଃଖ ହୋଇଥିଲା କିନ୍ତୁ ତା ମନରେ ଦୁଃଖ ନଥିଲା କି ସୁଖ ନଥିଲା। ସେ ସେମିତି ଠିଆ ହୋଇଥିଲା। ମନେ ପଡିଯାଇଥିଲା ପ୍ରଥମ ଦେଖାବେଳେ ସେ କେମିତି କୁକୁଡ଼ା ଚିଆଁକୁ ଉଈ ଖୋଉଥିଲା, ସେମିତି ସେ ଦିଶୁଥିଲା ସ୍ଥିତପ୍ରଜ୍ଞ।

ତା ଖବର ଅନ୍ତର ପଚାରୁ ସେ ଗାଁ ଲୋକେ ଖଡିଆଳରେ ଦେଖାହେଲେ। କେଇ ବର୍ଷପରେ ଶୁଣିଲି ତା ଗୋଡହାତ ଓ ଦେହ ଫୁଲି ଯାଇଛି। ସେ ବର୍ଷ ସେ ଚାଲିଗଲା। ଏତେବର୍ଷ ପରେ କଲମ ମୁନକୁ ଫେରିଥିବା ଅପାଶୋର ନିରୀହ କଣାବୁଢାକୁ ଏ ପୁଅର ଆନ୍ତରୀକ ପ୍ରଣାମ।


Rate this content
Log in