କ’ଣ ଆଉ କହିବି ସେ’କଥା
କ’ଣ ଆଉ କହିବି ସେ’କଥା
ପିଲାଦିନେ ଗାଁ ଦାଣ୍ଡରେ ଖେଳୁଥିବା ଚୋର ପୁଲିସ୍ ଖେଳ ଆଜି ମୋ ଆଖି ଆଗରେ ଗୋଟି ଗୋଟି କରି ସବୁ ଭାସିଆସୁଛି ।
-ଆରେ ମାଧ, ବିଭୂ, ସମୀର, ରେବ, କାଳନ୍ଦୀ ସମସ୍ତେ ବାହାରି ଆସରେ । ଶୁବଳ ଧରାପଡିଛି । ସେ ଚୋର । ତାକୁ ଏବେ ଜେଲ୍ ପଠାଯିବ । ପିଲାଦିନର ସେହି ମିଛିମିଛିକା ଖେଳଟା ଆଜି ମୋ ଜୀବନରେ ସତରେ ପରିଣତ ହେଇଛି । ଜେଲର ଚାରି କାନ୍ଥ ଭିତରେ ଏଇ କଥା ଭାବି ଭାବି ମୁଁ ଦୁଃଖରେ ଭାଙ୍ଗିପଡୁଥିଲି ଯେମିତି ।
ମୁଁ ୫ମ ଶ୍ରେଣୀରେ ପଢୁଥିଲାବେଳେ ପାଠ ଓ ମାଡ ଭୟରେ ମୋ ଦେହ ଖରାପ ଅଛି କହି, ମିଛରେ ବାହାନା କରି ସ୍କୁଲ ଯାଏନି କି ଯିଏ ଯେତେ ବୁଝେଇ ସୁଝେଇ କହିଲେ ବି ଯିବାର ନାଁ ଧରେନି । ବେଳେବେଳେ ସେଇ ପାଠପଢା ଡରରେ ଗାଁ’ର କେତେଜଣ ସାଙ୍ଗମାନଙ୍କ ସହ ମିଶି ମୁଁ ଗାଈ ଚରେଇବାକୁ ଚାଲିଯାଏ । ସଂଧ୍ୟାରେ ଘରକୁ ଫେରିଲେ ବାପା ମୋତେ ଦେଖି, ବୋଉ ଆଗରେ ବିରକ୍ତଭରା ସ୍ୱରରେ କୁହନ୍ତି-
-ବୁଝିଲ, ୟା ନେଇ ପାଠଶାଠ କିଛି ହେବନି ଦେଖୁଛି । ଇଏ ବଡ ହେଲେ କ’ଣ କରିବ ?
-କ’ଣ ଆଉ କରିବ ? ଖାଇବାକୁ ପାଇବନି, ଚୋରି କରିବ, ଜେଲ୍ ଯିବ । କୁଳାଙ୍ଗାରଟା ... ।
ଅତିଶୟ ଦୁଃଖରେ ଜଳୁଥିବାବେଳେ ଦୀର୍ଘନିଶ୍ୱାସଟିଏ ନେଇ କୋଠରୀର ଗୋଟେ କୋଣରେ ଥୁଆହୋଇଥିବା ସୁରେଇରୁ ପାଣି ପିଉଥିବା ସମୟରେ ମାଆ କହିଥିବା ପୂର୍ବକଥାଗୁଡିକ ମନେପଡିଯିବାରୁ ମୁଁ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲି ।